Abhiram Mandal

Tragedy

4.0  

Abhiram Mandal

Tragedy

ଧର୍ମ

ଧର୍ମ

8 mins
391


ଧର୍ମ ମଣିଷକୁ ଅନ୍ଧାରରୁ ଆଲୋକ ଆଡକୁ ନେଇଯାଇଥାଏ । ଧର୍ମ ମଣିଷକୁ ସତ୍ୟାନୁରାଗୀ କରାଇ ଥାଏ । ଧର୍ମ ଶିଖାଇଥାଏ ଶାନ୍ତି ସୌହାର୍ଦ୍ଧ୍ୟରେ ବଂଚିବାର ଶୈଳୀ । ଧର୍ମ ଶିଖାଇଥାଏ ସହନଶୀଳତା ଆଉ ପରସ୍ପର ମଧ୍ୟରେ ପ୍ରେମ । କିନ୍ତୁ ଏସବୁ ବିପରୀତ ଯଦି କେହି କରେ...? ତାକୁ କଣ ଧର୍ମ କୁହାଯିବ ? ଉତ୍ତର ନିଶ୍ଚୟ ନା ରେ ହିଁ ଆସିବ । କିନ୍ତୁ ଦୁନିଆରେ ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ଏଇସବୁ ବିପରୀତ କର୍ମମାନ କରିଥାନ୍ତି ଆଉ ତାକୁ ଧର୍ମର ଖୋଳପା ପିନ୍ଧାଇ ଚଞ୍ଚକତା କରି ନିଜର ସ୍ୱାର୍ଥ ସାଧନ କରିଥାନ୍ତି ।


ଏଇପରି ଲୋକଟିଏ ମୁଁ । ଧର୍ମ ମୋର ସନାତନ ହିନ୍ଦୁ... ନା..ନା ଭୁଲ କହିଲି ଏଇଟା ତ ମୋର ଲୌକିକ ଧର୍ମ । ମୋର ଅସଲ ଧର୍ମ ହେଲା ସ୍ୱାର୍ଥପରତା । ମୋ ସ୍ୱାର୍ଥରେ ବାଧା ଆସିଲେ ମୁଁ କିଛି ବି କରିପାରେ । ଶାନ୍ତ ବାତାବରଣକୁ ଅଶାନ୍ତ କରିପାରେ ଆଉ ଲୋକଙ୍କ ମନରେ ଘୃଣା ବିଦ୍ୱେଷ ଭାବ ସୃଷ୍ଟି କରିପାରେ । ଯେମିତି ସେଦିନ କରିଥିଲି ।


 ଘର ମୋର ଦ୍ଵିତୀକୃଷ୍ଣପୁର ଗାଁରେ । ଦିନେ ଏ ଗାଁଟି ଖୁବ ସୁନ୍ଦର ଥିଲା । ଗାଁରେ ବିଭିନ୍ନ ପାଟକର ଲୋକେ ବାସ କରୁଥିଲେ । ବ୍ରାହ୍ମଣଠୁ ଆରମ୍ଭ କରି ଚଣ୍ଡାଳ ଯାଏ, ଏପରି କି ଖ୍ରୀଷ୍ଟିୟାନ ଆଉ ମୁସଲମାନ ବି ବାସ କରୁଥିଲେ । ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେଉଥିଲେ । ଗାଁର ପ୍ରତ୍ୟକଟି ହାନିଲାଭ ପରସ୍ପର ମିଳି ମିଶି ବାଣ୍ଟି ନେଉଥିଲେ । ସେଠି ନଥିଲା ଧର୍ମର ବାଛ ବିଚାର ଆଉ ବୃଥା ଅହମିକା । ସମସ୍ତେ ଗୋଟିଏ ଈଶ୍ୱରଙ୍କ ସନ୍ତାନ ଭଳି ଚଳୁଥିଲେ । ସମସ୍ତେ ନିଜ ନିଜ ଧର୍ମ ପାଳନ କରୁଥିଲେ । ତା' ସହ ଅନ୍ୟ ଧର୍ମାମ୍ବଲମ୍ବିଙ୍କୁ ସମ୍ମାନ ମଧ୍ୟ ଦେଉଥିଲେ । ହିନ୍ଦୁ ମାନଙ୍କର ପୁରୋହିତ, ଖ୍ରୀଷ୍ଟିୟାନ ମାନଙ୍କର ପାଦ୍ରୀ ଆଉ ମୁସଲମାନଙ୍କ ମୌଲବୀ ଗୋଟିଏ ସ୍ଥାନରେ ସହାବସ୍ଥାନ କରୁଥିଲେ । ସତ କହିବାକୁ ଗଲେ ଗାଁଟି ଥିଲା ଛୋଟ ଭାରତ ବର୍ଷର ଏକ ନମୁନା । ଗାଁର ଶାନ୍ତ ତଥା ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ପାଇଁ କେହି କେହି ଆଶ୍ଚର୍ଯ୍ୟ ବି ହେଉଥିଲେ ।


 ଗାଁ ଲୋକଙ୍କର ଦିନ ଗୁଡାକ ଖୁବ ଖୁସିରେ କଟୁଥିଲା । ଏଠି ହିନ୍ଦୁ ଭାଇ କୌଣସି ପର୍ବ ପାଳନ କଲେ ପିଠାପଣା ଖ୍ରୀଷ୍ଟିୟାନ ଓ ମୁସଲମାନ ଭାଇ ଘରେ ଦେଇ ଆସୁଥିଲା । ସେଇପରି ସେମାନଙ୍କର ପର୍ବରେ ମିଷ୍ଠାନ ଆସୁଥିଲା ହିନ୍ଦୁ ଭାଇ ଘରକୁ । ହିନ୍ଦୁ ଲୋକେ ପୁରୋହିତଙ୍କୁ ଯେତିକି ସମ୍ମାନ ଆଉ ଆଦର କରୁଥିଲେ ପାଦ୍ରୀ ତଥା ମୌଲବୀଙ୍କ ପ୍ରତି ସେତିକି ସମ୍ମାନ ଓ ଆଦର ରହିଥିଲା । ଗାଁଟିରେ ଏତେ ଶାନ୍ତ ବାତାବରଣ ଥିଲା ଯେ ଆଖ ପାଖ ଗାଁ ଲୋକେ ଦ୍ଵିତୀକୃଷ୍ଣପୁରକୁ ଏକ ଉଦାହରଣ ଭାବେ ଦେଖୁଥିଲେ ଆଉ ନିଜ ଗାଁକୁ ସେଇଭଳି ଗଢି ତୋଳିବାକୁ ଶପଥ ନେଉଥିଲେ । ଏଠି ସକାଳ ହେଲେ ପବନରେ ଭାସି ଆସୁଥିଲା ମନ୍ଦିରର ଘଣ୍ଟ ଧ୍ୱନି ଆଉ ତା' ସହ ଗୀର୍ଜାର ଘଣ୍ଟା ତଥା ମସଜିଦର ଆଜାନ । ଏଇପରି ସର୍ବଧର୍ମ ସମନ୍ଵୟ ଆଉ କେଉଁ ଗାଁରେ ଦେଖିବାକୁ ମିଳୁ ନଥିଲା ।


 ଦ୍ଵିତୀକୃଷ୍ଣପୁରର ସୁଖ ସ୍ଵାଚ୍ଛନ୍ଦ୍ୟ ତଥା ସର୍ବ ଧର୍ମ ସମନ୍ଵୟ ଭାବ ଯେ ସମସ୍ତଙ୍କ ମନରେ ଖୁସି ଦେଉଥିଲା ତା' ନୁହେଁ, ଏମିତି ବି କେତେଜଣ ସ୍ୱାର୍ଥାନ୍ଧ ମଣିଷ ଥିଲେ ଯେଉଁମାନେ ଲୋକ ମାନଙ୍କ ମନରେ ଧର୍ମ ବିଦ୍ୱେଷ ଭାବ ସୃଷ୍ଟିକରି ନିଜର ସ୍ୱାର୍ଥ ସାଧନ କରିବାକୁ ଚାହୁଁଥିଲେ । ସେଇ ମାନଙ୍କ ଭିତରେ ମୁଁ ଥିଲି ଜଣେ । ସେଥର ପଂଚାୟତ ନିର୍ବାଚନ ସମୟରେ ମୁଁ ଥିଲି ସରପଞ୍ଚ ପ୍ରାର୍ଥୀ । ମୁଁ ହିନ୍ଦୁ ସମ୍ପ୍ରଦାୟର ଆଉ ମୋ ବିପକ୍ଷ ପ୍ରାର୍ଥୀ ଥିଲା ଖ୍ରୀଷ୍ଟିୟାନ ସମ୍ପ୍ରଦାୟର । ମୁଁ ଭାବିଥିଲି ପଂଚାୟତରେ ହିନ୍ଦୁ ଭୋଟର ଅଧିକ ତେଣୁ ମୁଁ ଆରାମରେ ଜିତି ଯିବି । ହେଲେ ମୋ ଚରିତ୍ର ସମସ୍ତଙ୍କୁ ଜଣା ଥିଲା ତେଣୁ ମତେ କେହି ଭୋଟ ଦେଇ ନଥିଲେ ତେଣୁ ସେ ଖ୍ରୀଷ୍ଟିୟାନ ଲୋକଟି ଜିତି ଗଲା। ସେଇ ଦିନଠୁ ମୁଁ ସୁଯୋଗ ଉଣ୍ଡୁ ଥିଲି କେମିତି ଲୋକ ମାନଙ୍କୁ ଭାଗ ଭାଗ କରି ହିନ୍ଦୁ ଗୋଷ୍ଠୀକୁ ମୋ ଆଡେ ଆଣିବି । ଆଉ ସେଦିନ ସେ ସୁଯୋଗ ମତେ ମିଳି ଗଲା ।


ଘଟଣା ଏହିପରି । ଗାଁର ଗରିବ ଚାଷୀଟିଏ, ପଦିଆ ସାହୁ । ତାର ଜମି ବାଡ଼ି ସେତେ ବେଶି ନଥିଲା । ଘର ଢ଼ିଅକୁ ଲାଗି ଛୋଟିଆ ବାଡ଼ି । ମୁଲ ମଜୁରୀ ଲାଗି ସେ ଚଳୁଥିଲା। ଅବସର ସମୟରେ ସେ ତା' ବାଡ଼ିରେ ପନିପରିବା ଫସଲ କରି ନିଜେ ଖାଇବା ସହ ବଳକା ପରିବାକୁ ହାଟରେ ବିକି କିଛି ଟଙ୍କା ବି ରୋଜଗାର କରୁଥିଲା । ଏଥିରେ ତା' ସ୍ତ୍ରୀ ଓ ପିଲାମାନେ ଭରପୁର ସହଯୋଗ କରୁଥିଲେ ।


ସେଥର ପଦିଆ ସାହୁ ତା' ବାଡ଼ିରେ ବାଇଗଣ ଚାଷ କରିଥିଲା । ସେହି ବାଇଗଣ କିଆରୀକୁ ସେ ଆଉ ତା' ପରିବାର ସଯତ୍ନରେ ବଢ଼େଇଥିଲେ । ଗଛ ଗୁଡାକ ଖୁବ ଛନଛନ ହେଇ ବଢିଥିଲା । ଫୁଲ କଷି ଧରି ଆସୁଥିଲା । ଗଛକୁ ଦେଖି ସେମାନଙ୍କର ପେଟ ପୁରି ଯାଉଥିଲା ।


ଦିନେ ପଦିଆ ସାହୁ ଓ ତା ପରିବାର ଘରେ ନଥିବା ବେଳେ ପଲେ ମେଣ୍ଢା ତା' ବାଡ଼ିରେ ପଶି ବାଇଗଣ କିଆରୀକୁ ଉଜାଡି ଦେଲେ । ପଦିଆ ଘରକୁ ଫେରି ଯେତେବେଳେ ତା' କିଆରୀକୁ ଦେଖିଲା ମୁଣ୍ଡରେ ହାତ ଦେଲା । ଗରିବ ଲୋକ, କେତେ ପଇସା ଖର୍ଚ୍ଚ କରି ବାଇଗଣ କିଆରୀ କରିଥିଲା, ଫୁଲ କଷି ଧରିଲା ବେଳକୁ କିଏ ସେ ଚଣ୍ଡାଳ ତା' ପରିଶ୍ରମକୁ ମାଟି କରିଦେଲା ? ଆଖିରେ ତାର ଲୁହ ଆସିଗଲା । ହେଲେ ସେ କଣ କରିବ ? ଆଖ ପାଖ ପଡୋଶୀଙ୍କ ପଚାରି ବୁଝିଲା । ଜଣେ ପଡୋଶୀ କହିଲା ଖ୍ରୀଷ୍ଟିୟାନ ସାହି ଜର୍ଜର ମେଣ୍ଢା ପଲ ଆସି ଏ କାମ କରିଛନ୍ତି ।


ଏ କଥା ଶୁଣିବା ପରେ ପଦିଆ ଦୌଡିଲା ଜର୍ଜ ଘରକୁ । ସେ ତା' ମେଣ୍ଢା ପଲ ବିରୁଦ୍ଧରେ ଅଭିଯୋଗ କଲା ଆଉ କ୍ଷତିପୁରଣ ଦାବି କଲା । ଜର୍ଜ ଟିକେ ବଦମିଜାଜ ଲୋକ । ସେ ପଦିଆର ଅଭିଯୋଗ ଶୁଣି କହିଲା-" ତୁ ଦେଖିଥିଲୁ ମୋ ମେଣ୍ଢା ତୋ କିଆରୀରେ ପଶିଥିଲେ ?"

-" ମୁଁ ସିନା ଦେଖିନି...ହେଲେ ମୋ ପଡୋଶୀ ରାମ ପରା ଦେଖିଛି...ତୁ ଫାଙ୍କି ଦେଉଛୁ କେମିତି ?"

-"ରାମ ଦେଖିଛି...? ଡାକିଲୁ ତାକୁ..ସେ କେମିତି କହିବ ମୋ ମେଣ୍ଢା ତୋ କିଆରୀରେ ପଶିଥିଲେ..? ମୋ ମେଣ୍ଢା ତ ଦିନ ତମାମ ଘରେ ଅଛନ୍ତି... ତୋ କିଆରୀକୁ ଗଲେ କେତେବେଳେ ?"

-"ତାହେଲେ ମୁଁ କଣ ମିଛ କହୁଛି..? ରାମ ମିଛ କହୁଛି...?"

-"ହଁ..ହଁ.. ତୁ ମିଛ କହୁଛୁ..ମୋ ମେଣ୍ଢା ବିଲକୁଲ କୁଆଡେ ଯାଇ ନାହାନ୍ତି ..."

-"ହଉ...ମୁଁ ଯାଉଛି ଏ କଥା ପଂଚାୟତରେ ପକେଇବି..."


ପଦିଆର ଏହି କଥା ପଦକ ଜର୍ଜ ଦେହରେ ଯେମିତି ନିଆଁ ଲଗେଇଦେଲା । ସେ କୋପାନଳ ହେଇ ପଦିଆକୁ ଦି ଚାପୁଡ଼ା କଷି ଦେଇ କହିଲା -" ଶଳା ଛୋଟଲୋକ...ମତେ ପଞ୍ଚାୟତ ଧମକ ଦେଖାଉଛୁ..? ଯା' କୋଉ ବୋପାକୁ କହିବୁ ସେ ଆସି ଏକଥା ବୁଝିବ ।"


ବିଚରା ପଦିଆ । ମାଡ଼ ଖାଇ କାନ୍ଦି ପକେଇଲା । ପରିଶ୍ରମ କରି ଫସଲ କରିଥିଲା, ସିଏ ତ ଉଜୁଡ଼ିଗଲା, ତା' ଉପରେ ପଚାରିବାକୁ ଆସି ମାଡ଼ ବି ଖାଇଲା । ସେ ସେଠୁ ଚାଲି ଆସି ଗାଁ ପୁରୋହିତ ନିଧି ତିଆଡ଼ି ପାଖରେ ପହଞ୍ଚିଲା । ତାଙ୍କୁ ସବୁ କଥା କହିବା ପରେ ସେ ପଦିଆକୁ ଅଭୟ ଦେଇ କହିଲେ-"ତୁ କିଛି ଚିନ୍ତା କରନା ପଦିଆ, ଏହାର କିଛି ଗୋଟେ ଫଇସଲା କରିବି । ତୁ ଘରକୁ ଯା ।" ନିଧି ତିଆଡ଼ିଙ୍କ ଅଭୟ ବାଣୀ ଶୁଣି ପଦିଆ ନିଜ ଘରକୁ ଫେରି ଆସିଲା ଆଉ ପଂଚାୟତର ଫଇସଲାକୁ ଅପେକ୍ଷା କରିବାକୁ ଲାଗିଲା ।

ସେହିଦିନ ସନ୍ଧ୍ୟାରେ ଗାଁରେ ପଞ୍ଚାୟତ ବସିଲା । ପୁରୋହିତ, ପାଦ୍ରୀ, ମୌଲବୀ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜ ଆସନରେ ବସିଥାନ୍ତି । ସମସ୍ତେ ପଦିଆ ସାହୁର ଅଭିଯୋଗ ଶୁଣିଲେ । ପୁରୋହିତ କହିଲେ-" ପଞ୍ଚ ପ୍ରମୁଖ... ସଭିଏଁ ତ ପଦିଆ ସାହୁର ଅଭିଯୋଗ ଶୁଣିଲେ, ଏଥର କିଛି ଗୋଟେ ନ୍ୟାୟ ହେଉ ।"


ପାଦ୍ରୀ ମହାଶୟ ଜର୍ଜକୁ ଡାକି ପଚାରିଲେ-" ପଦିଆ ସାହୁ ତୁମ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଣିଛି, ତା' ଉପରେ ତମର କିଛି କହିବାର ଅଛି ?"

-"ନାଁ..ନାଁ.. ଫାଦର ଏ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ...ପଦିଆ ସାହୁ ମିଛ କହୁଛି...ମୋ ମେଣ୍ଢା ଆଜି ଦିନ ତମାମ ବାହାରକୁ ବାହାରି ନାହାନ୍ତି ।" ଜର୍ଜ ଚିତ୍କାର କରି କହିଲା ।

-"ମିଛ କୁହନି...ପରମେଶ୍ୱର ସମସ୍ତଙ୍କୁ କ୍ଷମା କରନ୍ତି ହେଲେ ମିଛୁଆଙ୍କୁ ନୁହେଁ..." ପାଦ୍ରୀ କହିଲେ ।

-"ଫାଦର...ମୁଁ ମିଛ କାହିଁକି କହିବି ? ପଦିଆ କଣ ନିଜେ ଦେଖିଛି, ମୋ ମେଣ୍ଢା ତା' କିଆରୀରେ ପଶିଥିଲେ..?"


ପଦିଆ ଉଠିପଡ଼ି କହିଲା-"ହଜୁର...ଆମେ କେହି ଘରେ ନଥିଲୁ..କିନ୍ତୁ ମୋ ପଡୋଶୀ ରାମ ଏକଥା ଦେଖିଛି ।" ରାମକୁ ପଚାରିବାରୁ ସେ ଯାହା ଯାହା ଦେଖିଥିଲା ସବୁ ସତ ସତ କହିଦେଲା । ସବୁ ଶୁଣି ସାରିବା ମୌଲବୀ ମହାଶୟ କହିଲେ-" ଯାହା ଜଣା ପଡୁଛି ଜର୍ଜ ଜାଣିଶୁଣି ମିଛ କହୁଛି ଆଉ ଘଟଣାକୁ ଅନ୍ୟ ଆଡେ ନେବାକୁ ଉଦ୍ୟମ କରୁଛି ।"


-"ଖାଲି ସେତିକି ନୁହେଁ...ପଦିଆ ଏ କଥା ପଚାରିବାରୁ ଜର୍ଜ ତାକୁ ମାଡ଼ ବି ମାରିଛି ।" ପୁରୋହିତ କହିଲେ ।

-"ଫାଦର ଆପଣ ଏ କଥାକୁ ବିଶ୍ୱାସ କରନ୍ତୁନି । ମୁଁ କାହିଁକି ମିଛ କହିବାକୁ ଯିବି ? ଏସବୁ ସେମାନଙ୍କର ଚକ୍ରାନ୍ତ । ହିନ୍ଦୁ ମୁସଲମାନ ମିଶି ଆମକୁ ବଦନାମ କରିବାକୁ ବସିଛନ୍ତି । ଆପଣ ସେମାନଙ୍କ କଥାକୁ ଜମା ଶୁଣନ୍ତୁନି ।" ଜର୍ଜ ପୁଣି ଥରେ ଚିତ୍କାର କରି କହିଲା ।

-"ତୁମେ ଚୁପ କର ଜର୍ଜ...ଗୋଟିଏ ପରେ ଗୋଟିଏ ଭୁଲ କରି ଚାଲିଛ । ପ୍ରଥମେ ପଦିଆକୁ ମାଡ଼ ମାରିଲ, ପଞ୍ଚାୟତ ଆଗରେ ମିଛ କହିଲ ଆଉ ତା' ପରେ ତୁମେ ଗାଁର ପବିତ୍ରତାକୁ ନଷ୍ଟ କରିବାକୁ ବସିଛ ? ପରମେଶ୍ୱର ତୁମକୁ କେବେ କ୍ଷମା ଦେବେନି । ଯଦି ନିଜର ଭଲ ଚାହୁଁଛ , ତେବେ ନିଜର ଭୁଲ ସ୍ୱୀକାର କରି ପଦିଆକୁ କ୍ଷମା ମାଗ ଆଉ କ୍ଷତି ପୁରଣ ବାବଦକୁ ୫୦୦୦ ଟଙ୍କା ତାକୁ ଦିଅ... ଏଇଟା ହିଁ ପଞ୍ଚାୟତର ରାୟ .." ପାଦ୍ରୀ ଘୋଷଣା କଲେ ।


-"ମୁଁ କାହିଁକି କ୍ଷମା ମାଗିବି ? ମୁଁ ତ କିଛି ଭୁଲ କରିନି । ଫାଦର ...ଆପଣ ଜଣେ ଖ୍ରୀଷ୍ଟିୟାନ ହେଇ ମତେ ନୀଚ୍ଚା ଦେଖେଇବାକୁ ଚେଷ୍ଟା କରୁଛନ୍ତି ?" ଜର୍ଜ ଉତ୍ତର ଦେଲା ।

-"ଜର୍ଜ... ଗାଁରେ ବିଭେଦ ସୃଷ୍ଟି କରି ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରନା । ଏଥିରେ କାହାରି ମଙ୍ଗଳ ହେବନି । ଯେଉଁଥିରେ ସମସ୍ତଙ୍କର ମଙ୍ଗଳ ହେବ ସେହି କାମ କରିବା ଉଚିତ । ତେଣୁ ପଞ୍ଚାୟତର ରାୟ ମାନି ପଦିଆର କ୍ଷତି ପୂରଣ ଦେଇ ଦିଅ ।" ପୁରୋହିତ କହିଲେ ।

-"ମୁଁ ଏ ରାୟ ମାନି ପାରିବିନି ।"


ଏତିକି କହି ଜର୍ଜ ସେଠାରୁ ଉଠି ଚାଲିଗଲା । ତାର ଏ ପ୍ରକାର ବ୍ୟବହାର ଦେଖି ପଞ୍ଚାୟତ କ୍ଷୁବ୍ଧ ହେଲା । ସବୁଠାରୁ ବେଶୀ ମର୍ମାହତ ପାଦ୍ରୀ ମହାଶୟ ହେଲେ । ପ୍ରଥମ ଥର ପାଇଁ କେହି ଜଣେ ତାଙ୍କ କଥାକୁ ଅମାନ୍ୟ କରିଥିବାରୁ ସେ ଖୁବ ମ୍ରିୟମାଣ ହେଇ ପଡିଲେ । କିଛି ସମୟ ତାଙ୍କ ପାଟିରୁ କଥା ବାହାରି ନଥିଲା ।


ନିରବତାକୁ ଭଙ୍ଗ କରି ପୁରୋହିତ କହି ଉଠିଲେ-" ଏବେ କଣ ହେବ ... ସେ ତ ପଞ୍ଚାୟତକୁ ଅଵଜ୍ଞା କରି ଚାଲିଗଲା... ଏଇଟା ଠିକ ହେଲାନି । ତା' ଦେଖା ଦେଖି ଅନ୍ୟ ମାନେ ଯଦି ପଞ୍ଚାୟତକୁ ଏମିତି ଅବଜ୍ଞା କରନ୍ତି ତେବେ... ?"

-"କିଛି ହେବନି ...ସବୁ ଠିକ ହେଇଯିବ । ଜର୍ଜର ଭୁଲ ପାଇଁ ପଦିଆର କ୍ଷତି ପୁରଣ ମୁଁ ଦେବି ।" ପାଦ୍ରୀ ପ୍ରସ୍ତାବ ଦେଲେ ।

-" କିନ୍ତୁ ଆପଣ କାହିଁକି..?" ମୌଲବୀ ପ୍ରଶ୍ନ କଲେ ।

-" ପୁଅର ଭୁଲ ପାଇଁ ବାପକୁ କ୍ଷମା ମାଗିବାକୁ ପଡିଥାଏ । ଯେହେତୁ ମୁଁ ଫାଦର ତେଣୁ ଜର୍ଜର ଭୁଲ ପାଇଁ ମୁଁ କ୍ଷମା ମାଗି ନେଉଛି ଆଉ ପଦିଆର ଯାହା କ୍ଷତି ହେଇଛି ସବୁ ମୁଁ ଭରଣା କରିବି ।" ପାଦ୍ରୀ ଉତ୍ତର ଦେଲେ ।

-"ନାଇଁ ନାଇଁ ଏଇଟା ଉଚିତ ହେବନି ।" ପୁରୋହିତ କହିଲେ ।

-"ତା' ହେଲେ କଣ କରାଯିବ ଆପଣ ମାନେ କୁହନ୍ତୁ ?" ପାଦ୍ରୀ ପଚାରିଲେ ।

-" ସେ ଆମ ସମସ୍ତଙ୍କୁ ଅବମାନନା କରିଛି , ପଞ୍ଚାୟତକୁ ଫାଙ୍କି ଚାଲିଯାଇଛି । ତେଣୁ କାଲି ସକାଳେ ପଞ୍ଚଙ୍କ ଉପସ୍ଥିତିରେ ସେ ପାଳିଥିବା ସମସ୍ତ ମେଣ୍ଢାଙ୍କୁ ନିଲାମ କରାଯାଇ ପଦିଆକୁ କ୍ଷତିପୂରଣ ଦିଆଯିବ ଓ ଅବଶିଷ୍ଟ ଟଙ୍କାକୁ ଜରିମାନା ବାବଦରେ ଆଦାୟ କରାଯିବ ।" ମୌଲବୀ ରାୟ ଶୁଣାଇଲେ ।

-"କିନ୍ତୁ ଏପରି କରିବା କଣ ଠିକ ହେବ ?" ପାଦ୍ରୀ ପଚାରିଲେ ।

-"ହଁ..ହଁ....ତାହା ହିଁ ଠିକ ହେବ ।" ସମବେତ ଜନତା ଚିତ୍କାର କରି ଉଠିଲେ । ସେମାନଙ୍କ କଥାକୁ ସମ୍ମାନ ଦେଇ ପାଦ୍ରୀ କହିଲେ -" ଆପଣ ମାନେ ଯଦି କହୁଛନ୍ତି...ତାହାହିଁ ହେଉ ...।"


ପରଦିନ ସକାଳେ ପଞ୍ଚଙ୍କ ଉପସ୍ଥିତରେ ଜର୍ଜର ସମସ୍ତ ମେଣ୍ଢାଙ୍କୁ ବିକ୍ରି କରିଦିଆଗଲା । ଜର୍ଜ ଯେତେ କାକୁତି ମିନତୀ କଲେ ବି ତା' କଥା କିଛି ଶୁଣାଗଲା ନାହିଁ । ଫଳରେ ଜର୍ଜ ପ୍ରବଳ ରାଗିଗଲା ଆଉ ଚିତ୍କାର କରି କହିଲା-" ତମେ ମାନେ ମୋ ସହ ଯେଉଁ ଅନ୍ୟାୟ କଲ ମୁଁ କାହାରିକୁ ଛାଡିବିନି, ସମସ୍ତଙ୍କୁ ଗୋଟି ଗୋଟି କରି ଦେଖିନେବି ।"


ବାସ ଆଉ କଣ ଥିଲା, ଜର୍ଜର ଏଇ କଥାରେ ମତେ ମଉକା ମିଳିଗଲା । ସେହିଦିନ ରାତିରେ ମୁଁ ମୌଲବୀଙ୍କ ଘରେ ନିଆଁ ଲଗେଇ ଦେଲି । ଯାହାର ଫଳ ସ୍ୱରୂପ ମୌଲବୀ ଜିଅନ୍ତା ଜଳି ଗଲେ । ମୁସଲମାନ ସମ୍ପ୍ରଦାୟର ଲୋକମାନେ ମୌଲବୀଙ୍କ ବଞ୍ଚେଇବା ପାଇଁ ବହୁତ ଚେଷ୍ଟା କଲେ କିନ୍ତୁ ସେ ବଞ୍ଚି ନଥିଲେ । ସେମାନେ ଅନୁସନ୍ଧାନ କଲେ ନିଆଁ କିପରି ଲାଗିଲା । ମୁଁ ସେମାନଙ୍କୁ କହିଲି ଯେ ଜର୍ଜ ଏ କାଣ୍ଡ ଘଟେଇଛି, ଘଣ୍ଟାଏ ଆଗରୁ ମୁଁ ତାକୁ ଏ ଆଡୁ ଯାଉଥିବାର ଦେଖିଥିଲି । ସମସ୍ତେ ମୋ କଥାକୁ ବିଶ୍ୱାସ କରିଗଲେ କାହିଁକି ନା ଜର୍ଜର ଧମକ ପୂର୍ଣ୍ଣ କଥା ସମସ୍ତେ ଶୁଣିଥିଲେ ।


କିଛି ମୁସଲମାନ ଯୁବକ ଜର୍ଜକୁ ଉଚିତ ଶିକ୍ଷା ଦେବା ପାଇଁ ସଂଘବଦ୍ଧ ହେଇ ବାହାରି ପଡିଲେ । କିନ୍ତୁ ସେମାନଙ୍କୁ ପୁରୋହିତ ଓ ପାଦ୍ରୀ ବାଧା ଦେବାରୁ ସେମାନେ ଏମାନଙ୍କୁ ବି ଆକ୍ରମଣ କରିବାକୁ ପଛେଇ ଗଲେନି । ଫଳରେ ସେଠାରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହେଇଗଲା । କ୍ରମେ ଏଇ ସଂଘର୍ଷ ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଲା । ଯାହାର ପ୍ରଚାର ପ୍ରସାରର ନେତୃତ୍ୱ ମୁଁ ନେଇଥିଲି । ଏହା ଏତେ ଭୟଙ୍କର ହେଇଥିଲା ଯେ ଦିନେ ଭାଇ ଭାଇ ପରି ଚଳୁଥିବା ଲୋକ ପରସ୍ପରର ଜୀବନ ନେବାକୁ ବି ପଛେଇ ନଥିଲେ ।


ଗାଁରେ ଜାରି ହେଲା ରେଡ ଆଲର୍ଟ । ରିଜର୍ଭ ପୋଲିସ ଆସିଲେ । ଗାଁ ନାଁ ସାରାଦେଶରେ ଚର୍ଚ୍ଚା ହେଲା । କେନ୍ଦ୍ରୀୟ ଦଳ ଆସିଲେ । ଶାନ୍ତି କମିଟି ଗଢ଼ା ହେଲା । ଯେଉଁ କମିଟିରେ ମୁଁ ରହିଲି ମୁଖ୍ୟ । ମୋରି ପ୍ରରୋଚନରେ ସର୍ବ ଧର୍ମ ସମନ୍ଵୟର ଗାଁଟା ପାଲଟି ଗଲା କୁରୁକ୍ଷେତ୍ରର ମୈଦାନ । ଯେଉଁଠି ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଅସ୍ତ୍ର ଧରି ବାହାରିଥିଲେ ଯୁଦ୍ଧକୁ । ଧର୍ମ ନାଁରେ କରୁଥିଲେ ଯୁଦ୍ଧ । ଜଣା ନଥିଲା ଏ ଯୁଦ୍ଧର ସମାପ୍ତି କେବେ ?



Rate this content
Log in

Similar oriya story from Tragedy