ସେଇ ବର୍ଷାରାତି
ସେଇ ବର୍ଷାରାତି
ବାଲେଶ୍ବରରେ କଲେଜରୁ ବାହାରିଲା ବେଳକୁ ବର୍ଷା ଆଚ୍ଛନ୍ନ କରିର ଖିଥିଲା ସାରା ଆକାଶଟାକୁ।ଅଟୋରିକ୍ସାରୁ ବାହାରି ଏକର କମ ଦୌଡି ଦୌଡି ଟ୍ରେନ୍ ଡବା ଉପରକୁ ଚଢିଗଲା ପୂରବୀ, ବସିବା ପାଇଁ ସିଟ୍ ଟିଏ ଖୋଜି କୌଣସି ପ୍ରକାରେ ଆଡଜଷ୍ଟ କରି ନିତିଦିନିଆ ଯାତ୍ରୀମାନଙ୍କ ମଝିରେ ଖୁନ୍ଦିଖାନ୍ଦି ହୋଇ ବସି ପଡି ଦୀର୍ଘ ନିଶ୍ବାସଟିଏ ମାରିଲା। ଓହୋ! ବୋଲି ଶବ୍ଦଟିଏ ଆପେ ଆପେ ବାହାରି ଆସିଲା ମୁହଁରୁ। ଏଠିର ସାଳପୁର କଲେଜ୍ ରେ ଯୋଗ ଦେବାର ପ୍ରାୟ ବର୍ଷଟିଏ ହେଲାଣି, ସବୁବେଳେ ଏମିତି ଅବସ୍ଥା ତା’ର। ଭୂବନେଶ୍ବରରୁ ଜନ ଶତାବ୍ଦୀ ଏକ୍ସପ୍ରେସରେ ସକାଳ ଛଅଟା ବେଳକୁ ବାହାରିଲେ ବାଲେଶ୍ଵରରେ ପହଞ୍ଚିବ ନଅଟା ପନ୍ଦର ରେ, ଷ୍ଟେସନରୁ ଅଟୋରେ କଲେଜ୍ ଯିବ, ଦିନ ଯାକର କ୍ଲାସ୍ ସାରି ପୁଣି ସନ୍ଧ୍ୟା ପାଞ୍ଚଟା ବେଳକୁ ସେଇ ଟ୍ରେନ୍ ରେ ଫେରିବ ଭୁବନେଶ୍ଵର । ଅଟୋରିକ୍ସାରେ ବସି ପହଞ୍ଚିବ ଘରେ। ଆଜି ପୁଣି ବର୍ଷାପାଗ , କିଏ ଜାଣେ ସେ ପହଞ୍ଚିଲା ବେଳକୁ ଅଟୋରିକ୍ସାଟିଏ ମିଳିବ କି ନାହିଁ । ଭାଗ୍ୟରେ ସେ ଦିନ ପ୍ଲାଟଫର୍ମରୁ ବାହାରିଲା ବେଳକୁ ଅଳ୍ପ ଅଳ୍ପ ବର୍ଷା ହେଉଥିଲେ ବି ଅଟୋରିକ୍ସାଟିଏ ମିଳିଗଲା ତା’କୁ । ପୂର୍ବରୁ ବସିଥିବା ଯାତ୍ରୀ ଜଣକୁ “ସାଇଡ୍ ପ୍ଲିଜ୍ “ କହି ତରତରରେ ଅଟୋରିକ୍ସା ରେ ବସି ପଡିଲା ସେ। ବାହାରେ ବର୍ଷାର ବେଗ ବଢି ଚାଲିଥିଲା ।
ପୂରବୀ ପାଇଁ ନିତିଦିନିଆ କଥା ଇଏ।କେମିତି ହେଉ ବି ଘର ପାଖରେ ପହଞ୍ଚି ଗଲେ ଯାଏ। ଦିପ୍ତୀମାନଙ୍କର ଟୁରିଂ ଜବ୍ , ଶାଶୁ ଏକୁଟିଆ ରୁହନ୍ତି ଗାଆଁରେ ,ଆଉ ପୂରବୀ ଭୂବନେଶ୍ବର ଘରେ ଏକା । ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କୁ ନେଇ ତାଙ୍କର ସଂସାର । ବାହାଘର ପୂର୍ବରୁ ଭୂବନେଶ୍ବରର ନୟାପଲ୍ଲୀ ରେ ଏଇ ଫ୍ଲାଟ୍ ଟି କିଣିଥିଲେ ଦିପ୍ତୀମାନ କିନ୍ତୁ ଏକୁଟିଆ ହୋଇର ହିବାକୁ ପସନ୍ଦ କରୁ ନଥିଲେ ବୋଲି ଘର ଭଡାରେ ଦେଇ ନିଜେ ପି. ଜି.ରେ ରହୁଥିଲେ ସାଙ୍ଗମାନଙ୍କ ସହିତ। ପୂରବୀ ସହିତ ବାହାଘର ପ୍ରସ୍ତାବ ପଡିଲା ବେଳେ ହିଁ ସେଇକଥା ଜଣାଇ ଦେଇଥିଲେ ଦିପ୍ତୀମାନଙ୍କ ମାଆ ଶାରଦାଦେବୀ।
ଶାରଦାଙ୍କ ମାମୁଁ ଘର ଥିଲା ପୂରବୀଙ୍କ ଗାଆଁ ପାଖରେ, ନିଜର ଏକମାତ୍ର ସନ୍ତାନ ପାଇଁ ଭଲ ଝିଅଟିଏ ଖୋଜି ଦେବା ଲାଗି ନିଜର ମାମୁଁ ପୁଅ ଭାଇ କୈଳାଶଙ୍କୁ ଅନୁରୋଧ କରିଥିଲେ ଶାରଦା। ଅକାଳରେ ପତିଙ୍କୁ ହରାଇଥିବା ଶାରଦା ନିଜର ପୁଅକୁ ଗଣ୍ଠିଧନ କରି ବଢେଇଥିଲେ । ଖୁବ୍ ମେଧାବୀ ଥିଲେ ଦିପ୍ତୀମାନ, ବାପାଙ୍କ ଅବର୍ତ୍ତମାନ ରେ ନିଜ ଦାୟିତ୍ୱ ନିଜେ ନେଇ ସେ ଖୁବ୍ ଭଲ ନମ୍ବରର ଖି ଗ୍ରାଜୁଏସନ୍ କରିବା ପରେ ଏମ୍ ବିଏ କରି ଗୋଟିଏ ବହୁଦେଶୀୟ କମ୍ପାନୀ ରେ ଚାକିରୀ ପାଇଥିଲେ । ଘରେ ଜମିବାଡି ପ୍ରଚୁର ଥିଲା , ଶାରଦା ଙ୍କୁ ଦେଖାଶୁଣା କରିବାକୁ ପଡୁଥିଲା ସେ ସବୁ। ତେଣୁ ପୁଅ ପଚିଶି ବର୍ଷର ହେଲା ବେଳକୁ ସେ ବୋହୁଟିଏ ଖୋଜିବା ଆରମ୍ଭ କରିଥିଲେ। ବାପ ନଥିଲା ପୁଅ, କାଳେ ବାଟଅବାଟରେ ଚାଲିଯିବ, ସେଇ ଭୟରେ ନିଜର ବନ୍ଧୁ ବାନ୍ଧବମାନଙ୍କୁ ଲଗେଇ ବୋହୁ ଖୋଜା ଚଳେଇଥିଲେ। ପୂରବୀର ବାପା ଦୀନନାଥ ଥିଲେ କୈଳାଶ ଲେଙ୍କାଙ୍କର ପିଲାଦିନର ସାଙ୍ଗ।ସେଇ ସୂତ୍ରରେ ପୂରବୀଙ୍କ ଘର ସହିତ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ ସେ।ଯେହେତୁ ପୂରବୀକୁ ଛୋଟ ବେଳୁ ଜାଣିଥିଲେ ଏବଂ ତା’ର ରୂପ ଗୁଣ, ଚାଲିଚଳନ , ତା’ର ମେଧାବୀପଣ ଦେଖି ମୁଗ୍ଧ ହୋଇଥିଲେ, ଶାରଦା ଦେବୀଙ୍କ ବୋହୁ ହେବା ଲାଗି ସଂପୂର୍ଣ୍ଣ ଯୋଗ୍ୟ ମନେକରି ଦିପ୍ତୀମାନ ପାଇଁ ପୂରବୀର ପ୍ରସ୍ତାବ ଦେଇଥିଲେ କୈଳାଶ ଦୀନନାଥଙ୍କୁ। ଥିଲାବାଲା ଘରର ଏକମାତ୍ର ସୁଯୋଗ୍ୟ ସନ୍ତାନ , ସେଥିରେ ପୁଣି ଶାରଦା ଦେବୀଙ୍କ ଭଳି ଶାଶୁ, ଏସବୁ ଦେଖି ଆଖିବୁଜି ପ୍ରସ୍ତାବ କୁ ସ୍ୱୀକାର କରିଥିଲେ ଦୀନନାଥ । କୈଳାଶ ପୂରବୀର ଫଟୋ, ଟିପଣା ଧରି ପହଞ୍ଚିଥିଲେ ଶାରଦା ଦେବୀଙ୍କ ପାଖରେ। ଶାରଦା ବେଶ୍ ପସନ୍ଦ କରିଥିଲେ ଫଟୋଟି, ଜ୍ୟୋତିଷକୁ ଭାଇ ଭଉଣୀ ଦଶ ମେଳକ କରାଇବା ପରେ ସ୍ଥିର କରିଥିଲେ ଯେ ପୂରବୀ ସିଏ ଫାଇନାଲ୍ ପରୀକ୍ଷା ଦେଇ ଗାଆଁକୁ ଫେରିବା ପରେ ଏକାଥରେ ଦିପ୍ତୀମାନକୁ ସାଙ୍ଗରେ ଧରି ଶାରଦା ଆସିବେ କୈଳାଶଙ୍କ ଘରକୁ ଆଉ ସେଇଦିନ ପୂରବୀକୁ ମୁଦି ପିନ୍ଧେଇ ବାହାଘରରେ ଦିନ ସ୍ଥିର କରିଦେଇ ଆସିବେ।
କେନ୍ଦ୍ରାପଡାର ନଦୀକୂଳିଆ ରାଜନଗର ବ୍ଲକରେ ସୁବର୍ଣ୍ଣପୁର ଗାଆଁର ଝିଅ ପୂରବୀ, ବାପା ଦୀନନାଥ ଜଣେ ପ୍ରାଥମିକ ଶିକ୍ଷକ ହୋଇଥିବାରୁ ଶିକ୍ଷାର ମହତ୍ତ୍ଵ ବୁଝିଥିଲେ, ସେଥିପାଇଁ ନିଜର ଏକମାତ୍ର କନ୍ୟା ସନ୍ତାନଟିକୁ ପାଠ ପଢାଇବା ଲାଗି ପ୍ରଥମେ କେନ୍ଦ୍ରାପଡା ବଳଦେବଜୀଉ ହାଇସ୍କୁଲ୍ ପରେ କଟକରେ ରେଭେନ୍ସା ମହାବିଦ୍ୟାଳୟ ରେ ନାମ ଲେଖାଇ ସେଠାକାର ଛାତ୍ରାବାସରେ ରଖି ପାଠ ପଢାଇଥିଲେ । ନିଜେ ଅଭାବ ଅନଟନ ଭିତରେ ରହି ମଧ୍ୟ ପୂରବୀକୁ ଉଚ୍ଚ ଶିକ୍ଷିତ କରାଇବା ପାଇଁ ତିଳେହେଲେ କୁଣ୍ଠିତ ହୋଇନଥିଲେ । ଗାଆଁ ଲୋକେ କହୁଥିଲେ “ ଝିଅ ଛୁଆଟା, କାଲି ସକାଳେ ବାହା ହୋଇ ଶାଶୁଘରକୁ ଚାଲିଯିବ , ତା’ ପାଇଁ ପୁଣି କେତେ ଯାନିଯଉତୁକ ଲୋଡା ପଡିବ, ଏ ଦୀନା ମାଷ୍ଟର ସେ କଥା ନ ଭାବି, ନିଜ ଭବିଷ୍ୟତ କଥା ନଭାବି, ଝିଅଟା ପିଛାରେ ପାଣି ଭଳିଆ ପଇସା ବୁହା ଦେଉଛି! ସୁଦୁ ପାଗଳଟାଏ”। ସବୁ କଥା ଶୁଣନ୍ତି ଦୀନନାଥ, ଟିକିଏ ହସି ଦେଇ କହନ୍ତି “ ଟଙ୍କା ପଇସା ରଖି କ’ଣ କରିବି? ଥିଲେ ତ ସେଇ ନେବ, ମଲେ ବି ସେଇ ନେବ, ତେଣୁ ତା’କୁ ଆଗ ମଣିଷ ଭଳି ମଣିଷଟିଏ କରିବି, ସିଏ ମୋର ପୁଅ ହୋଇ ମୋ ନାଆଁ ରଖିବ “।ଏବେ ବହୁତ ଭଲ ବିବାହ ପ୍ରସ୍ତାବଟି ପାଇ ଖୁବ୍ ଖୁସିରେ ଥିଲେ ଦୀନନାଥ। ଯଥାଶକ୍ତି ଯୋଗାଡ କରିବାରେ ଲାଗି ପଡିଥିଲେ ପୂରବୀ ପାଇଁ ସୁନାଗହଣା, ବାସନକୁସନ, ଖଟପଲଙ୍କ ତିଆରି କରେଇବାରେ। ଖାଲି ପୂରବୀ ପାଇଁ ଥିଲା ଅପେକ୍ଷା। କେବେ ତା’ର ପରୀକ୍ଷା ସରିବ, କେବେ ସିଏ ଘରକୁ ଫେରି ଆସିବ ସେଇଥିପାଇଁ ଦିନ ଗଣିବାରେ ଲାଗିଥିଲେ ସ୍ୱାମୀ ସ୍ତ୍ରୀ ଦୁହେଁ ।
ଫେବୃଆରୀ ଶେଷ ସପ୍ତାହରେ ଫାଇନାଲ୍ ପରୀକ୍ଷା ସରିବା ପରେ ଆଉ କିଛି କାମ କରିବାକୁ ଅଛି ବୋଲି କହି ଆଉ ସାତ ଆଠଦିନ ଅଧିକ ରହି ଯାଇଥିଲା ପୂରବୀ। ମାର୍ଚ୍ଚ ମାସ ଅଧା ବେଳକୁ ଘରେ ପହଞ୍ଚିଲା ପରେ ଶାରଦା ଦେବୀଙ୍କ ସହିତ ଦିପ୍ତୀମାନଙ୍କୁ ଧରି ଘରକୁ ଆସିଥିଲେ କୈଳାଶ ଦାଦା । ସେମିତି କିଛି ବିଶେଷ ଆୟୋଜନ ନଥିଲା , ସାଧାରଣ ଦେଖା ସାକ୍ଷାତ କହି ବୋଉ ପଠାଇଥିଲା ଚାହା ଟ୍ରେ ନେଇ ଦେଇ ଆସିବାକୁ କୈଳାଶ ଦାଦାଙ୍କ ଭଉଣୀ ଆଉ ତାଙ୍କ ପୁଅକୁ । ସ୍ୱାଭାବିକ ଢଙ୍ଗରେ ଦାଣ୍ଡ ଘରକୁ ଯାଇ ପୂରବୀ ସେମାନଙ୍କୁ ପ୍ରଣିପାତ କରି ଚାହା କପ୍ ବଢାଇ ଦେଲା ପରେ ତା’ର ହାତ ଧରି ପାଖରେ ବସାଇ ଦେଇଥିଲେ ଶାରଦା ଦେବୀ, ଦିପ୍ତୀମାନର ମୁହଁ ଦେଖି କ’ଣ ଠଉରାଇ ଥିଲେ କେଜାଣି ଅଣ୍ଟାରେ ଖୋଜିଥିବା ମୁଣିରୁ କାଢି ଦୁଇପଟ ସୁନାର ମୋଟା ବାହୁଟି ସହ ମୁଦିଟିଏ ପିନ୍ଧାଇ ଦେଇଥିଲେ ପୂରବୀର ହାତରେ। ଆବାକାବା ହୋଇ ପୂରବୀ ଚାହିଁଥିଲା ବାପା ବୋଉଙ୍କୁ ଆଉ ଶାରଦା ଦେବୀଙ୍କୁ, ସେମାନଙ୍କ ମୁହଁରେ ଖେଳି ଯାଉଥିବା ଖୁସିର ହସକୁ ଦେଖି ସେ ଅନୁମାନ କରି ନେଇଥିଲା ଯେ ଏ ସବୁ ପୂର୍ବ ପରିକଳ୍ପିତ ଯୋଜନା ସେମାନଙ୍କର, ହତବାକ୍ ହୋଇ ସେମିତି ଚାହିଁର ହିଥିଲା ବେଳେ ବୋଉ କହିଥିଲା “ ତୋ ଶାଶୁ ଙ୍କୁ ପ୍ରଣାମ କର ମାଆ, ତୁ ବଡ ସୌଭାଗ୍ୟବତୀ , ଏମିତି ସ୍ନେହୀ ପରିବାର ଟିଏ ମିଳିଛି ତତେ ।
ମୁଣ୍ଡ ଉଠାଇ ଥରେ ଦିପ୍ତୀମାନଙ୍କୁ ଚାହିଁଲା ପୂରବୀ, ସୁନ୍ଦର ସୁଠାମ ଚେହେରାର ଉଜ୍ବଳ ମୁହଁଟିଏ, ତଥାପି ଅସହନୀୟ କୋହରେ ଭାଙ୍ଗି ପଡୁଥିଲା ତା’ର ହୃଦୟ, କୋହ ସବୁ ମେଞ୍ଚା ମେଞ୍ଚା ହୋଇ ତଣ୍ଟି ପାଖରେ ଅଟକି ଯାଉଥିଲା, ଛାତି ଭିତରେ ଗୋଟାଏ ଝଡ ବହି ଯାଉଥିଲା ଯେମିତି, ତା’ର ବଡ ବଡ ଆଖିରେ ପଡିବ କରି ସେ ସେମିତି ସ୍ଥାଣୁ ହୋଇ ଠିଆ ହୋଇଥିଲା, ବୋଉ ପାଖକୁ ଆସି ତା’ ହାତ ଧରି ଟାଣି ନେଇ ଶାରଦା ଦେବୀ ଙ୍କ ପାଦରେ ମୁଣ୍ଡିଆ ମରିଗଲା ବେଳକୁ ଧାର ଧାର ଲୁହ ବୋହି ଯାଉଥିଲା ତା’ ଆଖିରୁ। ଶାରଦା ଦେବୀ ତା’ ମୁଣ୍ଡ ରେ ହାତ ରଖି କହିଥିଲେ ସବୁ ଝିଅ ଜନ୍ମ ପର ଘରକୁ ରେ ମାଆ! ଆମେ ମାନେ ବି ଦିନେ ଏମିତି କାନ୍ଦି କାନ୍ଦି ବାପଘରୁ ଶାଶୁଘରକୁ ଆସିଥିଲୁ। ଇଏ ସବୁ ନାରୀଙ୍କର ଭବିତବ୍ୟ । ତୁ ମନ କଷ୍ଟ କର ନାହିଁ , ଆମ ଘର ଏଠାରୁ ବେଶୀ ବାଟ ନୁହେଁ, ତୁ ଯେବେ ଚାହିଁବୁ , ତୋ ବାପା ବୋଉଙ୍କୁ ଦେଖିବାକୁ ଆସିପାରିବୁ। ମୋ ପାଖରେ ମୋ ଝିଅ ହୋଇ ରହିବୁ ରେ ମାଆ! କାନ୍ଦୁଛୁ କାହିଁକି ? ପୂରବୀ ଭାବି ପାରୁନଥିଲା ଯେ ତା’ ବାପା ବୋଉ ତା’ର ଅଜାଣତରେ ତା’ର ଭାଗ୍ୟ ନିର୍ଦ୍ଧାରଣ କରି ସାରିଛନ୍ତି ଶାରଦା ଦେବୀଙ୍କ ପୁଅର ବୋହୁ ହୋଇ ତା’ର ବାକୀ ଜୀବନ କାଟିବା ଲାଗି । ଏମିତି କେମିତି କରି ପାରିଲେ ସେମାନେ? ଏତେ ବଡ ନିର୍ଣ୍ଣୟ ନେବା ପୂର୍ବରୁ ଅନ୍ତତଃ ଥରେ ତ ପଚାରି ପାରିଥାଆନ୍ତେ ପୂରବୀ କୁ ! କ’ଣ ତା’ର ଭବିଷ୍ୟତର ଲକ୍ଷ୍ୟ? ଯାହା ହାତ ଧରି ଜୀବନ କାଟିବ ସିଏ , ସେ ତା’ର ପସନ୍ଦ ଯୋଗ୍ୟ କି ନୁହେଁ? କ’ଣ ଚାହେଁ ସେ ? କିନ୍ତୁ କିଛି ନ ବୁଝି ନ ଶୁଝି ଛେଳି ମେଣ୍ଢା ଭଳି ଏ ହାତରୁ ସେ ହାତ କୁ ସ୍ଥାନାନ୍ତରିତ କରିଦେଲେ? ତା’ର ଇଚ୍ଛା ହେଉଥିଲା ବୁକୁ ଫଟେଇ ଚିତ୍କାର କରି କାନ୍ଦି କାନ୍ଦି ଫଟେଇ ଦେବ ସାରା ଆକାଶ କୁ। କେମିତି ଭାଗ୍ୟ ନେଇ ଜନ୍ମ ହୋଇଥିଲେ ସେ ? ଜୀବନ ଆରମ୍ଭ ନଯାଉଣୁ ଶେଷ ହୋଇଗଲା ହାଣ୍ଡିଶାଳରେ। ଖିଆପିଆ ସାରି ହସଖୁସିରେ ଫେରିଗଲେ ସମସ୍ତେ,ଫେରିବା ବେଳକୁ ଶାରଦା ଦେବୀ ଙ୍କୁ ହାତ ଯୋଡି ନେହୁରା ହୋଇ କହୁଥିଲେ ବାପା “ ଆପଣଙ୍କ ବାଡି ତାଟିକୁ ମୁଁ ସରିହେବି ନାହିଁ ସମୁଦୁଣୀ ! ମୋ ଝିଅକୁ ବୋହୁ କରିବାକୁ ସ୍ଥିର କରି ମୋତେ ଚିରଦିନ ନିମନ୍ତେ ଋଣୀ କରିଦେଲେ ଆପଣ” । କୈଳାଶ ଦାଦାଙ୍କ ହାତ ଧରି କଇଁ କଇଁ ହୋଇ କାନ୍ଦି ପକାଉଥିଲେ ବାପା, ପାଟିରୁ କଥା ବାହାରୁ ନଥିଲା ତାଙ୍କର ।
ବାପାଙ୍କ ଅବସ୍ଥା ଦେଖି କରୁଣାରେ ଦ୍ରବୀଭୂତ ହୋଇ ଯାଉଥିଲା ପୂରବୀର ମନ। ଏଇ ବାହାଘରରେ ସେ ଖୁସି ନୁହେଁ ବୋଲି କହିବାକୁ ତା’ର ଜିଭ ଲେଉଟୁ ନଥିଲା । ପିଲାଦିନୁ ବାପାଙ୍କୁ ଅଭାବ ଅନଟନ ଭିତରେ ତା’ର ପାଠ ପଢା, ତା’ର ବାହାଘର ପାଇଁ ଟଙ୍କାଏ ଟଙ୍କାଏ କରି ସଞ୍ଚୟ କରିବାର ଦେଖିଥିଲା ସେ, ବୋଉକୁ କେବେ ଭଲ ଶାଢୀ ଖଣ୍ଡିଏ କି ବାପାଙ୍କୁ ବେଳ ଭଲ ପୋଷାକ ପିନ୍ଧିବାର କେବେ ବି ଦେଖିନଥିଲା।ତାଙ୍କ ବାପାଙ୍କ ପରେ ତିନିତିନୋଟି ଭଉଣୀଙ୍କ ବାହାଘର, ମାଆଙ୍କ ପାଳନପୋଷଣ ଆଉ ତାଙ୍କ ମୃତ୍ୟୁ ପରେ ତାଙ୍କର କ୍ରିୟା କର୍ମ କରି ଆର୍ଥିକ ଦୂରବସ୍ଥା ଭିତରେ ଗତି କରୁଥିଲେ ଦୀନନାଥ। ପ୍ରାଥମିକ ଶିକ୍ଷକ ଜଣେ, କେତେ ବା ଦରମା ତାଙ୍କର? ତଥାପି ଝିଅର କୌଣସି ପୂଜା ପାର୍ବଣରେ ଲୁଗାପଟା କିଣିଲା ବେଳେ ସେ କୁଣ୍ଠିତ ହେଉ ନଥିଲେ। ଏକମାତ୍ର କନ୍ୟାକୁ ସବୁମତେ ସୁଖୀ କରିବାକୁ ଚାହୁଁଥିଲେ ଦୀନନାଥ, ସେଥିପାଇଁ କୈଳାଶ ଲେଙ୍କାଙ୍କ ପ୍ରସ୍ତାବରେ ଆଖିବୁଜି ହଁ ଭରିଥିଲେ ସେ।ବାପା ବୋଉଙ୍କ ମୁହଁକୁ ଚାହିଁ ବାହାଘର ପାଇଁ ଆଉ ପ୍ରତିବାଦ କରିପାରିନଥିଲା ପୂରବୀ । ଅଳ୍ପ କିଛି ଦିନ ମଧ୍ୟରେ ଦିପ୍ତୀମାନଙ୍କ ସହିତ ବାହାଘର ହୋଇ ଯାଇଥିଲା ତା’ର । ଖୁବ୍ ଖୁସିଥିଲେ ଶାରଦା ଦେବୀ, ସ୍ନେହ ମମତାରେ କୋଳେଇ ନେଇଥିଲେ ତା’କୁ । ଆଉ ଦିପ୍ତୀମାନ? ସିଏ ତ ସାତ ଆକାଶରେ ଘୁରି ବୁଲୁଥିଲା ଏମିତି ସୁନ୍ଦରୀ ସ୍ତ୍ରୀ ଟିଏ ପାଇ।ଚତୁର୍ଥ ଦିନ ରାତି ରେ ଯେତେବେଳେ ଲେଖାଯୋଖାରେ ଭାଉଜମାନେ ପୂରବୀକୁ ସଜକରି ବାସର ଘରେ ବସେଇ ଦେଇ ଯାଇ ଦିପ୍ତୀମାନଙ୍କୁ ଆଣି ସେ ଘରେ ଛାଡ଼ି ଦେଇ ଯାଇଥିଲେ, ତଳକୁ ମୁହଁ ପୋତି ବସି କାନ୍ଦୁଥିବା ପୂରବୀକୁ ଅବିଳମ୍ବେ ନିଜ ବାହୁ ବନ୍ଧ ରେ ବାନ୍ଧି ପକାଇଥିଲେ ଦିପ୍ତୀମାନ । ତା’ର ମୁହଁ କୁ ତୋଳି ଧରି ଅଜସ୍ର ଚୁମ୍ବନରେ ଛାଇ ଦେଇଥିଲେ ତା’କୁ, ଆଉ କହିଥିଲେ “ ଜାଣିଛ ପିହୁ ! ତମକୁ ଦେଖିବା ଦିନୁ ମୁଁ ପାଗଳ ହୋଇ ସାରିଛି ତୁମ ପ୍ରେମରେ, ତୁମେ ବିଶ୍ୱାସ କରିବ କି ନା ଜାଣେନା , କିନ୍ତୁ ତୁମ ଠାରୁ ସୁନ୍ଦର ଝିଅଟିଏ ମୁଁ ଜୀବନରେ ଦେଖିନାହିଁ, ମୋ ଭାଗ୍ୟରେ ଯେ ପୃଥିବୀର ସବୁଠୁ ସୁନ୍ଦର ଝିଅଟି ଅଛି ସେ କଥା ଭାବି ଭାବି ମୁଁ ସବୁବେଳେ ନିଜକୁ ଧନ୍ୟ ମନେ କରୁଛି, ତୁମକୁ ଦେଖିବା ପରେ ସବୁ ରାତିରେ ତମେ ମୋ ସ୍ୱପ୍ନ ରେ ଆସିଛ, କେତେ ବିନିଦ୍ର ରଜନୀ କାଟିଛି ତୁମ କଥା ଭାବି ଭାବି, ସେକଥା ତୁମେ ଭାବି ପାରିବନି ପିହୁ। ଆଇ ଆମ୍ ସୋ ଲକି ପିହୁ, ଆଇ ଗଟ୍ ମାଇଁ ଲଭ୍, ଥ୍ୟାଙ୍କସ୍ ଫର୍ ଇଓର୍ ଆସେପ୍ଟାନ୍ସ ପିହୁ ! ପୂରବୀକୁ ଛାତିରେ ଚାପି ଧରି କ’ଣ କ’ଣ ସବୁ କହି ଯାଉଥିଲେ ଦିପ୍ତୀମାନ ଆଉ ନିର୍ଜୀବ କଣ୍ଢେଇ ଟିଏ ଭଳି ସବୁ ଶୁଣି ଯାଉଥିଲା ପୂରବୀ । ତା’ ପାଟିରୁ ଉଁ ଚୁଁ ବୋଲି ଶବ୍ଦ ଟିଏ ବାହାରୁ ନଥିଲା, ସେଇ ଜଡତାକୁ ଦିପ୍ତୀମାନ ସ୍ତ୍ରୀ ସୁଲଭ ଲଜ୍ଜ୍ୟା ବୋଲି ଧରିନେଇ ଆଗେଇ ଚାଲିଥିଲେ। ନିଜର ଚରମ ପୂର୍ଣ୍ଣତା ପରେ ଥକିଯାଇ ଶୋଇ ପଡିଥିଲା ଦିପ୍ତୀମାନ, ହେଲେ ପୂରବୀର ଆଖିରେ ନିଦ ନଥିଲା। ସେମିତି ଆଖିରେ ଆଖିରେ କଟିଥିଲା ବାସରରାତି । ସକାଳୁ ଉଠି ଗାଧୁଆପାଧୁଆ ସାରି ଡ୍ରେସିଂ ଟେବୁଲ୍ ପାଖରେ ବସି ନିଜ ମଥାରେ ସିନ୍ଦୂର ଲଗାଇବା ବେଳେ ଥରେ ଦିପ୍ତୀମାନଙ୍କୁ ଚାହିଁଲା ପୂରବୀ, ପରମ ତୃପ୍ତିର ନିଦ୍ରାରେ ଶୋଇ ରହିଛନ୍ତି ଦିପ୍ତୀମାନ, ମୁହଁରେ ଲାଗି ରହିଛି ଶିଶୁ ସୁଲଭ ହସ ଧାରଟିଏ।ପୂରବୀର ଦୟା ଆସୁଥିଲା ଦିପ୍ତୀମାନ୍ ଉପରେ, ବିଚରା ଏତେ ସରଳ ଆଉ ଏତେ ସ୍ନେହୀ ମଣିଷଟିଏ, ହେଲେ ପୂରବୀ ତା’କୁ ତା’ର ପ୍ରାପ୍ୟ ସ୍ନେହ ଟିକକ ଦେଇ ପାରୁନି, ତା’ର ଅନ୍ତରାତ୍ମାରୁ କେହି ତା’କୁ ଅଟକାଇର ଖୁଛି, ନିଜକୁ ଅସହାୟ ଆଉ ଅଣନିଃଶ୍ବାସୀ ମନେ କରୁଥିଲା ପୂରବୀ । ବେଡ୍ ରୁମ୍ ର ଝରକା ଖୋଲି ଦେଲା ଟିକିଏ ଥଣ୍ଡା ପବନ ଆସିବ ବୋଲି, ମେଞ୍ଚାଏ ଶୀତଳ ପବନ ସହିତ ଝଲକାଏ ସୁନା ରଙ୍ଗର ଖରା ପଶି ଆସିଲେ ପଡିଗଲା ଦିପ୍ତୀମାନର ମୁହଁ ଉପରେ, ଭିଡିମୋଡି ହୋଇ ମୁହଁରେ ହାତ ଦେଇ କୁଙ୍କୁଡିକାଙ୍କୁଡି ହୋଇ ଶୋଇବା ଲାଗି ଚେଷ୍ଟା କରୁଥିବା ସ୍ୱାମୀ ଉପରେ ଚଦରଟିଏ ଘୋଡେଇ ଦେବାକୁ ଗଲା ପୂରବୀ। ତା’ ଦେହର ବାସ୍ନା ରେ ବୋଧହୁଏ ନିଦ ଭାଙ୍ଗିଥିଲା ଦିପ୍ତୀମାନଙ୍କର।ଚଦର ସମେତ ପୂରବୀକୁ ଭିଡିନେଲେ ସେ ବେଡ ଉପରକୁ, ଚୁମାରେ ଚୁମା ରେ ଛାଇ ଦେଇଗଲେ ତା’କୁ।ଅଣନିଃଶ୍ବାସୀ ହୋଇ ପଡୁଥିଲା ପୂରବୀ, ବହୁତ କଷ୍ଟରେ ନିଜକୁ ମୁକ୍ତ କରିଥିଲେ ତାଙ୍କ ବାହୁ ବନ୍ଧନରୁ ପୂଜା କରିବାକୁ ଯାଉଛି କହି। ଠାକୁରଘରେ ପହଞ୍ଚି ଦୀର୍ଘ ନିଃଶ୍ବାସଟିଏ ମାରିଥିଲା, ଦୁଃଖରେ ଆକ୍ତା ମାକ୍ତା ହୋଇ ବୋହି ଆସୁଥିବା ଲୁହଧାରକୁ ଢାଳି ଠାକୁରଙ୍କୁ ମୁଣ୍ଡିଆ ମାରି ନିଜର ଦୁଃଖ ଜଣାଇଲା ତାଙ୍କୁ, କାହିଁକି ସେ ତା’ ପ୍ରତି ଏତେ ଅବିଚାର କଲେ , ତା’କୁ ଏମିତି ଏକ ଦୁବିଧାରେ ପକାଇଲେ।
କିଛି ସମୟ ଧରି କାନ୍ଦି ସାରିଲା ପରେ ତା’ ମନ ହାଲୁକା ଲାଗିଲା , ଯାହା ହୋଇଛି ତାହା ବିଧି ନିର୍ଦ୍ଦିଷ୍ଟ ବୋଲି ଭାବି ସମୟ ସାଥିରେ ଚାଲିବାକୁ ଆରମ୍ଭ କରିଥିଲା ସେ। ଦିପ୍ତୀମାନଙ୍କର ଭଲ ପାଇବା ଦିନକୁ ଦିନ ବଢି ଚାଲିଥିଲା,ଚାବି ଦିଆ କଣ୍ଢେଇ ପରି ପୂରବୀ ଆପଣେଇ ନେଇଥିଲା ତା’ ସଂସାରକୁ। ବାହାଘରରର ମାସଟିଏ ପରେ ଶାରଦା ଦେବୀ ନିଜେ ପଠାଇ ଦେଇଥିଲେ ପୂରବୀକୁ ଦିପ୍ତୀମାନଙ୍କ ସହିତ ଭୁବନେଶ୍ବରରେ ରହିବାକୁ, କହିଥିଲେ “ ମୋ ପୁଅଟା ଆଉ କେତେ ଦିନ ସେଇ ମେସ୍ ରେ ଖାଇ ଏକା ରହିବ ରେ ମାଆ! ତୁ ଯାଇ ତା’କୁ ସମ୍ଭାଳ ସେଠି , ମୁଁ ଏଠି ଭଲରେ ସମ୍ଭାଳି ନେବି ସବୁ, ତୁମମାନଙ୍କୁ ସମୟ ହେଲେ ସପ୍ତାହରେ ଥରେ ଆସି ଦେଖିଯିବ ମତେ”। ସେଇ କେତେ ଦିନ ମଧ୍ୟରେ ତାଙ୍କ ସ୍ନେହ ଆଦରରେ ବାନ୍ଧି ଏମିତି ହୋଇ ପଡିଥିଲା ପୂରବୀ ଯେ ତାଙ୍କର କୌଣସି କଥା ଅମାନ୍ୟ କରିବାକୁ ତା’ ବିବେକ ବାଧା ଦେଉଥିଲା। ସୁନାବୋହୂଟି ପରି ସେ ଶାଶୁଙ୍କର କଥା ମାନି ଆସିଥିଲା ଭୂବନେଶ୍ବର ଦିପ୍ତୀମାନଙ୍କ ସହିତ। ନିଜର ଇଚ୍ଛା ଅନିଚ୍ଛା ଦୁଃଖ ସୁଖକୁ ଅନ୍ତର ଭିତରେ ଚାପିଦେଇ ନୂଆପଲ୍ଲୀ ରେ ଦିପ୍ତୀମାନଙ୍କର ନିଜର ଫ୍ଲାଟରେ ରହି ଘରକରଣା ଆରମ୍ଭ କରିଥିଲା ଯନ୍ତ୍ର ମଣିଷଟିଏ ଭଳି । ଅଳ୍ପ କିଛି ଦିନ ପରେ ସ୍ନାତକ ପରୀକ୍ଷା ଫଳ ବାହାରିଥିଲା, ଖୁବ୍ ଭଲ ରେଜଲ୍ଟ କରି ନବେ ପ୍ରତିଶତ ନମ୍ବର ରଖି ଅନର୍ସ ଡିଷ୍ଟିଙ୍କ୍ସନ୍ ରେ ପାଶ୍ କରିଥିଲା ପୂରବୀ , ଖୁବ୍ ଖୁସି ହୋଇଥିଲେ ସମସ୍ତେ , ଦିପ୍ତୀମାନ ବାଣୀବିହାରରେ ସମାଜ ବିଜ୍ଞାନ ବିଭାଗରେ ପି.ଜି. କରିବା ଲାଗି ଆଡମିସନ କରିଦେଇଥିଲେ ପୂରବୀର । ପି.ଜି. ସରିବାର ବର୍ଷଟିଏ ଭିତରେ କାକଟପୁର କଲେଜ୍ ରେ ଚାକିରୀ ଟିଏ ପାଇ ଯାଇଥିଲା ପୂରବୀ । ଧନ ଦୌଲତ, ସ୍ନେହ ଶ୍ରଦ୍ଧା , ପ୍ରାଚୁର୍ଯ୍ୟରେ ଭରି ରହିଥିଲେ ମଧ୍ୟ ସବୁବେଳେ ଉଦାସର ହୁଥିଲା ପୂରବୀର ମନ।
ଦିପ୍ତୀମାନଙ୍କ ସ୍ନେହ ଶ୍ରଦ୍ଧା ଦିନକୁ ଦିନ ବଢି ଚାଲିଥିଲା, ପୂରବୀକୁ ସବୁମତେ ଖୁସିରେ ରଖିବାକୁ ଚେଷ୍ଟା କରୁଥିଲେ ସିଏ , ହେଲେ ସବୁ ଥାଇ ବି ତାଙ୍କ ସଂସାର ଅପୂର୍ଣ୍ଣ ଥିଲା। ବିବାହର ପାଞ୍ଚ ବର୍ଷ ପରେ ବି ସନ୍ତାନଟିଏ ଆସିନଥିଲା ସେମାନଙ୍କ କୋଳକୁ । ନାତି କି ନାତୁଣୀ ଟିଏ ଦେଖିଲେ ଯାଇ ମରିବା ବୋଲି ଥରେ ଦିଥର ଶାରଦାଦେବୀ ପୂରବୀ କୁ କହି ସାରିଥିଲେ , କିନ୍ତୁ ସିଏ କ’ଣ ପୂରବୀର ହାତରେ ଥିଲା ? ଆଗ୍ରହ ଥାଉ ବା ନଥାଉ ,ଦିପ୍ତୀମାନଙ୍କୁ ଶରୀର ସୁଖ ଦେବାରେ ସେ କେବେ ବି ଅବହେଳା କରିନଥିଲା, ତଥାପି ଈଶ୍ଵର ତା’କୁ ସନ୍ତାନ ସୁଖରୁ ଏଯାଏଁ ବଞ୍ଚିତ ରଖିଥିଲେ କାହିଁକି କେଜାଣି । ଶାଶୁ ମାଆ ଅନେକ ଠାକୁରଙ୍କ ପାଖରେ ମାନସିକ ରଖି ସାରିଥିଲେ, ପୂରବୀ ନିଜେ ମଧ୍ୟ ସବୁବେଳେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିଲା ତା’କୁ ସନ୍ତାନଟିଏ ଦେବା ପାଇଁ, କିନ୍ତୁ ଦିପ୍ତୀମାନ ସବୁବେଳେ କହୁଥିଲେ “ ଯେତେବେଳେ ଯିଏ ଆସିବା କଥା ସେ ଆସିବ ପିହୁ ! ବୋଉ ଆଉ ତମେ ଏତେ ବ୍ୟସ୍ତ କାହିଁକି? “ । ତଥାପି ପୂରବୀର ମନ ବୁଝେନା। କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜକୁ ବୁଡେଇ ରଖେ।ବେଳେବେଳେ ଦୀପ୍ତିମାନ ବିରକ୍ତ ହୋଇ କୁହନ୍ତି “ ତୁମେ ଏଇ ଚାକିରୀଟା କରି ପେଶି ହୋଇ ଯାଉଛ ପିହୁ ! କେତେ ଧାଁ ଧପଡ କରିବ? କେବେ ଦେଖିଛ ତୁମର ସେଇ ସୁନା ରଙ୍ଗର ଚେହେରାଟା କ’ଣ ହେଲାଣି ଏ ଜଞ୍ଜାଳରେ ପଶି ? ପୂରବୀ ହସେ, ଦିପ୍ତୀମାନଙ୍କର ତା’ ପ୍ରତି ଥିବା ଆବେଗକୁ ଲକ୍ଷ୍ୟ କରି। ଦିପ୍ତୀମାନଙ୍କର ସେଇ ଶିଶୁ ସୁଲଭ ହସଟି ଖୁବ୍ ସୁନ୍ଦର ମାନେ ତାଙ୍କ ମୁହଁକୁ। ସେଇ ମୁହଁକୁ ମନେ ପକେଇ ଆନମନା ହେଲା ସେ ।
“ଦିଦି ଏଇଠି ଓହ୍ଲାଇବେ” କହି ସି ଆର୍ ପି ଛକରେ ଗାଡିର ଖିଲା ଅଟୋରିକ୍ସା ଚାଳକଟି। ହଁ , କହି ଓହ୍ଲାଇବା ପାଇଁ ଆଗକୁ ପାଦ ବଢାଇଲା ପୂରବୀ ,ସେତିକିବେଳେ ହଠାତ୍ ବିଜୁଳି ଚମକି ଗଲା , ଅଟୋରିକ୍ସାରେ ପୂର୍ବରୁ ବସି ଥିବା ଯାତ୍ରୀ ଜଣକ ଚିତ୍କାର କରି ଉଠିଲେ ପୂର୍ବୀ! ପୂର୍ବୀ! ପୂର୍ବୀ । ସାପର ଚୋଟ ଖାଇଲା ଭଳି ଉହୁଁକି ଚାହିଁଲା ପୂରବୀ ଅଟୋରିକ୍ସା ଭିତରକୁ । ଚମକି ପଡିଲା ପୂରବୀ, ଏ ଡାକଟି କେବଳ ଜଣକ ମୁହଁରୁ ଶୁଣିଥିଲା ସେ । ସମୟ ଅଟକି ଗଲା ସେଇଠି ।ଅଟୋରିକ୍ସା ଭିତରକୁ ଚାହିଁ ଅନାୟାସରେ ତା’ ପାଟିରୁ ବାହାରି ପଡିଲା ” ପ୍ରୀତିମୟ ! ତୁମେ ! “। ବର୍ଷା ଲାଗି ରହିଥିଲା, ଅଟୋରିକ୍ସାରୁ ଓହ୍ଲାଇ ପଡିଲା ପ୍ରୀତିମୟ , ଗାଡି ଭଡା ଦେଇ ଅଟୋରିକ୍ସା କୁ ଯିବାକୁ ଦେଇ କାଠ ହୋଇ ଠିଆ ହୋଇଥିବା ପୂରବୀ ପାଖରେ ପହଞ୍ଚିଲା।
ତଥାପି ପୂରବୀର ସ୍ଥାଣୁତା ଭାଙ୍ଗିନଥିଲା , ପ୍ରୀତିମୟ ଧୀରସ୍ୱର ରେ କହିଲା ବର୍ଷାରେ ଓଦା ହୋଇ ଯାଉଛ ପୂର୍ବୀ ! କୋଉଠି ଟିକିଏ ବସି ପାରିବା ପ୍ଲିଜ୍ ? ତମକୁ ବହୁତ କଥା କହିବାର ଅଛି, କିଛି ସମୟ ଦେଇ ପାରିବ ମତେ ? ପ୍ରୀତିମୟର ସ୍ୱରରେ ଭରି ରହିଥିବା କାରୁଣ୍ୟ, ଖିନ୍ ଭିନ୍ କରି ପକାଉଥିଲା ପୂରବୀକୁ। ପାଞ୍ଚ ବର୍ଷ ତଳର କ୍ଷତଟା ଉଖାରି ହୋଇ ପୋଡିବାକୁ ଆରମ୍ଭ କରିଥିଲା, ଲୁହମାନେ ବାଡବନ୍ଧ ନ ମାନି ବୋହିବାକୁ ଲାଗିଥିଲା, ସେ କହିଲା “ ଏଇଠି କିଛି ବାଟ ଆଗକୁ ଗଲେ ପଡିବ ଆମ ଘର, ଆସ “। କୋହ ମିଶା ଗଳାରେ ପ୍ରୀତିମୟ କହିଲା “ ଘରେ ତୁମର ପରିବାର ଲୋକ, ତୁମର ସ୍ୱାମୀ ଥିବେ , କ’ଣ କହି ମୋର ପରିଚୟ ଦେବ ସେମାନଙ୍କୁ ? ନା, ବରଂ ଏଇଠି କୋଉଠି ଗୋଟିଏ ରେଷ୍ଟୁରାଣ୍ଟ୍ ରେ ବସିବା । “ ନା’ ନା’ ସେମିତି କିଛି ହେବାର ନାହିଁ “କହି ଆଗକୁ ପାଦ ପକାଇଲା ପୂରବୀ, ବର୍ଷାରେ ଭିଜି ଭିଜି ତା’କୁ ଅନୁସରଣ କଲା ପ୍ରୀତିମୟ ।
ଦୁହେଁ ଯାଇ ପୂରବୀର ଫ୍ଲାଟ ପାଖରେ ପହଞ୍ଚିଲା ପରେ କାନ୍ଧରେ ପକାଥିବା ଭ୍ୟାନିଟି ବ୍ୟାଗ୍ ଟି କାଢି ସେଥିରୁ ଚାବି ବାହାର କରି ଦରଜା ଖୋଲି ଭିତରକୁ ଆସିବାକୁ ଅନୁରୋଧ କଲା ପ୍ରୀତିମୟକୁ। ଘର ଭିତରକୁ ଯାଇ ଗୋଟିଏ ଟାୱେଲ ଆଉ ଦିପ୍ତୀମାନଙ୍କର ହଳେ ପୋଷାକ ଆଣି ବଢାଇଦେଲା ପ୍ରୀତିମୟ ଙ୍କୁ। ପାଖରେ ଥିବା ୱାସ୍ ରୁମଟି ଦେଖାଇ କହିଲା “ ତୁମେ ପୋଷାକ ବଦଳାଇ ଆସ , ଗୋଟି ପଣେ ଓଦା ହୋଇଛ , ଥଣ୍ଡା ଧରିବ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି। ଯନ୍ତ୍ରବତ୍ ପୂରବୀର ଆଜ୍ଞାକୁ ପାଳନ କରୁଥିଲା ପ୍ରୀତିମୟ , ସେ ଦେଖୁଥିଲା ଏଇ ପାଞ୍ଚ ବର୍ଷ ଭିତରେ ସେଇ ଚଳଚଞ୍ଚଳ ପୂରବୀ କେମିତି ପକ୍କା ଗୃହିଣୀଟିଏ ପାଲଟି ଯାଇଛି । କେମିତି ସୁନ୍ଦର ଭାବରେ ଘର ସଂସାର ସମ୍ଭାଳିବାର କଳା ଶିଖି ଯାଇଛି।
ଧୁଆଧୋଇ ହୋଇ ଆସି ଡ୍ରଇଁରୁମ୍ ରେ ବସିଲା ପ୍ରୀତିମୟ , ଚାରି ଆଡକୁ ଆଖି ପକାଇଲା, ଖୁବ୍ ସୁନ୍ଦର ଭାବରେ ସଜାଡି ହୋଇର ହିଛି ଡ୍ରଇଁରୁମ୍ ଟି। ସବୁଠି ପୂରବୀ ହାତର କଳା କୁଶଳତାର ଛାପ। ହାତ ଅଙ୍କା ଚିତ୍ର ସବୁ ସୁନ୍ଦର ଫ୍ରେମରେ ସଜା ହୋଇଛି, ଆକର୍ଷଣୀୟ ଗୃହସଜ୍ଜା ଦେଖି ମୋହିତ ହେଲା ପ୍ରୀତିମୟ । ଭାବୁଥିଲା ଈଶ୍ବର ଚାହିଁଥିଲେ ଆଜି ତା’ର ଘରକୁ ବି ଏମିତି ସଜାଇ ଥାଆନ୍ତା ପୂରବୀ। ମୁଣ୍ଡ ଝୁଙ୍କାଇ ଦୀର୍ଘ ନିଶ୍ବାସଟିଏ ନେଲା ସେ। ବାଷ୍ପାୟିତ କଫି ଦୁଇ କପ୍ ଥିବା ଟ୍ରେ ଟିଏ ହାତରେ ଧରି ପରଦା ଆଡେଇ ଘର ଭିତରକୁ ପଶୁଛି ପୂରବୀ । ସଦ୍ୟସ୍ନାତା ପୂରବୀ ହାଲୁକା ନୀଳ ରଙ୍ଗର ଶାଢୀରେ ଦିଶୁଛି ନୀଳ ପରୀଟିଏ ଭଳି, ଆଗକୁ ଝୁଙ୍କି ଆସିଥିବା ଅଳକାପନ୍ତିରେ ଚିକ୍ ମିକ୍ କରୁଥିବା ଜଳ ବିନ୍ଦୁ ସବୁ ମୁକ୍ତା ପରି ଝଲସି ଉଠୁଛି , ତା’ ମୁହଁ ରେ ଲାଖି ରହିଛି ସେଇ ଭୂବନମୋହିନୀ ହସ, ଯାହା ପ୍ରୀତିମୟକୁ ଦିନେ ପାଗଳ କରିଥିଲା। ଟିକିଏ ହେଲେ ବି ବଦଳି ନାଇଁ ପୂରବୀ ଏଇ ପାଞ୍ଚ ବର୍ଷ ଭିତରେ । କଫି କପ୍ ଟି ପ୍ରୀତିମୟ ହାତକୁ ବଢାଇଦେଇ ନିଜର କପ୍ ଟି ଧରି ଠିକ୍ ତା’ ସାମନାରେ ସୋଫା ରେ ବସିଲା ପୂରବୀ, ଜିଜ୍ଞାସୁ ଦୃଷ୍ଟି ରେ ଚାହିଁ ପଚାରିଲା ପ୍ରୀତିମୟ କୁ “ ଏଠିକି ଆସିବାର ପାଞ୍ଚ ବର୍ଷ ଭିତରେ ଥରେ ହେଲେ ଦେଖିନାହିଁ ତମକୁ ଏଇ ସହରରେ, ଆଜି ହଠାତ୍ କେମିତି ?” ଶୁଷ୍କ ହସଟିଏ ଖେଳି ଗଲା ପ୍ରୀତିମୟର ଓଠରେ, କହିଲା “ ଅବଶ୍ୟ ପୃଥିବୀଟା ଗୋଲ୍ ପୂର୍ବୀ ! କିନ୍ତୁ ତୁମ ସହିତ ଯେ ଜୀବନରେ ଆଉଥରେ କେବେ ଭେଟ ହେବ, ସେକଥା କେବେ ଭାବି ନଥିଲି ମୁଁ । ତମେ ପରୀକ୍ଷା ଦେଇ ସାରିବା ପରେ ଗାଆଁକୁ ଯାଇ ଆଉ ଫେରିନଥିଲ । ତମ ଗାଆଁ ଠିକଣା ବି କହି ନଥିଲ ମତେ କେବେ, ତମକୁ ଅପେକ୍ଷା କରି କରି ଧୈର୍ଯ୍ୟଚ୍ୟୁତି ଘଟିଲା ମୋର, ତମ ବିନା ଦିନଟିଏ ବି କାଟିବା ଅସମ୍ଭବ ହୋଇ ପଡିଥିଲା, ପାଗଳ ପରି ତୁମକୁ ଖୋଜି ବୁଲୁଥିଲି କଲେଜ୍ ରେ, ହଷ୍ଟେଲରେ , କଟକ ସହରର ଗଳିକନ୍ଦିରେ , କାଳେ କୋଉଠି ତମେ ଭେଟ ପଡିଯିବ। ବହୁତ ଦିନ ପରେ ଶେଷରେ ଦିନେ ତମ ସାଙ୍ଗ ମୀନାକ୍ଷୀ ଭେଟ ହୋଇଥିଲା ଷ୍ଟେସନ୍ ବଜାର୍ ରେ। ତା’ରି ପାଖରୁ ଶୁଣିଲି ତୁମର ବାହାଘର ହୋଇ ଯାଇଛି ଆଉ ତମେ କଲେଜ୍ କୁ ଫେରିବନି ବୋଲି । ମୋ’ ଆଖିରେ ଦୁନିଆଁଟା ଅନ୍ଧାର ହୋଇ ଯାଇଥିଲା ପୂର୍ବୀ ! କେମିତି ତମେ ଏତେ ନିଷ୍ଠୁର ହୋଇ ପାରିଲ? କେମିତି ଭୁଲି ପାରିଲ ଆମର ସେ ଅନାବିଳ ପ୍ରେମକୁ? କେମିତି ଭୁଲିଲ ନଦୀ କୂଳରେ ଆମେ ଜହ୍ନକୁ ଚାହିଁ ଏକାଠି ଜୀଇଁବା ଏକାଠି ମରିବାର କରିଥିବା ଶପଥ ? କେମିତି? କେମିତି? କେମିତି ପୂର୍ବୀ ? କେମିତି ଥରେ ଭାବିଲନି ଯେ ତମ ବିନା ପାଗଳ ହୋଇ ମରିଯିବି ମୁଁ ?
ଧାର ଧାର ଲୁହ ଝରି ପଡୁଥିଲା ପ୍ରୀତିମୟର ଆଖିରୁ, ଥରଥର ଗଳାରେ ସେ କହିଲା” କେବେ ଥରେ ଚୁମାଟିଏ ମାରିଥିଲି ଯେ ତମେ କହିଥିଲ , ମୁଁ ତ କାୟମନୋବାକ୍ୟରେ ତମର, ହେଲେ ନା’ ନା’ ବାହାଘର ପୂର୍ବରୁ ଏସବୁ କିଛି ବି ନୁହେଁ” । ହେଲେ ମୋର କ’ଣ ଦୋଷ ଥିଲା ଯେ ତମେ ମତେ ପଦୁଟିଏ କହି ବି ପାରିଲିନି ଯେ ପ୍ରୀତିମୟ , ମୁଁ ତମ ଭଳି ବେକାରଟିଏ କୁ ବାହା ହୋଇ ଜୀବନ ବିତେଇବାକୁ ଚାହେଁନା, ଭୋକିଲା ପେଟରେ ପ୍ରେମ ହୋଇପାରେ କିନ୍ତୁ ବାହାଘର ପାଇଁ ତୁମର ଆର୍ଥିକ ସ୍ୱଚ୍ଛଳତା ଲୋଡା, ମୁଁ ଚେଷ୍ଟା କରୁଥିଲି ପୂର୍ବୀ, ଆଉ କିଛି ସମୟ ତ ଦେଇ ପାରିଥାନ୍ତ ମତେ , ମୋ ପ୍ରେମକୁ ପାଦରେ ଆଡେଇ ଦେଇ ତମେ ଆଉ କାହାର ହୋଇ ସୁଖରେ ସଂସାର ଗଢିଲ, ମୁଁ ସହି ପାରିଲିନି ପୂର୍ବୀ ! ଭାଙ୍ଗି ପଡିଲି, ମାନସିକ ଭାରସାମ୍ୟ ହରାଇ ମତେ ଧୋକା ଦେଇଥିବା ତମେ ଆଉ ତମର ସହରକୁ ଛାଡି ଚାଲିଗଲି ଗୁଜୁରାଟ । ସେଇଠି ଏମ୍ ବିଏ କରି ଗୋଟିଏ ବ୍ୟାଙ୍କରେ ଚାକିରୀ କରୁଛି । ବାପା ତ ଆଗରୁ ଯାଇଥିଲେ , ବୋଉ ଏକା ଥିଲା ଗାଆଁରେ , ଗତବର୍ଷ ବହୁତ ବେମାର ପଡିଲା, ଖବର ପାଇ ଧାଇଁ ଆସିଥିଲି , ମୋର ହାତ ଓଠ ଧରି, ନିଜର ରାଣ ନିୟମ ଦେଇ ବାଧ୍ୟ କଲା ଆମ ପାଖ ଗାଆଁର ସୁମିତ୍ରା ବୋଲି ଝିଅଟିକୁ ବାହା ହେବାକୁ, ଅଗତ୍ୟା ତା’ କଥା ମାନି ମନ୍ଦିରରେ ବାହାହେଲି ସୁମିତ୍ରାକୁ। ଆଠ ଦିନ ପରେ ବୋଉ ମରିଗଲା, ଗାଆଁରେ ତ କିଛି ନଥିଲା ଘର ଖଣ୍ଡିକ ଛଡା, ତେଣୁ ବାଧ୍ୟ ହୋଇ ସୁମିତ୍ରାକୁ ସାଙ୍ଗରେ ନେଇ ଗଲି ଗୁଜୁରାଟ, ଏବେ ସେଇଠି ରହୁଛି । ବୋଉକୁ କଥା ଦେଇଛି ବୋଲି ସୁମିତ୍ରାକୁ ସ୍ତ୍ରୀର ସମ୍ମାନ ଆଉ ଅଧିକାର ଦେଉଛି ସିନା , ପ୍ରେମ ଦେଇ ପାରିନାହିଁ ଆଜି ଯାଏଁ। କାହିଁକି ଜାଣ ପୂର୍ବୀ, ମୋ ହୃଦୟଟା ମୋ ପାଖରେ ନାହିଁ, ଅନେକ ଦିନ ତଳେ ଗୋଟାଏ ହୃଦୟହୀନା ଝିଅକୁ ଆପଣାର ଭାବି ସମର୍ପି ଦେଇଥିଲି ତା’କୁ । ମୋର ତ ଆଉ ଏଠିକି ଆସିବାର ନାହିଁ ତେଣୁ ଗାଆଁ ଘରଟିକୁ ଗାଆଁ ପିଲା ମାନଙ୍କ ଅନୁରୋଧରେ ଗାଆଁର କ୍ଲବ ନାଆଁରେ ରେଜିଷ୍ଟ୍ରେସନ କରି ଦେବା ଲାଗି ଆସିଥିଲି , ଆସନ୍ତା କାଲି ସନ୍ଧ୍ୟାରେ ମୋର ଟ୍ରେନ୍ ଅଛି ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ , ଭାବିଲି ବରମୁଣ୍ଡାରେ ମୋର ଜଣେ ଗାଆଁ ଭାଇ ରୁହନ୍ତି, ତାଙ୍କୁ ଦେଖା କରି ଯିବି, ସେଇଥିପାଇଁ ଟ୍ରେନରୁ ଓହ୍ଲାଇ ଅଟୋ ରିକ୍ସା ଧରିଥିଲି। ଆଶା କରି ନଥିଲି ଯେ ଏମିତି ଅଚାନକ ଭାବରେ ତୁମ ସହିତ ଦେଖା ହେବ । ଯାହାହେଉ, ତୁମ ସହିତ ଦେଖାହେଲା, ଆଉ ମୋର ହୃଦ୍ ବୋଧ ହେଲା ଯେ ତୁମେ ତୁମ ସଂସାରରେ ସୁଖରେ ଅଛ। ପିଲାମାନେ ବୋଧହୁଏ ବାହାରକୁ ଯାଇଛନ୍ତି, ଆସୁଥିବେ , ମୁଁ ମୋ ପ୍ରଶ୍ନର ଉତ୍ତର ପାଇ ସାରିଛି, ତୁମ କଫି ପାଇଁ ଅଶେଷ ଧନ୍ୟବାଦ ପୂର୍ବୀ ! ଭଲରେ ଥାଅ ।“ ଏତେ ଗୁଡାଏ କଥା ଏକାଠି କହି ଦେଇ ବୋଧହୁଏ ଅଣନିଃଶ୍ବାସୀ ହୋଇ ପଡୁଥିଲା ପ୍ରୀତିମୟ, ସୋଫାରୁ ଉଠି ଠିଆ ହେଲା ବେଳକୁ ମୁଣ୍ଡ ଘୁରାଇ ପଡି ଗଲା ବେଳକୁ, ତା’କୁ ଧରି ପକାଇଲା ପୂରବୀ । ଅସହ୍ୟ କୋହରେ କମ୍ପି ଉଠୁଥିଲା ପୂରବୀର ସାରା ଶରୀର , ଲୁହ ସିଙ୍ଘାଣି ଏକାକାର ହୋଇ ସେ ନାଲି ପଡି ଯାଇଥିଲା ପୁରା । ତା’ କାନ୍ଦୁରା ମୁହଁକୁ ଦେଖି ସମ୍ଭାଳି ପାରିଲାନି ପ୍ରୀତିମୟ , ନିଜର ବଳିଷ୍ଠ ଛାତିରେ ଚାପି ଧରିଲା ପୂରବୀକୁ। ତା’ରି ଛାତି ଉପରେ ସେମିତି ଲୋଟି ରହି ନିଜର କାହାଣୀ ଶୁଣାଇବାକୁ ଲାଗିଥିଲା ପୂରବୀ। ପାଞ୍ଚ ବର୍ଷର ଅଳନ୍ଧୁ ମନରୁ ସଫା ହେବାକୁ ଲାଗିଥିଲା । ବର୍ଷାର ବେଗ ବଢୁଥିଲା ବାହାରେ ତା’ ସହିତ ବଢୁଥିଲା ରୁ ମ୍ ଭିତରର ତାତି। ସମୟ ସୁଅରେ ଭାସି ଯାଇଥିଲେ ଦୁଇ ପ୍ରେମପକ୍ଷୀ ସାରା ସଂସାରକୁ ଭୁଲି। ଦୁହିଁଙ୍କୁ ଲାଗୁଥିଲା ଆଜି ଯାଏ ସେମାନେ କେବଳ ବୈବାହିକ ଜୀବନ ନିର୍ବାହ କରୁଥିଲେ, ହେଲେ ବୈବାହିକ ଜୀବନର ପ୍ରକୃତ ସୁଖ ଭୋଗି ପାରିନଥିଲେ, ଜୀବନରେ ଏତେ ପୂର୍ଣ୍ଣତା ଥାଏ ,ସେକଥା ଅନୁଭବ ହିଁ କରି ପାରିନଥିଲେ କେବେ ହେଁ । କେତେ ବେଳେ ଝଡ ଆସିଥିଲେ ଆଉ ଶାନ୍ତ ହୋଇ ଯାଇଥିଲା ସମୟ ସୁଅରେ।
ପ୍ରକୃତିସ୍ଥ ହେଲା ପରେ ନିଜକୁ ଦୋଷୀ ଦୋଷୀ ଲାଗୁଥିଲା ସେମାନଙ୍କୁ। ନିଜ ନିଜ ସଂସାରକୁ ନିଜେ ଜାଳି ଦେଲା ଭଳି ଲାଗୁଥିଲା । ଲଜ୍ଜା ଅପମାନରେ ଭାରାକ୍ରାନ୍ତ ହୋଇ ଉଠୁଥିଲା ଦୁହିଁଙ୍କ ମନ। ଦିପ୍ତୀମାନଙ୍କ ବିଛଣା ରେ , ଦିପ୍ତୀମାନଙ୍କ ପୋଷାକ ପରିହିତ ପ୍ରୀତିମୟକୁ ଦେଖି ଲଜ୍ଜ୍ୟାରେ ନଇଁ ଯାଇଥିଲା ପୂରବୀ, ଗୋଟାଏ ମୁହୂର୍ତ୍ତରେ ଦିପ୍ତୀମାନଙ୍କର ଅଗାଧ ପ୍ରେମ ଆଉ ବିଶ୍ଵାସକୁ ଭାଙ୍ଗି ଚୁରମାର୍ କରି ଦେବାର ଅପରାଧ କରିଛି ସେ,ଏଇ ଗୋଟିଏ ମୁହୂର୍ତ୍ତର ଭୁଲ୍ କୁ ଦିପ୍ତୀମାନ ଜାଣିଲେ କ’ଣ କେବେ ବି କ୍ଷମା କରି ପାରିବେ ପୂରବୀକୁ?
ତାଙ୍କ ପୌରୁଷ କ’ଣ ଗ୍ରହଣ କରି ପାରିବ ପୂରବୀର ଏଇ ଧୃଷ୍ଟତାକୁ? ଘରେ ସମସ୍ତେ ଜାଣିଲେ କ’ଣ ହେବ ପୂରବୀର ଅବସ୍ଥା? କେମିତି ସେ ମୁହଁ ଦେଖାଇବ ଘର ଲୋକ ମାନଙ୍କୁ ? କେମିତି ସେ ମୁହଁ ଦେଖାଇବ ସମାଜରେ? ଗୋଟିଏ ମୁହୂର୍ତ୍ତପାଇଁ ନିଜକୁ ସଞ୍ଜତ କରିର ଖି ପାରିଲାନି ସେ? ଧିକ୍ ତା’ ମଣିଷ ପଣିଆ! କ’ଣ କଲା ସେ? ଦୁଇ ଆଣ୍ଠୁ ସନ୍ଧିର ମୁହଁ ମାଡି କାନ୍ଦି ଉଠିଲା ପୂରବୀ । ତଳକୁ ମୁହଁ ପୋତି ନୀରବରେ ଅଶ୍ରୁପାତ କରୁଥିବା ପ୍ରୀତିମୟ ବି ଉଠି ଠିଆ ହେଲା , ଦୁଇ ହାତରେ ଉଠାଇ ଆଣି ପୂରବୀ କୁ ଖଟ ତଳେ ଚଟାଣି ରେ ଠିଆ କରେଇ ଦେଲା । ତା’ମୁଣ୍ଡ ରେ ହାତର ଖି କହିଲା “ ବହୁତ ବଡ ଭୁଲ୍ ଟାଏ ହୋଇଗଲା ପୂର୍ବୀ ! ନିଜର ଇମୋସନ୍ ଉପରେ ଆମର ନିୟନ୍ତ୍ରଣ ରହିଲାନି, କେବଳ ଏଇ ଥରକ ପାଇଁ ମୋତେ କ୍ଷମା କରିଦିଅ ପୂର୍ବୀ ! ଆଉ ଥରେ ହେଲେ ମୁଁ ଆସିବିନି ତୁମକୁ ମୁହଁ ଦେଖାଇବାକୁ, ଏଇ ତୁମ ମଥାରେ ହାତରଖି ଶପଥ କରୁଛି, ଏଇ ହେବ ଆମର ଶେଷ ଦେଖା, ତୁମକୁ ମଧ୍ୟ ଅନୁରୋଧ କରୁଛି ତୁମେ ଅତୀତକୁ ପାଶୋରି ଦେଇ ପୂର୍ଣ୍ଣ ପ୍ରାଣରେ ଦିପ୍ତୀମାନ ଙ୍କ ପତ୍ନୀ ହୋଇ ଦିନ କାଟିବା, ମୁଁ ମଧ୍ୟ ସୁମିତ୍ରାଙ୍କୁ ତାଙ୍କର ପ୍ରାପ୍ୟ ଦେବି ନିଶ୍ଚୟ, ମୋ ପ୍ରେମକୁ କଳୁଷିତ ହେବାକୁ ଦେବି ନାହିଁ ଆଉ , ଯାଉଛି ପୂର୍ବୀ ! ଗୁଡ୍ ବାୟ” । ଝଡ ବେଗରେ ଯାଇ ପୋଷାକ ପତ୍ର ବଦଳେଇ ଫ୍ଲାଟ୍ରୁ ବାହାରି ଗଲା ପ୍ରୀତିମୟ ,ପୂରବୀର ଆଖିରୁ ଲୁହଧାର ଶୁଖୁ ନଥିଲା , ସେଇଠି ସେମିତି ବସିର ହିଥିଲା ସେ ପଥରର ମୂର୍ତ୍ତି ଟିଏ ଭଳି ।
ରାତି ତିନିଟା ବେଳକୁ ମୋବାଇଲ୍ର ରିଂ ଶୁଣି ସ୍ଥାଣୁତା ଭାଙ୍ଗିଥିଲା ପୂରବୀର । ସ୍କ୍ରିନ୍ ରେ ଭାସି ଉଠୁଥିଲା ଦିପ୍ତୀମାନଙ୍କ ନମ୍ବର ସହିତ ତାଙ୍କର ଫଟୋଟି, ତରବର ହୋଇ ଫୋନ୍ ଉଠାଇଲା ପୂରବୀ, ସେପଟରୁ ଶୁଭୁଥିଲା ଦିପ୍ତୀମାନଙ୍କର ସେଇ ପ୍ରେମପୂର୍ଣ୍ଣ ସ୍ୱର “ ସରି, ଡାର୍ଲିଂ, ପ୍ରବଳ ବର୍ଷା ଯୋଗୁଁ ଫ୍ଲାଇଟ୍ କ୍ୟାନସେଲ୍ ହୋଇଗଲା, ସେଥିପାଇଁ ଘରେ ପହଞ୍ଚି ପାରିଲିନି, ଏବେ ଏବେ ଫ୍ଲାଇଟ୍ ଷ୍ଟାର୍ଟ ହେବ, ସକାଳୁ ସକାଳୁ ପହଞ୍ଚି ଯିବି, ହିଅର ଉଇଥ୍ ମି ପ୍ଲିଜ୍ ଡାର୍ଲିଂ “। କାହିଁକି କେଜାଣି ଆଜି ଖୁବ୍ ଇଚ୍ଛା ହେଉଥିଲା ପୂରବୀର ଦିପ୍ତୀମାନଙ୍କ ଛାତିରେ ଲୋଟି ପଡି ତାଙ୍କୁ ଭିଜେଇ ଦିଅନ୍ତି ତା’ ଆଖି ଲୁହରେ, ଆଉ ସଂପୂର୍ଣ୍ଣ ସମର୍ପଣ କରି ଦିଅନ୍ତା ନିଜକୁ। ତାଙ୍କର ପାଦ ଧରି ନିଜର ଭୁଲ୍ ପାଇଁ କ୍ଷମା ମାଗନ୍ତା । ମଣିଷ ରୂପରେ ଦେବତା ଟିଏ ସେ , କ’ଣ କ୍ଷମା କରନ୍ତେନି ପୂରବୀର ଦୋଷ?
ଧଡଧଡ ହୋଇ ଉଠିଲା ପୂରବୀ । ବେଡ୍ ଉପରୁ ବେଡ୍ ସିଟ୍ ତକିଆଖୋଳ ସବୁ ବଦଳେଇ ଦେଲା। ନିଜେ ଯାଇ ବାଥ୍ ରୁମ୍ ଭିତରେ ପଶି ଫୁଲ୍ ସ୍ପିଡ୍ ରେ ଖୋଲିଦେଲା ସାୱାରକୁ। ମୁଣ୍ଡରେ ପାଣି ପଡିବା କ୍ଷଣି ଧୀରେ ଧୀରେ ଆଖି ବୁଜି ହୋଇ ଯାଉଥିଲା ତା’ର, ନୀରବରେ ସେଇଠି ଠିଆ ହୋଇ ସେଇ ଜଳଧାରାରେ ପ୍ରୀତିମୟ ସହିତ ତା’ର ସବୁ ଅତୀତକୁ ଧୋଇ ହୋଇ ଯିବାକୁ ଛାଡି ଦେଲା ସେ। ପରଦିନର ପ୍ରଭାତୀ କିରଣ ତା’ ପାଇଁ ନୂତନ ପୃଥିବୀର ଦ୍ୱାରଟିଏ ଖୋଲି ଦେଇଥିଲା।