Sanskruti Mohanty

Tragedy

3  

Sanskruti Mohanty

Tragedy

ଆକାଶର ତାରା

ଆକାଶର ତାରା

4 mins
503


କୃଷ୍ଣଚୂଡା ଗଛର ଲାଲ୍ ଫୁଲ ଗୁଡିକ ଅଗଣାରେ ବିଛେଇ ହେଇଯାଇଛି। ସତେ ଯେପରି କିଏ ଏକ ଲାଲ୍ ଗାଲିଚା ବିଛେଇ ଦେଇଛି। ଜହ୍ନର ରୂପେଲି କିରଣ ସେଇ ଫୁଲ ଉପରେ ପଡି ତାକୁ ଆହୁରି ସୁନ୍ଦର କରୁଛି। ସେଇଠି ଧ୍ୟାନ ମଗ୍ନ ଋଷି ଟିଏ ପରି ବସି ରହିଛି ଇତି। ଅପଲକ ଆଖିରେ ସେ ଚାହିଁଛି ଆକାଶକୁ। ଚିକ୍ ମିକ୍ କରୁଥିବା ତାରା ମାନଙ୍କ ଭିତରୁ ସେ ଖୋଜୁଛି ତା ମାମାକୁ। ଜେଜେମା କହୁଥିଲା ମାମା କୁଆଡେ ଆକାଶର ତାରା ହେଇ ଯାଇଛି। ହେଲେ କାଇଁ ସେ ତ ଦେଖି ପାରୁନି ତାକୁ। କେମିତି ସେ ଜାଣିବ ଯେ କୋଉ ତାରାଟା ହଉଛି ତା ମାମା। କାହାକୁ ସେ ପଚାରିବ ଏକଥା। ଏମିତି ଅନେକ ପ୍ରଶ୍ନର ଉତ୍ତର ସେ ଖୋଜି ପାଉନଥିଲା। ତା କୁନି ମନ ଟିରେ ସୃଷ୍ଟି ହେଉଥିଲା ଅସଂଖ୍ୟ ପ୍ରଶ୍ନବାଚୀ। ତା ଆଖିରେ ଚିକ୍ ମିକ୍ କରି ଉଠିଲା ମୁକ୍ତା ଭଳି ଦୁଇ ଟୋପା ଲୁହ। ମାମା ତାକୁ କାହିଁକି ଏମିତି ଏକା କରି ଚାଲିଗଲା। ସେ ତ ଯୁଆଡେ ଯାଏ ତାକୁ ସାଙ୍ଗରେ ନେଇକି ଯାଏ। ସେ ବି ମାମା ପାଖ ଯମା ଛାଡେନି। ସେଥିପାଇଁ ପାପା ବେଳେବେଳେ ବିରକ୍ତ ହୁଅନ୍ତି। ତାକୁ ଆଉ ମାମାକୁ ଗାଳି ଦିଅନ୍ତି। କିନ୍ତୁ ସେ ଏମିତି କୁଆଡେ ଗଲାଯେ ତାକୁ ନେଲାନି। ଜେଜେମା କହୁଥିଲା ସେ ଠାକୁରଙ୍କ ପାଖକୁ ଯାଇଛି । ଠାକୁର ଯାହାକୁ ବେଶୀ ଭଲ ପାଆନ୍ତି ସେ ତାକୁ ତାଙ୍କ ପାଖକୁ ନେଇ ଯାଆନ୍ତି। ଆଉ କେବେବି ଛାଡନ୍ତିନି। ସେ ଭାବୁଥିଲା ସତରେ ମାମା କଣ ଆଉ ଜମା ତା ପାଖକୁ ଆସିବନି। ତାର ଇଛା ହେଉଥିଲା ମାମା ମାମା ବୋଲି ଯୋରରେ ଡାକିବାକୁ। କିନ୍ତୁ କୋହରେ ରୁନ୍ଧି ହେଇଗଲା ତା କଣ୍ଠ। ଗୋଟିଏ ବି ଶବ୍ଦ ବାହାରୁ ନଥିଲା ତା ପାଟିରୁ। ସେଇ ଲୁହଭରା ଆଖିରେ ସେ ଦେଖି ପାରୁଥିଲା ତା ମାମାର ସୁନ୍ଦର ମୁହଁ ଟିକୁ। ଆହୁରି ଯୋରରେ କାନ୍ଦି ଉଠିଲା ସେ। ମନେ ପଡୁଥିଲା ତାର ସେଇ ଦିନର କଥା।

ସବୁଦିନ ପରି ସେଦିନ ବି ମାମା ତାକୁ ସ୍କୁଲକୁ ଛାଡିବାକୁ ଯାଇଥିଲା। ସ୍କୁଲ ଗେଟ୍ ଭିତରେ ପଶିବା ପୂର୍ବରୁ ସେ ତାକୁ କେତେ ଗେଲ୍ହା କରିଥିଲା। ଇତି ବି ମାମାର ଗୋରା ଗାଲରେ ଆଙ୍କି ଦେଇଥିଲା ଛୋଟ ଚୁମା ଟିଏ। ସେଇ ଦିନଟି ଥିଲା ଇତିର ସବୁ ହସ ଖୁସିର ଶେଷ ଦିନ। ମାମା ଘରକୁ ଫେରିବା ବେଳେ ଟ୍ରକ ସହ ଧକ୍କା ହେଲା। ତାକୁ ସାଙ୍ଗେ ସାଙ୍ଗେ ହସ୍ପିଟାଲ ନିଆଗଲା। କିନ୍ତୁ ହସ୍ପିଟାଲ ଗଲାଯେ ଆଉ ଫେରିଲାନି। ଇତି ସ୍କୁଲରୁ ଆସି ତାକୁ କେତେ ଖୋଜିଲା, ଜିଦ୍ ଧରିଲା ତା ପାଖକୁ ଯିବ ବୋଲି। କିନ୍ତୁ ତାକୁ କେହି ନେଲେନି ତା ମାମା ପାଖକୁ। ଘରେ ସମସ୍ତେ ଯେମିତି ପଥର ପାଲଟି ଯାଇଥିଲେ। ବାପା, ଦାଦା, ଜେଜେମା କାହା ମୁହଁରେ ହସ ନଥିଲା। ସମସ୍ତେ କାନ୍ଦୁଥିଲେ। ସେ କିଛି ବୁଝି ପାରୁନଥିଲା। ତା ପରଠୁ ସବୁ ବଦଳି ଯାଇଥିଲା। ସମସ୍ତେ ଭଲ ହେଇ ଯାଇଥିଲେ। ତାକୁ ଆଗ ଅପେକ୍ଷା ବେଶୀ ଭଲ ପାଉଥିଲେ। କିନ୍ତୁ ମାମା ଥିଲା ବେଳେ ତ ଏମିତି ହଉନଥିଲା। ସେ ସବୁବେଳେ ସମସ୍ତଙ୍କୁ ଖୁସି କରିବାକୁ ଚାହୁଁଥିଲା। ଘରର ସବୁ କାମ କରୁଥିଲା। କିନ୍ତୁ ତାକୁ କେହି ଭଲ ପାଉ ନଥିଲେ। ଜେଜେମା ସବୁବେଳେ ତା ଉପରେ ରାଗୁଥିଲା, ତାକୁ ଗାଳି ଦଉଥିଲା। ବାପା ବି ତା ଉପରେ ଚିଡୁଥିଲେ,କହୁଥିଲେ ତମକୁ ବାହା ହେଇ ମୋ ଜୀବନଟା ନଷ୍ଟ ହେଇଗଲା। ମାମା ବହୁତ କାନ୍ଦୁଥିଲା। କିନ୍ତୁ ମାମା କେମିତି ପାପାଙ୍କ ଜୀବନକୁ ନଷ୍ଟ କଲା ସେକଥା ତାର ପିଲା ମନ ଆଦୌ ବୁଝି ପାରୁନଥିଲା। ଏ ଶବ୍ଦ ସବୁ ତାକୁ ନୂଆ ଲାଗୁଥିଲା।

ଦାଦା ଯମା ପାଠ ପଢୁ ନଥିଲେ, ସବୁବେଳେ ଟି.ଭି. ଦେଖୁଥିଲେ, ସାଙ୍ଗ ମାନଙ୍କ ସହ ମିଶି ବାହାରେ ବୁଲୁଥିଲେ । ମାମା ତାଙ୍କୁ କେତେ ବୁଝଉ ଥିଲା। ସେ କିନ୍ତୁ କିଛି ଶୁଣୁ ନଥିଲେ। ଓଲଟା ତାକୁ ଗାଳି ଦଉଥିଲେ। ସେ କେତେ ମନଦୁଃଖ କରୁଥିଲା। କିନ୍ତୁ ଏବେ ସେ ପୁରା ବଦଳି ଯାଇଛନ୍ତି। ସବୁବେଳେ ତାଙ୍କ ରୁମରେ ବସି ପଢୁଛନ୍ତି। ବୋଉ ବି ଏବେ ଖାଲି ମାମା କଥା କହି କାନ୍ଦୁଛି। ନିଜକୁ ନିଜେ ଗାଳି ଦଉଛି। ପାପା ତ ପୁରା ଚୁପ୍ ହେଇ ଯାଇଛନ୍ତି। ଏବେ ଆଉ ଇତି ଉପରେ ଯମା ରାଗୁ ନାହାଁନ୍ତି। ତାକୁ ସ୍କୁଲରେ ଛାଡୁଛନ୍ତି,ପାଠ କହି ଦଉଛନ୍ତି, ବୁଲେଇବାକୁ ନଉଛନ୍ତି, ତା ପାଇଁ ଖେଳଣା ଆଣୁଛନ୍ତି ଆଉ ରାତିରେ ଶୋଇଲା ବେଳେ ଗପ ବି କହୁଛନ୍ତି। ସେଦିନ ରାତିରେ ତା ନିଦ ଭାଙ୍ଗି ଯିବାରୁ ସେ ଦେଖିଲା, ପାପା ମାମାର ଫଟୋ ପାଖରେ ବସି କାନ୍ଦୁଛନ୍ତି ଆଉ କହୁଛନ୍ତି ମୁଁ ତମକୁ ଜୀବନରେ ଟିକେବି ଖୁସି ଦେଇ ପାରିଲିନି। ମୋ ଉପରେ ଥିବା ତମର ସବୁ ଆଶା ଭରସାକୁ ମୁଁ ଭାଙ୍ଗିଦେଲି। ତମେ ମୋତେ କ୍ଷମା କରିଦବ। ସେ ଭାବୁଥିଲା ଯଦି ମାମା ଥିବା ବେଳେ ସମସ୍ତେ ତାକୁ ଏମିତି ଭଲ ପାଇଥାନ୍ତେ, ତାହାଲେ ସେ କେତେ ଖୁସି ହେଇଥାନ୍ତା। ସେତେବେଳେ ତ କେହି ତା କଥା ଶୁଣିଲେନି ଆଉ ଏବେ ଭାବିଲେ କ'ଣ ହବ। ମାମା କୁଆଡେ ତା ବାପା ମାଆଙ୍କ କଥା ନମାନି ପାପାଙ୍କୁ ମନ୍ଦିରରେ ବାହା ହେଇ ତା ଘରୁ ଚାଲି ଆସିଥିଲା। ସେଥିପାଇଁ ଜେଜେମା ତାକୁ ପ୍ରତି କଥାରେ ଗାଳି ଦଉଥିଲା। ମାମାର ବି ତା ବାପା ମାଆଙ୍କ ସହ କିଛି ସମ୍ପର୍କ ନଥିଲା। ଇତି କେବେ ତା ମାମୁଁ ଘର ଦେଖିନି। ଏଇ ଭୂଲ୍ ପାଇଁ ମାମା ସବୁବେଳେ ଅନୁତାପ କରୁଥିଲା। ଲୁଚି ଲୁଚି ବହୁତ କାନ୍ଦୁଥିଲା। ଇତି ପଚାରିଲେ କଥା ଭୂଲେଇ କହୁଥିଲା, ମୋ ଆଖିରେ କ'ଣ ଗୋଟେ ପଡିଗଲା ତ ଲୁହ ବାହାରିଲା। ଅତି ଜିଦି କଲେ କହୁଥିଲା ତୁ ଏବେ ଛୋଟ ପିଲା ସେସବୁ ବୁଝି ପାରିବୁନି। ବଡ ହେଇଯା ସବୁ ଜାଣିଯିବୁ। ସେ ଭାବୁଥିଲା ମାମା ଯଦି ଏବେ ଫେରି ଆସନ୍ତା, ତାହେଲେ ତାକୁ ସମସ୍ତେ ଏମିତି ଭଲ ପାଆନ୍ତେ ନା ତା ଉପରେ ପୁଣି ରାଗନ୍ତେ। ହଠାତ୍ କାନ୍ଧରେ କାହା ଶ୍ପର୍ଷ ପାଇ ପଛକୁ ବୁଲି ଚାହିଁଲା ସେ। ପାପା ଠିଆ ହେଇଛନ୍ତି। ଆଖିରେ ତାଙ୍କର ଟଳ ମଳ ହେଉଛି ଦୁଇ ବୁନ୍ଦା ଲୁହ। ପଚାରିଲେ ମାଆରେ ଏଠି ଏକା ବସି କଣ କରୁଛୁ। ସେ କହିଲା ତାରା ମେଳରୁ ମାମାକୁ ଖୋଜୁଥିଲି। କିନ୍ତୁ ଯମା ପାଉନି। ଆସନା ପାପା ତମର ମୋର ମିଶିକି ଖୋଜିବା। ତାକୁ ଛାତିରେ ଜାକି ଧରି ଛୋଟ ପିଲାଟେ ପରି କଇଁ କଇଁ ହେଇ କାନ୍ଦି ଉଠିଲେ ପାପା। କହିଲେ ଦେଖ୍ ଯୋଉ ତାରାଟା ସବୁଠୁ ବେଶୀ ଚିକ୍ ମିକ୍ କରୁଛି ସେ ହଉଛି ତୋ ମାମା। କୋହ ମିଶା କଣ୍ଠରେ ସେ ପଚାରିଲା, ମାମା କ'ଣ ଆଉ କେବେବି ଆସିବନି ଆମ ପାଖକୁ। ପାପା କହିଲେ ତୋ ମାମା ସବୁବେଳେ ଆମ ପାଖେ ପାଖେ ଅଛି। ସେ ସବୁ ଜାଣି ପାରୁଛି। ତୁ ଯଦି ଭଲ ପାଠ ପଢିବୁ ଆଉ ଜମା କାନ୍ଦିବୁନି ତାହେଲେ ସେ ବହୁତ ଖୁସି ହବ। କିନ୍ତୁ ତୁ ଯଦି ସବୁବେଳେ ଏମିତି କାନ୍ଦିବୁ, ତାହେଲେ ମାମା ବହୁତ ମନ ଦୁଃଖ କରିବ ଆଉ କାନ୍ଦିବ ବି। ସେ କହିଲା ନାଇଁ ପାପା ମୁଁ ତମକୁ କଥା ଦଉଛି ମୁଁ ଆଜିଠୁ ଆଉ କେବେବି କାନ୍ଦିବିନି। ସବୁବେଳେ ସୁନା ଝିଅ ହେବି। ମୋ ମାମାର ମୁଁ ସବୁକଥା ମାନିବି। ପାପାଙ୍କ ଛାତିରେ ମୁଣ୍ଡ ଗୁଞ୍ଜି ଆଖିର ଲୁହକୁ ପୋଛି ଦେଇ ଆକାଶକୁ ଚାହିଁଲା ଇତି। ଜହ୍ନ ଭିତରୁ ତାକୁ ଦିଶୁଥିଲା ମାମାର ହସହସ ମୁହଁ ଠିକ ତାଙ୍କ ଠାକୁର ଘରେ ପୂଜା ପାଉଥବା ମା ଲକ୍ଷ୍ମୀଙ୍କ ଫଟୋ ଭଳି। 


Rate this content
Log in

Similar oriya story from Tragedy