ସବାରୀ ଚାଲେରେ ଧୀରେଧୀରେ...
ସବାରୀ ଚାଲେରେ ଧୀରେଧୀରେ...
ପୁରୁଣା ପିଢିର ନଡାଛପର ଘର। ବାଡି ପଟ ବାରଣ୍ଡା ଓଳିଆରେ ଟଙ୍ଗାହେଇ ରହୁଥିଲା ଏକ ସବାରୀ। ସେଥିରେ କାଠଫୁଲର କୁଟିକମରେ ଲାଗିଥିବା ନାଲିନେଳି ରଂଗ ଆଖି ଝଲସାଇ ଦିଏ। ମନକୁ ଲୋଭାଏ। ନଇଁ ନଇଁ ବାଟ ଚାଲୁଥିବା ସତୁରୀ ବର୍ଷରୁ ଉର୍ଦ୍ଧ୍ବ ଜେଜେମା କେବେ କେବେ ସବାରୀ ପାଖକୁ ଯାଇ ଝାଡିଝୁଡି ସଫା କରି ଆସନ୍ତି। ନିରୋଳା ବେଳେ ଏକୁଟିଆ ସବାରୀ ପାଖରେ ବସି ତାକୁ ଆଉଁସି ମନେମନେ କିଛି କଥା ହୁଅନ୍ତି। କାନ୍ଦ କାନ୍ଦ ଦିଶେ ମୁହଁ। ପିଲାଟି ବେଳେ କେତେଥର ଏ ଦୃଶ୍ୟ ଓ ଜେଜେମାଙ୍କ ମନର ଦରଦଭରା ଭାବପ୍ରବଣତା ମୁଁ ଦେଖିଛି।
କେହି ପଚାରିଲେ କହନ୍ତି, "ଶଙ୍ଖା, ସିନ୍ଦୁର ପିନ୍ଧି ଏଇ ସବାରୀରେ ବସି ଶାଶୁଘରକୁ ଆସିଥିଲି। ସେ ସ୍ମୃତି କେମିତି ଭୁଲିବି। ବାପଘରୁ ବିଦା ହେବା ବେଳେ ଏ ସବାରୀକୁ ଦ୍ବାହି ଦେଇ କାନ୍ଦିଥିଲି କେତେ।
ଜୀବନ ସାଥୀ ସହ ପାଦମିଳାଇ ଚାଲିବାକୁ ପ୍ରଥମ ଭାଷା ଶିଖାଇଥିଲା ସବାରୀ ।"
ବାର୍ଦ୍ଧକ୍ୟ କାଳରେ ଜେଜେବାପା ତାଙ୍କୁ ଛାଡି ଆରପାରିକୁ ଚାଲିଗଲେ। ଢେରେ କାନ୍ଦିଥିଲେ ଜେଜେମା। ଜଣେ ମରଦ ସମାନ ପରିଶ୍ରମ କରି ସାଇତିଥିବା ଘରର ମାୟା ତାଙ୍କୁ ଅଟକାଇ ରଖିଥିଲା। ସେ ଦିନରାତି ଘରପଛ ବାରଣ୍ଡାରେ ବସି କିଭଳି ଗୁମୁରି ଗୁମୁରି କାନ୍ଦୁଥିଲେ ତା'ର ସାକ୍ଷୀ ଥିଲା ଏହି ସବାରୀ।
ମେଘୁଅ। ରାତିରେ ଗପ ଶୁଣିବାକୁ ଆମେ ନାତିନାତୁଣି ଅଝଟ କଲେ ଜେଜେମା ଖୋଲି ଦେଉଥିଲେ କାହାଣୀ ପେଡି। ତାଙ୍କ ପାକୁଆ ପାଟିର ହସରେ ସାରାଘର ଚହଟି ଯାଏ। ଆମେ ଘେରି ବସିଯାଉ। କେଉଁଦିନ ବଉଳା ଗାଈର ଗପ ତ ଆଉ କେଉଁଦିନ କାଞ୍ଚନ ଫୁଲ ବା ପରୀ ରାଇଜ କଥା। ଦିନେ ଦିନେ କହନ୍ତି ଅଂଗେନିଭା ମନକଥା। ଆମେ ପିଲାଏ ଗପ ଶୁଣୁଶୁଣୁ ଘୂମେଇ ଯାଉ। ସେ କୋଳକୁ ଆଉଜାଇ ଶୁଆଇ ପକାନ୍ତି। ଅଧା ରହିଯାଏ ଗପ।
ଥରେ ଅଂଗେନିଭା କଥା କହିବା ବେଳେ ତାଙ୍କ ବାହାଘର କେମିତି ହେଲା, ସବାରୀରେ ବସି ସପନ ଦୋଳିରେ ଝୁଲି କେମିତି ଶାଶୁଘର ଆସିଥିଲେ ସେ କଥା କହିଥିଲେ।
ଜେଜେମାଙ୍କ ଆଖିରୁ ଝରିପଡିଥିଲା ଲୁହ। ସେ କହିଥିଲେ, " ମୋ ବାପା ଥିଲେ ଭାରି ଗରିବ। ବହୁ ଗାଁରେ ଖୋଜି ଖୋଜି ଶେଷକୁ ସର୍ବଗୁଣ ସମ୍ପନ୍ନ ଈଶ୍ବରଙ୍କ ଭଳି ବର ପାଇଥିଲେ। ମୋତେ ଆଶୀର୍ବାଦ ଦେଇ କହିଥିଲେ, ତୋତେ ଦେବାକୁ ସ୍ନେହ ଛଡା ମୋ ପାଖେ କିଛି ନାହିଁ। ପିଲାଦିନେ ବସି ଖେଳୁଥିବା ସବାରୀ ତୋ ହାତକୁ ଟେକି ଦେଉଛି। ସେଇଥିରେ ବସି ଶାଶୁଘରକୁ ଯା'।"
"ତୁମ ଜେଜେବାପା ଥିଲେ ଭାରି ଉଦାର, ହୃଦୟବାନ ମଣିଷ। ମାଛିକୁ 'ମ' ବୋଲି କୁହନ୍ତିନି। ବାହାଘର ବେଳେ ମୋ ଗରିବ ବାପାଙ୍କ ଦୁଖ ଶୁଣି ଉପହାର ନେବାକୁ ମନା କରି ଦେଇଥିଲେ। ମୋ ବାପା ବହୁତ ବଳେଇ କନ୍ୟାଦାନ ବେଳେ ପୁରୁଣା ସବାରୀଟି ଦେବାକୁ ବେଦୀରେ ସଙ୍କଳ୍ପ କରିଥିଲେ। ବାହାଘର ପରେ ବାପା ଓ ବଡଭାଇ ସବୁ ପୁନେଇ ପରବରେ ଆସି ମୋତେ ଆଶୀର୍ବାଦ ଦେଇ ଯାଉଥିଲେ । ସେମାନଙ୍କ ଦେହାନ୍ତ ପରେ ପୁତୁରାମାନେ ଆଉ ପଚାରୁ ନାହାନ୍ତି। ବାପଘରକୁ ଯାଇ ହେଉନି। ମୋ ଲାଗି ସବାରୀ କେବେଠୁଁ ଅଲୋଡା। ତଥାପି ମନ ବୁଝେନା, ସବାରୀକୁ ସବୁ କଥା କହେ।"
ସେଦିନ ବୁଝିଥିଲି, ଜେଜମା ଓଳିରେ ଥିବା ସବାରୀକୁ କାହିଁକି ଏତେ ଭଲ ପାଆନ୍ତି। ଖାଲି ଜେଜେମା ନୁହେଁ ମୋ ବୋଉ ବି କେତେଥର ଏଥିରେ ଵସି ବାପଘର ଯାଇଥିଲେ। ବୋଉଙ୍କ ସହ ସବାରୀରେ ମାମୁ ଘରକୁ ଯାତ୍ରା କରିବାର ରୋମାଞ୍ଚକର ଅନୁଭୂତି ମୋର ରହିଛି। ସେତେବେଳେ ଜଣେ ଗୃହବଧୂ ବାପଘର କିମ୍ବା ବନ୍ଧୁ ଘରକୁ ଗଲେ ସବାରୀ ଥିଲା ଏକମାତ୍ର ବାହନ। ବିବାହ ବେଳେ ନବବଧୂ ସବାରୀରେ ବସି ଶାଶୁଘରକୁ ଆସିଥାଏ। ବର ଯାଏ ଓ ଫେରେ ପାଲିଙ୍କିରେ।
ବିବାହ ଋତୁରେ ଆମ ସବାରୀକୁ ଗୋଟେ ଦିନ ବି ବିଶ୍ରାମ ମିଳୁ ନ ଥିଲା ।
ସବାରୀ ଓ ପାଲିଙ୍କୀରେ ଦୂରସ୍ଥାନକୁ ଯିବା ପରମ୍ପରା ଓ ସଂସ୍କୃତିର ନିଦର୍ଶନ ଥିଲା। ପୁରୁଣା ଦିନର "ସବାରୀ ଚାଲେରେ ଧୀରେ ଧୀରେ .." ଗୀତ ଶୁଣିଲେ ଆଜି ବି ମୁଁ ଆନମନା ହୋଇପଡେ।
କାଠ ତିଆରି ସବାରୀ ଓ ପାଲିଙ୍କିର ଗଢଣ ନିଆରା। ଗାଁ ବଢେଇ ନିହାଣ, ବାରିସିରେ କୁନ୍ଦ ପକେଇ ଗଢେ। ସୁନ୍ଦର ଦିଶିବା ଲାଗି କାଠର ଲତା ଓ ଫୁଲ ଖଞ୍ଜି ଦିଆଯାଏ। ପାଲିଙ୍କିରେ ଦୁଇପାଖ ଫାଙ୍କା ଥାଇ କାଠର ବାଡା ଲଗାଯାଉଥିବା ବେଳେ ସବାରୀ ଭିତରଟା କାଠଘର ଭଳି ଆବଦ୍ଧ। ଯିବା ଆସିବା ସକାଶେ ଦୁଇପଟେ ଦୁଇଟି ଦ୍ବାର। ସେଥିରେ ଦୁଇ ହଳ ଛୋଟ କବାଟ ଲାଗିଥାଏ। କାନ୍ଧରେ ବୋହି ନେବା ଲାଗି ଦୁଇଟି ଦଣ୍ଡା ବାଉଁଶ ବା ବାଉଁଶ ଆକୃତିର କାଠ ଦୁଇମୁଣ୍ଡରେ ଲାଗିଥାଏ ।
ପିଲାଦିନେ ବୋଉ ବାପ ଘରକୁ ଯିବା ବେଳେ ମୋତେ ସବାରୀରେ ନେଇ ଯାଆନ୍ତି। ଦୁଇଜଣ ସବାରିଆ କାନ୍ଧେଇ " ହୁଁ କି ଭାଇ" ଡାକ ଛାଡି ବିଲବାଡିର ସରୁ ହିଡ଼ ଦେଇ ଚାଲି ଚାଲି ଯାଆନ୍ତି। ବୋଉଙ୍କ ସହ ସବାରୀରେ ବସି ଯିବାର ଦୃଶ୍ୟ ମୋ ମାନସ ପଟରେ ଆଜି ବି ଚିତ୍ରାର୍ପିତ ହେଇରହିଛି। ଅବଶ୍ୟ କିଛିବର୍ଷ ପରେ ଯାନବାହନ ବ୍ୟବହାର ଯୋଗୁ ସବାରୀ ଅଲୋଡା ହୋଇପଡିଲା। ଓଳିରେ ଥିବା ସବାରିଟି କ୍ରମେ ନଷ୍ଟ ହୋଇଗଲା। ଆଜିକାଲି ଗାଁଗଣ୍ଡାରେ ସବାରୀ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଅବଶ୍ୟ ସହରୀ ବାହାଘରରେ କାଁ ଭାଁ ନୂଅ। ଫେଶନ ଭାବେ ସବାରୀ ବ୍ୟବହାର ଦେଖିବାକୁ ମିଳୁଛି।
ମୋ ବୋଉ ଜେଜେମାଙ୍କଠାରୁ ସବୁ ସଂସ୍କାର ଓ ଘର କରଣା ଶିଖିଥିଲେ। ତାଙ୍କ ସେବାଯତ୍ନରେ କେବେ କିଛି ହେଳା କରି ନ ଥିଲେ। ଶାଶୁବୋହୂ ମା' ଝିଅ ଭଳି ପରସ୍ପରକୁ ମନକଥା କହି ପାରୁଥିଲେ।
ଆମ ପରିବାରରେ କେତେ ପୁରୁଷ ଧରି ଝିଅ ନ ଥିଲେ। ବୋଉଙ୍କର ଝିଅଟିଏ ହେଉ ବୋଲି ଜେଜେମା କେତେ ଠାକୁର ଠାକୁରାଣୀ ପୂଜା କରିଥିଲେ। ଆଜିକାଲି ଝିଅଙ୍କୁ ଅଲୋଡା ଭାବି ଜନ୍ମପରେ ବଣବୁଦାରେ ଫିଙ୍ଗି ଦିଆଯାଉଛି। କିନ୍ତୁ ସେବେଳର କଥା ଥିଲା
ଅଲଗା । ଘଟଣାକ୍ରମେ ମୋ ବୋଉ ଏକ ଗରିବ, ଅସହାୟ ପରିବାରର ମା' ଛେଉଣ୍ଡ ଝିଅକୁ ଅ।ଣି ଘରେ ପାଳି ଥିଲେ। ତାକୁ ଶିକ୍ଷାଦୀକ୍ଷା ଓ ସଂସ୍କାର ଦେଇ ମଣିଷ କରିଥିଲେ। ଅବଶ୍ୟ ପରେ ଠାକୁରେ ତାଙ୍କ ଡାକ ଶୁଣିଥିଲେ। ସେ ଦୁଇଟି କନ୍ୟା ସନ୍ତାନର ଜନନୀ ହେଲେ। ଝିଅଙ୍କ ଗହଣରେ ବୋଉ ଓ ଜେଜେମାଙ୍କ ଖୁସି କିଭଳି ଥିଲା କହିଲେ ସରିବନି । ସମସ୍ତଙ୍କୁ ସମାନ ସ୍ନେହ ଅ।ଦର ବାଣ୍ଟି ସଂସାର ବାନ୍ଧିଥିଲେ। ବୋଉଙ୍କ ସଂସ୍କାର ଯୋଗୁ ଆମ ଘରେ ଝିଅ ବୋହୂଙ୍କୁ କିଭଳି ଆଦର, ସମ୍ମାନ ଦିଆଯାଉଥିଲା ତାହା ଅଂଗେ ନିଭାଇଛି ।
ଜେଜେମାଙ୍କ ଦେହାନ୍ତ ପରେ ତାଙ୍କ ସଂସ୍କାରକୁ ବୋଉ ଆଗକୁ ବଢାଇ ନେଇଥିଲେ। ଅନେକ ପାଖପଡିଶା ଓ ପଡୋଶୀ ଗାଁର ପରିବାର ସହ ବନ୍ଧୁ ବାନ୍ଧି ପୁନେଇ ପରବରେ ପିଠାପଣା ପଠାଉ ଥିଲେ। ସଂଖ୍ୟାଲଘୁ ପରିବାର ସହ ମଧ୍ୟ ସମ୍ପର୍କ ଯୋଡିଥିଲେ। ସମସ୍ତଙ୍କ ଦୁଃଖସୁଖରେ ସାମିଲ ହୋଇ ଚଳୁଥିବାରୁ ଗାଁ ଲୋକେ ଶ୍ରଦ୍ଧା ଓ ସମ୍ମାନରେ ତାଙ୍କୁ ମା' ଡାକୁଥିଲେ। ଅଜଣା, ଅଚିହ୍ନା ମଣିଷ ହେଲେ ବି ସେମାନଙ୍କୁ ଦେଖି ପେଟର ଭୋକ ଚିହ୍ନି ପାରୁଥିଲେ। କେହି ବାଟ ଭିକାରୀ ଘରେ ଭୋଜନ ନ କରି ଫେରି ଯାଉ ନ ଥିଲେ। "ଅନ୍ୟର ଦୁଃଖ ବୁଝିଲେ ମୋ ପିଲା ଦୁଃଖ ଭୋଗିବେନି" ବୋଲି ସେ କହୁଥିଲେ ।
ସେତେବଳେ ଗ୍ରାମ୍ୟ ଜୀବନରେ ସରସତା ଓ ସ୍ନେହମମତା ଭରି ରହିଥିଲା। ଦାରିଦ୍ର୍ୟ, ଅନଟନ ଥିଲେ ବି ଲୋକଙ୍କ ଭିତରେ ଥିଲା ମଣିଷ ପଣିଆ। ସହଯୋଗ ଓ ବୁଝାମଣା ରଖି ମିଳିମିଶି ଚଳୁଥିଲେ। ଦେଶ ସ୍ବାଧୀନ ହେବାର ଅନେକ ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଁର ଚିତ୍ର ବଦଳି ନ ଥିଲା। ଗାଁ ଲୋକେ ଥିଲେ କଳା ଓ ସଂସ୍କୃତି ପ୍ରିୟ , ଯାହା ସେମାନଙ୍କ ଶ୍ରମ ଓ ମନର ଦୁଃଖ ହରି ନେଉଥିଲା ।
ମୋ ବୋଉ ରୋଗରେ ପଡି ମାତ୍ର ୫୬ ବର୍ଷରେ ଶେଷ ନିଃଶ୍ବାସ ତ୍ୟାଗ କଲେ । ଜଣେ ମାତୃସ୍ବରୂପା ମଣିଷଙ୍କ ଦେହବସାନ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା। ସବୁ ଝିଅଙ୍କୁ ସେ "କନ୍ୟାରତ୍ନ" ବୋଲି କହୁଥିଲେ। ଏପରିକି ଯୌତୁକ ପ୍ରଥାକୁ ବିରୋଧ କରୁଥିଲେ। ଆଜିକାଲି ତାଙ୍କ ଭଳି ସରଳ, ସ୍ନେହଶୀଳା ମଣିଷ ମିଳିବା ବିରଳ। ବୋଉ ଓ ଜେଜେମାଙ୍କ କଥା ମନେପଡିଲେ କିଏ ଯେମିତି ମୋ କାନ ପାଖରେ ଆଜି ମଧ୍ୟ 'ସବାରୀ ଚାଲେ ଧୀରେଧୀରେ' ଗୀତ ଗୁଣୁଗୁଣାଉଥାଏ !!
*******
