Sanskruti Mohanty

Tragedy

3  

Sanskruti Mohanty

Tragedy

ଅନୁତାପ

ଅନୁତାପ

5 mins
468


ଆଦ୍ୟ ଆଶାଢ଼ର ପହିଲି ବର୍ଷାରେ ଭିଜି ଯାଉଛି ଧରିତ୍ରୀର ଦେହ ଆଉ ମନ। ବଗିଚାରେ ଫୁଲ ଗୁଡିକ ମେଘର ପରଶ ପାଇ ପୁଲକିତ ହୋଇ ଉଠୁଛନ୍ତି। କେଉଁ ଏକ ଅଜଣା ରାଇଜର ରାଜକୁମାର ମେଘର ପାଲିଙ୍କିରେ ବସି ଯାଉଛି ତା ନବବଧୂ ପାଖକୁ। ବାହାରେ କୁନି କୁନି ପିଲାମାନେ କାଗଜ ଡଙ୍ଗା ଭସାଉଛନ୍ତି। ସେମାନଙ୍କୁ ଏକ ଲୟରେ ଚାହିଁ ରହିଛି ଭାବନା। ତାର ଇଚ୍ଛା ହେଉଛି ଯାଇ କାଗଜର ନାଆ ଭସେଇବାକୁ। ହେଲେ ସେ ତ ସେ ବୟସକୁ କେବେଠୁ ଅତିକ୍ରମ କରି ସାରିଛି। ସତରେ କେତେ ଭଲ ଥିଲା ସେ ଦିନ ଗୁଡିକ। ସାଙ୍ଗ ମାନଙ୍କ ସହିତ ଟିପ୍ ଟିପ୍ ବର୍ଷାରେ ଓଦା ହବାକୁ ଭାରି ଭଲ ଲାଗେ ତାକୁ। ହେଲେ ବାପାଙ୍କ ଡ଼ରରେ ସେ ଯାଇ ପାରେନି। ବାପା ଗାଳିଦେବେ କହିବେ ଥଣ୍ଡା ଜ୍ୱର ହବ। ସେତେବେଳେ ସେ ଭାରି ରାଗିଯାଏ ତାଙ୍କ ଉପରେ। ଭାବେ ଏମିତିକା ଜଣେ ଲୋକ କାହିଁକି ତା ବାପା ହଉଥିଲେ କେଜାଣି। କିନ୍ତୁ ସେତେବେଳେ ସେ କଣ ବୁଝି ପାରୁଥିଲା ବାପାଙ୍କର ସେ ସ୍ନେହଭରା ଗାଳିକୁ। ସେଇ ଗାଳି ଭିତରେ ଯେ ତା ପାଇଁ କେତେ ସ୍ନେହ ଶ୍ରଧା ଲୁଚି ରହିଥିଲା ସେକଥା ସେ ଆଜି ବୁଝି ପାରୁଛି। ବାପା ତାକୁ କେତେ ଭଲ ପାଉଥିଲେ। ତାକୁ ଜନ୍ମ ଦେଇ ମାଆ ତାର ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ସମସ୍ତେ କହୁଥିଲେ ଏଇଟା ଅମଙ୍ଗଳୀଟା ଜନ୍ମ ହଉ ହଉ ମାଆକୁ ଖାଇଲା। ବାପା କିନ୍ତୁ ଏସବୁ କଥା ଭାବି ନଥିଲେ। ଉଭୟ ମାଆ ଆଉ ବାପାର ସ୍ନେହ ଦେଇଥିଲେ। ମାଆର ଅଭାବ ଅନୁଭବ କରିବାକୁ ଦେଇନଥିଲେ ତାକୁ। ଜେଜେମା କହୁଥିଲା ବାପାଙ୍କୁ ଦ୍ୱିତୀୟ ବିବାହ କରିବାକୁ। କିନ୍ତୁ ରାଜି ହେଇନଥିଲେ ବାପା। କାଳେ ସେ ତାଙ୍କ ଝିଅକୁ ହଇରାଣ କରିବ। ତାର ସବୁ ଅଳିକୁ ପୁରଣ କରୁଥିଲେ। ଏସବୁ ଦେଖି ଜେଜେମା କହୁଥିଲା ଝିଅକୁ ଏତେ ମୁହଁ ଦଉଛୁ ଦେଖିବୁ ଦିନେ ସେ ତୋ ମୁଣ୍ଡ ତଳକୁ କରିଦବ। ସେ କହୁଥିଲେ ଦେଖିବୁ ଝିଅ ମୋର ଏମିତି କାମ କରିବ ଯେ ମୁଁ ତା ପାଇଁ ମୁଣ୍ଡ ଟେକି ବାଟ ଚାଲିବି। କିନ୍ତୁ ତାଙ୍କ ସ୍ୱପକୁ ସେ କଣ ପୁରା କରିପାରିଲା। ତାଙ୍କ ସ୍ନେହ ମମତା ବଦଳରେ ସେ କଣ ଦେଲା ତାଙ୍କୁ। ଗୁଡାଏ ଦୁଃଖ ଆଉ ଅପମାନ।ସବୁଦିନ ପାଇଁ ଲିଭେଇ ଦେଲା ତାଙ୍କ ଓଠରୁ ହସ ଟିକକ। କାହିଁକି ସେ ଏମିତି କଲା। କେମିତି ସେ ଏତେ ବଦଳି ଗଲା। ଯେଉଁ ବାପାଙ୍କୁ ଦିନେ ନ ଦେଖିଲେ ସେ ରହି ପାରୁ ନଥିଲା, ଯାହା ବିନା ତାକୁ ସବୁ ଅନ୍ଧାର ଦିଶୁଥିଲା, ତାଙ୍କୁ ବାଦ୍ ଦେଇ ସେ କେମିତି ନିଜ ଜୀବନର ସବୁଠୁ ବଡ କାମଟି କରିଦେଲା। କେମିତି ଏକ ଅବ୍ରାହ୍ମଣ ପୁଅର ହାତ ଧରି ଘରୁ ଚାଲି ଆସିଲା।ଭାବିଲାନି ଥରେ ବାପାଙ୍କ କଥା। ବୁଝି ପାରିଲାନି ତାଙ୍କ ହୃଦୟର ଦୁଃଖକୁ। କିନ୍ତୁ ସେତେବେଳେ ତ ତାକୁ ଜିତ୍ ର ପ୍ରେମ ଛଡା ଆଉ କିଛି ବି ଦିଶୁ ନଥିଲା। ଜିତ୍ ର ପ୍ରେମ ପାଖରେ ତା ବାପାଙ୍କ ଭଲପାଇବା ଫିକା ପଡି ଯାଇଥିଲା। ତେଣୁ ସେ ସବୁଦିନ ପାଇଁ ସ୍ନେହ ମମତାର ରଜ୍ଜୁଟି କାଟି ଦେଇ ଚାଲି ଆସିଲା ଜିତ୍ ପାଖକୁ।ଜିତ୍ ତାକୁ ଦେଇଛି ଭରପୂର ଭଲପାଇବା । ତା ଘରେ ବି ତାକୁ ଦେଇଛନ୍ତି ବୋହୂର ମର୍ଯ୍ୟାଦା। କିନ୍ତୁ କିଏ କଣ ଦେଇ ପାରିଛି ତା ବାପାଙ୍କ ସ୍ନେହ, ତାଙ୍କ ଆନ୍ତରିକତା। ସେ ଭାବୁଥିଲା ବାପା ଯଦି ଜିତ୍ ସହ ତା ବାହାଘରକୁ ମାନି ନେଇ ଥାନ୍ତେ ତାହେଲେ ସେ ଆଜି ଅନୁତାପର ନିଆଁରେ ଜଳୁ ନଥାନ୍ତା।କାହିଁକି ସେ ଦୂର କରି ପାରିଲେନି ଜାତି ପ୍ରଥାର ଅନ୍ଧବିଶ୍ୱାସକୁ। ଯିଏ ଝିଅର ଖୁସି ପାଇଁ ସବୁକିଛି କରୁଥିଲେ ଏଥିପାଇଁ କାହିଁକି ନିଷ୍ଠୁର ହେଇଗଲେ। ସେଦିନର କଥା ଏବେବି ମନେଅଛି ଭାବନାର ଯୋଉଦିନ ସେ ଜିତ୍ ସହ ବାହାଘର କଥା ଉଠେଇ ଥିଲା ବାପାଙ୍କ ପାଖରେ। ବାପା ସେଦିନ ରାଗରେ ନିଆଁ ହେଇଯାଇଥିଲେ। ପ୍ରଥମ ଥର ପାଇଁ ତାକୁ ଚାପୁଡା ମାରିଥିଲେ ଆଉ କହିଥିଲେ ତୁ ମୋ ଝିଅ ହେଇ ଏମିତି କାମ କରିପାରିଲୁ। ତୋତେ ପିଲାଟି ବେଳୁ ଏତେ ସ୍ନେହ ଦେଇ ବଡ କରିଥିଲି କଣ ଏଇଥି ପାଇଁ। ମୋ ନିଜ କଥା  ଭୁଲି ତୋତେ ଉଭୟ ବାପା ଓ ମାଆର ସ୍ନେହ ଦେଇଥିଲି ଏଇ ଦିନ ଦେଖିବାକୁ। ମୋ ମାନ୍ ଇଜ୍ଜତ ସବୁ ମାଟିରେ ମିଶେଇ ଦେଲୁ। କାଲି ସକାଳେ ଏ ଗାଁ ଲୋକେ ମୋତେ ଥଟ୍ଟା କରି କହିବେ ଦେଖ ମିଶ୍ର ମାଷ୍ଟ୍ରେଙ୍କ ଝିଅ କେମିତି ଗୋଟେ ତଳ ଜାତିର ପୁଅକୁ ଭଲପାଇ ବାହା ହଉଛି। ମୁଁ ରାସ୍ତାରେ ଆଉ ମୁଣ୍ଡ ଟେକି ଚାଲି ପାରିବି?  ଭୁଲିଯା ସେ ପିଲାକୁ। ଏ ବାହାଘର କଦାପି ହେଇ ପାରିବନି। ସେ କେବଳ ଚାହିଁ ରହିଥିଲା ବାପାଙ୍କୁ।ସେ କେବେବି ଏମିତି ରୂପରେ ତାଙ୍କୁ ଦେଖି ନଥିଲା।ତା ଆଖିର ଲୁହ ଆଉ ତା ମନର ଦୁଃଖ କିଛି ବି ଛୁଇଁ ପାରିନଥିଲା ବାପାଙ୍କ କୋଠର ହୃଦୟକୁ। ସେ ତାଙ୍କ ନିଷ୍ପତ୍ତିରେ ସେମିତି ଥିଲେ ଅଟଳ। ଦାଦା, ଖୁଡି ଯେତେ ବୁଝେଇଲେ ବି ସେ କାହା କଥା ଶୁଣି ନଥିଲେ। ଶେଷରେ ତାର ବାହାଘର ଠିକ୍ କରିଥିଲେ ତାଙ୍କ ପିଲା ଦିନର ବନ୍ଧୁଙ୍କ ପୁଅ ସହ। ସବୁ ଆଶା ମଉଳି ଯାଇଥିଲା ଭାବନାର। ନିଜକୁ ଶକ୍ତ କରିଥିଲା।  ଭୁଲିଗଲା ତା ବାପା ନାମଧାରୀ ନିରୀହ ମଣିଷଟିକୁ।  ଭୁଲିଗଲା ତା କର୍ତ୍ତବ୍ୟକୁ । ଆଉ ସବୁ ସ୍ନେହ ମମତାକୁ ପଛରେ ପକେଇ ବାପାଙ୍କ ପାଇଁ ଚିଠି ଟିଏ ଛାଡି ସେ ଚାଲି ଆସିଥିଲା ଜିତ୍ ପାଖକୁ। ସେଇଦିନୁ ଆଜିକୁ ପାଞ୍ଚ ବର୍ଷ ହେଇଗଲାଣି ସେ ଆଉ ଫେରିନି ଘରକୁ। କେମିତି ଯିବ। କୋଉ ମୁହଁ ନେଇ ସେ ଠିଆ ହବ ତାଙ୍କ ଆଗରେ। ତାଙ୍କର ସବୁ ଦମ୍ଭ,ସାହସ ଓ ସମ୍ମାନକୁ ତ ସେ ଧୁଳିସାତ କରିଦେଇଛି।କେମିତି ସାମ୍ନା କରିବ ତାଙ୍କୁ। ଜିତ୍ ତାକୁ କେତେଥର କହିଛି ବାପାଙ୍କ ପାଖକୁ ଯାଇ କ୍ଷମା ମାଗିବାକୁ। କିନ୍ତୁ ଯାଇ ପାରିନି ଭାବନା। ତା ପାଦ ଦୁଇଟିରେ କିଏ ଯେମିତି ଶିକୁଳି ବାନ୍ଧି ଦେଇଛି। ସେଇଦିନୁ ସେ ଜଳୁଛି ଅନୁତାପର ନିଆଁରେ ହୁତ ହୁତ ହେଇ। ନିଜ ଭିତରେ ଅନୁଭବ କରୁଛି ବିବେକର ଦଂଶନ। କେମିତି ବଞ୍ଚିଥିବେ ସେ ଆଜି ଯାଏ।ପ୍ରତି ମୁହୂର୍ତରେ ସେ ଅନୁଭବ କରୁଥିବେ ତାର ଅନୁପସ୍ଥିତିକୁ। ସେଦିନ ଖୁଡି ଫୋନ୍ କରି କହୁଥିଲେ, ଭାବନା ତମେ ଗଲାଦିନୁ ଭାଇଙ୍କ ଦେହ ଆଉ ଭଲ ରହୁନି। ସେ ଏବେ ପୁରା ଚୁପଚାପ ହେଇ ଯାଇଛନ୍ତି। ଆଗର ସେ ହସଖୁସିଆ ଚେହେରା ଆଉ ତାଙ୍କର ନାହିଁ।ଖୁଡିଙ୍କ କଥା ଗୁଡିକ ଯେମିତି ତା ଦେହରେ କଣ୍ଟା ଭଳି ଫୋଡି ହେଇଗଲା। ସତରେ କେତେ ଦୁଃଖ ନଦେଲା ସେ ବାପାଙ୍କୁ। ସେ ବି ଏଠି କୋଉ ସୁଖରେ ଅଛି ଯେ। ସବୁବେଳେ ତା ବିବେକ ତାକୁ ତିରଷ୍କାର କରୁଛି।ଏମିତି ଭାବି ଭାବି ବେଳେବେଳେ ତା ଆଖିରୁ ଲୁହ ଶୁଖେନି। ଶାନ୍ତିରେ ଟିକେ ଶୋଇ ପାରେନି ସେ। ନିଦରୁ ଉଠି ଯାଇ ଚିତ୍କାର କରେ, ବାପା ମୋତେ କ୍ଷମା କରିଦିଅ।ଜିତ୍ ତାକୁ ଛାତିକୁ ଆଉଜେଇ ନେଇ ଆଶ୍ୱାସନା ଦିଏ। ମଥା ଆଉଁସି ଦିଏ। କିନ୍ତୁ ସେ ଖୁସି ହେଇ ପାରେନି ଜିତ୍ ର ଏତେ ଭଲପାଇବା ଭିତରେ। କେଉଁଠି ଯେମିତି ଟିକେ ଅଭାବ ରହିଗଲା ଭଳି ଅନୁଭବ କରେ। ସେ ଅଭାବଟି ହେଉଛି ତା ବାପାଙ୍କ ସ୍ନେହ। ଯାହାକୁ ଜିତ୍ କେବେବି ପୂରଣ କରି ପାରିବନି। ମନ ତାର କହିଉଠେ ତୁ କେବେ ସୁଖୀ ହେଇ ପାରିବୁନି ଭାବନା। ଅନ୍ୟ ଜଣଙ୍କ ଆଖିରେ ଲୁହ ଦେଇ ତୁ କେବେବି ସୁନାର ସଂସାର ଗଢି ପାରିବୁନି। ତା ଅଭିଶାପରେ ତୁ ଜଳିଯିବୁ। ତାହାଲେ ସେ କଣ କରିବ।ଫେରିଯିବକି ଆଉ ବାପାଙ୍କ ପାଖକୁ।ତାଙ୍କ ପାଦ ଧରି କହିବକି ବାପା ମୋତେ କ୍ଷମା କରିଦିଅ।ତମେ ମୋତେ ଯାହା ଶାସ୍ତି ଦବ ଦିଅ ମୁଁ ସବୁ ସହିବି।ତମେ ଥରୁଟିଏ ମୋତେ କ୍ଷମା କରିଦିଅ। ସେ କଣ ତାକୁ କ୍ଷମା ଦେବେନି।ବାପା ସିନା ତାକୁ ମୁହଁରେ ତେଜ୍ୟା କରି ଦେଇଥିଲେ କିନ୍ତୁ ତାଙ୍କ ମନ ଭିତରେ ତା ପାଇଁ ବହୁଥିବା ସ୍ନେହ ପ୍ରେମର କୋମଳ ଝରଣାଟି କଣ ଶୁଖି ଯାଇଥିବ।ସେ ତାକୁ ନିଶ୍ଚୟ କ୍ଷମା କରିଦେବେ।ହଁ ସେ ଯେମିତି ହେଲେ ଯିବ ।ଏଇ ମୁହୂର୍ତ୍ତରେ ସେ ଯିବ ବାପାଙ୍କ ପାଖକୁ।ତା ଆଖିରୁ ବହୁଥିଲା ଧାର ଧାର ଲୁହ। ସେ ଲୁହ ଭିତରେ ସେ ଦେଖି ପାରୁଥିଲା ତା ବାପାଙ୍କର ମୁହଁ।ତାଙ୍କ ଆଖି ଦୁଇଟି ଲୁହରେ ଛଳ ଛଳ ହଉଥିଲା।ତା ଭିତରେ ଯେମିତି ଲୁଚି ରହିଥିଲା ତାକୁ ଦୂର କରି ଦେଇଥିବାର ଅକୁହା ବେଦନା।ଆହୁରି ଯୋରରେ କାନ୍ଦି ଉଠିଲା ଭାବନା।ହଠାତ୍ ଫୋନ୍ ର ରିଂ ରେ ପ୍ରକୃତିସ୍ଥ ହେଲା ସେ।ଥର ଥର ହାତରେ ଫୋନ୍ ଉଠେଇଲା। ସେପଟୁ ଖୁଡିଙ୍କ କଥା ସବୁ ତାକୁ ଅସ୍ପଷ୍ଟ ଶୁଭୁଥିଲା।ସେ କହୁଥିଲେ ଭାଇ ଆଉ ନାହାଁନ୍ତି।ସମସ୍ତଙ୍କ ଉପରେ ଅଭିମାନ କରି ସେ ଚାଲିଗଲେ ସବୁଦିନ ପାଇଁ। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନେବା ବାଟରେ ହିଁ ମୃତ୍ୟୁ ଘଟିଲା। କିନ୍ତୁ ଶେଷ ସମୟ ଯାଏବି ତାଙ୍କ ଆଖି ଦୁଇଟି କେବଳ ତମକୁ ଖୋଜୁଥିଲା। କିଛି ବି ଶୁଣି ପାରୁନଥିଲା ଭାବନା।ତା ଆଖିରୁ ଖାଲି ବୋହି ଚାଲିଥିଲା ଅନୁତାପର ଧାର ଧାର ଅଶ୍ରୁ।

 


Rate this content
Log in

Similar oriya story from Tragedy