ହଜି ଯାଉଥିବା ମାଟି
ହଜି ଯାଉଥିବା ମାଟି
ସପ୍ତାହେ ଗୁଜରାଟରେ ଛୁଟିକାଟି ପିଲାଙ୍କ ସହ ଫେରୁଥିଲି ।
ଗାଡି ଅହମଦାବାଦ ଷ୍ଟେସନ ଛାଡିଲା ପରେ ଗୋଟିଏ ପ୍ରକାର ଶାନ୍ତି ଥିଲା । ସହଯାତ୍ରୀ ମାନେ ଅଧିକାଂଶ ଗୁଜୁରାଟୀ । ଗାନ୍ଧୀ ଦେଶର ଲୋକେ, ଯେତିକି ସଭ୍ୟ, ଗାନ୍ଧୀଜୀଙ୍କ ପରି ସେତିକି ଶାନ୍ତି ପ୍ରିୟ । ଯାହା ବି କଥାବାର୍ତ୍ତା ହେଉଥାନ୍ତି ଚାପା ଗଳାରେ, ଯେମିତି କାହାରିକୁ କର୍ଣ୍ଣ କଟୁ ହେବନି । ଟ୍ରେନ ବି ଚାଲିଛି ସେମିତି ସାବଲୀଳ ଢଙ୍ଗରେ, ଗତିରେ ବିଲକୁଲ ଉଗ୍ରତାର ଚିହ୍ନ ନାହିଁ । ଏମିତି ଶାନ୍ତିପୁରୀ ପର୍ଯ୍ୟନ୍ତ ଯାତ୍ରାରେ ଲାଗି ରହିଥାନ୍ତା !
ମାତ୍ର ଆସିଗଲା ସୁରତ ଷ୍ଟେସନ । ପ୍ଲାଟଫର୍ମ ଭିତରକୁ ଗାଡି ଧୀରେ ଧୀରେ ପ୍ରବେଶ କରୁଥିଲା ।
ସେଠି ଥିଲା ଅସମ୍ଭବ କୋଳାହଳ ! ଏକାଧିକ ଲାଉଡ଼ ସ୍ପିକର ଯେମିତି ଏକ ସମୟରେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି । ଲାଉଡ଼ସ୍ପିକର ଧ୍ଵନିକୁ ବଳି ଜନ ଗହଳିର ହୋ ହଲ୍ଲା । ପ୍ଳାଟଫର୍ମରେ ଗୋଡ ରଖିବାକୁ ଜାଗା ନାହିଁ । ଟ୍ରେନ ରୋକିଯିବା ମାତ୍ରେ ଲୋକମାନେ ଘେରିଗଲେ ଡବା ଗୁଡିକୁ । ମୁଁ ଭାବୁଥାଏ, ଏତେ ଲୋକଙ୍କ ପାଇଁ ଜାଗା କାହିଁ ଟ୍ରେନରେ । ମୋର ଚକିତ ଭାବ ଦେଖି ମୋ ପାଖରେ ଥିବା ଗୁଜୁରାଟୀ ସହଯାତ୍ରୀ ଜଣକ ଧୀରେ ଧୀରେ କାନରେ ହିନ୍ଦୀରେ କହିଲେ,
"ବିଚଳିତ ହୁଅନ୍ତୁ ନାହିଁ, ୟେ ସମସ୍ତେ ଟ୍ରେନରେ ଚଢିବେ ନାହିଁ । ଏମାନେ ସବୁ ଓଡ଼ିଆ ।"
ସହଯାତ୍ରୀ ଜାଣି ନ ଥିଲେ ଯେ ମୁଁ ବି ଜଣେ ଓଡ଼ିଆ ବୋଲି।
ମୁଁ ତାଙ୍କର ବିଶ୍ୱାସ ଭାଙ୍ଗିବା ଉଚିତ ଭାବିଲି ନାହିଁ।
ମୁହଁରେ ଅଧିକ ଜିଜ୍ଞାସାର ଚିହ୍ନ ଫୁଟାଇ ମୁଁ ପଚାରିଲି , "କିପରି?"
ସ୍ମିତ ହସି ସେ ଜବାବ ଦେଲେ ,
" ଆପଣ ନିଜେ ଦେଖିବେ । ଏମାନେ ସବୁ ସାଥି, ସମ୍ପର୍କୀୟ ଆଦିଙ୍କୁ ବିଦାୟ ଦେବାକୁ ଆସିଛନ୍ତି। କେତେ ଆତ୍ମୀୟତା ଏମାନଙ୍କ ଭିତରେ! ଜଣେ ଜଣେ ଲୋକକୁ ବିଦାୟ ଦେବା ପାଇଁ ସାତ-ଆଠ ଜଣ ଲେଖାଏଁ ସାଙ୍ଗ-ସମ୍ବନ୍ଧୀୟ ଆସିଛନ୍ତି।"
ଭଦ୍ର ବ୍ୟକ୍ତି ଜଣଙ୍କ ଯାହା କହିଥିଲେ ତାହା ସତ ହେଲା । ପ୍ଲାଟଫର୍ମରେ ରୁଣ୍ଡ ହୋଇଥିବା ଲୋକେ କେବଳ ଦେଖଣାହାରୀ ଥିଲେ । ଟ୍ରେନ ଗଡିବା ମାତ୍ରେ ସେମାନଙ୍କ ଭିଡ ଅପସରି ଗଲା । ଅଣଓଡିଆ ଯାତ୍ରୀ ମାନଙ୍କ ମୁହଁରୁ ଯାହା ଲକ୍ଷ୍ୟ ହେଉଥିଲା, ସେମାନେ ବେଶ ଆମୋଦିତ ହେଉଥିଲେ ଓଡ଼ିଆ ଯାତ୍ରୀମାନଙ୍କ ବିଦାୟ ପର୍ବର ଦୃଶ୍ୟରେ !
ସେ ଯାହା ହେଉ, ତଥାପି କିଛି କମ ଯାତ୍ରୀ ଚଢି ନ ଥିଲେ ଆମେ ବସିଥିବା ଡବାଟିରେ । ଟାଣି ଓଟାରି ବହୁତ ଘରକରଣା ଜିନିଷ କୋଚ ଭିତରକୁ ଧରି ଆସିଛନ୍ତି ।
ସୁରତ ଫେରନ୍ତା ଓଡ଼ିଆ ଶ୍ରମିକ ଏମାନେ ।
ଉଠାଇ ଆଣିଛନ୍ତି କେତେ ଜାତି ଜିନିଷ - ଦସ୍ତାର ବଡ ବଡ ଟ୍ରଙ୍କ୍, ପ୍ଲାଷ୍ଟିକ୍ସ ଫର୍ନିଚର ଆଉ ନୂଆ ଲୁଗା ।
ଓଜନ ହିସାବରେ ମିଳେ କୁଆଡେ ଲୁଗା, ସୁରତରେ ।
ସମସ୍ତେ ଅଳ୍ପ ବୟସିଆ କିଶୋର ଆଉ ନବ ଯୁବକ । ବୟସ ହିସାବରେ ଦେଖିଲେ ମୋ ବୟସର ଅଧା ପାଖାପାଖି ସେମାନଙ୍କ ବୟସ । ସେମାନଙ୍କ ସହ କି ଝଗଡା କରିବ ? ଦୁଇ ଦିନ ଆଗକୁ ରଜ । ଘରେ ପହଞ୍ଚିବାକୁ ସମସ୍ତେ ଉଦ୍ ବିଗ୍ନ । ଆଉ ଟିକେଟ ମିଳୁନି ଜମା ହେଲେ !
ଅନଧିକୃତ ରୂପରେ ଚଢି ଆସିଛନ୍ତି ରିଜର୍ଭେସନ ଡବା ଭିତରକୁ। ମୁଁ ଜାଣିଶୁଣି ଜାଗା ଦେଇଦେଲି ଦୁଇଜଣଙ୍କୁ । ସକାରାତ୍ମକ ସଂକେତ ମିଳିଲା ପରେ ସେମାନେ ଖୁନ୍
ଦି ଦେଲେ ଆଣିଥିବା ଜିନିଷ ଏଣେ ତେଣେ ।
ମୋ ବଡ଼ ପୁଅ ଟିକିଏ ବିବ୍ରତ ହୋଇପଡ଼ିଥିଲା ଏ ଶୃଙ୍ଖଳହୀନତାରେ । ସାନ ପୁଅ ଧୀରେ କରି ମୋ କାନରେ କହିଲା
" ପାପା, ଏମାନେ ତୁମ ଓଡିଆ ଭାଷାରେ କଥା ହେଉଛନ୍ତି ନା? "
ମୁଁ ତା ଆଡକୁ ଅନାଇ ମୁଣ୍ଡ ଟୁଙ୍ଗାରି ଦେଲି ।
ରାତିର ଅନ୍ଧାରରେ ଟ୍ରେନ ଦୋହଲିବାକୁ ଆରମ୍ଭ କରି ଦେଇଛି । ପିଲା ଦୁଇଟି ଉପର ବର୍ଥରେ ଶୋଇଯାଇଛନ୍ତି ।ଦେଖୁଥିଲି ସାନ ପୁଅର ମୋଟା ସ୍କୁଲ ବ୍ୟାଗଟିକୁ । ତା ଭିତରେ ଅସମ୍ପୂର୍ଣ୍ଣ ହୋମ ୱାର୍କ । ଭାବୁଥିଲି ସେମାନଙ୍କୁ ରଜ ବିଷୟରେ ବୁଝାଇଥାନ୍ତି ଆଜି । ଆଉ କେତେ ପ୍ରବଳ ପ୍ରବାସରୁ ଫେରୁଥିବା ଏଇ ଓଡ଼ିଆ ଭାଇମାନଙ୍କ ମନର ଅଫୁରନ୍ତ ଖୁସି ।ମାତ୍ର ବଡପୁଅର ମଧ୍ୟପ୍ରଦେଶରେ ଜନ୍ମ ତ ସାନ ପୁଅର ଛତିଶଗଡ଼ରେ । ଜନ୍ମଭୂମି କ’ଣ - ତାହା ବି ଠିକ ରୂପେ ଘର କରିନି ସେମାନଙ୍କ ମନରେ । କ’ଣ ବୁଝାଇଥାନ୍ତି ସେମାନଙ୍କୁ । ସେମାନେ ଶୋଇଗଲେ ବି ! ଆମକୁ ରାତି ଚାରିଟାରେ ଭୁସାବଳ ଷ୍ଟେସନରେ ଓହ୍ଲାଇବାକୁ ପଡିବ ।
ବାଥରୁମ ଯିବାପାଇଁ ଚପଲ ଖୋଜିଲି ।
ଜଣେ କିଏ ମୋ ପଟିଏ ଲେଦର ଚପଲ ଉପରେ ତାଙ୍କ ଟିଣ ବାକ୍ସ ରଖି ଦେଇଛନ୍ତି । ଅନୁକମ୍ପା ଦେଖାଇବାର ଏହି ଫଳ !
କମ୍ପାର୍ଟମେଣ୍ଟ ଗୁଡିକୁ ପାର ହୋଇ ଗଲାବେଳେ ମୁଁ ଶୋଇଥିବା ଯାତ୍ରୀମାନଙ୍କୁ ମୁହଁ ବୁଲାଇ ଦେଖୁଥିଲି ।
ଅଧିକାଂଶ ଯାତ୍ରୀ ଓଡ଼ିଆ । କେତେକ ତଳେ ବେଡ଼ସିଟ ବିଛାଇ ଶୋଇ ଯାଇଛନ୍ତି ।କେତେକ ଶୋଇ ନାହାଁନ୍ତି । ପ୍ରବାସରୁ ଫେରିବାର ଖୁସି ଉପରେ ଚଢ଼ି ଯାଇଛି ଆସୁଥିବା ରଜର ଖୁସି । ଆଖିକୁ ନିଦ ଆସିବ କିପରି ?
ଶୋଇବାକୁ ମୁଁ ମୋ ବର୍ଥକୁ ଫେରିଲି । ପଡି ରହି ଭାବୁଥିଲି ବିତିଲା ଦିନ କଥା । ତିରିଶ ବର୍ଷ ହେଲା ରଜ କଣ ଜାଣିନି । ଗାଁକୁ ଯିବା ତ ହୋଇଛି କିନ୍ତୁ ରଜ ସମୟରେ ନୁହେଁ । ଆଖି ଆଗରେ ନାଚି ଯାଉଥିଲା ଦେଖା ଓଡ଼ିଶାର ରଜ ବଜାର । କିଣା ବିକା ସବୁ ଆଡେ । କଳା ମନ୍ଦିର, ରାଜ ହଂସ, ରାଜରତନ ଆଦି ଦୋକାନାମାନଙ୍କର ମନଲୋଭା ବିଜ୍ଞାପନ ରେ ଭରା ଖବରକାଗଜ । ଓ.ଏମ.ପି. ଛକ ଦେଇ ଘରକୁ ଫେରିବାବେଳେ ବସରେ ଛାତି ପିଟାପିଟି ଭିଡ । ବସ୍ ଉପରକୁ ଚଢା ଯାଉଥିବା ପାଚିଲା ଆମ୍ବଝୁଡ଼ି ସବୁ । ମନ କହୁଥିଲା ଏମିତି ଭାବି ଭାବି ଟ୍ରେନ୍ ରେ ଦୋହଲି ଦୋହଲି ଚାଲୁଥିବି । ଅନ୍ଧାରି ଲମ୍ବା ସୁଢଙ୍ଗ ଭିତରେ । କଳାଘୁମର ରାତ୍ରିରେ । ମଝିରେ ମଝିରେ ବିଳାପ ସଂଗୀତ ଗାଇ ଉଠୁଥିବା ଟ୍ରେନର ହର୍ଣ୍ଣ ସହ - ମା'ର ଜଠର ଭିତରକୁ ।
କେତେବେଳେ ଶୋଇପଡିଛି ଜାଣିନି ।
ଆଟେଡାଣ୍ତ ଉଠାଇ କହିଗଲା, "ସାହେବ, ଭୁସାବଳ ଆସୁଛି"। ପିଲାମାନେ ମୋର ଉଠିଗଲେ ଓ ଜୋତା ମୋଜା ପିନ୍ଧି ପ୍ରସ୍ତୁତ ହୋଇଗଲେ । ସ୍ଥିର ହେଲା ମୁଁ ଉଠାଇବି ଦୁଇଟି ବଡ ସୁଟକେଶ, ବଡପୁଅ ତା ବ୍ୟାଗ୍ ଆଉ ସାନ ପୁଅ ତା ସ୍କୁଲ ବସ୍ତାନି । ଦ୍ୱାର ପାଖକୁ ଟାଣିନେଲୁ ସବୁ ଲଗେଜ୍ । ଘଡିରେ ରାତି ସାଢ଼େ ଚାରିଟା ବାଜିଥିଲା । ଟ୍ରେନ ଗୋଟିଏ ମିନିଟରେ ରୋକିବ । ମୋ ନିଜ ଜନ୍ମଭୂମି ଆଡକୁ ଚାଲିଯିବ କିଛି ସମୟ ରହି । ଥରେ ଆଖି ବୁଲାଇ ଆଣିଲି ଓଡିଆ ଯାତ୍ରୀମାନଙ୍କ ଉପରେ । ସମସ୍ତେ ଶୋଇ ପଡିଥିଲେ ।
ଆଖି ବୁଲାଇ ଆଣିଲି ମୋ ନିଜ ଛୁଆମାନଙ୍କ ଉପରେ ବି।
ଆମେ ତିନି ଜ’ଣ ଓହ୍ଲାଇଗଲୁ ଶେଷ ଗ୍ରୀଷ୍ମର ପାହାନ୍ତିଆ ଆକାଶ ତଳେ, ଅହମଦାବାଦ-ପୁରୀ ଏକ୍ସପ୍ରେସରୁ ।