Pallabi Das

Drama Horror Thriller

4  

Pallabi Das

Drama Horror Thriller

ରୋହତାଙ୍ଗ ପାସ୍

ରୋହତାଙ୍ଗ ପାସ୍

7 mins
228


ଗୋଟେ ସାଙ୍ଗର ବଡ଼ ଭାଈ ରୋହତାଙ୍ଗ ପାସ୍ ବୁଲିବାକୁ ଯାଇଥିଲେ ଫେରିବା ପରେ ଆମ ଆଗରେ ବହୁତ ଗୁଡ଼ିଏ ରୋମାଞ୍ଚକର କାହାଣୀ ବଖାଣି ଥିଲେ ।

 ସେଇ ଦିନ ଠାରୁ ଆମେ ୪ ଜଣ ସାଙ୍ଗ, ଜଗିକି ବସିଥିଲୁ କେବେ ଆମକୁ କିଛି ଦିନ ସମୟ ମିଳିବ ଆଉ ଆମେ ରୋହତାଙ୍ଗ ପାସ୍ ବୁଲିବାକୁ ଯିବୁ ।

 ଆଗରୁ ବାସ୍ ଏତିକି ଜାଣିଥିଲୁ କି, ରୋହତାଙ୍ଗ ପାସ୍ ହିମାଚଳରେ ଅବସ୍ଥିତ ଏବଂ ହିମାଚଳ ପ୍ରଦେଶ ଭାରତର ଉତ୍ତରଭାଗରେ ଅବସ୍ଥିତ ଏକ ରାଜ୍ୟ। ସେଠିକୁ ଯିବା ପୂର୍ବରୁ ବହୁତ ଗୁଡ଼ାଏ ରିସର୍ଚ୍ଚ କରି ଦେଇଥିଲୁ ଯେମିତି କି କେମିତି ଯିବୁ, କେତେ ଦିନ ରହିବୁ, କୋଉଠି ରହିବୁ, କେତେ ଖର୍ଚ୍ଚ ହବ, ସେଠାକାର ଫେମସ ଖାଇବା କ'ଣ ସବୁ ଅଛି, କୋଉ ସବୁ ଜାଗା ବୁଲିବାର ଅଛି, ଇତ୍ୟାଦି ।

 ଦିଲ୍ଲୀରୁ ହିମାଚଳ ଫ୍ଲାଇଟ୍ ରେ ଯାଇ ପାରିଥାନ୍ତୁ , କିନ୍ତୁ ସାଇଟ୍ ସୀନେରୀ ଦେଖି ଦେଖି ଯିବା ଆଶାରେ ଆମେ ସବୁ ବସ୍ରେ ଯିବାକୁ ସ୍ଥିର କଲୁ । ଦିଲ୍ଲୀ ରେ ପହଞ୍ଚିବା ପରେ ସନ୍ଧ୍ୟାରେ ଆଇ ଏସ ବିଟି କାଶ୍ମିରୀ ଗେଟ୍ ବସ୍ ଷ୍ଟାଣ୍ଡରୁ ହିମାଚଳ ଯିବା ପାଇଁ ବସ୍ ରେ ବସିଗଲୁ । ପ୍ରାୟ ଦଶ ଘଣ୍ଟାର ରାସ୍ତା ଥିଲା । ମଝିରେ ଗୋଟେ ଜାଗାରେ ଖାଇବା ପାଇଁ ଗାଡି କିଛି ସମୟ ରହିଥିଲା ।

ଶୀତଦିନ ଥିଲା, ତେଣୁ ରାସ୍ତା ଘାଟ କୁହୁଡି ରେ ଆଚ୍ଛାଦିତ ହୋଇ ରହିଥିଲା। ଚଣ୍ଡିଗଡ଼ରେ କିଛି ସମୟ ପାଇଁ ଚା ଜଳଖିଆ ପାଇଁ ଡ୍ରାଇଭର ଗାଡି ରଖେଇଥିଲା। ସେଇଠାରୁ ବଡ଼ ବଡ଼ ଉଚ୍ଚ ପାହାଡ ମାଳା ଦେଖିବାକୁ ମିଳିଥିଲା । ପାହାଡ଼ିଆ ରାସ୍ତାରେ ବସ୍ ଟି ଯିବା ବେଳେ ଯେତେ ଟା ବୁଲାଣି ପଡୁଥାଏ ସେତେ ଅଧିକା ମୁଣ୍ଡ ବୁଲେଇ ବାନ୍ତି ଲାଗୁଥାଏ, କିଛି ସାଙ୍ଗମାନଙ୍କର ବାନ୍ତି ମଧ୍ୟ ଆରମ୍ଭ ହୋଇଯାଇଥିଲା । ମନରେ ଭୟ ମଧ୍ୟ ଥିଲା , କିଛି ଦିନ ତଳେ ଖବକାଗଜମାନଙ୍କରେ ପଢ଼ିଥିଲି , ହିମାଚଳପ୍ରଦେଶରେ ଘଟି ଯାଇଥିବା ଏକ ଅଭାବନୀୟ ଘଟଣା ବିଷୟରେ। ଠିକ୍ ସେଇ କୁଲୁ ଜିଲ୍ଲା ଦେଇ ବସ୍ ଟି ଯାଉଥିଲା ଯୋଉଠି କିଛି ଦିନ ତଳେ ଏକ ଯାତ୍ରୀବାହୀ ବସ୍‌ଟି ଖାଇକୁ ଖସି ପଡ଼ି ଏକ ଭୟାବହ ଦୁର୍ଘଟଣାର ସାମ୍ନା କରିଥିଲା। ବସ୍‌ ଭିତରେ ଥିବା ଅଧାରୁ ଅଧିକା ଲୋକ ଗୁରୁତର ଥିଲେ । 

ପୁରା ରାସ୍ତା ରେ ଏମିତି ସବୁ ଛକା ପଞ୍ଜା ଲାଗି ରହିଥିଲା ମନ ଭିତରେ ।

ପ୍ରାୟ ସଖାଳେ ଆମେ ପହଞ୍ଚି ଯାଇଥିଲୁ ହିମାଚଳରେ। ପୂର୍ବରୁ ବୁକ୍ କରିଥିବା ହୋଟେଲ ରେ ପହଞ୍ଚି ନିଜ ନିଜର ନିତ୍ୟକର୍ମ ସାରି, କିଛି ସମୟ ବିଶ୍ରାମ କରିଥିଲୁ। ପ୍ରାୟ ୧୦ ଟା ବେଳେ ନିଦରୁ ଉଠି, ଖଚର ଉପରେ ବସି, ଆମେ ବାହାରି ପଡିଥିଲୁ ଅାଖ ପାଖର ସୌନ୍ଦର୍ଯ୍ୟ ଦେଖିବାକୁ। ସେତେ ବେଳକୁ ପ୍ରାୟ କୁହୁଡି ଅପସରି ଯାଇଥାଏ। ଅଙ୍କା ବଙ୍କା ରାସ୍ତା ଏବଂ ରାସ୍ତା ପାଖକୁ ଲାଗିଥିବା ବଡ ବଡ ଖାଇ, ଏସବୁ ଦେଖି ନିଦୁଆ ଆଖି ଆଉ କ୍ଲାନ୍ତ ଶରୀର ସତେଜ ହୋଇ ଉଠିଥିଲା । ସେଇ ରାସ୍ତାରେ ଖଚର ଉପରେ ବସି ଆମେ ଆଗପଛ ହୋଇ ଧାଡି ବାନ୍ଧି ଚାଲିଥିଲୁ । ରାସ୍ତା ର ଗୋଟେ ପଟ କଟା ଯାଇଥିବା ପାହାଡ ଆଉ ଗୋଟେ ପଟେ ଖାଇ, ସେଇ ଖାଇକୁ ଅନେଇଦେଲେ ଲାଗୁଥିଲା ସତେ ଯେମିତି ଟିକେ ଅସାଵଧାନ ହେଲେ ସେଇ ଖାଇ ରେ ଯାଇ ପଡ଼ିଯିବୁ ।

 ଆଖ ପାଖରେ ଥିବା ପାହାଡ ସବୁ ସୋପାନ ପଦ୍ଧତିରେ ଚାଷ ହୋଇଥିଲା । ବେଳେ ବେଳେ କାହା ଘର ବଗିଚାରେ ଆପୁଲ୍ ଫଳିଥିବାର ଦେଖି ଆମେ ସବୁ ଚିଲେଇ ଉଠୁଥିଲୁ "ହେଇ ଦେଖ ରେ, ଆପୁଲ୍ ଗଛ" ।

ଆମ ଜଳବାୟୁ ରେ ଉଠୁଥିବା ଗଛଲତା ଆଉ ସେଠାକାର ଗଛଲତା ବୋହୁତ ଭିନ୍ନ ଥିଲା । ଗାଁ ପରିବେଶ, ଉପତ୍ୟକା ପରି ଦିଶୁଥିଲା ଏବଂ ମଠ ଗୁଡ଼ିକ ବେଶ୍ ସଫା ସୁତୁରା ଥିଲା ।

 ବେଶ୍ କିଛି ବାଟ ବୁଲିଥିଲୁ, ରାସ୍ତାରେ କାୱା ପିଇ କରି ହୋଟେଲ ଫେରିଥିଲୁ ।

ତହିଁ ଆର ଦିନ ସଖାଳୁ ଟ୍ରାଭେଲ ଏଜେନସି ଠାରୁ ଆମେ ଦୁଇଟି ବାଇକ୍ ବୁକ୍ କଲୁ। ପ୍ରାୟ ଦିନ ୯ ଟା ସୁଦ୍ଧା ବାହାରି ପଡ଼ିଲୁ ବାଇକ୍ ଧରି। ଘାଟି ରାସ୍ତା, ପାହାଡ ପରିବେଶ ସବୁ କିଛି ବହୁତ ସୁନ୍ଦର ଲାଗୁଥିଲା। ବହୁତ ଗୁଡ଼େ ଛୋଟ ବଡ ନାଳ ନଦୀ ଆଉ ଘାଟି ରାସ୍ତା ପାର କରି ଆମେ ଶେଷରେ ମନାଲି ରେ ପହଞ୍ଚି ଯାଇଥିଲୁ।ପହଞ୍ଚିଲା ବେଳକୁ ପ୍ରାୟ ସନ୍ଧ୍ୟା ହୋଇ ଯାଇଥିଲା ତେଣୁ ଆମେ ଟିକେ କଣ ଖାଇକି ବିଶ୍ରାମ କରିବାକୁ ଭାବିଲୁ, ଏମିତିରେ ବି ଦିନ ସାରା ଗାଡି ଚଲେଇ କରି ବହୁତ ଥକା ଲାଗୁଥିଲା। ଟିକେ ସମୟ ବିଶ୍ରାମ କରିବା ପରେ, ଆମ ସହ ଆସିଥିବା ସବୁଠାରୁ ବୁଲାରି ସାଙ୍ଗଟି ଆସି ସମସ୍ତଙ୍କୁ ନିଦରୁ ଉଠେଇ ପୁଣି କୁଆଡେ ଗାଡି ଧରି ଯିବାକୁ ଜିଦି କରିବାକୁ ଲାଗିଲା। ସେତେବେଳକୁ ପ୍ରାୟ ରାତି ହୋଇ ସାରିଥାଏ, ଆମ ଭିତରୁ ଆଉ ଗୋଟେ ସାଙ୍ଗ କହିବାକୁ ଲାଗିଲା -" ଦେଖ ସାଙ୍ଗ ମାନେ, ମତେ ବହୁତ ଥକା ଲାଗୁଚି, ମୁଁ କୁଆଡେ ଯାଇ ପାରିବିନି ତୁମେ ସବୁ ଯିବାକୁ ଚାହୁଁଛ ଯଦି ଯାଇପାର, ମୁଁ ଶୋଇବାକୁ ଚାଲିଲି।" ଏତିକି କହି ସେ ଶୋଇବାକୁ ଚାଲି ଗଲା। ବାକି ରହି ଗଲୁ ଆମେ ତିନି ଜଣ।

ଯୋଉ ସାଙ୍ଗଟି ଯିବାକୁ ଜିଦି କରୁଥିଲା ସେ ପୁଣି କହିବାକୁ ଆରମ୍ଭ କଲା -" ସାଙ୍ଗ ମାନେ, ଆମେ ଦିନରେ ଯେତିକି ସୁନ୍ଦରତା ଦେଖିବାକୁ ପାଇଲେ ହୁଏତ ରାତିରେ ତାଠାରୁ ଅଧିକା କିଛି ଦେଖିବାକୁ ପାଇ ପାରିବା !" ମନେ ପଡ଼ୁଥିଲେ କବିବର ରାଧନାଥ ରାୟ; ଦିନେ ସେ ଉତ୍କଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଚିଲିକାକୁ ଦେଖି ଆତ୍ମହରା ହୋଇ ଲେଖିଥିଲେ -" ସୁନ୍ଦର ତୃପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ "। ଠିକ୍ ସେହିପରି ବରଫ ରେ ଆଚ୍ଛାଦିତ ବଡ଼ବଡ଼ ପର୍ବତ ଶୃଙ୍ଗ ଗୁଡ଼ିକୁ ଦେଖି ମନ ଭିତରୁ ଆପେ ଆପେ ବାହାରି ଆସୁଥିଲା, ଆହା ! କି ମନୋରମ ଦୃଶ୍ୟ ।"

ବହୁତ ବୁଝା ସୁଝା କରିବା ପରେ ସ୍ଥିର ହେଲା, କିଛି ବାଟ ବୁଲିକି ଆସିବା ପାଇଁ । ଆମେ ତିନି ଜଣ ଗାଡି ଧରି ବାହାରି ପଡ଼ିଲୁ ।ରାସ୍ତାରେ ରୋହତାଙ୍ଗ ପାସ ପଡିଲା । ଯିବା ପୂର୍ବରୁ ବହୁତ ଜଣଙ୍କ ଠାରୁ ଶୁଣିଥିଲୁ କି ରୋହତାଙ୍ଗ ପାସ ଭୁତିଆ ଜାଗା ବୋଲି । କିନ୍ତୁ ସେ ସବୁ ଭୁତ ପ୍ରେତ ରେ ଆମେ କେହି ବିଶ୍ୱାସ କରିବା ପିଲା ନଥିଲୁ ।

ତେଣୁ ସେଠି ପହଞ୍ଚି ସାରି, ଆମେ ପରସ୍ପରକୁ ମିଛୁ ମିଛୁକା ଡରେଇବାକୁ ଚେଷ୍ଟା କଲୁ। ଆମ ଭିତରୁ ଗୋଟେ ସାଙ୍ଗ ଟିକେ ଅଧିକା ଡରି ଯାଇଥିଲା ତେଣୁ ସେ ଚିଲେଇବାକୁ ଲାଗିଲା ଆମ ଉପରେ । ତା ଡର ଦେଖି , ସେଠି ଆଉ ଅଧିକା ସମୟ ନରହି, ସେଠୁ ଫେରିବା ପାଇଁ ବାହାରି ପଡ଼ିଲୁ ।

ଠିକ୍ ଗାଡି ବୁଲେଇଛୁ କି ନାହିଁ ଚାରି ଆଡେ କୁହୁଡି ବଢିବାକୁ ଲାଗିଲା, ଆମେ ରାସ୍ତା ଘାଟ ଜାଣିବା କଷ୍ଟ କର ହୋଇ ପଡିଲା ।

ଧୀରେ ଧୀରେ ଆମେ ଗାଡି ର ଆଲୁଅରେ ରାସ୍ତା ଦେଖି ବଢ଼ିବାକୁ ଲାଗିଲୁ କିନ୍ତୁ ସଠିକ୍ ଭାବରେ କିଛି ଦେଖା ଯାଉ ନଥିଲା ।

ଡ୍ରେସ ଉପରେ ଦୁଇଟି ଲାଖେ ଜ୍ୟାକେଟ ପିନ୍ଧିବା ସତ୍ୱେ ବି ଆମକୁ ବହୁତ ତଣ୍ଡା ଲାଗୁଥିଲା । 

ସେତେବେଳେ ୧ ଡ଼ିଗ୍ରୀ ନହଲେ ୨ ଡିଗ୍ରୀ ତାପମାତ୍ରା ଥିବ ପ୍ରାୟ। ଗାଡି ଚଲେଇବା ବେଳେ ରାସ୍ତା ପାଖକୁ ତେରଛା ନଜର ରେ ଦେଖିଲା ବେଳେ ମନ ରେ ଭ୍ରମ ସୃଷ୍ଟି ହଉଥିଲା ଯେମିତି କି ପାଖ ଚଟାଣ ଉପରେ କିଏ ଜଣେ ବସି ଆମକୁ ଦେଖୁଚି । ପଛକୁ ବୁଲି, ସେଇ ଚଟାଣ କୁ ପୁଣି ଦେଖିଲା ବେଳକୁ ସେଠାରେ ବଡ଼ ବଡ଼ ବରଫ ଖଣ୍ଡ ଦେଖା ଯାଉଥିଲା । କେବେ କେବେ ଲାଗୁଥିଲା ଯେମିତି କିଏ ପାଖରେ ଠିଆ ହୋଇଛି ! ଆମେ ତାକୁ କାଟି ଗାଡି ଚଳେଇବାକୁ ଚେଷ୍ଟା କରୁଥିଲୁ। ଏସବୁ ଆମେ ଆସିବା ପୂର୍ବରୁ ଆଗରୁ ଶୁଣିଥିଲୁ ତେଣୁ ମନକୁ ବୁଝେଇବା କଷ୍ଟ ହୋଇ ପଡୁଥିଲା କି ଏସବୁ ଆମ ମନ ଗଢ଼ା କଳ୍ପନା ନା ସତ୍ୟ ଘଟଣା।

କାଳେ କିଏ ଡରି ଯିବ ବୋଲି ଆମେ ଏ କଥା ଗାଡି ଚଲେଇବା ବେଳେ ପରସ୍ପରକୁ କହୁନଥିଲୁ । ଆଗ ପଛ ହୋଇ ଆମେ ସବୁ ଗୋଟେ ଧାଡି ରେ ଗାଡି ଚଲାଉ ଥିଲୁ ଯେମିତି ରାସ୍ତା ଦେଖିବାରେ ଆମକୁ ସହଜ ହବ । ସେ ଜାଗା ବିଲକୁଲ ଶାନ୍ତ ଆଉ ଶୁନଶାନ୍ ଥିଲା ଗୋଟେ ବି ଗାଡି ଦେଖା ଯାଉନଥିଲା ।

କିଛି ସମୟ ପରେ ହଠାତ୍ ଗୋଟେ ପରିଚିତ ଚିତ୍କାର ଶୁଣିବାକୁ ମିଳିଲା। ଆଗରେ ଯିଏ ଆମ ବାଟ କାଢି ଯାଉଥିଲା ସେଇ ସାଙ୍ଗଟିର ଚିତ୍କାର ଥିଲା ।

ଆମେ ସବୁ ତା ପାଖରେ ଯାଇ ପହଞ୍ଚି ଥିଲୁ, ସବୁଠୁ ଆଶ୍ଚର୍ଯ୍ୟ ଲାଗିଥିଲା ଯେବେ ଆମେ ତାକୁ ଖାଇ ପାଖରେ ପାଇଥିଲୁ । ଆଉ ଟିକେ ହୋଇଥିଲେ ହୁଏତ ସେ ତଳେ ପଡି ଯାଇଥାନ୍ତା । ତାକୁ ତଳୁ ଉଠେଇ ପାଣି ପିଇବାକୁ ଦେଇ ପଚାରିଥିଲୁ, "ତୁ ପଡ଼ିଲୁ କେମିତି ?" ସେ କହିଲା, "ଲାଗିଲା ଯେମିତି ଗାଡ଼ି ଆଗରେ ଜଣେ କିଏ ଆସିଗଲା ତାକୁ ଗାଡ଼ି କାଟୁ କାଟୁ ହାତକୁ କିଏ ଜଣେ ଟାଣି ଦେଲା ଆଉ ମୋ ବାଲାନ୍ସ ବିଗିଡିଗଲା, ମୁଁ ପଡି ଗଲି ।"

ଆମମାନଙ୍କ ସହ ବି ସେମିତି କିଛି ଘଟି ଚାଲୁଥିଲା କିନ୍ତୁ ସେ ସବୁ ସେଇ ଜାଗାରେ ଆମେ କେହି ସେ ସାଙ୍ଗକୁ କହିଲୁନି ।

ଯୋଉ ସାଙ୍ଗଟି ଆସିବାକୁ ଅଧିକ ଜିଦି କରିଥିଲା ସେ ଭୟରେ ହାତ ଯୋଡି ଉପରକୁ ଚାହିଁ ବସିଥିଲା । ବୋଧହୁଏ ସେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା । ତାକୁ ଦେଖି ଆଉ ଗୋଟେ ସାଙ୍ଗ ବଡ଼ ପାଟିରେ ଭଗଵାନଙ୍କୁ ପ୍ରାର୍ଥନା କଲା -"ହେ ଭଗବାନ, ଆଉ ଦିନେ କେବେ ଏମିତି ରାତିରେ ଏଭଳି ରାସ୍ତାରେ ବାହାରିବିନି । ଆଜି ଆମ ସମସ୍ତଙ୍କୁ ଭଲରେ ପହଞ୍ଚାଇ ଦିଅ।"

ତା ଡର ଦେଖି, ଆମେ ସବୁ ଆଉ ଟିକେ ଡରିବାକୁ ଲାଗିଲୁ । ଏମିତିରେ ବି ରାସ୍ତା ଘାଟ କିଛି ଦେଖା ଯାଉନଥିଲା, କୁହୁଡି ବଢିବାକୁ ଲାଗିଥିଲା।

ଆମେ ସବୁ ସ୍ଥିର କଲୁ କିଛି ସମୟ ସେଠି ଅପେକ୍ଷା କରିବା ପାଇଁଁ, କାଳେ କୋଉ ବଡ ଗାଡି ଆସିଯିବ, ଆଉ ଆମେ ତା ପଛରେ ଯାଇ ପାରିବୁ ।

ବହୁତ ସମୟ ପରେ ଗୋଟେ ଟ୍ରକ ଆସିଲା ଆମେ ତାକୁ ରୋକି ବାକୁ ଚେଷ୍ଟା କଲୁ ଗାଡି ଟି ରହିଗଲା ମାତ୍ର ସେ ଗାଡିରୁ ଗୋଟେ ହଟା କଟା ଲୋକ ବାହାରି ଆମକୁ ହିନ୍ଦୀରେ କହିବାକୁ ଲାଗିଲା - କ୍ୟା ହୁଆ? ଆପ ଲୋଗୋ କୋ ପତା ନେହି ହେ କ୍ୟା, ୟାହା ଇତନି ରାତ ମେ ରାଇଡ଼ିଂ କରନା ସହି ନେହିଁ ହେ "! ଆମ ଭିତରୁ ଗୋଟେ ସାଙ୍ଗ ତୁରନ୍ତ କହିବାକୁ ଲାଗିଲା, "ହମେ ପତା ନେହିଁ ଥା, ୟେ ଜାଗା ଇତନି ଡରାଵନୀ ହୋଗୀ ! ପ୍ଲିଜ୍, ହମେ ଆଗେ ତକ ଛୋଡ ଦିଯିଏ ।" ଟ୍ରକ ଚାଳକ ହିନ୍ଦୀ ରେ କହିବାକୁ ଲାଗିଲେ ଠିକ୍ ଅଛି ମୁଁ ଗାଡ଼ି ର ଇଣ୍ଡିକେଟର ଅନ କରି ଦଉଚି, ତୁମେ ମାନେ ମୋ ପଛରେ ଆସ।

ସେଇ ସମୟରେ ସେ ଆମ ପାଇଁ ଭଗବାନ ପରି ଥିଲେ, ତାଙ୍କ ଗାଡିର ଇଣ୍ଡିକେଟର ଦେଖି ଦେଖି ଆମେ ଗୁଲାୱା ଯାଏ ପହଞ୍ଚି ଯାଇଥିଲୁ ।

ସେଠି କୁହୁଡି ଟିକେ କମ୍ ଥିଲା ଏବଂ ଜଣ ଗହଳି ଦେଖି ପାରୁଥିଲୁ। ଗାଡି ରଖେଇ ଆମେ ସବୁ କୁଣ୍ଢା କୁଣ୍ଡି ହୋଇ କାନ୍ଦିବାକୁ ଲାଗିଲୁ । ଟ୍ରକ ଡ୍ରାଇଭର ଆସି ଆମକୁ କହିଲେ - "ଆଜ୍ ତୋ ମେ ଆରାହା ଥା, ଲିକିନ୍ କାଲ୍ କୋନ୍ ହୋଗା ତୁମ ସବ୍ କୋ ବଚାନେ କେ ଲିୟେ ! ଏସେ ରାତ ମେ ମତ ନିକଲା କରୋ ।" ଟ୍ରକ୍ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣେଇ, ଆମେ ସବୁ ତୁରନ୍ତ ସେଠୁ ବାହାରି ନିଜ ହୋଟେଲରେ ପହଞ୍ଚି ନିଜ ନିଜ ଅନୁଭୂତି ବଖାଣି ବସିଲୁ ହୋଟେଲ ବୟ ଏବଂ ଆମ ଶୋଇଥିବା ସାଙ୍ଗ କୁ ନିଦରୁ ଉଠେଇ ।

 ସମସ୍ତଙ୍କ ଅନୁଭୂତି ରୁ ଜଣା ପଡିଲା କି, ଆମ ସମସ୍ତଙ୍କ ସହ ସମାନ ଘଟଣା ଘଟିଥିଲା । ହୋଟେଲ ବୟ ସେଠାକାର ସ୍ଥାନୀୟ ବାସିନ୍ଦା ଥିଲା, ସେ ହିନ୍ଦୀ ରେ କହିବାକୁ ଲାଗିଲା କି - "ଆପଣମାନଙ୍କୁ ବୋଧହୁଏ ମିଛ ଲାଗିପାରେ କିନ୍ତୁ ଏହା ସତ କି ରୋହତାଙ୍ଗ ପାସ୍ ଏକ ଭୂତିୟା ଜାଗା । ଏଠି କାର ସ୍ଥାନୀୟ ଲୋକ ରୋହତାଙ୍ଗ ମାନେ ସମୂହ କଙ୍କାଳ ଗଦା ବୋଲି ବୁଝନ୍ତି । ଭୂତିୟା ଜାଗା ଏଥିପାଇଁ କୁହନ୍ତି କାରଣ ବହୁତ ବର୍ଷ ପୂର୍ବରୁ ସେଇ ରାସ୍ତା ଦେଇ ଯିଏ ବି ଯାଉଥିଲେ କୁହୁଡି, ଥଣ୍ଡା ବରଫ ଯୋଗୁ ନିଜ ଜୀବନ ହାରୁଥିଲେ । ଲୋକ ମାନେ ଏବେ ବି ମାନନ୍ତି କି, ଯୋଉ ମାନେ ମରି ଯାଇଥିଲେ ସେମାନଙ୍କ ଆତ୍ମା ଏବେ ବି ସେଠି ଘୁରି ବୁଲୁଛି ।ଏଠିକାର ସ୍ଥାନୀୟ ଲୋକ, ସେ ରାସ୍ତା ଦେଇ ରାତିରେ କେବେ ଯାଆନ୍ତି ନାହିଁ । ତୁମେମାନେ ବହୁତ ଭାଗ୍ୟବାନ କି ସେ ଭଳି ଜାଗାରୁ ବଞ୍ଚିକି ଆସିଛ ।" ଏସବୁ ଶୁଣିକି ଆମେ ଭାବୁଥିଲୁ କି, ଯାହା ଆଜି ଯାଏ ରୋହତାଙ୍ଗ ପାସ୍ ବିଷୟରେ ଶୁଣିଥିଲୁ ସେ ସବୁ ସତ୍ୟ ଘଟଣା

ଫେରିବା ପରେ, ଆମ ଚିହ୍ନା ପରିଚିତରେ କେହି ବି ଯଦି ହିମାଚଳ ଯିବା ବିଷୟରେ କୁହନ୍ତି, ତେବେ ସେମାନଙ୍କୁ ରାତିରେ  ରୋହତାଙ୍ଗ ପାସ୍ ଦେଇ ଯିବା ଆସିବା କରିବାକୁ ମନା କରୁ । 

ଆଜିବି ମନେ ପଡ଼ିଲେ ଆମକୁ ରୋମାଞ୍ଚିତ ଅନୁଭୂତ ହୁଏ । ମନ ଭିତରେ କିଛି ଭୟ ଆଉ ସୁନ୍ଦର ସ୍ମୃତି ସବୁ ସାଇତା ହୋଇ ରହିଛି ଯାହା ବେଳ ଅବେଳ ରେ ପ୍ରକାଶ କରିଛୁ । 



Rate this content
Log in

Similar oriya story from Drama