Abhiram Mandal

Inspirational

3.2  

Abhiram Mandal

Inspirational

ଭୋଜି

ଭୋଜି

3 mins
616



ମଧୁପୁର ବୋଲି ଗାଁଟିଏ । ସେଇ ଗାଁରେ ଗୋପାଳ ଓ ହରି ନାମରେ ଦୁଇଜଣ ଲୋକ ରହୁଥିଲେ । ହରି ଲୋକ ହିସାବରେ ଭଲ ନଥିଲା । ଖୁବ ହିଂସାଳିଆ ପ୍ରକୃତି ତାର । ସେ ସବୁବେଳେ ଅନ୍ୟର ଅମଙ୍ଗଳ ହିଁ ଚାହିଁଥାଏ । ଗୋପାଳ କିନ୍ତୁ ଲୋକ ହିସାବରେ ଖୁବ ଭଲ । ଶାନ୍ତ,ସରଳ ଆଉ ମିଷ୍ଟଭାଷି । ଏଥିପାଇଁ ଗାଁରେ ସବୁ ଲୋକ ତାକୁ ଭଲ ପାଆନ୍ତି । କିନ୍ତୁ ହରିକୁ ଦେଖିଲେ ମୁହଁ ଆଡେଇ ଚାଲି ଯାନ୍ତି । ଗୋପାଳର ଏତାଦୃଶ ଲୋକପ୍ରିୟତା ଦେଖି ହରିର ଖୁବ ଇର୍ଷା ହେଲା ଆଉ ସେ ଗୋପାଳକୁ ଅପମାନିତ କରିବା ପାଇଁ ଏକ ଯୋଜନା କଲା ।

ଦିନେ ହରି ଏକ ଭୋଜିର ଆୟୋଜନ କରି ଗାଁର ପ୍ରତ୍ୟେକ ଲୋକଙ୍କୁ ନିମନ୍ତ୍ରଣ କଲା ଆଉ ଗୋପାଳକୁ ବି । ଭୋଜି ତ ଏକ ବାହାନା ମାତ୍ର । ତାର ମୁଖ୍ୟ ଉଦ୍ଦେଶ୍ୟ ହେଲା କେମିତି ଗାଁ ଲୋକଙ୍କ ଆଗରେ ଗୋପାଳକୁ ଅପମାନିତ କରିବ । ଭୋଜିରେ ଗାଁର ସବୁ ଲୋକ ଯୋଗ ଦେଲେ । ହରି ସମସ୍ତଙ୍କୁ ଆଦର ଅଭ୍ୟର୍ଥନା କରି ଆସନରେ ବସାଉଥାଏ । କିନ୍ତୁ ଯେତେବେଳେ ହରି ଆସିଲା ତାକୁ ଆଦର ନକରି ଏକ କୋଣରେ ବସେଇବାକୁ ତା' ହଳିଆକୁ କହିଲା । ଖାଇବା ବେଳେ ସମସ୍ତେ ପଙ୍ଗତରେ ବସିଲେ କିନ୍ତୁ ଗୋପାଳକୁ ସେ ପଙ୍ଗତରେ ନବସେଇ ଅଛୁଆଁଟେ ପରି ଅନ୍ୟ ଏକ ସ୍ଥାନରେ ନେଇ ବସେଇଦେଲା । ହେଲେ ଗୋପାଳ ଏକଥା ମନରେ କିଛି ଧରିଲା ନାହିଁ । ସମସ୍ତଙ୍କ ପତ୍ରରେ ଭଲ ଭଲ ସୁସ୍ୱାଦୁ ବ୍ୟଞ୍ଜନ ବଢ଼ା ହେଲା ବେଳେ ଗୋପାଳକୁ ଏକ ପୁରୁଣା ରସ କଂସାରେ ପଖାଳ ବାଢି ଦିଆଗଲା ଆଉ ତା' ସହ ପିଆଜ ଓ ଲଙ୍କା ଲୁଣ ଦିଆଗଲା । ଏସବୁ କାମ ସେ ନିଜେ ନକରି ତା ହଳିଆ ମାଧ୍ୟମରେ କରାଉଥାଏ । ସମସ୍ତେ ଖାଇବା ଆରମ୍ଭ କଲେ ଆଉ ଗୋପାଳ ବି ପଖାଳତକ ଖାଇବାକୁ ଲାଗିଲା । ଖାଇ ସାରିବା ପରେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ ।

ଗୋପାଳକୁ ଅପମାନ ଦେଇ ହରିର ମନ ଖୁବ ଖୁସି ହେଇଗଲା । ସମସ୍ତଙ୍କ ଆଗରେ ସେ ଅପମାନ ପାଇଲା, ସେ ଆଉ କାହାକୁ ମୁହଁ ଦେଖେଇ ପାରିବ ନାହିଁ । ଏଇପରି ମନରେ ଭାବୁଥିବା ବେଳେ ଗୋପାଳ ତା ଆଡେ ଆସୁଥିବାର ସେ ଲକ୍ଷ୍ୟ କଲା ଆଉ ମନେ ମନେ ଟିକେ ଶଙ୍କି ଗଲା । ଭାବିବାକୁ ଲାଗିଲା ସେ କାହିଁକି ତା ପାଖକୁ ଆସୁଛି । ଗୋପାଳ ହରି ପାଖରେ ପହଞ୍ଚି କହିଲା-"ଭାଇ କାଲିର ଭୋଜିକୁ ମୁଁ କେବେ ଭୁଲି ପାରିବି ନାହିଁ । ମୋର ଗୋଟେ ନୀତି ହେଲା ମୁଁ କାହାରି ଉଧାରୀ ରଖେ ନାହିଁ । ତେଣୁ ଆସନ୍ତା କାଲି ମୁଁ ବି ଏକ ଭୋଜିର ଆୟୋଜନ କରିଛି । ଆଉ ତୁମକୁ ନିମନ୍ତ୍ରଣ ରହିଲା ମୋ ଘରକୁ ନିଶ୍ଚୟ ଆସିବ ।" ନିମନ୍ତ୍ରଣ ଦେଇ ଗୋପାଳ ଚାଲିଯିବା ପରେ ହରି ଭାବିଲା କି ଗୋପାଳ ବୋଧେ ତାକୁ ଅପମାନ ଦେବା ପାଇଁ ଏ ଭୋଜିର ଆୟୋଜନ କରିଛି । ସେ ତ କହିକି ଗଲା କି ସେ କାହାରି ଉଧାରୀ ବାକି ରଖେନା ...ତେବେ ସେ ଗତକାଲି ତାକୁ ଯେଉଁ ଅପମାନ ଦେଇଥିଲା, ସେ ବୋଧେ ତାର ପ୍ରତିଶୋଧ ନେବ । ଏଇପରି ସେ ମନରେ ବିଚାର କରି ସେ ସ୍ଥିର କଲା କି ସେ ଗୋପାଳ ଘରକୁ ଯିବ ନାହିଁ ।

ପରଦିନ ଗୋପାଳର ଭୋଜି ଖାଇବା ପାଇଁ ଗାଁର ସବୁ ଲୋକ ଏକତ୍ରିତ ହେଲେ । କିନ୍ତୁ ଏକମାତ୍ର ହରିର ସେଠାରେ ଦେଖା ନଥିଲା । ହରିକୁ ନଦେଖି ଗୋପାଳ ତା ଘର ଆଡେ ଗଲା ଆଉ ତା ହାତ ଧରି ତାକୁ ନିଜ ଘରକୁ ନେଇ ଆସିଲା । ଭୋଜି ସ୍ଥାନରେ ହରିକୁ ଏକ ସ୍ୱତନ୍ତ୍ର ଆସନରେ ବସାଇଲା । ଯେତେବେଲେକି ଗାଁର ଅନ୍ୟମାନେ ତଳେ ପଡିଥିବା ବିଛଣାରେ ବସିଥିଲେ । ହରି ଭାବିଲା ଗୋପାଳ ବି ତାକୁ ନିକୃଷ୍ଟ ଧରଣର ଖାଦ୍ୟ ଖୁଆଇବ, ହେଲେ ତା ଭାବନାର ବିପରୀତ ଅନ୍ୟ ମାନଙ୍କ ଅପେକ୍ଷା ତା ପତ୍ର ରେ ଅତ୍ୟନ୍ତ ସୁସ୍ୱାଦୁଯୁକ୍ତ ଖାଦ୍ୟ ପରଷା ଗଲା । ହରି ମନେ ମନେ ଖୁବ ଲଜ୍ଜିତ ହେଲା । ସମସ୍ତେ ଖାଇ ସାରି ନିଜ ଘରକୁ ଫେରିଗଲେ । କିନ୍ତୁ ହରି ସେଇଠାରେ ବସି ରହିଲା । ଗୋପାଳ ତା ପାଖକୁ ଯାଇ କହିଲା-"ସମସ୍ତେ ଚାଲିଗଲେଣି... ତୁମେ କଣ ଯିବନି ? ଚାଲ ମୁଁ ତୁମକୁ ତୁମ ଘର ଯାଏ ବଳେଇ ଦେଇ ଆସିବି ।" ଗୋପାଳର ସହୃଦୟତା ଓ ବିନୟ ଭାବ ଦେଖି ହରି ତା କଲା କର୍ମ ପାଇଁ ପାଶ୍ଚତାପ କଲା ଆଉ ଗୋପାଳକୁ କ୍ଷମା ମାଗିଲା । ଏହାପରେ ହରିର ସ୍ଵଭାଵ ବଦଳିଗଲା ଆଉ ସେ ବି ଜଣେ ଭଲ ଲୋକ ଭାବେ ଗାଁରେ ମାନ୍ୟତା ପାଇଲା ।


Rate this content
Log in

Similar oriya story from Inspirational