Sanskruti Mohanty

Inspirational

3  

Sanskruti Mohanty

Inspirational

ସମ୍ପର୍କ

ସମ୍ପର୍କ

3 mins
7.6K


ସରିତା ଚାଲିଯିବା ଆଜିକୁ ତିନି ଦିନ ହେଲାଣି, ସେମିତି ସେଇ ଚେୟାର ଉପରେ ବସି ରହିଛନ୍ତି ସୁଶାନ୍ତ।ଦିନ,ରାତି, ଭୋକ, ଶୋଷର କିଛି ଫରକ ପଡୁନି ତାଙ୍କ ଉପରେ।ସେ ଯେମିତି ପଥର ହେଇ ଯାଇଛନ୍ତି।ସାଇ,ଭାଇ,ବନ୍ଧୁ ବାନ୍ଧବ ସମସ୍ତେ ଆସି ସାନ୍ତ୍ଵନା ଦେଉଛନ୍ତି। ଏ ପରିଣତ ବୟସରେ ଏତେ ବଡ ଧକ୍କା କେମିତି ସହିବେ ସେ।ପୁଅ ବୁବୁନ୍ ଆଖିରୁ ଲୁହ ଶୁଖୁନି। ମା ବିନା ସେ କେମିତି ଚାଲିବ ଜୀବନର ଲମ୍ବା ରାସ୍ତା।ଏବେ ତ ସେ ଜମା କିଶୋର ବୟସରେ ପାଦ ଦେଇଛି। କାହିଁକି ଏକା କରି ଚାଲି ଗଲ ସରିତା।ଟିକେ ଭାବିଲନି ଆମ ବାପ ପୁଅଙ୍କ କଥା।ତମେ ଏତେ ସ୍ୱାର୍ଥପର ହେଇ ପାରିଲ।ହଠାତ ଚମକି ପଡିଲେ ସୁଶାନ୍ତ।କିଏ ସ୍ୱାର୍ଥପର, ସରିତା ନା ସେ ନିଜେ।କାହା ଯୋଗୁଁ ସରିତା ଆଜି ଆରପାରି ରେ।କୋଡିଏ ବର୍ଷର ଦାମ୍ପତ୍ୟ ଜୀବନରେ ସେ କି ସୁଖ ଦେଇଛନ୍ତି ତାଙ୍କୁ।ସେ ତ ତାଙ୍କ ପାଇଁ ତିଳ ତିଳ କରି ଜାଳି ଛନ୍ତି ନିଜକୁ।ନିଜର ସବୁ ଇଚ୍ଛା କୁ ଆହୁତି ଦେଇଛନ୍ତି।କିନ୍ତୁ କେବେବି ତାଙ୍କ ମନକୁ ବୁଝିନାହାନ୍ତି ସୁଶାନ୍ତ।ବରଂ ନିଜ ଇଚ୍ଛା କୁ ଲଦି ଦେଇଛନ୍ତି।ସବୁବେଳେ ସ୍ୱାମୀତ୍ୱର ଅଧିକାର ଜାହିର କରିଛନ୍ତି, ଦେହରେ ଆଉ ମନରେ।ସବୁ କଷ୍ଟ, ଯନ୍ତ୍ରଣା କୁ ଛାତିରେ ଚାପି ରଖି ଦିନକୁ ଦିନ ରୋଗିଣା ହେଇଗଲେ ସରିତା ଆଉ ଶେଷରେ ଆଜି ଚାଲି ଗଲେ ଆରପାରିକୁ।ନିଜ ଇଚ୍ଛାରେ ତ ସେ ତାଙ୍କୁ ବିବାହ କରିଥିଲେ। ବହୁତ ଝିଅ ଦେଖି ରିଜେକ୍ଟ କଲା ପରେ ପ୍ରଥମ ଦେଖାରେ ହିଁ ସରିତା ତାଙ୍କର ପସନ୍ଦ ହେଇଥିଲେ।ଘର ଲୋକଙ୍କ ମନରେ ଦବା ନବାକୁ ନେଇ ଟିକେ ଅଶାନ୍ତି ରହିଥିଲେ ବି ସେ ଜିଦ୍ ଧରିଥିଲେ ସେଇଠି ବିବାହ କରିବା ଲାଗି।

ପରେ ଅବଶ୍ୟ ସବୁ ଠିକ୍ ହେଇଯାଇଥିଲା।କିନ୍ତୁ ସେ ନିବିଡ଼ ଭାବେ ଭଲ ପାଇ ପାରିଥିଲେ କି ସରିତାଙ୍କୁ। ବାପା, ବୋଉଙ୍କ ଆଗ୍ୟାଁଧୀନ ପୁଅର କର୍ତ୍ତବ୍ୟ କରୁକରୁ ସ୍ତ୍ରୀ କୁ ଅଣଦେଖା କରିଥିଲେ।ବୋଉ ଙ୍କ କଥାରେ ଉଠବସ ହେଉଥିଲେ କହିଲେ ଭୁଲ ହବନି।କୌଣସି କଥାରେ ପଦେ କହିବାର ଅଧିକାର ବି ନଥିଲା ସରିତାଙ୍କର।ଘରର କିଛି ଗୁରୁତ୍ୱପୂର୍ଣ୍ଣ କଥା ତାଙ୍କୁ କହିବାକୁ ଉଚିତ ମଣୁ ନଥିଲେ ସୁଶାନ୍ତ।ଟଙ୍କା ପଇସା କଥା ତ ବିଲ୍କୁଲ୍ ନୁହେଁ।ସରିତା ବଞ୍ଚି ଥିଲେ ଜଣେ ବାହାର ଲୋକ ଭଳି।ଘରର ସବୁ କାମ କରିବା,ସୁଶାନ୍ତ ଙ୍କୁ ତାଙ୍କ ମନ ପସନ୍ଦର ଖାଇବା ରାନ୍ଧିକି ଦେବା ଆଦି କୌଣସି କଥାରେ କେବେ ହେଳା କରୁ ନଥିଲେ ସେ।ହେଲେ ସ୍ତ୍ରୀର ଅଧିକାର ଟିକକ ପାଇ ନଥିଲେ।ଜଣକ ମଥାରେ କେବଳ ସିନ୍ଦୂର ଦେଲେ ସେ ସ୍ତ୍ରୀ ହେଇ ଜାଏନି।ସେ ବହୁତ କିଛି ଆଶା କରେ ସ୍ୱାମୀ ଠାରୁ।ଜାହାର ଘୋର ଅଭାବ ଥିଲା ସୁଶାନ୍ତଙ୍କ ପାଖରେ।ସବୁ କଥାରେ ସେ ସରିତାଙ୍କୁ ତାସ୍ଛଲ୍ୟ କରନ୍ତି।କୁହନ୍ତି ବି.ଏ ପାସ୍ ଝିଅ ଆସିଛୁ ମୋତେ ଏଠି ଶାସନ କରିବୁ।ସରିତାଙ୍କ ଆଖି ରୁ ଝରିଆସେ ଅପମାନ ଆଉ ଘୃଣା ର ତତଲା ଲୁହ କେଇ ବୁନ୍ଦା।କିନ୍ତୁ ସେ କେବେ ବୁଝି ଛନ୍ତି ସେ ଲୁହର କଷ୍ଟକୁ?ତାଙ୍କୁ ତ କେହି ବାଧ୍ୟ କରିନଥିଲେ ସରିତାଙ୍କ ଭଳି ବି.ଏ ପାସ୍ ଝିଅକୁ ବିବାହ କରିବାକୁ।ସେ ନିଜ ଇଛାରେ ବାହା ହେଇଥିଲେ।ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଜଣେ ସଫ୍ଟଓୟାର ଇଞ୍ଜିନିୟର ହୋଇ,ମେଟ୍ରୋ ସିଟରେ ରହୁଥିଲେ ବି ତାଙ୍କ ମେଣ୍ଟାଲିଟ ଥିଲା ବହୁତ ନୀଚ୍ଚ।କିଛି ପ୍ରତିବାଦ କରନ୍ତିନି ସରିତା, ଭାବନ୍ତି ସେ ବଦଳି ଯିବେ।କିନ୍ତୁ ସେ ମିଛ ସ୍ୱପ୍ନ ଦେଖି ଦେଖି ଚାଲିଗଲେ ସବୁଦିନ ପାଇଁ।ବଦଳିଲେନି ସୁଶାନ୍ତ।ଶ୍ୱଶୁର ଘର ସହ ସମ୍ପର୍କ ରଖିବାକୁ ଇଚ୍ଛା କରନ୍ତିନି ସୁଶାନ୍ତ।କାରଣ ବୋଉ ତାଙ୍କର ମନା କରନ୍ତି।

ଝିଅ ବାହା ହେଇ ଆସିଲା ପରେ ଶାଶୁଘର ତାର ସର୍ବସ୍ୱ। ଏତେ ବାପ ଘରକୁ କଣ ଯିବ।ପୁଅ ତାଙ୍କର ଶ୍ୱଶୁର ଘର ଗଲେ କାଳେ ସେମାନେ ତାକୁ ଶିଖେଇ ତାଙ୍କଠୁ ଛଡେଇ ନେବେ।ବୋଉର ଏଇ ଉଦ୍ଭଟ ଚିନ୍ତାଧାରାକୁ ବି ତାଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ ପୁଅ ଆଖି ବୁଜି ବିଶ୍ୱାସ କରିନିଅନ୍ତି। ସେ ଯାନ୍ତି ନାହିଁ କି ସରିତାଙ୍କୁ ଯିବାକୁ ଦିଅନ୍ତିନି। ଆଃ କେତେ କଷ୍ଟ ପାଇଥିବେ ସରିତା। ଆଜି ସେ ଅନୁଭବ କରୁଛନ୍ତି ତାଙ୍କ ଦୁଃଖକୁ। ଅଜଣାତରେ ସୁଶାନ୍ତଙ୍କ ଆଖିରୁ ଗଡି ଆସିଲା ଦୁଇଧାର ଲୁହ।ବାହାରି ଆସିଲା ଏକ ଛାତି ଥରା ଦୀର୍ଘଶ୍ୱାସ। ସରିତା ନିଜର ସବୁ କିଛି ସମର୍ପି ଦେଇଥିଲେ ତାଙ୍କ ପାଖରେ।ଅଜାଡି ଦେଇଥିଲେ ସବୁ ଭଲପାଇବା।ହେଲେ ତା ବଦଳରେ ସେ କଣ ଦେଲେ ତାଙ୍କୁ।ନିରାଶାରେ ଭରିଦେଲେ ତାଙ୍କ ଜୀବନକୁ।ସେଦିନ ତ ସେ ସବୁ ସୀମା ଡେଇଁ ଯାଇଥିଲେ, ଯୋଉଦିନ ତାଙ୍କ ଉପରକୁ ହାତ ଉଠେଇ ଥିଲେ।ବୋଉ ଓ ଭାଇବୋହୂ ଭିତରେ ହେଇଥିବା ଝଗଡ଼ାର ସବୁ ଦୋଷ ଲଦି ଦେଇଥିଲେ ସରିତାଙ୍କ ମଥାରେ।ସମସ୍ତଙ୍କ ସାମ୍ନାରେ ମାଡ ମାରିଥିଲେ।ସେଇ ଦିନ ଠାରୁ ତାଙ୍କର ଫିକା ପଡ଼ି ଯାଇଥିବା ସମ୍ପର୍କ ଆହୁରି ଫିକା ଲାଗିଥିଲା।ଅତି ଯତ୍ନରେ ଗଣ୍ଠି ପକେଇ ରଖି ଥିବା ସମ୍ପର୍କକୁ ସରିତା ଜାଣି ଜାଣି ହୁଗୁଳା କରି ଦେଇଥିଲେ। ତଥାପି ସମସ୍ତଙ୍କ ନଜରରେ ଖୁସିରେ ରହିବାର ଅଭିନୟ କରୁଥିଲେ।ପୁଅର ଓ ତାଙ୍କର ଠିକ୍ ଭାବେ ଯତ୍ନ ନେଉଥିଲେ।କିନ୍ତୁ ତାଙ୍କ ଭିତରର ମଣିଷଟି କେବେଠୁ ମରିସାରି ଥିଲା।କିନ୍ତୁ ଏବେ ଏସବୁ ଭାବି ଲାଭ କଣ।ଆଉ କଣ ଫେରି ଆସିବେ ସରିତା।ଛୋଟ ଛୁଆ ଟିଏ ଭଳି କାନ୍ଦୁଥିଲେ ସୁଶାନ୍ତ।ଆଖି ଆଗରେ ଭାସି ଉଠୁଥିଲା ସରିତାଙ୍କ କରୁଣ ମୁହଁ।ତାଙ୍କ ଆଖି ଦୁଇଟି ଯେମିତି କହୁଥିଲା ଏବେ କାନ୍ଦିବାର ପାଳି ତୁମର ସୁଶାନ୍ତ।ତୁମର ବାକି ଜୀବନ ଏମିତି କାନ୍ଦି କାନ୍ଦି ବିତିବ, କିନ୍ତୁ ଲୁହ  ପୋଛିବାକୁ କେହି ନଥିବେ।ଚିତ୍କାର କରି ଉଠିଲେ ସୁଶାନ୍ତ, ମୋତେ କ୍ଷମା କରିଦିଅ ସରିତା।

ମୁଁ ପାପୀ,ମୁଁ ତୁମ ପ୍ରତି ବହୁତ ଅନ୍ୟାୟ କରିଛି। ମୋତେ କ୍ଷମା କର...ମୋତେ ଶାସ୍ତି ଦିଅ....।


Rate this content
Log in

Similar oriya story from Inspirational