Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ବି. ନିରୁପମା

Action Children Inspirational


5.0  

ବି. ନିରୁପମା

Action Children Inspirational


ସାବାସ୍ ମିଲକା

ସାବାସ୍ ମିଲକା

3 mins 4.6K 3 mins 4.6K


ଅନୁଗୋଳ ହାଇସ୍କୁଲରେ ମୋର ନାମଲେଖା ସରିଗଲା । ହଷ୍ଟେଲ ରହଣି । ଘରଠାରୁ ଅନେକ ଦୂରରେ ।ନୂଆ ଜାଗା,ନୂଆ ପରିବେଶ; କେହି ଜଣେ ବି ପରିଚିତ ସାଙ୍ଗ ନ ଥା'ନ୍ତି । ଭାରି ଏକା ଏକା ଲାଗୁଥାଏ ।


ଏମିତି ତିନି ଚାରିଦିନ ଗଲା ।ଦିନେ ଅପରାହ୍ଣରେ ଦେଖିଲି ଗୋଟିଏ ଛୋଟ କୁକୁର ମୋ ପଛରେ ଗୋଡ଼ାଉଛି ।ମୁଁ ଖାଉଥିବା ବିସ୍କୁଟରୁ ଖଣ୍ଡେ ତାକୁ ଦେଲି। ସେ ଖାଇଲା ।ଖାଇସାରି ମୋ ପଛେ ପଛେ ଚାଲିଲା ଲାଙ୍ଗୁଡ଼ ହଲେଇ ହଲେଇ । ତା ପ୍ରତି ମୋ ଆଗ୍ରହ ବଢ଼ିଲା।ଏବେ ସେ ହୋଇଗଲା ମୋର ସାଙ୍ଗ ।


ମୁଁ ତା'ର ନାଁ ରଖିଲି 'ମିଲକା'।


ଛାତ୍ରାବାସ ପରିଚାଳନା ଦାୟିତ୍ୱରେ ଥାଆନ୍ତି ମୋହନ ସାର । ରବିବାର ଦିନ ସେ ଅଚାନକ ଆମ ହଷ୍ଟେଲ ପରିଦର୍ଶନ କରୁଥା'ନ୍ତି ।ସେତେବେଳେ ମିଲକା ଥାଏ ବାରଣ୍ଡା ଉପରେ ।ମୁଁ କୋଠରି ଭିତରୁ ବାହାରକୁ ଫୋପାଡ଼ୁଥାଏ ଖଣ୍ଡିଏ ଲେଖାଏଁ ବିସ୍କୁଟ ।ସେ ଉପରକୁ ଡେଇଁ, ପାଟିରେ ବିସ୍କୁଟକୁ ଧରି ନେଇ, ଖାଉଥାଏ ଲାଙ୍ଗୁଡ଼କୁ ହଲେଇ ହଲେଇ ।ଥରେ ଥରେ କୋଠରି ସାମନାକୁ ଧାଇଁ ଆସୁଥାଏ ବି ।


ହଷ୍ଟେଲକୁ ଅବେଳରେ ତତ୍ତ୍ଵାବଧାରକଙ୍କ ଆଗମନ ହେତୁ ,ମୁଁ କିମ୍ବା ଅନ୍ୟ କେହି ଛାତ୍ର ସଜାଗ ନ ଥିଲୁ ।ସାର ଅନ୍ୟ କୋଠରି ଗୁଡ଼ିକ ଯାଞ୍ଚ କରି ସାରି ଆସୁଥା'ନ୍ତି ମୋ ରୁମ ଆଡ଼କୁ ।ବାହାର ପଟକୁ ମୁହାଁଉଥିବା ମିଲକା ହଠାତ ପିଟି ହୋଇଗଲା ସାରଙ୍କ ଦେହରେ । ଚମକି ପଡିଲେ ସାର। ଘୃଣାରେ ଦୁଇ ପାଦ ପଛକୁ ଘୁଞ୍ଚି ଆସୁ ଆସୁ ଗର୍ଜନ କଲେ,


"ଏଇଟା ଛାତ୍ରଙ୍କ ହଷ୍ଟେଲ ନା କୁକୁର ଖୁଆଡ଼ ? ପ୍ରତାପ, ବାନ୍ଧିଲୁ ସେ କୁକୁରକୁ ।ବାଡ଼େଇକି ଛୋଟା କରିଦେ ।ଯେମିତି, ସେ ହଷ୍ଟେଲ କ'ଣ ଏ ସ୍କୁଲର

ହତା ମାଡ଼ିବାକୁ ସାହସ କରିବନି ।"


ଆଜ୍ଞାଧୀନ ପିଅନ ପ୍ରତାପ ଅବିଳମ୍ବେ ଆଦେଶକୁ କାର୍ଯ୍ୟକାରୀ କଲା। ଖୁବ ଜୋର କରି ଠେଙ୍ଗାରେ ପାହାରେ ପକେଇଲା ।ମାଡ଼ଖାଇ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳେଇଲା ମିଲକା ।


ମୋ ରୁମ ସାମନାରେ ବିସ୍କୁଟର ଭଙ୍ଗା ଖଣ୍ଡ କେତୋଟି ପଡ଼ିଥାଏ ।ସାରଙ୍କୁ ଆଉ କିଛି ବୁଝିବାକୁ ବାକି ରହିଲାନି ।ସେ କିଛି କହିବା ଆଗରୁ-ମିଲକା ସହ ମୋର ଅନାବିଳ ବନ୍ଧୁତ୍ୱ ସମ୍ପର୍କରେ ସବିସ୍ତାରେ ବର୍ଣ୍ଣନା କଲା ପ୍ରତାପ ।


ସେଦିନ ସନ୍ଧ୍ୟାର ପ୍ରାର୍ଥନା ସଭାରେ ଉପସ୍ଥିତ ରହିଲେ ମୋହନ ସାର ।ସେହି ଘଟଣାକୁ ନେଇ ମୋର ଆଚରଣ ଜଘନ୍ୟ ଅପରାଧ କହି, ସେ କଠୋର ନିନ୍ଦା କଲେ । ଭଲ ଛାତ୍ରଟିଏ ବୋଲି ପ୍ରଥମ ଥର ଦଣ୍ଡ ସିନା ଦେଲେନି, ହେଲେ ସମସ୍ତଙ୍କୁ ସେ ଚେତାବନୀ ଦେଲେ ,

" କେହିବି ଛାତ୍ର ଭବିଷ୍ୟତରେ ହଷ୍ଟେଲ କିମ୍ବା ସ୍କୁଲ ପରିସରରେ ଏମିତି ପଶୁପ୍ରୀତି ଦେଖେଇଲେ ,ତାକୁ

ଛାତ୍ରାବାସରୁ ବହିଷ୍କାର କରାଯିବ ।"


ଅନିଚ୍ଛା ସତ୍ତ୍ୱେ ସେଇ ଦିନଠୁ ମିଲକା ସହ ମୋର ବନ୍ଧୁତାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ।ମାଡ଼ ଭୟରେ ମିଲକା ଆଉ ପଶୁ ନ ଥିଲା ହଷ୍ଟେଲ ଭିତରକୁ । ପଡ଼ିଆରେ ଖେଳିବାବେଳେ ସେ ମୋ ନିକଟତର ହେବାକୁ ଚେଷ୍ଟା କରୁଥିଲା ;କିନ୍ତୁ ମୁଁ ଛାତ୍ରାବାସର ନୂଆ ନିୟମ ନେଇ ବେଶ ସାବଧାନ ଥିଲି ।ଅତଏବ ତା'ଠାରୁ ଯଥେଷ୍ଟ ଦୂରତା ରକ୍ଷା କରିବାକୁ ପ୍ରୟାସ କରୁଥିଲି ।


ଏମିତିରେ ସପ୍ତାହେ ବିତିଗଲା ।ମୁଁ ସେଦିନର ଅଘଟଣକୁ ଭୁଲିବାକୁ ଚେଷ୍ଟା କରୁଥାଏ ।ହଠାତ ଦିନେ ରାତି ଅଧରେ ଶୁଣାଗଲା କୁକୁର ଭୁକିବାର ଶବ୍ଦ ।ଲଗାତାର ଅଧଘଣ୍ଟା ଯାଏ ସେ ଶବ୍ଦ ଶୁଭୁଥିଲା ଆମ କୋଠରି ମଧ୍ୟକୁ ।


ପରଦିନ ସକାଳେ ଟିଉସନରୁ ଫେରି ଶୁଣିଲି , ମୋହନ ସାର କୌଣସି ଏକ ଜରୁରୀ କାମରେ ସପରିବାର ନିଜ ଗାଆଁକୁ ଯାଇଥିଲେ ।ଏହାର ସୁଯୋଗ ନେଇ ଚୋରମାନେ ତାଙ୍କ ଘରେ କଳାକନା ବୁଲେଇ ଦେଇଛନ୍ତି ଗତ ରାତିରେ। ଖବର ପାଇ ଫେରି ଆସିଲେଣି ସାର ।


ଦୁଇଦିନ ପରର କଥା। ସନ୍ଧ୍ୟାବେଳେ ଆମେ ଛାତ୍ରାବାସରେ ପଢ଼ାପଢ଼ି କରୁଥାଉ ।ରାତି ନଅଟା ବେଳେ ପୁଣି ଶୁଣାଗଲା ଖୁବ ଜୋରରେ କୁକୁର ଭୁକିବା ଶବ୍ଦ ।ଏଥର କିନ୍ତୁ ମୁଁ ଆଉ ବସି ରହିପାରିଲିନି ।ତୁରନ୍ତ ଶବ୍ଦ ବାରି ଘଟଣା ସ୍ଥଳରେ ଯାଇ ପହଞ୍ଚିଲି ।କେତେଜଣ ଶିକ୍ଷକ ଆଉ ସ୍କୁଲ କର୍ମଚାରୀ ମଧ୍ୟ ପହଞ୍ଚି ଯାଇଥା'ନ୍ତି ସେଠାରେ ।ମିଲକା ଜଣେ ବ୍ୟକ୍ତିକୁ ଗୋଡ଼େଇ କାମୁଡ଼ିବାକୁ ଚେଷ୍ଟା କରୁଥାଏ ।ମୁଁ ଯାଇ ତାକୁ ଶାନ୍ତ କଲି ।କୁକୁର ଆକ୍ରମଣରେ ହୁରୁଡ଼ି ଲୋକଟି ତଳେ ପଡ଼ିଯାଇଥାଏ।କେତେଜଣ ତାକୁ ତଳୁ ଉଠେଇଲେ ।ସେ ଆମ ପିଅନ ପ୍ରତାପର ଜଣେ ମଧୁର ସମ୍ପର୍କୀୟ ବୋଲି କେହି ଜଣେ ତାକୁ ଚିହ୍ନଟ କଲେ । ଆଉ ଜଣେ ପାଣି ଗ୍ଲାସଟିଏ ଆଣି ବଢ଼େଇ ଦେଲା ତା' ହାତକୁ । ସେ ହାତ ବଢ଼େଇ ପାଣି ନେବା ବେଳେ ମୋହନ ସାର ହଠାତ କିଛି ଦେଖି ଚମକି ପଡିଲେ।ସେ ତାଙ୍କର ଚୋରି ହୋଇଯାଇଥିବା ବିଦେଶୀ ହାତ ଘଡ଼ିଟିକୁ ଆବିଷ୍କାର କଲେ ,ସେଇ ଲୋକର ହାତରେ । ସମାନ ଘଣ୍ଟା, ସମାନ ରଙ୍ଗର ଫିତା ଆଉ ଡାଏଲ ଉପରେ ତାଙ୍କ ସଂକ୍ଷିପ୍ତ ନାମ!!


ଚୋର ଧରା ହେଲା ।ତଦନ୍ତ ପରେ ଠାଵ କରାଗଲା ଚୋରି ଯାଇଥିବା ଅନ୍ୟାନ୍ୟ ଜିନିଷପତ୍ର ।


" ଆରେ, ଏ ଦୁଃସାହସିକ କାର୍ଯ୍ୟ କରିଥିବା ଆମ ଗୋଇନ୍ଦା ହିରୋ ମିଲକା ଏବେ ଗଲା କୁଆଡ଼େ ? " ସାଙ୍ଗ ସୁମିତ ପଚାରିଲା ମଜାରେ ।


ସେତିକି ବେଳକୁ, ଗେଟ ସେପାଖ ଏକ ଗଛ ମୂଳରେ ଛିଡ଼ା ହୋଇଥାଏ ମିଲକା ।ଦୂରରେ ଥାଇ ଚାହୁଁଥାଏ ଜୁଳୁଜୁଳୁ କରି ,ଅଭିମାନରେ କି ଭୟରେ-ସେ କଥା ତାକୁ ଜଣା ।


ଆମ୍ଭମାନଙ୍କ ସହ ମୋହନ ସାର ତା' ପାଖକୁ ଗଲେ ।ସାରଙ୍କ ଆଗ୍ରହ ସତ୍ବେ, ସେ ପଛେଇ ଘୁଞ୍ଚି ଯାଉଥିବାର ଦେଖି ମୁଁ ତାକୁ କୋଳେଇ ନେଲି।ସାର ତା'ର ପିଠିକୁ ଆଉଁଶି ଦେଇ କହିଲେ , " ସାବାସ ମିଲକା ।ମୋର ବୁଲା ଜୀଵମାନଙ୍କ ପ୍ରତି ଥିବା ଭୁଲ ଧାରଣାକୁ ତୁ ଆଜି ଦୂରେଇ ଦେଇଛୁ ।ଡରନା ,ଏଣିକି ତୋର ଦେଖାଶୁଣା କରିବା ଦାୟିତ୍ୱ ମୋର ।"


ପରଦିନ ମୋହନ ସାର ହଷ୍ଟେଲରେ ଜାରି କରିଥିବା କଟକଣାକୁ ଉଠେଇ ଦେଲେ ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

More oriya story from ବି. ନିରୁପମା

Similar oriya story from Action