Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Sanskruti Mohanty

Drama Tragedy


3  

Sanskruti Mohanty

Drama Tragedy


ଭଙ୍ଗା ସମ୍ପର୍କ

ଭଙ୍ଗା ସମ୍ପର୍କ

9 mins 442 9 mins 442

ଅସୀମା ତରତରରେ ରୋଷେଇ ଘରକୁ ପସି ଯାଉ ଯାଉ ତିନି ବର୍ଷର ଝିଅ ତିତିଲି ତାକୁ ପଛରୁ ଭିଡି ଧରି କହିଲା ମାମା ଦେଖିଲୁ ମୋ କଣ୍ଢେଇ କାଇଁ ଚାଲୁନି।ଅସୀମା ତା ଗୋରା ତକତକ ଡଉଲ ଗାଲରେ ବୋକ ଦେଇ କହିଲା ମୋତେ କଣ ୟାକୁ ସଜାଡି ଆସିବ। ପାପା ଅଫିସରୁ ଆସନ୍ତୁ ସଜାଡି ଦେବେ। କିନ୍ତୁ ଅଝଟ ତିତିଲି କହିଲା ନାଁ ମୋ କଣ୍ଢେଇ ଏବେ ଚାଲିବା ଦରକାର। ଅସୀମା ତାକୁ ବୁଝଉଥିଲା ମୋ ସୁନା ଝିଅଟା,ମୋ କଥା ଟିକେ ଶୁଣ୍, ମୋର ଏବେ ବହୁତ କାମ ଅଛି। ତୁ ଆଈ ପାଖକୁ ଯା ଗପ ଶୁଣିବୁ। ତିତିଲି ଆଈ..ଆଈ...ଡାକି ଆର ଘରକୁ ଚାଲିଗଲା। ଗ୍ୟାସ ଲଗେଇ ଭାତ ଓ ଡାଲି ବସେଇଲା ଅସୀମା।ତିନି ଚାରି ଦିନ ହେଲା ଅପାକୁ ଜ୍ୱର,ଆଡେ କାମବାଲୀ ବି ଛୁଟିରେ। ପୁରା ନାକେଦମ ହେଇଗଲାଣି ସେ। ବୋଉ ତ ବୁଢୀ ଲୋକ,ତା ନିଜ କାମ କରିବା ତାକୁ କଷ୍ଟ ହେଲାଣି। ସେ ବା ତାକୁ କଣ ସାହାଯ୍ୟ କରିବ।ଅସୀମା କାମକୁ ଏତେ ପାରେନି। ଅପା କିନ୍ତୁ ସବୁ ନେଇ ଆଣି ଥୋଇବା ଲୋକ। ଦିନ ଆସି ଏଗାରଟା ବାଜିଲାଣି ରୋଷେଇ ହେଇ ପାରିଲାନି। କାଲି ରାତିର ତରକାରୀ ଫ୍ରିଜରେ ଥିଲା, ରୁଟି ଦିଖଣ୍ଡ କରି ସେ ତରକାରୀ ସହ ବୋଉ ଓ ଶୋଭନଙ୍କୁ ଖାଇବାକୁ ଦେଇଛି। ଅପାକୁ ବ୍ରେଡ, କ୍ଷୀର ଦେଇଛି। ତା ପାଖରେ ବସି ତାକୁ ଟିକେ ମୋଡି ଘସି ଦେଇ ପାରୁନି। ଯାହା କରୁଛି ବୋଉ। କଣ କରିବ ସେ, ଏକା ଏକା କିଛି ପାରୁନି। ତା ସହ ଝିଅଟା ବି ଏତେ ଜିଦିଆ ହେଇଛି ଯେ ଯାହା ଚାହିଁବ, ସାଙ୍ଗେ ସାଙ୍ଗେ ଦରକାର, ନହେଲେ ସୃଷ୍ଟି ପ୍ରଳୟ କରିଦବ। ଅସୀମା ଭାବୁଥଲା ଅପା ଭଲଥିଲେ ଏବେ ଛଅ ଠା ରୋଷେଇ ସରନ୍ତାଣି। କେମିତି ସେ ଏତେ ଶୀଘ୍ର ଏତେ କାମ କରେ କେଜାଣି ! କେବେ ଟିକେ ଥକିଯିବା ସେ ଦେଖିନି। ସେ ତାକୁ ଗାଳିଦିଏ, କୁହେ ଯାଉନୁ ଟିକେ ବିଶ୍ରାମ ନେବୁ। ବାକି କାମ ମୁଁ କରିଦେବି।ସେ କିନ୍ତୁ ଶୁଣିବନି ଓଲଟା କହିବ ତୁ ଯା ଶୋଇବୁ ନହେଲେ ତୋ ମୁଣ୍ଡ ବିନ୍ଧା ହେବ। ଅସୀମା ଭାବେ ଅପାର ଋଣ ସେ କେବେ ଶୁଝି ପାରିବନି। ଅପା ତାର କେତେ ଭଲ। ଅପା କଥା ଭାବି ତା ଆଖି ଲୁହରେ ଭରିଗଲା। ଏତେ ଭଲ ଝିଅର ଭାଗ୍ୟରେ ଠାକୁର କାହିଁକି ଏତେ ଦୁଃଖ ଦେଲେ। କି ଦୋଷ କରିଥିଲା ସେ ତାଙ୍କ ପାଖରେ। ସ୍ୱାମୀ, ସ୍ତ୍ରୀର ସମ୍ପର୍କ କ'ଣ, ସଂସାର କ'ଣ ଜାଣିବା ଆଗରୁ ତାଠୁ ସବୁ ଛଡେଇ ନେଲେ। ଏବେବି ତାର ମନେଅଛି ଯୋଉଦିନ ଅପାର ବାହାଘର ଠିକ୍ ହେଇଥିଲା, ସେଦିନ ସେ ଖୁସିରେ ଅପାକୁ କୁଣ୍ଢେଇ ପକେଇ କହିଥିଲା ତୁ ବାହା ହେଇଗଲେ ମୋତେ ଭୁଲି ଯିବୁନି ତ। ଭିଣୋଇ ଭାଇଙ୍କୁ ପାଇଲେ ମୁଁ କ'ଣ ଆଉ ତୋର ମନେ ପଡିବି। ଲାଜେଇ ଅପା ତାର ଲାଜ ମିଶା କଣ୍ଠରେ କହିଥିଲା, ବଦମାସ୍, ତୁ ଯିବୁ ନା ଏବେ ବୋଉକୁ ଡାକିବି। ତଥାପି ଅସୀମା ନଯାଇ କହିଥିଲା ମନ ପଛେ ସାଡେ ଯାଇ ଭିଣୋଇଙ୍କ ପକେଟରେ ରହିଲାଣି,ରାଣୀମା ଆମର ଉପରେ ନାଇଁ ନାଇଁ କରୁଛନ୍ତି। ଦୁଇ ଭଉଣୀଙ୍କ ଥଟ୍ଟା ପରିହାସ ଓ ବନ୍ଧୁ ବାନ୍ଧବଙ୍କ ଗହଣରେ ଘର ପୁରି ଉଠୁଥିଲା। ଶେଷରେ ଆସି ପହଞ୍ଚିଲା ସେହି ଶୁଭ ଲଗ୍ନ।


ଶେଷ ଫଗୁଣର ଗୋଟେ ମଧୁ ଭିଜା ମୁହୂର୍ତ୍ତରେ ଅପା ବଧୂ ବେଶରେ ଘରର ଏରୁଣ୍ଡି ବନ୍ଧ ଡେଇଁଥିଲା। ଅସୀମାକୁ ଲାଗୁଥିଲା ତା ଛାତି ଭିତରୁ ହୃଦୟକୁ କିଏ ଯେପରି କାଢି ନେଉଛି। କାରଣ ଅପା ଓ ସେ ଥିଲେ ଗୋଟିଏ ବୃନ୍ତର ଦୁଇଟି କଢି। ଯମା ଦୁଇ ବର୍ଷ ବୟସର ବ୍ୟବଧାନ ଥିଲା ଦୁହିଁଙ୍କ ଭିତରେ। ଭଉଣୀ କମ୍ ବନ୍ଧୁତା ବେଶୀ ଥିଲା ଦୁହିଁଙ୍କ ଭିତରେ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଦୁହେଁ ଏକାଠି ବିତଉ ଥିଲେ। ତେଣୁ ଅପା ବିନା ଜୀବନଟା ତାକୁ ଖାଁ ଖାଁ ଲାଗୁଥିଲା। ତଥାପି ଅପାର ସୁନା ସଂସାରର କଳ୍ପନା କରି ସେ ସବୁ ଦୁଃଖକୁ ଭୂଲି ଯାଇଥିଲା। କିନ୍ତୁ ଅପାର ସୁନା ସଂସାରର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା।ଦୁଃଖର କାଳ ରାତ୍ରି ତା ଜୀବନକୁ ଅନ୍ଧାର କରିଦେଲା।ବାହାଘରର ପାଞ୍ଚ ମାସ ପରେ ହଠାତ୍ ଗାଡି ଦୁର୍ଘଟଣାରେ ଭିଣୋଇ ଆର ପାରିକୁ ଚାଲିଗଲେ। ଅପା ମଥାର ଲାଲ୍ ସୂର୍ଯ୍ୟ ସବୁଦିନ ପାଇଁ ଅସ୍ତ ହେଇଗଲା। ଓଃ କି ଭୟଙ୍କର ଥିଲା ସେ ଦିନଟି। ମନେ ପଡିଲେ ଏବେବି ଅସୀମା ଭୟରେ ଶିହରି ଉଠେ। ଏତେ ବଡ ଦୁଃଖ ସହି ନପାରି ବାପା ହୃଦଘାତରେ ଚାଲିଗଲେ। ବୋଉର ସୀମନ୍ତ ବି ଶୂନ୍ୟ ହେଇଗଲା। ଭଗବାନଙ୍କର କି ବିଚିତ୍ର ଲୀଳା, ଗୋଟାଏ ଦୁଃଖ ଦେଇ ମନ ଶାନ୍ତି ହେଲାନି ଯେ ତା ଉପରେ ଆଉ ଗୋଟେ ଦୁଃଖ ଲଦିଦେଲେ। ସେତେବେଳେ ଅସୀମାର ମୁଣ୍ଡ କିଛି କାମ କରୁନଥଲା। ତାକୁ ଲାଗୁଥିଲା ସେ ଯେମିତି ପାଗଳୀ ହେଇଯିବ। ବାପାଙ୍କର ସବୁ କ୍ରିୟା, କର୍ମ ସରିଲା ପରେ ମାମୁଁଙ୍କ ସହ ସେ ଯାଇଥିଲା ଅପାର ଶାଶୁ ଘରକୁ। ଧଳା ଶାଢ଼ୀ ଓ ଖାଲି ସୀମନ୍ତରେ ଗୋଛାଏ କାଶତଣ୍ଡୀ ଫୁଲ ଭଳି ଦିଶୁଥିଲା ଅପା। ଧାରା ଶ୍ରାବଣର ବର୍ଷା ଭଳି ଅପା ଆଖିରୁ ଝରୁଥିଲା ଲୁହ। ତାକୁ ଘରକୁ ନେଇ ଯିବାକୁ ମାମୁଁ କହୁଥିଲେ କିନ୍ତୁ ତା ଶାଶୁ ମନା କରିଥିଲେ। ଖାଲି ହାତରେ ଫେରିଥଲା ଅସୀମା। ସମୟ ଗଡି ଚାଲିଥିଲା। ଦୁ୍ଃଖର କ୍ଷତ ଉପରେ ଧିରେ ଧିରେ ଖୋଳପା ବାନ୍ଧି ହଉଥିଲା। ବୋଉ ବି ତା ପିଲା ମାନଙ୍କ ଭବିଷ୍ୟତକୁ ଆଖିରେ ରଖି ସବୁ ଭୂଲିବାକୁ ଚେଷ୍ଟା କରୁଥିଲା। ହଠାତ୍ ଦିନେ ଅପା ଏକା ଆସି ପହଞ୍ଚିଲା।ତା ଶାଶୁଘର ଲୋକ ତାକୁ ସବୁଦିନ ପାଇଁ ବାପଘରକୁ ପଠେଇ ଦେଇଥିଲେ। ତାକୁ ଏତେଦିନ ସେଠି ରଖିବାର କାରଣ ଥିଲା ଭିଣୋଇଙ୍କ ନାମରେ ଥିବା ସବୁ ସମ୍ପତ୍ତି ଓ ବ୍ୟାଙ୍କରେ ଥିବା ଟଙ୍କା ପାଇଁ ଦସ୍ତଖତ ନେବା। ବୋକି ଅପା ବି ସେମାନଙ୍କ କଥାରେ ବିଶ୍ୱାସ କରି ସବୁ କାଗଜପତ୍ରରେ ଦସ୍ତଖତ କରିଦେଇଥିଲା। ଅପା ସେ ଦିନ ସାରା ଖାଲି କାନ୍ଦୁଥିଲା। ଖିଆ ପିଆ କିଛିବି କରିନଥିଲା।ବୋଉକୁ କହୁଥିଲା ତୁ ମୋ ଭଳି ଗୋଟେ ଅଲକ୍ଷଣୀକୁ କାହିଁକି ଜନ୍ମ ଦେଲୁ। ଏସବୁ ଯାହା ହେଲା ସେଥିପାଇଁ କେବଳ ମୁଁ ଦାୟୀ। ମୋ ଶାଶୁ କହିଲେ ତୁ ମୋ ପୁଅକୁ ଖାଇଲୁ। ସେତିକିରେ ତୋ ମନ ବୁଝିଲାନି ଯେ ନିଜ ବାପାକୁ ବି ଖାଇଲୁ। ଆଉ କଣ ଦେଖିବାକୁ ଏଠି ଅଛୁ? ମୋ ବଂଶ ବୁଡିଗଲେ ବୋଧେ ତୁ ଶାନ୍ତି ହେବୁ। ତୋ ଭଳି ଅଲକ୍ଷଣୀ ପାଇଁ ମୋ ଘରେ ସ୍ଥାନ ନାହିଁ। ଚାଲିଯା ତୋ ବାପ ଘରକୁ।ବୋଉର ତାର ଅପାକୁ ବୁଝଉଥିଲେ। ବୋଉ କହୁଥିଲା ସବୁ ଖେଳ ସେଇ ଉପରବାଲାର ମାଆ।ଆମେ ତ ନିମିତ୍ତ ମାତ୍ର।ଯାହା ହେଲା ସବୁ ବିଧିର ନିର୍ଦ୍ଦେଶ। ଏଥିରେ ତୋର ବା ଦୋଷ କ'ଣ। ତା ମନକୁ ସେମାନେ ଭୂଲେଇବାକୁ ଚେଷ୍ଟା କରୁଥିଲେ। ହେଲେ ଏ ଦୁଃଖ କ'ଣ କିଏ ସହଜରେ ଭୂଲିପାରେ। ଅପା ବଞ୍ଚିଥିଲା ଗୋଟେ ଯିଅଁନ୍ତା ଶବ ହେଇ।ସବୁ ହସ ଖୁସି ତାଠୁ ଦୂରେଇ ଯାଇଥିଲା। ସେମାନେ ତା ଜୀବନକୁ ପୁଣି ଥରେ ସଜାଡିବାକୁ ଚାହୁଁଥିଲେ। ତାର ଦ୍ୱିତୀୟ ବିବାହର ଯୋଜନା କରୁଥିଲେ। କିନ୍ତୁ ଅପା ଏଥିରେ ରାଜି ହେଇ ନଥିଲା। କହିଥିଲା ମୋର ଆଉ ଦୁଃଖ ସହିବାକୁ ଧୋର୍ଯ୍ୟ ନାହିଁ। କାଲି ଯଦି ମୋ ସହିତ ପୁଣି ସେମିତି ଘଟେ, ମୋ ଛାତି ଫାଟିଯିବ ବୋଉ। ମୋର ସାହସ ନାହିଁ ପୁଣି ଗୋଟେ ବଜ୍ରପାତକୁ ସାମ୍ନା କରିବାକୁ। ମୁଁ ଏମିତି ସାରା ଜୀବନ ରହିଯିବି। ତାପରେ ଅସୀମାର ବାହାଘର ହେଇଥିଲା ଶୋଭନଙ୍କ ସହ। ପିଲାଟି ଦିନରୁ ବାପା, ମାଆଙ୍କୁ ହରାଇ ସେ ମାମୁଁ, ମାଇଁଙ୍କ ପାଖରେ ବଡ ହେଇଥିଲେ। ଅତି ଶାନ୍ତ ଓ ସରଳ ସ୍ୱଭାବର ଶୋଭନ ଥିଲେ ପେଶାରେ ଜଣେ ସିଭିଲ ଇଞ୍ଜିନିୟର। ଜଳସେଚନ ବିଭାଗରେ କୋରାପୁଟରେ ତାଙ୍କର ଚାକିରୀ। କିଛି ଦିନ ମାମୁଁ ମାଇଁଙ୍କ ପାଖରେ ରହି ଅସୀମା ଯାଇଥିଲା କୋରାପୁଟ। ଦିନେ ନିଜେ ଶୋଭନ କହିଥିଲେ ଅସୀମା, ତମେ ଆସିବା ପରେ ବୋଉ ଓ ଅପାଙ୍କ କଥା ବୁଝିବାକୁ ତ ଆଉ କେହି ନାହିଁ। ଆମେ ସେମାନଙ୍କୁ ଆମ ପାଖକୁ ନେଇ ଆସିବା। ଆମ ଛଡା ସେମାନଙ୍କର ଆଉ କିଏ ଅଛି।ତମେ ମୋତେ ନକହିଲେବି ସବୁବେଳେ ସେମାନଙ୍କ କଥା ଚିନ୍ତା କରୁଛ। ଆରେ ମୋର ବି ଜୋଇଁ ହିସାବରେ କିଛି କର୍ତ୍ତବ୍ୟ ଅଛି। ତମେ ଯମା ବ୍ୟସ୍ତ ହୁଅନା। ଆଜି ଠାରୁ ସେମାନଙ୍କର ସବୁ ଦାୟିତ୍ୱ ମୋର। ଅସୀମା ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା। ଯୋଉ କଥା ପାଇଁ ସେ ସବୁବେଳେ ଚିନ୍ତା କରୁଥିଲା, ଶୋଭନ ତାର କେତେ ଶୀଘ୍ର ସମାଧାନ କରିଦେଲେ। ତାଙ୍କ ଉଦାର ହୃଦୟର ଜ୍ୟୋତିରେ ଆଲୋକିତ ହେଇ ଯାଉଥିଲା ଅସୀମାର ମନ। ତା ଆଖିରେ ଲୁହ ଦେଖି ଶୋଭନ କହିଲେ ଆରେ ଭଲ କଥା କହିଲେ ବି କାନ୍ଦୁଛ, ତମେ ତାହାଲେ କୁହ ମୁଁ ତମକୁ କ'ଣ କହିଲେ ତମେ ଖୁସି ହବ। ଅସୀମା ତାଙ୍କୁ ଦୁଇ ହାତରେ ଜାବୁଡି ଧରି କହିଥିଲା ମୋର କିଛି ଦରକାର ନାହିଁ, ତମେ ସବୁବେଳେ ଏମିତି ମୋ ସହିତ ଥାଅ। ମୋ ମନକୁ ବୁଝ ଆଉ ମୋତେ ଢେର ସାରା ଭଲପାଇବା ଦିଅ। ଶୋଭନ ତାକୁ ଛାତି ଉପରକୁ ଆଉଯେଇ ନେଇ କହିଲେ ମୁଁ ତମକୁ କଥା ଦଉଛି, କେବେବି ତମ ମନରେ ଦୁଃଖ ଦେବିନି, କେବେବି ତମ ସହ ବିଶ୍ୱାସଘାତକତା କରିବିନି। ମୁଁ କେବଳ ତମର, ଆମ ଭଲ ପାଇବାରେ କାହାକୁ ଭାଗ ବସେଇବାକୁ ଦେବିନି। ଏଥର ଖୁସିତ। ଶୋଭନଙ୍କ ଓଠର ହସ ଆସି ଛୁଇଁ ଯାଉଥିଲା ଅସୀମାକୁ। ତାଙ୍କ ବାହୁ ବନ୍ଧନରେ ଥାଇ ସେ ହସୁଥିଲା ପ୍ରାଣଖୋଲା ହସ। ଝରକା ଦେଇ ଘର ଭିତରକୁ ପସି ଆସୁଥିଲା ଶାଳ ଫୁଲର ମହ ମହ ବାସ୍ନା।ନିଜେ ଯାଇ ଶୋଭନ ନେଇ ଆସିଥିଲେ ବୋଉ ଓ ଅପାକୁ। ପୁଅ ଭଳି ଯତ୍ନ ନେଉଥିଲେ ବୋଉର। ଅପାକୁ ବଡ ଭଉଣୀର ସମ୍ମାନ ଦେଉଥିଲେ। ଅସୀମା ନିଜକୁ ଦୁନିଆର ସବୁଠୁ ଭାଗ୍ୟବତୀ ଝିଅ ବୋଲି ଭାବୁଥଲା।ସେ ଶୋଭନଙ୍କୁ ଦେବତାର ଆସନରେ ବସେଇଥିଲା। ତାପରେ କୋଳକୁ ଆସିଥିଲା ତିତିଲି ତାଙ୍କ ସ୍ୱପ୍ନର କଢ। ତିତିଲି ଜନ୍ମ ପରେ ସେ ପୁରା ଦୁର୍ବଳ ହେଇ ଯାଇଥିଲା। ଡାକ୍ତର ବେଡ୍ ରେଷ୍ଟ ପାଇଁ କହିଥିଲେ। ବିନା ପ୍ରତିବାଦରେ ଅପା ଘରର ସବୁ ଦାୟିତ୍ୱ ନିଜ ଉପରକୁ ନେଇଥିଲା। ତିତିଲିର ବି ସବୁ କାମ କରୁଥିଲା। ସେ ସିନା ତାକୁ ଜନ୍ମ ଦେଇଥିଲା, ତିତିଲି କିନ୍ତୁ ବଢିଥିଲା ଅପା ପାଖରେ। ଅପା ତିତିଲିକୁ ଦେଖି ନିଜର ଦୁଃଖକୁ ଧୀରେ ଧୀରେ ପାଶୋରୁଥିଲା। ତା ଓଠରେ ହସ ଫୁଟୁଥିଲା। ଯେଉଁ ହସ ଟିକକ ଦେଖିବାକୁ ସେମାନେ ଏତେ ଦିନ ଧରି ଅପେକ୍ଷା କରିଥିଲେ। ଅସୀମା କହୁଥିଲା ଅପା ତୁ ତିତିଲିର ଯେତିକି କଲୁଣି, ସେ ଆଗ ତୋ ଝିଅ ତାପରେ ଯାଇ ମୋର। ଏଣିକି ତାର ସବୁ ଦାୟିତ୍ୱ ତୋର ଆଉ ଏ ଘର ବି ତୋର। ତିତିଲି ବି ତାକୁ ମାମା ଆଉ ଅପାକୁ ମା ଡାକୁଥିଲା। ସେଇ ଦିନଠୁ ଅପା ବିନା ଘର ଚଳିବା ମୁସ୍କିଲ ହେଇଗଲା। ସେ ଯଦି କୋଉ ବନ୍ଧୁ ଘରକୁ ଯାଉଥିଲା ଅସୀମା ହଇରାଣ ହେଇ ଯାଉଥିଲା କୌଣସି କାମ ଠିକ୍ ରେ ହେଇ ପାରୁନଥିଲା। ଶୋଭନ କହୁଥିଲେ ଅପା ରହିବା ଦିନଠୁ ତମେ ପୁରା ଅଳସୁଆ ହେଇଗଲଣି। ସେ ଉପରେ ତାଙ୍କ ଉପରେ ବିରକ୍ତ ହେଲେବି ମନେ ମନେ ତାଙ୍କ କଥାକୁ ଠିକ୍ ଭାବୁଥଲା। ଅପାବି କୋଉଠି ଦୁଇ ଚାରି ଦିନରୁ ଅଧିକା ରହିପାରୁ ନଥିଲା। ତିତିଲିର ମୋହ ତାକୁ ଏଠିକି ଟାଣି ଆଣୁଥିଲା। ପ୍ରେସର କୁକରର ସିଟିରେ ନିଜକୁ ଭାବନା ରାଜ୍ୟରୁ ମୁକାଳି ଆଣିଲା ଅସୀମା। ଡାଲି ଛୁଙ୍କ କରି ଭଜା ବସେଇ ଅପା ପାଖକୁ ଆସିଲା। ତା ଦେହରେ ହାତ ମାରିଲା, ଜ୍ୱର ସେମିତି ଅଛି। ସେ ବ୍ୟସ୍ତ ହେଇପଡିଲା। କାଲିଠୁ ମେଡିସିନ ଖାଇଲାଣି,ହେଲେ ଜ୍ୱର ଛାଡୁନି। ଶୋଭନଙ୍କ ପାଖକୁ ଫୋନ୍ ଲଗେଇଲା ଅସୀମା। ସେପଟୁ ଶୋଭନ ରସିକତା କରି କହିଲେ କ'ଣ ଡାର୍ଲିଂ, ଏମିତି ଅବେଳରେ ମୋତେ କାହିଁକି ମନେ ପକେଇଲ। ମୁଁ ତମର କି ସେବା କରିପାରେ। ତାଙ୍କର ଏମିତି କଥାରେ ବିରକ୍ତ ହୋଇ ଉଠିଲା ଅସୀମା। ସବୁବେଳେ ଥଟ୍ଟା ମଜା। କେବେବି ସିରିୟସ ହୁଅନ୍ତିନି। ସେ କାନ୍ଦ କାନ୍ଦ ହେଇ କହିଲା ଅପାର ଜ୍ୱର ଏପର୍ଯ୍ୟନ୍ତ କମିଲାନି। ସେ ଆଖି ଖୋଲୁନି। ତମେ ଶୀଘ୍ର ଆସ,ତାକୁ ନେଇ ହସ୍ପିଟାଲ ଯିବା ଶୋଭନ କହିଲେ ତମେ ବ୍ୟସ୍ତ ହୁଅନି, ଅପାଙ୍କ ମୁଣ୍ଡରେ ପାଣି ପଟି ଦିଅ। ମୁଁ ଘଣ୍ଟାଏ ଭିତରେ ଯାଇ ପହଞ୍ଚୁଛି। ଅସୀମା ବୋଉକୁ ଡାକି କହିଲା, ତୁ ଅପା ମୁଣ୍ଡରେ ପାଣି ପଟି ଦେଉଥା, ମୁଁ ତିତିଲି କୁ ଖୋଇ ଦେଇ ଆସେ। ଘଣ୍ଟାଏ ପରେ ଶୋଭନ ଆସି ପହଞ୍ଚିଲେ। ତିତିଲିକୁ ବୋଉ ପାଖରେ ଛାଡି ଦୁଇ ଜଣଯାକ ଅପାକୁ ନେଇ ହସ୍ପିଟାଲ ଗଲେ। ଡାକ୍ତର କହିଲେ ଭାଇରାଲ୍ ଫିବର ହେଇଛି। ଏଇ ମେଡିସିନ ଖାଇଲେ ଆଜି ରାତି ଭିତରେ ଜ୍ୱର ଛାଡିଯିବ। ଘରକୁ ଫେରି ଶୋଭନ କୋଉ ମେଡିସିନ କେତେବେଳେ ଖାଇବ ସବୁ ବୁଝେଇ ଦେଇଥିଲେ ଅସୀମାକୁ। ନିଜେ ସେଓ କାଟି ଅପାକୁ ଖୋଇ ଦେଇଥିଲେ। ଏସବୁ ଦେଖି ଅସୀମାର ଆଖି କୃତଜ୍ଞତାରେ ଭରି ଆସୁଥିଲା। ବୋଉ ବି କହୁଥିଲା ମୋ ଜୋଇଁ ଭଳି ଭଲ ମଣିଷ ଏ ଦୁନିଆରେ ନାହିଁ। ଠାକୁରେ ତାଙ୍କୁ କୋଟି ପରମାୟୁ ଦିଅନ୍ତୁ। ସେଦିନ ରାତି ଦଶଟା ବେଳକୁ ଅପାର ଜ୍ୱର କମି ଯାଇଥିଲା। ଅସୀମା ମନେ ମନେ ଠାକୁରଙ୍କୁ ପ୍ରଣାମ ଜଣେଇଥିଲା। ସବୁ କାମ ସାରି ଶୋଇବା ଘରକୁ ଗଲା ଅସୀମା। ଶୋଭନ ଛାତି ଉପରେ ବହି ଖଣ୍ଡେ ରଖି ଶୋଇ ଯାଇଥିଲେ । ଧୀରେ ତାଙ୍କ ପାଖରୁ ବହିଟିକୁ ଆଣିଲା ବେଳକୁ ଜାବୁଡି ଧରିଲେ ଅସୀମାକୁ । ସେ କହିଲା ଆରେ ତମେ ଶୋଇନ, ମୁଁ ଭାବିଲି ଶୋଇ ପଡିଲଣି ବୋଲି। ସେ କହିଲେ ତମେ ନ ଶୋଇବା ଯାଏ ମୁଁ କୋଉଦିନ ଶୋଇଛି। ଅସୀମା ତାଙ୍କଠୁ ନିଜକୁ ମୁକୁଳେଇ ଆଣି କହିଲା, ଥାଉ ଆଉ ଏତେ ଗପନି, ମୋ ପ୍ରତି କେବେଠୁ ଏତେ ଭଲପାଇବା ହେଲାଣିମ ।କାଲିତ ମୁଁ ଆସିଲା ବେଳକୁ ତମେ ଶୋଇକି ଘୁଙ୍ଗୁଡି ମାରୁଥିଲ।ଆଉ ଆଜି କହୁଛ କଣନା ମୁଁ ନଶୋଇଲା ଯାଏ ତମ ଆଖିକୁ ନିଦ ଆସେନି। ଶୋଭନ ତାର ଆହୁରି ପାଖକୁ ଲାଗିଯାଇ କହିଲେ ଜାନୁ ତମକୁ ଆଉ କେତେ ଭଲପାଇଲେ ତମେ ସନ୍ତୁଷ୍ଟ ହେବ କହିଲ। ଅସୀମା ତାଙ୍କ ଗାଲରେ ଛୋଟ ଚୁମା ଟିଏ ଦେଇ କହିଲା ତମର ଏ ପ୍ରେମାଳପ ସେତିକି ଥାଉ। ଆମ କଥା ଶୁଣି ତମ ଗେଲ୍ହି ଝିଅ ଯଦି ଏବେ ଉଠିଯିବ,ତାହେଲେ ଆଜି ସାରା ରାତି ତମେ ଘୋଡ଼ା ହେଇ ତାକୁ ପିଠିରେ ବସି ବୁଲଉଥିବ। ଦୁଇଜଣ ଯାକ ଏକାସାଙ୍ଗେ ହସି ଉଠିଲେ। ତିତିଲିକୁ କୋଳରେ ଧରି ଶୋଭନଙ୍କ ବାହୁ ବନ୍ଧନରେ ଶୋଇ ଯାଇଥିଲା ଅସୀମା। ହଠାତ୍ ତିତିଲିର କାନ୍ଦରେ ତା ନିଦ ଭାଙ୍ଗିଗଲା। ଝିଅକୁ କୋଳକୁ ଆଣି ଥାପୁଡେଇ ଶୋଇଦେଲା। ଘଣ୍ଟାକୁ ଚାହିଁ ଦେଖିଲା ଆସି ସାତଟା ବାଜିଲାଣି। ତରତର ହେଇ ଉଠି ପଡିଲା। ନିଜକୁ ନିଜେ ଗାଳି ଦଉଥିଲା। ଶୋଭନଙ୍କର ଆଜି ଶୀଘ୍ର ଅଫିସ ଯିବାର ଅଛି। ତେଣୁ ତାକୁ ସାଢେ ଆଠଟା ବେଳକୁ ରୋଷେଇ ସାରିବାକୁ ପଡିବ। ଶୋଭନ କେତେବେଳୁ ଉଠି ସାରିଲେଣି। ସେ ଯେତେ ଡେରିରେ ଶୁଅନ୍ତୁ ପଛେ ଭୋର ପାଞ୍ଚଟାରୁ ଉଠିବା କଥା ଉଠିବେ। ବୋଉ ବି ଆସି ବୁଢ଼ୀ ହେଲାଣି, ତଥାପି ସେ ଭୋରରୁ ଉଠି ପଡିଶା ଘର ମାଳ ମାଉସୀଙ୍କ ସହ ଚାଲିବାକୁ ଯାଉଛି। ଅପା ମଧ୍ୟ ଶୀଘ୍ର ଉଠି ଗାଧେଇ ଠାକୁର ପୂଜା କରେ। କିନ୍ତୁ ଅସୀମାର ସବୁବେଳେ ଡେରିଯାଏ ଶୋଇବା ଅଭ୍ୟାସ। ସକାଳୁ ଏତେ ଶୀଘ୍ର ବିଛଣା ଛାଡିବାକୁ ତାର ଯମା ଇଛା ହୁଏନି। ସେ ମୁହଁ ଧୋଇ ଜଗନ୍ନାଥଙ୍କ ଫଟୋକୁ ପ୍ରଣାମ କଲା। ଏଇଟା ତାର ନିତିଦିନିଆ ଅଭ୍ୟାସ । ସକାଳୁ ଉଠି ପ୍ରଥମେ ଠାକୁରଙ୍କ ମୁହଁ ଚାହିଁ ଦିନଟା ଭଲରେ ଯାଉ ବୋଲି ପ୍ରାର୍ଥନା କରେ। ତାପରେ ଯାଇ ଯୋଉ କାମ। ଅପା କଥା ତାର ମନେ ପଡିଲା। ତାର ଜ୍ୱର ସମ୍ପୂର୍ଣ୍ଣ କମିଲାକି ନାହିଁ କେଜାଣି। ଅପାର ଶୋଇବା ଘରକୁ ଯାଉ ଯାଉ ହଠାତ୍ ଅଧା ଆଉଜା ଦରଜା ପାଖରେ ତା ପାଦ ଅଟକିଗଲା। କ'ଣ ଦେଖୁଛି ସେ । ସେ ଆଉ ସ୍ୱପ୍ନ ଦେଖୁନିତ। ଯୋରରେ ଆଖି ଦୁଇଟିକୁ ରଗଡି ଦେଲା। ନାଁ ସେ ଯାହା ଦେଖୁଛି ସ୍ୱପ୍ନ ନୁହେଁ ନିରାଟ ସତ। ସକାଳର ସବୁଜ ସୁନ୍ଦର ପୃଥିବୀଟା ତା ଆଗରେ ଭାଙ୍ଗି ଖଣ୍ଡ ଖଣ୍ଡ ହେଇ ଯାଉଥିଲା। ଆଉ ସେ ନିଜେ ବି ଭାଙ୍ଗି ଟୁକଡା ଟୁକଡା ହେଇ ଯାଉଥିଲା। ଗୋଟିଏ ରାତି ପୂର୍ବର ତା ସୁନ୍ଦର ସଂସାର ତାକୁ ଦିଶୁଥିଲା ଅତି ବିଭତ୍ସ ଓ କଦାକାର। ଖଟ ଉପରେ ଥିଲେ ଅପା ଓ ଶୋଭନ। କାହାର ଉପସ୍ଥିତିକୁ ଜାଣିବାକୁ ସେମାନଙ୍କ ପାଖରେ ସମୟ ନଥିଲା। ସେମାନେ ମଜ୍ଜି ଯାଇଥିଲେ ଜୀବନକୁ ଉପଭୋଗ କରିବା ନିଶାରେ। ଏ ଦୃଶ୍ୟକୁ ଆଉ ଅଧିକ ସମୟ ଯାଏ ଦେଖିବାକୁ ଧୋର୍ଯ୍ୟ ନଥିଲା ଅସୀମାର। ସେ ଟଳଟଳ ପାଦରେ ଫେରି ଆସିଥିଲା ତା ଶୋଇବା ଘରକୁ। ନିଦ୍ରିତ ତିତିଲିକୁ ଛାତିରେ ଜାକି ଅତି ବିକଳ ଭାବେ କାନ୍ଦୁଥିଲା। ଭାବୁଥଲା କିଛି ସମୟ ପରେ ଶୋଭନ ଆସିବେ। ତା କାନ ପାଖକୁ ମୁହଁ ଆଣି ଗୁଡ୍ ମର୍ଣିଂ ସୋନା କହିବେ। ହାତ ଧରି ଉଠେଇବେ, କହିବେ ବୁଝିଲ ସୀମା ତମ ବିନା ଏ ସୁନ୍ଦର ସକାଳଟା ଯେ ମୋର କେତେ କଷ୍ଟରେ କଟୁଛି ସେକଥା ତମେ ବୁଝି ପାରିବନି। ପ୍ଲିଜ ଉଠ ମୁଁ ଚା କରି ଆଣୁଛି ସାଙ୍ଗ ହେଇ ପିଇବା। ଅପା ତାର ସେମିତି ସେଘରେ ଶୋଇଥିବ। ପୁଣି ଶୋଭନ କହିବେ ଯାଅ ଟିକେ ଦେଖ ଅପାଙ୍କ ଜ୍ୱର କମିଛିକି ନାହିଁ। ହେଲେ ସେ କ'ଣ କରିବ। କେମିତି ସାମ୍ନା କରିବ ଏ ଅବିଶ୍ୱାସୀ ଲୋକମାନଙ୍କୁ। କେମିତି ସେମାନଙ୍କ ସହିତ ରହିବ। କେମିତି ତାଙ୍କୁ ପ୍ରାଣ ଭରି ଭଲପାଇବ। ତାର ସେ ଛୋଟ ହୃଦୟଟି ଏତେ ବଡ ଦୁଃଖ ସହି ପାରିବତ। 



Rate this content
Log in

More oriya story from Sanskruti Mohanty

Similar oriya story from Drama