Sanskruti Mohanty

Tragedy

2  

Sanskruti Mohanty

Tragedy

କ୍ଳାନ୍ତ ବିହଙ୍ଗ

କ୍ଳାନ୍ତ ବିହଙ୍ଗ

4 mins
7.1K


ସମୁଦ୍ର ବେଳାଭୂମିରେ ବସି ସମୁଦ୍ର ଆଡ଼କୁ ଚାହିଁ ରହିଛି ଶ୍ରୀ।ସମୁଦ୍ରର ଅସଂଖ୍ୟ ଢେଉ ସବୁ ତାର ବାଲୁକା ରାଶିରେ ମଥା ପିଟୁଛନ୍ତି।କିନ୍ତୁ ସେହି ନିଷ୍ଠୁର ବାଲୁକା ରାଶି କଣ ବୁଝି ପାରୁଛି ସେମାନଙ୍କର ଅନ୍ତରର ଅସ୍ପଷ୍ଟ ବ୍ୟଥାକୁ।ସେ କଣ ପଢ଼ି ପାରୁଛି ସେମାନଙ୍କର ଆଖିର ଭାଷାକୁ।ପୁଣି ଢେଉମାନେ ଫେରି ଯାଉଛନ୍ତି ନିଜର କୋହ ଆଉ ଯନ୍ତ୍ରଣାକୁ ସାଙ୍ଗରେ ନେଇ।ଏଇ ଢେଉ ମାନଙ୍କ ଭଳି ତ ଶ୍ରୀର ଜୀବନ।ତା ଅନ୍ତରର କୋହ ଆଉ ଯନ୍ତ୍ରଣାକୁ କଣ ବୁଝି ପାରୁଛି ଜୟନ୍ତ।ତାର କୋମଳ ମନକୁ ପ୍ରତି ମୁହୂର୍ତ୍ତରେ ଦଳି ଖିନ୍ଭିନ୍ କରି ଦେଉଛି।ଏଥିରେ ଶ୍ରୀର ବା ଦୋଷ କଣ। ସେ ତ ତାକୁ ନିଜ ଇଛାରେ ବିବାହ କରିନଥିଲା।ସେ ତା ଉପରେ ବୋଝଟିଏ ହେଇ ରହିବାକୁ ଚାହିଁନଥିଲା।ତାହେଲେ କଣ ପାଇଁ ତାର ଏ ନିଷ୍ଠୁର ପଦକ୍ଷେପ।ଏସବୁର କୌଣସି ଉତ୍ତର ଖୋଜି ପାଉନଥିଲା ଶ୍ରୀ।ତାର ଭାବନା ସବୁ ସୁତାର ଖିଅ ଭଳି ଅଡ଼ୁଆ ହେଇ ଯାଉଥିଲେ।ସେ ତଉଲୁଥିଲା ପୂର୍ବର ଆଉ ଏବେର ଜୟନ୍ତ ମଧ୍ୟରେ ଥିବା ତଫାତକୁ।ସତରେ ଜଣେ ପୁରୁଷର ମନକୁ ବୁଝିବା ବହୁତ କଷ୍ଟ।ଯେଉଁ ଜୟନ୍ତର ମନ ଦିନେ ପୂର୍ଣ୍ଣିମାର ଜହ୍ନ ଆଲୁଅ ଭଳି ପରିଷ୍କାର ଥିଲା, ତାହା ଆଜି ତାକୁ ଘନ କୁହୁଡିର ଆସ୍ତରଣ ଭଳି ଅନ୍ଧାରିଆ ଲାଗୁଛି।ଯେଉଁଦିନ ତାର ଜୟନ୍ତ ସହ ପ୍ରଥମ ଦେଖା ହେଇଥିଲା ସେ ଅତି ଆପଣାର ଲୋକଟିଏ ଭଳି ଲାଗିଥିଲା ତାକୁ।ହେଲେ ଏତେ ଶୀଘ୍ର କେମିତି ବଦଳିଗଲା ସେଇ ନିଜର ମଣିଷଟି।ସବୁ ପୁଅମାନେ ବୋଧେ ଏମିତି।ଗୋଟେ ଝିଅକୁ ପାଇବା ପୂର୍ବରୁ ସେମାନେ ଏମିତି ଅଭିନୟ କରିଥାନ୍ତି।କିନ୍ତୁ ପାଇବା ପରେ ପୁଣି ଫେରି ଆସନ୍ତି ନିଜର ପ୍ରକୃତ ଚେହେରାକୁ।କିନ୍ତୁ ସବୁ ପୁଅ ଝିଅଙ୍କ ପ୍ରେମ ଭଳି ତ ସେମାନଙ୍କ ପ୍ରେମ ନଥିଲା।ଶ୍ରୀ ଭଳି ଗୋଟେ ଝିଅ କେମିତି ସାହସ କରିଥାନ୍ତା ପ୍ରେମ କରିବାକୁ।ସମାଜର ସବୁ ନିୟମ ତାକୁ ପଙ୍ଗୁ କରିଦେଇଥିଲା।ଅନ୍ଧବିଶ୍ୱାସ ଆଉ ଧରାବନ୍ଧା ନିୟମର ଏକ ଶକ୍ତ ପାଚେରୀ ଠିଆ ହୋଇଥିଲା ତା ଆଗରେ।କାରଣ ସେ ଥିଲା ଶୁଭମ୍ ଚୌଧୁରୀର ବିଧବା ପତ୍ନୀ।ମାତ୍ର ଏସବୁ ଅନ୍ଧକାର ଆଉ ନିୟମର ପଞ୍ଜୁରୀରୁ ତାକୁ ମୁକ୍ତି ଦେଇଥିଲା ଜୟନ୍ତ।ତା ମଥାରେ ସିନ୍ଦୂର ଦେଇ ତାକୁ ପତ୍ନୀର ସୀକୃତି ଦେଇଥିଲା।ଏବେବି ମନେ ଅଛି ତାର ଯେଉଁ ଦିନ ବିବାହ ପ୍ରସ୍ତାବ ନେଇ ଜୟନ୍ତ ଆସିଥିଲା ତାଙ୍କ ଘରକୁ।ବାପାଙ୍କ ହାତକୁ ଧରି କହିଥିଲା ଆପଣ ମନା କରନ୍ତୁନି, ମୁଁ ଶ୍ରୀର କୌଣସି ଅବହେଳା କରିବିନି।ତାର ପରିଚୟ କେବଳ ସେ ମୋର ସ୍ତ୍ରୀ।ବାପା କିନ୍ତୁ ଶ୍ରୀର ବିନା ପରାମର୍ଶରେ କିଛି ନିଷ୍ପତ୍ତି ନେବାକୁ ଚାହୁଁନଥିଲେ।ପଚାରିଥିଲେ ତାର ମତାମତ।ସେ କିନ୍ତୁ ରାଜି ହେଇନଥିଲା ଏ ପ୍ରସ୍ତାବରେ।ସେ ଚାହୁଁନଥିଲା ଶୁଭମ୍ ର ସ୍ମୃତିକୁ ଭୂଲି ଆଉ କାହା ମନ ପଞ୍ଜୁରୀରେ ବାନ୍ଧି ହେବାକୁ।ବିବେକ ତାର ସ୍ୱୀକୃତି ଦେଇନଥିଲା ଏସବୁ କରିବାକୁ।ସେ ତାର ନିୟମିତ ଶିକ୍ଷୟତ୍ରୀ ଜୀବନ ଧାରାରୁ ଓହରି ପୁଣି ଥରେ ପତ୍ନୀର ଭୂମିକା ତୁଲେଇବାକୁ ଚାହୁଁନଥିଲା।କିନ୍ତୁ ଜୟନ୍ତର ସେଇ କେଇ ପଦ କଥା ତା ମନର ସବୁ ଭାବନାକୁ ଧୋଇ ଦେଇଥିଲା।ସେ କହୁଥିଲା ତମେ ମୋତେ ବିଶ୍ୱାସ କର ଶ୍ରୀ।ମୁଁ ତମକୁ ବହୁତ ଭଲପାଏ।ତମ ଛଡା ମୋ ମନରେ ମୁଁ ଆଉ କାହାକୁ ସ୍ଥାନ ଦେଇ ପାରିବିନି।ମୁଁ ତମର ଅତୀତକୁ ଜାଣିବାକୁ ଚାହୁଁନି।ମୁଁ ବର୍ତ୍ତମାନକୁ ନେଇ ବଞ୍ଚିବାକୁ ଚାହେଁ।ତମେ ମୋ କଥାରେ ହଁ ଭରିଦିଅ।ଏଇ କଥା ଗୁଡିକ ଯେପରି ଶ୍ରୀ ମନରେ ଭରି ଦେଇ ଥିଲା ନୂତନ ଭାବେ ଯିଇଁବାର ଆକାଂକ୍ଷା ଆଉ ଉଦ୍ଦୀପନା।କାହିଁକି ସେ ଟାଳି ପାରିଲାନି ଯୟନ୍ତର କଥାକୁ।ଯଦି ସେ ସେତେବେଳେ ମନା କରିଥାନ୍ତା ତାହେଲେ ଆଜି ତାକୁ ଏତେ କଷ୍ଟ ସହିବାକୁ ପଡି ନଥାନ୍ତା।ବାହାଘର ପରେ କିଛି ଦିନ ତାଙ୍କର କଟିଥିଲା ଭଲରେ।କିନ୍ତୁ ତାପରେ ତାର ଅତି ଆପଣାର ଜୟନ୍ତ ତାକୁ ଅଚିହ୍ନା ଲାଗିଲା।ଲୁହଭରା ଅତୀତକୁ ଭୁଲି ଏକ ପରିପୂର୍ଣ୍ଣ ସଂସାରର ସ୍ୱପ୍ନ ଦେଖୁଥିବା ମନଟା ଭାଙ୍ଗି ଚୁନା ହେଇ ଯାଇଥିଲା।ଯୟନ୍ତ ଧିରେ ଧିରେ ତା ସହ କଥା କହିବା କମେଇ ଦେଲା।ତାର ଚାକିରୀ ବି ଛଡେଇ ଦେଇଥିଲା।କାରଣ ସେ ଚାହୁଁନଥିଲା ଶ୍ରୀ ବାହାରକୁ ଯାଉ।ତାପରେ କୋଳକୁ ଆସିଥିଲା ଜିତ୍।କିନ୍ତୁ ଏଥିରେ ବି ଯୟନ୍ତ ଖୁସି ନଥିଲା।କୌଣସି କଥାରେ ତାର ଆଗ୍ରହ ନଥିଲା।ବେଶୀ ସମୟ ତାର କଟୁଥିଲା ବାହାରେ ସାଙ୍ଗ ସାଥୀଙ୍କ ଗହଣରେ।କିନ୍ତୁ ଶ୍ରୀ ବା ପୁଅକୁ ସେ କୌଣସି କଥାରେ ଅବହେଳା କରୁ ନଥିଲା।ହେଲେ ଶ୍ରୀ ଭାବୁଥିଲା ଜୟନ୍ତ ଯେମିତି ତାକୁ ଖାଲି ଦୟା ଦେଖାଉଛି।ସେ ଯେପରି ନିର୍ମୁଳି ଲତାଟିଏ ଭଳି ତା ପାଖରେ ଆଶ୍ରୟ ନେଇଛି।ଦୁଃଖ ଆଉ ଅପମାନରେ ତା ହୃଦୟ ମନ୍ଥି ହେଇ ଯାଉଥିଲା।ଆଖିର ଲୁହ ମାନେ ଆଉ ବୋଲ ମାନୁ ନଥିଲେ।ଏତିକି ବେଳେ ଯେମିତି ଶୁଭମ୍ ର ହାତ ଦୁଇଟି ଆସି ତା ଆଖିରୁ ଲୁହ ପୋଛି ଦେଲା।କୁଆଡ଼େ ଗଲା ତା ସହ କଟିଥିବା ସେ ଦିନ ଗୁଡିକ।ସବୁବେଳେ ସେ ତାକୁ ଚିଡଉ ଥିଲା।ପାଖରୁ ଟିକେ ବି ଛାଡୁ ନଥିଲା।ବେଳେ ବେଳେ ବିରକ୍ତ ହେଇ ଯାଉଥିଲା ଶ୍ରୀ।ଅଣନିଃଶ୍ୱାସୀ ହେଇ ଯାଉଥିଲା ଶୁଭମ୍ ର ଏତେ ଭଲ ପାଇବା ଭିତରେ।କିନ୍ତୁ ଏବେ ତାକୁ ଚିଡେଇବାକୁ କେହି ନାହିଁ।ସେ ବର୍ତ୍ତମାନ ସ୍ୱାଧୀନ।କିନ୍ତୁ ସେ କାହିଁକି ଖୁସି ହେଇ ପାରୁନି।ସେ ଭାବୁଛି ଜୟନ୍ତ ତାକୁ ଏମିତି ସ୍ନେହ କରନ୍ତାନି।ଭରପୂର ଭଲପାଇବା ଦିଅନ୍ତାନି।କିନ୍ତୁ ଏସବୁ ତ ତା ପାଇଁ ସ୍ୱପ,ମରିଚୀକା।ଯାହା କେବେବି ସତ ହବନି।ତାହେଲେ ସେ କ'ଣ ଯିଇଁଥିବ ପଞ୍ଜୁରୀରେ ବାନ୍ଧି ହେଇଥିବା ଶାରୀଟିଏ ଭଳି।ସେ ଆଉ ଘର ଛାଡି କୁଆଡେ ଚାଲି ଯିବ କି?କିନ୍ତୁ ଯିବ କୁଆଡେ।କ'ଣ ଅଛି ତା ପାଖରେ। ବଞ୍ଚିବାର ସମ୍ବଳ ବୋଲି ଥିବା ଚାକିରୀ ଖଣ୍ଡିକ ତ ସେ କେବେଠୁ ଜୟନ୍ତ ପାଖରେ ବିକି ଦେଇ ସାରିଛି।ଆଜି ଭାବୁଛି ସେ ଜୟନ୍ତର ଏସବୁ ବୋଧେ ଗୋଟେ ଷଡ଼ଯନ୍ତ୍ର ଥିଲା।ସବୁଥିରୁ ତାକୁ ବଞ୍ଚିତ କରି ସେ କ'ଣ ପାଇଁ ଏତେ ବଡ ପ୍ରତିଶୋଧ ନେଉଛି ତା ଉପରେ।ସେ କ'ଣ ଏମିତି ଜଳୁଥିବ ତା ପ୍ରତିଶୋଧର ନିଆଁରେ। ହେଲେ ତାର ମୁକ୍ତି କାହିଁ।ତା ଆଗରେ ଏବେ ପୁଅ ଜିତ୍ ର ଭବିଷ୍ୟତ।ନାଁ ସେ ବଞ୍ଚିବ କେବଳ ଜିତ୍ ପାଇଁ।ଅକାଳରେ ଝରି ଯାଇଥିବା ଶୁଭମ୍ ର ଆଞ୍ଜୁଳାଏ ସ୍ମୃତିକୁ ଧରି ସେ ତାର ବାକି ଜୀବନ ବିତେଇବ। ମା ହେବାର କର୍ତ୍ତବ୍ୟ ସେ ପାଳନ କରିବ।ସେ ଯିଇଁବ ଜୟନ୍ତର ସ୍ତ୍ରୀ ଭାବେ ନୁହେଁ, ଜିତ୍ ର ମାଆର ପରିଚୟ ନେଇ।ସେ ଆଉ ଜୟନ୍ତ ଦୁଇଟି ସମାନ୍ତର ସରଳ ରେଖା।ସେମାନେ କେବେବି ପରସ୍ପରକୁ ଛୁଇଁ ପାରିବେନି।ଏମିତି ଭାବନାର ବୁଢିଆଣି ଜାଲରେ ଛନ୍ଦି ହେଇ ଯାଉ ଯାଉ କେତେବେଳେ ଯେ ସଂଧ୍ୟା ହେଲାଣି ଜାଣି ପାରି ନଥିଲା ସେ।ମନ୍ଦିରର ଘଣ୍ଟଧ୍ୱନିରେ ପ୍ରକୁତିସ୍ଥ ହେଲା ସେ।ଜିତ୍ ର ଟିଉସନ୍ ଫେରିବାର ସମୟ ହେଇଗଲାଣି।ଆଖିରୁ ଲୁହ ପୋଛି ଆଗକୁ ପାଦ ବଢେଇଲା।କିନ୍ତୁ ଯିବା ପୂର୍ବରୁ ଥରୁଟିଏ ସମୁଦ୍ର ଆଡକୁ ଚାହିଁ ଦେଖିଲା ସମୂଦ୍ର ପୂର୍ବ ଅପେକ୍ଷା ଶାନ୍ତ ହେଇଯାଇଛି।ବୋଧେ ଲହରୀର ବୁକୁଫଟା କ୍ରନ୍ଦନରେ ସେ ସ୍ଥାଣୁ ପାଲଟି ଯାଇଛି।କିନ୍ତୁ ଲହରୀଗୁଡିକ ସେମିତି ବାଲୁକା ରାଶିରେ ମଥା ପିଟି ଗାନ କରୁଛନ୍ତି ସେମାନଙ୍କ ହୃଦୟର ଅକୁହା ସଙ୍ଗୀତ।


Rate this content
Log in

Similar oriya story from Tragedy