Lipi Sahoo

Comedy

4.3  

Lipi Sahoo

Comedy

ଶୁଖୁଆ ନିଶା ଓ ଭୂତୁଣୀ

ଶୁଖୁଆ ନିଶା ଓ ଭୂତୁଣୀ

4 mins
198


ବହୁତ ଦିନ ତଳର କଥା । ଏଇ କଥାଟି ମୁଁ ଜେଜେଙ୍କ ଠାରୁ ଶୁଣିଥିଲି । ଜେଜେ ଯେତେବେଳ ଛୋଟ ଥିଲେ ତାଙ୍କ ଗାଁରେ ବନାଜେଜ ଆଉ ସୁଲଜେଜି ରହୁଥିଲେ । ସେ ଦୁହିଁଙ୍କର କିଛି ପିଲାପିଲି ନଥିଲେ । ଘରେ ଦୁଇ ପ୍ରାଣୀ ହିଁ ରୁହନ୍ତି । ବୁଢାର ବୟସ ପଞ୍ଚସ୍ତୋରୀ ଆଉ ବୁଢୀର ବୟସ ସତୁରୀ । 


ଢିଅସାହି ଝଙ୍କା ବରଗଛ ପାଖରେ ତାଙ୍କର ତିନି ବଖୁରିଆ ଚାଳଘର ଥିଲା । ପଛକୁ ଛୋଟିଆ ବାଡିଟେ ଥିଲା । ଶାଗ ଆଉ ଲଙ୍କା ସହ ଋତୁ ଅନୁସାରେ କିଛି ପରିବା ଗଛ ଲାଗିଥାଏ । ହେଲେ ବୁଢାବୁଢୀଙ୍କୁ ଶୁଖୁଆ ନିଶା ପ୍ରବଳ । ପଖାଳ ଆଉ ଶୁଖୁଆ ଖାଇବାକୁ ଦୁହେଁ ରଙ୍କ । ଖରା ହଉ କି ବର୍ଷା ହଉ କି ଶୀତ ନିତି ଦୁଇବେଳା ପଖାଳ ଶୁଖୁଆ ଖାଇବା ଦୁହିଁଙ୍କ ଥୟ । ତା ସାଙ୍ଗରେ ଶାଗ କି ଆଳୁ ବାଇଗଣ ପୋଡା କି ଭଜାଭଜି ହଉ କି ନ ହଉ କିଛି ଯାଏ ଆସେ ନାହିଁ । ଶୁଖୁଆଟା ହେବା ନିହାତି ଦରକାର । ସୁଲଜେଜି ନିଜେ ଘରେ ଶୁଖୁଆ ବନାଏ । ବନାଜେଜ ନଈରୁ ଠେକିଏ ଠେକିଏ ମାଛ ଧରି ଆସେ । ବୁଢୀ ସବୁକୁ ଗୋଟି ଗୋଟି ବାଛି ସଫା କରି ଲୁଣ ଗୋଳେଇ ଶୁଖାଏ । ଦିନ ସାରା ଖରାରେ ଜଗି ବସି ଥାଏ ଶୁଖୁଆକୁ । ଶୁଖୁଆ ଶୁଖୁ କି ନ ଶୁଖୁ ବୁଢି ନିଜେ ଖରାରେ ବସି ବସି କଳା କାଠ ପଡିଯାଏ । ଗୋଟିଏ କାଠରେ ଚାରିଟା ଖାଡି ଝୁଲେଇ ଦେଲେ ଯେମିତି ବୁଢୀର ଭେକ ସେମିତି । ବୁଢାର ବି କୋଉ କମ୍ କି ??? ନିତି ରାତି ଅଧରେ ଦୌଡିବ ନଈକୁ ମୁଗୁରା ଧରି । ରାତିରେ ବସେଇବ ଆଉ ସକାଳୁ ଠେକିରେ ଠେକିଏ ମାଛ ଧରି ଆସିବ । 


ବୁଢୀର ହାତ ତିଆରି ଶୁଖୁଆ ଭାରି ବାଗର । ଗାଁରେ ତାଠାରୁ ଲୋକେ କିଣିକି ପା.... ନିଅନ୍ତି ଶୁଖୁଆ । କେହି କେହି ଗାଁରେ ତାଙ୍କୁ ଶୁଖୁଆ ଜେଜ ଜେଜି ବୋଲି ଡାକନ୍ତି । ତାଙ୍କ ଘରେ ସବୁବେଳେ ଶୁଖୁଆର ମୃଦୁମନ୍ଦ ଗନ୍ଧ ଖେଳି ବୁଲୁଥାଏ । 


ଦିନକର ଘଟଣା । ମାଘମାସରେ ଯୋଉ ବାଘ ଭଳି ଶୀତ । ସେଥିରେ ସେ ଦିନ ଅମେଇସା ଥାଏ । କିଟିକିଟି ଅନ୍ଧାର ରାତି । ବୁଢା ବାହାରିଲା ମୁଗୁରା ବସେଇ ବାକୁ । ବୁଢୀ ଶୋଇ ଥାଏ ଘରେ । ମୋଟା ଗୋଟେ ଚଦର ଘୋଡାଇ ଥାଏ । ମୁଣ୍ଡରେ ଗାମୁଛା ବାନ୍ଧିଥାଏ ଆଉ ହାତରେ ଲାଠି ଧରିଥାଏ । କୋହଲା ପବନ ବୋହି ଚାଲିଥାଏ । କିଛି ବାଟ ଗଲା ପରେ ବୁଢାକୁ ଲାଗିଲା କେହି ଜଣେ ଯେମିତି ପଛରେ ଆସୁଛି । ଆଉ ତା ହାତରେ ଆଲୁଅ ଅଛି । ସେଇଥି ପାଇଁ ରାସ୍ତା ଅନ୍ଧାର ରାତିରେ ବି ପରିଷ୍କାର ଦିଶୁଛି । ବୁଢା ପଛକୁ ବୁଲି ଅନେଇଲା । ଦେଖିଲା ବୁଢୀ ଗୋଟେ ଚଦର ଘୋଡାଇ ହେଇ ହାତରେ ଲଣ୍ଠନ ଧରି ତା ପଛେ ପଛେ ଚାଲିଚି । ବୁଢା ଭାବିଲା କେବେ ତ ବୁଢୀ ଆସେନି.... ଆଜି କେମିତି ଆସିଚି ??? ସେ ପଚାରିଲା ତୁ କାଇଁ ଆସିଲୁ ଏଇ ହାଡଭଙ୍ଗା ଶୀତରେ ??? ବୁଢୀ କହିଲା ଆଜି ଅମେଇସା ରାତି । ତମକୁ ତ ଆଉ ଭଲ ଦିଶୁନି ସେଇଥିପାଇଁ ଲଣ୍ଠନ ଧରି ଆସିଲି । 


ବୁଢା ଆଉ କିଛି ନ ଭାବି ଆଗକୁ ଚାଲିଲା । ନଈରେ ପଶି ମୁଗୁରା ବସେଇଲା । ବୁଢୀ ସେମିତି ଲଣ୍ଠନ ଧରି କୂଳରେ ଠିଆ ହେଇଥାଏ । ବୁଢା ପାଣିରୁ ବାହାରି କହିଲା ଚାଲ ଯିବା ଘରକୁ । କାଲି ସକାଳେ ଆସିବି । ବୁଢା ଚାଲିଲା ବୁଢୀ ବି ପଛେ ପଛେ । ହେଲେ କିଛି କହୁ ନଥାଏ । ଘରେ ପହଞ୍ଚି ବୁଢା ଦେଖିଲା ବୁଢୀ ସେମିତି ଶୋଇଚି ଆଉ ତା ପାଖରେ କେହି ଜଣେ ବୁଢାର କନ୍ଥା ଘୋଡାଇ ଶୋଇଛି । ବୁଢାର ତ ମୁଣ୍ଡ ଘୂରାଇ ଗଲା । ମୋ ସାଙ୍ଗରେ ଯିଏ ଲଣ୍ଠନ ଧରି ଯାଇଥିଲା ସେ କିଏ ??? ଆଉ ବୁଢୀ ପାଖରେ ଯିଏ ଶୋଇଛି ସେ କିଏ ??? ପଛକୁ ବୁଲି ଦେଖିଲା କେହି ବି ନାହାଁନ୍ତି । ଆଗକୁ ବୁଲି ଦେଖିଲା ବୁଢୀ ପାଖରେ ଯିଏ ଶୋଇଥିଲା ସେ ବି ନାହିଁ । ବୁଢା ତ ବରଡା ପତର ଭଳି ଥରିଲା । ଭୂ .....ଭୂ କହି କଚାଡି ହେଇ ପଡିଲା ।


ବୁଢୀ ଧଡପଡ ହେଇ ଉଠିଲା । କ'ଣ ହେଲା... କ'ଣ ହେଲା କହି ବୁଢା ଦେହରେ ହାତ ବୁଲେଇ ଆଣିଲା । ବୁଢା ଗଁ ଗଁ ହୋଉଥାଏ । ଦେହରେ ଖଇ ଫୁଟିଲା ଭଳି ତାତି । ବୁଢୀ ତ ଗୋଟେ ନିଃଶ୍ୱାସରେ ଦୌଡିଲା ବାଗା ଗୁଣିଆ ପାଖକୁ । ବାଗା ଗୁଣିଆ ଭାରି ଟାଣୁଆ । ସେ ଆସି ତାକୁ ଝାଡିବା ଆରମ୍ଭ କଲା । ଗାଁ ତ ଉଠିଲା ପଡିଲା । ସବୁ ଆସି ଗଦା ହେଇ ପଡ଼ିଲେ ବନା ଜେଜ ଘର ଆଗରେ । ବୁଢାର ନାଟ କ'ଣ ଦେଖିବ !!!! କେତେବେଳ ଗଢୁଥାଏ ତଳେ ତ କେତେବେଳ ଦୌଡୁଥାଏ ପୁଣି କେତେବେଳ ନାଚୁଥାଏ । 


ବାଗା ସେମିତି ତାକୁ ଝାଡି ଚାଲିଥାଏ । ପଚାରିଲା ତୁ କିଏ ??? କାଇଁକି ଆସିଚୁ ??? ଗଁ ଗଁ ହେଇ ଜେଜ କହିଲା ମୁଁ ପାଖ ଗାଁ ଧୋବଲୀ ବୁଢୀ ....ମୋର ସେଠି କେହି ସାଙ୍ଗ ନାହାଁନ୍ତି, ମୁଁ ଏଇ ବୁଢାକୁ...ନେଇକି ଯିବି । ତା... ସାଙ୍ଗରେ ରହିବି ସେଠି । ମୋତେ ଏଇ ବୁଢାକୁ ନେବାକୁ ଦେ..... । ନ ହେଲେ ୟେ ଗାଁରେ କାହାକୁ ରଖେଇ ଦେବି...ନି ।


ବାଗା ଏଥର କାଢିଲା ଲମ୍ବା ପାଞ୍ଚଣ । ପିଟି ଦେଇଗଲା ଜେଜ ଭିତରେ ଥିବା ଭୂତୁଣୀକୁ । ଦିନ ଦିପହର ପର୍ଯ୍ୟନ୍ତ ଚାଲିଲା ୟେ ଲୀଳା । ଶେଷରେ ଜେଜ ଧଡାମ୍ କରି କଚାଡି ହେଇ ପଡିଲା । ଆଉ ଭୂତୁଣୀ ଛାଡି ଚାଲିଗଲା । ସେ ଦିନ କାହା ଘରେ ଚୂଲି ଜଳି ନଥିଲା ସକାଳୁ । ସବୁ ତ ବସି ଯାତରା ଦେଖୁଥିଲେ । ବାଗା ଗୋଟେ ଡେଉଁରିଆ ଆଣି ଜେଜ ହାତରେ ବାନ୍ଧି ଦେଲା । ଜେଜ ଟିକେ ସାଷ୍ଟାମ ହେଲା । ଯେଝା ଘରକୁ ଯେଝା ଫେରିଲେ । 


ତା ପରଠୁ ଗାଁ ପିଲା ସବୁ ବୁଢୀକୁ ଚିଡାନ୍ତି ଧୋବଲୀ ତୋ ବୁଢାକୁ ନେଲାଣି ଲୋ... । ଯା.... ଦେଖିବୁ । ବୁଢୀ ପିଲାଙ୍କୁ ଗାଳି କରେ, ମାରି ଗୋଡାଏ । ପିଲା ମଜା ନିଅନ୍ତି । ହେଲେ ସେବେ ଠାରୁ ବୁଢାବୁଢୀଙ୍କ ଶୁଖୁଆ ଖିଆ ସଉକ ମରିଗଲା ।


         



Rate this content
Log in

Similar oriya story from Comedy