ଅଧିକାର
ଅଧିକାର
ମା ଫୋନ୍ କରିଥିଲା ତା ଦେହ ଭଲ ନାହିଁ ବାବା ଙ୍କର ବି ଦେହ ଖରାପ।ଦୁଇ ଜଣଙ୍କୁ ଟାଇଫ୍ଏଡ଼ ହେଇଛି। ସାନ ଭାଇ ରେଲୱେ ରେ ଚାକିରୀ କରେ।ସପ୍ତାହ କୁ ଚାରି ଦିନ ଟ୍ରେନ୍ ରେ ଯାଏ ଦିଲ୍ଲୀ।ଆଉ ତିନି ଦିନ ଘରକୁ ଆସେ।ଏଇ ଦେହ ଖରାପ ବେଳେ ସେ ଘରେ ନାହିଁ।ମା କିଛି କରି ପାରୁନି।ରୋଷେଇ ଗଣ୍ଡେ କରି ଖାଇବା ବି କଷ୍ଟ।କାନ୍ଦୁଥିଲା ସେ।କହୁଥିଲା ତୋ କଥା ଭାରି ମନେ ପଡୁଛି।ଦେହ ମୁଣ୍ଡ ଖରାପ ହେଲେ ବୋଧେ ନିଜ ଲୋକଙ୍କ କଥା ବେଶୀ ମନେ ପଡେ।ମୋ ଆଖିରୁ ଵୋହିଗଲା ଦୁଇ ଟୋପା ଲୁହ।ଇଚ୍ଛା ହେଉଥିଲା ଯାଇ ପନ୍ଦର ଦିନ ରହି ଆସିବାକୁ।ଭଲ ଭଲ ରୋଷେଇ କରି ଖାଇବାକୁ ଦେବାକୁ।ଟିକେ ମୋଡି ଘସି ଦେବାକୁ।ହେଲେ ଏମିତି କିଛି ବି ମୁଁ କରି ପାରିବିନିି।କାରଣ ମୁଁ ଆସି ସୁଦୂର ବାଙ୍ଗାଲୋର ରେ। ସ୍ତ୍ରୀ ଆଉ ମା ର କର୍ତ୍ତବ୍ୟରେ ମୁଁ ବନ୍ଧା।
ଇଚ୍ଛା ଥିଲେ ବି ଯାଇ ପାରିବିନି। ତାଛଡ଼ା ବିବାହ ପରେ ଗୋଟେ ଝିଅର ଇଚ୍ଛା ଅନିଛା କୁ କିଏ ପଚାରେ।ଅନ୍ୟ ମାନଙ୍କ ଇଚ୍ଛା କୁ ଲଦି ଦିଆ ଯାଏ ତା ଉପରେ।ବାପଘରକୁ ଯିବା କଥା ତ ଗୋଟେ ଅପରାଧ ସହ ସମାନ।ପ୍ରଥମେ କଥା ଶାଶୁଙ୍କ ପାଖରେ ମାନେ ହାଇକୋର୍ଟ ରେ ଉଠାଯାଏ।ତାପରେ ଶ୍ୱଶୁରଙ୍କ ପାଖରେ ମାନେ ସୁପ୍ରିମକୋର୍ଟର ଅନୁମୋଦନ ଲାଗି ଯାଏ।ସେଠୁ ଅନୁମତି ମିଳିଲା ପରେ ଆସେ ତିଥୀ, ବାର,ନକ୍ଷତ୍ର ଆଦି କଥା।ବହୁ ଆଲୋଚନା ଓ ତର୍ଜମା ପରେ ଯିବା ଲାଗି ମିଳେ ମାତ୍ର ଦୁଇ କି ତିନି ଦିନ।ସେତେବେଳକୁ ଯିବାର ଇଛା ଟା ଆପେ ଆପେ ମରିସାରି ଥାଏ।ଆଉ ମୋ ସ୍ୱାମୀ ଙ୍କର ବାପା ବୋଉ ଙ୍କ ପାଖରେ କଥା ପଦେ କହିବାର ବି ସାହସ ନଥାଏ।ତେଣୁ ତାଙ୍କର କିଛି ନିଷ୍ପତ୍ତି ନେବାର ପ୍ରଶ୍ନ ହିଁ ଉଠୁନି। ଏଣ୍ଡୁଅ ଭଳି ମୁଣ୍ଡ ଟୁଙ୍ଗାରିବା ଛଡା ସେ ଆଉ କିଛି ଜାଣନ୍ତି ନି।କେବେ ବି ସେ ବୁଝିନାହାନ୍ତି ସ୍ତ୍ରୀ ର ମନ କଥା।କେବେ ଯଦି କିଛି କୁହେ ତାହେଲେ ଉତ୍ତର ଆସେ ତମେ କାହିଁକି ବାହା ହେଉଥିଲ।ରହିଲନି ସବୁଦିନ ତମ ବାପା ମା ଙ୍କ ପାଖରେ।ମୋ ଘର ଲୋକଙ୍କ ଖୁସିରେ ମୁଁ ଖୁସି।ଯୋକ ମୁହଁରେ ଲୁଣ ଦେଲା ପରି ମୁଁ ଚୁପ ହେଇଯାଏ।ଯୋଉ ଦିନ ଠାରୁ ବାହା ହେଇ ଆସିଛି ସେଦିନରୁ ମୋ ବାପଘର ଲୋକ ମୋ ଲାଗି ପର ହେଇ ଯାଇଛନ୍ତି।କୋଉ ବର୍ଷେ ଦୁଇ ବର୍ଷରେ ଥରେ ଯାଏ।ତା ପୁଣି ଦୁଇ ଦିନ ଲାଗି।ଏସବୁ ମୋର ଦେହସୁହା ହେଇଗଲାଣି।ଆଖିର ଲୁହ ଆଉ ଛାତିର କୋହକୁ ମନରେ ଚାପି ଖୁସିରେ ରହିବାର ଅଭିନୟ କରୁଛି।ଭଲ ସ୍ତ୍ରୀ, ଭଲ ମା ଆଉ ଭଲ ବୋହୁ ର ଦାୟିତ୍ୱ ତୁଲଉ ତୁଲଉ ଗୋଟେ ଝିଅ ର କର୍ତ୍ତବ୍ୟ କୁ ମୁଁ କେବେଠୁ ଭୂଲି ସାରିଛି। ମା କୁହେ ଏଥରକ ଓଡ଼ିଶା ଆସିଲେ ଏଠିକୁ ଆସିକି ଆଠ ଦିନ ରହିବୁ। ସବୁ ଝିଅ ଜ୍ୱାଇଁ ମାନେ ଆସୁଛନ୍ତି। ମୁଁ ଖାଲି ହଁ ମାରେ।ଭାବେ ସମସ୍ତଙ୍କ ଭିତରେ ଆଉ ମୋ ଭିତରେ ଅନେକ ତଫାତ୍।ତମେ ମାନେ ତ ନିଜେ ମୋ ଡେଣା କାଟି ଦେଇଛ।ମୋ ଚାକିରୀ ଛଡେଇ ମୋତେ ବାହା କରି ଦେଲ।ଏବେ ଭାବିଲେ ଆଉ କଣ ହେବ।ମନେ ପଡୁଥିଲା ମୋ ସାଙ୍ଗ ସୋନୀର ସେଇ ଦୁଇ ପଦ କଥା, ବୋହୂ ହେଲା ପରେ ସବୁ ବଦଳି ଯାଏ ଲୋ ରିମା।ସବୁ ସ୍ୱାଧୀନତା ହଜିଯାଏ।ନିଜର ସବୁ ଇଛା ଆଉ ସ୍ୱପ୍ନକୁ ବଳି ଦବାକୁ ପଡେ।ସେଦିନ ନୂଆ ବାହା ହୋଇ ଆସିଥିବା ସୋନି ର କଥାକୁ ମୁଁ ହସରେ ଉଡେଇ ଦେଇଥିଲି।କହିଥିଲି ତୁ ଏମିତି ଚାବିଦିଆ କଣ୍ଢେଇ ର ଜୀବନ କେମିତି ଜିଇଁଛୁ ସୋନି।ତୁ ବି ଗୋଟେ ମଣିଷ ତୋର ବି ମନ ବୋଲି କିଛି ଅଛି।ତୁ ମୁହଁ ଖୋଲ।ଜାହିର କର ତୋ ଇଚ୍ଛାକୁ।ସେ ଲୁହ ଛଳ ଛଳ ଆଖିରେ ଚାହିଁଲା ମୋତେ,ଆଉ କହିଲା ତୁ ବାହା ହୋଇ ସାରେ, ତାପରେ ଜାଣିବୁ।
ମୁଁ ବି ଛାଡି ନଥିଲ,କହିଥିଲି ମୁଁ କେବେବି ଏମିତି ବଞ୍ଚି ପାରିବିନି।କାହା କଥାରେ ଏମିତି ଉଠବସ୍ ହେବା ଝିଅ ମୁଁ ନୁହେଁ।ହେଲେ ଆଜି ଭାବୁଛି ଜୀବନଟା ଏତେ ସହଜ ନୁହେଁ।ତା ପୁଣି ଗୋଟେ ଝିଅର ଜୀବନ।ସେ ସବୁବେଳେ ପରାଧୀନ।ସେ ଚାକିରୀଆ ହେଉ ବା ନହେଉ।ଚାକିରୀ କରି ଭଲ ଦରମା ପାଉ ଥିଲେ ବି ତାର ଅଧିକାର ନଥାଏ ବାପା ମା ଙ୍କୁ ଟଙ୍କା ଟିଏ ସାହାଯ୍ୟ କରିବାକୁ। ତା ଭଳି ତା ଦରମା ଉପରେ ବି ସ୍ୱାମୀ ଆଉ ଶାଶୁ ଘର ଲୋକଙ୍କର ଥାଏ ସଂପୂର୍ଣ୍ଣ ଅଧିକାର।ସ୍ୱାମୀ କେବେ ପଚାରନ୍ତିନି ଶାଶୁ, ଶ୍ୱଶୁର କେମିତି ଅଛନ୍ତି।କିନ୍ତୁ ମୁଁ ଯଦି ସପ୍ତାହକୁ ତିନି ଥର ତାଙ୍କ ଘରକୁ ଫୋନ ନକଲି ତାହେଲେ ବେଦ ଅଶୁଦ୍ଧ ହେଇଯାଏ। ଏବେ ମାନ୍ୟବର ସୁପ୍ରିମକୋର୍ଟ ନୂଆ ନିୟମ କରିଛନ୍ତି, ଯଦି କୌଣସି ବୋହୂ ତା ଶାଶୁ ଶ୍ୱଶୁରଙ୍କ ଦାୟିତ୍ୱ ନନିଏ ତାହାଲେ ତା ସ୍ୱାମୀ ତାକୁ ଛାଡପତ୍ର ଦେଇପାରିବ। କିନ୍ତୁ ଆଜି ଯାଏ ଏମିତି କିଛି ନିୟମ ହେଇନି କି ବୋହୂ ଭଳି ପୁଅର ବି ତା ଶାଶୁ ଶ୍ୱଶୁର ଙ୍କ କଥା ବୁଝିବା ଉଚିତ। ସେମିତି ବି କେମିତି ହେବ ଏ ପୁରୁଷ ପ୍ରାଧାନ୍ୟ ସମାଜରେ।ନାରୀ ପୁରୁଷ ସହ ସମାନ ବୋଲି ଆମେ ଯେତେ ଡେଙ୍ଗୁରା ପିଟିଲେବି କୋଉଠି ନା କୋଉଠି ସେ ତା ଆଶ୍ରିତା ହୋଇ ରହୁଛି।ଏବେବି ଯୌତୁକ ଯୂଇରେ ଜଳୁଛି କେତେ ଅଭାଗିନୀର ଶବ।ଆଜି ବି ନର୍ଦମା କଡ଼ରୁ ମିଳୁଛି ଶହ ଶହ କନ୍ୟା ଭୃଣ।
ଗୁମୁରି ଗୁମୁରି କାନ୍ଦୁଛି କୁନ୍ଦୁଲୀ ପିଡିତାର ଅତୃପ୍ତ ଆତ୍ମା। କେବେ ସୁଧୁରିବ ଏ ସମାଜ,କେବେ ମିଳିବ ନାରୀକୁ ତା ପ୍ରକୃତ ପରିଚୟ। କେବେ ବୋହୂ ଟିଏକୁ ତା ବାପା ମା ଙ୍କୁ ଦେଖା କରିବାପାଇଁ ଅନୁମତି ବଦଳରେ ମିଳିବ ଅଧିକାର।