ସମାପିକାର ସମର୍ପଣ
ସମାପିକାର ସମର୍ପଣ


ତ୍ୟାଗ ଓ ସମର୍ପଣର ଅନ୍ୟନାମ ନାରୀ ବୋଲି କୁହାଯାଏ । ସେ ନାରୀ ଜାୟା ଭଗିନୀ ଜନନୀ ଯିଏ ହେଉନା କାହିଁକି । ହେଲେ ସର୍ବସ୍ବ ତ୍ୟାଗ କରିଥିବା ନାରୀ ଟି ର ଦୁଃଖ କିଏ ବୁଝିବ ? ଫୁଲ ଠାରୁ ତ କଣ୍ଟା ବେଶୀ ଥାଏ ଗଛରେ । ହସଠାରୁ ଲୁହ ବେଶୀ ଥାଏ ମନରେ । ପ୍ରାପ୍ତି ଠାରୁ ତ୍ୟାଗ ବେଶୀ ଥାଏ ଆଶାରେ । ଈଶ୍ୱରୀୟ ପ୍ରେମ ସିନା ହୃଦୟ ବିଶ୍ୱାସୀ କିନ୍ତୁ ମନ କ'ଣ ଏତେ ଶୀଘ୍ର ସବୁ ଗ୍ରହଣ କରିପାରେ ? ତ୍ୟାଗ,ସମର୍ପଣ ପ୍ରେମରେ ଓ ପ୍ରେରଣାରେ ସଫଳତା ଆଣିଥାଏ,ସ୍ଵର୍ଗଠାରୁ ସୁନ୍ଦର ଏ ଆମ ମନ୍ଦିର ସମାନ ଘର, ସେ ଘର ଦିନେ ଆମର ତ୍ଯାଗ ଦ୍ଵାରା ସୁନ୍ଦର ହୋଇଯାଏ।
ତ୍ୟାଗ ବା ସମର୍ପଣ ଶବ୍ଦ ଭିନ୍ନ ଭିନ୍ନ ଶବ୍ଦମାନଙ୍କ ପରେ ବ୍ୟବହୃତ ହୋଇ ଅର୍ଥ ପ୍ରକାଶ କରେ ଯଥା—ଆତ୍ମତ୍ୟାଗ, ସ୍ୱାର୍ଥ୍ୟତ୍ୟାଗ, ସଂସାରତ୍ୟାଗ, ବିଷୟତ୍ୟାଗ, ସର୍ବସ୍ୱ ତ୍ୟାଗ, ଦେହତ୍ୟାଗ, ରାଜ୍ୟତ୍ୟାଗ, ସଙ୍ଗ ତ୍ୟାଗ, କ୍ରୋଧ ତ୍ୟାଗ, ସ୍ତ୍ରୀ ତ୍ୟାଗ, ଅଭ୍ୟାସ ତ୍ୟାଗ, ଅସତ୍ୟ ତ୍ୟାଗ ଇତ୍ୟାଦି । ସେହିପରି ଆସକ୍ତି ଓ ଫଳ ପ୍ରାପ୍ତିର ମୋହ ତ୍ୟାଗ କରାଯାଇ, କରାଯାଉଥିବା ଶାସ୍ତ୍ରବିହିତ କର୍ମକୁ ‘ସାତ୍ୱିକ ତ୍ୟାଗ’ କୁହାଯାଏ। ଭଗବାନ କହିଛନ୍ତି ।
“ନଦ୍ୱେଷ୍ଟ୍ୟ କୁଶଳଂ କର୍ମଂ କୁଶଳେ ନାନୁଷଜ୍ଜତେ ।
ତ୍ୟାଗୀ ସତ୍ୱସମାବିଷ୍ଟୋ ମେଧାବୀ ଛିନ୍ନସଂଶୟଃ । ।”
ଅର୍ଥାତ୍ ଯେଉଁ ମନୁଷ୍ୟ କୁଶଳ କର୍ମରେ ଆସକ୍ତି ହୁଅନ୍ତି ନାହିଁ କି ଅକୁଶଳ କର୍ମରେ ଦ୍ୱେଷ କରନ୍ତି ନାହିଁ ସେମାନଙ୍କୁ ଶୁଦ୍ଧସତ୍ୱଗୁଣଯୁକ୍ତ, ସଂଶୟରହିତ ଓ ବୁଦ୍ଧିମାନ୍ ପୁରୁଷ ବା ବୁଦ୍ଧିମତୀ ସ୍ତ୍ରୀ ଭାବେ ବିବେଚନା କରାଯାଏ ଏବଂ ସେମାନେ ହିଁ ପ୍ରକୃତ ‘ତ୍ୟାଗୀ’ ଏବଂ ସମର୍ପିତା ।
ଡାଇନିଂ ଟେବୁଲ ଉପରେ ଜଳଖିଆ ଦେଉଥିଲେ ଅନନ୍ୟା । ଜଳଖିଆ ଖାଇବାରେ ବ୍ୟସ୍ତ ଥିଲେ ସ୍ବାମୀ ଚନ୍ଦନ । ବିଭାଘରର ଏହା ଭିତରେ ଛଅ ବର୍ଷ ବିତି ଗଲାଣି । ନୂତନ ଅତିଥିଙ୍କର ଆଗମନ ହୋଇ ନାହିଁ ଅନନ୍ୟା ଏବଂ ଚନ୍ଦନଙ୍କ ସଂସାରରେ । ଅନନ୍ୟାର ସେଥିପାଇଁ ସର୍ବଦା ମନଦୁଃଖ । ଖୁବ୍ ଭଲ ସଂମ୍ପର୍କ ଦୁହିଁଙ୍କ ମଧ୍ୟରେ କିନ୍ତୁ.... । କିଛି ସନ୍ଦେହର ବଳୟରେ ଥାନ୍ତି ଚନ୍ଦନ । ହଠାତ୍ ଚନ୍ଦନଙ୍କର ମୋବାଇଲ ଟା ବାଜି ଉଠିଲା ମେସେଜ୍ ଶଦ୍ଦରେ । ଥରେ ନୁହେଁ ଦୁଇ ତିନି ଥର । ଚନ୍ଦନ ମେସେଜ୍ ଦେଖୁଥିଲେ ଅଦୂରରେ । ମୁଖମଣ୍ଡଳରେ ମୃଦୁ ହାସ୍ୟ । ଏ ସବୁକୁ ନଜର କରୁଥିଲେ ଅନନ୍ୟା ।
କିଛି ସମୟ ପରେ ଅନନ୍ୟା ପଚାରିଲେ ? କାହାର ମେସେଜ୍ । ଅଫିସରୁ ମେସେଜ୍ ଆସିଛି । ଏତେ ସକାଳୁ କିଏ ମେସେଜ୍ ଦେଇଛି ? ପ୍ରତ୍ୟୁତର ନ ଦେଇ ଅଫିସକୁ ବାହାରିଗଲେ ଚନ୍ଦନ । ଅନନ୍ୟା ପଛରୁ କହୁଥାନ୍ତି ...... ଶୁଣ ଆଜି ଅଫିସ୍ ରୁ ଟିକେ ଜଲଦି ଆସିବ । ଫେରି ଚାହିଁଲେ ଚନ୍ଦନ ପ୍ରଶ୍ନିଳ ଦୃଷ୍ଟିରେ । ଅନନ୍ୟା କହିଲେ ! କିଛି ଗୋଟେ ନୂଆ କଥା ଅଛି । କ'ଣ ସେ ନୂଆ କଥା ! ପ୍ରଶ୍ନ କଲେ ଚନ୍ଦନ । ଆସିଲେ ଜାଣିବ.... କହିଲେ ଅନନ୍ୟା । ହଉ ହଉ କହି ଅଫିସ୍ ଅଭିମୁଖେ ଚାଲିଗଲେ ଚନ୍ଦନ । ଅନନ୍ୟା ଲାଗିପଡିଲେ ତାଙ୍କର ଗତାନୁଗତିକ କାର୍ଯ୍ୟରେ । ଅନନ୍ୟା ଭାବୁଥିଲେ ଆଜି ତାଙ୍କର ଷଷ୍ଠ ବିବାହ ବାର୍ଷିକୀ ଅଥଚ କେମିତି ଭୁଲିଗଲେ ଚନ୍ଦନ । ମନରେ ଟିକେ କଷ୍ଟ ହେଉଥାଏ ଅନନ୍ୟାଙ୍କର । ତୁମେ ଧୁମ୍ର କୁହେଲିକାର ଏକ ଛାୟା ମୁଁ ତୁମ ପଛେ ଧାଉଁଥିବା ଏକ କାୟା । ମନର କଷ୍ଟକୁ ମନରେ ରଖି ଆଗେଇ ଚାଲିଲେ ଘର କାର୍ଯ୍ୟରେ ।
ଚନ୍ଦନ ଅଫିସରେ ପହଞ୍ଚୁ ପହଞ୍ଚୁ ପ୍ରଥମେ ସମାପିକାଙ୍କ ସହ ଦେଖା ହେଇଗଲା ଅଫିସ୍ ବାରଣ୍ଡାରେ । ଏହି କିଛି ଦିନ ମଧ୍ୟରେ ସମାପିକାଙ୍କ ପଛରେ ପାଗଳ ଚନ୍ଦନ । ଦୁଇ ଜଣଙ୍କ ଭିତରେ ଗଢି ଉଠିଛି ମିଠା ମିଠା ପ୍ରେମ ସମ୍ପର୍କ । ସମ୍ପର୍କ ଅନେକ ଆଗକୁ ବଢିଯାଇଛି ଅଜାଣତରେ । ସମ୍ପର୍କ ତାହାକୁ କୁହାଯାଏ ଯେଉଁଠାରେ ଶଦ୍ଦ କମ୍ ବୁଝିବା ଅଧିକ ଥାଏ । ଆଉ ଯେଉଁଠାରେ ଝଗଡା କମ୍ ପ୍ରେମ ଅଧିକ ଥାଏ । ଆଉ ଯେଉଁଠାରେ ଆଶା କମ୍ ବିଶ୍ବାସ ଅଧିକ ଥାଏ ।
କେହି କାହାକୁ ଦଣ୍ଡେ ନ ଦେଖିଲେ ରହିପାରୁ ନାହାଁନ୍ତି । ସମାପିକା ଜାଣିଥାଏ ଚନ୍ଦନ ବିବାହିତ । କିନ୍ତୁ ରୋକି ପାରେନି ନିଜର ପ୍ରେମକୁ । ଚନ୍ଦନ ଜଣେ ଭଦ୍ର, ଅମାୟିକ, ସହିଷ୍ଣୁ ଏବଂ ଆକର୍ଷଣୀୟ ବ୍ୟକ୍ତି । କେମିତି ପାଦ ଖସାଇଲେ ସେ ବି ନିଜେ ନିଜକୁ ପଚାରନ୍ତି ଅନେକ ସମୟରେ । ଦିନ ରାତି ସଦାସର୍ବଦା ମନଟା ଘୁରିବୁଲେ ସମାପିକା ପଛରେ । ସମାପିକା ଅଫିସ୍ ର ଜଣେ ଅବିବାହିତ ସହକର୍ମୀ । ରୂପରେ ଗୁଣରେ ଅଙ୍ଗ ସୌଷ୍ଟବରେ ଅନ୍ୟ ମାନଙ୍କଠାରୁ ନିଆରା ।
ସଂନ୍ଧ୍ୟା ରେ ଅଫିସ କାମ ସାରି ଚନ୍ଦନ ଆଉ ସମାପିକା ବାହାରିଗଲେ କିଛି ସମୟ ଏକାଠି ବିତେଇବା ପାଇଁ । ଦୁହିଙ୍କ ସଂମ୍ପର୍କ ଆଉ ସୀମାବଦ୍ଧ ହୋଇ ରହି ନାହିଁ । ଚନ୍ଦନ ଭାବି ପାରେନି ଆଗ କ'ଣ ପଛ କ'ଣ। ହୋଟେଲର ନିରୋଳା ରୁମ୍ ରେ ହଜି ଗଲେ ଦୁହେଁ ପୂର୍ବପରି । ଚନ୍ଦନ କହିଲେ, ଅନନ୍ୟା ମୋତେ କହିଥିଲା ଆଜି ଘରକୁ ଜଲଦି ଆସିବାକୁ । କଣ ଗୋଟେ ନୂଆ କଥା ଅଛି । ବ୍ୟସ୍ତ ହୋଇଗଲା ସମାପିକା । ଯାଆନ୍ତୁ ଶୀଘ୍ର ତାହାହେଲେ ଘରକୁ । ପୁଣି କାଲି ଦେଖାସାକ୍ଷାତ ହେବ ।
ଚନ୍ଦନ ଘରେ ପହଞ୍ଚିଲା ବେଳକୁ ରାତି ଦଶଟା । ଅନନ୍ୟା ଘରକୁ ଅତି ସୁନ୍ଦର ଭାବରେ ସଜାଇ ନିଜକୁ ବି ପ୍ରସ୍ତୁତ କରି ଚାହିଁ ରହିଛି । କେକ୍ ଏବଂ ଘରକୁ ସାଜ୍ଜସଜ୍ଜା କରି ଅପେକ୍ଷା କରି କରି ଟେବୁଲ ଉପରେ ଘୁମେଇ ଗଲେଣି । ହଠାତ୍ କଲିଂ ବେଲ ଶବ୍ଦରେ ଚମକି ପଡିଲା ଅନନ୍ୟା । ଦୌଡି ଯାଇ କବାଟ ଖୋଲି କହିଲେ ! ଆଜି କ'ଣ ଏତେ ଡେରି କଲ ? ଚନ୍ଦନ ଅନନ୍ୟାକୁ ପଚାରିଲେ ? ଆଜି କ'ଣ ତୁମର ଜନ୍ମଦିନ ? ସ୍ମିତହାସ୍ୟରେ କହିଲେ ଆଜି ପରା ଆମ ମ୍ୟାରେଜ ଆନିଭର୍ସରି । ଚନ୍ଦନ ଲଜ୍ଜିତ କଣ୍ଠରେ କହିଲେ ! ମୁଁ ଦୁଃଖିତ ଅନନ୍ୟା । ମୁଁ ଭୁଲିଯାଇଥିଲି । ଦୁହେଁ ମିଶି କେକ୍ କାଟିଲେ । ଆଜି ମୁଁ ଭାରି କ୍ଲାନ୍ତ ଅନନ୍ୟା । ମୁଁ ନ ଜାଣି ପାରି ଥିବାରୁ ସାଙ୍ଗ ସାଥୀଙ୍କ ସହିତ ବାହାରେ ଖାଇ ଆସିଛି । ଖୁବ୍ ଜୋରରେ ନିଦ ଲାଗୁଛି । ତୁମେ ଖାଇ ନିଅ ।
ହତବାକ ହୋଇଗଲେ ଅନନ୍ୟା । କ'ଣ ଆଉ ଖାଇବେ ଆଖିରେ ଆଖିଏ ଲୁହ । ଏ କ'ଣ ସେଇ ଚନ୍ଦନ ଯିଏ କି ତାଙ୍କ ପରିବାରର ଅନେକ ବିରୋଧ ସତ୍ବେ ତାଙ୍କୁ ବିବାହ କରିଥିଲେ । ନିଜକୁ ସମ୍ଭାଳି ପାରୁ ନଥିଲେ ଆଉ । ବହୁତ କାନ୍ଦିଲେ ଅନନ୍ୟା । କେତେବେଳୁ ଶୋଇଗଲେଣି ଚନ୍ଦନ। ଅନନ୍ୟା ଆଖିରେ ନିଦ ନାହିଁ । ଭାବି ଭାବି ପଡି ରହିଲେ ବିଛଣା ଉପରେ ନିର୍ଜିବ ପରି, ନ ଖାଇ ନ ପିଇ । ରାତି ଅଧରେ ଚନ୍ଦନଙ୍କର ମୋବାଇଲ ପୁଣି ବାଜି ଉଠିଲା । ଚନ୍ଦନଙ୍କର ନିଦ ଭାଙ୍ଗିଗଲା । ଚୁପ୍ ଚାପ୍ ଉଠିଗଲେ ମୋବାଇଲକୁ ହାତରେ ଧରି । ଯିବା ଆଗରୁ ଥରେ ଦେଖିନେଲେ ଅନନ୍ୟାକୁ । ଅନନ୍ୟାବି ଆଖି ବନ୍ଦ କରି ଶୋଇବାର ଛଳନା କରୁଥିଲା ।
ବାଲକୋନିର କଡରେ ଚାପା ଗଳାରେ କାହା ସହିତ ପ୍ରେମାଳାପରେ ହଜିଗଲେ ସେ । କିଛି ଅଛପା ରହିଲାନି ଅନନ୍ୟାକୁ। ଶୁଣିପାରିଲେ ଚନ୍ଦନଙ୍କ ମୁହଁରୁ ସମାପିକାର ନାମଟି । ପଛେ ପଛେ ଲୁଚି ସବୁ ବୁଝିପାରିଲେ ଯେ ଚନ୍ଦନ ମୋ ହାତରୁ କେତେବେଳେ ଅଜାଣତରେ ଖସି ଅନ୍ୟର ହୋଇ ଯାଇଛନ୍ତି । ନିଜକୁ ବହୁତ ଦୁଃଖିତ ଅନୁଭବ କଲେ । ଆଉ ଜାଣି ନ ଜାଣିଲା ପରି ଆସି ପୁଣି ଶୋଇପଡିଲେ ।
ରାତିର କଥାକୁ ମନରେ ରଖି ଆଗେଇ ଚାଲିଲେ । ସକାଳୁ ଖୁବ୍ ସାମାନ୍ୟ ଥିଲେ ଚନ୍ଦନ । ଖାଇବା ଟେବୁଲରେ ପଶ୍ନ କଲେ ଅନନ୍ୟା , ସମାପିକା କିଏ ? ହଠାତ୍ ପ୍ରସ୍ତୁତ ନ ଥିଲେ ଚନ୍ଦନ ଏ ପ୍ରଶ୍ନ ପାଇଁ । କହିଲେ ସମାପିକା କେଉଁ ସମାପିକା ? ? ? ସାମାନ୍ୟ ଅଭିମାନ କରି ଅନନ୍ୟା କହିଲେ ! ଚନ୍ଦନ ମୁଁ ଛୋଟ ଛୁଆ ନୁହେଁ । ତୁମର ସବୁ କଥା ଜାଣେ । କଣ ସମ୍ପର୍କ ତୁମ ଦୁହିଁଙ୍କର । ସବୁ ସ୍ପଷ୍ଟ ଭାବରେ ଖୋଲି କୁହ ମତେ । ନାଁ ସେମିତି କିଛି ନୁହେଁ ଅନନ୍ୟା । ଅଫିସରେ ମୋ ସହିତ କାମ କରେ ସମାପିକା । ଆଉ ତୁମର ତାସହ ସମ୍ପର୍କ କେବେଠାରୁ । ଚନ୍ଦନ ପୁରା ନୀରବ ହୋଇଗଲେ । ଯଦି ମତେ କିଛି କହିପାରିବନି ଶୁଣ ତାହେଲେ, ଆଜି ତାକୁ ଘରକୁ ଡାକ । ମୋ ସହ ଦେଖା କରିବାକୁ.....ଆଉ ରାତିରେ ଆମ ସହିତ ସେ ଖାଇବାକୁ । ମୁଁ ତା ସହ କଥା ହେବାକୁ ଚାହେଁ । ଚନ୍ଦନ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ ଅନନ୍ୟାକୁ ।
କ'ଣ କଲେ ଭଲ ହେବ କ' ଣ କଲେ ଖରାପ ହେବ ଚିନ୍ତାରେ ଥାଆନ୍ତି ଚନ୍ଦନ । ମନ ସଦାସର୍ବଦା ବିଚଳିତ । ଚନ୍ଦନର ବୁଦ୍ଧି ହଜିଯାଇଥିଲା । ଅଫିସରେ କାମବି ଠିକ୍ ରେ କରି ପାରୁ ନଥିଲା । ସୁବିଧା ଦେଖି ସମାପିକାକୁ କହିଲା ସବୁକଥା । ଖୁବ୍ ଡରିଗଲା ସମାପିକା । କଣ ମତେ ଘରକୁ ଡାକିଛନ୍ତି, ରାତ୍ରି ଭୋଜନ ପାଇଁ । ଖାଇବାରେ ଅନ୍ୟ କିଛି ଦେଇ ଦେବେନି ତ ? କଣ ସେ ମୋ ସହିତ ଝଗଡା କରିବେ । ଏପରି ଅନେକ ଭାବନା ଅନେକ ସନ୍ଦେହ ଅନେକ ଦ୍ବନ୍ଦ, ଦୁଶ୍ଚିନ୍ତା ମନରେ ଆସୁଥିଲା ବାରମ୍ବାର ସମାପିକାର ।
ସଂନ୍ଧ୍ୟାରେ ଅଫିସ୍ କାମ ସାରି ଦୁହେଁ ଏକାଠି ହୋଇ ଚନ୍ଦନଙ୍କ ଗାଡିରେ ପହଞ୍ଚିଲେ ଅନନ୍ୟା ପାଖରେ । ଖୁବ୍ ସୁନ୍ଦର ଭାବରେ ସ୍ବାଗତ କଲେ ଅନନ୍ୟା । ମନକୁ ହୃଦୟକୁ ଛୁଇଁଗଲା ପରି ସମାପିକାର ରୂପ ଲାବଣ୍ୟ । ଭିତରେ ଭିତରେ ଦୁଃଖରେ ମନଟା କୋରି ହୋଇଯାଉଥାଏ ଅନନ୍ୟାର। କୋଉ ସ୍ତ୍ରୀ ସ୍ବାମୀର ପ୍ରେମିକାକୁ ଦେଖି ଖୁସି ହେବ ଯେ
ନିଜକୁ ସମ୍ଭାଳି ନେଲା ଅନନ୍ୟା । ତଥାପି ଛାତିଟା ଫାଟିଗଲା ପରି ଲାଗୁଥାଏ । ମନର କିଛି ଯନ୍ତ୍ରଣାର ଆଭାସ ବି ଜଣେଇଲାନି ସେ । ଖୁବ୍ ଆପ୍ୟାୟିତ କଲା ଚା' ଜଳଖିଆରେ । କିଛି ବାର୍ତ୍ତାଳାପ ପରେ ଚାଲିଗଲେ ରୋଷେଇ ଘରକୁ ରାତ୍ରି ଭୋଜନ ପ୍ରସ୍ତୁତ କରିବାପାଇଁ କହି । ଚନ୍ଦନକୁ କହିଗଲେ ; ଆମ ଘର ସବୁ ବୁଲେଇ ଦେଖାଇ ଦିଅ ସମାପିକାଙ୍କୁ । ଚନ୍ଦନ ବି ସ୍ତମ୍ବିଭୂତ ପ୍ରାୟ ଅନନ୍ୟାଙ୍କ କାର୍ଯ୍ୟକଳାପ ଦେଖି। ସମାପିକାଙ୍କୁ ଦେଖାଇଲେ ତାଙ୍କର ଘର ସବୁ ।
ଗୋଡ ଅଟକି ଗଲା ବେଡରୁମରେ ସମାପିକାର କଣ ଏ ତୁମ ବେଡରୁମ ? ଖୁବ୍ ସୁନ୍ଦର ହୋଇଛି ତ ! ପ୍ରେମ ଏମିତି ଏକ..... ସେ ସ୍ଥାନ କାଳ ପାତ୍ର ସମୟ କିଛି ମାନେନା । ଯେତେବେଳେ ସୁବିଧା ସୁଯୋଗ ମିଳେ ତାର ଫାଇଦା ଉଠାଇବାକୁ ଚେଷ୍ଟା କରେ । ପଛରୁ ଭିଡିଧରିଲେ ଚନ୍ଦନ ସମାପିକାକୁ ନିରୋଳା ପାଇ । ସମାପିକାରର ମିଛ ଅଭିନୟ । ଏ କଣ କରୁଛ....... ଅନନ୍ୟା ଆସିଯିବେ ଯେ....... । ନା..... ନା.... ସେ ରୋଷେଇରେ ବ୍ୟସ୍ତ । ତାଙ୍କର କଥା ନ ସରିଛି କି ନାହିଁ ଅନନ୍ୟା ପଛରେ..... । ଅନ୍ୟମନସ୍କାରେ ପଚାରିଲେ ସମାପିକା ! ତୁମକୁ ପନିର କୁରୁମା ଭଲ ଲାଗେ ତ
ଏତିକି କହୁ କହୁ ଅନନ୍ୟାଙ୍କର ନଜରରେ ଆସିଗଲେ ବାହୁବନ୍ଧନରେ ଜଡିତ ଥିବା ଚନ୍ଦନ ଓ ସମାପିକା । ଲାଜରେ ଭୟରେ ଦୂରେଇ ଗଲେ ସମାପିକା । ଗୋଟିଏ ମୁହୂର୍ତ୍ତରେ ବଦଳିଯାଏ ଜୀବନର ଚିତ୍ରପଟ । ବଦଳିଯାଏ ସମ୍ପର୍କର ଭାବ ଆଉ ବଦଳିଯାଏ ମଣିଷର ଆତ୍ମୀୟତାର ପରିଭାଷା । କିଏ ହୋଇଯାଏ ନିଜଠାରୁ ବି ଆହୁରି ନିଜର, ଆଉ କିଏ ହୋଇଯାଏ କ୍ଷଣିକରେ ସାତ ପର । କହିଲେ, ହଁ ହଁ ମୁଁ ସବୁ ପସନ୍ଦ କରେ । ହସି ଦେଇ ଚାଲିଗଲେ ଅନନ୍ୟା ନ ଜାଣିବାର ଅଭିନୟ କରି। ଖିଆପିଅା ପରେ ସମାପିକାକୁ ଡାକି ନିରୋଳା ରେ କିଛି କଥା ହେଲେ ଅନନ୍ୟା ।
ରାତ୍ରି ଭୋଜନ ସାରି ସମାପିକା ଚାଲିଗଲେ ଶୁଭ ରାତ୍ରି ଜଣାଇ କିନ୍ତୁ ଅନନ୍ୟାଙ୍କର ମନରେ ହୃଦୟରେ ଦାରୁଣ ଆଘାତ । ଚନ୍ଦନ ବାରମ୍ବାର ପଚାରୁଥିଲେ ସମାପିକାକୁ ନିରୋଳାରେ କହିଥିବା କଥା ବିଷୟରେ । ଅନନ୍ୟା କହିଲେ, ନା ସେମିତି କିଛି ନୁହେଁ ମ... । ତୁମର ଜାଣିବାର ଆବଶ୍ୟକତା ନାହିଁ ଆବଶ୍ୟକତା ହେଲେ ମୁଁ କହିବିନି.... । ରାତି ସାରା ଛଟପଟ ହୋଉଥିଲେ ଅନନ୍ୟା । ଆଉ ଭାବୁଥିଲେ ଅଭୂଲା ଅତୀତକୁ । ଆଖି ଲୁହରେ ଭିଜୁଥିଲା ତକିଆଟି ।
ପରଦିନ ସକାଳେ ଅନନ୍ୟାର ଦୁଃଖିତ ମୁଖମଣ୍ଡଳକୁ ଦେଖି ଚନ୍ଦନକୁ ଭାରି କଷ୍ଟ ହେଉଥିଲା । ଚୁପ୍ ଚାପ୍ ଜଳଖିଆ କରୁଥିଲେ ଆଉ ଲୁଚି ଲୁଚି ଅନନ୍ୟାର ଆବ ଭାବ ଲକ୍ଷ୍ୟ କରୁଥିଲେ । ତୁମ ପ୍ରଗଲ୍ଭତାରେ ମୁଁ ପାଗଳ ହୁଏ ଆଉ ତୁମ ନିରବତା ମୋତେ ଦିଏ ଭୀଷଣ କଷ୍ଟ। ହଠାତ୍ ଅନନ୍ୟାର ପାଟିରୁ ବାହାରି ପଡିଲା ! ଚନ୍ଦନ ତୁମେ ବିବାହ କର ସମାପିକାକୁ । ତୁମେ ବିବାହ କଲେ ମୋର କୌଣସି ଆପତ୍ତି ନାହିଁ । ତୁମ ଖୁସିରେ ମୁଁ ଖୁସି...... । ଏ କଣ କହୁଛ ଅନନ୍ୟା ! ! ! ହଁ ମୁଁ ସାରାରାତି ଭାବି ଭାବି ଏଇ ଶେଷ ନିଷ୍ପତ୍ତି ନେଇଛି । ଆଉ ତୁମେ କଣ କରିବ ଅନନ୍ୟା ? ଚନ୍ଦନ ପଚାରିଲେ ? ମୁଁ ଏଇଠି ରହିବି । ତୁମ ଖୁସିରେ ମୁଁ ଖୁସି । ଚନ୍ଦନ ପୁରା ନିର୍ବାଣ ନିସ୍ତବ୍ଧ । କିଛି ନ କହି ବାହାରିଗଲେ ଅଫିସକୁ ।
ବାଟରେ ଅନେକ ଚିନ୍ତା.... ଅନେକ ଭାବନା । ଏ ଜୀବନଟା ଗୋଟିଏ ଅସରା ବାଟ, ଆଉ ସେ ବାଟରେ ସୁଖ ଏମିତି ଏକ ଅଜଣା ଛାଇ । ଯାହା ସବୁ ବାଟୋଇର ଭାଗ୍ୟରେ ନ ଥାଏ । ଏ କ'ଣ ସବୁ ଘଟିବାକୁ ଯାଉଛି । ପ୍ରଥମେ ଯାଉ ଯାଉ ଅଫିସରେ ଦେଖାହେଲା ସମାପିକାକୁ । ଅନନ୍ୟା କହିଥିବା କଥା ଜଣାଇଲେ ସମାପିକାକୁ । ଆମେ ଦୁହେଁ ବିବାହ କରିବାକୁ ସମ୍ମତି ପ୍ରଦାନ କରିଅଛନ୍ତି ଅନନ୍ୟା । ଚନ୍ଦନ ବି ନିଜ ମନର ସବୁକଥା ନିରୋଳାରେ ଜଣାଇଲେ । ପୁନର୍ବାର ଏଭଳି କଥା ଶୁଣି ହତବାକ୍ ହୋଇଗଲେ ସମାପିକା ।
କହିଲେ ଚନ୍ଦନ. ! ମୋତେ ତୁମେ ଭୁଲିଯାଅ..... ଆଉ ଫେରିଯାଅ ତୁମେ ସେହି ସତୀ ସାଧ୍ଵୀ ପ୍ରେମମୟୀ ଅନନ୍ୟାଙ୍କ ପାଖକୁ । ଅନନ୍ୟାଙ୍କର ତ୍ୟାଗ, ସହିଷ୍ଣୁତା, ଧୈର୍ଯ୍ୟ ପାଖରେ ମୁଁ ଛାର... । ଅନନ୍ୟାଙ୍କ ପରି ମୁଁ ତୁମକୁ ଏତେ ଭଲ ପାଇ ପାରିବିନି । ସେ ତୁମକୁ ମୋଠାରୁ ବି ଅଧିକ ଇଚ୍ଛା କରନ୍ତି । ତୁମେ କଣ ଏତିକି ବୁଝି ପାରୁନ । ସେ ସତୀ ଅନୁସୟା । ମୁଁ ତାଙ୍କର ତୁଳନାରେ କିଛି ବି ନୁହେଁ । ଏତିକି କହି ଲୁହ ଭରା ଆଖିରେ ମୁହଁ ବୁଲାଇ ଚାଲିଗଲେ ସମାପିକା
ଭାବି ହେଉ ଥାଏ ଚନ୍ଦନ - କେହି ଆସି ସିନା ଚାଲିଯାଏ । ଏ ହୃଦୟ ରୂପକ ବେଳାଭୂମିରୁ କିନ୍ତୁ ସବୁଦିନ ପାଇଁ ରହିଯାଏ ତାର ପାଦ ଚିହ୍ନ.... । ପ୍ରେମ ନୁହେଁ ଦେହୁଦେହ ଭୋଗ । ପ୍ରେମ ଅନ୍ବେଷଣ, ପ୍ରେମ ଏକ ଆତ୍ମା ପାଇଁ ଅନ୍ୟର ବନ୍ଧନ ପ୍ରେମପୂର୍ଣ ସମର୍ପଣ । ପ୍ରେମ ହେଉଛି ସମର୍ପଣ, ପ୍ରେମ ଅବଦାନ ଆଉ ପ୍ରେମ ହିଁ ଜୀବନର ସୃଷ୍ଟି । ପ୍ରେମ ସମାଧାନ ପାଇଁ ପ୍ରେମ ସନ୍ତୁଳନ, ପ୍ରେମ ହିଁ ଦିଏ ସନ୍ତୁଷ୍ଟି II