STORYMIRROR

Upendra prasad Mahala

Inspirational Thriller Others

3  

Upendra prasad Mahala

Inspirational Thriller Others

ପାପ

ପାପ

7 mins
193


ଦୀର୍ଘଦିନ ଡାକ୍ତରଖାନାରେ ପଡି ରହିବା ସତ୍ତ୍ବେ ରୋଗ ଭଲ ନ ହେବାରୁ ଡାକ୍ତରମାନେ ପ୍ରାଣବନ୍ଧୁଙ୍କ ବଞ୍ଚିବା ଆଶା ଛାଡିଦେଲେ । ପରିବାର ଲୋକଙ୍କୁ ଡାକି କହିଲେ, " ତାଙ୍କୁ ଘରକୁ ନେଇଯାଅ । ସେ ଭଲ ହେବେ ନାହିଁ।" 


ପରିବାରବର୍ଗ ନିରୂପାୟ ହୋଇ ତାଙ୍କୁ ଘରକୁ ନେଇ ଆସିଲେ । ମରଣ ଶଯ୍ୟାରେ ଆଣି ଶୁଆଇ ଦେଲେ । ସବୁଦିନ ଲାଗି ବିଶ୍ରାମ ଖୋଜୁ୍‌ଥିବା ପ୍ରାଣବନ୍ଧୁଙ୍କର ମୃତ୍ୟୁ ହେଉ ନ ଥିଲା । ଦିନ ପରେ ଦିନ ଗଡି ଚାଲିଲା । ଶେଯରେ ମୁର୍ଦ୍ଦାର ଭଳି ପଡି ରହିଥିବା ପ୍ରାଣବନ୍ଧୁ ମନେମନେ ହାତ ଯୋଡି ଭଗବାନଙ୍କୁ ମୃତ୍ୟୁଭିକ୍ଷା କରୁଥିଲେ। ଆଖିରୁ ବୋହି ଯାଉଥିଲା ଧାର ଧାର ଲୁହ । ବଞ୍ଚିବାର ଆଶା କି ମୋହମାୟା ନ ଥିଲା । ମୃତ୍ୟୁକାମୀ ଆତ୍ମା ଶରୀର ଛାଡି ଶୂନ୍ୟକୁ ଉଡିଯିବାକୁ କାତର ହେଉଥଲା । 


ପରିବାର ଓ ଆତ୍ମୀୟ ସ୍ବଜନ ଆଗରୁ ପ୍ରାଣବନ୍ଧୁଙ୍କ ଆରୋଗ୍ୟ କାମନା କରି କେତେ ଦିଅଁ ଦେବତା ପୁଜାପୂଜି କରିଥିଲେ । ଲୁହ ଢାଳିଥିଲେ । କ୍ରମେ ସ୍ଥିତି ବଦଳି ଗଲା । " ଯନ୍ତଣାକାତର ଜୀବନ ଭୋଗ କରିବାଠାରୁ ମୃତ୍ୟୁ ଶ୍ରେୟସ୍କର । ଏଭଳି ଭାବି ତାଙ୍କର ମୃତ୍ୟୁ ଶୀଘ୍ର ହେଉ ଓ ଆତ୍ମା ମୁକ୍ତି ପାଉ ବୋଲି ସେମାନେ ପ୍ରାର୍ଥନା କଲେ । କିନ୍ତୁ ପ୍ରାଣବନ୍ଧୁଙ୍କ ନିଃଶ୍ବାସ ପ୍ରଶ୍ବାସ ବନ୍ଦ ହେଉ ନ ଥିଲା । 


ଲୋକେ ବିଚାରୁଥିଲେ, " କେଉଁ ଜନମରେ କି ଅଘୋର ପାପ କରିଥିଲେ କେଜାଣି, ମୃତ୍ୟୁ ଶଯ୍ୟାରେ ଝାଡ଼ାମୂତ କରି ଘାଣ୍ଟି ହେଉଛନ୍ତି ! ଦଣ୍ଡ ଭୋଗ ଶେଷ ନ ହେବା ଯାଏ ହୁଏତ ମୃତ୍ୟୁ ଆସିବନି ।" 


ଏମିତି କିଛି ଦିନ ବିତିବା ପରେ ପରିବାର ଓ ଆତ୍ମୀୟ ସ୍ବଜନଙ୍କ ମନକୁ ଘୃଣା ଭାବ ଆବୋରି ବସିଲା । ହୃଦୟର ଦରଦୀ ଭାବନା, ପ୍ରେମ, ଆତ୍ମୀୟତା ଓ ସହାନୁଭୂତି କୁଆଡେ ଉଭେଇ ଗଲା । ବିଚରା ପ୍ରାଣବନ୍ଧୁଙ୍କୁ ଅର୍ଦ୍ଧମୃତ ଭାବି ସମସ୍ତେ ତାଙ୍କଠାରୁ ଦୂରେଇ ଯିବାକୁ ବସିଲେ । କେତେକ ହିତାଙ୍କାକ୍ଷୀ ପୁରୋହିତ ଡାକି ହରିବଂଶ ଓ ଭାଗବତ ପାଠର ଆୟୋଜନ କଲେ।


କଥିତ ଅଛି ଯେ, ମରଣ ବେଳେ ହରିବଂଶ ତଥା ଭାଗବତ କଥା ଶୁଣିଲେ ଆତ୍ମା ମୁକ୍ତି ପାଇଥାଏ । ଜନ୍ମରୁ ଶରୀର ସହ ଆତ୍ମା ଜଡିତ । ସାଇକେଲ ଚଳାଉଥିବା ଆରୋହୀ ପରି ଏକ ଅଦୃଶ୍ୟ ଭାରସାମ୍ୟ ଦେହକୁ ଧରି ରଖିଥାଏ । ଅନ୍ୟପକ୍ଷେ ଗଭୀର ଆସ୍ଥା ବା ଭାରସାମ୍ୟ ଆତ୍ମାକୁ ଶରୀର ସହ ବାନ୍ଧି ରଖେ । ଆତ୍ମା ଶରୀର ତ୍ୟାଗ ନ କଲା ଯାଏ ମୃତ୍ୟୁ ଆସିବା ଅସମ୍ଭବ । ଦୁର୍ଘଟଣା, ହିଂସା,ଆତ୍ମହତ୍ୟା ଓ ବଜ୍ରପାତ ଭଳି ପ୍ରାକୃତିକ ଆପାଦରେ ଯେଉଁ ମଁତ୍ୟୁ ଘଟେ, ତାହା ଅସ୍ବାଭାବିକ । ଏହା ସ୍ବାଭାବିକ ମୃତ୍ୟୁର ବିପରୀତ । ଏଣୁ ଆତ୍ମ ସାକ୍ଷତକାର ବିନା ଆତ୍ମାକୁ ଶରୀରଠାରୁ ଭିନ୍ନ କରିବା ସହଜ ନୁହେଁ । ପ୍ରକୃତରେ " ଦଣ୍ଡ ନିମିଷେ ଥିଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ ।"


ଉଭୟ ଶରୀର ଓ ଆତ୍ମାର ପୀଡା ସହୁଥିବା ବ୍ୟକ୍ତି ବାସ୍ତବରେ ଜୀବନ ଥାଇ ବି ମରି ସାରିଥାଏ । ଏପରି ବ୍ୟକ୍ତି ଥରେ ନୁହେଁ, ଜୀବନରେ ବହୁବାର ମୃତ୍ୟୁବରଣ କରେ, ଯେମିତି ପ୍ରାଣବନ୍ଧୁ ପ୍ରତି ମୁହୂର୍ତ୍ତରେ ମରୁଥିଲେ ଓ ବଞ୍ଚୁଥିଲେ । 

ବିଚିତ୍ର ଏ ଜୀବନ ! ଯେଉଁଠି ମୃତ୍ୟୁ ବି ପ୍ରାଣବନ୍ଧୁଙ୍କ ଲାଗି ଥିଲା ବହୁ ଦୂରନ୍ତ ଇଲାକା ।


ପ୍ରାଣବନ୍ଧୁଙ୍କ ପୁଅଝିଅ ଏଭଳି ଅବସ୍ଥା ଦେଖି ତାଙ୍କ ଲାଗି ଇଛାମୃତ୍ୟୁ ଅନୁମତି ପାଇବା ସକାଶେ ଦେଶର ମହାମହୀମ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖିଲେ । ଏ ଖବର ଗଣମାଧ୍ୟମରେ ବିଜୁଳି ବେଗରେ ଖେଳିଗଲା । ପ୍ରାଣବନ୍ଧୁଙ୍କ ଘର ଆଗରେ ପୁଣି ଭିଡ଼ ଜମିଲା । ଜଣେ ମଣିଷ ଜୀବନରେ ଏମିତି ଦୁର୍ଭାଗ୍ୟ ଆସିବା ନର୍କଦଣ୍ଡଠାରୁ ବଳି। କୁହାଯାଏ, ମୃତ୍ୟୁ ପରେ ବି ଅତୃପ୍ତ ଆତ୍ମା ସମାଧି ସ୍ଥଳ ଛାଡି ଯାଏନି । ଅଥଚ ପ୍ରାଣବନ୍ଧୁ ଇଛାମୃତ୍ୟୁ ଚାହୁଁଥିଲେ ବି ମୁକ୍ତି ମିଳୁ ନ ଥିଲା । 


ଶୋଇପଡିବା ବେଳେ ବିଭିନ୍ନ ଦୁଃସ୍ବପ୍ନ ଦେଖୁଥିଲେ ପ୍ରାଣବନ୍ଧୁ । ଜାଗ୍ରତ ଅବସ୍ଥାରେ ଦେହ ଯନ୍ତ୍ରଣା ସହି ନ ପରି ଚିତ୍କାର କରୁଥିଲେ । ବିକଟାଳ ରୂପଧାରୀ ଯମଦୂତମାନେ ଚାରିପାଖରେ ତାଙ୍କୁ ଘେରି ବସିଥିବା ସେ ଅନୁଭବ କରୁଥିଲେ । ଅଥଚ ତାଙ୍କ ଆତ୍ମାକୁ କେହି ନେଉ ନ ଥିଲେ । ଅସହ୍ୟ ପୀଡାରେ ଷଢୁଥିଲା ତାଙ୍କ ଶରୀର । 


ଜଣେ ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତି ତାଙ୍କୁ ଦେଖିବାକୁ ଆସିଥିଲେ । ସେ କହିଲେ, " ପ୍ରାଣବନ୍ଧୁ ତୁମେ କିଛି ପାପ କରି ଗୋପନ ରଖି ନାହଁ ତ ? ଯଦି ରଖିଥାଅ କହିଦିଅ । ମୁକ୍ତି ପାଇଯିବ । " କୌଣସି ବ୍ୟକ୍ତି ଦୁର୍ଘଟଣାବଶତଃ ଚେତନ ଶକ୍ତି ହରାଇ କୋମାକୁ ଚାଲିଯାଇ ଦୀର୍ଘଦିନ ମୃତବତ ଜୀବିତ ରହିଲେ, ତାଙ୍କୁ ଇଛାମୃତ୍ୟୁ ଅନୁମତି ଦେବାର ଆଇନଗତ ବ୍ୟବସ୍ଥା ରହିଛି। କିନ୍ତୁ ଚେତନ ଶକ୍ତି ଥିବା ବ୍ୟକ୍ତିଙ୍କୁ ଏହି ଅନୁମତି ମିଳିବା କଷ୍ଟସାଧ୍ୟ ।


ପାପ ଜୀବନରେ ଏମିତି କର୍ମ ଯାହାକୁ ମଣିଷ ଜାଣିଶୁଣି ଦୀର୍ଘଦିନ ଗୋପନ ରଖିଥାଏ । ମନରେ ପାପବୋଧର ବିଚାର ପାପର ସ୍ବରୂପକୁ ପରିବର୍ଦ୍ଧିତ କରିଥାଏ। ଅନୁଭବୀ ଓ ବିଚାରବନ୍ତ ବୟସ୍କ ବ୍ୟକ୍ତିଜଣଙ୍କ ପାପକର୍ମ ସ୍ବୀକାରୋକ୍ତି ସମ୍ପର୍କରେ ପରାମର୍ଶ ଦେବା ପରେ ଇଛାମୃତ୍ୟୁ ଭିକ୍ଷା କରୁଥିବା ପ୍ରାଣବନ୍ଧୁଙ୍କ ମୁହଁରେ ଉଭୟ ଚିନ୍ତା ଓ ଆଶ୍ବସ୍ତି ଭାବ ଫୁଟି ଉଠିଲା । ଜୀବଦଶାରେ କରିଥିବା ପାପ ଯାହାକୁ ସେ ଲୁଚାଇ ରଖିଥିଲେ, ତାକୁ ପ୍ରକାଶ କରିବା ସେତେ ସହଜ ନ ଥିଲା । ପାଟି ଖୋଲୁ ନ ଥିବାରୁ ସେ କଥା କହିବା ଅବସ୍ଥାରେ ପ୍ରାୟ ନ ଥିଲେ । ମନେ ମନେ ସାହସ ସଂଗ୍ରହ କରି ଭାବିଲେ, ଗୋପନୀୟ ପାପ କହିଦେବା ଠିକ ହେବ । ଅଶାନ୍ତ ହୃଦୟ ଶାନ୍ତ ହେଲେ ଆତ୍ମିକ ବଳ ମିଳିବ ଓ ଆପେଆପେ ପାଟି ଫିଟିଯିବ ।


କଥା କହିବାକୁ ଅସମର୍ଥ ଥିବା ପ୍ରାଣବନ୍ଧୁ ଆଶ୍ଚର୍ଯ୍ୟଜନକ ଭାବେ ଦିନକ ପରେ ବାକ୍ ଶକ୍ତି ଫେରି ପାଇଲେ । ଦେହରେ ଶକ୍ତି ସଞ୍ଚାର ହେଉଥିବା ସେ ଅନୁଭବ କଲେ । ନିଜର ସମସ୍ତ ପାପ ସମସ୍ତଙ୍କ ଆଗରେ ଖୋଲି କହିବାକୁ ଚାହୁଁଥିବା ସେ ପରିବାର ଜନକୁ ଜଣାଇଲେ । 


ଏ ଖବର ପାଇ ଗାଁର ସବୁ ପୁରୁଖା ଲୋକ ଆସି ପ୍ରାଣବନ୍ଧୁଙ୍କ ମୃତ୍ୟୁ ଶଯ୍ୟା ପାଖରେ ପହଞ୍ଚିଗଲେ । ଛୋଟ ପିଲାଙ୍କୁ ତାଙ୍କ ନିକଟକୁ ଛଡା ଗଲାନି । 


ପ୍ରାଣବନ୍ଧୁ କହିଲେ, " ମୁଁ ଅନେକ ଘୋର ପାପ କରିଛି । ଭୋଗ ବିଳାସକୁ ଜୀବନର ସାର୍ଥକତା ଭାବି ଇନ୍ଦ୍ରୀୟ ସୁଖ ଖୋଜି ପଥଭ୍ରଷ୍ଟ ହୋଇଛି । ଅର୍ଥ ପ୍ରତି ମୋହ ମନରେ ଅଧିକ ଧନୀ ହେବାର ଲୋଭ ସୃଷ୍ଟି କରିଥିଲା। ଧନ ସଞ୍ଚୟ ଲାଗି ଅନେକ ଗରିବ ଲୋକଙ୍କୁ ଶୋଷଣ କରି ପାପ କରିଛି । ନାରୀଙ୍କୁ ଭୋଗ୍ୟ ବସ୍ତୁ ବିଚାର କରିବା ମୋ ଜୀବନର ଅନ୍ୟତମ ପାପ ।ଯେଉଁଥ ଲାଗି ଆତ୍ମା ମୁକ୍ତି ପାଇ ପାରୁନି। ମୋତେ ପୁଅ ଭଳି ଆଦର , ସ୍ନେହ କରୁଥିବା ନିଜ ବୃଦ୍ଧା ଶାଶୁଙ୍କୁ ରମଣ କରି ହତ୍ୟା କରିଛି । ଦ୍ବିତୀୟ ବିବାହ ଲାଗି ପ୍ରେମିକା ବୁଦ୍ଧିରେ ପଡି ନିଜ ପତ୍ନୀକୁ ହତ୍ୟା କରି ନଦୀରେ ଭସାଇ ଦେଇଛି । ପୋଲିସକୁ ମିଛ କହି ଓ ଅର୍ଥ ଦେଇ କେସ ରଫାଦଫା କରିଛି । ପଡୋଶୀ ଘରର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ବେଳେ ଏହାକୁ ଦେଖିଥିବା ନାବାଳିକାଙ୍କ ସାନଭାଇ ଓ ପୀଡିତାଙ୍କୁ ହତ୍ୟା କରି ଜଙ୍ଗଲରେ ପୋଡି ଦେଇଛି । ଅର୍ଥ ଓ ଚତୁରପଣରେ ଅହଂକାରରେ ବଶବର୍ତ୍ତୀ ହୋଇ ସମସ୍ତ ଅପରାଧିକ କାର୍ଯ୍ୟକୁ ଚାପି ସମାଜରେ ନେତା ସାଜି ଅନୈତିକ ଭାବେ ବହୁ ସମ୍ପତ୍ତି ଅର୍ଜିତ କରିଛି । "


ମୋ ପିଲାଦିନେ ଗାଁରେ ଏଭଳି ଏକ ପାପର ସ୍ବୀକାରୋକ୍ତି ଘଟଣା ନିଜ ଆଖିରେ ଦେଖିଥିଲି। ମୃତ୍ୟୁ ଶଯ୍ୟାରେ ପଡିଥିବା ଜଣେ ଘରଜ୍ବାଇଁ ନିଜ ଶାଶୁଙ୍କ ସହିତ ସହବାସ କରିବା ଘଟଣା କହିବା ପରେ ତାଙ୍କ ଆତ୍ମା ଶରୀର ଛାଡିଥିଲ। । ଅନୁରୂପ ପ୍ରାଣବନ୍ଧୁ ଲୁହଭରା ଆଖିରେ ନିଜ ଘୃଣ୍ୟ କୃତକର୍ମ କଥା କହିବାର ଅଳ୍ପ ସମୟ ମଧ୍ୟରେ ମୃତ୍ୟୁବରଣ କରିଥିଲେ ।


ମଣିଷ ଜୀବନରେ ପାପପୁଣ୍ୟର ବିଚାର ଜମଲୋକରେ ହୁଏ ବୋଲି ଅନେକ କହନ୍ତି । ପୁରାଣଶାସ୍ତ୍ରରେ ଜମଦଣ୍ଡ- ବିଭୀଷିକାର ଭୟାନକ ବର୍ଣ୍ଣନା ରହିଛି । କିନ୍ତୁ କୃତକର୍ମର ଫଳ ମୃତ୍ୟୁ ପୂର୍ବରୁ ଭୋଗ କରିବାକୁ ପଡେ ବୋଲି ଅନେକ କହନ୍ତି । ପାପାଚାର ଓ ଅପରାଧର ପରିଣତି ଜାଣି ମଧ୍ୟ ଦୁଷ୍ଟ ପ୍ରକୃତିର ଲୋକେ ଅପରାଧ କରିବା ଛାଡୁ ନାହାନ୍ତି । ଦିନକୁ ଦିନ ସମାଜରେ ସାଂଘାତିକ ପାପାଚାର, ଦୁର୍ନୀତି ଓ ଅପରାଧ ବଢି ଚାଲିଛି ।


ସାମ୍ପ୍ରତିକ ସମୟରେ ମୃତ୍ୟୁ ଚେତନା ଦ୍ବାରା ଉଣା ଅଧିକ ଲୋକେ ପୀଡିତ । ମାନସିକ ଅବସାଦଗ୍ରସ୍ତ । ସାହିତ୍ୟରେ ମୃତ୍ୟୁଚେତନାର ବିଷାଦ ଶବ୍ଦରେ ଅନେକ ରଂଗ ମାଖିଦିଏ। ମୃତ୍ୟୁ ପରେ ଜୀବନ ଅଛି କି ନାହିଁ ବିତର୍କର ବିଷୟ। ମୃତ୍ୟୁପର ଜୀବନ ବିଷୟରେ ଆଧ୍ୟାତ୍ମବାଦୀ ଅନେକ ଅଦଭୂତ, ବିସ୍ମୟକର ତଥ୍ୟ କାହାଣୀ ମାଧ୍ୟମରେ ଦିଅନ୍ତି। ବିଶିଷ୍ଟ ତତ୍ତ୍ବଦର୍ଶୀ ଆଲବର୍ଟ ଆଇନଷ୍ଟାଇନ ମତରେ " ଆମେ ଯଦି ନିଜ ପିଲା ଓ ନୂଆ ପିଢି ମଧ୍ୟରେ ବଞ୍ଚି ରହି ପାରିବା, ତେବେ ମୃତ୍ୟୁ ଏକ ପରିସମାପ୍ତି ନୁହେଁ" ବୋଲି କହି ଯାଇଛନ୍ତି ।


ଜୀବନର ପରିସମାପ୍ତି ମୃତ୍ୟୁ, ଯାହା ଏକ ଧ୍ରୂବ ସତ୍ୟ । ଏକଥା ଜାଣି ମଧ୍ୟ ଅନେକ ଭାବନ୍ତି, ଅନ୍ୟମାନଙ୍କ ଭଳି ସେମାନେ ମରିଯିବେନି । ବାହୁ ଓ ଅର୍ଥ ବଳରେ ଦୁନିଆରେ ସବୁକିଛି ପାଇ ପାରିବେ । ପ୍ରାର୍ଥବ ସୁଖ ଓ ଜାଗତିକ ଦୁନିଆ ଛଡା ମୃତ୍ୟୁଲୋକ ନାହିଁ । ସେସବୁ କଳ୍ପନା ଓ ଅବାସ୍ତବ । ଦୁର୍ବଳ ଉପରେ ଅତ୍ୟାଚାର କରି ସମାଜ ବ୍ୟବସ୍ଥା ଓ ଆଇନ ସହ ଖେଳିବାକୁ ଅଜ୍ଞାନ, ସ୍ବାର୍ଥନ୍ବେଷୀ ଲୋକ ସୁଖ ବୋଲି ଭାବନ୍ତି । ଅହଂକାର ଓ ପାପ ଧନ ସହଜରେ ବଢେ ସିନା ଶୀଘ୍ର ସମୂଳେ ଛିଣ୍ଡି ଯାଏ - ଏ କଥା ଭୁଲି ଯାଆନ୍ତି ।


ଆମ ସାମାଜିକ ଜୀବନରେ ନୈତିକ ଶିକ୍ଷାର ଅଭାବ ପାପ ଓ ଅପରାଧ ବଢାଉଛି। ରୁଗଣ ସମାଜିକ ବ୍ୟବସ୍ଥା ଏଥିଲାଗି ଅନେକାଂଶରେ ଦାୟୀ । କାହାରି ମଧ୍ୟରେ ପାପ ଓ ଅପରାଧବୋଧ ରହୁ ନାହିଁ । ବୁଦ୍ଧିବିଦ୍ୟାର ଦୁରୂପଯୋଗ କରି ବଳବାନ ଲୋକେ ଯାହା ଭାବୁଛନ୍ତି, ତାହା କରୁଛନ୍ତି ।  

       ଆତ୍ମାନୁଭବ ଓ ଆତ୍ମ-ସନ୍ତୋଷର ଅଭାବ ମଣିଷ ମନକୁ ଜରାଗ୍ରସ୍ତ କରୁଛି । ମିଛ କହିବା, ଖାଦ୍ୟ ନଷ୍ଟ କରିବା, ଗର୍ବ କରିବା ଓ ଅମାନବୀୟ ଆଚରଣ ପ୍ରଦର୍ଶନ ଗୋଟିଏ ଲେଖାଏ ମହାପାପ । ଏହାକୁ ଲୋକେ ବୁଝିବା ଅବସ୍ଥାରେ ନାହାନ୍ତି । ସହଜ ଭାବରେ କହିବାକୁ ଗଲେ ନୈତିକତା ଓ ଈଶ୍ବର ବିରୋଧୀ କାର୍ଯ୍ୟ ହିଁ ପାପ । ପାପ ହିଁ ବ୍ୟକ୍ତିକୁ ଅପରାଧୀ ସଜାଏ। ବ୍ୟକ୍ତି ଜୀବନରେ "ପାପ " ସଂସାରର ବିଷ ଫଳ ସଦୃଶ ।


ପାପ ଓ ଅପରାଧ ମଧ୍ୟରେ ସମାନତା ଥିଲେ ବି ପ୍ରାର୍ଥକ୍ୟ ଅନେକ। ପ୍ରତ୍ୟେକ ଅପରାଧ ଏକ ପାପ । କିନ୍ତୁ କେତେକ ପାପକୁ ଅପରାଧ ଧରାଯାଏ ନାହି । ସବୁ ଅପରାଧ ଏକପ୍ରକାର ନୁହେଁ । ଏଥିଲାଗି ଆଇନରେ ଭିନ୍ନ ପ୍ରକାରର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ମିଛ କହିବା ମହାପାପ ବିବେଚିତ ହେଉ ଥିଲେ ବି ଏଥିଲାଗି ଦଣ୍ଡ ଦେବା ବ୍ୟବସ୍ଥା ନାହିଁ । ଜୀବହତ୍ୟା ମହାପାପ । କିନ୍ତୁ ସୀମାନ୍ତରେ ଲଢେଇ ବେଳେ ସୈନ୍ୟମାନେ ଶତ୍ରୁକୁ ହତ୍ୟା କରିବା ପାପ ବା ଅପରାଧ ନୁହେଁ । 


ତ୍ରେତୟା ଯୁଗର ପୁରାଣ କାହାଣୀର ଏକ ଦୃଷ୍ଟାନ୍ତ ଦେଖନ୍ତୁ। ବ୍ରହ୍ମର୍ଷି ଜମଦଗ୍ନିଙ୍କ ଆଦେଶ ପାଳନ କରି ଭଗବାନ ପର୍ଶୁରାମ ତାଙ୍କ ମାତାଙ୍କ ମୁଣ୍ଡକୁ ଏକ ପରଶୁରେ କାଟି ଦେଇଥିଲେ। ପିତା ଜମଦଗ୍ନି ଏଥିଲାଗି ଏକ ବର ଯାଚିଥିଲେ । ଚତୁର ପର୍ଶୁରାମ ତାଙ୍କ ମାତାଙ୍କ ଜୀବନ ବର ସ୍ବରୂପ ମାଗି ନେଇଥିଲେ । ଚିରଞ୍ଜୀବୀ ବରପ୍ରାପ୍ତ ପର୍ଶୁରାମ ଓଡ଼ିଶାର ଗଞ୍ଜାମ ଜିଲାସ୍ଥିତ ମହେନ୍ଦ୍ର ଗିରିରେ ତପସ୍ୟାମଗ୍ନ ଅବସ୍ଥାରେ ଅଦୃଶ୍ୟରେ ଅବସ୍ଥାନ କରୁଥିବା କୁହାଯାଏ । କଳକୀ ଅବତାରୀ ଭଗବାନଙ୍କ ଗୁରୁ ରୂପେ ସେ କାର୍ଯ୍ୟ କରିବେ ବୋଲି ବର୍ଣ୍ଣନା ରହିଛି । ପିତାଙ୍କ  ଆଦେଶ ପାଳନ କରି ପର୍ଶୁରାମ କରିଥିବା ହତ୍ୟା ତାଙ୍କ ଲାଗି ଦୋଷାବହ ନ ଥିଲା । କିନ୍ତୁ ଉଦ୍ଦେଶ୍ୟମୂଳକ କାହାକୁ ହତ୍ୟା କରିବା ଏକ ଜଘନ୍ୟ ଅପରାଧ । 

ସାଂପ୍ରତିକ ସମୟରେ ଅପରାଧର ସଂଜ୍ଞା ଓ ତରିକା ବଦଳି ଯାଇଛି । ସମାଜ ଜୀବନରେ ନୂଆ ନୂଆ ଅପରାଧ ସଂଘଟିତ ହେଉଛି। ସେହି ଅନୁପାତରେ ଆଇନ ବ୍ୟବସ୍ଥା ସଂଶୋଧିତ ହେଉଛି । ଆମ ଦେଶରେ ଇଂରେଜ ଅମଳର ପୁରୁଣା ଆଇନ ଅପରାଧ ମୁକାବିଲାରେ ବହୁ ପଛୁଆ । ଶିକ୍ଷାନୁଷ୍ଠାନରେ ନୈତିକ ଶିକ୍ଷାର ଅଭାବ ସମାଜ- ଜୀବନକୁ ଅପରାଧବୋଧରୁ ଦୂରେଇ ନେଉଛି। ପାପାଚାର ରୋକିବା ଲାଗି ଆଇନ ବା ଅନୁଶାସନଗତ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ନାହିଁ, ଯାହା ଫଳରେ ପାପାଚାର ଓ ଅପରାଧପ୍ରବଣତା ବଢି ଚାଲିଛି । ପ୍ରକୃତ କଥା ହେଲା ମୃତ୍ୟୁ ପରେ ଜିଇବାକୁ ଚାହୁଁ ନ ଥିବା ବ୍ୟକ୍ତି କାଳର ମହାସ୍ରୋତରେ କୁଆଡେ ଯେ ହଜିଯାଉଛନ୍ତି, ତାହାର ହିସାବ କେହି ରଖୁନି । କିନ୍ତୁ ମୃତ୍ୟୁପୂର୍ବରୁ ସେମାନେ ଯେଉଁ ବିଷମଞ୍ଜି ବୁଣି ଯାଉଛନ୍ତି, ପରବର୍ତ୍ତୀ ପିଢି ତାହାର ପରିଣାମ ଭୋଗୁଛନ୍ତି।

ଏ ପରିକି ପରଲୋକରେ ସୁଖପ୍ରାପ୍ତି ଆଶା ରଖି କେତେକ ପାପୀ ଯେଭଳି ଜଘନ୍ୟ ଅପରାଧ ଘଟାଉଛନ୍ତି, ତାହାଠାରୁ ବିସ୍ମୟ ଏ ସଂସାରରେ କିଛି ନାହିଁ।

*******



Rate this content
Log in

Similar oriya story from Inspirational