Abhiram Mandal

Romance Tragedy

5.0  

Abhiram Mandal

Romance Tragedy

ସେଇ ଆଠ ଦିନ

ସେଇ ଆଠ ଦିନ

9 mins
574


କଲେଜ ବେଳର ଘଟଣା । ଆମେ କେତେ ଜଣ କଲେଜ ପଢୁଆ ଯୁବକ ସାଥି ହେଇ ରହିଥାଉ ଏକ ମେସରେ । ଅବସର ସମୟରେ ଅନେକ ବିଷୟରେ ଆମେ ଆଲୋଚନା କରୁ । ତେବେ ଏ ଆଲୋଚନାର ବିଷୟବସ୍ତୁ ମୁଖ୍ୟତଃ ପ୍ରେମ ସମ୍ପର୍କୀୟ ହିଁ ହେଇଥାଏ । ସମସ୍ତେ ନିଜ ନିଜ ପ୍ରେମ କାହାଣୀ ବଡ଼ ବାହାଦୁରି ମାରି ଗପନ୍ତି ।

ସୁମନ୍ତ କହେ ସେ କିପରି ଅଷ୍ଟମ ଶ୍ରେଣୀରୁ ପ୍ରେମ କରିବା ଆରମ୍ଭ କଲା । କିପରି ଝିଅ ମାନେ ତା ଚେହେରା ଦେଖି ତା ପଛରେ ଲାଇନ ଦେଉଥିଲେ । ସେ କିପରି କ୍ଲାସରେ ଝିଅ ମାନଙ୍କର ବେଣୀ ଝିଙ୍କୁଥିଲା ଆଉ ଛୋଟ ଛୋଟ ଗୋଡି ନେଇ ସେମାନଙ୍କ ଫ୍ରକ ଭିତରେ ପୁରେଇ ଦେଉଥିଲା... ଏଇପରି ଅନେକ ଅନେକ ଗପ । ବେଳେ ବେଳେ ମତେ ଏସବୁ ଅବିଶ୍ୱାସ ଲାଗୁଥିଲେ ବି ସେମାନଙ୍କ ହଁ ରେ ହଁ ମିଳାଇବାକୁ ପଡୁଥିଲା । କାହିଁକି ନା ସେ ସବୁ କାହାଣୀକୁ ଏମିତି ଢଙ୍ଗରେ କହୁଥିଲେ ଯେ ବିଶ୍ୱାସ ନକରିବା ଲୋକ ବି ବିଶ୍ୱାସ କରିବାକୁ ବାଧ୍ୟ ହେବ ।

ସେହିପରି ଆଉ ଜଣେ ସାଙ୍ଗ ରୋହିତ । ସେ ବି ତା ପ୍ରେମ କାହାଣୀକୁ ଖୁବ ବଢ଼େଇ ଚଢେଇ ଆମ ଆଗରେ ବଖାଣେ । ତା କହିବା ଅନୁସାରେ ଏ କଲେଜକୁ ଆସିବା ପୂର୍ବରୁ ସେ କଟକର ଏକ କଲେଜରେ ପଢୁଥିଲା । ପଢିବା ସହ ସେ ପାର୍ଟ ଟାଇମ ଟ୍ୟୁସନ ବି କରୁଥିଲା । ଏଇ ଟ୍ୟୁସନ କରୁ କରୁ ସେ ଏକ ଝିଅକୁ ପ୍ରେମ ଜାଲରେ ଫସେଇ ତା ସହ ଖୁବ ରୋମାନ୍ସ କଲା । ଯେତେ ବେଳେ ତା ଘରେ କେହି ନଥାନ୍ତି, ସେତେବେଳେ ଦୁହେଁ ଗୋଟିଏ ବେଡ଼ ରେ...। କଥା ଏତେ ବାଟ ଆଗେଇ ଗଲା ଯେ ସେ ଝିଅ ତା ସହ ଘର ଛାଡି ପଳେଇ ଯିବାକୁ ବାହାରିଲା । କିନ୍ତୁ ଠିକଣା ବେଳେ ତାଙ୍କ ଘର ଲୋକ ଜାଣିଗଲେ ଆଉ ରୋହିତକୁ କଟକ ଆଉ କଲେଜ, ଦୁଇଟା ଯାକ ଛାଡି ଏଠାକୁ ଆସିବାକୁ ପଡିଲା ।

ଏଇପରି ସମସ୍ତେ ନିଜ ନିଜର ପ୍ରେମ କାହାଣୀ କହି ସାରିବା ପରେ, ମୋ ଆଡେ ବଡ଼ ଉତ୍ସୁକତାର ସହ ଚାହିଁ ରହନ୍ତି, ମୋ ପାଖରୁ କିଛି ଶୁଣିବା ପାଇଁ । ମୁଁ କିନ୍ତୁ ଚୁପ ରହେ । କାରଣ ପ୍ରେମ କରିବା ଭଳି ଭାଗ୍ୟ ଏ ଯାଏ ମୋର ଆସି ନଥାଏ । ମୋ ଚୁପ ରହିବା ଦେଖି ସମସ୍ତେ ମତେ ଚିଡାଇବାକୁ ଆରମ୍ଭ କରିଦିଅନ୍ତି । କିଏ କହେ ମୁଁ କାଳେ ମାଇଚିଆଟାଏ, ଆଉ କିଏ କହେ, ଏ କଣ ପ୍ରେମ କରିବ ? ୟାର ପରା ଦୁଧ ଦାନ୍ତ ଭାଙ୍ଗିନି । ଭାରି ଦୁଃଖ ଲାଗେ । ତାଙ୍କୁ ଚୁପ କରିବାକୁ ଯାଇ କହେ -" ପ୍ରେମ ଏକ ଏମିତି ଜିନିଷ, ଯାହା କେବେ , କେଉଁଠି ଆଉ କାହା ସହ ହେବ ଏଇଟା କେବି ବି କହି ପାରିବେନି । ମୋର ଆଜି ହେଇନି ହୁଏତ କାଲି ହେଇ ଯାଇ ପାରେ । ଆଉ ଯେତେବେଳେମୁଁ ପ୍ରେମ କରିବା ଆରମ୍ଭ କରିବି, ପ୍ରଥମେ ତମମାନଙ୍କୁ ନିଶ୍ଚୟ ଜଣେଇବି ।"

ମୋ କଥା ଶୁଣି ସେମାନେ ଚୁପ ତ ହେଇ ଯାଆନ୍ତି ହେଲେ ସେମାନଙ୍କ କଟାକ୍ଷର ଚାହାଣି ମୋ ହୃଦୟକୁ ଭେଦ କରି ଯାଏ । ମନେ ମନେ ମୁଁ ଭାବେ ସତରେ ମୁଁ କଣ ମାଇଚିଆ ? ମୁଁ କଣ ପ୍ରେମ କରି ପାରିବିନି ? ପ୍ରେମଟା କଣ ମୋ ପାଇଁ ଦୁରୁହ ବ୍ୟାପାର ? ନା.. ଆଉ ନୁହେଁ...ମୁଁ ଏମାନଙ୍କୁ ଦେଖେଇ ଦେବି...ମୁଁ ବି ପ୍ରେମ କରିପାରେ । ମୁଁ କାହାରିଠୁ କମ ନୁହେଁ । କିନ୍ତୁ ଏସବୁ ହେବ କିପରି? ପ୍ରେମ କରିବା ପାଇଁ ଝିଅଟିଏ ବି ଆବଶ୍ୟକ । ସେ ଝିଅ କିଏ ହେଇପାରେ ? ମୋ ଆଖି ଚାରି ଆଡେ ଘୁରି ବୁଲେ । ହେଲେ କାହାରିକୁ ପାଏନା । ମୋ ସାଥିରେ ପଢ଼ୁଥିବା ଝିଅ ମାନେ ସବୁ engaged, ଆଉ ଯେଉଁମାନେ ରହି ଯାଇଛନ୍ତି ସେମାନେ ମୋ ମନକୁ ପାଆନ୍ତିନି । ତେବେ ପ୍ରେମ କଣ ମୋ ଭାଗ୍ୟରେ ନାହିଁ ? ଏହି ସବୁ ଭିତରେ ମନେ ପଡ଼ିଯାଏ, ଭାଗବତର ସେହି ବାଣୀ-

'ଏ ମନ ଭାବୁଥାଏ ଯାହା,

କାଳେ ପ୍ରାପତ ହୁଏ ତାହା ।'

ତେଣୁ ଦିନେ ନା ଦିନେ ନିଶ୍ଚୟ ଜଣେ କିଏ ଆସିବ, ଯାହାକୁ ମୋ ମନ, ହୃଦୟ ସବୁ କିଛି ସମର୍ପି ଦେବି । ଏଇ ଅପେକ୍ଷାରେ ଦିନ ପରେ ଦିନ ବିତି ଯାଏ ।

ଆମେ ପ୍ରତି ଶନିବାର ସନ୍ଧ୍ୟାରେ ଘରକୁ ଯାଇଥାଉ । ଘରେ ରବିବାରଟା କଟେଇ ସୋମବାର ସକାଳେ ମେସକୁ ଫେରି ଆସୁ । ସେହି ପରି ଏକ ସୋମବାର, ମୁଁ ମେସକୁ ଫେରିଲି । ଅନ୍ୟ ସାଙ୍ଗ ମାନେ ସେ ଯାଏ ଆସିନଥିଲେ । ମୁଁ ରୁମ ଭିତରେ ବସିଥାଏ । ହଠାତ ମୋର ଲକ୍ଷ୍ୟ ପଡିଲା ସାମ୍ନାରେ ଥିବା ଦ୍ୱିତଳ ପ୍ରାସାଦର ବାଲକୋନୀ ଉପରେ । ଜଣେ ସୁନ୍ଦର ତନୁପାତେଳି ଝିଅ ସେଠାରେ ଠିଆ ହେଇଥିଲା । ମନରେ ଭାବିଲି, ଏ ଝିଅଟିକୁ ମୁଁ ଆଗରୁ କେବେ ତ ଦେଖିନି ? କିଏ ଏହି ସୁନ୍ଦରୀ ? ପ୍ରଥମ ଦେଖାରେ ମୁଁ କେମିତି ଗୋଟାଏ ତା ଆଡେ ଆକର୍ଷିତ ହେଇଗଲି । ଚୋରା ଚାହାଁଣୀରେ ତାକୁ ଚାହିଁବାକୁ ଲାଗିଲି । ହୃଦୟ ଗତିଟା ଧୀରେ ଧୀରେ ବଢି ଚାଲିଲା । ମନଟା ଛକପକ ହେଲା । ମନ ଭିତରେ ଡର ଆସିଲା ମୁଁ ତାକୁ ଚାହୁଁଚି ବୋଲି କେହି ଦେଖୁ ନାହାନ୍ତି ତ ? ଏହିପରି ଭାବନା ଭିତରେ ସେ ସେଠାରୁ ଚାଲିଗଲା । ମନଟା ମୋର ଆମ୍ବିଳା ହେଇଗଲା । ମନ ଚାହୁଁଥିଲା ତାକୁ ଆହୁରି ଦେଖିବାକୁ ହେଲେ...ମନର ଭାବନା ମନରେ ମାରି ରୁମରେ ବସିଥାଏ । ଏତିକି ବେଳେ ସେଇ ଝିଅଟି ଏକ ଗରା ଧରି ଆମ ମେସ ପାଖ ପାଣି ଟ୍ୟାପରୁ ପାଣି ନେବା ପାଇଁ ଆସିଲା । ଏଠାରେ କହି ରଖେ କି ଆଖ ପାଖରେ ରହୁଥିବା ସବୁ ଲୋକ ପିଇବା ପାଣି ପାଇଁ ସେହି ଟ୍ୟାପ ଉପରେ ନିର୍ଭର କରୁଥିଲେ । ସେ ଝିଅକୁ ଦେଖି ମୋର ବି ମନେ ପଡିଲା ଯେ ଆମ ମେସରେ ବି ପାଣି ନାହିଁ । ମୋ ମନ ଭିତରୁ କିଏ ଯେମିତି କହି ଉଠିଲା, ଯା ବେଟା ଏଇ ହେଉଛି ସୁବର୍ଣ୍ଣ ସୁଯୋଗ । ମୁଁ ବାଲ୍ଟିଟିଏ ଧରି ଚାଲିଲି ଟ୍ୟାପ ଆଡେ । ସେ ଝିଅଟି ଟ୍ୟାପ ଖୋଲି ପାଣି ଭରୁଥାଏ । ମୁଁ ଯାଇ ସେଠାରେ ଠିଆ ହେଇ ତାକୁ ଦେଖିବାରେ ଲାଗିଲି । ମତେ ଦେଖି ସେ ଶୀଘ୍ର ଶୀଘ୍ର ପାଣି ଭରି ଚାଲିଯିବାକୁ ଚାହିଁଲା । ହେଲେ ଗରା ପୁରିଲେ ତ ? ଟ୍ୟାପର ମୁହଁଟା ଭାଙ୍ଗି ଯାଇଥିବାରୁ ପାଣିର ଧାର ଠିକରେ ପଡୁ ନଥିଲା । ଆଙ୍ଗୁଠିରେ ଗୋଟିଏ ପାଖରୁ ଚାପି ଧରି ପାଣି ଭରିବାକୁ ପଡୁଥିଲା । ସ୍ଥାନୀୟ ଲୋକେ ଏ ସବୁ ଜାଣିଥିଲେ କିନ୍ତୁ ସେ ଝିଅଟି ନୂଆ ଆସିଥିବାରୁ ଏ ଟେକନିକ ଜାଣିନଥିଲା । ପାଣି ଭରି ନ ପାରିବାରୁ ସେ ମନେ ମନେ ଚିଡି ଆସୁଥିଲା । ମୁଁ ଏ ସବୁ ଲକ୍ଷ୍ୟ କରି ତାକୁ କହିଲି-"ଛାଡ଼ ମୁଁ ଭରି ଦେଉଛି ।" ଝିଅଟି ଆଡ଼ ହେଇ ଠିଆ ହେଲା । ମୁଁ ମୋ ଟେକନିକରେ ତା ଗରା ଭରିଦେଲି । ସେ ଗରା ନେଇ ଚାଲିଗଲା । ହେଲେ ଗଲା ବେଳେ ମତେ ଚାହିଁ ଟିକେ ହସିଦେଲା । ତା ହସରେ ମୋ ହୃଦୟର ତନ୍ତୁ ଗୁଡାକ କେମିତି ଝିମ ଝିମ ହେଇଗଲା ।

ବିତିଗଲା ମଙ୍ଗଳବାର ଆଉ ବୁଧବାର । ସେ ପାଣି ନେବାକୁ ଆସିଲେ, ମୁଁ ବି ତା ପଛେ ପଛେ ପାଣି ପାଇଁ ଯାଏ, ଖାଲି ତାକୁ ଟିକେ ପାଖରୁ ଦେଖିବି ବୋଲି । ମନେ ମନେ ଭାବେ ତାକୁ ତା ପରିଚୟ ପଚାରିବି, କିନ୍ତୁ ସାହସ ସଞୟ କରିପାରେନା । ମନ କଥା ମନରେ ରହିଯାଏ । ଖାଲି ଅନେଇ ଅନେଇ ଦୁଇ ଦିନ ବିତିଗଲା ।

ମୋ ରୁମ ମେଟ ରୋହିତ ଆଉ ସୁମନ୍ତ ସେ ଯାଏ ଘରୁ ଫେରି ନଥିଲେ । ମୋ ରୁମରେ ମୁଁ ଏକା । ଆମ ପାଖ ରୁମରେ ଚନ୍ଦୁ ବୋଲି ପିଲାଟିଏ ଥିଲା । +୨ ପଢୁଥିଲା । ମୁଁ +୩ । ସେ ବି ତା ରୁମରେ ଏକା । ମାନେ ଦୁଇଟି ରୁମରେ ଆମେ ଦୁଇଜଣ । ମୋ ପ୍ରେମ ସମ୍ପର୍କ ଆଗକୁ ବଢାଇବା ପାଇଁ କାହାର ସାହାଯ୍ୟ ଦରକାର କରୁଥିଲି । ଭାବୁଥିଲି ସୁମନ୍ତ ଥାଆନ୍ତା କି ? ଏ ଦିଗରେ ମତେ ନିଶ୍ଚେ ସାହାଯ୍ୟ କରିଥାନ୍ତା । ହେଲେ ସେ କେବେ ଆସିବ କିଛି ଜଣା ନଥିଲା । କଣ କରିବି କାହାକୁ ବା କହିବି । ମନଟା ଗୋଳେଇ ଘାଣ୍ଟି ହେଉଥାଏ । ଶେଷକୁ ଠିକ କଲି ଯାହା ହେବା କଥା ହେଉ, ମୁଁ ଏକୁଟିଆ ପ୍ରୋସିଡ଼ କରିବି ।

ଗୁରୁବାର, ସମୟ ସନ୍ଧ୍ୟା ୪ ଟା । ମୁଁ ରୁମରେ ବସି ଖବରକାଗଜ ପଢୁଥାଏ । ସେ ଝିଅଟି ତାଙ୍କ ଛାତ ଉପରେ ଛୋଟ ଛୁଆଟେ ଧରି ଠିଆ ହେଇଥାଏ । ଖବରକାଗଜ ପଢି଼ବା ତ ଏକ ବାହାନା ମାତ୍ର, ଲକ୍ଷ୍ୟ ଥାଏ ସେ ଝିଅ ଉପରେ । ମୋ ପାଖରେ ଚନ୍ଦୁ ବି ଥାଏ । ସେ ଝିଅଟି ମତେ ଦେଖାଇ ଛୁଆଟିକୁ ବାରମ୍ବାର କିସ କଲା । ମୁଁ ଅନେଇ ସବୁ ଦେଖୁଥାଏ, ହେଲେ ମୋର କଛି ରିଆକ୍ସନ ନଥିଲା । କାହିଁକି ନା ପାଖରେ ଚନ୍ଦୁ ଥିଲା, ସେ କାଳେ କଣ ଭାବିବ ? ମୁଁ ଚୁପଚାପ ଖବରକାଗଜ ପଢ଼ିବାର ଛଳନା କରୁଥିଲି । ହେଲେ ଚନ୍ଦୁର ସେ ଝିଅଟି ଉପରେ ଲକ୍ଷ୍ୟ ପଡିଗଲା । ସେ ମତେ କହିଲା-

"ବିରାଜ ଭାଇ, ଦେଖିଲଣି ସେ ଝିଅ କେମିତି କିସ କରୁଛି ।"

-"ହଁ..ଦେଖିଛି.."

-"ସେ ଝିଅ ତୁମକୁ ପସନ୍ଦ କରୁଛି । ତୁମେ ଟ୍ରାଏ ମାର ସେ ପଟିଯିବ ।"

ମୁଁ କିଛି ନକହି ଚୁପ ରହିଲି ।

ତା' ପରଦିନ ଶୁକ୍ରବାର । ଚନ୍ଦୁ ରୁମରୁ ସେ ଝିଅର ଛାତଟା ପରିଷ୍କାର ଦେଖାଯାଏ । ମୁଁ କିଛି ବହି ଧରି ତା' ରୁମରେ ପଢିବା ପାଇଁ ବସିଗଲି । ଲକ୍ଷ୍ୟ କିନ୍ତୁ ଥାଏ ପଢିବା ବାହାନାରେ ସେ ଝିଅକୁ ଚାହିଁବା । କିଛି ସମୟ ପରେ ସେ ଛାତ ଉପରକୁ ଆସିଲା । ମୁଁ ଚାହିଁଲି ତାକୁ, ସେ ବି ମତେ ଚାହିଁଲା । ଚାରି ଆଖିର ମିଳନ ହେଲା । ମୁଁ ସାହସ କରି ହାତ ହଲେଇଲି । ଦୁଇ ଚାରି ଥର ହାତ ହଲେଇବା ପରେ ସେ କୌଣସି ରିଆକ୍ସନ ନଦେଇ ଚାଲିଗଲା । ମୁଁ ଡରିଗଲି । ସେ ତ କିଛି କହିଲାନି, ଖରାପ ଭାବିଲା କି ? ଯଦି ମୋ ନାଁରେ ତାଙ୍କ ଘରେ କମ୍ପ୍ଲେନ କରେ ? ଛାଡ଼ ଯାହା ହେବ ଦେଖାଯିବ । ସେଦିନ ସନ୍ଧ୍ୟା ୫ ଟା ବେଳେ ଆମ କଲେଜ ଫଙ୍କସନ ଥାଏ । ଏତିକି ବେଳେ ସୁମନ୍ତ ଆସି ପହଞ୍ଚିଲା। ସୁମନ୍ତକୁ ଦେଖି ମୁଁ ଖୁସି ହେଇଗଲି । ସେ ନିଶ୍ଚୟ ମତେ କିଛି ଟିପ୍ସ ଦେବ । ମୁଁ ତାକୁ ସବୁ କଥା କହିଲି ଆଉ ସେ ଝିଅକୁ ବି ଦେଖାଇ ଦେଲି । ସେ ମତେ ଆଗେଇ ଯିବା ପାଇଁ ସାହସ ଦେଲା ।

ସେଦିନ ଫଙ୍କସନ ଆଟେଣ୍ଡ କରି ଫେରିଲା ବେଳକୁ ସନ୍ଧ୍ୟା ୭ ଟା ବାଜି ଯାଇଥାଏ । ସୁମନ୍ତ କହିଲା ସେ ଘରକୁ ଫେରିଯିବ । ତାକୁ ନେଇ ବସଷ୍ଟାଣ୍ଡରେ ଛାଡ଼ିଲି । ରୁମକୁ ଫେରି ଦେଖିଲି ସବୁ ରାସନ ଶେଷ । ରୋଷେଇ ହେବ କେମିତି ? ସଙ୍ଗେ ସଙ୍ଗେ ବଜାର ବାହାରି ଗଲି । ରାସନ ଧରି ଫେରିଲା ବେଳକୁ ରାତି ୮ । ଷ୍ଟୋଭ ଲଗେଇ ରୋଷେଇ ବସେଇଲି । ତାପରେ ଅଭ୍ୟାସ ବଶତଃ ସେ ଝିଅର ବାଲକୋନୀକୁ ଚାହିଁଲି । ମତେ ଲାଗିଲା ଝାପ୍ସା ଅନ୍ଧାରରେ କେହି ଜଣେ ସେଠି ଠିଆ ହେଇଛି । ଭଲକରି ଲକ୍ଷ୍ୟ କଲି । ସେହି ଝିଅଟି ହିଁ ଥିଲା । ମୁଁ ରୁମ ବାହାରକୁ ଯାଇ ଗୋଟେ ସାଇଡ଼ରେ ଠିଆ ହେଲି । ସେ ମତେ ଦେଖି ହାତ ହଲେଇଲା । ମୁଁ ବି ହାତ ହଲେଇଲି । କିଛି ସମୟ ଏହିପରି ଚାଲିବା ପରେ ସେ ଭିତରକୁ ଚାଲିଗଲା । ସେ ଯିବା ପରେ ମୁଁ ରୁମକୁ ଫେରି ଆସିଲି । ସେହିଦିନ ରାତିରେ ମୁଁ ଠିକ କଲି, ଯାହା ବି ହେଇଯାଉ ଆସନ୍ତା କାଲି ତାର ପରିଚୟ ନିଶ୍ଚୟ ହାସଲ କରିବି । ଏଇ କଥା ଭାବି ଭାବି ଶୋଇଗଲି ।

ପରଦିନ ଶନିବାର । ସେ ସକାଳେ ପାଣି ନେବା ପାଇଁ ଟ୍ୟାପ ପାଖକୁ ଆସିଲା । ମୁଁ ବାଲ୍ଟି ଧରି ତା' ପଛେ ପଛେ ଯାଇ ଟ୍ୟାପ ପାଖରେ ଠିଆ ହେଲି । ସେ ପାଣି ଭରୁଥାଏ ଆଉ ମୋ ଆଡେ କଣେଇ ଚାହୁଁଥାଏ । ମୁଁ ଭାବୁଥାଏ କେମିତି ତାକୁ ତାର ପରିଚୟ ପଚାରିବି । ଏମିତି ଭାବୁ ଭାବୁ ସେ ପାଣି ନେଇ ଚାଲି ଯିବାକୁ ବସିଲା । ମୁଁ ସାହସ କରି ପଚାରିଲି-"ତମେ କଣ ପଢାପଢି କରୁଛ ? କେଉଁ କ୍ଲାସରେ ?"

-"+୩ ପ୍ରଥମ ବର୍ଷ ..."

-"ତମ ନାଁ ଜାଣିପାରିବି କି ?"

ତା' ନାଁ କହିବା ଆଗରୁ କେହି ଜଣେ ସେଠାକୁ ଆସିବାରୁ ସେ ତରତର ହେଇ ସେଠୁ ଚାଲିଗଲା । ହାଏରେ ଦଇବ...ମନରେ ଅବଶୋଷ ରହିଗଲା । ୬ ଦିନ ବିତି ଯାଇଥିଲେ ବି ତା' ନାଁ ମୁଁ ଜାଣି ପାରିଲିନି । ସେଦିନ ବହୁତ ଚେଷ୍ଟା କଲି ତା' ସହ ଆଉ ଥରେ କଥା ହେବା ପାଇଁ । ହେଲେ ସେଦିନ ଆଉ ସୁଯୋଗ ମିଳିଲା ନାହିଁ ।

ମୁଁ ଆଗରୁ କହିଛି ଆମେ ଶନିବାର ସନ୍ଧ୍ୟାରେ ସମସ୍ତେ ଘରକୁ ଚାଲିଯାଉ ବୋଲି । ସେଦିନ ସନ୍ଧ୍ୟାରେ ଚନ୍ଦୁ ଘରକୁ ବାହାରିଲା ବେଳେ ମତେ ପଚାରିଲା-"ବିରାଜ ଭାଇ ଘରକୁ ଯିବନି କି ?" ସେ ଝିଅ ଚକରରେ ମୁଁ ତାକୁ ମନା କରିଦେଲି । ସେ ଚାଲିଗଲା । ଏବେ ପୁରା ମେସଟା ଖାଲି, ମୁଁ ଏକା ହିଁ ଥାଏ ।

ରବିବାର ସକାଳ । ଶୀତଦିନ ସମୟ । ଖୁବ ଥଣ୍ଡା ପଡୁଥାଏ । ସେ ପ୍ରତିଦିନ ଆମ ମେସ ଆଗ ରାସ୍ତା ଦେଇ ମର୍ଣ୍ଣିଙ୍ଗୱାକ କରେ । ତେଣୁ ଶୀତ ଲାଗୁଥିଲେ ବି ଦୁଆର ଖୋଲା ରଖିଥାଏ ଖାଲି ତାକୁ ଟିକେ ଦେଖିବା ପାଇଁ । ସେଦିନ ସକାଳେ ସେ ଆସିଲା ଆଉ ମତେ ଦେଖି ହାତ ହଲେଇ ଚାଲିଗଲା । ଆଉ ଫେରିଲା ବେଳେ ମୁଁ ଶୁଣିଲା ଭଳି ସ୍ୱରରେ କହିଗଲା-" ମୋ ନାଁ ସୁଚରିତା ଦାସ.." ସେହିଦିନ ଖରାବେଳେ ସେ ଛାତ ଉପରକୁ ଆସି ଇସାରାରେ ଚିଠି ଲେଖିବାକୁ କହିଲା । (କାହାଣୀଟି ୮୦ ଦଶକର ଘଟଣା ଉପରେ ଆଧାରିତ । ସେତେବେଳେ ମୋବଇଲ ନଥିଲା, ତେଣୁ ଭାବର ଆଦାନ ପ୍ରଦାନ ଚିଠି ମାଧ୍ୟମରେ ହେଉଥିଲା) ମୁଁ ଚିଠି ଲେଖି ତାକୁ ଦେବା ପାଇଁ ସୁଯୋଗ ଅପେକ୍ଷାରେ ରହିଲି । ହେଲେ ସେଦିନ ଆଉ ସୁଯୋଗ ପାଇଲି ନାହିଁ । ଭାବିଲି ତା' ପରଦିନ ସକାଳେ ତାକୁ ଦେଇ ଦେବି ।

ସୋମବାର ଦିନ ସକାଳେ ଦୁଆର ଖୋଲି ତାକୁ ଅପେକ୍ଷା କରି ବସିଲି ଚିଠିଟି ଦେବି ବୋଲି । ସେ କିନ୍ତୁ ସେଦିନ ମର୍ଣ୍ଣିଙ୍ଗୱାକରେ ଆସିଲା ନାହିଁ । ଭାବିଲି ଏବେ ନହେଲା ନାହିଁ ଯେତେବେଳେ ବି ହେଉ ସୁଯୋଗ ଦେଖି ଦେଇଦେବି । ସେ ଦିନ ୯ ଟା ବେଳକୁ ସୁମନ୍ତ, ରୋହିତ ସମସ୍ତେ ଆସି ପହଞ୍ଚି ଗଲେ । ସୁମନ୍ତ ରୋହିତକୁ ମୋ ପ୍ରେମ କାହାଣୀ ବିଷୟରେ ବଖାଣି ଗଲା । ରୋହିତ କହିଲା ଯା ହେଉ ବିରାଜର ଭାଗ୍ୟଟା ଏତେ ଦିନକରେ ଖୋଲିଲା । ହେଲେ ମୁଁ ଜାଣି ନଥିଲି ମୋ ପ୍ରେମରେ ଏତେ ଶୀଘ୍ର ଭଟ୍ଟା ପଡ଼ିଯିବ ବୋଲି ।

ସେଦିନ ଆମେ ସାଥି ହେଇ କଲେଜ ଗଲୁ । ଦିନ ୧୨ ଟା ବେଳକୁ କ୍ଲାସ ସାରି ମେସକୁ ଫେରି ରୋଷେଇ ପାଇଁ ପ୍ରସ୍ତୁତ ହେଉଛୁ, ରୋହିତ ଆସି କହିଲା-"ଏ ବିରାଜ ସେ କଣ ଯିବାକୁ ବାହାରିଲାଣି ?"

-"କିଏ..?"

-"ତୋ ଡାର୍ଲିଂଗ .."

-"ନାଇଁ ମ .. ତୁ ମଜା କରୁଛୁ..."

-"ନାଇଁ ସତ କହୁଛି..ତୁ ଯାଇ ଦେଖ..."

ମୁଁ ରୁମ ବାହାରକୁ ଆସି ଦେଖେ ତ କଥାଟା ଏକଦମ ସତ । ସେ ତା' ଘରକୁ ଯିବା ପାଇଁ ବାହାରିଛି । ମୋ ମୁଣ୍ଡରେ ଚଡକ ପଡିଗଲା । କଣ କରିବି ନ କରିବି କିଛି ଠିକ କରି ପାରିଲି ନାହିଁ । ସେ ମୋ ରୁମ ଅତିକ୍ରମ କଲା ବେଳେ ମତେ ବାୟ କହି ଧୀରେ ଧୀରେ ମୋ ଆଖି ଆଗରୁ ଅପସରି ଗଲା । ମୁଁ ପଥର ମୂର୍ତ୍ତି ପରି ସେମିତି ଠିଆ ହେଇ ରହିଥାଏ। ତା' ପରେ ମୁଁ ତାର ଠିକଣା କୌଣସି ସୂତ୍ରରୁ ଯୋଗାଡ଼ କରି ଚିଠି ଦେଲି । ହେଲେ ଉତ୍ତର କାହିଁ ??? ମୁଁ ମୋ ମନକୁ ବୁଝେଇଲି । ସେ ଆଠ ଦିନ ପାଇଁ ଏଠାକୁ ଆସିଥିଲା । ଏହି ଆଠ ଦିନ କାହାକୁ ବୋକା ବନେଇ ସେ ମଜା ନେବାକୁ ଚାହିଁଥିଲା । ଆଉ ମୁଁ ତାକୁ ମିଳିଗଲି,ପୁରା ରେଡ଼ିମେଡ଼ ବୋକା । ସେ ମୋ ସହ ଭରପୁର ମଜା ଉଠାଇ ତା' ବାଟରେ ଚାଲିଗଲା ଆଉ ମୋ ପ୍ରେମର ଇତି ହେଇଗଲା । କିନ୍ତୁ ଏବେ ବି ମୋ ମନରେ ଅଶାର କିରଣ ଉଙ୍କି ମାରୁଛି ଆଉ ମୋ ମନ ଗାଉଛି-

'ଦିନେ ନା ଦିନେ ଆସିବ ନିଶ୍ଚେ ଜଣେ,

ଘର ତୋଳିବାକୁ ଏଇ ହୃଦୟର କୋଣେ ।'


Rate this content
Log in

Similar oriya story from Romance