Abhiram Mandal

Abstract

5.0  

Abhiram Mandal

Abstract

ସହଯାତ୍ରୀ

ସହଯାତ୍ରୀ

10 mins
540


ମୁଁ ଖୁବ ତର ତର ହେଇ ଷ୍ଟେସନ ଭିତରକୁ ପଶିଯାଇ ଦେଖିଲି ଟ୍ରେନ ଛାଡିବା ଛାଡିବା ହେଉଛି ମୁଁ ଧାଇଁଲି ମୋ କମ୍ପାର୍ଟମେଣ୍ଟ ଆଡେ,ଆଗ ପଛ କିଛି ନ ଦେଖି ଟ୍ରେନ ଉପରକୁ ଉଠିଗଲି ଯାହା ହେଉ ମିସ ହେଇନି, ଆଉ ଟିକେ ଡେରି ହେଇଥିଲେ ହୁଏତ ଟ୍ରେନ ଷ୍ଟେସନ ଛାଡି ଦେଇଥାନ୍ତା ଏକ ବିଶେଷ କାମରେ ମୁଁ ଦିଲ୍ଲୀ ଆସିଥିଲି, ଆଜି ଓଡିଶା ଫେରିବା କଥା ସେଥିପାଇଁ ରାଜଧାନୀ ଏକ୍ସପ୍ରେସରେ ସିଟ ରିଜର୍ଭ କରାଇଥିଲି କିନ୍ତୁ ବାଟରେ ଲେଟ ହେଇଗଲା,ତେବି ସେ ଯାହା ହେଉ ଠିକଣା ବେଳରେ ଷ୍ଟେସନ ରେ ପହଂଚି ପାରିଛି ସେଇ ବଡ କଥା ମୁଁ ମୋ ସିଟ ଆଡେ ଆଗେଇଗଲି ଜିନିଷ ପତ୍ର ରଖିଦେଇ ସିଟ ଉପରେ ବସି ପଡିଲି ଖରା ଦିନ, ରାତି ସମୟ, ଝରକା ବାଟେ ପଶି ଆସୁଥିବା ଥଣ୍ଡା ପବନ ବାଜି ମୋ ଆଖି ମୁଦି ହେଇ ଆସିଲା ବେଶୀ ସମୟ ବସି ପାରିଲି ନାହିଁ, ଶୋଈଗଲି କେତେ ସମୟ ବିତିଗଲା ମତେ ମାଲୂମ ନାହିଁ, ହଠାତ କାହାର ଚିତ୍କାର ଶୁଣି ମୋ ନିଦ ଭାଙ୍ଗିଗଲା ଆଖି ଖୋଲି ଦେଖିଲି ଏକ ଯୁବକ ମୋ ସାମ୍ନା ସିଟରେ ଥିବା ଯୁବତୀ ବେକରୁ ତା ହାର ଛିଣ୍ଡାଇ ନେଇ ଚାଲିଯିବାକୁ ଉଦ୍ୟତ ହେଉଛି ସେ ଯୁବକ ଉପରକୁ ମୁଁ ଝାମ୍ପି ପଡିଲି, ସେ ମୋ ଠୁ ଖସି ଯିବାକୁ ଉଦ୍ୟମ କଲା, ହେଲେ କମ୍ପାର୍ଟମେଣ୍ଟରେ ଥିବା ଅନ୍ୟ ଯାତ୍ରୀ ମାନେ ତାକୁ କାବୁ କରିନେଲେ ତାନେ ଉତ୍ତମ ମାଧ୍ୟମ ଦେଇ ତାକୁ ଗାର୍ଡକୁ ହସ୍ତାନ୍ତର କରିଦେଲେ ସେ ଯୁବତୀଟି ତା ହାର ଫେରି ପାଇଥିବାରୁ ମତେ ଧନ୍ୟବାଦ ଜ୍ଞାପନ କଲା ରାତିର ନିର୍ଜନତାକୁ ଭେଦ କରି ଗାଡି ଚାଲିଥାଏ ଏଇ ଘଟଣା ପରଠୁ ସେ ଝିଅଟି ଖୁବ ଭୟ ପାଇଯାଇଥିଲା ମୁଁ ତାକୁ ଆଶ୍ୱାସନା ଦେଇ ଶୋଇ ପଡ଼ିବାକୁ କହିଲି ସେ ମୋ କଥା ମାନି ଶୋଇବାକୁ ଉଦ୍ୟମ କଲା ଏଇ ସମୟରେ ମୁଁ ତାକୁ ଲ଼଼୍ରକ୍ଷ୍ୟ କଲି, ତନୁପାତେଳି ଚେହେରା, ସୁନ୍ଦର ମୁଖ ମଣ୍ଡଳ, ଲମ୍ବା କେଶ ଗୁଚ୍ଛ, କଟି ଯାଏ ଲମ୍ବିଛି ଲାଲ ଶାଢ଼ୀ ପିନ୍ଧି ପରିଟେ ଲାଗୁଥାଏ ଗୋଟିଏ ଚାଉଳରେ ଗଢା ଉପମା ଦିଆ ହେଲା ଭଳି ଝିଅଟିଏ ପ୍ରଥମ ଦେଖାରେ ମତେ ସେ ଖୁବ ଭଲ ଲାଗିଲା ସମ୍ଭବତଃ ସେ ଏକା ଏକା ଯାତ୍ରା କରୁଥିଲା ତା ସହ କେହି ସମ୍ପର୍କୀୟ ଥିବାର ମୁଁ ଲକ୍ଷ୍ୟ କରି ପାରିଲି ନାହିଁ ରାତି ବଢି ଚାଲିଥିଲା, ଆଉ ବେଶୀ କିଛି ନଭାବି ଚୁପ ଚାପ ମୋ ସିଟ ରେ ଶୋଇଗଲି


ତା ପରଦିନ ସକାଳେ ମୋ ନିଦ ଭାଙ୍ଗିଗଲା ମୁଁ ଉଠି ବସିଲି, ସେ ଝିଅଟିକୁ ଚାହିଁଲି, ସେତେବେଳ ଯାଏ ସେ ଶୋଇ ରହିଥାଏ ସକାଳର ସୁନେଲି କିରଣ ତା ମୁହଁ ଉପରେ ଲୁଚକାଳି ଖେଳୁଥିଲା ଗୋରା ମୁହଁ ରେ ରକ୍ତିମ ଆଭା ଖୁବ ସୁନ୍ଦର ଲାଗୁଥାଏ ଟ୍ରେନ ସେତେବେଳେ ବିହାର ରାଜ୍ୟ ଦେଇ ଗତି କରୁଥାଏ ମୁଁ ମୋ ନିତ୍ୟ କର୍ମ ସାରିବା ପାଇଁ ଲାଟ୍ରିନ ଆଡେ ଚାଲିଲି ଫେରିବା ବେଳକୁ ସେ ଯୁବତୀଟି ଉଠି ସାରିଥିଲା ମତେ ଦେଖି ତା ଓଠରେ ଏକ ହସ ର ଜୁଆର ଖେଳିଗଲା କାହିଁକି କେଜାଣି ସେ ହସ ମୋ ମନକୁ ଛୁଇଁଗଲା ପ୍ରତ୍ୟୁତ୍ତରରେ ମୁଁ ବି ଟିକେ ହସି ଦେଇ ମୋ ସିଟରେ ବସିଗଲି ତା ହାବ ଭାବରୁ ମତେ ଲାଗିଲା, ସେ ମୋ ସହ କଥା ହେବାକୁ ଇଛୁକ କିନ୍ତୁ କହିବାକୁ ସଂକୋଚ କରୁଥିଲା କେମିତି ବା କହିବ? ତା ପାଖରେ ମୁଁ ସମ୍ପୂର୍ଣ ଅପରିଚିତ ବୋଧହୁଏ ସେ ଚାହୁଁଚି ମୁଁ ପ୍ରଥମେ କଥା ହୁଏ


ବେଶ କିଛି ସମୟ ନୀରବରେ କଟିଗଲା ଏହା ଭିତରେ ସେ ତାର ନିତ୍ୟକର୍ମ ସାରି ସକାଳର ଟିଫିନ ଖାଇବା ପାଇଁ ବ୍ୟାଗରୁ ଏକ ପୁଡିଆ ବାହାର କଲା ପୁଡିଆ ଖୋଲି ଦେଖିଲା ତା ଭିତରେ କିଛି ଶୁଖିଲା ରୁଟି ଅଛି ବିରକ୍ତିରେ ସେ ପୁଣି ପୁଡିଆ ଟିକୁ ବ୍ୟାଗ ଭିତରେ ରଖିଦେଲା ବୋଧ ହୁଏ ସେ ଅଧିକା କିଛି ଆଶା କରିଥିଲା ତାର ଏ ପରିସ୍ଥିତି ଦେଖି ମୋ ବ୍ୟାଗରୁ କିଛି ଫଳ ବାହାର କରି ତା ଆଡେ ବଢ଼ାଇ ଦେଇ କହିଲି-" ମାଡାମ, ଏ କୁଛ ଫଳ ହେ, ରଖ ଲିଜିଏ" ପ୍ରଥମେ ସେ ଅମଙ୍ଗ ହେଉଥିଲା, କିନ୍ତୁ ମୁଁ ବାଧ୍ୟ କରିବାରୁ ସେତକ ସେ ରଖିଲା ତା ପରେ ଆମେ ଖାଇବାକୁ ଆରମ୍ଭ କଲୁ ମୁଁ ପଚାରିଲି-" ଆପ କାହାଁ ତକ ଯାଏଗେଁ !"

-"ଜି... ଓଡିଶା !" ତା ଉତ୍ତର ଶୁଣି ମୁଁ ଖୁସି ହେଇଗଲି ଯାହା ହେଉ ମତେ ଜଣେ ସହଯାତ୍ରୀ ମିଳିଗଲା, ଯାତ୍ରା ଟା ଆଉ କ୍ଳାନ୍ତିକର ଲାଗିବ ନାହିଁ କଥା ଆଗକୁ ବଢ଼ାଇଲି -"ଓଡିଶା ଅରେ ମେଁ ଭି ୱହିଁ ଯା ରହ ହୁଁ କ୍ୟା ଆପ ଓଡ଼ିଆ ହେ ?"

-"ଜି .....!" ଏଥର ଆହୁରି ବେଶୀ ଖୁସି ଲାଗିଲା ଖୁସି ଲାଗିବା କଥାତ, କାହିଁକି ନା ଏକ ଲମ୍ବା ଯାତ୍ରା ସମୟରେ ଯଦି ନିଜ ଅଂଚଳର କେହି ସହଯାତ୍ରୀ ମିଳିଯାଆନ୍ତି, ତା ଠୁ ଆନନ୍ଦର କଥା କିଛି ନଥାଏ ମୁଁ ଜଣେ ଓଡ଼ିଆ ବୋଲି ଜାଣି ସାରିବା ପରେ, ସେ ଖୁବ ଖୁସି ହେଇଗଲା ପୂର୍ବୋକ୍ତ ଘଟଣା ପରଠୁ ନିଜକୁ ଅସହାୟ ମନେ କରୁଥିବା ଝିଅଟିର ମନରୁ ଭୟ ଅପସରି ଯାଇଥିଲା ତା ପରେ ସେ ମୋ ସହ ଅନ୍ତରଙ୍ଗ ଆଳାପ ଆରମ୍ଭ କରିଦେଲା ଧୀରେ ଧୀରେ ଆମ ଭିତରେ ଥିବା ଅପରିଚିତର ପ୍ରାଚୀରଟା ଭୁଶୁଡିବାରେ ଲାଗିଲା !


ତା ସହ କଥା ହେଇ ଜାଣିଲି, ନାଁ ତାର ସ୍ୱପ୍ନା, ବାଲେଶ୍ୱର ଉପକଣ୍ଠରେ ଥିବା ଏକ ଗାଁ ରେ ତାର ଘର ସେ ଦିଲ୍ଲୀ ର ଏକ ପ୍ରାଇଭେଟ କମ୍ପାନୀ ରେ କାର୍ଯ୍ୟରତ ଆମେ ପରସ୍ପର ପ୍ରତି ଖୁବ ସହଜ ହେଇ ଯାଇଥିଲୁ ଏଇ କିଛି ସମୟ ଆଗରୁ ଆଦୌ ଚିହ୍ନା ପରିଚୟ ନଥିବା ବେଳେ,ଏବେ ଲାଗୁଥିଲା ଯେମିତି ଆମେ ବହୁତ ଦିନର ପୁରୁଣା ବନ୍ଧୁ


ମତେ ନିଜର ମନେ କରି ତା ଜୀବନ ବୃତ୍ତାନ୍ତ ମୋ ଆଗରେ ବର୍ଣନା କରିବାକୁ ଲାଗିଲା ପିଲାଟି ଦିନରୁ ସେ ବାପ ମା ଛେଉଣ୍ଡ, ଦାଦା ମାନେ ତା ବାପାଙ୍କର ସବୁ ସମ୍ପତ୍ତି ହଡପ କରିନେଇଥିଲେ, ତାକୁ ପାଳିବା ପୋଷିବା ବାହାନାରେ ବହୁତ ନିର୍ଯାତନା ବି ଦେଇଥିଲେ କିନ୍ତୁ ତା ମାମୁ ତାକୁ ନିଜ ପାଖକୁ ନେଇ ଯିବାରୁ ସେ ଉଦ୍ଧାର ପାଇ ପାରିଥିଲା ସେ ତାକୁ ନିଜ ଝିଅ ଭଳି ପାଳିଥିଲେ ଯଦିଓ ମାମୁଙ୍କର ସେତେଟା ସମ୍ପତ୍ତି ବାଡ଼ି ନଥିଲା, ତଥାପି ତାର ଶିକ୍ଷା ଦୀକ୍ଷାରେ କୌଣସି କମି ହେବାକୁ ଦେଇ ନଥିଲେ ସେ ଗୋଟିଏ ପରେ ଗୋଟିଏ କ୍ଲାସ ଅତିକ୍ରମ କରି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ଶେଷ କରିଥିଲା ତାକୁ ଯୋଗ୍ୟ କରିବା ପାଇଁ ମାମୁ ତାଙ୍କର ସମ୍ପତ୍ତି ବିକି ଦେଇଥିଲେ ବି ତାଙ୍କର ସେଥିରେ ଅନୁଶୋଚନା ନଥିଲା ! ଏଥିପାଇଁ ସେ ମାମୁଙ୍କ ପାଖରେ ଚିର ଋଣୀ ପାଠ ପଢା ସାରିବା ପରେ ଯେତେବେଳେ ସେ ମାମୁଙ୍କୁ ସାହାଯ୍ୟ କରିବା ପାଇଁ ଚାକିରୀ ଖୋଜିଲା, ସେତେବେଳେ ମାମୁ ତାକୁ ମନା କରିଥିଲେ କିନ୍ତୁ ଶେଷକୁ ସେ ମାମୁଙ୍କୁ ରାଜି କରାଇ ଦିଲ୍ଲୀ ର ଏକ ପ୍ରାଇଭେଟ କମ୍ପାନୀ ରେ ଯୋଗ ଦେଇଥିଲା ! ୫ ବର୍ଷ ବିତିଗଲାଣି ତାର ଚାକିରୀକୁ ! ମାମୁଙ୍କୁ କିଛିଟା ସାହାଯ୍ୟ କରି ପାରି ଥିବାରୁ ସେ ବି ଖୁସି ଥିଲା ! ଏବେ କିନ୍ତୁ ସେ ଚାକିରୀ ଛାଡି ଚାଲି ଆସିଛି, କାହିଁକି ନା ତା ମାମୁ ତାର ବାହାଘର ଠିକ କରି ସାରିଛନ୍ତି ଆଉ ସେ ବାହା ହେବା ପାଇଁ ହିଁ ଗାଁ କୁ ଯାଉଛି

-" ତା ମାନେ ଆପଣ କଣ ଏ ବାହାଘରରେ ପୁରା ସମ୍ମତ ?" ମୁଁ ପଚାରିଦେଲି !

-"ହଁ !" ଛୋଟିଆ ଉତ୍ତରଟେ ଦେଲା ସେ !

-"ହେଲେ ବାହାଘର ପାଇଁ ଚାକିରୀ ଛାଡିଦେବାଟା ଆପଣଙ୍କ ପକ୍ଷେ ଉଚିତ ହେଇନି ଆପଣଙ୍କ ବାହାଘର ପରେ ମାମୁଙ୍କ ଅବସ୍ଥା କଣ ହେବ, କେବେ ଚିନ୍ତା କରିଛନ୍ତି ?"

-"ସବୁ ଆଡୁ ଚିନ୍ତା କରି ସାରିବା ପରେ ହିଁ ମୁଁ ଏ ବାହାଘରରେ ସମ୍ମତି ପ୍ରଦାନ କରିଛି ଯାହାଙ୍କୁ ମୁଁ ବାହା ହେବି, ସେ ମୋ ମାମୁଙ୍କ ପ୍ରତିପୋଷଣର ଦାୟିତ୍ୱ ସାରା ଜୀବନ ବହନ କରିବା ପାଇଁ ପ୍ରତିଶୃତି ବଦ୍ଧ ମୋର ଆଉ କଣ ଆବଶ୍ୟକ? ମୁଁ ଚାହେଁ ମୋ ମାମୁଙ୍କର ଖୁସି ମୁଁ ବାହାହେବା ଦ୍ୱାରା ଯେତେବେଳେ ଏସବୁ ହେଇ ଯାଉଛି, ତେବେ ମୋର ମନା କରିବାର କିଛି କାରଣ ହିଁ ନାହିଁ !"

-" ହେଲେ ଆପଣଙ୍କ ପରି ଜଣେ ଉଚ୍ଚ ଶିକ୍ଷିତା ଝିଅ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ରହିବାଟା କଣ ଉଚିତ ହେବ?" ମୁଁ ଯୁକ୍ତି କଲି !

-" ଉଚ୍ଚ ଶିକ୍ଷିତା ଝିଅ ଯେ ଖାଲି ଚାକିରୀ କରିବ, ଏମିତି ତ କିଛି ମାନେ ନାହିଁ ! ବରଂ ଜଣେ ଉଚ୍ଚ ଶିକ୍ଷିତା ନାରୀ ନିଜ ପରିବାର ସୁଚାରୁ ରୂପେ ଚଳାଇ ନେଇ ପାରିବ, ଏ ଗ୍ୟାରେଣ୍ଟି ମୁଁ ଦେଇପାରେ !" ତା ଯୁକ୍ତିରେ ମୁଁ ହାରିଗଲି, କଥା ବଦଳାଇବାକୁ ଯାଇ ପଚାରିଲି-

"ଛାଡ଼ନ୍ତୁ ସେ କଥା, ଆପଣ ଯେତେବେଳେ ଡିସିସନ ନେଇ ସାରିଛନ୍ତି, ସେତେବେଳେ ମୁଁ କହିବାକୁ କିଏ ? ବରଂ ଆପଣଙ୍କ ସେ ମନର ମଣିଷ ବିଷୟରେ କିଛି କୁହନ୍ତୁ !"

-" ତାଙ୍କ ଘର ଆମ ଗାଁ ପାଖରେ, ନିଜର ବ୍ୟବସାୟ ଅଛି !ତାଙ୍କୁ ଛାଡିଦେଲେ ତାଙ୍କ ପରିବାରରେ ଆଉ କେହି ନାହାନ୍ତି ବୁଢ଼ୀ ମା ଟା ଥିଲା ଯେ ୨ ବର୍ଷ ତଳୁ ମରି ଯାଇଛି ତେବେ ତାଙ୍କ ବୟସ ଟା ଟିକେ ଅଧିକ ହେବ, ପାଖାପାଖି ୪୫ ଆଉ ଏଇଟା ତାଙ୍କର ୨ୟ ବିବାହ !"


ଅବାକ ହେଇଗଲି ମୁଁ ଏତେ ସୁନ୍ଦର ଉଚ୍ଚ ଶିକ୍ଷିତା ଝିଅ ଜଣେ ଦୋବେଇ ବରକୁ ବାହାହେବ ଏ କଥା ମୋର ବିଶ୍ୱାସ ହେଉ ନଥିଲା !

-" ତା ମାନେ ଆପଣ ଦୋବେଇ ବରକୁ ବାହା ହେବେ ନା ନା ଆପଣ ମୋ ସହ ଜୋକ କରୁଛନ୍ତି !"

-"ଜୋକ କାହିଁକି କରିବି? ଏଇଟା ହିଁ ସତ !"

-" ତା ମାନେ ଆପଣ ସେ ଦରବୁଢ଼ା ଦୋବେଇ ବରକୁ ଜାଣିଶୁଣି ବାହା ହେବେ? ଆଉ ତମ ମାମୁ... ସେ କେମିତିଆ ମଣିଷ ଯେ,ଜାଣିଶୁଣି ଆପଣଙ୍କୁ ତା ସହ ଛନ୍ଦି ଦେଉଛନ୍ତି? ଆପଣଙ୍କୁ କଣ ପାତ୍ର ଅଭାବ ଯେ ଏପରି ବରକୁ ବାହା ହେବା ପାଇଁ ଆପଣ ଚାକିରୀ ବାକିରି ଛାଡି ତା ପାଖକୁ ଧାଇଁଛନ୍ତି ?"

-" ଏଥିରେ ମାମୁଙ୍କର କିଛି ଦୋଷ ନାହିଁ ପ୍ରସ୍ତାବ ପଡିଲା ପରେ ସେ ମୋ ମତାମତ ଚାହିଁଥିଲେ ସବୁ ବୁଝି ସୁଝି ମୁଁ ଏ ପ୍ରସ୍ତାବରେ ରାଜି ହେଇଛି !"

-" କିନ୍ତୁ କାହିଁକି? ନିଜ ଜୀବନକୁ ବରବାଦ କରି ଆପଣ କି ଲାଭ ପାଇବେ?"

-"ମୋ ପାଖରେ ମୋ ଜୀବନର ମୂଲ୍ୟ କିଛି ନାହିଁ । ଏ ଜୀବନଟା ତ ମୋ ମାମୁଙ୍କର ଦାନ । ତାଙ୍କ ପାଇଁ ମୁଁ ସବୁ କିଛି କରିପାରେ ।"

-"ମୁଁ ବୁଝି ପାରୁନି ଆପଣ ବାହା ହେଲେ ମାମୁଙ୍କର କି ଲାଭ ହେବ ?"

-"ମୋ ମାମୁ ମୋ ବାହାଘର ପାଇଁ ସବୁବେଳେ ଚିନ୍ତିତ ଥିଲେ । କିନ୍ତୁ ମୋର ଗୋଟିଏ ସର୍ତ୍ତ ଥିଲା, ଯିଏ ମୋ ମାମୁଙ୍କର ଭରଣ ପୋଷଣ ଦାୟିତ୍ୱ ସାରା ଜୀବନ ପାଇଁ ବହନ କରିବ ମୁଁ ତାଙ୍କୁ ହିଁ ବାହା ହେବି । ଅନେକ ପ୍ରସ୍ତାବ ଆସିଛି, କିନ୍ତୁ ମୋ ପ୍ରସ୍ତବରେ କେହି ରାଜି ହେଇନାହାନ୍ତି । ତେଣୁ ଯେତେବେଳେ ସେ ଲୋକ ମୋ ପ୍ରସ୍ତାବରେ ରାଜି ହେବାର ମୁଁ ଜାଣିଲି ମୋର ମନା କରିବାର କିଛି କାରଣ ନଥିଲା । "

-"କିନ୍ତୁ ମୁଁ ଏମିତି ହେବାକୁ ଦେବିନି। ଆପଣଙ୍କ ପରି ଯେଣେ ସୁଶ୍ରୀ, ଉଚ୍ଚ ଶିକ୍ଷିତା ଝିଅର ଜୀବନ ମୁଁ ଏଇଭଳି ନଷ୍ଟ ହେବାକୁ ଦେବିନି।" ଅତ୍ୟନ୍ତ ଭାବବିହ୍ୱଳ ହେଇ ତାକୁ କହିଲି । କିନ୍ତୁ ସେ ଏକ ଦୀର୍ଘ ଶ୍ୱାସ ଛାଡି କହିଲା -" ଆପଣ ବା ଆଉ କଣ କରି ପାରିବେ ।"

-" ବହୁତ କିଛି କରି ପାରିବି । ମୁଁ ଆପଣଙ୍କୁ ଏଥିରୁ ମୁକ୍ତି ଦେଇ ପାରିବି । ମୁଁ ଆପଣଙ୍କୁ ବିବାହ କରିବି । ଆପଣଙ୍କ ସବୁ ସର୍ତ୍ତ ମୁଁ ପୂରଣ କରିବି । ଯଦି କହିବେ ମୁଁ ଆପଣଙ୍କ ସଂଗେ ଆପଣଙ୍କ ମାମୁଙ୍କୁ ଦେଖା କରିବାକୁ ଯାଇପାରେ ।"


ଏପରି ଅପ୍ରତ୍ୟାଶିତ ପ୍ରସ୍ତାବରେ ସେ ହଠାତ ନିରୁତ୍ତର ହେଇଗଲା ।

-"ଏମିତି ଚୁପ ହେଇଗଲେ ଯେ, ମୁଁ କଣ ଆପଣଙ୍କର ପସନ୍ଦ ନୁହେଁ ?"

-" ନା ସେ କଥା ନୁହେଁ, ଆପଣଙ୍କ ପରି ଜଣେ ସୁପୁରୁଷଙ୍କୁ ଜୀବନସାଥୀ ରୂପେ ପାଇଲେ ଯେ କୌଣସି ଝିଅ ନିଜକୁ ଭାଗ୍ୟବତୀ ମନେ କରିବା । ତେବେ....।"

-"ତେବେ କଣ?"

-"ଏବେ ଏଇଟା ଆଉ ସମ୍ଭବ ନୁହେଁ । ବାହାଘରର ସବୁ ପ୍ରଥା ପୂରଣ ହେଇ ସାରିଥିବ । ମୁଁ ପହଁଚିଲେ ବାହାଘର ହେବ । ଏ ସମୟରେ ଯଦି ବାହାଘର ଭାଙ୍ଗି ଯାଏ, ତେବେ ମୋ ମାମୁଙ୍କ ଇଜ୍ଜତ ରହିବ ନାହିଁ ।ଆଉ ମୁଁ କୌଣସିମତେ ମାମୁଙ୍କର ବେଜ୍ଜିତ ସହିପାରିବିନି।"


ଟ୍ରେନ ବାଲେଶ୍ୱର ଷ୍ଟେସନରେ ଅଟକିଲା । ସେ ଝରକା ବାଟେ ବାହାରକୁ ଚାହିଁଲା । ଭିଡ଼ ଭିତରେ ସେ ତା ମାମୁ ମାଇଁଙ୍କୁ ଦେଖି ଖୁସି ହେଇ ହାତ ଠାରି ମତେ ଚିହ୍ନ।ଇ ଦେଲା । ତା ପରେ ଓହ୍ଲାଇବା ପାଇଁ ଜିନିଷ ପତ୍ର ସଜାଡିବାରେ ଲାଗିଗଲା । ହେଲେ ତା କଥା ଭାବି ମତେ ଭାରି ଦୁଃଖ ଲାଗୁଥିଲା । ସତ କହିବାକୁ ଗଲେ ଏଇ କିଛି ସମୟର ସମ୍ପର୍କ ଭିତରେ ମୁଁ ତାକୁ ମନେ ମନେ ଭଲ ପାଇ ବସିଥିଲି । ତା ହାବଭାବରୁ ମୁଁ ଅନୁମାନ କରୁଥିଲି ଯେ ତା ମନରେ ମୋ ପ୍ରତି କିଛି ଦୁର୍ବଳତା ସୃଷ୍ଟି ହେଇ ସାରିଥିଲା ।


-"ଆପଣଙ୍କ ସଂଗେ ମୋର ଏ ଯାତ୍ରା ଏକ ଅଭୁଲା ସ୍ମୃତି ହେଇ ସାରା ଜୀବନ ରହିଯିବ। ମୁଁ ଆସୁଛି ।" ଏହା କହି ସେ ଯିବାକୁ ବାହାରିଲା। ହେଲେ ମୋ ମନ ବିଦ୍ରୋହ କରି ଉଠିଲା। ମନ ଭିତରୁ କେହି ଯେମିତି କହି ଉଠିଲା, ତାକୁ ଅଟକା, ଯଦି ତାକୁ ଭଲ ପାଉଛୁ ତେବେ ତା ସହ ହେଉଥିବା ଅନ୍ୟାୟ ହେବାକୁ ଦେନା । ମୁଁ ଉଠି ପଡିଲି, ତା ହାତକୁ ଟାଣି ଧରି କହିଲି-"ସ୍ୱପ୍ନା ମୁଁ ତମ ସହ ଏ ଅନ୍ୟାୟ ହେବାକୁ ଦେବିନି ।ତମକୁ ତମର ମତ ପରିବର୍ତ୍ତନ କରିବାକୁ ହେବ ।"


ପ୍ରଥମେ ସେ ଏହାକୁ ମଜା ବୋଲି ଭାବୁଥିଲା । ହେଲେ ଯେତେବେଳେ ଟ୍ରେନ ଛାଡିବାର ଶେଷ ହ୍ୱିସିଲ ବାଜିଲା, ସେ ଖୁବ ବ୍ୟସ୍ତ ହେଇ କହିବାକୁ ଲାଗିଲା-"ବହୁତ ମଜା କରିସାରିଲେଣି, ଏଥର ମୋ ହାତ ଛାଡ଼ନ୍ତୁ, ଟ୍ରେନ ଛାଡିବା ସମୟ ହେଇଗଲା ।"

-"ଏଇଟା ମଜା ନୁହେଁ, ମୁଁ ସତ କହୁଛି, ମୁଁ ତୁମକୁ ଭଲ ପାଏ । ତୁମକୁ ବାହା ହେବାକୁ ଚାହେଁ । ତୁମକୁ କେବେବି ସେ ବୁଢା ସାଙ୍ଗରେ ବାହା ହେବାକୁ ଦେବିନି। ତୁମକୁ ମୁଁ କଟକ ନେଇଯିବି । ସେଠାରେ ଆମେ କୋର୍ଟ ମ୍ୟାରେଜ କରିନେବା,କିଛି ଅସୁବିଧା ହେବନି।ଆଉ ସୁବିଧା ଦେଖି ତୁମ ମାମୁ ମାଇଁଙ୍କୁ ଜଣାଇଦେବା । ସେ ନିଶ୍ଚୟ ଆମକୁ କ୍ଷମା କରିଦେବେ।"


ଖୁବ ଆବେଗରେ ଏସବୁ କହିଗଲି। ସ୍ତବ୍ଧ ହେଇଗଲା ସେ। ସେତେବେଳକୁ ଟ୍ରେନ ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲାଣି। ସେ ଝରକା ବାହାରକୁ ଚାହିଁ ଦେଖିଲା ତା ମାମୁ ମାଇଁ ଖୁବ ବ୍ୟସ୍ତ ହେଇ ତାକୁ ଖୋଜିବାରେ ଲାଗିଛନ୍ତି। ସେ ଅନୁନୟ ହେଲା-"ଦେଖନ୍ତୁ,ମୋ ମାମୁ ମାଇଁ ମତେ ଖୋଜୁଛନ୍ତି, ମତେ ଯିବାକୁ ଦିଅନ୍ତୁ, ପ୍ଲିଜ ।"

ମୁଁ ତାର କୌଣସି କଥା ନଶୁଣି କହିଲି-" ଏବେ ମୁଁ କିଛି ଶୁଣିବାକୁ ଚାହେଁନା। ତୁମକୁ ମୋ ସହ କଟକ ଯିବାକୁ ହେବ, ଡ୍ୟାଟ୍ସ ଫାଇନାଲ ।"


ଟ୍ରେନ ଷ୍ଟେସନ ଅତିକ୍ରମ କରିସାରିଥିଲା । କିଛି ଉପାୟ ନପାଇ ସେ ନିଜ ସିଟରେ ଗୁମ ମାରି ବସିଗଲା । ମୁହଁରୁ ତାର ହସ ଲିଭିଗଲା । ମୁଁ ତାକୁ ବୁଝାଇବାକୁ ଚେଷ୍ଟା କଲି । ହେଲେ ସେ ଆଉ ମୋ ସହ କଥା ହେଲାନି । ପରେ ସବୁ ଠିକ ହେଇଯିବ ଭାବି ମୁଁ ଆଉ ଜୋର ଦେଲିନି। କଟକରେ ପହଁଚିଲା ପରେ ଏକ ଟ୍ୟାକ୍ସି କରି ତାକୁ ମୋ ଘରକୁ ନେଇ ଆସିଲି । ଘରେ ପହଂଚି ତାକୁ ପୁଣି ବୁଝାଇବାରେ ଲାଗିଲି। ହେଲେ ସେ କୋହ ଭରା କଣ୍ଠରେ କହିବାକୁ ଲାଗିଲା-" ଚାଲିଯାଅ ମୋ ସାମ୍ନାରୁ,ତମକୁ ମୁଁ ଜଣେ ଭଲ ମଣିଷ ବୋଲି ଭାବୁଥିଲି,ହେଲେ ତମେ ଜଣେ ଲମ୍ପଟ, କାପୁରୁଷ। ନିଜର ମନୋକାମନା ପୂରଣ କରିବା ପାଇଁ ତମେ ମୋର ଅପହରଣ କରିଛ । ମୋ ସରଳତାର ସୁଯୋଗ ନେଇ ମୋ ବିଶ୍ୱାସରେ ତମେ ବିଷ ମିଶାଇଛ । ମୁଁ ଏବେ କଣ କରିବି.......ମତେ ସେମାନେ ଅପେକ୍ଷା କରି ରହିଥିବେ, ଏ ବାହାଘର ନ ହେଇ ପାରିଲେ ସମସ୍ତେ ମାମୁଙ୍କୁ ଖରାପ କରି କହିବେ। ମାମୁ ଯଦି ଅପମାନ ସହି ନପାରି ଆତ୍ମହତ୍ୟା କରି ଦିଅନ୍ତି, ହେ ଭଗବାନ...." କାନ୍ଦି ଉଠିଲା ସେ। ତାର କାନ୍ଦିବା ଦେଖି ମୋ ହୃଦୟ ବିଚଳିତ ହେଇ ଉଠିଲା । ମୋ ବିବେକ ମତେ କହିଲା-


"ଆରେ ତୁ ଏ କଣ କରୁଛୁ? ତୁ ପରା ତାକୁ ଭଲ ପାଉଛୁ,ଭଲ ପାଇବାରେ ନଥାଏ ସ୍ୱାର୍ଥ, ବରଂ ଥାଏ ତ୍ୟାଗ । ତା ଛଡା କାହାଠାରୁ ଜୋର ଜବରଦସ୍ତ ଭଲପାଇବା ଆଦାୟ କରି ହୁଏନା, ଏ କଥା କଣ ତୁ ଜାଣିନୁ।"

ମୋ ଭୁଲ ମୁଁ ବୁଝି ପାରିଥିଲି । ସ୍ୱପ୍ନାକୁ କହିଲି-" ଦେଖ ସ୍ୱପ୍ନା, ମୁଁ ଯାହା କରୁଥିଲି କେବଳ ତମର ଭଲ ପାଇଁ, କାହିଁକି ନା ମୁଁ ତୁମକୁ ଖୁବ ଭଲ ପାଏ । ହେଲେ ଯଦି ଏଥିରେ ତୁମେ ଖୁସି ନୁହଁ, ତା ହେଲେ ମୁଁ ତୁମ ମନରେ ଦୁଃଖ ଦେବିନି। ଚାଲ ମୁଁ ତୁମକୁ ଷ୍ଟେସନରେ ଛାଡ଼ିଦେବି, ଆଉ ତୁମେ ପରବର୍ତ୍ତୀ ଟ୍ରେନ ରେ ନିଜ ଘରକୁ ଫେରିଯିବ। ଘରେ ପଚାରିଲେ କହିବ ଯେ ତୁମେ ଟ୍ରେନ ରେ ଶୋଇପଡ଼ିଥିଲ, ଉଠିଲା ବେଳକୁ କଟକ ହେଇ ଯାଇଥିଲା, କଟକରୁ ଅନ୍ୟ ଟ୍ରେନ ଧରି ଫେରି ଆସିଲ ମୋ କଥା ଶୁଣି ସ୍ୱପ୍ନାର କାନ୍ଦ ବନ୍ଦ ହେଇଗଲା । ବ୍ୟର୍ଥ ମନୋରଥରେ ତାକୁ ଷ୍ଟେସନ ନେଇ ଗଲି। ଏକ ଟିକେଟ କାଟି ତାକୁ ଟ୍ରେନ ବଗିରେ ଚଢାଇଦେଲି, କିଛି ଫଳ ବି କିଣି ଦେଲି, ଏଥର ତା ମୁହଁରେ ହସ ଉକୁଟି ଉଠିଲା । ହେଲେ ମୋ ଅନ୍ତର କାନ୍ଦୁଥିଲା । ଟ୍ରେନ ଛାଡିବା ପୂର୍ବରୁ ସେ ଏକ କାଗଜରେ ନିଜ ଘର ଠିକଣା ଲେଖି ମୋ ଆଡେ ବଢ଼ାଇ ଦେଲା। ଅନୁରୋଧ କରି କହିଲା ଯେମିତି ମୁଁ ତା ବାହାଘରରେ ଯୋଗ ଦିଏ । ଟ୍ରେନ ଗଡିବାକୁ ଆରମ୍ଭ କଲା। ସେ ଗେଟ ପାଖରେ ଠିଆ ହେଇ ହାତ ହଲାଇଲା। ମୁଁ ବି ହାତ ହଲାଇ ତାକୁ ବିଦାୟ ଦେଲି। କିନ୍ତୁ ମୋ ମନରେ ଗୋଟାଏ ପ୍ରଶ୍ନ ଉଙ୍କି ମାରୁଥାଏ, ସତରେ କଣ ସ୍ୱପ୍ନା ସେ ବୁଢାଟାକୁ ବାହା ହେଇ ସୁଖୀ ହେଇ ପାରିବ? ଧୀରେ ଧୀରେ ଟ୍ରେନ ମୋ ଆଖି ଆଗରୁ ଅପସରି ଯାଉଥାଏ, ଆଉ ତା ସହିତ ମୋ ଭଲ ପାଇବା ବି ......।।"



Rate this content
Log in

Similar oriya story from Abstract