Ajaya Mahala

Tragedy Others

2.5  

Ajaya Mahala

Tragedy Others

ଚୋର କଣ୍ଟା ଓ ମାମୁଁ ଘର

ଚୋର କଣ୍ଟା ଓ ମାମୁଁ ଘର

3 mins
423



ଗୋଡ଼ରୁ କଣ୍ଟା କାଢୁ କାଢୁ କେବେ ଉପଦେଶର ଛଦ୍ମବେଶରେ ଆସୁଥିଲା ବୋଉର ତାଗିଦ -"ଆହୁରି ଖରା ବେଳ ସାରା ବାଳୁଙ୍ଗା ଟୋକାଙ୍କ ସାଙ୍ଗରେ ଯାଇ ବୁଲୁନୁ ଯାଇ ସେ କଣ୍ଟା ବଣରେ ! "


ଆମେ କ୍ୟାଡ଼ବରୀଜ୍ ଯୁଗର ଛୁଆ ନ ଥିଲୁ। ଦୁଧ ହାଣ୍ଡିରୁ ଶାମୁକାରେ କୋରୁଅ କୋରି ଖାଉଥିଲୁ । ଘିଅ ମରା ହାଣ୍ଡିର ପୋଡା କୋରୁଅ ବି । କୋଳି ତୋଳି ଖାଉଥିଲୁ ବାଡିରୁ ଆଉ ବଣବୁଦାରୁ । କୋଇଲିଖିଆ କଣ୍ଟା ଗଛର ଫୁଲରୁ ମଧୁ ପିଇ ପିଇ ଚାଲୁଥିଲୁ କଣ୍ଟା ବଣରେ ।


ବୋଉ ସକାଳେ ଗୋବର ପାଣି ପକେଇଲା ବେଳେ ତା ପିଠିରେ ଓହଳି ରହୁଥିଲି । ଶିଳରେ ବେସର ବାଟିଲା ବେଳେ ପିଠିରେ ଲାଉ ହୋଇ ଝୁଲି ରହୁଥିଲି । ଦହି ବୁଲେଇଲା ବେଳେ ତା ହାତ ବନ୍ଧନୀ ଭିତରେ ପଶି ନିଜେ ଦଉଡି ଧରି ଖୁଆ ବୁଲେଇବାକୁ ଚେଷ୍ଟା କରୁଥିଲି । ଦହିଖୁଆର ସେ ଦନ୍ତୁରିତ ଧାରରେ ଲାଗିଥିବା ଲହୁଣୀ ଆଙ୍ଗୁଳିରେ ପୋଛି ଆଣି ଖୁଏଇ ଦେଉଥିଲା ମତେ । ଘିଅ ମାରିଲା ବେଳେ ଘର ମହକୁ ଥିଲା । ପୋଡି ଯାଇଥିବା ହାଣ୍ଡି ଭାଇ ଭଉଣୀ ମିଶି କୋରି ଖାଉଥିଲୁ । 


ବଣ ବୁଦାରେ ବିନା ଚପଲରେ ଚାଲିବା ଦ୍ୱାରା ଗୋଡ଼ରେ କଣ୍ଟା ପଶେ । ଛୋଟେଇ ନ ଚାଲିବା ପର୍ଯ୍ୟନ୍ତ ସେଇ ଗୋଡ଼ରେ ଦୌଡା ଦୌଡ଼ି ଚାଲିଥାଏ । କେବେ ଅଚାନକ ବୋଉ ଆଖିରେ ପଡ଼ିଯାଏ ମୋ ଛୋଟେଇ ଚାଲିବା । ତାର ତୁରନ୍ତ ଉପଚାର କରିବାକୁ ପଡିବ । ନ ହେଲେ ମାଛିଆଖିଆ ହୋଇଯିବ ।


ସିଏ ଲମ୍ବେଇ ବସିଥିବା ଗୋଡ଼ ମୋ ପାଇଁ ଅପରେସନ ଟେବୁଲ ହୋଇଯାଏ। ପାଦର କଣ୍ଟା ଫୁଟିଥିବା ଜାଗାକୁ ସ୍ପଷ୍ଟ ରୂପେ ଦେଖିବା ପାଇଁ ଆଙ୍ଗୁଳିରେ ଛେପ ଟିକେ ନେଇ ଘଷି ଦିଏ ସେ ଜାଗାକୁ। ଦିଶିଯାଏ କଣ୍ଟା, ସୋରିଷଠୁଁ ବି ଛୋଟ କଳା ବିନ୍ଦୁଟିଏ ହୋଇ । ଛୁଞ୍ଚିରେ ଫୋଡ ମାରି ଉଖୁରେଇ ଧୀରେ ଧୀରେ ବାହାର କରିବାକୁ ପଡିବ ମୋ ବୋଉକୁ ।


"ମାମୁଁ ଘର କଥା ଭାବ। "  

  

କୋଳରେ ପଡି ରହି ତା ହାତର ଉପଚାରକୁ ସମ୍ମୁଖୀନ ହୁଏ । କେତେବେଳେ କାଟିଲେ ଗୋଡ଼ ଟାଣି ଆଣେ । ସିଏ ହାତରେ ଗୋଡ଼କୁ ବଳପୂର୍ବକ ଟାଣି ନେଇ ପୁଣି କୋଳରେ ରଖେ । ମାମୁଁଘର କଥା କହି ଭୁଲେଇ ରଖେ । 


ବେଶୀ ଅସହଯୋଗ କଲେ ତା ଗୋଡର ଅପରେସନ ଟେବୁଲରୁ ମତେ ବାହାରକୁ ପେଲିଦିଏ ସେ । " ଯା, ସେମିତି ଛୋଟେଇ ଚାଲୁ ଥାଆ ।"


"ଆହା ! ଏବେ ଏ ଡାକ୍ତରାଣୀ ମନା କରିଦେଲେ ପୁଣି କିଏ ମତେ ଗ୍ରହଣ କରିବ ?" ମୋର ଡରୁଆ ପଣକୁ ତା ମୁହଁର ସେହି କଠୋର ହେବାର ଭାବ । କେବେ ଛୁଆ ପିଠି ସମ୍ଭାଳିବାପରି ମାପ ଦିଆ ଚଟକଣି ଦୁଇଟି । ସେ ସବୁ ମତେ ଶୃଙ୍ଖଳାକୁ ଆଣିବା ପାଇଁ । ଛୁଞ୍ଚିର ଏହି ମାଇକ୍ରୋ ସର୍ଜରୀ ପାଇଁ ମାନସିକ ପ୍ରସ୍ତୁତି କରାଇବା ବି ଦରକାର !


ଶେଷରେ ଗୋଡ଼ ଦେଖାଇବାକୁ ପଡେ । ଅପରେସନ ଥିଏଟରରେ ଆଧୁନିକ ଡାକ୍ତରର କଠୋରତା ନେଇ ବୋଉ କଣ୍ଟା କାଢେ । "ଏଥିରେ କିଛି ହେବନି" କହି ବାଇ ଚଢେଇ ଥଣ୍ଟ ମାରିଲା ପରି ମିଛରେ କେଇଥର ଛୁଞ୍ଚି ଛୁଆଁଇ ଦିଏ । ପ୍ରକୃତ ଖୋଳିଲା ବେଳେ କଅଁଳ ମାଂସ ଦେଇ ଆସୁଥିବା ଯନ୍ତ୍ରଣାକୁ ପୋତି ଦିଏ ମାମୁଁ ଘର ଆଡ଼କୁ ଧ୍ୟାନ ଟାଣି । 


ଜୀବଜନ୍ତୁଙ୍କ ସେବା କଲାବେଳେ ସେମାନେ ବି କ୍ଷତ ଜାଗାକୁ ଦେଖେଇ ରହନ୍ତି ଉପଚାର ବେଳେ । ଜାଣି ପାରନ୍ତି କେହି ଯତ୍ନ ନେଲା ଵାଲା ମଣିଷ ତାଙ୍କର ସେବା କରୁଛି ବୋଲି । "ଆଣ୍ଡ୍ରୋକ୍ଲିସ ଆଉ ସିଂହ" ର ସେ ବହି ପଢା କାହାଣୀ ଆଜି ମନେ ପଡେ । କେବେ ତା ପଞ୍ଝାରୁ କଣ୍ଟା କାଢିଥିବା ଯୋଗୁଁ ସିଂହଟି ଆଣ୍ଡ୍ରୋକ୍ଲିସକୁ ମନେ ରଖିଥିଲା ଆଉ ଯେତେବେଳେ ରୋମାନ ସାମ୍ରାଟଙ୍କ ଆଗରେ ସିଂହକୁ ପଞ୍ଜୁରୀରୁ ଖୋଲି ଦିଆ ଯାଇଥିଲା ସେତେବେଳେ ସେ ସିଂହଟି ସେହି ଗ୍ଲାଡିଏଟର କ୍ରୀତଦାସକୁ ନ ଖାଇ ତାକୁ ଚାଟି ପକେଇ ଥିଲା । ସେ ତ ଥିଲା ଜଙ୍ଗଲର ଜୀବଟିଏର କୃତଜ୍ଞତା । ମୁଁ ତ ମଣିଷ ଛୁଆ । ଆଉ କଣ୍ଟା କାଢୁଥିବା ମଣିଷଟି ଆଉ କେହି ନ ଥିଲା । ସେ ଥିଲା ଜଠରରେ ପାଳିଥିବା ମୋ ମାଆ । ଏହା ମୋର ଅଧିକାର ଥିଲା ବା ତାର ଛୁଆ ମାନଙ୍କ ପାଇଁ ଦାୟିତ୍ୱ । ସେଥିପାଇଁ ବୋଧେ ମୁଁ ଭୁଲିଯାଇଥିଲି ମତେ ସେହି ସ୍ନେହୀ ଯତ୍ନଶୀଳ ହାତକୁ କୃତଜ୍ଞତା ଜଣାଇବାକୁ । 


ସେ ଯାହା ହେଉ, ମାଆ କଣ୍ଟା କାଢି ନିଏ । ଗୋଡ଼ରୁ ବାହାରିଥିବା କଣ୍ଟା ପାପୁଲି ଉପରେ ରଖି ଦେଖେଇ କହେ, "ଦେଖିଲୁ କେତେ ବଡ଼ କଣ୍ଟା "

ଆଖି ପତାରୁ ବାଳଟିଏ ନେଇ ଦେଖେ ତାହା ଦ୍ୱାରା କଣ୍ଟାଟି ଉଠୁଛି ନା ନାହିଁ । ଯଦି ଉଠି ଯାଏ ଭଲ କଥା । ନ ଉଠିଲେ ସେଇଟା ଚୋର କଣ୍ଟା । ତାକୁ ଦଣ୍ଡିତ କରିବାକୁ ଚୁଲି ନିଆଁରେ ପକେଇ ଦିଏ ବୋଉ ।


ଖୋଳା ଯାଇଥିବା ଜାଗାର ଦରଜ ମାରିବା ପାଇଁ ଗରମ ଜଡ଼ା ତେଲ ପକେଇ ଦିଏ ରାତିରେ । ଛୁଞ୍ଚି ଡିବି ନିଆଁରେ ତତେଇ । ନିଦ ଭିତରେ କେତେ ଥର ସେ ଚେଙ୍କ ଲାଗିଥାଏ ମନେ ରହେନା । କିଏ କହିବ ସ୍ୱପ୍ନ ଆଉ ନିଦରେ କେତେଥର ବୁଲିଥିବ ମାଆର ହାତର ସେହି ସ୍ପର୍ଶ । 


ସକାଳୁ ମୁଁ ପ୍ରସ୍ତୁତ ହୋଇ ସାରିଥାଏ କଣ୍ଟା ବଣରେ ପୁଣି ବୁଲିବାକୁ । ନିର୍ଧୁମ ଖରାବେଳେ ।


ଆଜି ମୁଁ ସାତ ତାଲା ବିଶିଷ୍ଟ ସମ୍ପୂର୍ଣ୍ଣ ରୂପେ ବାତନୁକୂଳିତ "କୈଳାସ ହାଇଟ୍ସ" ର ଧୂଳି ମଳି ଯାଉ ନ ଥିବା ପ୍ରକୋଷ୍ଠରେ ବସିଛି । ଆଜି ମୁଁ ଜୋତା ପିନ୍ଧୁଛି । ଚୁଲି ନିଆଁରେ ଜଳାଇ ମୋ ବୋଉ ଦଣ୍ଡିତ କରିଥିବା କାନକୋଳି, ବାହୁଲା, ବଇଞ୍ଚ, ବେତର କଣ୍ଟା - ଏମାନେ ଆଉ ପହଞ୍ଚି ପାରିବେ ନାହିଁ ମୋ ପାଖରେ । 


   ମୋର ନିରୀହ କୃତଜ୍ଞତା କାଚର ପ୍ରାଚୀର ଭିତରେ ଖୋଜୁଛି ସେହି ନିର୍ଧୁମ ଖରାବେଳକୁ । ମୋ ମାଆର ଛେପର ଶୀତଳ ସ୍ପର୍ଶକୁ । 


Rate this content
Log in

Similar oriya story from Tragedy