ମୂଷା
ମୂଷା
କୁଟ..କୁଟ..କୁଟ.. କାଟି ଚାଲିଥିଲା ସେ । ବଡ଼ ଅଶ୍ଵସ୍ତିକର ଏ ଶବ୍ଦ । ବେଶୀ ସମୟ ବରଦାସ୍ତ କରି ପାରିଲି ନାହିଁ । ହେଲେ ଉପାୟ କିଛି ନଥିଲା । ତଥାପି ଯେମିତି ବି ହେଉ ମତେ ଏ ଶବ୍ଦ ଦାଉରୁ ରକ୍ଷା ପାଇବାକୁ ପଡିବ । ଉଠିଗଲି... ବାଡ଼ି ଦୁଆର ପାଖରେ ଡେରା ହେଇଥିବା ଠେଙ୍ଗାଟାକୁ ନେଇଆସି ଶବ୍ଦ ଆସୁଥିବା ସ୍ଥାନକୁ ଅନୁମାନ କରି ଢି଼ଅଟାଏ ଦେଲି । 'ଧଡାସ' କରି ଶବ୍ଦ ହେଲା । ବାସ ଏ ଶବ୍ଦରେ ସେ ଶବ୍ଦ କୁଆଡେ ଲୁଚିଗଲା । ରକ୍ଷା ପାଇଲା ମଣିଷ ।
ରାତି ନାହିଁ...ଦିନ ନାହିଁ ... ସବୁବେଳେ କୁଟକୁଟ, ଧଡ଼ଧାଡ । ଓହଃ.. ଏ ଘରଟା ଯେ କଣ ହେଲାଣି ? ବୋଉକୁ ଅନେକ ଥର କହିଲିଣି ... ସଙ୍ଗାରେ ଅଳିଆ ଜିନିଷ ଗୁଡାକ ରଖେନା... ହେଲେ ବୋଉ କଣ ମୋ କଥା ଶୁଣୁଛି ? କହିଲେ କହୁଛି -" ଏ ସବୁ ଜିନିଷ ସଙ୍ଗାରେ ରହିବନି ତ ଆଉ କୋଉଠି ରହିବ ?"
ବୋଉର ପ୍ରଶ୍ନରେ ମୁଁ ଏକବାର ଚୁପ । ସତକଥା... ଏ ଜିନିଷ ଗୁଡାକ ରହିବ ବା କେଉଁଠି ? ଆମ ଘରେ ଜାଗା ଟିକେ ସଟକଟିଆ । ତେଣୁ ଯାହା ବି ଜିନିଷ ହେଉ, ସେ ସବୁ ରଖିବା ପାଇଁ ସଙ୍ଗା ହିଁ ପ୍ରକୃଷ୍ଠ ସ୍ଥାନ । ସେଇଥି ପାଇଁ ତ ବୋତି ଠୁ ଆରମ୍ଭ କରି ଘଷି, ନଡା ପର୍ଯ୍ୟନ୍ତ ସବୁ ଜିନିଷ ସଙ୍ଗାରେ ଭର୍ତ୍ତି । ଆଉ ଏସବୁକୁ ନେଇ ସେ ଘଡ଼ିଛି ତାର ସାମ୍ରାଜ୍ୟର ଅଭେଦ୍ୟ ଦୁର୍ଗ ।
ଆପଣମାନେ ଭାବୁଥିବେ, ମୁଁ କାହା କଥା କହୁଛି ? ସେ ବୋଇଲେ କିଏ ? କଣ ଆଜ୍ଞା ଜାଣି ପାରୁ ନାହାନ୍ତି ? ଆପଣ ମାନଙ୍କ ସହ ବି ସେ ଖୁବ ପରିଚିତ । ହୁଏତ ଆପଣଙ୍କ ଘରେ ସେ ଆପଣଙ୍କୁ ବ୍ୟତିବ୍ୟସ୍ତ କରୁ ଥାଇପାରେ । ଆଜ୍ଞା... କଣ କହିଲେ ଏବେ ବି ବୁଝି ପାରିଲେ ନାହିଁ ? ଆଛା...ଆଛା... କହୁଛି ...କହୁଛି... ସେ ହେଲା ଗଣେଶଙ୍କ ବାହାନ ମୂଷା ।
ଏ ମୂଷାକୁ ନେଇ ଅନେକ ଲେଖକ ଅନେକ କାହାଣୀ ଲେଖିଥିବେ । ପୁରାଣରେ ବି ବର୍ଣ୍ଣିତ ଅଛି, ବିଦ୍ୟାର ଦେବତା ଗଣେଶଙ୍କ ବାହାନ ଥିଲା ଏଇ ମୂଷା । ମୁଁ ବୁଝିପାରେ ନାହିଁ , ଗଣେଶ ବିଦ୍ୟା ବୁଦ୍ଧିର ଦେବତା ହେଇ ଏ ମୂଷାଟାକୁ ତାଙ୍କର ବାହାନ କାହିଁକି କଲେ ? କଣ ତାଙ୍କୁ ଆଉ ଭଲ ଜୀବଜନ୍ତୁ କିଛି ମିଳିଲେ ନାହିଁ ? ମୁଁ ଭାବୁଛି ବୋଧହୁଏ ଗଣେଶ ଭାବିଲେ ମୂଷାଠାରୁ ଚାଲାକ ଜୀଵ ଏଇ ସଂସାରରେ ଆଉ କେହି ନାହିଁ । ସେଥିପାଇଁ ଚାଲାକ ଦେବତା ଚାଲାକ ବାହାନଟିଏ ବାଛିଲେ । ଛାଡ଼ ଏ ପୁରାଣ କଥା । ମୁଁ କିନ୍ତୁ ଏ ମୂଷାକୁ ନେଇ ବଡ଼ ବ୍ୟସ୍ତ ହେଇ ପଡ଼ିଥିଲି । ଦିନେ ସକାଳେ ଦେଖିଲି ମୋ ଷ୍ଟବିଲାଇଜର କର୍ଡକୁ ସେ କାଟି ପକେଇଛି । ଭାରି ମନ ଦୁଃଖ ହେଲା । ସେ ମୂଷାଟା ଉପରେ ରାଗ ବି ହେଲା । ହେଲେ କରେ କଣ ? ରାଗକୁ ମନରେ ରଖିଲି । ବୋଉ କହିଲା -"ବିଷ ଆଣି ଦଉନୁ... ସେ ଖାଇ ମରି ଯାଆନ୍ତା ..."
-"ନାଇଁ..ନାଇଁ... ଏବେକାର ମଡର୍ଣ୍ଣ ମୂଷା ଭାରି ଚାଳକ ... ଓଳିଆରୁ ପରା ଗଜା । ସେ ଆଉ ବିଷ ଖାଉନାହାନ୍ତି । ଶୁଙ୍ଘି ଦେଇ ପଳେଇ ଯାଉଛନ୍ତି ।"
-"କି ଯୁଗ ହେଲା ଲୋ ମା... ଜନ୍ତୁ ଜାନୁଆର ସମସ୍ତେ ଚାଲାକ ହେଲେ, ମୁଁ ଯା ଖାଲି ବୋକୀ ରହିଗଲି ..." ଗାରୁ ଗାରୁ ହେଇ ଚାଲିଗଲା ବୋଉ । ବୋଉର କଥା ଶୁଣି ମତେ ହସ ଲାଗିଲା । କିନ୍ତୁ ଏ ମୂଷାକୁ ଯେମିତି ବି ହେଉ ଜବତ କରିବାକୁ ପଡିବ । ହେଲେ କେମିତି ? ସାଙ୍ଗ କିଶୋର କହିଲା -"ବଜାରରୁ ଗୋଟିଏ ମୂଷା ଧରା ଯନ୍ତା କିଣି ଆଣେ ... ମୂଷା ସେଥିରେ ଧରା ପଡିବ ।"
ସାଙ୍ଗ କଥା ମତେ ଠିକ ଲାଗିଲା । ମୁଁ ସେହିଦିନ କେନ୍ଦ୍ରାପଡ଼ା ବଜାରକୁ ଯାଇ ମୂଷା ମରା ଯନ୍ତା ବିକ୍ରି ହେଉଥିବା ଦୋକାନରେ ପହଂଚିଲି । ଦୋକାନୀକୁ ଭଲ ମୂଷା ମରା ଯନ୍ତା ଦେବାକୁ କହିବାରୁ ସେ ଦୁଇ ତିନି ପ୍ରକାର ଯନ୍ତା ମତେ ଦେଖେଇଲା । ସେ ଯନ୍ତା ଗୁଡାକ ଭିତରୁ କେଉଁଟା ଭଲ କେଉଁଟା ଖରପ ମୋର କିଛି ଆଇଡ଼ିଆ ନଥିଲା । ମୁଁ ଟିକେ ଥତମତ ହେବାରୁ ଦୋକାନୀ ମତେ ଗୋଟାଏ ଯନ୍ତା ବାଛି ଦେଇ କହିଲା-" ଏଇଟି ନେଇ ଯାଆନ୍ତୁ ... ଆପଣଙ୍କ ପ୍ରୋବ୍ଲେମ ସଲ୍ଭ ହେଇଯିବ ।" ଅଗତ୍ୟା ଦୋକାନୀ କଥାରେ ମୁଁ ସେଇ ଯନ୍ତାଟିକୁ କିଣି ଆଣିଲି । ଆଉ ତାର ବ୍ୟବହାର ସମ୍ପର୍କିତ ସବୁ ବିଷୟ ଭଲକରି ଦୋକାନୀଠୁ ବୁଝି ଆସିଲି ।
ଘରେ ପହଞ୍ଚି ବୋଉକୁ ଡାକିଲି । ବୋଉ ଅସିଲାରୁ ମୁଁ ପଚାରିଲି -" ବୋଉ... ଆମର ଶୁଖୁଆ ଅଛି ?" ବୋଉ କହିଲା-" ଶୁଖୁଆ କଣ କରିବୁ ? ଆଜି ଗୁରୁବାରଟା ପରା ଘରେ କଣ ଆଇଁଷ ହେବ ?"
-" ଶୁଖୁଆ କଣ ମୁଁ ଖାଇବାକୁ କହୁଛି ନା କଣ ?"
-"ଆଉ...?"
-"ସେ ମୂଷାକୁ ଆଜି ପାନେ ଦେବି... ଏଇ ଦେଖ ...ବଜାରରୁ ମୂଷା ମରା ଯନ୍ତା କିଣି ଆଣିଛି । ଏଇଥିରେ ଗୋଟିଏ ଶୁଖୁଆ ରଖି ଘର କୋଣରେ ରଖିଦେଲେ ସେ ମୂଷା ନିଶ୍ଚୟ ଧରା ପଡିବ । ତୁ ଆଗ କହତ ଶୁଖୁଆ ଅଛି କି ନାହିଁ ।"
-"ହଁ ... ସେ ରୋଷେଇଘର କଣ ଶିକାଟା ଉପରେ ଯୋଉ ଠେକି ଅଛି, ତାରି ଭିତରେ ରଖିଚି ... ତୁ ଯାଇ ନେଇ ଆ । ମୁଁ ଆଜି ଆଇଁଷ ଛୁଇଁବିନି ।"
ବୋଉର କହିବା ଅନୁସାରେ ରୋଷେଇ ଘର ଭିତରୁ ଶୁଖୁଆ ନେଇ ଆସିଲି । ଶୁଖୁଆଟିକୁ ଯନ୍ତା ଭିତରେ ବାନ୍ଧି ଦେଇ ଯନ୍ତାକୁ ନେଇ ଘରର ଅନ୍ଧାରୁଆ କୋଣରେ ରଖିଦେଲି । ତା' ପରେ ନିଶ୍ଚିନ୍ତ ହେଇ ଶୋଇଗଲି । ପର ଦିନ ସକାଳେ ମୋ ନିଦ ଭାଙ୍ଗିଲା ପରେ ମୋର ସେ ଯନ୍ତା କଥା ମନେ ପଡିଲା । ମୁଁ ଅଧୁଆ ମୁହଁରେ ଧାଇଁଲି ଯନ୍ତା ପାଖକୁ । ହେଲେ ଏ କଣ ..? ମୁଣ୍ଡରେ ହାତ ଦେଇ ବସି ଗଲି । ମୁଁ ଭାବିଥିଲି କଣ ଆଉ ହେଲା କଣ ? ଯନ୍ତା ଭିତରେ ମୂଷା ନୁହେଁ ଗୋଟେ ଚୁଚୁନ୍ଦ୍ରା ପଡିଥିଲା ।
ଭାରି ରାଗ ହେଲା । ଏ ମୂଷାଟା ମୋ ନାକରେ ଦମ କରି ରଖିଲାଣି । ତାକୁ ଜବତ କରିବାର ଉପାୟ ମୋ ମୁଣ୍ଡରେ କିଛି ପଶୁ ନଥିଲା । ରାଗରେ ଯନ୍ତାଟାକୁ ବାଡ଼ିପଟ ପଥରରେ କଚି ଦେଲି । ଭାଙ୍ଗିଗଲା ଯନ୍ତା । ଯନ୍ତା ଭାଙ୍ଗି ଯିବାରୁ ସେ ଚୁଚୁନ୍ଦ୍ରା ମୁକ୍ତି ପାଇଁ ଦୌଡ଼ି ପଳାଇ ଗଲା ।
ଘରକୁ ଫେରି ମନ ଦୁଃଖରେ ବସିଲି । ହଠାତ ମୋର ଲକ୍ଷ୍ୟ ପଡିଲା ବାକ୍ସ ଉପରେ ଥିବା ମୋ ପେଣ୍ଟ ସାର୍ଟ ଉପରେ । ସେ ମୂଷା ତାରି ଉପରେ ବସି ତାକୁ କାଟୁଥିଲା । ହେ...ହେ...ପାଟି କରି ଉଠିଗଲି । ମୁଁ ଉଠିଗଲାରୁ ମୂଷା ଡେଇଁ ପଡି ଖଟ ତଳେ ଲୁଚିଗଲା । ଗଲା ... ମୋ ଫେବୋରେଟ ପେଣ୍ଟ ସାର୍ଟ ବି ଗଲା । କାଲି ବଜାରରୁ ଫେରି ସେଇ ବାକ୍ସ ଉପରେ ଭାଙ୍ଗିଭୁଙ୍ଗି ଥୋଇଦେଇଥିଲି । ମୋ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଆଜି ରେ ଏ ମୂଷାକୁ ମାରିବି ତା' ପରେ ଅନ୍ୟ କାମ ।
ଘର କୋଣରେ ଡେରା ଠେଙ୍ଗାଟିକୁ ଧରି ମୂଷା ଲୁଚିଥିବା ଜାଗାରେ ଖେଞ୍ଚା ଖେଞ୍ଚି କଲି । ମୂଷା ବାହାରି ଆସିଲା । ତାକୁ ଦେଖିବା ପରେ ମୁଁ ସେ ଠେଙ୍ଗାରେ ନିର୍ଘାତିଆ ପାହାର କଷିଦେଲି । ହେଲେ ସେ ପାହାର ଖାଇ ସାରିବା ପରେ ବି ମଲା ନାହିଁ । ବାଡ଼ି ପଟ ଦୁଆର ଦେଇ ସେ ଧାଇଁଲା ବାହାରକୁ । ମୁଁ ବି ଛାଡିବା ଲୋକ ନୁହେଁ । ଠେଙ୍ଗା ଧରି ଧାଇଁଲି ତା' ପଛରେ ।
ଆମ ବାଡି଼କୁ ଲାଗି ଗୋଚର ଜାଗାଟିଏ ଥିଲା । ଯେଉଁଠି କିଛି ଅନାବନା ଗଛର ବୁଦା ହେଇଥିଲା । ସେ ମୂଷା ଯାଇ ସେଇ ବୁଦା ଭିତରେ ପଶିଗଲା । ମୁଁ ସେଠାକୁ ଯାଇ ମୋ ଠେଙ୍ଗାରେ ପିଟି ସେ ଅନାବନା ଗଛକୁ ସଫା କରି ଦେଖିଲି ଗାତଟାଏ । ମୁଁ ନିଶ୍ଚିନ୍ତ ହେଇଗଲି ଯେ ମୂଷା ଏଇ ଗାତରେ ପଶିଛି । ଗାତର ମୁହଁକୁ ଏକ ପଥରରେ ବନ୍ଦ କରି ଫେରି ଆସିଲି ଘରକୁ ।
ମୋର ତ ନିଶା ଲାଗିଛି ଯେମିତି ବି ହେଉ ସେ ମୂଷାକୁ ମାରିବି । ଘରୁ ଏକ ଶାବଳ ଆଉ ଏକ କୋଦାଳ ଧରି ପୂର୍ବୋକ୍ତ ଜାଗାରେ ପହଞ୍ଚିଲି । ଗାତ ମୁହଁରୁ ପଥର ହଟେଇ ସେ ଜାଗାକୁ ତାଡ଼ିବାକୁ ଲାଗିଲି । ଅନେକ ତାଡିବା ପରେ ମୋ ଶାବଳରେ କିଛି ଜିନିଷ ବାଜିବା ପରି ଲାଗିଲା । ମୁଁ କୋଦାଳରେ ମାଟି ଆଡେଇ ଦେଖେ ତ ଗୋଟେ ପିତ୍ତଳର ଗରା। ତାକୁ ଉପରକୁ ଆଣି ଗୋଟେ ପଟେ ରଖିଦେଲି । ଗରାଟି ହଟିବା ପରେ ସେ ମୂଷା କୋଉଠି ଥିଲା ବାହାରି ଆସିଲା । ମତେ ଦେଖି ଚାଲି ଯିବାକୁ ଚେଷ୍ଟା କଲା ବେଳେ ମୁଁ ଶାବଳରେ ଦେଲି ଆଉ ଏକ ପାହାର । ଖେଳ ଖତମ... ମୂଷାର ଅନ୍ତ ହେଇଗଲା । ଏତେବେଳେକେ ମୋ ମନକୁ ଟିକେ ଶାନ୍ତି ମିଳିଲା ।
କିଛି ସମୟ ଗଲା । ମୋ ନଜର ପଡିଲା ସେ ଗରା ଉପରେ । ତା' ମୁହଁ ବନ୍ଦ ଥିଲା । ତା' ଭିତରେ କଣ ଅଛି ଜାଣିବା ପାଇଁ ସେଇଟିକୁ ଖୋଲିଲି । ମୋ ଆଖି ଖୋସି ହେଇଗଲା । ତା' ଭିତରେ ଖାଲି ସୁନା ଗହଣା ଭରା ପଡିଥିଲା । ଏତେ ସୁନା ଦେଖି ମୋ ମୁଣ୍ଡ କିଛି ସମୟ କାମ କଲାନି । ମୋ ମନ ଟିକେ ଦୁଃଖ ହେଲା । ସେ ମୂଷା ମତେ ଧନର ଠିକଣା ବତେଇଲା ହେଲେ ମୁଁ ତାକୁ ମାରିଦେଲି ? ପର ମୁହୂର୍ତ୍ତରେ ଭାବିଲି ହଁ..ମ..ମୂଷାଟା ମରିଗଲା ତ କଣ ତାଡି ହେଇଗଲା ? ମୁଁ ତାକୁ ଯଦି ବାଡେଇ ନଥାନ୍ତି ସେ କଣ ଏଠାକୁ ଅସିଥାନ୍ତା ନା ମତେ ଧନର ସନ୍ଧାନ ମିଳିଥାନ୍ତା ? ମରିଗଲା ତ ଗଲା... ତେବେ ମୁଁ ସେ ମୂଷାକୁ ଉଚିତ ନ୍ୟାୟ ଦେବି । ତାର ଏକ ସମାଧି ପ୍ରତିଷ୍ଠା କରି ତାକୁ ପୂଜା କରିବି ।
୬ ମାସ ପରେ.... ମୋ ଚାଳ ଘର ସ୍ଥାନରେ ଠିଆ ହେଇଥିଲା ଏକ ସୁନ୍ଦର ଅଟ୍ଟାଳିକା ... ଯେଉଁଥିରେ ଲେଖା ଥିଲା 'ମୂଷିକ ଭବନ' ଆଉ ସେ ଘର ଆଗରେ ଶୋଭା ପାଉଥିଲା ମାର୍ବଲ ଖଚିତ ସୁନ୍ଦର ସମାଧିଟିଏ ।