" କାଗଜ ବାଘ "
" କାଗଜ ବାଘ "
ଖବର ପରିବେଷଣ ସେବାରେ ଜଡିତ ସାମ୍ବାଦିକଙ୍କୁ କାଗଜ ବାଘ କୁହାଯାଏ। ବାଘ କହିଲେ, ଦୁଇଟି ଚିତ୍ର ଆଖି ଆଗକୁ ଆସେ। ଗୋଟିଏ ଆମ କଳ୍ପନାର "ବାଘ ମାମୁ" ଓ ଅନ୍ୟଟି ଘଞ୍ଚ ଜଙ୍ଗଲରେ ରହୁଥିବା ଏକ ହିଂସ୍ର ବନ୍ୟପ୍ରାଣୀ।
"ହାଉଁ "। ଏଭଳି ଗର୍ଜନ ଶୁଣିଲେ କାହା ଛାତି ଥରି ନ ଉଠେ ! ବାଘ ମାଂସାସୀ, ହିଂସ୍ର ଓ ଶିକାରୀ। କେବେ କେବେ ଉଦାରତା ଦେଖାଇଥାଏ !! ଯାହା ଶୁଣା କଥା। ବାଘ ଜଙ୍ଗଲର ରାଜା, ଆମର ଜାତୀୟ ବନ୍ୟପ୍ରାଣୀ। ଏହାର ଆକ୍ରମଣ ଶୈଳୀ ବୀରୋଚିତ। ପ୍ରଥମେ ଗର୍ଜନ କରି ଲାଙ୍ଗୁଳ ହଲାଇ ଆକ୍ରମଣର ପୂର୍ବ ସଙ୍କେତ ଦିଏ।
କିନ୍ତୁ କାଗଜ ବାଘ ? ବାଘ ଭଳି ଆଖି, କାନ, ନାକ, ନିଶ, ଗୋଡ ଓ ଲାଙ୍ଗୁଳ ଇଦି ଅଙ୍ଗପ୍ରତ୍ୟଙ୍ଗ ଥିଲେ ବି ଜୀବନ ନ ଥାଏ। ଲାଙ୍ଗୁଳ ହଲାଇବା ଦୂରର କଥା। କାଗଜ ବାଘ ଏଠି "ଗର୍ଜନ" କରିବାର ଏକ ଛବି ବା ଚିତ୍ରକଳ୍ପ। ମିଛ ବାଘ !!
ଗଣମାଧ୍ୟମ ଦୁନିଆରେ ଇଲେକଟ୍ରୋନିକ ମିଡିଆ ଯୁଗ ଆସିବା ଆଗରୁ ପ୍ରିଣ୍ଟ ମିଡିଆ ଓ ରେଡିଓ ଭଳି ମାଧ୍ୟମ ଖବର ସେବା ଯୋଗାଉଥିଲେ। ପ୍ରିଣ୍ଟ ମିଡିଆ ଥିଲା ମୁଖ୍ୟ। ଗଣମାଧ୍ୟମର ଐତିହ୍ୟ ଓ କାର୍ଯ୍ୟକୁ ଦେଖି ସମ୍ଭବତଃ ସାମ୍ବାଦିକଙ୍କ ଉପରେ "କାଗଜ ବାଘ"ର ଛାପ ମାରି ଦିଆଗଲା।
ପିଲାଦିନେ ଶୁଣିଥିବା "ବାଘ ମାମୁ" କଥା ମନକୁ ଆସେ। ଥରେ ପିଠା ଖାଇବା ଲାଗି ଟୁଆଁଟୁଇଁ ବଣକୁ କାଠ ଆଣିବାକୁ ଯାଇ ବାଘ ମାମୁ ହାବୁଡରେ ପଡିଗଲେ। ଭାବିଲେ ଜୀବନ ଗଲା ! ବୁଦ୍ଧି ପାଞ୍ଚି ନେହୁରା ହୋଇ ପିଠା ଖୁଆଇବା ଲୋଭ ଦେଖାଇ କୌଣସି ପ୍ରକାରେ ଖସି ଆସିଲେ । ବାଘ ମାମୁ ଯଦିଓ ରାଗୀ, ସ୍ନେହୀ ବି। ସେତେବେଳେ ଗାଁ ମୁଣ୍ଡ ଯାଏ ଲମ୍ବିଥିଲା ଜଙ୍ଗଲ। ପିଠା ଖାଇବା ଲୋଭ ଛାଡି ନ ପାରି ରାତି ବେଳା ସମସ୍ତେ ଶୋଇଯିବା ପରେ ବାଘ ମାମୁ ଅ।ସି ଟୁଆଁଟୁଇଁଙ୍କ ଘର ଅ।ଗେ ହାଜର। ମାମୁଁଙ୍କ ତାଗିଦ ପିଠା। ଟୁଆଁଟୁଇଁ ଯିବେ କୁଅ।ଡେ ? କଥା ଦେଇ ଆସିଛନ୍ତି। ଘରେ ପିଠା ତିଆରି କରି ବାଘ ମାମୁର ଭାଗ ପିଣ୍ଢାରେ ଥୋଇ କବାଟ କିଳି ମିଛେ ମିଛେ ଶୋଇ ପଡିଲେ।
ଟୁଆଁଟୁଇଁ ଡରୁଆ ହେଲେ ବି ଚତୁର। ଲୋଭି ବାଘଙ୍କୁ ପାନେ ଦେବାକୁ ପିଠାରେ ଗୋଡି ମିଶାଇ ଦେଲେ। ଘର ପିଣ୍ଢା ଉପରେ ଥୁଆ ହୋଇଥିବା ପିଠାକୁ ଦେଖି ବାଘ ମାମୁ ଖୁସ୍। ଖାଇବା ବେଳେ ଗୋଟେ ଦୁଇଟି ଦାନ୍ତ ପାଟିରୁ ଖସି ପଡିଲା। ଦାନ୍ତହୀନ ବାଘ ଆଉ କଣ କରି ପାରିବ ? କାନମୁଣ୍ଡି ଆଉଁସି ବଣକୁ ଫେରିଲା।
ଏ ମଜାଳିଆ ଗପର ଅର୍ଥ ନିଆରା। ଏହା ଜଙ୍ଗଲ, ବନ୍ୟପ୍ରାଣୀ ଓ ମଣିଷଙ୍କ ସହବସ୍ଥାନର କଥା କହେ। କିନ୍ତୁ ମଣିଷର ହିଂସ୍ରତା ଆଗରେ ହାର ମାନିଛି ବଳୁଆ ବାଘ। ଅବାଧ ଶିକାର ଯୋଗୁ ସେମାନଙ୍କ ସଂଖ୍ୟା ଏବେ ବିରଳ ପ୍ରାୟ।
ବାଘକୁ କାହିଁକି ମାମୁ କୁହାଯାଏ, ତା'ର ତତ୍ତ୍ବ ଅଲଗା। ସେ ଶକ୍ତି ସ୍ବରୂପା ମା' ଜଗଜ୍ଜନନୀ ଦୁର୍ଗାଙ୍କ ବାହନ, ଯେଉଁଥି ଲାଗି ତାଙ୍କୁ ମାମୁ ଡକାଯାଏ। ଆମ ସମାଜରେ ମାମୁ ଚରିତ୍ରକୁ ନେଇ ଅନେକ କଥା କାହାଣୀ ରହିଛି । କଂସ ମାମୁ, ଜହ୍ନ ମାମୁ, ପୋଲିସ ମାମୁ ଇତ୍ୟାଦି। ଏହି ଚରିତ୍ରକୁ ନେଇ ସଂସାରରେ ଯେତିକି ମିଠା ଭାବନା ରହିଛି ସେତିକି ଘୃଣା ଓ ଭୟ ରହିଛି। କିନ୍ତୁ ସାମ୍ବାଦିକଙ୍କୁ କାଗଜ ବାଘ ଆଖ୍ୟା ଦେଇ ଗଣତନ୍ତ୍ରର ଜାଗ୍ରତ ପ୍ରହରୀଙ୍କୁ ଲଘୁ କରିବା ପ୍ରୟାସ କରାଯାଇ ନାହିଁ ତ ?? କେବଳ ସେତିକି ନୁହେଁ ବର୍ତ୍ତମାନ ସକ୍ରିୟ ଗଣମାଧ୍ୟମକୁ ବିଭାଜିତ କରି କଳ,ବଳ କୌଶଳ କ୍ରମେ ଦୁର୍ବଳ କରିଦେବା ଉଦ୍ୟମ ହେଉଛି। ସତସତିଆ ବାଘ ଭଳି କାଗଜ ବାଘର ଅବସ୍ଥା ବିପନ୍ନ ପ୍ରାୟ। ନା ସୁରକ୍ଷା ଅଛି, ନା ମିଳୁଛି ଟୁଆଁଟୁଇଁଙ୍କ ପିଠା। ଆଗରୁ ସବୁ ସାମ୍ବାଦିକଙ୍କୁ ବସ୍, ଟ୍ରେନ ପାସ୍, ଫିଲ୍ମ ଦେଖିବା ଲାଗି ଟିକେଟ ଆଦି ସରକାରୀ ସୁବିଧା ମିଳୁଥିଲା। ପରେ ଏମାନଙ୍କୁ ପ୍ରିଭିଲେଜ ଗ୍ରୁପର ଦର୍ଶାଇ ସରକାର ସବୁ ବନ୍ଦ କରିଦେଲେ। ସାମାଜିକ ସୁରକ୍ଷା କି ନିରାପତ୍ତା ଦେଲେନି।
ସ୍ବାଧୀନତା ଆନ୍ଦୋଳନ ବେଳେ ଗଣମାଧ୍ୟମ ଦେଶରେ ଜନ ଜାଗରଣ ସୃଷ୍ଟି କରି ବିଦେଶୀ ବ୍ରିଟିଶ୍ ସରକାରଙ୍କୁ ଦୋହଲାଇ ଦେଇଥିଲା। ଅନେକ ସମ୍ପାଦକ, ସାମ୍ବାଦିକ କାରାବରଣ କରିଥିଲେ। ଭୋଗିଥିଲେ ଅକଥନୀୟ ନିର୍ଯାତନା। ଦେଶ ସ୍ବାଧୀନ ହେବା ପରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମକୁ ଶକ୍ତିଶାଳୀ କରିବା ପରିବର୍ତ୍ତେ ସ୍ତମ୍ଭର ଗୋଡକୁ ଏକପ୍ରକାର ଭାଂଗି ଦିଆଯାଉଛି ! ସତ୍ୟ ଖବର ଲୋକଲୋଚନକୁ ଆଣିବା କାଠିକର ପାଠ। ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଦିନରାତି କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କୁ ଆକ୍ରୋଶ ରଖି ଆକ୍ରମଣ କରାଯାଉଛି। ହତ୍ୟା ବି। କାଗଜ ବାଘ ବା କୋଉ କାମକୁ ? ଖବର ପ୍ରସାର ସେବାରେ ଲାଗିଥିବା ସାମ୍ବାଦିକଙ୍କ ହିସାବ କି ତାଲିକା ସରକାରଙ୍କ ପାଖରେ ନାହିଁ। ପୁଣି ପେଟକୁ ନ ଦେଇ ପିଠିରେ ବସୁଛି ମାଡ଼। ଏବେ ନାଁକୁ ମାତ୍ର ସାମାଜିକ ସୁରକ୍ଷା ନାଁରେ ଇସ୍ୟୁରାନ୍ସ ଭଳି କେତେକ ବ୍ୟବସ୍ଥା କରି ସରକାର ଦାୟିତ୍ବ ସାରି ଦେଇଛନ୍ତି। ଭବିଷ୍ୟନିଧି ବ୍ୟବସ୍ଥା ଅ।ଉ ଏକ ପ୍ରହସନ। ଲାଭ ପାଉଛି କିଏ ମା' ଗଙ୍ଗେ ଜାଣନ୍ତ
ି !
ସ୍ବାଧୀନତା ପୂର୍ବ ସମୟ ଆଡେ ଚାହାନ୍ତୁ। ଗଣମାଧ୍ୟମର ଆଦର୍ଶ, ଲକ୍ଷ୍ୟ, ଉଦ୍ଦେଶ୍ୟ ଥିଲା ସ୍ବାଧୀନତା ଲାଗି ଜନଜାଗରଣ ସୃଷ୍ଟି କରିବା। ଦେଶ ସ୍ବାଧୀନ ହେବା ପରେ ଗଣମାଧ୍ୟମ ଆଗରେ ବୋଧେ ଆଉକିଛି ନିର୍ଦ୍ଦିଷ୍ଟ ଅ।ଦର୍ଶ ବା ଲକ୍ଷ୍ୟ ରହିଲା ନାହିଁ। ଜନତାଙ୍କ ଦୁଃଖସୁଖରେ ସାଥୀ ହୋଇ ଗଣତନ୍ତ୍ରର ସୁରକ୍ଷା ଲାଗି କାର୍ଯ୍ୟ କରିବା ଅନ୍ୟତମ ଆଦର୍ଶ ଭାବେ ଧରାଗଲା। ଏହି ଧାରା ଏ ଯାଏ ବଳବତ୍ତର ରହିଛି। ଇଲେକଟ୍ରୋନିକ ମିଡିଆ, ସୋସିଆଲ ମିଡ଼ିଆ ମୁଣ୍ଡ ଟେକିବା ବେଳେ ଅ।ଧୁନିକ ପ୍ରଯୁକ୍ତି କୌଶଳ ବ୍ୟବହାର କରି ପ୍ରିଣ୍ଟ ମିଡିଆ ଅଧିକ ଶକ୍ତିଶାଳୀ ହୋଇ ଉଭା ହୋଇଛି। ରାଜନୀତିଠାରୁ ଆରମ୍ଭ କରି ଶାସନ ଓ ସମାଜ ବ୍ୟବସ୍ଥାର ବିଭିନ୍ନ ଦିଗ ଖବର ପରିସରକୁ ଆସୁଛି। ସମାଜ ଜୀବନରେ ଏଭଳି କିଛି ଘଟଣା ବା ବିଷୟ ନାହିଁ, ଯାହା ଗଣମାଧ୍ୟମ ଛୁଉଁ ନାହିଁ। ଏସବୁ ସତ୍ତ୍ବେ ଦିନକୁ ଦିନ ଜନତାଙ୍କ ବାସ୍ତବ ସ୍ବର, ସେମାନଙ୍କ ଆଶା ଆକାଙକ୍ଷାର ପ୍ରତିଫଳନଠାରୁ ଗଣମାଧ୍ୟମ ଦୂରେଇ ଯାଉଥିବା ଅଭିଯୋଗ ହେଉଛି। ସ୍ବାଧୀନତା ପ୍ରାପ୍ତି ପରେ ଅନେକ କ୍ଷେତ୍ରରେ ବିକାଶ ଆସିଛି ସତ ଗଣତନ୍ତ୍ର ନାଁରେ ପ୍ରବଞ୍ଚନା, ଦୁର୍ନୀତି, କୁଶାସନ ଓ ମୂଲ୍ୟବୋଧର ଅବକ୍ଷୟ ଭଳି ରାକ୍ଷସମାନେ ସାରା ସମାଜକୁ ପେଟ ଭିତରକୁ ଟାଣି ନେଲେଣି। ଶାସନ ବ୍ୟବସ୍ଥାର ତ୍ରୁଟିବିଚ୍ୟୁତି ଏକପ୍ରକାର ସମସ୍ତଙ୍କ ଦେହସୁଆ ହୋଇଗଲାଣି। ଗଣମାଧ୍ୟମ ଉପରେ ଯେଉଁ ଶେଷ ଅ।ଶା ଜିଇ ରହିଥିଲା, ତାହା ଏବେ ଦାଉରେ ଲାଗିଛି। ଅନ୍ୟପକ୍ଷେ ଗଣମାଧ୍ୟମକୁ ଗୋଟିଏ ଅଂଗ ବିଚାର ନ କରି ବିଭିନ୍ନ ଭାଗରେ ବିଭାଜିତ କରି ମୂଲ୍ୟାୟନ କରାଯିବା ଏକ ବିଡମ୍ବନା। ବିଜ୍ଞାପନର ଥୋପ ପକାଇ ସରକାର ଅତି ସହଜରେ ଏହାକୁ ବୋଲକରା ସଜାଉଛନ୍ତି। ଆଉ କାଗଜ ବାଘ କଥା କିଏ ପଚାରେ !! ମଲେ କି ଗଲେ କିଏ ହିସାବ ରଖୁଛି। ଆଗରୁ ସାମ୍ବାଦିକତା ବୃତ୍ତିକୁ ସମାଜସେବାର ଆଦର୍ଶ ଅଂଗ ବୋଲି ଧରା ଯାଉଥିଲା। ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ନା ଅଛି ବୃତ୍ତିଗତ ନିରାପତ୍ତା ନା ମାନ୍ୟତା ??
୨୦୨୦ ଡିସେମ୍ବର ୮ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସାମ୍ବାଦିକଙ୍କ ସ୍ବାଧୀନତା ଓ ସୁରକ୍ଷା ସଂକ୍ରାନ୍ତ ୨ଟି ମାମଲା ରାୟ ଦେବା ବେଳେ ଏକ ଉଲ୍ଲେଖନୀୟ ଟିପ୍ପଣୀ ଦେଇଛନ୍ତି। "ଭୟ ବା ଆଶଙ୍କିତ ନ ହୋଇ ଯେ ପର୍ଯ୍ୟନ୍ତ ସାମ୍ବାଦିକମାନେ ଖବର ପରିବେଷଣ କରୁଥିବେ ସେପର୍ଯ୍ୟନ୍ତ ଦେଶର ସ୍ବାଧୀନତା ଅକ୍ଷୁର୍ଣ୍ଣ ହୋଇ ରହିବ।" ଏହା ସ୍ପଷ୍ଟ ଯେ, ସାମ୍ବାଦିକଙ୍କ ସ୍ବାଧୀନତା ଓ ସୁରକ୍ଷା ବିନା ଦେଶରେ ଗଣତନ୍ତ୍ରର ସୁରକ୍ଷା କଥା ଚିନ୍ତା କରାଯାଇ ନ ପାରେ। କିନ୍ତୁ ଏ କଥାର ତାତ୍ପର୍ଯ୍ୟ ବୁଝୁଛି କିଏ ?? ସାମ୍ବାଦିକଙ୍କ ସ୍ବାଧୀନତା ପ୍ରସଙ୍ଗ ନେଇ ବିଭିନ୍ନ ସମୟରେ ବିତର୍କ, ଆଲୋଚନା ହୋଇ ଆସୁଛି। ଯେତିକି ସ୍ବାଧୀନତା ମିଳିଛି, ତାହା ନିରଙ୍କୁଶ ନୁହେଁ। ସାମ୍ବାଦିକଙ୍କ କାର୍ଯ୍ୟ ଲାଗି ଆଦର୍ଶ ଆଚରଣ ସଂହିତା ରହିଛି। ନିଜର ଗୌରବ ଓ ଗାରିମା ରକ୍ଷା କରି ସେମାନେ ଖବର ପରିବେଷଣ କ୍ଷମତା ହାସଲ କରିବେ। ଜଣେ ସାଧାରଣ ନାଗରିକର ଅଧିକାର ଭଳି ସାମ୍ବାଦିକମାନେ କ୍ଷମତା ଉପଭୋଗ କରି କାର୍ଯ୍ୟ କରିବେ। କୌଣସି ଘଟଣାର ତଥ୍ୟ ଉପରେ ସମାଲୋଚନା କରିବା କିମ୍ବା ମନ୍ତବ୍ୟ ଦେବା କ୍ଷେତ୍ରରେ ବିଶେଷ ଅଧିକାର ଦାବି କରି ପାରିବେ ନାହିଁ। କିନ୍ତୁ ସାଧାରଣ ନାଗରିକଙ୍କ ପକ୍ଷେ ଯେଉଁଠି ପହଞ୍ଚ ଅସମ୍ଭବ, ସେ କ୍ଷେତ୍ରରେ ସେମାନଙ୍କର ଦଖଲ ରହିବ। ସରକାର କୌଣସି ଆକ୍ରୋଶ ବା ଦମନମୂଳକ ପଦକ୍ଷେପ ନେଇ ପାରିବେ ନାହିଁ। ନ୍ୟାୟଳୟ ପକ୍ଷରୁ ପୂର୍ବରୁ ବିଭିନ୍ନ ରାୟରେ ଏକଥା ସ୍ପଷ୍ଟ କରାଯାଇଛି।
ବର୍ତ୍ତମାନ ଗଣମାଧ୍ୟମ ଜଗତରେ ବିବିଧତା ଆସିଛି। ପ୍ରିଣ୍ଟ ଓ ଇଲେକଟ୍ରୋନିକ ମିଡିଆ ପରେ ସୋସିଅ।ଲ ମିଡିଆରେ ସାମ୍ବାଦିକତା ଏକ ନୂଆ ଟ୍ରେଣ୍ଡ। ସାଧାରଣ ଭାବେ ଖବରକୁ ଅନୁସନ୍ଧାନଧର୍ମୀ, ଘଟଣାଧମୀ ସାଧାରଣ ଖବର, ସମୀକ୍ଷା, ସ୍ତମ୍ଭ ଓ ଫିଚର ଭାବେ ବିଭକ୍ତ କରାଯାଏ। ଅନୁରୂପ ଭାବେ ଡେକ୍ସ ଓ ଫିଲଡ ରିପୋଟିଂ ଭଳି ଭିନ୍ନ ଭିନ୍ନ ବ୍ୟବସ୍ଥା କାର୍ଯ୍ୟ କରିଥାଏ। ଏହି ପୃଷ୍ଠଭୂମିରେ ସରକାର ଗଣମାଧ୍ୟମ ବ୍ୟବସ୍ଥା ଉପରେ 'ଡିଭାଇଡ ଆଣ୍ଡ ରୁଲ' ନୀତିରେ ପାର୍ଥକ୍ୟ ରେଖା ଟାଣିବା ଚିନ୍ତାଜନକ। ଅଧିସ୍ବୀକୃତି (ଅ।କ୍ରିଡିସନ) ବ୍ୟବସ୍ଥାକୁ ନଜିର ଭାବେ ନିଆଯାଉ। ଅନେକ ସାମ୍ବାଦିକ ବୃତ୍ତିରେ ନିୟୋଜିତ ଥିବା ବେଳେ "ସୀମିତ ଅଧିସ୍ବୀକୃତି" ବ୍ୟବସ୍ଥାରେ ସୀମିତ ଖବରଦାତାଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ଅଣଦେଖା କରାଯାଉଛି। ସାମାଜିକ ଗଣମାଧ୍ୟମ ସାମ୍ବାଦିକତା ଉପରେ କାହାରି ନଜର ନାହିଁ। ସରକାରୀ ବିଜ୍ଞାପନ ଦେବାରେ ପାତରଅନ୍ତର କରାଯାଉଛି। ଦୀପତଳ ପରି ଗଣମାଧ୍ୟମ ଜଗତର ବହୁ ଅକୁହା କଥା ଅନ୍ଧାରରେ ଲୁଚି ରହିଛି। ନା କେହି ଦେଖୁଛି ନା ଜାଣୁଛି। ଖବର ପଛରେ ଧାଉଁଥିବା "ହାଉଁ" ବାଘର ପ୍ରକୃତ ସ୍ବାଧୀନତା ଓ ସୁରକ୍ଷା ବାଜିରେ ଲାଗି ପ୍ରଶ୍ନଚିହ୍ନରେ ଲାଖି ରହିଛି। ଆଉ କେତେଦିନ ଏମିତି ଚାଲିବ ଓ ଗଣତନ୍ତ୍ରର ଗତି କୁଆଡେ ଦେଖିବା କଥା !!
*******