sushama Parija

Romance Inspirational

4  

sushama Parija

Romance Inspirational

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

7 mins
189



ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ କୋଉଠୁ ତାଙ୍କ ମନରେ ଆସିଥିଲା ସେଦିନ ସେ ସାହସ । ସେ କ’ଣ ଥିଲା ଚାରୁଲତା ର ପ୍ରେମ ? ଗୋଟିଏ ବିରହୀ ପତି ର ନିଜ ପତ୍ନୀ କୁ ଭେଟିବାର ଦୁର୍ବାର ଲାଳସା ?? ନା ଜଣେ ସଚ୍ଚା ଭାରତୀୟ ଯୁବକ ର ସତ୍ୟ ରକ୍ଷା ??? ବିଶ୍ୱ ରେ ପ୍ରେମ କାଳେ କାଳେ ଶାଶ୍ୱତ, ଚିରକାଳ ନିର୍ମଳ ପ୍ରେମ ର ଐଶ୍ୱରୀୟ ଶକ୍ତି ରହିଛି, ଏଇ ଘଟଣା କେବଳ ଆଜିର ଯୁଗରେ ପୋଥି ରେ ଦେଖିବାକୁ ମିଳେ , କିନ୍ତୁ ଏହା ସତ୍ୟ ପ୍ରମାଣିତ ହୋଇଛି ତାଙ୍କ କ୍ଷେତ୍ରରେ । ସେ ଆଜି ବିଶ୍ବ ବିଦିତ ତାଙ୍କର ଅଦମ୍ୟ ସାହସ ଆଉ ପ୍ରେମର ପରାକାଷ୍ଠା କୁ ନେଇ । “ ଜନ୍ମ ମୋର ଆୟତ୍ତ ରେ ନୁହେଁ କିନ୍ତୁ ପୁରୁଷାକାର ମୋର ଆୟତ୍ତ ରେ “ ଭଗବତ୍ ଗୀତା ର ଏଇ ମହତବାଣୀ କୁ ସତ୍ୟ ପ୍ରମାଣିତ କରିଛନ୍ତି ସେ । ସିଏ ଆଉ କେହି ନୁହଁନ୍ତି ,ସେ ଆମ ମାଟିର ପୁଅ ଚିତ୍ରକର ଡଃ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ , ଯାହାଙ୍କୁ ନେଇ ଆଜି ଆମେ ସମସ୍ତେ ଗର୍ବିତ । 

ପ୍ରଦ୍ୟୁମ୍ନ ଙ୍କ ଜନ୍ମ ହୁଏ ଉଣେଇଶହ ଅଣଚାଶ ମସିହାରେ ଅନଗୁଳ ଜିଲ୍ଲାର ଆଠମଲ୍ଲିକ ସବ୍ ଡିଭିଜନର ନିପଟ ମଫସଲିଆ ଗାଆଁ କନ୍ଧପଡାରେ ଗୋଟିଏ ଦରିଦ୍ର ବୁଣାକାର ପରିବାରରେ । ପିଲାଟି ଦିନରୁ ଚିତ୍ରକଳା ରେ ଖୁବ୍ ଆଗ୍ରହ ଥିଲେ ମଧ୍ୟ ସମ୍ବଳ ଅଭାବରୁ ଆଗକୁ ବଢିବା ସମ୍ଭବ ହେଉ ନଥାଏ । ଆଠମଲ୍ଲିକ ମହେନ୍ଦ୍ର ହାଇସ୍କୁଲରେ ପଢିବା ବେଳେ ତାଙ୍କର ଚିତ୍ରକଳା ର ପାରଦର୍ଶିତା ଲକ୍ଷ୍ୟ କରି ସାର୍ ମାନେ ଉପଦେଶ ଦେଲେ , ମାଟ୍ରିକ୍ ପାଶ୍ କରିବା ପରେ ଆଉ ସାଧାରଣ ପାଠ ନପଡି କୌଣସି ଚିତ୍ରକଳା ବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ । ପ୍ରଦ୍ୟୁମ୍ନ ଙ୍କ ମନରେ ଆଶା ସଞ୍ଚରିଲା, ନିଜର ରୁଚି କୁ ଆହୁରି ରୁଦ୍ଧିମନ୍ତ କରି ଲୋକ ଲୋଚନକୁ ଆଣିବା ପାଇଁ ସେ କଲିକତାର ଶାନ୍ତିନିକେତନ ଠାରେ ଥିବା ଚାରୁକଳା ବିଭାଗରେ ନାମ ଲେଖାଇବା ପାଇଁ ଘରେ ବାପା ମାଆଙ୍କୁ ଅଳି କଲେ। ହେଲେ ଦୁଇ ଓଳି ଦୁଇମୁଠା ପେଟପୁରା ଖାଇବାକୁ ପାଉନଥିବା ପରିବାରରେ ସେଇ ଅଳିଟି ଆକାଶ କୁସୁମ ଭଳି ଥିଲା। ବାପା ମାଆ “ ଆମେ ପାରିବୁନି” କହି ହାତ ଟେକି ଦେଲେ, ହେଲେ ପ୍ରଦ୍ୟୁମ୍ନ ହାରିଗଲେ ନାହିଁ । ନିଜେ ମୂଲ ମଜୁରି କରି କିଛି ପଇସାପତ୍ର ସଞ୍ଚୟ କରି ଚାଲିଗଲେ କଲିକତା ।ସେଠାରେ କୌଣସିମତେ ଯୋଗାଯୋଗ କରି ବିଶ୍ୱଭାରତୀ ରେ ନାମ ଲେଖାଇଲେ ଚାରୁକଳା ବିଭାଗରେ ।କିନ୍ତୁ ସେଠାକାର ଖର୍ଚ୍ଚ ତୁଲାଇବାକୁ ଅସମର୍ଥ ହୋଇ ଅଧାରୁ ଫେରି ଆସିଲେ ଗାଆଁ କୁ। 

କଲିକତା ରୁ ଫେରି ଆସିଲେ ସିନା , ଚିତ୍ରକଳା ପ୍ରତି ତାଙ୍କର ପ୍ରବଳ ଦୁର୍ବଳତା ତାଙ୍କୁ ଘରେ ବସାଇ ଦେଲାନାହିଁ, ସେ ପୁଣି ଥରେ ପଇସାପତ୍ର ଯୋଗାଡଯନ୍ତ୍ର କରି ବ୍ରହ୍ମପୁର ର ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟ ରେ ନାମ ଲେଖାଇଲେ। ନିଜେ ପରିଶ୍ରମ କରି ପଢାଖର୍ଚ୍ଚ ଯୋଗାଡ କଲେ।ଏଥରକ ଭାଗ୍ୟ ତାଙ୍କୁ ନିରାଶ କଲାନାହିଁ । ସେ ସଫଳତା ର ସହିତ ଚିତ୍ରକଳା ରେ ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀ ଚାଲିଗଲେ। ଉଣେଇଶହ ଏକସ୍ତରି ମସିହାରେ ଦିଲ୍ଲୀ ର କଲେଜ୍ ଅଫ୍ ଆର୍ଟସ୍ ରେ ଫାଇନ୍ ଆର୍ଟ ରେ ଉଚ୍ଚତର ଶିକ୍ଷା ପାଇଁ ନାମ ଲେଖାଇଲେ।ସେଠାରେ ପଢିବା ସହିତ ଛୋଟମୋଟ କାମ କରି ଗୁଜୁରାଣ ମେଣ୍ଟାଇବାକୁ ଚେଷ୍ଟା କରୁଥିଲା ବେଳେ ତାଙ୍କ କାମ ଅନ୍ୟ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଯେ କୌଣସି ଲୋକକୁ ଦେଖି ତାଙ୍କର ଅବିକଳ ଚିତ୍ର ଆଙ୍କିବା ର ଅଦଭୁତ ଶକ୍ତି ଥିଲା ତାଙ୍କ ନିକଟରେ । ଧୀରେ ଧୀରେ ତାଙ୍କ ହାତ ଅଙ୍କା ପୋଟ୍ରେଟ୍ ଖୁବ୍ ଲୋକପ୍ରିୟତା ହାସଲ କଲା। ସେଇ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ପୋଟ୍ରେଟ୍ ଟିଏ ଆଙ୍କିବାର ସୌଭାଗ୍ଯ ପ୍ରାପ୍ତ ହୋଇଥିଲା ତାଙ୍କର। ପ୍ରିୟଦର୍ଶନୀ ଇନ୍ଦିରା ନିଜର ପୋଟ୍ରେଟ୍ ଟି ଦେଖି ଏତେ ଖୁସି ହୋଇଥିଲେ ଯେ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ ଙ୍କୁ ଖୁବ୍ ପ୍ରଶଂସା କରିଥିଲେ ଏବଂ ତାଙ୍କର ଆର୍ଥିକ ଦୂରବସ୍ଥା ଜାଣି ତାଙ୍କୁ ଦିଲ୍ଲୀ ର ପ୍ରମୁଖ ସ୍ଥାନ କନ୍ନଟ୍ ପ୍ଲେସ୍ ପାଖରେ ଥିବା ସୁନ୍ଦର ଝରଣା ପାଖରେ ବସି ଇଚ୍ଛୁକ ବ୍ୟକ୍ତି ମାନଙ୍କର ପୋଟ୍ରେଟ୍ ଆଙ୍କିବା ଲାଗି ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଥିଲେ । ସେହିଠାରୁ ଆରମ୍ଭ ହୋଇଥିଲା ପ୍ରଦ୍ୟୁମ୍ନଙ୍କର ଉଡାଣ ।

 କନ୍ନଟ୍ ପ୍ଲେସ୍ ରେ ସେମିତି ପୋଟ୍ରେଟ୍ ଆଙ୍କିବା ଭିତରେ ଊଣେଇଶହ ପଞ୍ଚସ୍ତରି ମସିହା ଡିସେମ୍ବର ର ଏକ ଅପରାହ୍ନ ରେ ତାଙ୍କର କ୍ଲାଏଣ୍ଟ୍ ସାଜି ଆସିଥିଲେ ସୁଇଡିଶ୍ ତରୁଣୀ ଚାର୍ଲୋଟ୍ ଭନ୍ ସେଭିନ୍ । ସୁଇଡେନ୍ ର ଏଇ ରାଜବଂଶୀୟା ଉଚ୍ଚଶିକ୍ଷିତ ତରୁଣୀ ଜଣକ ଲଣ୍ଡନରେ ରହି ପାଠ ପଢୁଥିଲେ , ତାଙ୍କ ପିତାଙ୍କର ସୌଖିନ୍ ଭ୍ୟାନ୍ ଟିଏ ଧରି ବାଇଶି ଦିନର ଯାତ୍ରା କରି ଭାରତ ଭ୍ରମଣରେ ଆସିଥିଲେ। ଭାରତର ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରି ଏହାର ଶୋଭା ଦର୍ଶନ କରି ଚାର୍ଲୋଟ୍ ବିମୋହିତ ହୋଇଥିଲେ। ରାଜଧାନୀ ଦିଲ୍ଲୀର ଅପରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଦିନେ ସେ କନ୍ନଟ୍ ପ୍ଲେସ୍ ରେ ବୁଲୁଥିଲା ବେଳେ ଏଇ ସାଧାରଣ ଚିତ୍ରକର ଙ୍କର ଅସାଧାରଣ ପ୍ରତିଭା ଦେଖି ଅଭିଭୁତ ହୋଇଥିଲେ ଏବଂ ନିଜର ପୋଟ୍ରେଟ୍ ଟିଏ ତିଆରି କରିବା ଲାଗି ଅନୁରୋଧ କରିଥିଲେ ଶିଳ୍ପୀ ଙ୍କୁ। ସେଇଠୁ ଆରମ୍ଭ ହୋଇଥିଲା ସେମାନଙ୍କ ପରିଚୟ । ସେଇ ପୋଟ୍ରେଟ୍ ତିଆରି କରିବାର ସ୍ୱଳ୍ପ ସମୟ ମଧ୍ୟରେ ପ୍ରଦ୍ୟୁମ୍ନ ଙ୍କର ସରଳ ନିଷ୍କପଟ ବ୍ୟବହାର ମୁଗ୍ଧ କରିଥିଲା ଚାର୍ଲୋଟ୍ ଙ୍କୁ। ପ୍ରଦ୍ୟୁମ୍ନଙ୍କର ଅମାୟିକ ବ୍ୟକ୍ତିତ୍ୱ ଏବଂ ତାଙ୍କର ଚିତ୍ରକଳା ର ପ୍ରେମରେ ପଡିଥିଲେ ଚାର୍ଲୋଟ୍ । ଚାର୍ଲୋଟ୍ ନିଜର ମନୋଭାବ ଜଣାଇଥିଲେ ପ୍ରଦ୍ୟୁମ୍ନଙ୍କୁ, ହେଲେ ସ୍ୱଭାବରେ ଲାଜକୁଳା ପ୍ରଦ୍ୟୁମ୍ନ ସହଜରେ ଗ୍ରହଣ କରିପାରିନଥିଲେ ସେ ପ୍ରେମ କୁ । ସେ ନିଜର ଏବଂ ଚାର୍ଲୋଟ୍ ଙ୍କର ସ୍ଥିତି କୁ ଭଲ ଭାବରେ ଜାଣିଥିଲେ । କେଉଁଠି ସେ ଓଡିଶାର ମଫସଲ ଗାଆଁର ଗୋଟିଏ ଦୀନ ଦଳିତ ବୁଣାକାର ପରିବାରର ଜଣେ ଶ୍ୟାମଳ ରଙ୍ଗର ସାଧାରଣ ଗଠନ ର ବେକାର ଯୁବକ ପ୍ରଦ୍ୟୁମ୍ନ , ଆଉ କେଉଁଠି ଚାର୍ଲୋଟ୍ ଙ୍କ ଭଳି ଜଣେ ସୁନ୍ଦରୀ, ଶିକ୍ଷିତା, ସୁଇଡେନ୍ ର ସଂଭ୍ରାନ୍ତବଂଶୀୟା ତରୁଣୀ ? ଇଏ ତ ବାମନ ହୋଇ ଚନ୍ଦ୍ର କୁ ଛୁଇଁବାର ଆଶା ! ଖାଲି ଲୋକହସା ହେବା କଥା ସିନା । ପ୍ରଦ୍ୟୁମ୍ନ ନିଜ ହୃଦୟରେ ଦେବୀ ଭଳି ଚାର୍ଲୋଟ୍ ଙ୍କୁ ସାଇତି ରଖିବା ପାଇଁ ଚାହୁଁଥିଲେ ମଧ୍ୟ ତାଙ୍କୁ ପାଇବାର ଆସ୍ପର୍ଦ୍ଧା କରି ପାରୁନଥିଲେ । ଚାର୍ଲୋଟ୍ ହିଁ ଆଗୁସାର ହୋଇ ନିଜେ ପ୍ରଦ୍ୟୁମ୍ନଙ୍କର କୁଣ୍ଠା ଭାଙ୍ଗିଥିଲେ, ନିଜର ନିର୍ମଳ ପ୍ରେମରେ ତାଙ୍କ ହୃଦୟରେ ଅମାପ ସାହସ ଏବଂ ଗଭୀର ଆତ୍ମବିଶ୍ବାସ ଭରି ଦେଇ ତାଙ୍କ ହାତରେ ଚନ୍ଦ୍ର ହୋଇ ଖସି ପଡିଥିଲେ , ନିଜକୁ ସଂପୂର୍ଣ୍ଣ ସମର୍ପଣ କରି ଦେଇଥିଲେ ପ୍ରଦ୍ୟୁମ୍ନଙ୍କ ପାଖରେ । ବିଦେଶୀନୀ ଚାର୍ଲୋଟ୍ , ପ୍ରଦ୍ୟୁମ୍ନଙ୍କ ସହିତ ତାଙ୍କର ଗାଆଁ କୁ ଯାଇ ସଂପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ପ୍ରଦ୍ୟୁମ୍ନ ଙ୍କୁ , ତାଙ୍କର ପରିବାରବର୍ଗ ଙ୍କ ମଧ୍ୟରେ ତାଙ୍କ ବୋହୁ ଚାରୁଲତା ହୋଇ ସଂସାର ଗଢିଥିଲେ । ବିଦେଶରୁ ଆସିଥିବା ବୋହୁ ଭାରତରୁ ଯିବା ପରେ ସବୁ ଭୁଲିଯିବ ନାହିଁ, ଏଇକଥା ସମସ୍ତଙ୍କୁ ବିଶ୍ୱାସ ଦେବାକୁ ଯାଇ ନିଜର ବିବାହ ପଞ୍ଜିକରଣ ମଧ୍ୟ କରାଇଥିଲେ । କିନ୍ତୁ ଚାରୁଲତା ତାଙ୍କର ନୂଆ ସଂସାରରେ ବେଶି ସମୟ ବିତାଇବାକୁ ସୁଯୋଗ ପାଇନଥିଲେ। ତାଙ୍କର ଭାରତ ରହଣୀ ର ଅବଧି ସରି ସରି ଆସୁଥିଲା । 

ପିତାମାତାଙ୍କ ତରଫରୁ ମଧ୍ୟ ଘନ ଘନ ଡାକରା ଆସୁଥିଲା, ସେ ଅନୁରୋଧ କଲେ ପ୍ରିୟତମ ସ୍ୱାମୀ ଙ୍କୁ “ ତୁମକୁ ଛାଡି ଯିବାକୁ ମନ ଚାହୁଁ ନାହିଁ, ହେଲେ ପରିସ୍ଥିତି ବାଧ୍ୟ କରୁଛି, ତୁମେ ମୋ ସହିତ ଚାଲନା’ ଆମ ଦେଶ କୁ , ଯିବା ଆସିବାର ସବୁ ଖର୍ଚ୍ଚ ମୁଁ କରିବି , କିଛି ସମୟ ସେଠାରେ ବିତାଇ ଫେରି ଆସିବ ଭାରତ “ । ପ୍ରିୟତମାଙ୍କୁ ନିଜ ପାଖରୁ ଛାଡିବା ପାଇଁ ପ୍ରଦ୍ୟୁମ୍ନଙ୍କର ହୃଦୟ ଚାହୁଁନଥିଲା ହେଲେ ନିଜର ଅସ୍ମିତା ଅନୁମତି ଦେଉନଥିଲା ପତ୍ନୀଙ୍କ ଅର୍ଥରେ ସୁଇଡେନ୍ ଯାଇ ସେଠାରେ ନିଜର ନ୍ୟୁନତା ପ୍ରଦର୍ଶନ କରିବା ଲାଗି । ସେ ପ୍ରିୟତମା ଚାର୍ଲୋଟ୍ ଙ୍କୁ ଆଶ୍ୱାସନା ଦେଲେ “ ମୁଁ କ’ଣ ତୁମକୁ ଛାଡି ବେଶି ସମୟ ଧୈର୍ଯ୍ୟ ଧରି ରହି ପାରିବି ପ୍ରିୟେ ! ମୁଁ ନିଶ୍ଚୟ ଆସିବି ତୁମ ପାଖକୁ ହେଲେ ମୋତେ ପ୍ରଥମେ ନିଜକୁ ପ୍ରତିପାଦିତ କରିବା ପାଇଁ କିଛି ସମୟ ଦିଅ । ନିଜ ଗୋଡରେ ନିଜେ ଠିଆ ହେବା ଲାଗି ସୁଯୋଗ ଦିଅ। ସେଥିରେ ତୁମର ସମ୍ମାନ ବଢିବ ଆଉ ମୋର ବି ସମ୍ମାନ ରହିବ। ମୋତେ ସେତିକି ସମୟ କ’ଣ ଦେଇ ପାରିବ ନାହିଁ ତୁମେ ? ଚାର୍ଲୋଟ୍ ସ୍ୱାମୀଙ୍କର ହାତରେ ହାତ ରଖି ପ୍ରତିଶ୍ରୁତି ଦେଲେ ଯେତେ କଷ୍ଟ ହେଉ ପଛେ ସେ ନିଶ୍ଚୟ ସୁଇଜରଲାଣ୍ଡ୍ ରେ ରହି ଅପେକ୍ଷା କରିବେ ସ୍ୱାମୀ ପ୍ରଦ୍ୟୁମ୍ନ ଙ୍କୁ। ଯେଉଁ ଦିନ ସେ ସୁଇଡେନ୍ ରେ ପହଞ୍ଚିବେ, ସେଦିନ ସେ ନିଜେ ଆସି ସସମ୍ମାନେ ନେଇଯିବେ ପ୍ରଦ୍ୟୁମ୍ନଙ୍କୁ ନିଜ ଘର ଗୋଠେନବର୍ଗ କୁ । ଆଖିରେ ଲୁହ ଆଉ ହୃଦୟଭର୍ତ୍ତି ପ୍ରେମ ନେଇ ସ୍ୱଦେଶ ଫେରିଯାଇଥିଲେ ଚାର୍ଲୋଟ୍ । ପ୍ରଦ୍ୟୁମ୍ନ ଲାଗି ପଡିଥିଲେ ନିଜକୁ ପ୍ରତିପାଦିତ କରିବା ପାଇଁ ଚାର୍ଲୋଟ୍ ଙ୍କର ଯୋଗ୍ୟ ପତି ଭାବରେ । ଚାର୍ଲୋଟ୍ ଫେରିଯିବା ପରେ ତାଙ୍କୁ ଖୁବ୍ ଝୁରି ହେଲେ ପ୍ରଦ୍ୟୁମ୍ନ । 

ସେ ସମୟରେ ଆଜିକାଲି ଭଳି ସ୍ମାର୍ଟ ଫୋନ, ସ୍କାଇପ୍, ଟୁଇଟର୍ ଇତ୍ୟାଦି ଆଧୁନିକ ଯନ୍ତ୍ର ପାତି ନଥିଲା ପରସ୍ପର କୁ ଦେଖିବା କିମ୍ବା ଭାବ ବିନିମୟ କରିବା ପାଇଁ । ଦୁଇ ପ୍ରେମୀ ବିରହେ ବେଦନା ରେ ଜଳୁଥିଲେ ଅହରହ, ହେଲେ କୌଣସି ସାଧନ ନଥିଲା ସେମାନଙ୍କ ପାଖରେ ପରସ୍ପର କୁ ଭେଟିବା ପାଇଁ । ପ୍ରଦ୍ୟୁମ୍ନ ଦିଲ୍ଲୀ ରେ ରହି ଅକ୍ଳାନ୍ତ ପରିଶ୍ରମ କରିଥିଲେ ନିଜେ ପଇସାପତ୍ର ରୋଜଗାର କରି ଉଡାଜାହାଜ ରେ ଟିକେଟ୍ କାଟି ପ୍ରିୟତମା ପତ୍ନୀଙ୍କ ପାଖରେ ପହଞ୍ଚିବା ପାଇଁ ହେଲେ ଭାଗ୍ୟ ସାଥ୍ ଦେଇନଥିଲା। ଏମିତି ଚେଷ୍ଟା କରୁ କରୁ ବିତିଗଲା ଦୁଇବର୍ଷ । କେବଳ ଚିଠି ହିଁ ଥିଲା ଦୁହିଁଙ୍କ ଯୋଗାଯୋଗ ରକ୍ଷାକରିବାର ମାଧ୍ୟମ । ବିରହ ଆଉ ସହି ହେଉନଥିଲା , ଧୈର୍ଯ୍ଯଚ୍ଯୁତ ହେଲେ ପ୍ରଦ୍ୟୁମ୍ନ , ନିଜର ସମସ୍ତ ଆସବାବପତ୍ର ବିକ୍ରି କରି ପଇସା ପତ୍ର ଯୋଗାଡ ଯନ୍ତ୍ର କରି ପୁରୁଣା ସାଇକେଲ୍ ଟିଏ କିଣିଲେ ଏବଂ ସେଇ ସାଇକେଲ୍ ଚଢି ନିଜ ପ୍ରିୟତମା ଙ୍କୁ ଭେଟିବାକୁ ଅଣ୍ଟା ଭିଡିଲେ । କଥାରେ ଅଛି ପ୍ରେମ ରେ ମଣିଷ ଚନ୍ଦ୍ର କୁ ହାତ ବଢେଇ ତୋଳି ଆଣିବାର ସାହସ ପାଏ । ସେମିତି ଆଠମଲ୍ଲିକ ର ଦଳିତ ଯୁବକ ଚିତ୍ରକର ପ୍ରଦ୍ୟୁମ୍ନଙ୍କର ମନରେ ଡେଣା ଲାଗି ଯାଇଥିଲା । ସେ ଊଣେଇଶହ ସତସ୍ତରି ମସିହା ଜାନୁଆରୀ ବାଇଶି ତାରିଖ ଦିନ ପ୍ରାତଃ କାଳରେ ଆରମ୍ଭ କରିଥିଲେ ତାଙ୍କର ଦୁଃସାହସିକ ସାଇକେଲ୍ ଯାତ୍ରା । ଭାରତ ର ଦିଲ୍ଲୀ ରୁ ସାତ ସମୁଦ୍ର ତେର ନଈ ପାରି ସୁଇଡେନ୍ ଦେଶ କୁ । ସଡକ ପଥରେ ପ୍ରାୟ ଛଅ ହଜାର କିଲୋମିଟର ଦୂରତ୍ବ କୁ ପାର କରିବା ଲାଗି ତାଙ୍କୁ ଅକଥନୀୟ ଯନ୍ତ୍ରଣା ଭୋଗିବାକୁ ପଡିଥିଲା । କେବେ ଭୋକ ଉପାସରେ ରହିବାକୁ ପଡିଥିଲା ତ କେବେ ସାଇକେଲ୍ ଭାଙ୍ଗି ଚୁରମାର୍ ହୋଇଥିଲା, ତଥାପି ମନୋବଳ ହାରି ନଥିଲେ ପ୍ରଦ୍ୟୁମ୍ନ । ଚାର୍ଲୋଟ୍ ଙ୍କ କଥା ମନେ ପଡିଗଲା ମାତ୍ରକେ ତାଙ୍କ ଦେହରେ ଶତ ସିଂହର ବଳ ଆସି ଯାଉଥିଲା, ସେ ମାଡି ଚାଲୁଥିଲେ ଆଗକୁ ଆଗକୁ । ଅମୃତସର୍, ଆଫଗାନିସ୍ଥାନ, ଇରାନ୍, ତୁର୍କୀ, ବୁଲଗେରିଆ, ଯୁଗୋସ୍ଲୋଭିଆ, ଜର୍ମାନୀ, ଅଷ୍ଟ୍ରିଆ , ଡେନମାର୍କ୍ ଦେଇ ସେ ଚାରି ମାସ ତିନି ସପ୍ତାହ ପରେ ପହଞ୍ଚିଲେ ସୁଇଡେନ୍ ରେ ସେଇ ବର୍ଷ ମଇ ମାସ ଅଠର ତାରିଖ ରେ। ହେଲେ ସୁଇଡେନ୍ ର ଇମିଗ୍ରେସନ୍ କର୍ତ୍ତୃପକ୍ଷ ଗୋଠେନବର୍ଗ ସହର ରେ ପଶିବାକୁ ଅନୁମତି ଦେଲେ ନାହିଁ ପ୍ରଦ୍ୟୁମ୍ନ ଙ୍କୁ। 

ସେମାନଙ୍କୁ ଯେତେବେଳେ ପ୍ରଦ୍ୟୁମ୍ନ କହିଲେ ଯେ ସେଠାରେ ତାଙ୍କ ସ୍ତ୍ରୀ ଚାର୍ଲୋଟ୍ ରହନ୍ତି ଆଉ ସେ ତାଙ୍କୁ ଭେଟିବା ଲାଗି ଭାରତରୁ ସାଇକେଲ୍ ଯାତ୍ରା କରି ଆସିଛନ୍ତି, ସେମାନେ ପ୍ରଦ୍ୟୁମ୍ନଙ୍କର କଥାକୁ ପାଗଳର ପ୍ରଦାନ ଭାବି ହସ ରେ ଉଡାଇ ଦେଲେ। ପ୍ରଦ୍ୟୁମ୍ନ ତାଙ୍କ କଥାର ସତ୍ୟତା ପ୍ରମାଣିତ କରିବା ଲାଗି ନିଜର ବିବାହ ପଞ୍ଜିକରଣ ପତ୍ର ଏବଂ ତାଙ୍କର ଚାର୍ଲୋଟ୍ ଙ୍କ ସହିତ ବିବାହ କାଳୀନ ଫଟୋ ଦେଖାଇଲେ। ସେଥିରେ ମଧ୍ୟ ସେମାନଙ୍କର ବିଶ୍ବାସ ହେଲା ନାହିଁ ଯେ ଗୋଠେନବର୍ଗ ର ଜଣେ ସଂଭ୍ରାନ୍ତବଂଶୀୟା ତରୁଣୀ ଭାରତର ଜଣେ ସାମାନ୍ୟ ଦରିଦ୍ର ଯୁବକ କୁ ବିବାହ କରିଛି ବୋଲି। ସେମାନେ ପ୍ରଦ୍ୟୁମ୍ନଙ୍କ ପାଖରୁ ଚାର୍ଲୋଟ୍ଙ୍କର ଫୋନ୍ ନମ୍ବର ଏବଂ ଠିକଣା ନେଇ ଯୋଗାଯୋଗ କଲେ ଚାର୍ଲୋଟ୍ ଙ୍କ ସହିତ । ଖବର ପାଇ ଆନନ୍ଦାତିଶଯ୍ୟରେ କାନ୍ଦି ପକାଇଥିଲେ ଏବଂ ତତ କ୍ଷଣାତ୍ ନିଜର ଗାଡି ଧରି ଆସି ପହଞ୍ଚିଲେ ସେଠାରେ। ଦୁଇ ପ୍ରେମୀଙ୍କର ମିଳନ ଦେଖି ଅଭିଭୁତ ହୋଇ ପଡିଥିଲେ ଦେଖଣାହାରୀ ମାନେ। କର୍ତ୍ତୃପକ୍ଷଙ୍କୁ ସବୁ କଥା ଜଣାଇ ପ୍ରଦ୍ୟୁମ୍ନ ଙ୍କୁ ସସମ୍ମାନେ ଗୋଠେନବର୍ଗ ସ୍ଥିତ ନିଜ ଘରକୁ ନେଇ ଯାଇଥିଲେ ଚାର୍ଲୋଟ୍ । ସୁଇଡେନ୍ ଦେଶରେ ସେତେବେଳେ ଥିବା କଳାଗୋରା ଭେଦଭାବ ସତ୍ତ୍ୱେ ମଧ୍ୟ ପ୍ରଦ୍ୟୁମ୍ନଙ୍କର ନିଷ୍ଠା ଦେଖି ତାଙ୍କୁ ଆପଣେଇ ନେଇଥିଲେ ଚାର୍ଲୋଟ୍ ଙ୍କର ସଂଭ୍ରାନ୍ତ ପରିବାର । ଦୁଇ ପ୍ରେମପକ୍ଷୀ ମିଳିତ ହୋଇ ତାଙ୍କ ସୋନାର ସଂସାର ଗଢିଥିଲେ ସୁଇଡେନ୍ ରେ।

 ଦୁଃଖ ର ରଜନୀ ବିତି ସୁଖର ନୂତନ ସୂର୍ଯ୍ୟ ଉଇଁଥିଲା । ଏଇ ଚାଳିଶି ବର୍ଷ ବିତିବା ମଧ୍ୟରେ ଅନେକ ସୁଖଦ ଘଟଣା ଘଟିଛି ସେମାନଙ୍କ ଜୀବନରେ । ପ୍ରଦ୍ୟୁମ୍ନ ଙ୍କର ଚିତ୍ରକଳା ଉତ୍କର୍ଷ ଲାଭ କରିଛି। ତାଙ୍କର ଚିତ୍ରକଳା ପ୍ରଦର୍ଶନୀ ପୃଥିବୀ ର କୋଣ ଅନୁକୋଣରେ ପ୍ରସିଦ୍ଧି ଲାଭ କରିଛି । ଦୁଇ ହଜାର ବାର ମସିହାରେ ଇୟୁନିସେଫ୍ ର ଗ୍ରୀଟିଂ କାର୍ଡ୍ ରେ ସ୍ଥାନ ପାଇଛି ତାଙ୍କର ଚିତ୍ର । ତାଙ୍କୁ ଓଡିଶା ସରକାରଙ୍କ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଦୁଇହଜାର ତେର ମସିହାରେ ମିଳିଛି ସମ୍ମାନସୂଚକ ଡି. ଲିଟ୍ . ଉପାଧି । ଯେଉଁ ଗାଆଁ ରେ ଦିନେ ତାଙ୍କୁ ଅସ୍ପୃଶ୍ଯ ହରିଜନ ବୋଲି ଘୃଣା ମିଳୁଥିଲା, ଆଜି ସେଇ ଗାଆଁ, ସେଇ ଦେଶରେ ତାଙ୍କୁ ମିଳୁଛି ଅପର୍ଯ୍ୟାପ୍ତ ସମ୍ମାନ, ସ୍ନେହ ଆଦର, ବିଶ୍ୱ ବିଖ୍ୟାତ ହୋଇଛି ତାଙ୍କର ଯଶ କୀର୍ତ୍ତି । ଏବେ ସେ ସୁଇଡେନ୍ ର ନାଗରିକ, ସୁଇଡେନ୍ ସରକାର ଙ୍କର କଳା ଏବଂ ସଂସ୍କୃତି ବିଭାଗ ର ପରାମର୍ଶଦାତା, ସୁଇଡେନ୍ ଦେଶରେ ଓଡିଶା ସରକାରଙ୍କ ସାଂସ୍କୃତିକ ରାଷ୍ଟ୍ର ଦୂତ । ସୁଇଡେନ୍ ସରକାର ତାଙ୍କର ପ୍ରେମ କାହାଣୀ କୁ ଶତାବ୍ଦୀର ଶ୍ରେଷ୍ଠ ପ୍ରେମ କାହାଣୀ ଭାବରେ ବର୍ଣ୍ଣନା କରିଛନ୍ତି । ପ୍ରଦ୍ୟୁମ୍ନ ଏବଂ ଚାର୍ଲୋଟ୍ ଙ୍କର ଦୁଇ ସନ୍ତାନ ସିଦ୍ଧାର୍ଥ ଆଉ ଏମିଲି ସେମାନଙ୍କୁ ନେଇ ବେଶ୍ ଗର୍ବିତ। ଅନେକ ସିନେମା ପ୍ରଯୋଜକ ମଧ୍ୟ ଚାହିଁ ବସିଛନ୍ତି ତାଙ୍କର ଶାଶ୍ୱତ ପ୍ରେମ କାହାଣୀ କୁ ନେଇ ସିନେମା ନିର୍ମାଣ କରିବା ଲାଗି । ନିଷ୍ଠା ଓ ପ୍ରେମ ର ସେଇ ଦୁଇ ଉଜ୍ବଳ ନକ୍ଷତ୍ର କାଳ କାଳ ଧରି ଚମକୁଥିବେ ବିଶ୍ୱ ବାତାୟନରେ ପ୍ରେମ ର ପ୍ରତୀକ ହୋଇ।। 



Rate this content
Log in

Similar oriya story from Romance