Abhiram Mandal

Tragedy Inspirational

4.8  

Abhiram Mandal

Tragedy Inspirational

କେମ୍ପା ପୁଅ

କେମ୍ପା ପୁଅ

8 mins
572


ମୋ ମୁଣ୍ଡ ଉପରେ ସାରା ଆକାଶଟା ଖଣ୍ଡ ଖଣ୍ଡ ହେଇ ଭାଙ୍ଗି ପଡିଥିଲା ଯେଉଁଦିନ ମୋ ପୁଅ ବୋହୁ ଆମକୁ ପର କରି ଚାଲିଗଲେ । ସାରା ଦୁନିଆଟା ମତେ ଅନ୍ଧାର ଦେଖା ଯାଇଥିଲା । କଣ କରିବି କିଛି ଭାବି ପାରୁ ନଥିଲି । ସେଇ ପୁଅଟାକୁ ମଣିଷ କରିବା ପାଇଁ ସାରା ଜୀବନ ମୁଁ ଉତ୍ସର୍ଗ କରି ଦେଇଥିଲି । ହେଲେ ସେ ଆଜି ଆମକୁ ଧୋକା ଦେଇଦେଲା । ଏ ପରିଣତ ବୟସରେ ମୁଁ ଆଉ କଣ କରି ପାରିବି ? ସେମାନେ ଚାଲିଯିବା ପରଠୁ ମୋ ସ୍ତ୍ରୀ ଆଖିରୁ ଲୁହ ଶୁଖୁନି । ଆଶା କରିଥିଲି ସେ ଆମ ବୁଢା ବୟସରେ ଲାଠି ହେଇ ସାହାରା ଦବ, ହେଲେ ସାହାରା ଦେବା ତ ଦୂରର କଥା ଆମ ମେରୁଦଣ୍ଡ ଭାଙ୍ଗି ଦେଲା ସେ । ଅଜାଗା ଘା'...ଦେଖି ହୁଏ ନାହିଁ କି ଦେଖେଇ ହୁଏ ନାହିଁ । ଚୋର ମା' ପରି ଘର କୋଣରେ କାନ୍ଦିବା ଛଡା ମୋର ଆଉ କିଛି ଉପାୟ ନଥିଲା ।


ଦି ପୁଅ ମୋର । ବଡ଼ ପୁଅ ଦିପୁ, ସାନ ପୁଅ ପପୁ । ସାନ ପୁଅ ଜନ୍ମରୁ ଅକର୍ମଣ୍ୟ । ତାର ହାତ ଦୁଇଟି କେମ୍ପା । କୌଣସି କାମକୁ ଯୋଗ୍ୟ ନୁହଁ । ସେଥିପାଇଁ ମୋର ସବୁ ଧ୍ୟାନ ବଡ଼ ପୁଅ ଉପରେ କେନ୍ଦ୍ରିତ କରିଥିଲି । ତାକୁ ସବୁ ସୁବିଧା ସୁଯୋଗ ଯୋଗାଇ ସେ କିପରି ମଣିଷ ହେବ ସେଇ ଚେଷ୍ଟାରେ ଲାଗିଥିଲି । ତା' ପିଛା ମୋର ଅର୍ଜିତ ସବୁ ସମ୍ପତ୍ତି ବିକ୍ରି ହେଇ ଯାଇଥିଲା । ତା' ପଢା ପାଇଁ କିଛି ଟଙ୍କା ଲୋନ ବି ଆଣିଥିଲି । ଭାବିଥିଲି ସେ ଚାକିରୀ କଲେ ସବୁ ଶୁଝିଦେବ । ହେଲେ ମୋର ସବୁ ଆଶା ପାଣି ଫୋଟକା ପରି ମିଳେଇ ଗଲା । ସେ ଚାକିରୀ କଲା, ବାହା ସାହା ହେଲା ହେଲେ ନିଜ ଦାୟିତ୍ୱରୁ ଓହରି ଗଲା ।


ଦିନେ ଆସି ମତେ କହିଲା ପପୁକୁ ଅନାଥାଶ୍ରମରେ ଛାଡ଼ିଦେବା ପାଇଁ । ମୁଁ ପଚାରିଲି-" କଣ ପାଇଁ ...?" ସେ କହିଲା-" ସେ କୌଣସି କାମକୁ ନୁହଁ ... ବୋଝ ହେଇ କାହିଁକି ଘରେ ରହିବ ? ତମେ ମାନେ ଆଜି ଅଛ ତା' ଦାୟିତ୍ୱ ନଉଛ..ତମେ ଗଲା ପରେ ତା' କଥା କିଏ ବୁଝିବ ?" ତାର ଏପରି କଥାରେ ମୁଁ ହତବାକ ହେଇଗଲି । ତଥାପି ନିଜକୁ ସମ୍ଭାଳି ନେଇ କହିଲି-" ତୁ ଏପରି କଥା କହି ପାରୁଛୁ କେମିତି ? ବାପା ଭାଇ ଥାଉ ଥାଉ ସେ ଅନାଥ ହେଇଯିବ...ଏଇଟା କଣ ତତେ ସୁନ୍ଦର ଲାଗୁଛି ? ଭଗବାନ ତାକୁ ସେପରି ଗଢ଼ିଛନ୍ତି , ତା' ବୋଲି ତାକୁ ଆମେ ରାସ୍ତା କଡ଼କୁ ଠେଲିଦେବା ?"

-"ସେ କଥା ମୁଁ କିଛି ଜାଣିନି...ସଫା ସଫା କହି ଦଉଛି ... ତମେ ତାକୁ ଅନାଥାଶ୍ରମରେ ଛାଡ ନଚେତ ମୁଁ ତୁମକୁ ଛାଡି ଚାଲିଯିଵି ..." ଦିପୁ କହିଲା ।

 ମୁଁ ତାକୁ ବୁଝେଇଲି-" ବାବାରେ ... ତୁ ବଡ଼ ...ସେ ତୋର ଛୋଟ ଭାଇଟା, ତାକୁ ତୁ ଦେଖିବୁନି ତ କିଏ ଦେଖିବ ? ତା' ପରେ ତତେ ମଣିଷ କରିବା ପାଇଁ ମୁଁ ତାକୁ ଅବହେଳା କରିଛି ... କାହିଁକି ନା ଆମ ଅନ୍ତେ ତୁ ତାର ଯତ୍ନ ନବୁ । ଆରେ ତମେ ପରା ଗୋଟିଏ ରକ୍ତ । କିଏ କଣ ନିଜ ରକ୍ତକୁ ପର କରିପାରେ ?"

-"ତା' ମାନେ ତମେ କଣ କହୁଛ..? ତମେ ମୋ କଥା ରଖିବନି ?"

-"ତୁ ବାପ ହେଇନୁ... ବାପ ହେଲେ ସନ୍ତାନ ମୋହ କଣ ଜାଣିବୁ । ପିଲାର ଯେତେ ଦୋଷ ଦୁର୍ବଳତା ଥିଲେ ବି ବାପା ମା'ଙ୍କ ପାଇଁ ସେ ଅମୁଲ୍ୟ ରତ୍ନ । ଭଗବାନ ପପୁକୁ କେମ୍ପା କରି ଜନ୍ମ ଦେଇଛନ୍ତି । ତୁ ନ ଅନେଇଲେ ନାହିଁ , ବଞ୍ଚିଥିବା ଯାଏ ଆମେ ଦୁଇଜଣ ତାର ଦେଖାଶୁଣା କରିବୁ ଆମ ଅନ୍ତେ ଯାହା ତା' ଭାଗ୍ୟରେ ଥିବ..."

-"ଠିକ ଅଛି ତମେ ତମ ପୁଅକୁ ନେଇ ରୁହ ..... ମୋ କଥା ଭୁଲି ଯାଅ ।"


ଦିପୁ ଆମକୁ ପର କରିଦେଲା । ଆମେ ବୁଢା ବୁଢ଼ୀ ଦିଟା ମଲୁ କି ଗଲୁ ସେ କିଛି ଖୋଜ ଖବର ନେଲାନି । ତାର ଏପରି ଆଚରଣରେ ମୋ ଆଖିରେ ଲୁହ ଆସିଗଲା । ମୁଁ ବିଚଳିତ ହେଇ ପଡ଼ିଲି । କଣ କରିବି କିଛି ଭାବି ପାରିଲିନି । କାହିଁକି ନା ଦିପୁ ପଇସାରେ ଘର ଚଳୁଥିଲା । ତାରି ପିଛା ତ ଜମି ବାଡ଼ି ସବୁ ବିକ୍ରି ହେଇ ସାରିଛି । ତେଣୁ ମୋର ଆଉ ଆମଦାନୀର ଉତ୍ସ କିଛି ନଥିଲା । ଘର ଚଳିବା ପାଇଁ ପରିଣତ ବୟସରେ ମୁଁ ପଦାକୁ ଗୋଡ଼ କାଢ଼ିଲି । ହେଲେ ବୁଢାଟାକୁ କିଏ ବା କାହିଁକି କାମ ଦବ । ଦିନ ସାରା ବୁଲି ବୁଲି ସନ୍ଧ୍ୟା ବେଳକୁ ଖାଲି ହାତରେ ଘରକୁ ଫେରେ । ସ୍ତ୍ରୀ ମୋର ମୋ ଶୁଖିଲା ମୁହଁ ଦେଖି ସବୁ କିଛି ବୁଝି ଯାଏ । ସେ କିଛି ନପଚାରି ଯାହା ବି ରାନ୍ଧି ବାଢି ରଖିଥାଏ ମୋ ଆଗରେ ଥୋଇ ଦିଏ । ହେଲେ ଏମିତି କେତେ ଦିନ ଚାଲିବ ? ମୋ ପାଖରେ ଥିବା ସଞ୍ଚିତ ଅର୍ଥ ବି ସରିବାକୁ ବସିଲାଣି । ଯଦି କାମ ନ ମିଳିଲା ତେବେ ଆଉ କିଛିଦିନ ପରେ ଓପାସରେ ଦିନ କାଟିବାକୁ ପଡିବ । ତା' ପରେ ପୁଣି ଦିପୁ ପାଇଁ ଯେଉଁ କରଜ ଆଣିଥିଲି ସେ ବି ବୋଝ ପରି ମୋ ମୁଣ୍ଡରେ ଲଦା ହେଇ ରହିଛି । ଅମଣିଷଟା ଚିତା କାଟି ଚାଲିଗଲା । ହଉ ଭଗବାନ ତାକୁ ଭଲରେ ରଖନ୍ତୁ ।


ଏମିତି ଦିନ ପରେ ଦିନ ଗଡି ଯାଉଥିଲା ସିନା ହେଲେ ମତେ କିଛି କାମ ମିଳୁନଥିଲା । ଦିନେ ପଡୋଶୀ ପଣ୍ଡା ବାବୁଙ୍କ ସହ କଥା ହେଲା ବେଳେ ସେ କଥା ପ୍ରସଙ୍ଗରେ ତାଙ୍କର ନାତି ପାଇଁ ଜଣେ ଟିଉସନ ଶିକ୍ଷକର ଆବଶ୍ୟକତା କଥା କହିଲେ । ହଠାତ ମୋ ସମସ୍ୟା ସମାଧାନର ବାଟ ମତେ ମିଳିଗଲା । ଭାବିଲି ମୁଁ ଯଦି କିଛି ପିଲାଙ୍କୁ ଟିଉସନ କରେ ତେବେ ମତେ ଆଉ କାମ ଖୋଜିବା ଦରକାର ପଡ଼ିବନି । ପଣ୍ଡା ବାବୁଙ୍କୁ କହିଲି ତାଙ୍କ ନାତିକୁ ମୋ ପାଖକୁ ପଠେଇବା ପାଇଁ । ମୋ କଥା ଶୁଣି ପଣ୍ଡା ବାବୁ ଖୁସି ହେଇଗଲେ । ତା' ପରେ ଆରମ୍ଭ ହେଲା ମୋର ଶିକ୍ଷକତାର ବୃତ୍ତି । ଧୀରେ ଧୀରେ ମୋ ପାଖରେ ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ।


 ଦିନକର ଘଟଣା । ମୁଁ ପିଲାଙ୍କୁ ଟିଉସନ କରୁଥାଏ । ମୋ କେମ୍ପାପୁଅ ମାନେ ପପୁ ମୋ ପାଖରେ ଆସି ବସିଲା । ତା' ମୁହଁକୁ ଚାହିଁ ଜାଣିଲି ସେ ବୋଧେ ମତେ କିଛି କହିବାକୁ ଚାହୁଁଚି । ଏଇ ପପୁ ପାଇଁ ମୋର ବହୁତ ମନ ଦୁଃଖ । କାହିଁକି ନା ଦିପୁ ଚକରରେ ମୁଁ ତା ପାଇଁ କିଛି କରି ପାରିନି । ସହଜରେ ସେ ତ ଅକର୍ମଣ୍ୟ । ଆମେ ବୁଢା ବୁଢ଼ୀ ଥିବା ଯାଏ ତାକୁ ଚଳେଇ ନବୁ ହେଲେ ଆମେ ଗଲା ପରେ ସେ କଣ କରିବ ? ଭାବିଥିଲୁ ଦିପୁଟା ମଣିଷ ହେବ ଆଉ ତା' ଭଲ ମନ୍ଦ ଵୁଝିବ.. ହେଲେ...ଛାଡ଼...। ମୁଁ ପପୁକୁ ପଚାରିଲି-" ବାବାରେ ମତେ କଣ କହିବୁ...?"

-"ହଁ..ବାପା...ମୁଁ ତମର ଦୁଃଖ ଆଉ ଦେଖି ପାରୁନି...ଭାବୁଛି ମୁଁ କିଛି ଗୋଟେ କରିବି...."

-"ତୁ କଣ କରି ପାରିବୁ...?"

-"ବାପା...ତମେ ମତେ ଲେଖିବା ପଢିବା ଶିଖେଇ ଦେବ...?"


ତା' କଥା ଶୁଣି ମୁଁ ଆଚମ୍ବିତ ହେଲି । କେମ୍ପାପୁଅ ବୋଲି ମୁଁ ତାକୁ ପଢ଼େଇ ନଥିଲି । ବୟସ ତାକୁ ୨୦ ଟପିଲାଣି । ସେ ଏ ବୟସରେ ପଢିବାକୁ ଚାହୁଁଛି । ମୁଁ ତାକୁ କହିଲି-"ବାବାରେ...ମୁଁ ଚାହିଁଲେ ତତେ ପଢିବା ଶିଖେଇ ଦେଇ ପାରିବି । ହେଲେ ତୁ ଲେଖିବୁ କେମିତି ?"

-"ବାପା...ମୋର ହାତ ଦୁଇଟା ସିନା ଅଚଳ...ହେଲେ ମୋର ଗୋଡ଼.. ସେ ତ ଠିକଠାକ କାମ କରୁଛି । ଏଇ ଗୋଡ଼ ସାହାଯ୍ୟରେ ମୁଁ ଯେତେବେଳେ ଅନ୍ୟ କାମ କରି ପାରୁଛି ତେବେ ଲେଖି ପାରିବିନି କାହିଁକି ?"

ପଢା ପ୍ରତି ତା’ ଆଗ୍ରହ ଦେଖି ମୁଁ ଅଭିଭୂତ ହେଇଗଲି । ତା’ ପରେ ସେ ଲେଖା ପଢା ଆରମ୍ଭ କଲା । ଯଦିଓ ଗୋଡ଼ରେ ଲେଖିବା ତାକୁ ପ୍ରଥମେ କଷ୍ଟକର ଲାଗୁଥିଲା କିନ୍ତୁ ସେ ହାର ମାନି ନଥିଲା । ନିଜର ପ୍ରଚଣ୍ଡ ମାନସିକ ଶକ୍ତି ତାକୁ ସବୁ କଷ୍ଟକୁ ସାମ୍ନା କରିବାକୁ ଶକ୍ତି ଯୋଗାଇଥିଲା । ଆଉ ସେ ଖୁବ କମ ଦିନ ଭିତରେ ଗୋଡ଼ ସାହାଯ୍ୟରେ ଲେଖି ପାରିଥିଲା । ତାର ସ୍ମରଣ ଶକ୍ତି ବି ଖୁବ ପ୍ରଖର । ମୁଁ ତାକୁ ଯାହା ପଢ଼ାଏ ସେ ତତକ୍ଷଣାତ ମନେ ରଖି ନିଏ । ମୁଁ ମନେ ମନେ ଲଜ୍ଜିତ ହେଉଥିଲି ଯେ ପପୁ ପରି ଏକ ମେଧାବୀ ପିଲାକୁ ପାଠ ନପଢେଇ କାହିଁକି ମୂର୍ଖ କରି ରଖିଥିଲି ? ବୋଧହୁଏ ମୁଁ ଭୁଲି ଯାଇଥିଲି ପ୍ରତ୍ୟେକ ଅକର୍ମଣ୍ୟ ବ୍ୟକ୍ତିର କିଛି ନା କିଛି ଚମତ୍କାରୀ ଗୁଣ ରହିଥାଏ । ସେଥିପାଇଁ ପପୁର ଗୁଣକୁ ଚିହ୍ନିବା ପାଇଁ ଏତେ ଡେରି ହେଇଗଲା।


 ପ୍ରାୟ ୬ ମାସର ଅକ୍ଲାନ୍ତ ପରିଶ୍ରମ ପରେ ସେ ଲେଖାପଢାରେ ପାରଙ୍ଗମ ହେଇଗଲା । ଗୋଡ଼ ସାହାଯ୍ୟରେ ସେ ଏତେ ସୁନ୍ଦର ଅକ୍ଷର ଲେଖିଲା ଯେ କେହି ବି ଭାବି ପାରିବନି ଯେ ଲେଖାଟି ଗୋଡ଼ ଦ୍ୱାରା ଲେଖା ହେଇଛି । ଖୁସି ଲାଗିଲା ମତେ । ଦିନେ ତାକୁ ପଚାରିଲି-"ବାବା...ତୁ ତ ଲେଖାପଢ଼ା ଶିଖିଗଲୁ, ଏବେ କଣ କରିବୁ ବୋଲି ଭାବୁଛୁ ?"

-"ଏ ଯାଏ ମୁଁ କିଛି ଭାବିନି...ତେବେ ମୁଁ ଖୁବ ଶୀଘ୍ର କିଛି ଗୋଟେ କରିବି ବୋଲି ଆଶା ଅଛି ।" ତା' ଉତ୍ତର ଶୁଣି ତାକୁ ନେଇ ମୋ ମନରେ ଯେଉଁ ଚିନ୍ତା ଥିଲା ତାହା କେତେକାଂଶରେ ଦୂର ହେଇଗଲା। ଏଇ ଲେଖା ପଢା ହୁଏତ ତାକୁ କୌଣସି ପରିଚିତି ଆଣି ଦେଇପାରେ ।


ମୋ ଅନୁମାନ ସତ୍ୟରେ ପରିଣତ ହେଲା ଯେଉଁଦିନ ସେ ନିଉଜପେପରରେ ବାହାରିଥିବା ଏକ ବିଜ୍ଞାପନ ମତେ ଦେଖାଇଲା । ସେ ବିଜ୍ଞାପନରେ ରାଜ୍ୟ ସ୍ତରୀୟ କାହାଣୀ ପ୍ରତିଯୋଗିତା ବିଷୟରେ ଲେଖାଥିଲା । ଏହି ପ୍ରତିଯୋଗିତାର ବିଜେତାକୁ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆ ଯିବା ସହ ସେଇ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରାଯିବ । ପେପରଟି ପଢି ସାରିବା ପରେ ପପୁ ମତେ କଣ କହିବାକୁ ଚାହୁଁଛି ପ୍ରଥମେ ମୁଁ କିଛି ବୁଝି ପାରି ନଥିଲି । ସନ୍ଦେହ ବିମୋଚନ ପାଇଁ ତାକୁ ସେ ବିଷୟରେ ପଚାରିବାରୁ ସେ କହିଲା ଯେ ସେ ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛି । ତା' ଉତ୍ତର ମତେ ଆଶ୍ଚର୍ଯ୍ୟ ଚକିତ କରିଦେଲା । ପପୁ... ପୁଣି କାହାଣୀ ପ୍ରତଯୋଗିତା... ? ମୁଁ ତାକୁ ପଚାରିଲି-" ତୁ କେବେଠୁ କାହାଣୀ ଲେଖିଲୁଣି ?" ସେ କହିଲା-"ନାଇଁ ବାପା ମୁଁ ଲେଖିନି କିନ୍ତୁ ଆଜି ଲେଖିବି ଆଉ ଏଇ ପ୍ରତିଯୋଗିତାରେ ଭାଗ ନେବି ।" ତା' ଆଖିରେ ଥିଲା ଗଭୀର ଆତ୍ମବିଶ୍ଵାସ । ସେ ଆତ୍ମବିଶ୍ଵାସ ଦେଖିଲା ପରେ ମୁଁ ଆଉ କିଛି ପଚାରି ନଥିଲି । ସେ ପେପରଟି ନେଇ ଚାଲିଗଲା ।


 ତା' ପରଦିନ ସକାଳେ ସେ ମତେ ଏକ କାଗଜ ଆଣି ଦେଖେଇଲା । ମୁଁ ପଚାରିଲି-"କଣ ଏଇଟା ?" ସେ କହିଲା-"ବାପା...ମୁଁ କାଲି ରାତିରେ ଏକ କାହାଣୀ ଲେଖିଛି । ତମେ ପଢ଼...ତମକୁ ଯଦି ଭଲ ଲାଗିବ ତେବେ ଏଇଟିକୁ ମୁଁ ପ୍ରତିଯୋଗିତାକୁ ପଠେଇବି ।" ମୁଁ ଅତି ଆଗ୍ରହରେ ସେଇ କାଗଜରେ ଲେଖା ଥିବା କାହାଣୀକୁ ପଢ଼ିଲି । ଖୁବ ଚମତ୍କାର କାହାଣୀଟିଏ । ଏତେ ସୁନ୍ଦର କାହାଣୀ ମୁଁ ଆଗରୁ କେବେ ପଢିଛି ବୋଲି ମନେ ପଡି ନଥିଲା । ପପୁ ଯେ ଏତେ ସୁନ୍ଦର କାହାଣୀ ରଚନା କରିବ ଏ କଥା ମୁଁ କେବେ ଭାବି ନଥିଲି । ବାପ ହେଇ ପୁଅର ପ୍ରତିଭାକୁ ଏତେଦିନ କିପରି ଜାଣି ପାରିଲିନି ? ମନେ ମନେ ନିଜକୁ ଧିକ୍କାର କଲି । କାହାଣୀ ପଢି ମୋ ଆଖିରେ ଲୁହ ଆସିଗଲା । ମୁଁ ପପୁ ମୁଣ୍ଡରେ ହାତ ରଖି କହିଲି-"ବାବା..ମୁଁ ତତେ ଆଶୀର୍ବାଦ କରୁଛି...ତୁ ନିଶ୍ଚୟ ଏ ପ୍ରତିଯୋଗିତାରେ ବିଜୟୀ ହେବୁ ।" ମୋ କଥା ଶୁଣି ପପୁ ଖୁସି ହେଇଗଲା ଆଉ ପ୍ରତିଯୋଗିତା ପାଇଁ ସେ କାହାଣୀକୁ ପଠେଇ ଦେଲା ।


 ଏଇ ଘଟଣାର କିଛି ଦିନ ପରେ ପପୁ ନାଁ'ରେ ଏକ ରେଜେଷ୍ଟ୍ରି ଚିଠି ଆସିଲା । ସେ ଚିଠି ପଢି ସାରିବା ପରେ ଖୁସିରେ ଦୌଡ଼ି ଆସିଲା ମୋ ପାଖକୁ । ତା' ଖୁସିର କାରଣ ପଚାରିବାରୁ ସେ କହିଲା-"ବାପା...ମୁଁ ରାଜ୍ୟ ସ୍ତରୀୟ କାହାଣୀ ପ୍ରତିଯୋଗିତା ଜିତି ଯାଇଛି । ସେମାନେ ମତେ ପୁରସ୍କାର ଦେବା ପାଇଁ ଡକେଇଛନ୍ତି । ୪ ଦିନ ପରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମତେ ପୁରସ୍କାର ଦେବେ ।"

-"ସତେ...? ଦେଖି ଦେଖି ସେ ଚିଠି ..." ପପୁ ପାଖରୁ ଚିଠି ଆଣି ପଢ଼ିଲି । ଗର୍ବରେ ମୋ ଛାତିଟା ଫୁଲି ଉଠିଲା । ଆଖିରେ ଆସିଲା ଖୁସିର ଲୁହ । ମୁଁ ଅତି ଆନନ୍ଦରେ ପପୁକୁ କୁଣ୍ଢାଇ ଧରି କହିଲି -" ତୋ ଭଳି ପୁଅ ମତେ ସବୁ ଜନ୍ମରେ ମିଳୁ, ହେଲେ ମୋ ଭଳି ବାପ ତତେ କେବେ ନ ମିଳୁ.."

-"ନା ବାପା ... ମୁଁ ଭଗବାନଙ୍କୁ ପ୍ରାର୍ଥନା କରିବି ତମ ଭଳିଆ ବାପା ମତେ ସବୁ ଜନ୍ମରେ ମିଳୁ । ମୁଁ ଆଜି ଯାହାବି କିଛି ହେଇଛି ସବୁ ତମରି ଅବଦାନ । ତମେ କୁହ ବାପା... ତମେ ଯଦି ମତେ ଲେଖିବା ପଢିବା ଶିଖେଇ ନଥାନ୍ତ ତେବେ କଣ ମୁଁ ଏସବୁ କରି ପାରିଥାନ୍ତି ?


ତା' କଥା ଶୁଣି ମୁଁ କାନ୍ଦି ପକେଇଲି । ଭାବିଲି ଦିପୁ ଭଳି କୋଇଲାକୁ ହୀରା ମନେ କରି ତା' ପଛରେ ମୁଁ ଅଯଥାରେ ମୋ ଅର୍ଥ ଓ ସମୟ ବର୍ବାଦ କରି ଅସଲ ହୀରାକୁ ଘର କୋଣରେ ଫୋପାଡ଼ି ଦେଇଥିଲି । ହେଲେ ସେଇ ହୀରା ଆଜି ମୋ ଘରକୁ ଆଲୋକରେ ଉଜ୍ଜଳ କରିଦେଲା ।


ପପୁ ପୁରସ୍କାର ବାବଦରେ ଯେଉଁ ୨ ଲକ୍ଷ ପାଇଲା ସେ ଟଙ୍କା ମୋର କରଜ ଶୁଝିବାରେ ଲାଗିଲା । ଏବେ ପପୁ ଚଳଚ୍ଚିତ୍ର ଜଗତ ସହ ସଂଶ୍ଲିଷ୍ଟ । ସେ ଜଣେ ଆଗ ଧାଡ଼ିର କାହାଣୀକାର ତଥା ପଟ୍ଟକଥା ଲେଖକ । ଦିନେ ଭାବୁଥିଲି ମୋ ଅନ୍ତେ ମୋ କେମ୍ପାପୁଅକୁ କିଏ ସାହାରା ଦେବ । ହେଲେ ସେଇ କେମ୍ପା ପୁଅ ଆଜି ମୋର ବୁଢା ଦିନର ସାହାରା ।



Rate this content
Log in