Padmalaya Mishra

Classics Inspirational Others

4  

Padmalaya Mishra

Classics Inspirational Others

ଶୀତଳଷଷ୍ଠୀ

ଶୀତଳଷଷ୍ଠୀ

4 mins
405



  ମତେ ଲାଗେ ଶୀତଳଷଷ୍ଠୀ ଆମ ଷୋଳ ଶାସନର ଜାତୀୟ ପର୍ବ । ଗ୍ରୀଷ୍ମ ଅବକାଶ ସମୟରେ ଯିଏ ଯେତେ ଦୂରରେ ଥାଉ ନା କାହିଁକି ଶୀତଳଷଷ୍ଠୀ ପର୍ବ ପାଇଁ ଗାଁ ମୁହାଁ ଯେମିତି ହେଲେ ହେବେ । ଟିକିଏ ପୁରୁଣା ବର୍ଷର ଚିତ୍ର ଆଙ୍କିଦିଏ । ସ୍କୁଲରେ ପଢିବା ବେଳେ କୋରାପୁଟରୁ ଖରାଛୁଟିରେ ଆମ ଗାଁ ବୀରପୁରୁଷୋତ୍ତମପୁର ଆମେ ଚାଲିଆସୁ । ସେତେବେଳେ ଖରାଦିନେ ବି କୋରାପୁଟ ଶୀତଳ ଲାଗୁଥିଲା । ଆଉ ଗାଁ ରେ ଅସହ୍ୟ ଗରମ, ସେଥିରେ ଦିନ ଦିନ ଧରି ଲାଇଟ୍ କଟ୍ । ଗମ୍ ଗମ୍ ଝାଳ । ଦେହ ସାରା ଘିମିରି ହେଇଯାଏ । ଯେତେ ଭାବୁ ଆରବର୍ଷ ଏ ଖରାଛୁଟିରେ ଆଉ ଗାଁ କୁ ଆସିବୁନି । କିନ୍ତୁ ମହାଦେବଙ୍କ ଡୋରି ଲାଗେ । ମନ ଆପେଆପେ ଟାଣି ହୁଏ ଗାଁ କୁ । ସେତେବେଳେ ଟ୍ରେନ୍, ବସ୍ ଦୁଇ ତିନିଥର ବଦଳାଇ ଗାଁ କୁ ଆସିବାକୁ ହୁଏ । ଗାଁ ଯେତେ ପାଖେଇ ଆସେ ଅପୂର୍ବ ଶିହରଣ ଖେଳିଯାଏ । 


  ଗାଁରେ ପଶୁ ପଶୁ ଠୋ ଠା ଶବ୍ଦ । ପ୍ରାୟ ପ୍ରତି ଦୁଆରେ ବାଣ ବାଡିଆ ମାନେ ତିଆରି ଚାଲିଥିବ । କାଠଚକ୍ର, ବାଉଁଶ ଚକ୍ର, ତୁମ୍ଭ ଆମ ଗାଁର ମୁଖ୍ୟ ବାଣ । ବାଣ କାଠ ଚୟନ ମୁଖ୍ୟ । ଟିଣିଆ, ଆମ୍ବ ଆଦି କାଠରେ ବାଣ ତିଆରି ହୁଏ । ଗାଁ ସାରା ଦେଖି ଦେଖି ଆସି ଆମ ଦୁଆରେ ପହଞ୍ଚିଲା ବେଳକୁ ଆମ ଦୁଆରେ କାକା( ସାନକାକା ମୁଖ୍ୟତଃ ) ତାଙ୍କ ଚାକିରୀ ସ୍ଥାନରୁ ଆସି ବାଣ ବାଡିଆରେ ବ୍ୟସ୍ତ ଥାନ୍ତି । ଦୁଇ ତିନିଟା ତୁମ୍ଭ ଆଉ ଗୋଟିଏ ଚାରି ଗଣ୍ଠିଆ କାଠଚକ୍ର ଯେମିତି ହେଲେ ପ୍ରସ୍ତୁତି ଚାଲିଥିବ । ଆମେ ଦୁଇ ଭଉଣୀ ରିକ୍ସା ଉପରୁ ଖପ୍ ଖାପ୍ ଡେଇଁ ବାଣ ପାଖକୁ ଯାଉ । ହେଲେ ଅଗାଧୁଆ ( ରାତି ଜର୍ଣ୍ଣି ଥାଏ ) ଛୁଇଁ ବାକୁ ମନା କରନ୍ତି । କେତେ ନିଷ୍ଠାରେ ମହାଦେବଙ୍କ ଠାରୁ ଆଞ୍ଜା ମାଳ ଆଣି ବାଣ ବାଡିଆ ହୁଏ । ତେଣୁ ସମ୍ପୂର୍ଣ୍ଣ ଶୁଦ୍ଧି ନହେବା ଯାଏଁ ବାଣ କାଠ କିମ୍ବା ଗାଂଜ ଧରିଥିବା ବ୍ୟକ୍ତି ଙ୍କୁ ଛୁଇଁବାକୁ ବାରଣ କରାଯାଏ ।


   କେତେ ଭାଗ ମାପରେ ବାଣ ତିଆରି ହୁଏ । ମାସକ ତଳୁ ପ୍ରସ୍ତୁତି ଆରମ୍ଭ ହୁଏ । ଗାଁରେ ଥିବା କାକା ( ବଡ଼କାକା ) ଲୋକ ଲଗେଇ କନିଅର ଡାଳ ଆସି ବଡ଼ବଡ଼ ଗାତ ଖୋଳା ହୋଇ ତା ଭିତରେ ପୋଡାଯାଏ । ତା ପରେ ଗାତ ବନ୍ଦ କରି ଅଙ୍ଗାର ପ୍ରସ୍ତୁତ ହୁଏ । ସେମିତି ଖାର କିଣା ହୋଇ ଆସେ । ଆଟୁ ଉପରୁ ବଡ଼ବଡ଼ ହେମଦସ୍ତା, ବାରୁଦ ଚୁରିବା ଶିଳ, ଫାଇନ୍ ପାଉଡର ପାଇବା ପାଇଁ ଚାଲୁଣି, ବଡ଼ବଡ଼ ବାରୁଦ କୁଡିଆ, ଠେକା, ଗାଂଜ ସବୁ କଢାଯାଏ । କିଏ ହେମଦସ୍ତାରେ ଅଙ୍ଗାର କୁଟୁଥିବ ତ କିଏ ଶିଳରେ ଖାର ଚୁରୁଥିବ । କିଏ ପୁଣି ସବୁ ଚାଲୁଣିରେ ଚଲେଇ ଫାଇନ୍ ପାଉଡର ବାହାର କରୁଥିବ । କାକା ଗୋଟେ ଚଟି ଖାତା ଧରି ସେଥିରେ ଲେଖାଥିବା ପରିମାଣ ହିସାବରେ ନିକିତି ଧରି ଭାଗ ମାପ କରି ରଖନ୍ତି । କେତେ ଠେକା ମାଡ଼ ଖାଇଲେ ବାଣ ଭଲ ହେବ ହିସାବ ହୁଏ । କାଠଚକ୍ର ତିଆରି କରିବାକୁ ଅଧିକ ସମୟ ଲାଗେ । ତେଣୁ ଦୁଇ ତିନି ଦିନ ଆଗରୁ କାମ ଆରମ୍ଭ ହୁଏ । ତୁମ୍ଭ ଦିନକରେ ବାଡିଆ ହୋଇଯାଏ । ମହାରଣା ଆସି କାଠରେ ହିସାବ ଅନୁସାରେ ଗାତ ଖୋଳନ୍ତି । ତାପରେ ବାରୁଦ ଦେଇ କାକା ଗାଂଜ ଧରନ୍ତି । ଦୁଇଜଣ ଠେକା ପିଟନ୍ତି । ସେ ଠୋ ଠା ଶବ୍ଦ କି ମଧୁର ଲାଗେ । ନନା ବି ପହଞ୍ଚିବା ସଙ୍ଗେ ସଙ୍ଗେ ଗାଧେଇ ନୂଆ ପଇତା ପିନ୍ଧି ଗାଂଜ ଧରିବାକୁ ରେଡି ହୋଇ ଯାଆନ୍ତି । ଜଣେ ଲଗାତାର ଆଠଶହ-ହଜାର ଠେକା ମାଡ଼ ପର୍ଯ୍ୟନ୍ତ ଗାଂଜ ଧରେ । ତାପରେ ଆଉ ଜଣେ । ଏମିତି ଅଦଳ ବଦଳ ହୋଇ ଗାଂଜ ଧରନ୍ତି । ରାତି ରାତି ବି ଠୋ ଠା ଶବ୍ଦରେ ଦାଣ୍ଡ କମ୍ପୁଥାଏ । ଲାଇଟ୍ କଟିଗଲେ ଲଣ୍ଠନ, ପେଟ୍ରୋମାକ୍ସ ଲାଇଟ୍ ଲଗେଇ ବି ବାଣ ବାଡିଆ ଚାଲିଥାଏ । 


   ଆମେ ପିଲାମାନେ ବଡ଼ ମଝିଆ କାକାଙ୍କ ସାଙ୍ଗରେ ବସି ଚନ୍ଦ୍ର ଉଦିଆ ତିଆରି କରୁ । ପୁଲାଙ୍ଗ କୁ ଶୁଖେଇ ତା ଭିତରେ ବାରୁଦ ପୁରେଇ ଚେଙ୍ଗ ବାଣ ବି ପ୍ରସ୍ତୁତ କରୁ । 


  ବାଣ ତିଆରି ଦିନ ସବୁ ଅରୁଆ ଭାତ ଡାଲମା ଖିଆ ଯାଏ । ବାଣ ତିଆରି ରେ ସାହାଯ୍ୟ କରୁଥିବା ରଇତ ମାନେ ବି ଆମ ଘରେ ଖାଆନ୍ତି । 


  ଦିଅଁ ବିଭା ରାତିରେ ଭାରି ମଜା ହୁଏ । ମହାଦେବ ଓ ଦୁର୍ଗା ଙ୍କ ବିବାହ ହୁଏ, ନୃସିଂହ ନାଥଙ୍କ ମଧ୍ଯସ୍ଥିରେ । ଘଣ୍ଟ ମାଡ଼ରେ ଚତୁର୍ଦିଗ ପ୍ରକମ୍ପିତ ହେଉଥାଏ । ତାପର ଦିନ ଶୀତଳଷଷ୍ଠୀ । କେମିତି ରାତି ହେବ ଦିଅଁ ବାହାରିବେ । ଚୁଡାଘଷା, ଖଇ, ଆମ୍ବ, ପଣସ, କଦଳୀ ଆଦି ଦୁଆରି ଭୋଗ ହୁଏ । ଘରେ ଘରେ ଚୁଡାଘଷା, ଡାଲମ, କଦଳୀ ଚକଟା, ତେନ୍ତୁଳି ଖଟା ଆହା । 


   ଏ ଖଣ୍ଡିରୁ ସୋମନାଥ, ଦୁର୍ଗା, ନୃସିଂହ ନାଥ । ସେ ଖଣ୍ଡିରୁ ଗତିଶ୍ଵରେ ଆସି ଦଣ୍ଡାମୁଣ୍ଡରେ ମେଳନ ହୁଏ । ତାପରେ ଆଞ୍ଜା ଘଣ୍ଟ ଆସିଲେ ସମସ୍ତେ ଶଗଡରେ ବାଣ ଲଦି ରେଡି ହୋଇ ଥାନ୍ତି । ନିଆଁ ହୁଳା ଧରି ଇହି ଇହି ଶବ୍ଦ କରି ଶଗଡ଼ ଟାଣି ନିଅନ୍ତି । ଦଣ୍ଡାମୁଣ୍ଡରେ ବାଣ ଫୁଟା ଆରମ୍ଭ ହୁଏ । ଚକ୍ର ଛାଇ ଛାଇ ବୁଲୁଥିବ, ତାସହ ଗାମୁଛା ଉଡେଇ ସମସ୍ତେ ଛାଇ ଛାଇ କହି ନାଚୁଥିବେ । ମନଲୋଭା ଦୃଶ୍ୟ । ରାତି ପାହି ସକାଳ ହେଇଯିବ । ବାଣ ସରିବନି । 


  ଶୀତଳଷଷ୍ଠୀ ବାସି ହଳଦୀପାଣି । ରାତି ସାରା ଅନିଦ୍ରା ରହି ବାଣ ଫୁଟା ଦେଖି ଥିଲେ ବି ଆଖିକୁ ନିଦ ନଥିବ । ଗାଧେଇ ନୂଆ ଡ୍ରେସ୍ ପିନ୍ଧି ମେଳନ ଦେଖିବାକୁ ଯାଉ । ବିମାନରେ ଦିଅଁ ଦର୍ଶନ କରି ଚାଟ୍ ଗୁପଚୁପ୍ ଖାଇ ମଜା କରୁ । ବାଉଁଶ ଚକ୍ର କମ୍ପିଟିସନ୍ ହୁଏ । ଦୁଇ ଖଣ୍ଡି ଠାକୁରଙ୍କ ମିଳନ ଚାଲେ । ଘଣ୍ଟ ଶବ୍ଦରେ ଗଗନ ପ୍ରକମ୍ପିତ ହୁଏ । 


  କୁଆଡେ ଗଲା ସେ ପିଲାଦିନ । ଏବେ ଶୀତଳଷଷ୍ଠୀ ରେ ସେବର ମଜା ନାହିଁ । ଘରେ ଘରେ ଏସି । ପିଲାମାନେ ଆରାମରେ ଶୋଇପଡୁଛନ୍ତି । ବିଞ୍ଛଣା ଧରି ବିଞ୍ଛି ହେଇ ଦାଣ୍ଡରେ ବସି ବାଣ ଦେଖିବାକୁ କେହି ଆଗ୍ରହୀ ନୁହନ୍ତି କି ସେ ବାଣ ତିଆରି କରୁଥିବା ପିଢ଼ି ଦାୟଦ ମାନଙ୍କୁ ଶିଖାଇବାରେ ଅସଫଳ ହେଲେ । ଏବେ ଦିଅଁ ବାହାରୁଛନ୍ତି । ଚୁଡାଘଷା ଡାଲମା ହେଉଛି । କିନ୍ତୁ ବାଣ ନା ରେ କୁମ୍ପି ଆଦି ଦିପାବଳୀରେ କିଣା ଯାଉଥିବା ବାଣ ଲାଗୁଛି । 



Rate this content
Log in

Similar oriya story from Classics