Ajaya Mahala

Romance

2  

Ajaya Mahala

Romance

ହାତ ପାହାନ୍ତାର ତାରା

ହାତ ପାହାନ୍ତାର ତାରା

5 mins
290



"କେହି ଜଣେ ମହାନ ଶାୟର କହିଥିଲେ...." - କିଛି କହିବା ପୂର୍ବରୁ ଏମିତି ଉପକ୍ରମଣିକା ବାନ୍ଧେ ରେଡ଼ିଓ ଜକୀ ରାଧିକା ରଣସିଂହ । ତା ପରେ ତା ମନରେ ଆସିଥିବା ଖୁସି ଆଉ ଅବସାଦକୁ ଶବ୍ଦରେ ଚିତ୍ରିତ କରି କୁହେ ନାନା କଥା । ଯେପରି ଏଇ ଟିକକ ଆଗରୁ କହୁଥିଲା - "କାଲି ସୁନାମୀ ଆସିଥିଲା । ଏଇ ଦେଖୁନ, ମୋ ଆଖି କିଆରୀରେ ଏବେ ବି ଠିଆ ହୋଇଛି କେତେ ଲୁଣି ପାଣି !"


ପୁଣି କେବେ ଗ୍ରୀଷ୍ମରେ ସିଝୁଥିବା ଶ୍ରୋତା ମାନଙ୍କ ସହ ସହାନୁଭୂତି ଦେଖେଇ ମୋ ଠାରୁ ଚୋରେଇ ନେଇଥିବା ଧାଡିଟି କହି ଦିଏ, "ଏହି ଏୟାର କଣ୍ଡିଶନର ଝାଳ ସିନା ଟାଣି ନିଏ, କିନ୍ତୁ ଆଖିର ଲୁହକୁ ନୁହେଁ " । ଏମିତି ବିଭିନ୍ନ ରୂପରେ ସଜାଇ ଜକୀ ରାଧିକା ମୋର କବିତା ସବୁକୁ ପଢେ । ନିତିଦିନ ହଜାର ହଜାର ଲୋକ ରେଡ଼ିଓରୁ ତା କଥା ଶୁଣୁଥିବେ ....। ଆଉ ମୁଁ ବି ଶୁଣିବାକୁ ଭଲ ପାଏ ମୋ ନିଜ କବିତାକୁ ରେଡ଼ିଓ ଜକୀ ରାଧିକା କଣ୍ଠରୁ । ତା କବିତା ଆବୃତ୍ତି କରିବାର ଷ୍ଟାଇଲ ମୋ କବିତାକୁ ନୂଆ ଜୀବନ ଦେଇଦିଏ ଯେମିତି । ସେ ମୋ ଛୋଟ ଆକାଶର ତାରାଟିଏ ଯେପରି ।


ସକାଳେ ଦାଢ଼ି ଶେଭିଂ କରୁ କରୁ ମୁଁ ତାକୁ ମେସେଜ କରେ - ମୂଖ୍ୟତଃ ତାର ପ୍ରଶଂସା କରି । ଆଉ ସିଏ ତାର ଜବାଵ ଷ୍ଟୁଡ଼ିଓରୁ ତ୍ୱରିତ ଦେଇ ଦିଏ, ଧନ୍ୟବାଦ ଜଣାଇ । ଏମିତି ମୋ ଦୈନିକ ରୁଟିନ ଜୀବନର ସୁନ୍ଦର ପ୍ରାରମ୍ଭ ହୁଏ ।


ମତେ ଆଶ୍ଚର୍ଯ୍ୟ ଲାଗେ, ରାଧିକା ମତେ ନ ପଚାରି ମୋ ଲେଖା ସବୁ କିପରି ପଢେ ବୋଲି। ରେଡ଼ିଓରେ କାମ କରି ବି କପିରାଇଟ ବିଷୟରେ ଏତେ ଗମ୍ଭୀରତା ସହ ବିଚାର କରେନି ସିଏ । କେଇ ଦିନର ପରିଚୟ ଭିତରେ ବୋଧେ ମୁଁ ତାକୁ ସେ ଅଧିକାର ଦେଇ ସାରିଥିଲି, ମୋ ଲେଖାକୁ ପୂର୍ଣ୍ଣ ସ୍ୱାଧୀନତା ସହ ପଢିବା ପାଇଁ । ଜଣେ ଶ୍ରୋତା କେବେ ଥରେ ତାକୁ ପଚାରିଥିଲେ "କେଉଁଠୁଁ ଏଡ଼େ ସୁନ୍ଦର କବିତା ଆଣୁଛନ୍ତି ?" ରାଧିକା ହସି କହିଥିଲା, " ଏଥିପାଇଁ ମତେ ବେଶୀ ଦୂର ଯିବାକୁ ପଡୁନି । କବିତାର ଖଣି ଏବେ ମୋ ହାତ ପାହାନ୍ତାରେ " । 

 ମୁଁ ଧରି ନିଏ, ରାଧିକା ଇଙ୍ଗିତ ଇଙ୍ଗିତରେ ମୋ ନାଁ ହିଁ ଧରୁଛି । ହସେ ବହୁତ ମନେ ମନେ। 


ଥରେ ମୁଁ ପଚାରି ବସିଲି, 

 - "ତୁମ କାମ ବହୁତ ସମ୍ବେଦନଶୀଳ, ରାଧିକା !"


 - "ହଁ, ସତରେ ।"


 - " ମତେ ଲାଗେ, ତୁମେ ଷ୍ଟୁଡିଓରେ ନୁହେଁତ ପ୍ଲେନର ପାଇଲଟ ସିଟରେ ବସିଛ ଯେମିତି । ଟିକେ ମିଷ୍ଟେକ ହେଲେ ସବୁ ଆଡେ ହଙ୍ଗାମା ହୋଇ ଯିବ । ମୁଁ ଠିକ କହୁଛି ତ ?"


 - "ନା, ଆପଣ ଯେମିତି ଭାବୁଛନ୍ତି, ସେମିତି କିଛି ନୁହେଁ । ସବୁ କିଛି ମ୍ୟାନେଜ କରିହୁଏ ।" 


ମୋର ମନେ ଅଛି, ଯେଉଁଦିନ ଫଣି ବାତ୍ୟା ଆସିଥିଲା, ସେଦିନ ରାଧିକାକୁ ବହୁତ ଜ୍ୱର ହୋଇଥିଲା। ସେ ଷ୍ଟୁଡିଓ ଛାଡି ଯାଇ ପାରୁ ନ ଥିଲା ଘରକୁ । ସାରା ଓଡ଼ିଶା ବାତ୍ୟାର ଖବର ନେଲା ବେଳେ, ମୁଁ ପ୍ରତି ଅଧ ଘଣ୍ଟାରେ ତା ଦେହର ଖବର ନେଉଥିଲି । ସେଦିନ ମୋର ଫେସବୁକ ଟାଇମ ଲାଇନ ଖେଳାଇ ସେ ମୋ ପୁରୁଣା କବିତା "ତୋଫାନ"କୁ ପଢ଼ିଥିଲା । ଉଦଣ୍ଡ ପ୍ରକୃତି ତତ୍ତ୍ୱ ସହ ନିଜର ସତ୍ତାକୁ ଏକାକାର କରି ଦେଇ ସେଦିନ ସେ ନିଜର ଭାବନାକୁ ରଖି ଥିଲା । ସେଦିନ ଯଦି କିଏ ଦେଖି ଥାନ୍ତା ଗୋଟିଏ ରେଡ଼ିଓ ଜକୀର ଆତ୍ମାକୁ ! "ନ୍ୟୁଜ଼ ଅନ ଏୟର୍"ର ଆର୍କିଭସ ସଂଗ୍ରହରେ ରେ ସେ ପ୍ରୋଗ୍ରାମ ଏବେ ବି ଗଚ୍ଛିତ ଅଛି ।


ଋତୁ ଗୁଡିକର ଛବି ନିଖୁଣ ଭାବରେ ଆଙ୍କେ ରାଧିକା । "ବସନ୍ତ ଋତୁରେ ଜଳ, ସ୍ଥଳ, ଆକାଶ ସବୁଆଡେ କେମିତି ପ୍ରକୃତିର ରଙ୍ଗ ଛାଇ ଯାଏ । ପାଣି ପବନ ସୁରଭିତ ହୋଇ ଯାଏ । ମନ୍ତ୍ରିତ ହୋଇଯାଏ ବାସନ୍ତୀ ଉଷା ଆଉ ମନ୍ତ୍ରିତ ହୋଇଯାଏ ଜହ୍ନ ରାତି । ଅଙ୍ଗ ଅଙ୍ଗରେ ମାଦକତା ଭରି ଯାଏ ।" ରେଡ଼ିଓ ଜକୀ ରାଧିକା ଋତୁ ରାଜ ବସନ୍ତକୁ ଆଣି ଶ୍ରୋତାଙ୍କ ଆଗରେ ଜୀବନ୍ତ ରଖିଦିଏ ଏଇ କେତେକ ପଦରେ। ସେମିତି ସବୁ ଋତୁ ଆଉ ସବୁ ସ୍ଥିତିର ଚିତ୍ର ଆଙ୍କି ରଖି ଦିଏ ଅଦ୍ଭୁତ ଧାରାପ୍ରବାହ ସହ - ଯେମିତି ଛଳ ଛଳ କଥା କହୁଥିବା ନଦୀଟିଏ ସେ। 


ପ୍ରୋଗ୍ରାମ ପ୍ରସ୍ତୁତ କଲାବେଳେ ମଝିରେ ମଝିରେ ସୁନ୍ଦର ଗୀତ ବି ଗାଇ ପାରେ ସେ । ଏଇ ଗୀତ ତ ତାର ପ୍ରଥମ ଅଭିରୁଚି । ସଙ୍ଗୀତରେ ଥିବା ନୈପୁଣ୍ୟ ବଳରେ ତ ତାର ଚୟନ ହୋଇଥିଲା ସରକାରୀ ଏଫ.ଏମ. ଚ୍ୟାନେଲ ରେ ଜକୀ ପଦରେ ।


ଅନେକ ଭାବନ୍ତି ଏଣୁତେଣୁ ଅର୍ଥହୀନ ଗପି ଚାଲିବା ହିଁ ଗୋଟିଏ ରେଡ଼ିଓ ଜକୀର କାମ । କିନ୍ତୁ ସେହି ଅନବରତ ଗପିବା ଭିତରେ କେତେ କଅଣ କହିଯାଏ ରାଧିକା - ଦେଶ ଦୁନିଆଁ ବିଷୟରେ, ନିଜ ସହର ବିଷୟରେ, ସହରର ଲୋକଙ୍କ ବିଷୟରେ,  । ମଝିରେ ମଝିରେ ସହରର ଟ୍ରାଫିକ ବିଷୟରେ କହେ ତ କେବେ ପୁଣି ସହରର ପ୍ରଦୂଷଣ ବିଷୟରେ ସଦ୍ୟ ତଥ୍ୟ ପରସି ଦିଏ । ପୁଣି 

କେଉଁ ଚିତ୍ର ତାରକାଙ୍କ ଜନ୍ମଦିନ ଲାଗି ଶୁଭେଚ୍ଛା ଆଉ ଅଭିନନ୍ଦନ ବାର୍ତ୍ତା ଆମନ୍ତ୍ରଣ କରେ ଶ୍ରୋତା ମାନଙ୍କ ଠାରୁ ।


ରାଧିକାର ବଡ଼ ଚାକିରୀ ଲାଗିଛି । ସେ ଆଉ ରେଡ଼ିଓ ଜକୀ ହେବ ନାହିଁ । ଏହାର ପରିଣତି ବହୁତ କିଛି ହୋଇ ପାରେ ଅନ୍ୟ ମାନଙ୍କ ପାଇଁ। କିନ୍ତୁ ମୋ ପାଇଁ ନିତି ଦିନ ସକାଳେ ଗୋଟିଏ ଶୂନ୍ୟସ୍ଥାନ ତିଆରି ହେବ । ଆକାଶର ଇଥରରୁ ଭାସି ଆସିବ ନାହିଁ ମୋ କବିତା - ଆଉ କାହାର ସୁମଧୁର କଣ୍ଠରେ । 


ତାର ଏହି ସଫଳତା ବେଳେ ନିରବରେ ଲୁହ ଗଡାଇବା ଠିକ ହେବନି । ମୁଁ ବଡ଼ ଓଜନିଆ ମନ ନେଇ ସଂକ୍ଷିପ୍ତ ବାର୍ତ୍ତା ଟିଏ ପଠାଇଲି:


 "ଅଭିନନ୍ଦନ"


ତାର ପ୍ରତ୍ୟୁତ୍ତରରେ ସେ ଲେଖିଲା, " ଧନ୍ୟବାଦ, ଅସୀମ ! ଅନୁରୋଧ ରହିଲା, ମୋର ରେଡ଼ିଓ ଜକୀ କ୍ୟାରିୟରର ବାକିଥିବା ଅନ୍ତିମ ଦୁଇଦିନର ସବୁ ପ୍ରୋଗ୍ରାମ ଶୁଣିବ । ହୁଏ ତ ଏ ଜୀବନରେ ଏହି ଭୂମିକାରେ ଆଉ ମୁଁ କେବେ ଅବତୀର୍ଣ୍ଣ ହେବିନି ।" 


ତାର ଏହି କେହି ପଦ କଥା ବହୁତ କଷ୍ଟ ଦେଉଥିଲା ମତେ । ନିଜକୁ ସମ୍ଭାଳି ପଚାରିଲି,

"ତୁମ ନୂଆ ଜବ୍ ବିଷୟରେ ଜାଣି ପାରେ କି ?"


 " ମୋ ପରିବାର ଚାହୁଁଥିଲା ମୋ ଯୋଗ୍ୟତା ହିସାବରେ ମୁଁ ବଡ଼ ଚାକିରୀ କରେ ବୋଲି ।"


 - "ରେଡ଼ିଓ ଜକୀ ଭଲ ଚାକିରୀ ନୁହେଁ ?"


 - "ସେମିତି କିଛି ନୁହେଁ । "


 - "ତା ହେଲେ ?"


 - " ଛାଡ଼ ସେ ସବୁ କଥା । ମୁଁ ଗୋଟିଏ ସୁପରଭାଇଜରି ପୋଷ୍ଟରେ ଚାଲି ଯାଉଛି, ଗୋଟିଏ ରିୟଲ ଇଷ୍ଟେଟ କମ୍ପାନୀରେ । ତିନି ଗୁଣ ଦରମା । ନିଜ କୁଶଳତା ପ୍ରମାଣ କରି ପାରିଲେ ଅତିରିକ୍ତ ଇନସେଣ୍ଟିବ ।"


"ଅଧିକ ଦରମା, ଅତିରିକ୍ତ ଇନସେଣ୍ଟିବ .." ଏସବୁ ଶୁଣି ବିଷେଇ ଯାଉଥିଲା ମୋ ମନ ।

ଏବେ ଯେପରି ରାଧିକା ତା ନିଜ ଭାଷାରେ କଥା କହୁ ନ ଥିଲା । ଦୁନିଆଁ ଯେଉଁ ଭାଷା ଶୁଣିବାକୁ ଚାହୁଁଥିଲା, ସେ ସେହି ଭାଷାରେ ବୁଝାଇବାକୁ ଚାହୁଁଥିଲା ଯାହା । ମୋ ଜାଣିବାରେ ସଙ୍ଗୀତ ତାର ପ୍ରାଣ ଥିଲା । 


ମୁଁ ରାଧିକାର ଭବିଷ୍ୟତ ଜୀବନର ରୂପରେଖ କଅଣ ହେବ ଭାବି ଚିନ୍ତିତ ହୋଇ ପଡ଼ିଥିଲି । ଜାଣିଥିଲି, ଅଲଗା ଅଲଗା ଋତୁର ରଙ୍ଗରେ ନିଜେ ଋତୁଟିଏ ସାଜି ରାଧିକା ଆଗ ପରି ଭରି ଦେବନି ମୋ ପରି ଶ୍ରୋତାଙ୍କର ସମୟ । ମୋ ସକାଳର ଶେଭିଂ ଆଉ କେଉଁ ଫିମେଲ ରେଡ଼ିଓ ଜକୀର ଶବ୍ଦର ମୋହରେ ମନ୍ତ୍ର ମୁଗ୍ଧ ହୋଇ ବାନ୍ଧି ହୋଇ ରହି ଯିବନି କେତେ ମିନିଟ ।


ହେ ଭଗବାନ ! କାର୍ଯ୍ୟବ୍ୟସ୍ତ ଜୀବନର ଖରା ଦାଉରୁ ନିଜକୁ ବଞ୍ଚାଇବାକୁ ମୁଁ ଯେଉଁ ଶୀତଳତାର ଶରଣ ନେଇଥିଲି, ରାଧିକା ଏବେ ଧାଇଁଛି ସେହି ଖରା ଆଡେ । ଜାଣିଛି, ତା ପରି ସରଳତାର ମୂର୍ତ୍ତିକୁ ଏବେ କୃତ୍ରିମତାର ମୁଖା ପିନ୍ଧିବାକୁ ପଡିବ । ସେ ଏଥର ଟାଇମ ମ୍ୟାନେଜମେଣ୍ଟ ଶିଖିବ । ବ୍ୟବସାୟିକ ଲକ୍ଷ୍ୟ ପୂରଣ ନ କରି ପାରିଥିବା ନିଜ ଅଧସ୍ତନ କର୍ମଚାରୀଙ୍କୁ କଟୂ ଭାଷାରେ ଗାଳି ଦେବାର ଅଭ୍ୟାସ କରିବ ବି । 


ସେଦିନ ମୁଁ ଦିନ ସାରା ରାଧିକାରର ପ୍ରୋଗ୍ରାମ ସବୁ ଶୁଣିଲି । ହ୍ଵାଟ୍ସଆପ ମାଧ୍ୟମରେ କୌଣସି ମେସେଜର ବିନିମୟ ହୋଇ ନ ଥିଲା ଆମ ଦୁହିଁଙ୍କ ଭିତରେ । ମତେ ସତରେ ଭଲ ଲାଗୁ ନ ଥିଲା କିଛି ।


ସଞ୍ଜବେଳେ ତାର ବିଦାୟୀ ଭଏସ୍ ରେଡ଼ିଓରେ ଭାସି ଆସିଲା,

"ହେଲୋ ଫ୍ରେଣ୍ଡ ! ମନ ଏତେ ଉଣା କାହିଁ କରୁଛ ? ତମେ ଜାଣିଲେ ଖୁସି ହେବ ଯେ, ମୋ ପରେ ଯେଉଁ ରେଡ଼ିଓ ଜକୀ ଆସିବେ, ସେ ମୋଠୁଁ ବି ଆହୁରି ହୋନହାର ଅଟନ୍ତି, ତାଙ୍କ କଣ୍ଠ ବାସ୍ତବରେ ଲାଜବାଵ ଆଉ ମୋଠୁଁ ଆହୁରି ସୁମଧୁର ଗୀତ ଗାଇ ପାରନ୍ତି ସିଏ। ମୋ ସହିତ ବିତାଇଥିବା ସମୟ ଗୁଡିକ ପାଇଁ ଏହି ଚ୍ୟାନେଲ ତରଫରୁ ଆଉ ମୋ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ! ପୁଣି କେବେ ଜୀବନର କେଉଁ ମୋଡ଼ରେ ଭେଟ ହେବ, ଏହି ବିଶ୍ଵାସ ସହ ରହୁଛି ।"


ଜାଣି ପାରୁ ନ ଥିଲି ଏହି ସନ୍ଦେଶ ମୋ ପାଇଁ ଥିଲା ନା ସମସ୍ତଙ୍କ ପାଇଁ । ଏହା ରାଧିକାର ଶେଷ ପ୍ରୋଗ୍ରାମ ଥିଲା । ହୁଏ ତ ମୋ ପରି ହଜାର ଶ୍ରୋତା ତା କଣ୍ଠରେ ମନ୍ତ୍ର ମୁଗ୍ଧ ହୋଇଥିବେ । ଆଉ ମୋ ପରି ବ୍ୟଥିତ ହେଉଥିବେ ବି। କିନ୍ତୁ ବହୁ ସମୟରେ ଲାଗେ, ରାଧିକାକୁ ଯେମିତି ମୁଁ ଏକୁଟିଆ ଖୋଜି ପାଇଥିଲି , ଆଉ ଆଜିର ଶେଷ ସନ୍ଦେଶ କେବଳ ମୋ ପାଇଁ ଥିଲା । ଆଗାମୀ ଦିନ ଗୁଡିକ ପାଇଁ ସକାରାତ୍ମକ ସନ୍ଦେଶ ଦେଇ ନୂଆ ଜକୀର ଗୁଣ ଗାନ କରୁଥିଲା ରାଧିକା - ନିଜକୁ ପୃଷ୍ଠଭୂମିକୁ ଜାଣିଶୁଣି ଠେଲି ଦେଇ । ଅଗଣିତ ଜନତା ମନରେ ହର୍ଷ ସଂଚାର କରିବା ପାଇଁ ଗୋଟିଏ ଆଦର୍ଶ ରେଡ଼ିଓ ଜକୀର ଏହି ତ ଗୁଣ ! 


ମୁଁ ଗୋଟିଏ ଭାବନାରେ ଛନ୍ଦି ହୋଇଥିଲି । ମଣିଷ ଆକାଶର ପୁଳାଏ ଜାଗା ଖୋଜିଲା ବେଳେ ତାରା ଟିଏ ସହିତ ହଠାତ୍ ଭେଟ ହୋଇଥାଏ ... ନା, ତାରା ଟିଏ ଖୋଜି ଖୋଜି ଆକାଶର ସେହି ପୁଳାକରେ ପହଞ୍ଚି ଥାଏ, ଭାଗ୍ୟରେ ଥିବା ମଣିଷଟିଏର ଦୃଷ୍ଟିପଥରେ ଆସିବାକୁ? ନା, ଦୁଇଟି ଯାକ କଥା ସତ ?


          


Rate this content
Log in

Similar oriya story from Romance