ବାଡ଼ି କରମଙ୍ଗା
ବାଡ଼ି କରମଙ୍ଗା
'ତୋ ବାଡ଼ିର କରମଙ୍ଗା,
ମୁହଁକୁ କରିଛି ରଙ୍ଗା ।'
କାଲିଠୁ ବାବାଙ୍କର ଏହି ଉକ୍ତି ମୁଁ ମନେ ମନେ ଭାଳି ହେଉଥିଲି । ବାବା ତ୍ରିକାଳଦର୍ଶୀ । ନହେଲେ ସେ କେମିତି ଜାଣିଲେ ମୋ ବାଡ଼ିରେ କରମଙ୍ଗା ଗଛ ଅଛି ? ସେଇ ଗଛ ହିଁ ମୋର ସବୁ ଦୁଃଖର କାରଣ । ମୋର ଦୁଃଖ କହିଲେ ସେଇ ଗୋଟିଏ । ବାହାଘର ୧୦ ବର୍ଷ ବିତିଗଲାଣି । ଏଇ ଦଶ ବର୍ଷ ଭିତରେ ମୁଁ ପାଞ୍ଚ ପାଞ୍ଚଟା ଝିଅର ବାପ ହେଇ ସାରିଛି । ପୁଅ ପାଇଁ ଚେଷ୍ଟା କରି ଝିଅ ଜନ୍ମ ହେଉଛି । ପୁଅଟେ ନହେଲେ ମୋ ବଂଶ କିପରି ଆଗକୁ ବଢିବ ? ମତେ ପିଣ୍ଡ ପାଣି କିଏ ଦବ ? ଏହି କଥା ଭାବି ସବୁବେଳେ ମୋର ମନସ୍ତାପ ।
ପୁଅଟେ ପାଇବା ପାଇଁ ମୁଁ କେତେ ଯେ କଷ୍ଟ କଲିଣି ସେକଥା ମୁଁ ହିଁ ଜାଣିଛି । ଯିଏ ଯୋଉ ଉପଚାର କହିଲା ତାକୁ କରିଚାଲିଛି । ବାର ଆଡୁ ତେର ଔଷଧ ଆଣି ସ୍ତ୍ରୀକୁ ଦେଇଛି । ହେଲେ ସବୁ ନିଷ୍ଫଳ । ଜଣେ ମତେ କହିଲା ତୁ ଆଉ ଗୋଟେ ବାହା ହେଇ ପଡ଼ । ଭାବିଲି ଆଉ ଥରେ ବାହା ହେଲେ ଭଲ ହୁଅନ୍ତା, ହେଲେ ପର ମୁହୂର୍ତ୍ତରେ ଚିନ୍ତା କଲି... ଯଦି ତାର ବି ପୁଅ ନହେଲା ? ତେବେ ମହରଗରୁ ଯାଇ କାନ୍ତାରରେ ପଡିବା ସାର ହେବ ସିନା କିଛି ଲାଭ ହବନି । ସେଥିପାଇଁ ବାହା ହେବା ଚିନ୍ତା ମନରୁ ତ୍ୟାଗ କରି ଦେଲି ।
କିନ୍ତୁ ମୋ ଚେଷ୍ଟାରୁ ମୁଁ ବିରତ ହେଇ ନଥିଲି । ଏଇ ଦୁଇ ଦିନ ତଳର କଥା । ଗାଁ ଛକରେ ଆମେ କେତେଜଣ ବସିଥିଲୁ । ଏମିତି କଥା ପଡୁ ପଡୁ ଜଣେ କହିଲା-"ଜାଣିଛ ନା ଏଇ ମିଛିପୁରକୁ ଜଣେ ବାବା ଆସିଛନ୍ତି ...ତ୍ରିକାଳଦର୍ଶୀ ବାବା । ଯାହାର ଯୋଉ ଅସୁବିଧା ସଂଗେ ସଂଗେ ତାର ଉପଚାର କହୁଛନ୍ତି । ମୋ ବଳଦ ହଜି ଯାଇଥିଲା, ମୁଁ ବାବାଙ୍କ ପାଖକୁ ଯାଇ ତାଙ୍କ ଆଶୀର୍ବାଦ ଭିକ୍ଷା କଲି । ସେ ମତେ କହିଲେ-'ଚିନ୍ତା କର ନାହିଁ ବେଟା, ତୁମର ହଜିଲା ଜିନିଷ ତୁମେ ଫେରି ପାଇବ ।' ସତକୁ ସତ ଦିନକ ପରେ ମତେ ମୋ ବଳଦ ମିଳିଗଲା ।"
ମୁଁ ପଚାରିଲି-"ସତରେ ସେ କଣ ଜଣେ କରିତକର୍ମା ବାବା..? ସବୁ ସମସ୍ୟାର ସମାଧାନ କରି ଦେଇ ପାରିବେ...?" ସେ କହିଲା-"ହଁ ...କହୁଛି ପରା ସେ ଜଣେ ତ୍ରିକାଳଦର୍ଶୀ...ସବୁ ସମସ୍ୟାର ସମାଧାନ ଚୁଟକୀରେ କରିଦେବେ...। ହେଲେ ବାବାଙ୍କର ଦକ୍ଷିଣା ଟିକେ ଅଧିକ ।" ମୁଁ ପଚାରିଲି-"କେତେ..?" ସେ କହିଲା-" ୫୦୦ ଟଙ୍କା ।"
ମୁଁ ମନେ ମନେ ଭାବିଲି ମୋ ସମସ୍ୟାର ସମାଧାନ ପାଇଁ ଥରେ ବାବାଙ୍କୁ ଦେଖାକଲେ ହୁଅନ୍ତା । ହେଲେ ଦକ୍ଷିଣା ପାଇଁ ମୋ ପାଖରେ ଏତେ ଟଙ୍କା କାଇଁ ? ସାତ ପ୍ରାଣୀ କୁଟୁମ୍ବ ମୋର । ସବୁ ବେଳେ ଅଭାବ ଅନାଟନ ଲାଗି ରହିଛି । ଅଳ୍ପ ଚାଷ ଜମିରୁ ଯେତିକି ଆୟ ହଉଛି ସେଇଥିରେ କଷ୍ଟେ ମଷ୍ଟେ ଚଳି ଯାଉଛି । ୫୦୦ ଟଙ୍କା ବାବା ନେବେ...ମନ ଟିକେ ପଛେଇଗଲା । ପୁଣି ଭାବିଲି ଟଙ୍କା କଣ ବଡ଼ ? ଯଦି ବାବା କିଛି ଉପାୟ କହିଲେ, ତେବେ ମୋ ବଂଶ ରକ୍ଷା ହେଇଯିବ ।
ହେଲେ ୫୦୦ ଟଙ୍କା କୋଉଠୁ ଯୋଗାଡ଼ କରିବି ? କିଏ ମତେ ଦବ ? କାହାଠୁ କରଜ କରିବି ? ମନେ ପଡିଲା ମୋ ବାଡ଼ି କରମଙ୍ଗା କଥା । ମୋ ବାଡ଼ିର କରମଙ୍ଗା, ଆଠ କାଳି ବାରମାସି ଫଳ ତାର । ସ୍ୱାଦ ବି ଅପୂର୍ବ । ବିଲକୁଲ ଖଟା ନାହିଁ..ମିଠା କରମଙ୍ଗା । ଆଖ ପାଖ ଗାଁରେ ସେଭଳି ଗଛ କୋଉଠି ବି ନାହିଁ । ଯେବେ ବି ତାକୁ ବିକିବାକୁ ହାଟକୁ ନିଏ...ଘଣ୍ଟାକ ଭିତରେ ମୋ ଟୋକେଇ ଖାଲି ହେଇ ଯାଏ । ମୋ କରମଙ୍ଗାର ବହୁତ ଚାହିଦା । ଯିଏ ଥରେ ଖାଇଛି ସେ ତାର ସ୍ୱାଦକୁ କେବେ ଭୁଲି ପାରିନି । ଅବଶ୍ୟ କେତେ ଜଣ ମୋଠୁ ମଞ୍ଜି ନେଇ ତାଙ୍କ ବାଡ଼ିରେ ସେଇଭଳି ଗଛ କରିବାକୁ ଚେଷ୍ଟା କରିଛନ୍ତି । ହେଲେ ମୋ କରମଙ୍ଗାର ସ୍ୱାଦ ଭଳି ଆଉ କୌଣସିଟି ହୁଏ ନାହିଁ । ଏହି କରମଙ୍ଗା ମତେ ବହୁତ ଥର ବେଳ ଅବେଳରେ ସାହାଯ୍ୟ କରିଛି । ମୋ ଅଭାବ ଅନାଟନକୁ କିଛି ମାତ୍ରାରେ ଦୂର ବି କରି ଦେଇଛି । ବେଳେ ବେଳେ ଏହି କରମଙ୍ଗା ହିଁ ମୋ ଦୁଃଖର ତ୍ରାଣକର୍ତ୍ତା ସାଜି ଥାଏ ।
ମୋ ସମସ୍ୟାର ସମାଧାନର ବାଟ ଦେଖାଗଲା । ଭାବିଲି ସେଇ କରମଙ୍ଗାରୁ କିଛି ନେଇ ହାଟରେ ବିକିଦେଲେ, ବାବାଙ୍କ ଦକ୍ଷିଣା ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ ହେଇଯିବ । ମନ କଥା ମନରେ ରଖି ସେଦିନ ରାତିରେ ବିଛଣାକୁ ଗଲି । ସକାଳୁ ଉଠିବା ପରେ ମନେ ପଡିଗଲା କରମଙ୍ଗା କଥା । ଟୋକେଇଟି ଧରି ବାହାରିଲି କରମଙ୍ଗା ତୋଳିବାକୁ । ସାଥିରେ ମୋର ବଡ଼ ଝିଅକୁ ଡ଼ାକିନେଲି । ଗଛ ମୂଳେ ପହଞ୍ଚି ଝିଅକୁ କହିଲି ମୁଁ ଗଛରେ ଚଢି କରମଙ୍ଗା ତୋଳି ପକେଇଲେ ତୁ ଗୋଟେଇ ଟୋକେଇରେ ରଖିବୁ । ଝିଅ ମୁଣ୍ଡ ଟୁଙ୍ଗାରି ହଁ କଲା । ଚଢ଼ିଗଲି ଗଛକୁ ।
ଖୁବ ବଡ଼ ଗଛଟେ । ମୋ ବାଡ଼ିର ଅଧା ଜାଗା ସେଇ ଗଛ ହିଁ ମାଡି ବସିଥିଲା । ଶାଖା ପ୍ରଶାଖା ମେଳି ଝଙ୍କାଳିଆ ହେଇ ବଢିଛି ଗଛଟି । ମୋ ବାପାଙ୍କଠୁଁ ଶୁଣିଥିଲି ଏ ଗଛକୁ କୁଆଡେ ତାଙ୍କ ଜେଜବାପା ଲଗେଇଥିଲେ । ସେବେଠୁ ଏ ଗଛ ଆମ ଘରର ପରିଚୟ ବନି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପିଲା ବେଳେ ଏଇ ଗଛରେ ଚଢି ମୁଁ କେତେ ଡାଳିମାଙ୍କୁଡ଼ି ଖେଳିଛି । ଆଜି ଏ ସବୁ ଭାବିଲେ ଦେହ ମୋର ରୋମାଂଚିତ ହେଇ ଉଠେ । ସତ କହିବାକୁ ଗଲେ ସେ ଗଛଟି ଖାଲି ଗଛ ନଥିଲା ମୋ ପରିବାରର ଏକ ସଦସ୍ୟ ପାଲଟି ଯାଇଥିଲା ।
କରମଙ୍ଗା ତୋଳି ମୁଁ ତଳକୁ ଗୋଟି ଗୋଟି କରି ପକେଇ ଚାଲୁଥିଲି ଆଉ ଝିଅ ମୋର ସେ ସବୁକୁ ଗୋଟେଇ ଟୋକେଇରେ ଭର୍ତ୍ତି କରୁଥିଲା । ଟୋକେଇ ପୂର୍ଣ୍ଣ ହେବା ପରେ ଝିଅ କହିଲା -"ବାପା ଟୋକେଇ ପୁରି ଗଲାଣି ।" ମୁଁ ତୋଳିବା ବନ୍ଦ କରି ତଳକୁ ଓହ୍ଲାଇ ଆସିଲି । ତା' ପରେ ଘରକୁ ଆସି ଗାଧୁଆ ଖିଆ ପିଆ ସାରି ଟୋକେଇ ନେଇ ବାହାରିଗଲି ହାଟକୁ । ହାଟରେ ପହଞ୍ଚୁ ପହଞ୍ଚୁ ମୋ ପାଖରେ ଭିଡ଼ ଜମିଗଲା । ଆଗରୁ କହିବା ଅନୁସାରେ ଘଣ୍ଟାକ ଭିତରେ ମୋ ଟୋକେଇ ଖାଲି ହେଇଗଲା । ମୁଁ ଟଙ୍କାତକ ଗଣି ଦେଖିଲି ୬୦୦ ଟଙ୍କା । ମନେ ମନେ ଖୁସି ହେଇଗଲି, ଯା ହେଉ ବାବାଙ୍କ ଦକ୍ଷିଣା ଯୋଗାଡ଼ ହେଇଗଲା । ଆଉ ମୋର ତ୍ରାଣକର୍ତ୍ତା କରମଙ୍ଗା ଗଛକୁ ମନେ ମନେ ଧନ୍ୟବାଦ ବି ଜଣେଇ ଦେଲି ।
ତା' ପରଦିନ ସକାଳେ ମାନେ କାଲି ମୁଁ ଜାମାଜୋଡ ହେଇ ବାହାରିଗଲି ବାବାଙ୍କ ପାଖକୁ ମିଛିପୁର । କି ଲୋକ ସେଠି ? ସୋରିଷ ପକେଇବାକୁ ଵି ଜାଗା ନଥିଲା । ଭିତରେ ଘଣ୍ଟ ମର୍ଦ୍ଦଳ ବାଜୁଥିଲା । ଝୁଣା ଅଗୁର ଚନ୍ଦନର ମହ ମହ ବାସ୍ନା ଭାସି ଆସୁଥିଲା । ଆଃ କି ସ୍ୱର୍ଗୀୟ ପରିବେଶ । ମୁଁ ଭିଡ଼କୁ ଆଡେଇ ଆଗକୁ ବଢିବାକୁ ଲାଗିଲି । ଜଣେ ମତେ ପଚାରିଲା -" ତମର ଟିକେଟ ହେଇଛି..?" ମୁଁ କହିଲି-"ନା..." । ସେ କହିଲା-"ଯାଅ...କାଉଣ୍ଟରରେ ଟିକେଟ କରି ଆସିବ ।" ମୁଁ ଭାବିଲି କଣ ଏଠି ଫିଲିମ ହଲ ପରି ଟିକେଟ ହଉଛି ନା କଣ ? ଛାଡ ବାବାଙ୍କୁ ଦେଖା କରିବାକୁ ଯାହା ଦରକାର ମତେ କରିବାକୁ ହିଁ ପଡିବ । କାଉଣ୍ଟର ପାଖକୁ ଗଲି । ସେଠି ବି ଲମ୍ବା ଲାଇନ ଲାଗିଥାଏ । ମୁଁ ଲାଇନରେ ଠିଆ ହେଲି । ପ୍ରାୟ ଘଣ୍ଟାକ ପରେ ମୋ ନମ୍ବର ପଡିଲା । ୧୦୦ ଟଙ୍କା ଦେଇ ଟିକେଟ ଆଣିଲି । ମୋ ନମ୍ବର ଥିଲା ୩୨୦ ।
ଫେରିଥିଲି ବାବାଙ୍କ ଆସ୍ଥାନ ଆଡେ । ସେଠି ବାବାଙ୍କ ଜଣେ ଶିଷ୍ୟକୁ ପଚାରି ବୁଝିଲି କେତେ ନମ୍ବର ଚାଲିଛି । ସେ କହିଲା -"୫୦.." । ମୋ ନମ୍ବର ଆସୁ ଆସୁ ସନ୍ଧ୍ୟା ହେଇଯିବ । କଣ କରିବି ଦୁଃଖ ଯେତେବେଳେ ପଡିଛି ଧୈର୍ଯ୍ୟ ଧରିବାକୁ ହିଁ ପଡିବ । ଗୋଟିଏ ଜାଗାରେ ବସି ପଡିଲି । ସେଠି ଆହୁରି ଅନେକ ଲୋକ ବସିଥିଲେ । ସେମାନେ ନିଜ ନିଜ ଭିତରେ କଥା ହେଉଥାନ୍ତି । ଯାହାର ଯେଉଁ ସମସ୍ୟା ସେ ବିଷୟରେ ଅନ୍ୟକୁ କହୁଥାନ୍ତି । କାର ପିଲା ହେଉନି ତ କାର ଝିଅ ବାହାଘର ହେଇ ପାରୁନି ଆଉ କାର ଚାକିରୀ ହେଉନି ତ କିଏ ପ୍ରେମରେ ଅସଫଳ ହେଉଛି... ଏମିତି କେତେ ଲୋକଙ୍କର କେତେ ସମସ୍ୟା । ସମସ୍ତେ କିନ୍ତୁ ବାବାଙ୍କର ଖୁବ ପ୍ରଶଂସା କରୁଥାନ୍ତି । ମତେ ଖୁସି ଲାଗୁଥିଲା ଯାହା ହେଉ ଏତେ ଦିନକରେ ମୁଁ ଠିକଣା ଜାଗାରେ ପହଞ୍ଚି ଯାଇଛି । ମୋ ସମସ୍ୟାର ସମାଧାନ ମୁଁ ନିଶ୍ଚୟ ପାଇଯିବି ।
ଅପରାହ୍ନ ୪ ଟା ବେଳକୁ ମୋ ନମ୍ବର ପଡିଲା । ମୁଁ ଭିତରେ ପ୍ରବେଶ କଲି । ଏକ ଉଚ୍ଚ ଆସନରେ ବାବା ବିଦ୍ୟମାନ । ମୁଖରେ ତାଙ୍କର କିପରି ଏକ ଦିବ୍ୟ ଆଭା ପରିପ୍ରକାଶ ହେଉଥାଏ । ବାବା ଚକ୍ଷୁ ମୁଦ୍ରିତ କରି ପଦ୍ମାସନରେ ବସିଥାନ୍ତି । ଝୁଣା ଧୂପ ଦୀପରେ ବାବାଙ୍କ ଅର୍ଚ୍ଚନା କରୁଥାନ୍ତି ତାଙ୍କର କିଛି ଶିଷ୍ୟ । ମୁଁ ବାବାଙ୍କ ଆଗରେ ଲମ୍ବ ହେଇ ପଡ଼ିଗଲି । ବାବା ସେଇଭଳି ଅବିଚଳିତ ଭାବରେ ବସି ରହିଥିଲେ । ହେଲେ ମୁଁ କିଛି କହିବା ଆଗରୁ ବାବା କହିଲେ-
ତୋ ବାଡ଼ିର କରମଙ୍ଗା,
ମୁହଁକୁ କରିଛି ରଙ୍ଗା ।
ମୁଁ କହିଲି ବାବା ମୁଁ ଆପଣଙ୍କ କଥା ବୁଝି ପାରିଲିନି । ବାବା କିନ୍ତୁ ଆଉ କିଛି କହି ନଥିଲେ । ତାଙ୍କର ଜଣେ ଶିଷ୍ୟ କହିଲେ-" ଏତିକି ବୁଝି ପାରୁନୁ ? ତୋ ବାଡ଼ିରେ ଏକ କରମଙ୍ଗା ଗଛ ଅଛିନା ?"
-"ହଁ.."
-" ସେଇ କରମଙ୍ଗା ହିଁ ତୋର ଦୁଃଖର କାରଣ ।"
-"ମାନେ..."
-"କଣ ମାନେ ମାନେ ହଉଛୁ ...ସେଇ ଗଛ ପାଇଁ ତୋର ପୁତ୍ର ସନ୍ତାନ ହେଉନାହିଁ । ଯା ...ସେ ଗଛକୁ ତୋ ବାଡିରୁ ହଟେଇ ଦେ..ତୋର ମଙ୍ଗଳ ହବ ।"
ଦକ୍ଷିଣା ୫୦୦ ଦେଇ ମୁଁ ଘରକୁ ଫେରିଲି । ବାଟ ସାରା ଭାବୁଥିଲି ବାବା ତ ମତେ ସମାଧାନର ସୂତ୍ର ବତେଇଲେ, ହେଲେ ମୁଁ କଣ କରିବି ? ସତରେ କଣ କରମଙ୍ଗା ଗଛକୁ ହଟେଇ ଦେଲେ ମୋର ପୁଅ ହବ ? କାହିଁକି ହବନି ? ବାବା ପରା କହିଛନ୍ତି । ବାବାଙ୍କ କଥା କଣ ଅନ୍ୟଥା ହୁଏ ? ହେଲେ ତିନି ପୁରୁଷର ଗଛଟାକୁ କଣ ହାଣିଦେଵି ? ସେ ଗଛଟା ମୋର ସୁଖ ଦୁଃଖର ସାଥି । ବେଳ ଅବେଳର ସାହାଯ୍ୟ କର୍ତ୍ତା । ପିଲା ବେଳର ଖେଳ ସାଥି । ହେଲେ ମୋର ଆଉ ଚାରା କଣ ? କିଛି ପାଇବା ପାଇଁ ତ କିଛି ହରେଇବାକୁ ପଡେ । ଯଦି ଗଛକୁ ବଳି ଦେଇ ମୋର ପୁଅଟିଏ ହେଲା ତେବେ ମୋର ଦୁଃଖ ଯିବ ।
କାଲି ରାତିରୁ ଆଜି ସକାଳ ଯାଏ ମୁଁ ଖାଲି ଭାବି ଚାଲିଥିଲି । ଶେଷକୁ ସ୍ଥିର କଲି ଗଛକୁ ହାଣିଦେଵି । ଯା' ହେବ ଦେଖା ଯିବ । କୁରାଢ଼ୀ ଧରି ବାହାରିଲି ବାଡ଼ି ଆଡେ । ସ୍ତ୍ରୀ ପଚାରିଲା-" ଏତେ ସକାଳୁ କୁରାଢ଼ୀ ଧରି କୁଆଡେ ବାହାରିଲ ?"
-" ଯାଉଛି ସେ କରମଙ୍ଗା ଗଛକୁ ହାଣିବି ।"
ସ୍ତ୍ରୀ ଆଶ୍ଚର୍ଯ୍ୟ ହେଲା । ସେ କହିଲା- "ତମ ମୁଣ୍ଡ ଖରାପ ହେଇ ଯାଇଛି ନା କଣ ? ନା ଭାଙ୍ଗ ଫାଙ୍ଗ ଖାଇ ଦେଇଛ ?"
ସ୍ତ୍ରୀକୁ ସବୁ କଥା କହିଲି । ସବୁ ଶୁଣିଲା ପରେ ସ୍ତ୍ରୀ କହିଲା-" କାହା କଥାରେ ଭାସି ଯାଇ ତମେ ଏ ଭୁଲ କାମ କରନା । ସେ ଗଛ ପରା ଆମ ସାହାରା । ତମେ ତାକୁ ନଷ୍ଟ କରିଦେବ ?"
ମୋ ମନରେ କିନ୍ତୁ ଠାଣି ନେଇଥିଲି ସେ ଗଛକୁ ମୋ ବାଡିରୁ ହଟେଇବା ପାଇଁ । ତେଣୁ ସ୍ତ୍ରୀ କଥାକୁ ଅଣଦେଖା ମୁଁ ମୋ କାମରେ ବାହାରି ଗଲି । କରମଙ୍ଗା ଗଛ ମୂଳରେ ପହଞ୍ଚି କୁରାଢୀରେ ଚୋଟ ପରେ ଚୋଟ ପକେଇ ଚାଲିଲି । ଗଛ କାଟିବାରେ ବ୍ୟସ୍ତ ଥିଲା ବେଳେ କାହାର ଭାଇ ଭାଇ ଡାକରେ ମୁଁ ବୁଲି ପଛକୁ ଚାହିଁଲି । ଦେଖିଲି ଆର ସାହି ନରିଆ ମୋ ଆଡେ ଆସୁଛି । ମୁଁ ପଚାରିଲି -"କଣ କିରେ ନରିଆ...?"
-"ଭାଇ, କୁରାଢ଼ୀଟା ଟିକେ ନେଇଥାନ୍ତି । ଘରକୁ ଯାଇଥିଲି ଯେ ଭାଉଜ କହିଲେ ତମେ କୁରାଢ଼ୀ ନେଇ ବାଡ଼ିରେ ଅଛ । ତେଣୁ ଏଠିକୁ ଚାଲି ଆସିଲି ।"
-"ହଉ ହଉ ତୁ ଟିକେ ବସ । ମୋର ଆଉ ଅଳ୍ପ ଅଛି, ସାରିଦିଏ, ତୁ ନେଇଯିବୁ ।" ମୁଁ ଗଛ କାଟିବାରେ ଲାଗି ପଡିଲି ।
-"ଭାଇ...ଗଛଟାକୁ କାଟି ଦେଲ ଯେ ?"
-"ହଁ ଟିକେ ଅସୁବିଧା ହେଲା.. ତେଣୁ କାଟିଦେଲି ..।" ଗଛ ହାଣୁ ହାଣୁ ଜବାବ ଦେଲି ।
-"ଭାଇ ଗୋଟେ କଥା ଜାଣିଛ...?"
-"କୋଉ କଥା..?"
-"ଏଇ ମିଛିପୁରକୁ ଯୋଉ ବାବା ଆସିଥିଲା..?"
-"ହଁ..କଣ ହେଲା..."
-"ସେ ଗୋଟାଏ ଭଣ୍ଡଟାଏ...କାଲି ରାତିରେ ତାକୁ ପୋଲିସ ଆରେଷ୍ଟ କରିଛି ....।
ମଡ଼ମଡ଼ କରି ଗଛଟା ଭୁସକିନା ତଳେ ପଡିଲା । ନରିଆ କହି ଚାଲିଥିଲା - "ସେ କୁଆଡେ ଗୋଟେ ଫେରାର ଆସାମୀ । ଅନେକ ଦିନ ହେଲା ପୋଲିସ ତାକୁ ଖୋଜୁଥିଲା । ସେ କିନ୍ତୁ ବାବା ବେଶରେ ଏଠି ଲୋକଙ୍କୁ ଠକି ବେଶ ପଇସା ରୋଜଗାର କରୁଥିଲା । କାଲି ଧରା ପଡିଲା ।" ନରିଆ କଥା ଶୁଣି ସ୍ତବ୍ଧ ହେଇଗଲି ମୁଁ । ହାତରୁ ମୋର କୁରାଢ଼ୀ ଖସି ପଡିଲା ଆଉ ନରିଆ ସେ କୁରାଢ଼ୀ ନେଇ ଚାଲିଗଲା । ମୁଁ କିନ୍ତୁ ହତାଶ ମନରେ ବସି ରହିଥିଲି କଟା ହେଇ ପଡିଥିବା କରମଙ୍ଗା ଗଛ ପାଖରେ ....