STORYMIRROR

Upendra prasad Mahala

Tragedy Inspirational Others

3  

Upendra prasad Mahala

Tragedy Inspirational Others

ଗୁଣରେ ଖୁଣ

ଗୁଣରେ ଖୁଣ

6 mins
200


ସୁବାସଙ୍କ ଉଦାସ ମୁହଁକୁ ଚାହିଁ ପାରିଲାନି ଲାବଣ୍ୟା। ତାଙ୍କ ଆଖିରେ ଜହକି ଆସୁଥିଲା ଲୁହ। ସ୍ବର୍ଗଦ୍ବାରରେ ଜେଜେଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ପରଠାରୁ ମନରେ ଦମ୍ଭ ନ ଥିଲା କି ଦେହରେ ବଳ ନ ଥିଲା। ଭାଂଗି ପଡିଥିଲା ଆତ୍ମ ଅଭିମାନ ଓ ଟାଣୁଆ ପଣ। ଦାଣ୍ଡ ପିଣ୍ଢାରେ ଏକାନ୍ତରେ ବସି ଅତୀତର ସ୍ମୃତି ସବୁକୁ ମନେ ପକାଉଥିଲେ। 


ପତ୍ନୀ ଲାବଣ୍ୟା ସୁବାସଙ୍କ ଶୋକାକୁଳ ଅବସ୍ଥା ଦେଖି ପାଖକୁ ଆସି ଆଶ୍ବ।ସନା ଦେଲେ। ପିନ୍ଧା ପଣତ କାନିରେ ଆଖିରୁ ଲୁହ ପୋଛି ଦେଲେ। 


ସୁବାସ ଜାଣନ୍ତି ଏ ଲାବଣ୍ୟା ଜେଜେଙ୍କ ଦାନ। ତାଙ୍କ ମୃତ୍ୟୁରେ ସେ ଅଧିକ ଭାଂଗି ପଡିଛନ୍ତି। ଅଥଚ ମନର ଦୁଃଖ ଓ ଆଖିର ଲୁହକୁ ଲୁଚାଇ ପାଖକୁ ଆସି ଆଶ୍ବାସନା ଦେଉଛନ୍ତି। 


ମାଇନର ସ୍କୁଲରେ ପଢୁଥିବା ବେଳେ ସୁବାସଙ୍କ ବାପା ଓ ବୋଉ ଏକ ସଡକ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ। ବାପା ମା' ଛେଉଣ୍ଡ ସୁବାସଙ୍କୁ ଜେଜେ ଦିଗାମ୍ବର ଦାସ ଲାଳନ ପାଳନ କରିଥିଲେ। ନିଜର ସ୍ବଳ୍ପ ପୈତୃକ ବିଲବାଡିରେ ଚାଷ କାମ କରି ବହୁକଷ୍ଟରେ ସୁବାସଙ୍କୁ ପାଠ ପଢାଇ ଗ୍ରାଜୁଏଟ କରିଥିଲେ। ପଢା ଖର୍ଚ୍ଚ ସାଙ୍ଗକୁ ପିନ୍ଧା ଲୁଗାପଟା ଓ ପ୍ୟାଣ୍ଟ ଶାର୍ଟ କିଣି ଦେବାରେ କେବେ ହେଳା କରି ନ ଥିଲେ। ବାପା ବୋଉଙ୍କ ଅଭାବ ଅନୁଭବ କରିବାକୁ ଦେଇ ନ ଥିଲେ। କିଛି ଭୁଲ ନିଷ୍ପତ୍ତି ନେଲେ ଯେମିତି କାନ ମୋଡି ଶାସନ କରୁଥିଲେ, ସେମିତି ସ୍ନେହ କରୁଥିଲେ। ଆଗକାଳରେ ମାଇନର ଯାଏ ପଢିଥିବା ଜେଜେ ଇଂଲିଶରେ ଭଲ ଲେଖିପଢି ପାରୁଥିଲେ। ବୟସ ଚାପରେ ନଇଁ ପଡିଥିଲେ ବି ସେ ଥିଲେ ଲୁହା ପରି ଟାଣ ଓ ମଜବୁତ ମଣିଷ। ହେଲେ ଭିତରାଟା ଭାରି ନରମ।


ସଂସାରର ସବୁ ଆଦବ କାଏଦା ଓ ରୀତିନୀତି ତାଙ୍କୁ ଜଣା। କଥା ଛଳରେ ଅନ୍ୟକୁ ବିଭିନ୍ନ ନୀତି ବାଣୀ ଶୁଣାଉଥିଲେ। ସଂସ୍କୃତ ଶ୍ଳୋକ ଓ ଢଗଢମାଳି କହି ଚକିତ କରି ଦେଉଥିଲେ। ସେ କହୁଥିଲେ, " ମୁଁ ଦିଗାମ୍ବର ଦାସ। ସଂସାର କଥା ମୋତେ ଅଜଣା ନାହିଁ। ଚଣ୍ଡିପାଠରୁ ଜୋତା ସିଲାଇ ଯାଏ କାମ ଶିଖିଛି। ଇଂରେଜ ଶାସନ ବେଳେ ବାନର ସେନାରେ ଯୋଗ ଦେଇଥିଲି। କେହି ମୋତେ ସଂଗ୍ରାମୀ ନ କହନ୍ତୁ, ସାମାଜିକ ଜୀବନରେ ମୁଁ ଆଗ ଧାଡିର ଯୋଦ୍ଧା।"


ନିଜ ମା' ବାପ ଓ ପରିଜନଙ୍କଠାରୁ ଶିଖିଥିବା ନୀତି ନିୟମକୁ ମାନି ସେ ଚଳୁଥିଲେ। ନ୍ୟାୟ ସଂଗତ ଭାବେ ବଞ୍ଚି ଅନ୍ୟକୁ ବଞ୍ଚିବା ସୁଯୋଗ ଦେବା ସକାଶେ ସମସ୍ତଙ୍କୁ ପ୍ରରୋଚିତ କରୁଥିଲେ। ଗ୍ରାମ୍ୟ ଜୀବନ ସହ ନିଜକୁ ସାମିଲ କରି ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ସଭା ସମିତିରେ ନ୍ୟାୟନିଶାପ କରୁଥିଲେ। ଆଖପାଖ ପାଞ୍ଚଖଣ୍ଡ ଗାଁରେ ତାଙ୍କର ସୁନାମ ଥିଲା।


ପୁଅବୋହୂଙ୍କୁ ଅକାଳରେ ହରାଇବା ସତ୍ତ୍ବେ ଭାଂଗି ନ ପଡି ମନକୁ ଶକ୍ତ କରିଥିଲେ। ସେମାନଙ୍କ ଅଧୁରା ସ୍ବପ୍ନ ପୂରଣ କରିବାକୁ ଲାଗି ପଡିଥିଲେ। ନିଜେ ଆତ୍ମନିର୍ଭରଶୀଳ ହୋଇ ଚଳିବା ସକାଶେ ସବୁ ଘରକରଣା ଜିନିଷ ହାତରେ ତିଆରି କରୁଥିଲେ। ତିନୋଟି ଗାଈ ଓ ପାଞ୍ଚଟି ଛେଳି ଘରେ ପାଳି ଯତ୍ନ ନେଉଥିଲେ।


ଦିଗାମ୍ବର ଜାଣିଥିଲେ ସଂସାର ପାଠ ବଡ କଠିନ। ସ୍କୁଲ, କଲେଜରେ ଯେତେ ପଢିଲେ ବି ସଂସାର ପାଠ ପାଖରେ ହାରିଯିବାକୁ ପଡେ। ସଂସାର ଏମିତି ଏକ ବିଦ୍ୟା ଯାହା ବହିରେ ପଢା ହୁଏନି। ଅନୁଭବ ଓ ଅଭିଜ୍ଞତାରୁ ଶିଖିବାକୁ ପଡେ। ବାସ୍ତବ ଜୀବନରେ ଦିଗାମ୍ବର ଥିଲେ ଅନୁଭବୀ ମଣିଷ। ଜ୍ଞାନର ଅଭାବ ନ ଥିଲା। ସବୁ ବିଦ୍ୟା ଓ କଳା ହାସଲ କରିଥିଲେ।


ସୁବାସ ବି.ଏ. ପାଶ କରିବା ପରେ ତାକୁ ଶୀଘ୍ର ବାହା କରାଇ ଦାୟିତ୍ବରୁ ମୁକ୍ତ ହେବାକୁ ଚାହୁଁଥିଲେ ଦିଗାମ୍ବର। କୌଣସି ଜାଗାରୁ ପ୍ରସ୍ତାବ ଆସିଲେ ସଠାକୁ ଯାଇ ଝିଅ ଦେଖି ଫେରୁଥିଲେ।


ଦିଗାମ୍ବର ରକ୍ଷଣଶୀଳ ମନେ ହେଉଥିଲେ ବି ବଦଳୁଥିବା ସମୟକୁ ବୁଝୁଥିଲେ। ଆଗ କାଳରେ ବିବାହ ପୂର୍ବରୁ ପୁଅଝିଅ ପରସ୍ପରକୁ ଦେଖିବାର ସୁଯୋଗ ପାଉ ଥିଲେ। ମା' ବାପା ଯାହାକୁ ବାଛୁଥିଲେ ତାକୁ ପୁଅ ବା ଝିଅର ଜୀବନସାଥୀ ସଜାଉ ଥିଲେ। ଦିଗାମ୍ବର ଆଗ ପାତ୍ରୀ ଦେଖି ଆସିବା ପରେ ନାତି ସୁବାସଙ୍କୁ ସେଠାକୁ ପଠାଉଥିଲେ। ସେ କହୁଥିଲେ, " ବାବୁରେ ଯା' ଝିଅ ଦେଖି ଆସିବୁ। ଆଖିକୁ ସୁନ୍ଦର ଦିଶୁଥିବା ଝିଅ ଦେଖି ଭଳି ଯିବୁନି। ଗୁଣରେ କିଛି ଖୁଣ ଥିବା ପାତ୍ରୀ ବାଛିବୁ। ସେଭଳି ପାତ୍ରୀ ଭଲ ଜୀବନସାଥୀ ହୋଇ ପାରିବ। " 


ଥରେ ଚାଷ କାମ ଲାଗି ବଳଦ କିଣିବାକୁ ସୁବାସଙ୍କୁ ସାଥିରେ ନେଇ ଗୋରୁ ହାଟକୁ ଯାଇଥିଲେ। ସେ କହିଥିଲେ, ଭଲକରି ବଳଦ ଦେଖ। ଖାଲି ଡଉଳ ଡାଉଲ ଦିଶିଲେ ଚଳିବନି। କିଛି ଖୁଣ ଥିବା ଦରକାର। ନ ହେଲେ ହଳ କଲାବେଳେ ବିଲରେ ଶୋଇବ। ଲଙ୍ଗଳ ଟାଣିବନି।"


ସୁବାସ ପଚାରିଥିଲା, " ଜେଜେ ଗୁଣରେ ଖୁଣ ମାନେ କ'ଣ ?" ଜେଜେ ଖୁଣର ଅର୍ଥ ବୁଝାଇବା ବେଳେ ହାଟରେ ଅନେକ ବଳଦ ଦର କସିଥିଲେ। ଶେଷରେ ଗୋଟେ ବଳଦର କାନ "ଗ୍ରହଣ ଦୋଷ"ରୁ ଟିକେ ଖଣ୍ଡିଆ ଥିବା ଦେଖି ତାକୁ କିଣିଥିଲେ।


ସେ ବଳଦର ନାଁ ରଖିଥିଲେ କାଞ୍ଚି। ଧଳାକଳା ମିଶ୍ରିତ ରଂଗର ବଳଦଟି ଦିଗାମ୍ବରଙ୍କର ଅତି ପ୍ରିୟ ଥିଲା। ତାକୁ ତାଲିମ ଦେଇ କେଉଁ ଚକକୁ ଯିବାକୁ ପଡିବ ତା' ନାଁ କହିଦେଲେ ସେଠାକୁ ଚାଲି ଯାଉଥିଲା। ଜେଜେ ତାଙ୍କୁ କାଞ୍ଚି ବୋଲି ଡାକିଦେଲେ ପାଖକୁ ଚାଲି ଆସୁଥିଲା। 


ଦିଗାମ୍ବରଙ୍କ ଭଲ ନାଁ ଡାକ ଥିବାରୁ ସୁବାସଙ୍କ ଲାଗି ବିଭିନ୍ନ ସ୍ଥାନରୁ ବିବାହ ପ୍ରସ୍ତାବ ଆସୁଥିଲା। ଜେଜେଙ୍କ କଥା ମାନି ସୁବାସ ଝିଅ ଦେଖିବାକୁ ଯାଉଥିଲେ ସିନା କାହାକୁ ବାଛିବେ ଜାଣି ପାରୁ ନ ଥିଲେ ! ପ୍ରଥମେ ପ୍ରଥମେ ଝିଅ ଦେଖା ବେଳେ ଲାଜ କରି ସେ କିଛି ପଚାରି ପାରୁ ନ ଥିଲେ। ଓଲଟା ଝିଅଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ। ଥରେ ଜଣେ ଯୁବତୀ ତାଙ୍କୁ ଇଣ୍ଟରଭ୍ୟୁ ନେବା ଭଳି ନାନା ପ୍ରଶ୍ନ କରି ଜୋକ୍ କରିବାରୁ ସେ ହଟହଟା ହୋଇ ଫେରିଥିଲେ। 


ସୁବାସ ଦେଖିବାକୁ ଥିଲେ ସୌମ୍ୟ, ସୁନ୍ଦର। ଚାକିରି କରିଥିବା କିମ୍ବା ସୁନ୍ଦୁରିଆ ଝିଅଟେ ଯୋଟିଲେ ବାହା ହେବାକୁ ଚାହୁଁଥିଲେ। ପୂର୍ବରୁ ନିଜ ଗାଁର ଜଣେ ଝିଅକୁ ମନେ ମନେ ଭଲ ପାଉଥିଲେ। ଏକତରଫା ପ୍ରେମ କଥା ସେ କାହାକୁ କହି ପାରି ନ ଥିଲେ। ଏଭଳି ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ବିଭିନ୍ନ ଆଳ ଦେଖାଇ ସବୁ ବିବାହ ପ୍ରସ୍ତାବକୁ ଭାଂଗି ଦେଉଥିଲେ। 


ଜେଜେ କହୁଥିଲେ, " ଦୂର ବନ୍ଧୁ ସୁନ୍ଦର" ଯାହା ସୁବାସଙ୍କୁ ନାପସନ୍ଦ ଲାଗୁଥିଲା। ନାତି ଟୋକାର ଏଭଳି ଢଂଗ ଦେଖି ଜେଜେ ବରକ୍ତି ପ୍ରକାଶ କରି କହିଥିଲେ, " ତୋ ଦ୍ବାରା କିଛି ହେବନି। କଥା ମାନି ମୋ ପସନ୍ଦର ଝିଅକୁ ବାହା ହୋଇପଡ। ବାହାପାଣି ପଡିଲେ ଆପେ ଭାଗ୍ୟ ଫିଟିଯିବ।" 


ପାଠ ପଢି ଘରେ ବେକାର ବସିଥିବା ସୁବାସଙ୍କ ମନକୁ ଏକଥା ଜମା ପାଉ ନ ଥିଲା। ଗାଁରେ ଘର ଥିବାରୁ ସେମିତି ମନଲାଖି ଝିଅଟେ ମିଳିବା ସମ୍ଭବ ନ ଥିଲା। ପିଠିରେ ବୋଝ ହୋଇ ରହିବା ଭଳି ଝିଅକୁ ବାହା ହେବା ପ୍ରସ୍ତାବକୁ ସେ ଗ୍ରହଣ କରି ପାରୁ ନ ଥିଲେ।


ଏଣେ ବିବାହ କରାଇ ଦେବାକୁ ଅଡି ବସିଥିବା ଜେଜେ ସୁବାସର ଅସ୍ଥିର ମନ ଦେଖି ଶେଷରେ ତା' ଲାଗି ନିଜେ ବାଛିଥିଲେ ଲାବଣ୍ୟାକୁ। ନାଁ ଭଳି ଦେଖିବାକୁ ସେତେ ସୁନ୍ଦର ନୁହେଁ। ଗୋରା ବର୍ଣ୍ଣର ଝିଅଟି। ଉଚ୍ଚତା ପ୍ରାୟ ସାଢ ପାଞ୍ଚ ଫୁଟରୁ କିଛି ବେଶି। ଲମ୍ବା କେଶକାନ୍ତି ଦେହକୁ ମାନେ। ଜେଜେ ଝିଅଟିର ଗୁଣ ଭିତରେ କେଉଁ ଖୁଣ ଦେଖିଲେ କେଜାଣି ତାଙ୍କୁ ସୁବାସଙ୍କ ଜୀବନ ସାଥୀ ସଜାଇ ଦେଲେ। 


ଜେଜେଙ୍କ ନିଷ୍ପତ୍ତିକୁ ଭଲରେ ମାନି ପାରି ନ ଥିଲେ ସୁବାସ। କଥା କାଟି ନ ପାରି ବିବାହ କରିଥିଲେ। କିଛିଦିନ ପରେ ସେ ଚାକିରି ଖୋଜିବା ବାହାନାରେ ସୁରଟ ଯାଉଥିବା କହି ଘରୁ ବାହାରି ଗଲେ। ସୁରଟରେ ପହଞ୍ଚି ଓଡ଼ିଆ ପିଲା ରହୁଥିବା ସ୍ଥାନରେ କିଛିଦିନ ଭୋକ ଉପାସରେ ରହି ପରେ ଏକ ସୂତାକଳରେ କାମ କଲେ। ଟଙ୍କା ରୋଜଗାର କରି ପ୍ରଥମେ କେଇ ମାସ ଘରକୁ ଟଙ୍କା ପଠାଇ ଥିଲେ। ପରେ ଖରାପ ସାଙ୍ଗ ମେଳରେ ପଡି ନିଶା ସେବନ ଆରମ୍ଭ କରିଦେଲେ। ସେଠି ସ୍ବାମୀଙ୍କଠାରୁ ଛାଡପତ୍ର ପାଇଥିବା ଜଣେ ଚାକିରିଜୀବୀ ମହିଳାଙ୍କ ପ୍ରେମ ଫାଶରେ ପଡି " ଲିଭିଂ ଟୁଗେଦର" ଜୀବନ ଶୈଳୀକୁ ଆଦରି ନେଲେ। ଏପରିକି ଜେଜେଙ୍କ ପାଖରେ ରହୁଥିବା ନବବିବାହିତା ଲାବଣ୍ୟା କଥା ମନେ ପକାଉ ନ ଥିଲେ। ଭୁଲିଗଲେ ପଛରେ ଛାଡି ଆସିଥିବା ସଂସାରକୁ।


ସୁବାସ ଚାକିରିକୁ ଯିବା ବଳେ ଲାବଣ୍ୟା ଥିଲେ ଗର୍ଭବତୀ। ପରେ ସେ ପୁତ୍ର ସନ୍ତାନର ଜନନୀ ହେଲେ। ଗାଁରୁ ଜେଜେ ପଠାଇଥିବା ଖବର ପାଇ ମଧ୍ୟ ସୁବାସ ଆସି ନ ଥିଲେ। ଦେହ ଭଲ ନ ଥିବା ବାହାନା କରି ଅଟକି ରହିଥିଲେ।


କିଛଦିନ କଟିଯିବା ପରେ ଦିନେ ସକାଳେ ସୁବାସ ଭଡା ଘର କବାଟ ଖୋଲୁ ଖୋଲୁ ଦୁଆର ମୁହଁରେ ଶୁଖିଲା କାଠ ଭଳି ଦିଶୁଥିବା ପକ୍ବ କେଶଧାରୀ ଜେଜେଙ୍କୁ ଠିଆ ହୋଇଥିବା ଦେଖି ଚମକି ପଡିଲେ। ତାଙ୍କ ପାଟି ଖନି ମାରିଗଲା। ଏହି ସମୟରେ ଘର ଭିତରୁ ଜଣେ ତରୁଣୀ ବାହାରି ଆସି କିଏ ଆସିଛନ୍ତି ବୋଲି ପଚାରିଲା। ଗୋଟିଏ କୋଠରିରେ ଝିଅଟି ସହ ସୁବାସ ରହୁଥିବା ଦେଖି ସବୁକଥା ବୁଝି ଯାଇଥିଲେ ଦିଗାମ୍ବର। ସେଠାରୁ କାନ୍ଦିକାନ୍ଦି ଏକମୁହାଁ ଘରକୁ ଫେରିଥିଲେ। 


କିଛି ଦିନ ପରେ ସୁରଟର ଭଡା ଘରେ ରହୁଥିବା ଝିଅଟି ସୁବାସ ରୋଜଗାର କରିଥିବା ଟଙ୍କାକୁ ଧରି ରାତାରାତି ଚମ୍ପଟ ମାରିଲା। କାନ ନାକ ମୋଡି ହୋଇ ନୀରବ ରହିଲା ସୁବାସ। ଜେଜେ ଓ ଲାବଣ୍ୟାଙ୍କୁ ଭେଟିବାର ନିଷ୍ପତ୍ତି ନେଇ ସେ ସୁରଟ ଛାଡିଲେ। ଘରକୁ ଫେରି ଆସି ଜେଜେଙ୍କ ପାଦ ତଳେ ପଡି " ମୋତେ କ୍ଷମା କର" କହି ମିନତି କଲେ। ଜେଜେ କହିଥିଲେ, " ଯା' ଲାବଣ୍ୟାକୁ କ୍ଷମା ମାଗ । ସେ କ୍ଷମା କରିଦେଲେ ମୋଠରୁ କ୍ଷମା ପାଇଗଲୁ ବୋଲି ଜାଣିବୁ।"


ସୁବାସ ଲାବଣ୍ୟାକୁ କ୍ଷମା ମାଗି ଆଉ କେବେ ସେ ଭୁଲ କରିବେନି ବୋଲି କହିଥିଲେ। ଲାବଣ୍ୟା ଅନ୍ତରର ସହ ସ୍ବାମୀଙ୍କୁ କ୍ଷମା କରି ପୁଅକୁ ଆଣି ତାଙ୍କ କୋଳକୁ ଟେକି ଦେଲେ। 


ଦିଗାମ୍ବରଙ୍କ ଘର ହସଖୁସିରେ ପୂରି ଉଠିଲା। ଉଜୁଡା ଘର ସଜାଡି ହୋଇ ଗଲା। ଦିଗାମ୍ବରଙ୍କ ଦୃଢ ଆତ୍ମ ବିଶ୍ବାସର ଏହା ଥିଲା ପରିଣାମ।


 ତେବେ ଜେଜେ ଲାବଣ୍ୟାଙ୍କ ଭିତରେ କେଉଁ ' ଖୁଣ ' ଦେଖି ତାଙ୍କ ସହ ବିବାହ କରାଇଥିଲେ ଏହାର କୌଣସି ଟେର ପାଇ ପାରି ନ ଥିଲେ ସୁବାସ। ଜେଜେଙ୍କୁ ବି ପଚାରି ପାରି ନ ଥିଲେ। 


ନିୟତିର ଇଛା ଆଗରେ ପରିବାରର ଖୁସି ପାଣି ଫାଟିଗଲା। " ଜନ୍ମ, ମରଣ, ବରଷା। କହି ନ ପାରେ ପୁରୁଷା।" ଏହା ଦିଗାମ୍ବରଙ୍କର ଏକ ଢଗ ଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ଦୁର୍ବଳ ହୋଇ ସେ ଶଯ୍ୟାଶାୟୀ ହୋଇଗଲେ। ସୁବାସ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଲେ। ଦିନେ ରାତିରେ ସମସ୍ତେ ଶୋଇଥିବା ବେଳେ ଦିଗାମ୍ବର ଶେଷ ନିଃଶ୍ବାସ ତ୍ୟାଗ କଲେ। ପଥର ପରି ଶକ୍ତ ମଣିଷ ଥିଲେ ଦିଗାମ୍ବର। ମୃତ୍ୟୁ ସହ ଲଢେଇ କରି ହାରିଯିବା ପରେ ବେଶ୍ ଶାନ୍ତ ମୁଦ୍ରାରେ ଶୋଇ ପଡିଥିଲେ। ଖବର ପାଇ ଆତ୍ମୀୟ ସ୍ବଜନ, ବନ୍ଧୁ ପରିଜନ ଆସି ପହଞ୍ଚିଲେ। ସମସ୍ତଙ୍କ ଆଖିରେ ଥିଲା ଲୁହ।


ସେଦିନ ପୁରୀ ସ୍ବର୍ଗଦ୍ବାରରୁ ଅନ୍ତିମ ସଂସ୍କାର ସାରି ଫେରିବା ପରେ ସମ୍ପୂର୍ଣ୍ଣ ଭାଂଗି ପଡିଥିଲେ ସୁବାସ। ଭାବୁଥିଲେ ଜେଜେଙ୍କ ଭଳି ମଣିଷ କେଉଁଠି ମିଳିବେ ନାହିଁ। ତାଙ୍କ ସ୍ନେହ ଓ ତ୍ୟାଗକୁ ବୁଝି ପାରି ନ ଥିବାରୁ ଆଖିରୁ ଲୁହଧାର ଝରି ପଡୁଥିଲା। 

 

ସୁବାସ ଜାଣିଥିଲେ, ଜେଜେ ତାଙ୍କୁ ସବୁବେଳେ ସାହସ ଓ ପ୍ରେରଣା ଯୋଗାଉଥିଲେ। ସାଂସାରିକ ଜୀବନରେ ସାଉଁଣ୍ଟିଥିବା ଅନୁଭୂତି ସମସ୍ତଙ୍କୁ ବାଣ୍ଟି ଚାଲିଥିଲେ। ତାଙ୍କ କଥାକୁ ସେ କେତେଥର ଗ୍ରହଣ ନ କରି ହସରେ ଉଡାଇ ଦେଇଥିଲେ ବି ପରେ ସେଥିରୁ ଶିକ୍ଷା ଗ୍ରହଣ କରିଥିଲେ।


ଏହି ସମୟରେ ଲାବଣ୍ୟା କହିଲେ, ଘର ଭିତରକୁ ଆସ। ଗଙ୍ଗାକୂଳିଆଙ୍କ ଖାଇବା ଲାଗି ଆସି ପହଞ୍ଚିଯିବେ। ମୁଁ ଚୂଡା, ଦହି ଅଣାଇ ଦେଇଛି। ଜେଜେଙ୍କ ଫଟୋ ସଜାଡି ଦୀପଟିଏ ଜାଳି ଦେଇଛି।


ଲାବଣ୍ୟାଙ୍କ ସହ ସୁବାସ ଘର ଭିତରକୁ ଯାଇ ଜେଜେଙ୍କ ଫଟୋକୁ ଆଣ୍ଠୁ ମାଡି ପ୍ରଣାମ କଲେ। ଲାବଣ୍ୟା ମଧ୍ୟ ଜୁହାର ହେଲେ। ସେତେବେଳେ ଲାବଣ୍ୟାଙ୍କ ପାଦର ପାଞ୍ଚୋଟି ଆଙ୍ଗୁଳି ମଧ୍ୟରୁ ଗୋଟିଏ ଆଙ୍ଗୁଳି କ୍ରମ ଅନୁସାରେ ଅପେକ୍ଷାକୃତ ଛୋଟ ଥିବା ସୁବାସ ଦେଖିଲେ। ମନେମନେ ଭାବିଲେ ଏହା ବୋଧେ ଜେଜେଙ୍କ ଦଷ୍ଟିରେ " ଗୁଣରେ ଏକ ଖୁଣ" ଥିଲା !! ଜେଜେଙ୍କ ପ୍ରତି ଶ୍ରଦ୍ଧାରେ ତାଙ୍କ ଆଖି ପୁଣି ଲୁହ ଛଳଛଳ ହୋଇଗଲା।


*******


Rate this content
Log in

Similar oriya story from Tragedy