Sanskruti Mohanty

Inspirational Romance

4.2  

Sanskruti Mohanty

Inspirational Romance

ଶ୍ୟାମଳୀ

ଶ୍ୟାମଳୀ

11 mins
24.1K


ଶ୍ୟାମଳ ରଙ୍ଗର ଗୋଟେ ସ୍ୱତନ୍ତ୍ର ଆକର୍ଷଣ ଥାଏ । ଏକଥା ସବୁବେଳେ କୁହେ ଶ୍ରୀମନ୍ତ। କିନ୍ତୁ ଶ୍ୟାମଳୀକୁ ଏକଥା ଆଦୌ ଠିକ ଲାଗେନି। ସେ କେବେବି ଅନୁଭବ କରି ପାରିନି ଏକଥାର ସତ୍ୟତାକୁ। ତାର ଏଇ ଶ୍ୟାମଳ ରଙ୍ଗ ଯୋଗୁଁ ତ ଆଜି ଯାଏ ତାର ବିବାହ ହେଇ ପାରୁନି। ତା ପରି ଜଣେ ଉଚ୍ଚ ଶିକ୍ଷିତା ଓ ଅଧ୍ୟାପିକା ଚାକିରୀ କରିଥିବା ଝିଅର ବୟସ ଆସି ତିରିଶ ଛୁଇଁଲାଣି। ତାର ଶ୍ୟାମଳ ରଙ୍ଗ ଟା ହିଁ ସବୁବେଳେ ପ୍ରତିବନ୍ଧକ ସାଜିଛି । ଜନ୍ମ ହେଲା ବେଳେ ତାର ଏଇ ଶ୍ୟାମଳ ରଙ୍ଗକୁ ଦେଖି ବାପା ତା ନାଁ ରଖିଥିଲେ ଶ୍ୟାମଳୀ। ଅପା ତାର ଚମ୍ପା ଫୁଲ ଭଳି ଗୋରା। ସେଥିପାଇଁ ଶ୍ୟାମଳୀର ବେଳେ ବେଳେ ଇର୍ଷା ହୁଏ ଅପା ଉପରେ।ସେ ମାଆକୁ ପଚାରେ ଅପା ପରି ସେ କାହିଁକି ଗୋରା ନହେଇ ଶ୍ୟାମଳ ହେଲା। ମାଆ ତାକୁ କୁହେ ଆଲୋ ବୋକି ତୁ ଏତେ ମନ ଦୁଃଖ କାଇଁ କରୁଚୁ। ଠାକୁର ସମସ୍ତଙ୍କୁ ଅଲଗା ଛାଞ୍ଚରେ ଗଢିଥାନ୍ତି। ଜଗନ୍ନାଥ ତ ପୁଣି ନିଜେ କଳା।ମା କାଳୀ ତ ପୁଣି କଳା।ଆଉ ତୁ ତ ମୋର ଶ୍ୟାମଳ ରଙ୍ଗ। କିନ୍ତୁ ତୋ ଗଢଣ ତୋ ଅପା ଠାରୁ ସୁନ୍ଦର। ମାଆର ଏଇ କଥାରେ ସେତେବେଳେ ତା ପିଲା ମନ ବୁଝି ଯାଉଥିଲା। କିନ୍ତୁ ଏବେ ସେ ଠିକ୍ ବୁଝି ପାରୁଛି ଗୋରା ଓ ଶ୍ୟାମଳ ରଙ୍ଗର ଫରକ୍। ଅପାର ପାଠ ପଢା ନସରୁଣୁ ତା ଲାଗି ବହୁତ ଭଲ ବିବାହ ପ୍ରସ୍ତାବ ଆସୁଥିଲା। ଆଉ ଶେଷରେ ତା ସୁନ୍ଦରୀ ଅପା ମାତ୍ର ଏକୋଇଶ ବର୍ଷରେ ସଫ୍ଟଓୟାର ଇଞ୍ଜିନିୟର ବର ବାହା ହେଇ ଫୁର୍ କିନା ଉଡି ଯାଇଥିଲା ସୁଦୂର ଆମେରିକା। କିନ୍ତୁ ଶ୍ୟାମଳୀ ଆଜି ଯାଏ ବାପା ମାଆଙ୍କ ମୁଣ୍ଡରେ ବୋଝ ହେଇ ରହିଛି। ସେ ଚିନ୍ତା କରୁନି ନିଜ ବାହାଘର ଲାଗି।ସେ ତ ପୁରା ମୁକ୍ତ ଜୀବନ ଯିଉଁଛି। ଭଲ ଚାକିରୀ ଭଲ ଦରମା ଆଉ କଣ ଦରକାର। କାହିଁକି ଆଶା କରିବ ଗୋଟେ ଶିକୁଳି ବନ୍ଧା ପରାଧୀନ ଜୀବନକୁ। ତଥାପି ବେଳେ ବେଳେ ହୃଦୟର କେଉଁ ନିଭୃତ କୋଣରୁ ଅତି ଗୋପନରେ ସାଥୀ ଟିଏ ପାଇବାର ଇଛା ଟି ପାଖୁଡା ମେଲାଏ। କାହା ମନ ଆକାଶରେ ଜହ୍ନ ହେଇ ଉଇଁବାର ଇଛା। କାହା ହାତ ଧରି ବାଟ ଚାଲିବାର ଇଛା। କିନ୍ତୁ ଶ୍ୟାମଳୀ ଝିଅର ଇଛା ବୋଲି କିଛି ଥାଏକି। ଘରେ ବି ତା ବାହାଘର ଛଡା ବାପା ମାଆ ଙ୍କର ଆଉ କିଛି ଚିନ୍ତା ନାହିଁ।ତାକୁ ବାହା ଦେଇ ଦେଲେ ସେମାନେ ସବୁ ଦାୟିତ୍ବରୁ ମୁକ୍ତ ହେଇଯିବେ। ସେ ଭାବେ ଗୋଟେ ଝିଅ ଲାଗି ବିବାହ କଣ ଏକମାତ୍ର ସମାଧାନ। ବିବାହ ଛଡା ଜୀବନ କଣ ପରିପୂର୍ଣ୍ଣ ହୁଏନି। ଏ ପ୍ରଶ୍ନର ଉତ୍ତର ସେ କେବେ ପାଏନି। କିଏ କୁହେ ବିବାହ ଏକ ସୁରକ୍ଷା କବଚ ତ କାହା ମତରେ ଏହା ଏକ ଶୃଙ୍ଖଳ। ତା ବାହାଘର ନେଇ ସେ ଯେତିକି ଚିନ୍ତିତ ନୁହେଁ ଘର ଲୋକେ ଓ ବନ୍ଧୁ ବାନ୍ଧବଙ୍କର ବେଶି ଚିନ୍ତା। ତାଙ୍କ ଘରକୁ କିଏ ଆସିଲେ କି ସେମାନେ କୋଉଠିକୁ ଗଲେ ସେଇ ଗୋଟିଏ ପ୍ରଶ୍ନ ଶ୍ୟାମଳୀର ବାହାଘର କେବେ ହଉଛି। ଏତେ ସବୁ କଥା ଶୁଣି ଶୁଣି ସେ ବି ପୁରା ବ୍ୟସ୍ତ ହେଇଗଲାଣି। ହେଲେ କଣ କରିବ ଯୋଉଠୁ ବି ପୁଅଘର ଦେଖିବାକୁ ଆସୁଛନ୍ତି ସମସ୍ତଙ୍କର ସେଇ ଗୋଟିଏ କଥା ସବୁ ଭଲ ଯେ ହେଲେ ଝିଅର ଟିକେ କଲର୍ କମ୍। ତାର ଅନ୍ୟ ଭଲଗୁଣ, ତା ଶିକ୍ଷାଗତ ଯୋଗ୍ୟତା କି ତା ଚାକିରୀ କାହାକୁ ଦେଖାଯାଏନି। ସବୁବେଳେ ବାଟ ଓଗାଳି ଠିଆ ହୁଏ କେବଳ ତା ଶ୍ୟାମଳ ରଙ୍ଗ। କେନ୍ଦୁକାଠ ପରି କଳା ପୁଅଙ୍କର ବି ଗୋରା ଝିଅ ଦରକାର। ନହେଲେ ତାଙ୍କ ଜେନେରେସନ କୁଆଡେ କଳା ହେଇଯିବ। କଣ ଥାଏ କେଜାଣି ଏ ଗୋରା ରଙ୍ଗରେ। ଅପା ତାକୁ ସବୁବେଳେ କହୁଛି ମୁହଁରେ ବେଶନ ହଳଦୀ ଲଗା ରଙ୍ଗ ସଫା ହେଇଯିବ। ଭିଣୋଇ ଥଟ୍ଟା କରି କହୁଛନ୍ତି ଏଠିକୁ ଆସ କିଛିଦିନ ରହିକି ଯିବ। ଆମେରିକାର ପାଣି ପବନ ତମ ଦେହରେ ବାଜିଲେ ତମେ ଗୋରା ହେଇଯିବ। ଏସବୁ ଶୁଣି ଭାରି ଖରାପ ଲାଗେ ଶ୍ୟାମଳୀକୁ। ସତେ ଯେପରି ତାର ଏଇ ରଙ୍ଗ ତା ପାଇଁ ଅଭିଶାପ ପାଲଟିଛି। କିନ୍ତୁ ଶ୍ରୀମନ୍ତକୁ ତା ରଙ୍ଗ କେମିତି ଆକର୍ଷଣୀୟ ଲାଗେ କେଜାଣି। ଶ୍ରୀମନ୍ତ ତାଠୁ ଦୁଇ ବର୍ଷ ବଡ। ଦୁହେଁ ଏକାଠି ସ୍କୁଲ ଓ କଲେଜରେ ପଢୁଥିଲେ। ସେଦିନରୁ ତାଙ୍କର ବନ୍ଧୁତା। ସେ ହିଁ ଏକମାତ୍ର ପୁଅ ଯିଏ ଶ୍ୟାମଳୀ ଜୀବନର ପ୍ରତିଟି ପୃଷ୍ଠା ସହ ପରିଚିତ। ତା ପିଲାଦିନ, କୈଶର,ଯୌବନ ସବୁ ସମୟରେ ସେ ତା ସହ ସାଥୀ ହେଇ ରହିଛି। କିନ୍ତୁ ତାଙ୍କ ସମ୍ପର୍କ କେବଳ ବନ୍ଧୁତାରେ ହିଁ ସିମୀତ ରହିଛି। ଶ୍ୟାମଳୀର ହୃଦୟରେ କିଛି ଦୁର୍ବଳତା ଥାଏ ଶ୍ରୀମନ୍ତ ପ୍ରତି। କିନ୍ତୁ ନିଜର ରଙ୍ଗ ଯୋଗୁଁ ସେ କିଛି କହି ପାରେନି। ସେ ଦେଖିବାକୁ ଭାରି ସୁନ୍ଦର ରାଜକୁମାର ଭଳି। ତେଣୁ ତା ପାଖରେ ନିଜକୁ ବହୁତ ଛୋଟ ମନେ କରେ ଶ୍ୟାମଳୀ। ଶ୍ରୀମନ୍ତ ଗଲା ବର୍ଷ ଓ.ଏ.ସ ପାଇ କୋରାପୁଟ ଜିଲ୍ଲାରେ ପୋସ୍ଟିଂ ହେଇଛି। ଘରକୁ ଆସିଲେ ତାକୁ ଆସି ଦେଖା କରେ। ଏଇତ ଆସିଥିଲା ପନ୍ଦର ଦିନ ପୂର୍ବେ। ଏମିତି କଥା ହଉ ହଉ ଶ୍ୟାମଳୀ ପଚାରିଲା ଆଉ ତମର ବାହାଘର କେବେ ହଉଛି। ଏବେତ ଝିଅ ମାନେ ତମ ପଛରେ ଲାଇନ୍ ଲଗେଇ ଥିବେ। ଅଳ୍ପ ହସି ଶ୍ରୀମନ୍ତ କହିଲା ହେଲେ ମୁଁ ଯୋଉ ଝିଅକୁ ଚାହୁଁଛି ସେ ତ ଆଜି ଯାଏ ମୋ ମନ କଥା ବୁଝିଲାନି। ଶ୍ୟାମଳୀ କହିଲା ମୋତେ କୁହ କିଏ ସେ ଝିଅ, ମୁଁ ତା ସହ କଥା ହେବି। ଶ୍ରୀମନ୍ତ କଥା ବୁଲେଇ କହିଲା ହଉ ଆମେ ଏ ବିଷୟରେ ପରେ କଥା ହବା। ତୁ ଯା ତୋର କଲେଜ ବେଳ ହେଇ ଗଲାଣି। ଆଜି କାଇଁ ତାର ଶ୍ରୀମନ୍ତ କଥା ବେଶୀ ମନେ ପଡୁଛି। ସବୁବେଳେ ତାକୁ ଶୁଭୁଛି ଶ୍ରୀମନ୍ତର ସେଇ କଥା "ଶ୍ୟାମଳ ରଙ୍ଗର ଗୋଟେ ସ୍ୱତନ୍ତ୍ର ଆକର୍ଷଣ ଥାଏ"। ଶ୍ରୀମନ୍ତ କହୁଥିବା ଝିଅ ଆଉ ସେ ନୁହେଁ ତ। ଧେତ୍ ସେ କଣ ସବୁ ଭାବୁଛି। ତାର ଓ ଶ୍ରୀମନ୍ତର ସମ୍ପର୍କ କେବଳ ବନ୍ଧୁତାର। ସେଥିରେ ପ୍ରେମର ଟିକେ ବି ଛିଟା ନାହିଁ। ହଁ ଏଇଟା ସତ ଯେ ସେ ତାକୁ ମନେ ମନେ ଚାହେଁ। କିନ୍ତୁ ସେ କେବେବି ଏକଥା ଅନୁଭବ କରିବାକୁ ଦେଇନି ଶ୍ରୀମନ୍ତକୁ। ତା ଭଳି ଶ୍ରୀମନ୍ତର ମନରେ ତାକୁ ନେଇ କିଛି ଭାବନା ନାହିଁତ। ଶ୍ୟାମଳୀର ମୁଣ୍ଡ ଗୋଳମାଳ ହେଇ ଯାଉଥିଲା। ସେ ଆଉ ଏ ବିଷୟରେ ବେଶୀ ନଭାବି ଶୋଇ ପଡିଲା। ତଥାପି କେଜାଣି କାହିଁକି ବନ୍ଦ ଆଖି ଭିତରକୁ ଧଷେଇ ପସି ଆସୁଥିଲା ଶ୍ରୀମନ୍ତର ଚେହେରା। ସେ ଯୋରରେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲା। ହଠାତ ବୋଉର ଡାକରେ ତା ନିଦ ଭାଙ୍ଗି ଗଲା। କେତେବେଳେ ଆସି ସକାଳ ଆଠଟା ବାଜିଲାଣି। ଆଖି ମଳି ମଳି ଉଠିଲା ସେ।ବୋଉ କହୁଥିଲା ଉଠିଯା ମା । ଯା ଘର ଟିକେ ସଜାଡି ଦେ। ଏତେ ଦିନ ପରେ ଶେଫାଳି ଓ ଜ୍ୱଇଁ ଆସୁଛନ୍ତି।ମୁଁ ଯାଉଛି ରୋଷେଇ ଆରମ୍ଭ କରିବି। ଆରେ ସେ ତ ଅପା ଆସିବା କଥା ପୁରା ଭୁଲି ଯାଇଛି। ତରତରରେ ବାଥରୁମକୁ ପଶିଲା ଶ୍ୟାମଳୀ। ଦିନ ବାରଟା ବେଳକୁ ଅପା, ଭାଇ ଓ ତାଙ୍କ କୁନି ପୁଅ ଡୁଡୁଲ ଆସି ପହଞ୍ଚିଲେ। ଅପା ତାର ଆହୁରି ଗୋରୀ ଓ ସୁନ୍ଦରୀ ଦିଶୁଥିଲା । ତା ପୁଅ ତ ପୁରା କାଗଜ ଭଳି ଧଳା ହେଇଥିଲା। ସେମାନଙ୍କ ଆଗରେ ନିଜର ରଙ୍ଗ ପାଇଁ ନିଜକୁ ବହୁତ ଛୋଟ ମଣୁଥିଲା ଶ୍ୟାମଳୀ। ତାକୁ ଦେଖି ଅପା କହିଲା ତୋ ରଙ୍ଗ କଣ ଆହୁରି କମି ଗଲାଣି । ନିଜର ଟିକେ ଜତ୍ନ ନେ। ପାର୍ଲର ଯାଇ ଫେସିଆଲ କର। କେତେ ପ୍ରକାର ବିୟୁଟି ପ୍ରଡକ୍ଟ ବାହାରିଲାଣି, ସେଗୁଡା ଆଣି ଲଗା। ସବୁବେଳେ ସେମିତି ମଫୁଙ୍କ ଭଳି ପଡିଛୁ।ଏସବୁ କଥା ଶୁଣି ଅପା ଉପରେ ଭାରି ରାଗ ଆସୁଥିଲା । ଅପା ଭାଇଙ୍କୁ ପ୍ରଣାମ କରି ସେ ଚାଲି ଆସୁଥିଲା,ହଠାତ ଡୁଡୁଲ ପଛରୁ ଆସି ତାକୁ ଭିଡି ଧରି କହିଲା ମାସୀ ତମେ ମୋ ସହ କଥା ହବନି କି। ତାର ଏଇ କଥା ପଦକରେ ଶ୍ୟାମଳୀର ସବୁ ରାଗ କୁଆଡେ ମିଳେଇ ଗଲା। ଡୁଡୁଲକୁ କୋଳକୁ ଟେକି ନେଇ ତା ଗୋରା ଗାଲରେ ଗୋଟେ ପପି ଦେଇ କହିଲା ଆଛା ମୋ ବାବା ତାହେଲେ ମାସୀକୁ ମନେ ରଖିଛି। ଡୁଡୁଲ କହୁଥିଲା ମାସୀ ତମେ ଆଜି ମୋତେ ଗୋଟେ ଭଲ ଗପ କହିବ, ମାମା ନା କିଛିବି ଗପ ଜାଣିନି। ସେ କହିଲା ହଉ ହେଲା ମୋ ବାବାକୁ ମୁଁ ବହୁତ ଗପ କହିବି। ତୁ ଆଗ ଚାଲ୍ ଧୋଇ ହେଇକି ଖାଇବୁ। ଅପା ତା ଲାଗି କେତେ ପ୍ରକାର କ୍ରିମ୍ ନେଇକି ଆସିଥିଲା। ଏଗୁଡା ଲଗେଇଲେ କୁଆଡେ ତା ରଙ୍ଗ ସଫା ହେଇଯିବ। ଭାରି ବିରକ୍ତ ଲାଗୁଥିଲା ତାକୁ। କିନ୍ତୁ ସେ ଅପାକୁ କିଛି କହି ପାରୁ ନଥିଲା ତା ମନ ଦୁଃଖ ହବ ବୋଲି। ଏସବୁ ଅପା ତ ତା ଭଲ ପାଇଁ ହି କରୁଛି। ସେଦିନ ସଂଧ୍ୟାବେଳକୁ ବାପାଙ୍କ ସାଙ୍ଗ ପବିତ୍ର ମଉସା ଆସି ପହଞ୍ଚିଲେ। ସେ ଶ୍ୟାମଳୀ ପାଇଁ ଗୋଟେ ବିବାହ ପ୍ରସ୍ତାବ ଆଣି ଆସିଥିଲେ। ପୁଅ ବ୍ୟାଙ୍କରେ ପି.ଓ ଅଛି। ସେମାନେ ଫଟୋ ଦେଖି ରାଜି ହେଇଛନ୍ତି। ପୁଅ ଓ ତା ମାଆ ଦେଖିବାକୁ ଆସିବେ ବୋଲି କହୁଛନ୍ତି। ଏକଥା ଶୁଣି ଘରେ ସମସ୍ତେ ଖୁସିରେ କହିଲେ, ତାଙ୍କୁ କୁହ ସେମାନେ କାଲି ଆସନ୍ତୁ। ସମସ୍ତଙ୍କ ଆଖିରେ ଗୋଟେ ସୁନେଲି ଆଶା ଚିକମିକ୍ କରୁଥିଲା। କିନ୍ତୁ ସେ ଜାଣିଥିଲା ଏ ଖୁସିର ଆୟୂଷ କେତେ। ତାକୁ ଦେଖି ସାରିଲା ପରେ ସମସ୍ତଙ୍କ ଭଳି ଏମାନେ ବି ନାସ୍ତି ବାଣୀ ଶୁଣେଇବେ। ସହଯେ ତ ଏବେ ତା ରଙ୍ଗ ଆହୁରି ଫିକା ପଡି ଗଲାଣି। ତାକୁ ଏବେ କଳାରେ ହିଁ ଗଣାଯିବ। ସାଙ୍ଗେ ସାଙ୍ଗେ ଅପା ତାକୁ ନେଇ ଯାଇଥିଲା ପାର୍ଲର।ଫେସିଆଲ, ହେୟାର ସ୍ପା, ୱାକ୍ସିଙ୍ଗ,ଆଇବ୍ରୋ ସେପ୍ ଏମିତି ବିଭିନ୍ନ ପ୍ରକାର ପରୀକ୍ଷା ଚାଲିଥିଲା ତା ଶରୀର ଉପରେ। ଅପାର ଯୁକ୍ତି ଥିଲା ଏଥର ଯେମିତି ସେ ପୁଅ ତୋର କୌଣସି ବି ଖୂଣ ବାହାର କରି ପାରିବନି।କିନ୍ତୁ ତାକୁ ଲାଗୁଥିଲା ଏସବୁ ଯେମିତି ତା ଚେହେରାକୁ ଆଦୌ ଖାପଖୁଆଉ ନଥିଲା। ବିଚରା ବଳି ମୁହଁକୁ ଯାଉଥିବା ଛେଳି ଭଳି ସେ କିଛି ପ୍ରତିବାଦ କରି ପାରୁ ନଥିଲା। ତା ପରଦିନ ଠିକ୍ ହମୟରେ ପୁଅ ଓ ତା ମାଆ ଆସି ପହଞ୍ଚିଲେ। ଶଖି କଣ୍ଢେଇ ଭଳି ସଜବାଜ ହେଇ ସେ ଗଲା ସେମାନଙ୍କ ଆଗକୁ। ପୁଅର ମାଆଙ୍କ ଆଖି ଯୋଡିକ ତନତନ କରି ଏକ୍ସରେ କରି ଚାଲିଥଲା ତା ଶରୀରକୁ। କେତେ ଗୁଡିଏ ପ୍ରଶ୍ନତ୍ତୋର ପରେ ତାର ଦେଖାଦେଖି ପର୍ବ ସରିଲା। କିନ୍ତୁ ତାକୁ ଲାଗୁଥିଲା ସେମାନେ ସନ୍ତୁଷ୍ଟ ନଥିଲା ଭଳି। ଆମେ ଫୋନରେ ଜଣେଇବୁ କହି ବିଦାୟ ନେଲେ ମାଆ ପୁଅ। ତା ପରଦିନ ପବିତ୍ର ମଉସା ବାପାଙ୍କୁ ଫୋନ କରି କହିଲେ ସେମାନଙ୍କର ଝିଅ ପସନ୍ଦ ହେଲାନି। ତାଙ୍କ ପୁଅର ଗୋରା ରଙ୍ଗ ସାଙ୍ଗକୁ ଝିଅର ରଙ୍ଗ ମ୍ୟାଚ କରିବନି। ଘରେ ସମସ୍ତଙ୍କ ମନ ଦୁଃଖ ହେଇ ଯାଇଥିଲା। ବୋଉ ତ ଠାକୁର ଘରେ ମୁଣ୍ଡ ପିଟୁଥିଲା। କହୁଥିଲା କାହିଁକି ମୋ ଝିଅକୁ ଏତେ ଲୋକହସା କରୁଛ। ସବୁ ଝିଅଙ୍କ ଭଳି ତା ମୁଣ୍ଡରେ କଣ ବାହା ମୁକୁଟ ବନ୍ଧା ହବନି। ବୋଉ ତାକୁ ଧରି କାନ୍ଦୁଥିଲା। ଶ୍ୟାମଳୀ ଯେମିତି ପଥର ପାଲଟି ଯାଇଥିଲା। ତା ଆଖିରେ ଆଜି ଲୁହ ନଥିଲା। ସେଥିରୁ ଝରୁଥିଲା ଘୃଣା ଓ ଅପମାନର ନିଆଁ ଝୁଲ। ନିଜକୁ ବୋଉଠୁ ଅଲଗା କରି ସେ ପଶିଗଲା ବାଥରୁମକୁ। ସାବୁନ, ଫେସୱାସ୍ ସବୁକୁ ମୁହଁରେ ବୋଳି ଭଲକି ରଗଡୁଥିଲା। ଘସି ଘସି ଛଡେଇବାକୁ ଚେଷ୍ଟା କରୁଥିଲା ତା ଶ୍ୟାମଳ ରଙ୍ଗକୁ। ଅପା କବାଟ ବାଡେଇ ଡାକୁଥିଲା, ବାହାରକୁ ଆ ଶ୍ୟାମଳୀ। କବାଟ ଖୋଲ୍। ଅତି ବିକଳ ହେଇ କାନ୍ଦୁଥିଲା ସେ ତା ମନ ଶାନ୍ତି ହବା ଯାଏ। ତାପରେ ଘରେ ସମସ୍ତଙ୍କୁ ଶୁଣେଇ ଥିଲା ତାର ବଜ୍ର ଶପଥ। ଆଜିଠାରୁ ତା ବାହାଘର କଥା ଘରେ ଯେମିତି କେହି ନ ଉଠାନ୍ତି। କେବେ କେହି ଯଦି ତା ଶ୍ୟାମଳ ରଙ୍ଗ ସହ ତାକୁ ନିଜର କରିବ ତାହେଲେ ସେ ସେଇଠି ହିଁ ବିବାହ କରିବ। ଆଜିଠୁ ଏ ଝିଅ ଦେଖା ନାଟକ ବନ୍ଦ। ତାର ଆଉ ଶକ୍ତି ନାହିଁ ଏତେ ଅପମାନ ସହିବାକୁ। ସେ ସାରା ଜୀବନ ଏକା ଚାଲିବାକୁ ସମର୍ଥ। ସେ କାହା ଉପରେ ବୋଝ ନୁହଁ। ଏମିତି ନହେଲେ ସେ ଘରଛାଡି ଚାଲିଯିବ। ସମସ୍ତେ ଚୁପ ହେଇ ଯାଇଥିଲେ ତାର ଏଇ କଥାରେ। ବାପା କହିଥିଲେ ଆଜିଠୁ ତୁ ଯାହା ଚାହିଁବୁ ସେଇଆ ହବ ମା। ତୋ ଖୁସିରେ ଆମ ଖୁସି। ତୁ କିନ୍ତୁ ଘର ଛାଡି ଯିବା କଥା କହନା। ବାପା ବୋଉ ଦେଖି ପାରୁଥିଲେ ତାଙ୍କ ଅଲିଅଳି ଝିଅର ହୃଦୟରେ ଜମାଟ ବାନ୍ଧିଥିବା ଦୁଃଖର ପାହାଡକୁ। ତା ପର ଦିନ ସକାଳ ତା ପାଇଁ ଗୋଟେ ନୂଆ ରଙ୍ଗ ଆଣି ଆସିଥିଲା। ସମସ୍ତେ ତାକୁ ଖୁସି କରିବାକୁ ଚେଷ୍ଟା କରୁଥିଲେ। ବୋଉ ତା ମନ ପସନ୍ଦ ଖାଇବା ଜିନିଷ ରୋଷେଇ କରୁଥିଲା। ବାପା ତା ଲାଗି ତା ପ୍ରିୟ ଗୋଲାପ ଗଛର ଚାରା ଆଣି ବଗିଚାରେ ଲଗେଇ ଥିଲେ। ଅପା ଓ ଭିଣୋଇ ତାକୁ ନେଇ ଯାଇଥିଲେ ସିନେମା ଦେଖେଇବାକୁ। ସମସ୍ତେ ମିଶି ବୁଲି ଯାଇଥିଲେ ପୁରୀ ଓ କୋଣାର୍କ। ଧୀରେ ଧୀରେ ନିଜ ମନରୁ ସବୁ ଅବସାଦକୁ ଦୂରେଇବାକୁ ଚେଷ୍ଟା କରୁଥିଲା ସେ। କିନ୍ତୁ ସେଇ ଦୁଃଖଭରା ସ୍ମୃତି ସବୁ ପ୍ରତି ମୁହୂର୍ତ୍ତରେ ତାକୁ ବିଛା ଭଳି ଦଂଶନ କରି ଚାଲିଥିଲେ। ହଠାତ୍ ଦିନେ କଲେଜରୁ ଘରକୁ ଫେରି ଦେଖେତ ଶ୍ରୀମନ୍ତ ଆସିଛି । ତାକୁ ଦେଖି କହିଲା ଆଜି କଣ ଏକ୍ସଟ୍ରା କ୍ଲାସ୍ କିଛି ଥିଲାକି, ଏତେ ଡେରି ହେଲା। ମୁହଁରେ ଧାରେ ନିଷ୍ପ୍ରଭ ହସ ଖେଳେଇ ଛୋଟ ହଁ ଟିଏ ମାରି ସେଠୁ ପଳେଇ ଆସିଲା ଶ୍ୟାମଳୀ। ଆଜି କାହିଁକି ଶ୍ରୀମନ୍ତକୁ ଦେଖି ସେ ଆଗ ଭଳି ଖୁସି ହେଇ ପାରୁନଥିଲା। ସେ ଜାଣିଥିଲା ଶ୍ରୀମନ୍ତ ତା ଘର ଲୋକଙ୍କ ଠାରୁ ସବୁ ଶୁଣି ସାରିଥିବ। ଏବେ ତାକୁ ଆସି ପଚାରିବ ଏ ବିଷୟରେ। କଣ ଉତ୍ତର ଦବ ସେ ତାକୁ। ସେ ଧୋଇ ଧାଇ ହେଇ ସିଧା ଛାତ ଉପରକୁ ଚାଲି ଆସିଲା। ଶ୍ରୀମନ୍ତ ପାଖକୁ ଯିବାର ସାହସ ତାର ନଥିଲା। ତାକୁ ଲାଗୁଥିଲା ତା ପାଖରେ ସେ ଯେମିତି ଭାଙ୍ଗି ରୁଜି ଖଣ୍ଡ ଖଣ୍ଡ ହେଇଯିବ। କିନ୍ତୁ ସେ ଚାହୁଁ ନଥିଲା ନିଜକୁ ତା ଆଗରେ ଦୂର୍ବଳ କରିଦେବା ପାଇଁ। ସଂଧ୍ୟାର ଥଣ୍ଡା ପବନରେ ତା ମନ ଟିକେ ହାଲୁକା ଲାଗୁଥିଲା। ହଠାତ୍ କାହାର ପାଦ ଶବ୍ଦରେ ପଛକୁ ବୁଲି ଚାହିଁଲା ସେ। ଶ୍ରୀମନ୍ତ ତା ପଛରେ ଠିଆ ହେଇ ତାକୁ ଚାହିଁ ଅଳ୍ପ ଅଳ୍ପ ହସୁଥିଲା। ତା ପାଖକୁ ଆସି କହିଲା, ତୋର କଣ ହେଇଛି ଶ୍ୟାମଳୀ। ମୋ ଉପରେ ରାଗିଚୁକି। ମୋ ସାଙ୍ଗେ କଥା ନହେଇ ଛାତ ଉପରକୁ ଚାଲି ଆସିଲୁ । ଶ୍ୟାମଳୀ ଆଖିରେ ଟଳମଳ ହେଉଥିଲା ଦୁଇ ବୁନ୍ଦା ଲୁହ। ନିଜକୁ ସହଜ କରି ସେ କହିଲା ନାଁ ମୁଁ କାଇଁ ତମ ଉପରେ ରାଗିବି। ଘରେ ଗରମ ଲାଗିଲାରୁ ଛାତ ଉପରକୁ ଚାଲି ଆସିଲି। ସେ କହିଲା ତୁ କେବେଠୁ ମିଛ କହିବା ଆରମ୍ଭ କଲୁଣି। ଯୋଉ ଝିଅ ମୋତେ ଦେଖୁ ଦେଖୁ ଦୁନିଆ ଯାକର କଥା ମୋ ଆଗେ ଗପି ଯାଏ, ସେ ଆଜି ମୋତେ ପଦେ ବି କହିଲାନି। ମୁଁ ଅପାଙ୍କଠୁ ସବୁ ଶୁଣି ସାରିଛି। କେତେ ଦିନ ଆଉ ଏମିତି ମନକୁ ମାରି ବସିଥିବୁ। କେତେ ଜଣ ଅବିବେକୀ ଲୋକଙ୍କ କଥାକୁ ଭାବି କେତେ ଆଉ ନିଜକୁ କଷ୍ଟ ଦେବୁ। ଯୋଉମାନଙ୍କ ପାଇଁ ଗୋଟେ ଝିଅର ଶିକ୍ଷା, ଚାକିରୀ ଓ ଭଲଗୁଣ ଅପେକ୍ଷା ଦେହର ରଙ୍ଗ ହି ସବୁକିଛି, ସେମିତିକା ଅମଣିଷ ମାନଙ୍କ କଥାକୁ ଭାବି ତୁ ଲୁହ ଗଡଉଛୁ। ତୋ ଭଳି ଦୃଢମନା ଝିଅ ଏମିତି ଭାଙ୍ଗିଯିବ ମୁଁ ଭାବି ପାରୁନି। କୋହମିଶା କଣ୍ଠରେ କହିଲା ସେ ମୁଁ ଆଉ ପାରୁନି ଶ୍ରୀମନ୍ତ। ନିଜ ରଙ୍ଗକୁ ନେଇ ଏତେ ଅପମାନ ମୁଁ ଆଉ ସହି ପାରୁନି। ଥକି ଗଲିଣି ମୁଁ। ଯୋରରେ କାନ୍ଦୁଥିଲା ସେ। ତା ପାଖକୁ ଆସି ଆଖିରୁ ଲୁହ ପୋଛିଦେଲା ଶ୍ରୀମନ୍ତ। ତାର ପ୍ରଥମ ଛୁଆଁରେ ଆମୋଦିତ ହେଇ ଉଠିଲା ଶ୍ୟାମଳୀର ତନୁ ମନ। ଲାଜରେ ଟିକେ ଦୂରକୁ ଘୁଞ୍ଚି ଗଲା ସେ। ଶ୍ରୀମନ୍ତ କହିଲା ଥାଉ ଆଉ କାନ୍ଦେନି। ଦେଖିଲୁ କାନ୍ଦି କାନ୍ଦି ସେ ହରିଣୀ ଆଖି ଦୁଇଟା କେମିତି ଫୁଲିକି ଗେଣ୍ଡା ଭଳି ଦେଖାଗଲାଣି। ସେ ରାଗିକି କହିଲା ସମସ୍ତେ ତ ମୋ ରଙ୍ଗକୁ ନେଇ ଥଟ୍ଟା କରୁଥିଲେ ତମେ ଏବେ ମୋ ଆଖିକୁ ବି ଥଟ୍ଟା କରିବା ଆରମ୍ଭ କରିଦେଲ। ଶ୍ରୀମନ୍ତ ହସି ଦେଇ କହିଲା ଆରେ ମୁଁ ଥଟ୍ଟା କରୁନି ସତ କହୁଛି ତୋ ଆଖିରେ ଗୋଟେ ନିଆରା ଭାବ ଥାଏ ଅନ୍ୟ ସବୁ ଝିଅଙ୍କ ଅପେକ୍ଷା। ଆଉ ସେଇ ସୁନ୍ଦର ଆଖିରେ ମୁଁ ଆଉ ଲୁହ ଦେଖି ପାରିବିନି। ଶ୍ୟାମଳୀ କହିଲା ଥାଉ ଥାଉ ମୋର ପ୍ରଶଂସା ସେତିକି ଥାଉ। ଆଉ ତମେ କେବେଠୁ ଝିଅ ମାନଙ୍କ ଆଖିର ଭାଷାକୁ ପଢିଲଣି ମ। ଶ୍ରୀମନ୍ତ କହିଲା ନାଇଁମ ଆଜି ଯାଏତ ଜଣକ ଆଖିକୁ ପଢି ପାରିଲିନି, ଆଉ କାହାକୁ ପଢିବି। ସେ ବି ମୋ ମନ କଥା ବୁଝି ପାରୁନି। ଦୁହେଁ ଦୁହିଁଙ୍କ ପାଇଁ ଅବୁଝା। ଶ୍ୟାମଳୀ ପଚାରିଲା ତମେ କାହା କଥା କହୁଛ। ଶ୍ରୀମନ୍ତ କହିଲା ତୁ କଣ ସତରେ ମୋ କଥା ବୁଝି ପାରୁନୁ ନା ବୁଝିକି ଅବୁଝା ହଉଛୁ। ଶ୍ୟାମଳୀ କହିଲା ଯାହା କହୁଛ ସିଧା ସିଧା କୁହ। ମୁଁ ଏମିତି ବୁଲା ବଙ୍କା କଥା ଯମା ବୁଝି ପାରୁନି। ତୁ ମୋତେ ବାହା ହବୁ ଶ୍ୟାମଳୀ। ସେ ନିଜକୁ ବିଶ୍ବାସ କରି ପାରୁନଥିଲା। ସେ ଆଉ ସ୍ୱପ୍ନ ଦେଖୁନିତ। ନିଜ ହାତକୁ ଯୋରରେ ଚିମୁଟି ଦେଲା। ନା ସତରେ ତାକୁ ପ୍ରପୋଜ୍ କରୁଛି ଶ୍ରୀମନ୍ତ। ଆମ୍ବ ବଉଳର ମହ ମହ ଵାସ୍ନାରେ ମହକୁ ଥିଲା ତା ହୃଦୟ। ରଙ୍ଗହୀନ ଜୀବନରେ ତାର ଲାଗୁଥିଲା ପ୍ରେମର ଗୋଲାପୀ ଛିଟା। ତା ଲାଗି ସମୟଟା ଯେମିତି ସ୍ତିର ହେଇ ଯାଇଥିଲା। ଦଲକାଏ ପବନରେ ଛାତ ଉପରେ ଥିବା ଜୁଇ ଗଛଟା ତାଙ୍କ ପ୍ରେମକୁ ସ୍ୱାଗତ କରି ତା ଉପରେ ଅଜାଡି ଦେଲା ଆଞ୍ଜୁଳାଏ ଜୁଇ ଫୁଲ। ଉପରେ ତାରାଭରା ଆକାଶରେ ଜହ୍ନ ବି ହସୁଥିଲା ମୁରୁକି ମୁରୁକି। ହଠାତ୍ ଶ୍ରୀମନ୍ତର ଡାକରେ ଭାବନାରୁ ଫେରି ଆସିଲା ଶ୍ୟାମଳୀ। ସେ କହିଲା କଣ ହେଲା କିଛି କହୁନୁ ଯେ। ତୁ ଏ ପ୍ରସ୍ତାବରେ ରାଜି ନୁହଁ। ଶ୍ୟାମଳୀ କହିଲା ମୁଁ କେବେ ତମ କଥାକୁ ଅମାନ୍ୟ କରିଛି। ମୋର ତ ଏତେ ବଡ ଭାଗ୍ୟ ଯେ ମୁଁ ତମ ପରି ଜଣେ ହୃଦୟବାନ ଆଉ ସୁନ୍ଦର ପୁରୁଷର ସହଧର୍ମିଣୀ ହେଇ ପାରିବି। ମୁଁ ତ ତମ ତୂଳନାରେ କିଛି ବି ନୁହେଁ। ତମେ ଚାହିଁଥିଲେ ଗୋଟେ ବହୁତ ସୁନ୍ଦର ଝିଅ ବାହା ହେଇ ପାରିଥାନ୍ତ। ତା ପାଟିରେ ହାତ ଦେଇ ଶ୍ରୀମନ୍ତ କହିଲା ଆଲୋ ବୋକି ତୁ କାହାଠୁ କୋଉ ଗୁଣରେ କମ୍ କହିଲୁ। ପ୍ରକୃତ ପ୍ରେମ ସୁନ୍ଦର ରୂପକୁ ଦେଖି କରାଯାଏନି। ସେଥିପାଇଁ ଗୋଟେ ସୁନ୍ଦର ହୃଦୟ ଲୋଡା। ମୁଁ ତ ପ୍ରଥମରୁ କହିଛି ତୋର ଏଇ ଶ୍ୟାମଳ ରଙ୍ଗରେ ଗୋଟେ ସ୍ୱତନ୍ତ୍ର ଆକର୍ଷଣ ଥାଏ। ଆଉ ସେଇ ଆକର୍ଷଣକୁ ଏଡେଇ ମୁଁ ଆଜି ଯାଏ ଆଉ କୈଣସି ଝିଅକୁ ମୋ ମନରେ ଯାଗା ଦେଇ ପାରିଲିନି। ମୁଁ ଆମ ଘରେ ଆଉ ତମ ଘରେବି ସମସ୍ତଙ୍କୁ ଏ ବିଷୟରେ କହି ସାରିଛି। ଖାଲି ତୋ ଅନୁମତି ନେବା ଲାଗି ଆସିଥିଲି। ଶ୍ୟାମଳୀ କହିଲା ତା ମାନେ ଆମ ଘରେ ସମସ୍ତେ ଏକଥା ଜାଣିଛନ୍ତି। କିନ୍ତୁ ମୋତେ କେହି କିଛି କହିନଥିଲେ। ସେ କହିଲା ମଉସା କହିଲେ ତମେ ଆଗ ଅଳିକୁ ପଚାର ସେ ଯଦି ରାଜି ହବ, ଆମର କୌଣସି ଆପତ୍ତି ନାହିଁ। ତା ଇଚ୍ଛା ବିନା ଆମେ ତା ଉପରେ କିଛି ଲଦି ଦବାକୁ ଚାହୁଁନୁ। ଶ୍ୟାମଳୀ ଆଖିରୁ ଝରି ପଡୁଥିଲା ଟୋପା ଟୋପା ଲୁହ। ଘରେ ସମସ୍ତେ ତା କଥା ସତରେ କେତେ ଭାବୁଛନ୍ତି। ତା ହାତ ଉପରେ ହାତ ରଖିଲା ବେଳେ ଲୁହ ଟୋପାଟେ ଆସି ପଡିଲା ଶ୍ରୀମନ୍ତ ହାତରେ। ସେ କହିଲା ଆରେ ପୁଣି କଣ ପାଇଁ କାନ୍ଦୁଚୁ। ଏଇଠି ଆଜି ସବୁ ଲୁହ ସାରି ଦବୁନା କଣ। କିଛିଟା ଲୁହ ଆଖିରେ ରଖ ବାହାଘର ପରେ ବିଦା ହେଇ ଗଲା ବେଳେ କାନ୍ଦିବୁ। ଶ୍ୟାମଳୀ କହିଲା ଏ ଲୁହକୁ ଆଜି ଅଟକାଅନା ଶ୍ରୀମନ୍ତ। ବହୁଦିନରୁ ଛାତିଭିତରେ ଜମାଟ ବାନ୍ଧି ଥିବା ଅକୁହା ଦୁଃଖର ଏ ଲୁହ। ତାକୁ ଆଜି ବୋହିଯିବାକୁ ଦିଅ। ସଫା ହେଇଯାଉ ମୋ ମନ। ହାଲୁକା ହେଇଯାଉ ମୋ ହୃଦୟ। ଶ୍ରୀମନ୍ତ କହିଲା କିନ୍ତୁ ମୋତେ କଥା ଦେ, କାଲିଠୁ ମୁଁ ଯେମିତି ତୋ ଆଖିରେ ଆଉ ଲୁହ ନଦେଖେ। ମୁଣ୍ଡ ହଲେଇ ସମ୍ମତି ଦେଲା ଶ୍ୟାମଳୀ। ହଉ ମୁଁ ଯାଉଚି। କାଲିକୁ ପୁଣି ଆସିବି ବାପା ମାଆଙ୍କୁ ସାଙ୍ଗରେ ନେଇ ମୁଦି ପିନ୍ଧା ପାଇଁ। ଶ୍ୟାମଳୀର ଆଖିରେ ମାଖି ହେଇଥିଲା ସ୍ୱପ୍ନର ସାତ ରଙ୍ଗ। କାଲିର ସୂର୍ଯ୍ୟ ତା ଲାଗି ଆଣିଥିଲା ଆଗାମୀ ଭବିଷ୍ୟତର ଏକ ସୁନ୍ଦର ଦିନ। ବାପା ବୋଉଙ୍କ ପାଦ ଆଉ ଖୁସିରେ ତଳେ ଲାଗୁନଥିଲା। ଶ୍ରୀମନ୍ତ ଆସିଥିଲା ତା ବାପା ମାଆଙ୍କ ସହ। ସବୁଜ ବନାରସୀ ପାଟରେ ଅଳ୍ପ ସାଜସଜାରେ ବହୁତ ସୁନ୍ଦର ଦିଶୁଥିଲା ଶ୍ୟାମଳୀ। ଆଜି ଆଉ ଅପା କହୁନଥିଲା ଏ କ୍ରିମ୍ ଲଗା କି ସେ ପାଉଡର ଲଗା। ଆଜି ତା ଶ୍ୟାମଳ ରଙ୍ଗକୁ ଲୁଚେଇ ବାର ଆଉ କୌଣଷି ଆବଶ୍ୟକତା ନଥଲା। ଶ୍ରୀମନ୍ତର ମାଆ ତା ମୁଣ୍ଡ ଆଉଁସି ଦେଇ କହିଥଲେ ଏତେ ଭଲ ଝିଅର ଲୋକ ପୁଣି ଖୁଣ ବାହାର କରୁଥିଲେ। ତା ହାତରେ ସୁନା ଚୁଡି ଦୁଇ ପଟ ପିନ୍ଧେଇ ଆଶୀର୍ବାଦ କରିଥିଲେ। ତାକୁ କଣେଇ ଚାହିଁ ଶ୍ରୀମନ୍ତ ମୁରୁକି ହସୁଥିଲା। ଅପା ତାକୁ ଚିମୁଟି ଦେଇ କହୁଥିଲା ଆଲୋ ତୋ ବରତ ମୋ ବର ଠାରୁ ବହୁତ ସୁନ୍ଦର। ପୁରା ହିରୋ ମାର୍କା ଚେହେରା। ଚୁପି ଚୁପି ହସୁଥିଲା ଶ୍ୟାମଳୀ।ଭାବୁଥିଲା ସତରେ କଣ ଶ୍ୟାମଳ ରଙ୍ଗର ଗୋଟେ ସ୍ୱତନ୍ତ୍ର ଆକର୍ଷଣ ଥାଏ।


Rate this content
Log in

Similar oriya story from Inspirational