Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Abhiram Mandal

Children Stories

4.5  

Abhiram Mandal

Children Stories

ବିଲୁଆ ନନାଙ୍କ ବାହାଘର ନିଶା

ବିଲୁଆ ନନାଙ୍କ ବାହାଘର ନିଶା

5 mins
262


ସେଦିନ ବଣ ମୂଳକରେ ଚହଳ ପଡିଗଲା । କଣ ପାଇଁ ଚହଳ ପଡିଲା ? କେମିତି ଚହଳ ପଡିଲା ? ଆଉ କିଏ ଚହଳ ପକେଇଲା ? ଏ କଥା ଜାଣିବା ପାଇଁ ଆପଣମାନଙ୍କର ଇଛା ହେଉଥିବ ନା ? ହେଲେ କଥାଟା ଟିକେ ଗୋଳମାଳିଆ । କହିବାକୁ ଟିକେ ଡର ବି ଲାଗୁଛି । କାହିଁକି ନା ବିଲୁଆ ନନାଙ୍କ କଡା ହୁକୁମ ... ଏ କଥା ଯେମିତି କାନକୁ ଦି କାନ ନ ହୁଏ । ବିଲୁଆ ନନା.... ଏତେବଡ଼ ପଦବୀ ତାଙ୍କର ... ଏତେ ଖାତିର ତାଙ୍କର ... ମୁଁ କେମିତି ତାଙ୍କ କଥାକୁ ଅଵଜ୍ଞା କରିବି ? ସେ ହେଉଛନ୍ତି ମହାପ୍ରତାପୀ ସିଂହରାଜାଙ୍କର ମହାମନ୍ତ୍ରୀ । ମୁଁ ଯେବେ କଥାଟି ଏଠି ଖୋଲିଦିଏ ତେବେ ମୋ ଛୁଆ ପିଲା ଅକାଳରେ ଭାସିଯିବେ । କାହିଁକି ନା ସେ ମତେ ଚାକିରୀ ଦେଇଛନ୍ତି । ଆଉ ଟିକେ ଗଡ଼ବଡ଼ ହେଲେ ଲାତ ମାରି ବିଦା କରିଦେବେ ।


ଆଁ ... କଣ କହିଲେ...? ମୁଁ କିଏ ? ଏ ଯାଏ ଚିହ୍ନି ପାରିଲେନି ? ଆଜ୍ଞା... ମୁଁ ହେଲି ବାନ୍ଦର ମର୍ଦ୍ଦରାଜ । ସ୍ୱୟଂ ମହାମନ୍ତ୍ରୀଙ୍କ ଅଙ୍ଗରକ୍ଷୀ । ମୋର ବି ଖାତିର କମ ନୁହେଁ । ମହାମନ୍ତ୍ରୀଙ୍କ ଅଙ୍ଗରକ୍ଷୀ ହେଇ ଥିବାରୁ ସବୁଠି କି ମୋର ଅବାଧ ପ୍ରବେଶ । ଛାଡ଼ ସେକଥା ... ଏବେ ଅସଲ କଥା ଆଲୋଚନା କରିବା ... ବଣ ମୂଳକରେ ଯେଉଁ ଚହଳ ପଡିଛି , ସେ କଥା ମୁଁ କହିବି ଯେ ହେଲେ ଆପଣ ବିଦ୍ୟାରାଣ ପକେଇ କୁହନ୍ତୁ ଏ କଥା କାହାରିକୁ କହିବେ ନାହିଁ । ଆଁ...ସତ କହୁଛନ୍ତି ...? ତେବେ ଶୁଣନ୍ତୁ ... ସମସ୍ତେ ଜାଣନ୍ତି ଆମ ମହାମନ୍ତ୍ରୀ ଶ୍ରୀଯୁକ୍ତ ଶୃଗାଳ ପାଟଜୋଷୀ ମାନେ ବିଲୁଆ ନନା ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଛନ୍ତି । ଜୀବନରେ ସେ କେବେ ବିବାହ କରିବେ ନାହିଁ ବୋଲି ଈଶ୍ୱରଙ୍କ ନାମରେ ଶପଥ କରିଛନ୍ତି । ସେ ଶପଥ ଭିଷ୍ମଙ୍କ ପ୍ରତିଜ୍ଞା ପରି ଅଟଳ । ହେଲେ ସେଦିନ କଣ ହେଲା କେଜାଣି ଯେଉଁଦିନ ସେ ନିଜର ଶପଥ ଭୁଲି ବାହା ହେବାକୁ ମନ କଲେ ।


ସେଦିନ ଥାଏ ଠେକୁଆ ଭାଇର ବାହାଘର । ତେଣୁ ସେ ଗୋଟେ ନିମନ୍ତ୍ରଣ କାର୍ଡ ଆଣି ବିଲୁଆ ନନାଙ୍କୁ ଦେଇଗଲା । ଆଜ୍ଞା..ଆପଣ ତ ଜାଣିଛନ୍ତି ମୁଁ ହେଲି ବିଲୁଆନନଙ୍କ ବିଶ୍ଵସ୍ଥ ଅଙ୍ଗରକ୍ଷୀ । ତେଣୁ ବାହାଘର ଦିନ ବିଲୁଆନନା ମତେ ନେଇ ନିମନ୍ତ୍ରଣ ରକ୍ଷା କରିବାକୁ ବାହାରିଲେ ଠେକୁଆ ଭାଇ ଘରକୁ । ଠେକୁଆ ଭାଇ ଆମର ଖୁବ ଚର୍ଚ୍ଚା କଲା । ଖିଆ ପିଆ ସାରି ଆମେ ଗଲୁ ଠେକୁଆ ଭାଇର କନ୍ୟାଟିକୁ ଦେଖିବା ପାଇଁ । ହେଲେ କଣ କହିବି ... ଆପଣ ମାନଙ୍କୁ ମିଛ ମତେ ସତ ... ବିଲୁଆ ନନା ଯେମିତି କନ୍ୟାଟିକୁ ଦେଖିଛନ୍ତି ... ସେମିତି ବାହାହେବାକୁ ମନ ବଳେଇଲେ । ମୁଁ ତାଙ୍କୁ ବହୁତ ବୁଝେଇଲି ... କହିଲି-"ଆପଣ ପରା ବ୍ରହ୍ମଚର୍ଯ୍ୟ ପାଳନ କରିଛନ୍ତି ...?



-"କ୍ୟା ହୁଆ...ତୁମ୍ଭାରା ସାହସ କମ ନାହିଁ ...? ମେରା ନୌକର ହେଇ ମତେ ଜବାବ ଦେଉଛି ...?"

ବିଲୁଆ ନନାଙ୍କ ମୁହଁରୁ ଏଭଳି ଖଣ୍ଡି ହିନ୍ଦୀ ଶୁଣି ମୁଁ ତ ଏକବାର ଛାନିଆ ..। ହଁ ... ସେ ହିନ୍ଦୀ କହିବେନି କିପରି ? ସେ କଣ ଯାହିତାହି ଜନ୍ତୁ ହେଇଛନ୍ତି ? ସ୍ୱୟଂ ସିଂହ ମହାରାଜଙ୍କ ମହାମନ୍ତ୍ରୀ ଟି ? ହିନ୍ଦୀ କଣ ଦରକାର ପଡିଲେ ଉର୍ଦ୍ଦୁ , ପାର୍ସି , ଇଂରାଜୀ ଆଉ କଣ ନାଇଁ କଣ ଭାଷା କହିଯିବେ ପରା ? ହେଲେ ଓଡ଼ିଆ କହିବେନି । ତାଙ୍କର ପୁଣି ସମ୍ମାନ ଅଛି ତି ? ସେ କଣ ତମ ଆମ ଭଳି ମଳି ମୁଣ୍ଡିଆ ?


ତେବେ ସେ ଯାହା ହେଉ ବିଲୁଆ ନନାଙ୍କୁ ବାହାଘର ନିଶା ପ୍ରବଳ ହେଲା । ଏ କଥା କିନ୍ତୁ ମୋ ଛଡା ବଣ ମୂଳକରେ ଆଉ କେହି ଜାଣିଲେ ନାହିଁ । ହେଲେ କଣ ହେବ ...? ଖୋଜି ଖୋଜି ଦମ ଛିଡି଼ଲା ସିନା କିନ୍ତୁ କନିଆ ମିଳିଲା ନାହିଁ । ଏଣେ କନିଆ ଖୋଜୁ ଖୋଜୁ ଦରବାରରେ ହାଜିର ହେବାକୁ ଭୁଲି ଗଲେ । ଦରବାରରରେ ତାଙ୍କର ଖୋଜା ପଡିଲା, ହେଲେ କେହି ତାଙ୍କ ବିଷୟରେ ସବିଶେଷ ବିବରଣୀ ଦେଇ ପାରିଲେ ନାହିଁ । ସିଂହ ମହାରାଜ ତାଙ୍କ ସେନାପତି ବ୍ୟାଘ୍ର ଛୁଆଁଳସିଂ କୁ ଆଦେଶ ଦେଇ କହିଲେ-" ଦେଖ .. ଦେଖ... ଶ୍ରୀମାନ ଶୃଗାଳ ପାଟଜୋଷୀ ଦରବାରକୁ କେଉଁଥି ପାଇଁ ଆସୁ ନାହାନ୍ତି ? " ସେନାପତି ତୁରନ୍ତ ଖବର ନେଇ ଆସି ମହାରାଜାଙ୍କୁ ଜଣେଇଲା କି ୧୦ ଦିନ ହେବ ସେ ଘରେ ନାହାନ୍ତି... କୁଆଡେ ଯାଇଛନ୍ତି କେହି କହି ପାରୁନାହାନ୍ତି । ମହାରାଜ ଅପେକ୍ଷା କଲେ । ୨୦ ଦିନ ବିତିଗଲା । ତଥାପି ବିଲୁଆ ନନା ଦରବାରରେ ଯୋଗ ଦେଲେ ନାହିଁ । ଶେଷକୁ ମହାରାଜ ତାଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ଆଦେଶ ଦେଲେ ।


ମୁଁ ଏ କଥା ଜାଣିବା ପରେ ବଣସାରା ଖୋଜି ଖୋଜି ବିଲୁଆନନାଙ୍କୁ ଖବର ଦେଲି । ମୋ ଠାରୁ ଖବର ପାଇ ସେ ଏକ ଚାଦର ଘୋଡ଼ି ହେଇ ଦରବାରରେ ହଜାର ହେଲେ । କହିଲେ-"ମହାରାଜ ମତେ ବେମାର ହେଇଛି ... ସେଥିପାଇଁ ଘରେ ନଥିଲି । ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲି । ବାନ୍ଦରଠାରୁ ଖବର ପାଇ ତୁରନ୍ତ ଡାକ୍ତରଖାନାରୁ ଉଠି ଚାଲି ଆସିଲି ।" ବିଲୁଆନନାଙ୍କ ଅସୁବିଧା ଜାଣିବା ପରେ ସିଂହ ମହାରାଜ ତାଙ୍କୁ ୧ ମାସ ଛୁଟି ଦେଇଦେଲେ । ଛୁଟି ମିଳିବାରୁ ବିଲୁଆ ନନା ଏକଦମ ଖୁସ । କନ୍ୟା ଖୋଜିବା ପାଇଁ ମାସେ ସମୟ ମିଳିଗଲା ।


ବିଲୁଆ ନନା କନିଆ ଖୋଜୁଛି ବୋଲି ବିଲେଇ ନାନୀ ଜାଣି ପାରିଲା । ସେ ଭାବିଲା-" ବୁଢା ହେଇ ମୁଣ୍ଡରୁ ଛପର ଉଡ଼ିଲାଣି... ତାକୁ ପୁଣି ବାହା ଘର ନିଶା ଧରିଛି ... ପାନେ ଚଖେଇବାକୁ ପଡିବ ।" ଏଇ କଥା ଭାବି ସେ ବିଲୁଆ ନନା ପାଖକୁ ଖବର ପଠେଇଲା କି ତାର ଏକ ସାନ ଭଉଣୀ ଅଛି । ତାକୁ ବାହା ହୁଅନ୍ତୁ । ବିଲୁଆ ନନା ଖୁସି ହେଇ ବିଲେଇ ନାନୀ ଘରକୁ ଯାଇ କନିଆ ଦେଖିଲା ଆଉ ଯୌତୁକ ପତ୍ର ଫାଇନାଲ କରି ତିଥିବାର ଠିକ କଲା ।


ବରଘର ଦେଖା, ବୋହୁ ଦେଖା, ନିର୍ବନ୍ଧ ଏସବୁ କିଛି ହେଲା ନାହିଁ । କାହିଁକି ନା ବିଲୁଆନନା ତ ଗୁପ୍ତରେ ବାହା ହେଉଛନ୍ତି ନା । ବାହାଘର ଦିନ ଆସିଲା । ସେ ଯାମାଯୋଡ ହେଇ ବାହାରି ପଡିଲେ ବାହା ହେବାକୁ । ମତେ ବି ସାଙ୍ଗରେ ନେଲେନି । ହେଲେ ମୁଁ କି ଛାଡିବା ଜନ୍ତୁ ? ଲୁଚି ଲୁଚି ପଛେ ପଛେ ଚାଲିଲି । ଏ କଥା ବଣରେ କେହି ଟେର ପାଇ ନଥାନ୍ତି । କେମିତି ବା ଜାଣିବେ ? ସମସ୍ତେ ଜାଣିଥିଲେ ବିଲୁଆ ନନା ଡାକ୍ତରଖାନାରେ ପଡିଛନ୍ତି । ହେଲେ ତାଙ୍କୁ ଯେ ବାହାଘର ରୋଗ ଧରିଛି ଏ କଥା କିଏ ବା କାହିଁକି ଭାବିବ ?


ତେଣେ ବିଲେଇ ନାନୀ ତାର ସାଥି ମାନଙ୍କୁ ଡାକି ରେଡି ହେଇ ରହିଥାଏ । ବିଲୁଆ ନନା ଘଟଣା ସ୍ଥଳରେ ପହଂଚିବା ପରେ ତାଙ୍କୁ ସେମାନେ ଘେରିଗଲେ । ଏବେ ସେ ଯାଆନ୍ତି କୁଆଡେ ? ବେକେରେ ଜୋତାମାଳ ପକେଇ ସାତ ବେଣ୍ଟିଆ କରି ମୁହଁରେ ଚୂନ କାଳି ବୋଳି ଛାଡିଦେଲେ । ଲାଜରେ ସେ ଏକ କିଆ ବୁଦା ଭିତରେ ପଶିଗଲେ ଯେ ୧୦ ଦିନ ପରେ ବାହାରିଲେ । ସେତେବେଳକୁ କିନ୍ତୁ ତାଙ୍କ ବାହାଘର ନିଶାଟା ଉତୁରି ଯାଇଥାଏ । ଆଉ ବଣ ମୂଳକରେ ଚହଳ ପଡି ଯାଇଥିଲା ଯେ ବାହା ହେବା ଚକରରେ ବିଲୁଆ ନନାଙ୍କ ମୁହଁରେ ଚୂନ କାଳି ବୋଳା ହେଲା ।


ଆଜ୍ଞା ଆପଣଙ୍କୁ କହୁ କହୁ ସବୁ କହିଦେଲି । ଏ କଥା ଆଉ କାହାରିକୁ କହିବେନି ଟି ? ବିଲୁଆ ନନାଙ୍କ ହୁକୁମ ପରା...କଥା କାନ କୁ ଦି କାନ ହେବନି ? ତେଣୁ ସବୁ କଥାକୁ ଏ କାନରେ ପୁରେଇ ସେ କାନରେ ବାହାର କରିଦେବେ । ଆପଣ ମାନଙ୍କୁ ମୋ ପିଲା ଛୁଆଙ୍କ ରାଣ .... ନହେଲେ ମୋ ଚାକିରୀ ଗୋଲ ହେଇଯିବ । ଆଜ୍ଞା... ରହୁଛି... ପୁଣି ଦେଖା ହେବ ।


Rate this content
Log in