Sanskruti Mohanty

Tragedy Crime

2.6  

Sanskruti Mohanty

Tragedy Crime

ପୋଡପିଠା

ପୋଡପିଠା

9 mins
11.5K


ଆଜି ସଜବାଜ। ରାତି ପାହିଲେ ରଜ। ଗାଁଆଟା ସାରା ହସ ଖୁସିରେ ଫାଟି ପଡୁଛି। କିନ୍ତୁ ଶାନ୍ତିଙ୍କ ମା ମନଟା ଗୁମୁରି ଗୁମୁରି କାନ୍ଦୁଛି। ହୃଦୟ ଭିତରଟା ଦୁଃଖରେ ମନ୍ଥି ହେଇ ଯାଉଛି। ତାଙ୍କ ଗେହ୍ଲା ଝିଅ ଚୁନିର କରୁଣ ମୁହଁଟା ଆଖି ଆଗରେ ନାଚି ଯାଉଛି। ଯୋଉ ହାତରେ ତାକୁ କୋଳେଇ କାଖେଇ ବଡ କରି ଚାଉଳ ଅଞ୍ଜୁଳି ଦେଇ ଶାଶୁ ଘରକୁ ବିଦା କରିଥିଲେ ସେଇ ହାତରେ ତା ମଲା ଦେହକୁ ମଶାଣିକୁ ପଠେଇଲେ। ମାଆ ହେଇ ସେ କେମିତି ସହିଲେ ଏତେ ବଡ଼ ଦୁଃଖକୁ। ଏସବୁ ହେବା ଆଗରୁ ସେ ମରି ନଗଲେ କାହିଁକି। ଆଖିର ଲୁହ ଆଉ ବନ୍ଧ ବାଡ ମାନୁ ନଥିଲା। ଏକ ଅସହାୟ ମାଆର ବୁକୁ ଫଟା କାନ୍ଦଣାରେ ଗଛ ଲତା ବି ଲୁହ ଗଡାଉଥିଲେ। ଆଜିକୁ ଦୁଇ ବର୍ଷ ହେଇଗଲାଣି ସେମାନେ ବୁଢ଼ା ବୁଢ଼ୀ ଦିଟା ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚିଛନ୍ତି। ଶେଷରେ ଏତେ କଷ୍ଟ ଲେଖାଥିଲା ସେମାନଙ୍କ ଭାଗ୍ୟରେ। ବାହାଘର ସାତ ବର୍ଷ ପରେ ବାର ଓଷା ତେର ବ୍ରତ କରି ଚୁନିକୁ ପାଇଥିଲେ। ସେ ହିଁ ଉଭୟ ପୁଅ ଆଉ ଝିଅ ଥିଲା ତାଙ୍କର। କେତେ ଗେଲ ବସରରେ ତାକୁ ବଢେଇ ଥିଲେ। ତିନି ବର୍ଷ ଯାଏ ତାକୁ ତଳେ ଚାଲିବାକୁ ଦେଇ ନଥିଲେ। ତାର ସବୁ ଅଳିକୁ ପୂରଣ କରୁଥିଲେ ବାପା ମାଆ ଦୁହେଁ। ସ୍ୱାମୀ ସୁରେଶ ଙ୍କର ଆଖିର ମଣି ଥିଲା ଚୁନି। ଗାଁଆରେ ସମସ୍ତେ କହୁଥିଲେ ଝିଅ ଟାକୁ ଏତେ ଗେଲ୍ହା କଣ ପାଇଁ କରୁଛ। କାଲି ସେ ତମକୁ ପର କରି ଚାଲିଯିବ। ସତକୁ ସତ ଚୁନି ତାଙ୍କ ଦୁଇ ଜଣଙ୍କୁ ସବୁଦିନ ପାଇଁ ପର କରି ଚାଲିଗଲା। ସଂସାର କଣ ଜାଣିବା ଆଗରୁ ଅକାଳରେ ଝରିଗଲା ନିଷ୍ପାପ ଫୁଲ ପରି କଅଁଳ ଝିଅ। ବାହା ବେଦୀରେ ସାତ ଦୀପ, ଆଠ କଳସ ଓ ଦଶ ଦିଗ ପାଳଙ୍କୁ ସାକ୍ଷୀ ରଖି ଯାହା ହାତ ଧରି ଝିଅ ତାଙ୍କର ସଂସାର କରିବାର ସ୍ୱପ୍ନ ଦେଖିଥିଲା ସେ ସ୍ୱାମୀ ରୂପି ରା‌କ୍ଷସଟା ମାତ୍ର କେତେଟା ଟଙ୍କା ପାଇଁ ତାକୁ ନିଜ ହାତରେ ମାରିଦେଲା। ଯୋଉ ଶାଶୁ ଶ୍ୱଶୁରଙ୍କୁ ନିଜର ବାପା ମାଆ ଭାବି ସେ ଘରକୁ ଯାଇଥିଲା ସେମାନେ ବି କଂସେଇ ପାଲଟି ଗଲେ। କେମିତି ଏତେ ବଡ଼ ପାପ କରି ପାରିଲେ।ରୂପ ଗୁଣରେ କିଛି କମ୍ ନଥିଲା ଝିଅ ତାଙ୍କର। ମାଛିକୁ ବି ମ କହେନି ସେ। ଭାରି ନିରିହ। ଭଲ ପାଠ ବି ପଡୁଥିଲା। ଟଙ୍କା ପଇସାର ଅଭାବ ତା ସହ ଝିଅକୁ ନିଜଠୁ ଦୂରରେ ରଖି ବଡ଼ କଲେଜରେ ପଢେଇବାର ସାହସ ତାଙ୍କର ନଥିଲା। ସେଥିଲାଗି ଗାଁଆ ପାଖ କଲେଜରୁ ବି.ଏସ୍.ସି ପାସ୍ କରିଥିଲା। ଗାଁରେ କେତୋଟି ପିଲାଙ୍କୁ ଟିଉସନ୍ କରି କିଛି ଟଙ୍କା ବି ରୋଜଗାର କରୁଥିଲା। କିନ୍ତୁ ସବୁ ବାପା ମାଆଙ୍କ ଭଳି ସେମାନେ ବି ସ୍ବପ୍ନ ଦେଖିଥିଲେ ଝିଅକୁ ଭଲ ବର ଭଲ ଘର ଦେଖି ବାହା ଦବାକୁ। ଯୋଉଠି ଝିଅ ତାଙ୍କର ଖୁସିରେ ରହିବ। ସୁରେଶଙ୍କର ଜଣେ ସାଙ୍ଗ ଦେଇଥିବା ପ୍ରସ୍ତାବଟି ଦୁହିଁଙ୍କ ମନକୁ ପାଇଥିଲା। ପୁଅ କୋର୍ଟରେ କ୍ଲର୍କ ଥିଲା। ଗୋଟିଏ ପୁଅ। ଘର ଦ୍ୱାର ସବୁ ଭଲ। ଆଉ ବେଶୀ ଦୂର ବି ନୁହଁ। ସେ ଯେତେବେଳେ ଚାହିଁବେ ଝିଅକୁ ଯାଇ ଦେଖି ଆସିବେ। ସେମାନେ ବି ଚୁନିକୁ ପସନ୍ଦ କରିଥିଲେ। ଯୈାତୁକ ବାବଦରେ ଦୁଇ ଲକ୍ଷ ଟଙ୍କା ସହ ଅନ୍ୟ ସବୁ ଜିନିଷ ପତ୍ର ଦବାକୁ କଥା ଛିଣ୍ଡିଥିଲା। ସେମାନେ ଭାରି ଖୁସି ଥିଲେ ଏଇ ପ୍ରସ୍ତାବରେ। ତେଣୁ ସୁରେଶ ସବୁ କିଛି ବିକି ଭାଙ୍ଗି ଦବାକୁ ରାଜି ଥିଲେ। ଝିଅର ଖୁସି ଠାରୁ ବଡ଼ ଆଉ କ'ଣ ଅଛି ତାଙ୍କ ଜୀବନରେ। ସେ ତ ତାଙ୍କର ସବୁକିଛି। ଟଙ୍କା ଆଉ କାହା ଲାଗି ରଖିବେ। ସୁରେଶ ଥିଲେ ଗାଁଆ ପ୍ରାଇମେରୀ ସ୍କୁଲରେ ପିଅନ। ଦୁଇ ବର୍ଷ ହେବ ଅବସର ନେଇଛନ୍ତି।ସ୍କୁଲ ଅନୁଦାନ ପାଉ ପାଉ ଲାଗିଗଲା ଦଶ ବର୍ଷ। ବିନା ପଇସାରେ ଦଶ ବର୍ଷ ଖଟିଲା ପରେ ତାଙ୍କୁ ମିଳିଥିଲା ଦରମା। ତେଣୁ ଯାହା ଦୁଇ ପଇସା ସଞ୍ଚିକି ରଖିଥିଲେ ସେତିକିରେ ସବୁ ଜିନିଷ ଯୋଗାଡ଼ କରିଥିଲେ। ଜମି କେଇ ଗୁଣ୍ଠକୁ ବି ବିକି ଦେଇଥିଲେ। ଯାହା ହେଲେ ମାସ ଶେଷକୁ ତ ପେନ୍ସନ ଗଣ୍ଡାକ ମିଳିବ। ଦୁଇଟା ଲୋକ କଣ ସେଥିରେ ଚଳି ପାରିବେନି। ଏତେ ସବୁ କଲା ପରେ ବି ଦୁଇ ଲକ୍ଷରୁ ପଚାଶ ହଜାର ଟଙ୍କା କମ୍ ହଉଥିଲା। ସେ ସମୁଦିଙ୍କୁ ଅନୁରୋଧ କରି କହିଥିଲେ ବାହାଘରର ଛଅ ମାସ ଭିତରେ ସବୁ ଟଙ୍କା ଦେଇଦେବେ। ବାହାଘର ଭଲରେ ଭଲରେ ହେଇଥିଲା। ତାଙ୍କର ଅତି ଆଦରର ନୟନ ପିତୁଳା କୁ ପର ଘରକୁ ବିଦା କରିଥିଲେ ଛାତିରେ ପଥର ରଖି। ସେଇ ଯେ ଗଲା ଝିଅ ତାଙ୍କର ଆଉ ଫେରିଲାନି। ଆଉ ବାପଘର ମୁହଁ ଦେଖିଲାନି। ଅଷ୍ଟମଙ୍ଗଳାକୁ ତା ଶାଶୁ ଶ୍ୱଶୁର ଛାଡ଼ିଲେନି। ସଫା ସଫା କହିଲେ ଯେପର୍ଯ୍ୟନ୍ତ ବାକି ଟଙ୍କା ନ ଦେଇଛ ସେପର୍ଯ୍ୟନ୍ତ ଝିଅ ସହ ତମର କୈାଣସି ସମ୍ପର୍କ ନାହିଁ।ଶାନ୍ତିଙ୍କ ଆଖିରୁ ଲୁହ ଶୁଖୁନଥିଲା। ଝିଅକୁ ଟିକେ ଦେଖିବା ଲାଗି ମନ ଡହଳ ବିକଳ ହଉଥିଲା। ଚୁନି ପାଖକୁ ଫୋନ କଲେ କିଛି କହି ପାରେନି ସେ। ଥର ଥର କଣ୍ଠରେ ଖାଲି ଏତିକି କହେ ବାପାଙ୍କୁ କହିବୁ ଟଙ୍କା ଆଣି ଆସିବେ। ତାପରେ ଫୋନ୍ କଟିଯାଏ। ସେଇ ଦିନରୁ ଟଙ୍କା ଯୋଗାଡ଼ରେ ଲାଗିଥିଲେ ସୁରେଶ। ଗୋଟେ ଦୋକାନରେ ତାଙ୍କୁ କାମ ମିଳିଥିଲା। ସେଥିରୁ ଯାହା ଦରମା ଆଉ ପେନ୍ସନ୍ ଟଙ୍କା ମିଶେଇ କିଛି ସଞ୍ଚିଥିଲେ। ଚୁନି ବାହାଘରର ଚାରି ମାସ ପରେ ପଡ଼ିଥିଲା ସାବିତ୍ରୀ। ତାର ଏଥର ନୂଆ ସାବିତ୍ରୀ ସହ ପ୍ରଥମ ରଜ ତା ଶାଶୁ ଘରେ।ତେଣୁ ଦଶହଜାର ଟଙ୍କା ସହ ଝିଅ ପାଇଁ ଶାଢୀ, ଫଳ ମୂଳ, ରଜ ଭାର ସବୁ ଯୋଗାଡ଼ କରିଥିଲେ ଶାନ୍ତି। ଚୁନି ତାଙ୍କର ଭାରି ଭଲ ପାଏ ପୋଡପିଠା ଖାଇବାକୁ। ସେଥିପାଇଁ ତାଙ୍କ ଘରେ ବିନା ରଜରେ ବି ପୋଡପିଠା ହେଇଥାଏ। ତେଣୁ ଶାନ୍ତି ଭଲକି ଛେନା, ନଡ଼ିଆ ଦେଇ ପୋଡପିଠା ଟିଏ କଲେ ଚୁନି ପାଇଁ ଦବା ଲାଗି। ଝିଅ ଘରକୁ କଣ ପୁଣି ଆଉଥରେ ରଜକୁ ଯାଇହେବ। ତା ଶାଶୁ ଘରେ କାଳେ କଣ ଭାବିବେ। ଝିଅ ତାଙ୍କର ଭାରି ଖୁସି ହେବ ତାଙ୍କ ହାତ ତିଆରି ପୋଡପିଠା ଦେଖି। ସବୁ ଭାର ଥୋର ନେଇ ଯାଇଥିଲେ ସୁରେଶ ଝିଅକୁ ଟିକେ ଦେଖି ଆସିବା ଲାଗି। କିନ୍ତୁ ତା ଶାଶୁ ଶ୍ୱଶୁର ତାଙ୍କୁ ଦେଖା କରିବାକୁ ଦେଲେନି। ଟଙ୍କା ଦଶ ହଜାର ରଖି ବାକି ସବୁ ଜିନିଷ ଫେରେଇ ଦେଲେ। ଆଉ ଚାଳିଶି ହଜାର ନଦେଲେ ଏ ଘରର ଦୁଆର ମୁହଁ ମାଡିବନି ବୋଲି କହିଲେ। ଯେତେ ଅନୁନୟ ହେଇ କହିଲେ ବି କେହି ଶୁଣିଲେନି ତାଙ୍କ କଥା। ଶେଷରେ ପୋଡପିଠା ଟିକୁ ବି କେହି ରଖିଲେନି। ଅଧା ଆଉଜା କବାଟ ସେପଟୁ ଝିଅର ଲୁହ ଛଳ ଛଳ ଆଖି ଦୁଇଟି ଦିଶୁଥିଲା। ଦୁଃଖ ଆଉ ଅପମାନରେ ଫେରି ଆସିଥିଲେ ସୁରେଶ। ଶାନ୍ତିଙ୍କ ଆଗରେ ଛୋଟ ପିଲା ଭଳି କଇଁ କଇଁ ହେଇ କାନ୍ଦୁଥିଲେ। ସେଇ ଦିନରୁ ସେମାନେ ରକ୍ତକୁ ପାଣି କରି ଖଟୁଥିଲେ ଟଙ୍କା ଯୋଗାଡ କରିବା ଲାଗି। ଶାନ୍ତି ବାରି ଢିଅରେ ପରିବା ଚାଷ କରି ଗାଆଁରେ ବିକୁଥିଲେ। ଯେତେ ସମ୍ଭବ କମ୍ ଖର୍ଚ୍ଚରେ ଚଳୁଥିଲେ ଦୁହେଁ। କେବଳ ଝିଅକୁ ଟିକେ ଖୁସିରେ ରଖିବା ପାଇଁ। ହେଲେ ସେ କଣ ଯାଣିଥିଲେ ସେ ରାକ୍ଷସ ମାନଙ୍କ ପାଖରେ ତାଙ୍କ ଝିଅ କେବେବି ଶାନ୍ତିରେ ରହି ପାରିବନି। ସେମାନଙ୍କ ପାଇଁ ଖାଲି ଟଙ୍କା ବଡ଼। ସେ ନିର୍ଦୟ ଲୋକଗୁଡା ସ୍ନେହ ମମତାର ମୂଲ୍ୟ କିଛି ବୁଝନ୍ତିନି। ଏଇ ଚାରି ମାସରେ ପୁରା ଚାଳିଶି ହଜାର ଟଙ୍କା ରଖି ସାରିଥିଲେ ଦୁହେଁ। ସବୁ ଜିନିଷ ସଜାଡୁ ଥିଲେ ଶାନ୍ତି। ଏଥର ତା ଶାଶୁ ଘର ଲୋକେ ଖୁସିରେ ସବୁ ଗ୍ରହଣ କରିବେ। ସୁରେଶଙ୍କୁ ତାଗିଦ୍ କରି କହୁଥିଲେ ସମୁଦିଙ୍କୁ କହିବ ଏଥର ଦଶହରା କୁ ଯେମିତି ହେଲେ ଝିଅ ଜୋଇଁଙ୍କୁ ପଠେଇବେ। ଆଠ ମାସ ହେଲା ତାକୁ ଦେଖି ନାହାଁନ୍ତି।ଏଇ ଆଠ ମାସ ତାଙ୍କୁ ଆଠ ବର୍ଷ ପରି ଲାଗୁଥିଲା। ଅତି ଯତ୍ନରେ ପୋଡପିଠା ଟିଏ କରିଥିଲେ ଝିଅ ପାଇଁ। ହେଲେ ସବୁ ଆଶା ତାଙ୍କର ମଉଳି ଯାଇଥିଲା ଅଦିନିଆ କାଳ ବୈଶାଖୀରେ।ପୋଡପିଠା ଚୁଲିରେ ବସିଥିଲା। ଥରକୁ ଥରକୁ ଯାଇ ଦେଖୁଥିଲେ ଶାନ୍ତି ଯେମିତି ପାଗ ଟିକେବି ବିଗିଡି ନଯାଏ। ରାତି ପାହିଲେ ସୁରେଶ ଯାଇଥାନ୍ତେ ଝିଅ ଘରକୁ। ରାତି ସାରା ନିଦ ନଥାଏ ଦୁହିଁଙ୍କୁ। ଥରକୁ ଥର ଉଠି ଘଣ୍ଟା ଦେଖୁଥାନ୍ତି। ହଠାତ୍ ଭୋର୍ ପାଞ୍ଚଟାରୁ ଚୁନି ଶାଶୁଘରୁ ଫୋନ୍ ଆସିଲା, ଚୁନି ବେକରେ ରସି ଲଗେଇ ଆତ୍ମହତ୍ୟା କରିଛି। ଚାରିଆଡ ଅନ୍ଧାର ଦିଶୁଥିଲା ଶାନ୍ତିଙ୍କୁ ସେ ସେଇଠି ସଜ୍ଞାହୀନ ହେଇ ଯାଇଥିଲେ। ଆଖି ଖୋଲିଲା ବେଳକୁ ଗାଁଆଟା ସାରା ଲୋକ ତାଙ୍କ ଘରେ ରୁଣ୍ଡ ହେଇଥିଲେ। ସାହିର ଜଣେ ଭାଇକୁ ନେଇ ବାହାରୁଥିଲେ ସୁରେଶ ଚୁନିର ଶାଶୁ ଘରକୁ। ଶାନ୍ତି ଏକା ଜିଦ୍ କରିଥିଲେ ସାଙ୍ଗରେ ଯିବାକୁ। ଶେଷ ଥର ପାଇଁ ଟିକେ ଝିଅକୁ ମନ ପୁରେଇ ଦେଖିବାକୁ। ସାଙ୍ଗରେ ନେଇକି ଯାଇଥିଲେ କରିଥିବା ପୋଡପିଠା ତାକୁ ଶେଷ ଥର ପାଇଁ ଖୁଆଇବାକୁ। ଶାଶୁ ଘର ବାରଣ୍ଡାରେ ପଡ଼ିଥିଲା ଚୁନିର ଅଷାଡ ଦେହଟା। ତା ପାଖରେ ତା ଘର ଲୋକେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ତା ଶାଶୁ କାନ୍ଦି କାନ୍ଦି କହୁଥିଲେ କାଲି ପୁଅ ଘରେ ନଥିଲା ତା ସାଙ୍ଗ ଘରକୁ ଯାଇଥିଲା।ସକାଳ ପାଞ୍ଚଟା ବେଳକୁ ମୁଁ ବୋହୂକୁ ଡାକିଲାରୁ ସେ ଶୁଣିଲାନି। ସମସ୍ତଙ୍କୁ ଡାକି କବାଟ ଭାଙ୍ଗିଲାରୁ ଦେଖିଲୁ ସେ ଫ୍ୟାନ୍ ରେ ଝୁଲିଛି।ତା ସ୍ୱାମୀ କହୁଥାଏ ସେ ସବୁବେଳେ ଅନ୍ୟ ମନସ୍କ ରହୁଥିଲା। ଭଲରେ ପଦେ କଥା ହୁଏନି କାହା ସହ। ସବୁବେଳେ ଚିଡି ଚିଡି ହୁଏ। ଦୁଃଖ ଆଉ ରାଗରେ ଗର୍ଜି ଉଠିଲେ ଶାନ୍ତି। ଏତେ ବଡ ମିଛ କଥା ମୋ ଝିଅ ନାଁଆରେ। ଏମାନେ ମୋ ଝିଅକୁ ମାରିଦେଲେ। ବାପା ମାଆ ଦୁହେଁ ମଥା ପିଟି କାନ୍ଦୁଥିଲେ ଚୁନିର ମଲା ଦେହଟାକୁ କୋଳରେ ଧରି। ସେ ଜାଣିଥିଲେ ତାଙ୍କ ଝିଅ ଏତେବି ଦୂର୍ବଳ ନଥିଲା ଯେ ସେ ଆତ୍ମହତ୍ୟା କରିବ। ଚୁନିର ସେ ଡଉଲ ଡାଉଲ ଚେହେରା ଆଉ ନଥିଲା। ଦିନ କେଇଟାରେ ଶୁଖି କଳା ପଡି ଯାଇଥିଲା ସେ। ମୁହଁରୁ କଷ୍ଟ ଆଉ ଯନ୍ତ୍ରଣାର ଚିହ୍ନ ସ୍ପଷ୍ଟ ବାରି ହେଇ ପଡୁଥିଲା। ଛାତି ଫଟେଇ କାନ୍ଦୁଥିଲେ ଦୁହେଁ। ସେମାନଙ୍କ ଉପରେ ଅଭିଶାପ ବର୍ଷଣ କରି ଚାଲିଥିଲେ ଶାନ୍ତି। ମାରିଦେଲେ ସେ ପାପୀ ମାନେ ତାଙ୍କ ଅଲିଅଳି ଝିଅକୁ। ଉଠଲୋ ମୋ ମାଆ, ମୋ ଧନ, ଦେଖ୍ ତୋ ବାପା ବୋଉ ଆସିଛନ୍ତି।ଥରଟେ ଆଖି ଖୋଲ ମୋ ରାଣୀ କଣ୍ଢେଇ। ଥରଟେ ବୋଉ ବୋଲି ମୋତେ ଡାକ୍। ଅତି ବିକଳରେ ବାହୁନୁଥିଲେ ଦୁହେଁ। ପାଗଳୀଙ୍କ ଭଳି ଶାନ୍ତି ପୋଡପିଠାରୁ ଖଣ୍ଡେ ଗୁଞ୍ଜୁଥିଲେ ଝିଅର ପାଟିରେ। କହୁଥିଲେ ଦେଖ୍ ମୁଁ ତୋର ଅତି ପ୍ରିୟ ପୋଡପିଠା କରି ଆଣିଛି। ଟିକେ ଖାଇଦେ ମୋ ଧନ। ଏସବୁ ଦୃଶ୍ୟ ଦେଖି ସେଠି ଜମା ହେଇଥିବା ସବୁ ଲୋକଙ୍କ ଆଖିରୁ ଲୁହ ବୋହୁଥିଲା। ଆଣିଥିବା ଚାଳିଶ ହଜାର ଟଙ୍କାକୁ ସେମାନଙ୍କ ଉପରକୁ ଫିଙ୍ଗି ଦେଇ ସୁରେଶ କହୁଥିଲେ, ଫେରେଇ ଦିଅ ମୋ ଲକ୍ଷ୍ମୀ ପ୍ରତିମାକୁ, ଫେରେଇ ଦିଅ ମୋ ଗଣ୍ଠିଧନକୁ। ପୋଲିସ ଆସିଥିଲା ସେଠିକୁ। କିନ୍ତୁ ସେମାନଙ୍କ ସମ୍ପର୍କ ବହୁତ ବଡ଼ ବଡିଆଙ୍କ ସହ ଥିଲା। ତା ସହ ପୁଅ ତାଙ୍କର କୋର୍ଟରେ ଚାକିରି କରିଥିବାରୁ ସେଇଠି ଟଙ୍କା ଦେଇ କେଶ୍ ଟାକୁ ରଫାଦଫା କରିଦେଲେ। ଚୁନି ତା ମାନସିକ ସନ୍ତୁଳନ ହରେଇ ଆତ୍ମହତ୍ୟା କରିଛି ବୋଲି ପ୍ରମାଣିତ ହେଲା। ହାରିଗଲା ଗୋଟେ ଗରିବ ବାପାର ସବୁ ସାହାସ। ନଇଁଗଲା ଝିଅକୁ କାନ୍ଧରେ ବସେଇ ଜହ୍ନ ଦେଖଉ ଥିବା ଗୋଟେ ନିରିହ ବାପାର ମୁଣ୍ଡ। ହାରିଗଲା ଗୋଟେ ଦୁଃଖିନୀ ମାଆର ସବୁ ସ୍ନେହ ମମତା। ଭାଙ୍ଗି ଟୁକୁଡ଼ା ଟୁକୁଡ଼ା ହେଇଗଲା ଦୁଇଟା ମଣିଷଙ୍କ ସବୁ ଦମ୍ଭ ଆଉ ସାହାସ। ହାରି ଯାଇଥିଲେ ସେମାନେ ଜୀବନର ବାଜିରେ।କେହି ଶୁଣିନଥିଲେ ସେମାନଙ୍କ କଥା। ମଶାଣିକୁ ନେଇ ଯାଇଥିଲେ ତାଙ୍କ ନୟନ ପିତୁଳାକୁ। ଜିଅନ୍ତା ଶବ ପରି ଘରକୁ ଫେରିଥିଲେ ଦୁହେଁ। ଏବେ ଖାଲି ବଞ୍ଚିଛନ୍ତି ବୋଲି ପେଟକୁ ମୁଠେ ଖାଉଛନ୍ତି। ଜୀବନଟା ଆଜି ଅଭିଶାପ ପାଲଟିଛି ତାଙ୍କ ପାଇଁ। କାନ୍ଦି କାନ୍ଦି ଆଖିକୁ ଆଉ ଭଲରେ ଦିଶୁନି। ସେମିତି ଘୁଷୁରି ଘୁଷୁରି ଜିଇଁଛନ୍ତି ମୃତ୍ୟୁର ଅପେକ୍ଷାରେ। କେବେ ମାସ ପରେ ମାସ ବଦଳି ବର୍ଷ ସରି ଯାଉଛି, କି କେତେବେଳେ ରଜ, ଦଶହରା ଆସି ସରି ଯାଉଛି ତାର କୈାଣସି ହିସାବ ଆଉ ରଖୁନାହାନ୍ତି ଦୁହେଁ। ତାଙ୍କ ପାଇଁ ସବୁକିଛି ମୂଲ୍ୟହୀନ।ଚୁନି ଭାରି ଭଲପାଏ ଏଇ ରଜ ପର୍ବ ଟିକୁ। ଛୋଟ ଥିଲା ବେଳେ ବାରମ୍ବାର ପଚାରୁଥିବ ବୋଉ ରଜ କେବେ ଆସିବ। ସବୁବେଳେ ସକାଳୁ ପାଞ୍ଚ ଥର ନଡାକିଲେ ଉଠୁନଥିବା ଝିଅ ରଜ ଦିନ ରାତି ନପାହୁଣୁ ଉଠି ରେଡି ହେଇ ସାରିବଣି। ଶାନ୍ତିଙ୍କ ଗୋଡ଼ ବି ତଳେ ଲାଗେନି ଝିଅର ଏଇ ଖୁସି ଦେଖି। କୁନି ଝିଅର ମଥାରେ ଟିପି ଚନ୍ଦନ, ଗୋଡରେ କମ ଅଳତା, ନେଲ୍ ପୋଲିସ୍ , ମେହେନ୍ଦି ଲଗେଇ ନୂଆ ଡ୍ରେସ୍ ପିନ୍ଧେଇ ପରୀ ଟିଏ ପରି ସଜେଇ ଦିଅନ୍ତି ତାକୁ। ଘର ଓଳା ଝାଡୁରୁ ଟିକେ ଆଣି ବାନ୍ଧି ଦିଅନ୍ତି ଝିଅର ବେକରେ ଥିବା ମାଳିରେ। ତାଙ୍କ ଝିଅଠି ଯେମିତି କାହାର ନଜର ନଲାଗେ। ସୁରେଶ ବାରି ଆମ୍ବ ଗଛରେ ଦୋଳି ବାନ୍ଧି ଦିଅନ୍ତି। ତା ପ୍ରିୟ ପୋଡପିଠା ଖାଇ ସାଙ୍ଗ ମେଳରେ ଦୋଳି ଖେଳରେ ଲାଗିଯାଏ ଚୁନି। ବଡ଼ ହେଲା ପରେ ବି ଏଇ ରଜକୁ ଚାତକ ଭଳି ଅନେଇ ଥିବ ସେ। ରଜ ସରିଗଲେ କହିବ ବୋଉଲୋ ଏଇ ରଜ ପର୍ବଟା ତିନି ଦିନ ନହେଇ ପାଞ୍ଚ ଦିନ ହେଇ ଥିଲେ ଭଲ ହେଇ ନଥାନ୍ତା। ମୁଁ ଆହୁରି ଅଧିକ ମଜା କରିଥାନ୍ତି। ଝିଅର ଏମିତି ପିଲାଳିଆ କଥାରେ ହସି ଉଠନ୍ତି ସେ। ଠାକୁରଙ୍କୁ ଡାକନ୍ତି ଝିଅକୁ ସବୁବେଳେ ଏମିତି ଖୁସିରେ ରଖ। ହଠାତ୍ ସୁରେଶଙ୍କ ଡାକରେ ଭାବନାରୁ ଫେରି ଆସିଲେ ସେ। ସୁରେଶ କହୁଥିଲେ ସଞ ହେଲାଣି ପରା, ଯାଅ ସଞବତୀଟେ ଜାଳ। ଚୁନି ଗଲାଦିନୁ ତାଙ୍କ ଠାକୁର ଘର ଖାଲି ପଡ଼ିଛି। ସବୁ ଠାକୁରଙ୍କୁ ନେଇ ପାଣିରେ ବିସର୍ଜନ କରି ଦେଇଛନ୍ତି ସୁରେଶ। କାହିଁକି ପୂଜିବେ ସେ ପଥର ଦେବତାକୁ। କାହା ଶୁଭ ମନାସି ଆଉ ଦୀପ ଜାଳିବେ। ଖାଲି ଯାହା ବଡବଡୁଆଙ୍କ ପାଖେ ସକାଳେ ଫୁଲପାଣି ଟିକେ ଆଉ ସଞରେ ସଞବତୀଟେ ଜାଳି ଦିଅନ୍ତି। ଆଖିରୁ ଲୁହ ପୋଛି ଉଠିଲେ ସେ। ସଞ ଦେଇସାରି ନାଲି ଚା ସହ ମୁଢ଼ି ମୁଠାଏ ନେଇ ଦେଲେ ସୁରେଶଙ୍କୁ। ଦୁହିଁଙ୍କର ରାତିର ଖାଇବା ଏଇ ମୁଢ଼ି ଚା। ରାତିର ରୋଷେଇ ନଥାଏ ତାଙ୍କର। ଆଉ କୋଉ ଭୋକ ବି ଲାଗୁଛି ଯେ ଏବେ।ନିଜେ ଚାରୁ ଢୋକେ ନେଇ ମୁଢ଼ି ଟିକେ ପାଟିରେ ପକେଇଲେ। ଆଜି କାଇଁ ତଣ୍ଟି ଭିତରକୁ ମୁଢ଼ି ମୁଠାକ ଗଳୁ ନଥିଲା। ତଣ୍ଟିରେ ଯେମିତି କଣ ଗୋଟେ ଲାଖିଗଲା। କାଶି କାଶି ପାଣି ଗ୍ଲାସ୍ ପିଇ ଶୋଇବାକୁ ଚାଲିଗଲେ ସେ। କିଏ ଯେମିତି ତାଙ୍କୁ ବହୁତ ମନେ ପକାଉଛି। କିଏ ଅଛି ଆଉ ତାଙ୍କର ମନେ ପକେଇବାକୁ। ଚୁନିର କରୁଣ ମୁହଁଟା ଆଖି ଆଗରେ ନାଚି ଗଲା। ଆହୁରି ଜୋରରେ କାନ୍ଦି ଉଠିଲେ ସେ। ସୁରେଶ ଆସି ପାଖରେ ବସିଲେ। ମଥାକୁ ଆଉଁସି ଦେଇ କହିଲେ କେତେ ଆଉ କାନ୍ଦିବ ଚୁନି ବୋଉ। ଏମିତି କାନ୍ଦିଲେ ଆମ ଝିଅ କ'ଣ ଆଉ ଫେରି ଆସିବ। ନିଜକୁ ପଥର କରି ଦିଅ। ତାଙ୍କ ଆଖିରୁ ବି ବହୁଥିଲା ଧାର ଧାର ଲୁହ।

ହଠାତ୍ ରାତି ଅଧରେ ନିଦ ଭାଙ୍ଗିଗଲା ଶାନ୍ତିଙ୍କର। ଏମିତି ଏକ ସ୍ୱପ୍ନ ସେ କାହିଁକି ଦେଖିଲେ। ଆଗରୁ କେବେ ତ ଏମିତି ହେଇ ନଥିଲା। ସ୍ୱପ୍ନରେ ତାଙ୍କୁ ଚୁନି କାନ୍ଦି କାନ୍ଦି କହୁଥିଲା, ବୋଉଲୋ ତୁ ଏବର୍ଷ ବି ମୋ ପାଇଁ ପୋଡପିଠା କରିବୁନି। ମୁଁ ତୋ ହାତ ତିଆରି ପୋଡପିଠାକୁ ବହୁତ ଝୁରୁଛି। ତୋ ହାତରୁ ପିଠା ଖଣ୍ଡେ ନଖାଇଲେ ମୋ ଆତ୍ମା ଶାନ୍ତି ପାଇବନି। ସେ ମନେ ମନେ କହି ଉଠିଲେ ହଁ ମୁଁ ନିଶ୍ଚୟ ତୋ ପାଇଁ ପୋଡପିଠା କରିବି। ଆଉ ନିଦ ହେଲାନି ତାଙ୍କୁ। ସୁରେଶଙ୍କୁ ଉଠେଇ ସବୁ କଥା କହିଲେ। ସକାଳୁ ସୁରେଶ ଯାଇ ବଜାରରୁ ନଡ଼ିଆ, ଛେନା କିଣିକି ଆଣିଲେ। ବଳ ପାଉନଥିଲେ ବି ସେମିତି ଚାଉଳ ଚୁନା ଗଣ୍ଡାଏ କଲେ ଶାନ୍ତି। ଛେନା, ନଡ଼ିଆ, ଗୁଡ଼ ଦେଇ ଭଲକି ପୋଡପିଠା ଟିଏ କଲେ। ସବୁତକ ପିଠା ନେଇ କଦଳୀ ପତ୍ରରେ ବାରିଆଡେ ରଖି ସେ ଡାକୁଥିଲେ ଚୁନିକୁ। ଆ ଲୋ ମୋ ମାଆ ଖାଇବୁ ଆ ମୁଁ ତୋ ପାଇଁ ପିଠା ଆଣିଛି। ପାଗଳ ପରି ସୁରେଶ ବି ବାରି ସାରା ବୁଲି ବୁଲି ଡାକୁଥିଲେ। କାନ୍ଦି କାନ୍ଦି ଦୁହେଁ ଲୋଟୁଥିଲେ ସୁନ୍ଦରୀ ଆମ୍ବ ଗଛ ତଳେ, ଯୋଉଠି ଚୁନି ରଜରେ ଦୋଳି ବାନ୍ଧି ଝୁଲୁଥିଲା।


Rate this content
Log in

Similar oriya story from Tragedy