ସଙ୍ଗରୋଧ ରେ ଜୀବନ
ସଙ୍ଗରୋଧ ରେ ଜୀବନ
ମାର୍ଚ୍ଚ ଶେଷ ସପ୍ତାହ ଠାରୁ ନିଜକୁ ବନ୍ଦୀ କରି ରଖିଥିଲି, ସେଥିପାଇଁ ବୋଧହୁଏ ଭାଈ କହୁଥିଲା -" ଅପା, ତୁ ଲକ୍ ଡାଉନ୍ କୁ ଭଲରେ ପାଳନ କରିଛୁ "। ମୁଁ କହୁଥିଲି-" ଉଁ... କରୋନା ଆତଙ୍କ ଏମିତି ହବ ଜାଣିଥିଲେ ଆଗୁଆ କିଛିଟା ରଙ୍ଗ ସାଇତି ଦେଇଥାନ୍ତି "। କିନ୍ତୁ ଦୁଇ ମାସରେ ରଙ୍ଗ ତୂଳୀ ଧରିବା ସୌଭାଗ୍ୟ ବୋହୁତ କମ୍ ମିଳିଥିଲା ସେ ବି କେବଳ ରବିବାର ଦିନ । ଘରେ ବସି କାମ କରିବା ସୁବିଧା ମିଳିବା ଦିନ ଠାରୁ ଅଧାରୁ ଅଧିକା ସମୟ ଅଫିସ୍ କାମରେ କେମିତି ବିତି ଯାଉଥିଲା ଜଣା ପଡୁନଥିଲା । ବେଳେ ବେଳେ କୋଡ଼ିଂ କାମ ନ କଲେ କି ଅଧିକା ସମୟ ବସିରହିବା ଯୋଗୁଁ ଦୁଇ ଗୋଡ଼କୁ କଷ୍ଟ ଲାଗିଲେ କମ୍ପୁଟର ଆଗରୁ ଉଠିଯାଇ ଝରକା ଫାଙ୍କରେ ମେଲା ରାସ୍ତା ଆଡ଼କୁ ଚାହିଁ ରହେ କିଛି ସମୟ ପାଇଁ । ସତ କହିବାକୁ ଗଲେ, ସେଇ କିଛି ସମୟ କେବଳ ନିଜର ଆଉ ବାକି ସମୟ ତ କେବଳ ବଞ୍ଚିଥାଏ । ଫୁଙ୍ଗୁଳା ରାସ୍ତା କୁ ଅନେଇଲେ ବୋହୁତ କିଛି ମନେ ପଡ଼େ । ଯେମିତି କି ହଷ୍ଟେଲ୍ ଆଗରେ ମକା ଧରି ବସୁଥିବା ବିହାରି ମଉସା, ତାଙ୍କ ଠାରୁ କିଛି ଦୂରରେ ଥିବା ଜୁସ୍ ଦୋକାନଟି । ହଷ୍ଟେଲ୍ ର ଖାଦ୍ୟ ଖରାପ୍ ଥିଲେ କିମ୍ବା ନର୍ଥ ଇଣ୍ଡିଆନ୍ ତରକାରି ଭଲ ନମିଳିଲେ ଅଧାରୁ ଅଧିକା ରାତି ଫଳ ରସ, ଫଳ ସାଲାଟ୍, ସିଝା ମକା ନହେଲେ ମକା ମସଲାରେ ଭୋକ ମେଣ୍ଟି ଯାଇଛି, ସେସବୁ ଯେ ସାଉଁଟା ସ୍ମୃତି ମାତ୍ର ଏବେ । ଏସବୁ ଖାଇବା ଦିନେ ଅଧେ ଶୁଣିଲେ ଘରେ କିଛି କୁହନ୍ତିନି କିନ୍ତୁ ନିତିଦିନ ଶୁଣିଲେ ବିରକ୍ତ ହୁଅନ୍ତି ମୁଁ ଖାଇବା ପେଟ ଭରି କାହିଁକି ଖାଉନି ବୋଲି ଗାଳି କରନ୍ତି । କହିବାକୁ ଖରାପ୍ ଲାଗେ, ଯେ ମତେ ରେଷ୍ଟୁରାଣ୍ଟ ଆଉ ହୋଟେଲ୍ ରେ ଏକା ବସି ଖାଇବାରେ ବୋହୁତ କମ୍ ଖୁସି ମିଳେ , ବେଳେ ବେଳେ ସାଙ୍ଗ ସାଥୀ ଙ୍କ ସହ ଚାଲିଯାଏ କିନ୍ତୁ ଧୀରେ ଧୀରେ ଏକା ବସି ଖାଇବା ଆଦତ୍ ବି ଲାଗିଗଲା। ରେଷ୍ଟୁରାଣ୍ଟ କି ହୋଟେଲ୍ ରେ ଖାଇବାକୁ ବସିଲା ବେଳେ ଅାଖ ପାଖରେ କେତେ ଟୋକା ବସୁଚନ୍ତି , କେତେ କିଏ ଗପ ସପରେ ମାତିଚନ୍ତି , ମତେ ଏକା ବସି ଖାଉଥିବାର ଦେଖି କିଏ କ'ଣ ଭାବୁଥିବେ ସେସବୁ କିଛି ମନ କୁ ଆସେନି ବାସ୍ ଗୋଟେ କଥା ମନରେ ଚାଲେ ଆଜି ରାତି ର ଫୋନ୍ କଲ୍ ରେ ଘର ଲୋକଙ୍କୁ ତାଙ୍କ ମନ ମୁତାବକ ଉତ୍ତର ମିଳିବ କି-" ମୁଁ ଆଜି ଭଲ ରେ ଖାଇଛି" ।
ହାଇଦ୍ରାବାଦ୍ ସହରର ସବୁଠାରୁ ଜନବହୁଳ ଜାଗା କହିଲେ, "ଆମିରପେଟ୍" ପ୍ରାୟ ପ୍ରଥମରେ ଆସିବ ତା ପରେ ଯାଇ ଚାରମିନାର୍ ଆଉ ବାକି ଏରିଆ। ଆମିରପେଟ୍ ରେ ଚବିଶ ଘଣ୍ଟା ପିଲାମାନଙ୍କ ଚଳପ୍ରଚଳ ଲାଗିରହେ । ସାଧାରଣ ଜନତା ଠାରୁ ଅଧିକା ଦେଖିବାକୁ ମିଳେ ପୁଅ ଝିଅମାନଙ୍କୁ । ହାତରେ ଖାତା ଖଣ୍ଡିଏ ନହେଲେ ପଛରେ ବ୍ୟାଗ୍ ଝୁଲାଇ ପିଲା ଯିବା ଆସିବା କରିବା ଦେଖି ଦେଖି ପ୍ରାୟ ତିନି ବର୍ଷରୁ ଅଧିକା ସମୟ ହୋଇଗଲାଣି । ପିଲାଙ୍କ ଚାହିଦା ଦେଖି ଗଳି କନ୍ଧିରେ ଇଷ୍ଟିଚୁଟ୍ ଆଉ ହଷ୍ଟେଲ୍ ମାନ ମାଳ ମାଳ ହୋଇ ମୁଣ୍ଡ ଟେକି ଠିଆ ହୋଇଛି । କିନ୍ତୁ ଏଇ ଲକ୍ ଡାଉନ୍ ର କିଛି ଦିନ ଭିତରେ ଆମିରପେଟ୍ ରେ ବୋହୁତ କିଛି ପରିବର୍ତ୍ତନ ଘଟିଛି ।
ରାସ୍ତା ଗୁଡ଼ିକ ଜନଶୂନ୍ୟ ପାଲଟି ଯାଇଛି, ଇଷ୍ଟିଚୁଟ୍ ସବୁ ବନ୍ଦ ଅଛି ଏବଂ ବୋହୁତ ଗୁଡ଼ାଏ ହଷ୍ଟେଲ ବନ୍ଦ ହୋଇଯାଇଛି ଆଉ କିଛି ହଷ୍ଟେଲ ମାନ୍ଦା ଅବସ୍ଥା ଦେଇ ଗତି କରୁଛନ୍ତି । ହଷ୍ଟେଲ୍ ଖାଲି ହବା ଆରମ୍ଭ ହୋଇଥିଲା ପ୍ରାୟ ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ଠାରୁ ଧିରେ ଧିରେ ପୁରା ହଷ୍ଟେଲ ଖାଲି ହୋଇଗଲା ଗୋଟେ ସପ୍ତାହ ଭିତରେ ।
ମାେ ପରି କିଛି ଜଣଙ୍କ ଟିକେଟ୍ ବାତିଲ୍ ହୋଇଯାଇଥିଲା ସେଥିପାଇଁ ଆମେ କିଛି ଜଣ ରହିଯାଇଥିଲୁ । ଆଖ ପାଖ ରାଜ୍ୟର ସାଙ୍ଗ ସାଥି ପ୍ରାୟ ପାସ୍ ବନେଇ ଚାଲି ଯାଇଥିଲେ । ଆମ ରାଜ୍ୟ ଓଡ଼ିଶାରେ ସଙ୍ଗରୋଧ ବ୍ୟବସ୍ଥା କଡ଼ା କଡ଼ି ଭାବରେ ପାଳନ କରାଯାଉଛି, ସେ ସବୁ ଶୁଣି ଘରକୁ ଯିବା ନିଷ୍ପତ୍ତି ଟାଳି ଦେଇଥିଲି ।
ମନେ ମନେ ଖୁସି ହେଉଥିଲି, ଠିକ୍ ଏମିତି ଠକ ଜୀବନ ତ ଚାହିଁ ଥିଲି ! ଯାହା ହଉ ଏବେ କିଛି ଦିନ ଅଫିସ୍ ଯିବାକୁ ପଡ଼ିବନି । ନିତି ୧୬/୧୭ କିଲୋମିଟର ଖରାରେ ଯାତ୍ରା କରିବାକୁ ପଡ଼ିବନି । ଯେତିକି ଝଡ଼ି ଯାଇ ହନୁ ହାଡ଼ ପରି ଶିରା ପ୍ରଶିରା ଦେଖା ଗଲାଣି ସବୁ ସେଇ ଅଫିସ୍ ଯିବା ଯୋଗୁଁ । ଏବେ ମୁଁ ଟିକେ ମୋଟା ହୋଇଯିବି। ସବୁ ସଫ୍ଟୱେର ପିଲା ଏବେ ଘରୁ କାମ କରୁଥିବେ ଆଉ ନିଜର କୋଡ଼ିଂ କୁ ଆହୁରି ଭଲ କରିବାକୁ ପ୍ରୟାସ ଜାରି ରଖିଥିବେ ସେମାନଙ୍କ ପରି ମୁଁ ବି ମୋ ନିଜର କୋଡ଼ିଂ କୁ ଆହୁରି ଭଲ କରିବାକୁ ଚେଷ୍ଟା କରିବି । ପ୍ରାୟ ଏପ୍ରିଲ୍ ମାସ ଆରମ୍ଭରୁ ନୂଆ ପ୍ରଯୁକ୍ତିବିଦ୍ୟା ରେ କାମ କରିବାକୁ ଗୋଟେ ଅନଲାଇନ କ୍ଲାସ୍ ରେ ଯୋଗ ଦେଇଛି, ଯାହା କି ଆଉ କିଛି ମାସ ଭିତରେ ସରିଯିବ। କ୍ଲାସ୍ ପଢ଼ା ଠାରୁ ଅନଲାଇନ୍ ରେ ପାଠ ପଢ଼ିବା କୁ ମଜା ଲାଗୁଛି ସତ କିନ୍ତୁ ବେଳେ ବେଳେ ନିଦ ବୋହୁତ ଲାଗୁଛି । ହାତ ବୁଣା ଶିଖିବି, ପୁରୁଣା ଡ୍ରେସ୍ ସବୁ କୁ ନେଇ କିଛି ନୂଆ ବନେଇବି, ହାତ ତିଆରି କିଛି ନୂଆ ଜିନିଷ ବାନେଇବି, ଉପନ୍ୟାସଟିଏ ଲେଖିବା ଆରମ୍ଭ କରିବି, ପ
ୁରୁଣା ଉପନ୍ୟାସ କୁ ଟାଇପ୍ କରିବି ଏବଂ ତା ସହ କିଛି ଭଲ ଲେଖିବାକୁ ଚେଷ୍ଟା କରିବି । ସମୟ ବଳିଗଲେ କିଛି ପ୍ରିୟ ଲେଖକ ଆଉ କିଛି ଅନ୍ୟାନ୍ୟ ଲେଖକଙ୍କ ଲେଖା ପଢ଼ିବି l
ଦୁଇ ମାସ ବିତି ଗଲା ସତ ଏତେ ସବୁ ପ୍ଲାନିଂ ରୁ ବେଶ୍ କିଛି ଟା ମାତ୍ର କରିପାରିବା ରେ ସଫଳ ହୋଇ ପାରିଛି । ମାତ୍ର ଆହୁରି ବୋହୁତ କିଛି ବାକି ରହିଯାଇଛି ଯେମିତିକି କାହାଣୀ ଲେଖିବା, ଯାହାକି ସବୁଠାରୁ ଅଧିକ ପସନ୍ଦ ର କାମ ; କାହିଁକି କେଜାଣି କାହାଣୀ ଲେଖିବା ପାଇଁ ମନରେ କୌଣସି ପ୍ରକାର ଉତ୍ସାହ ଉଦ୍ଦୀପନା ଅନୁଭୂତ ହୋଇ ନାହିଁ । ମୁଁ ଚେଷ୍ଟା କରିନି କହିଲେ ଭୁଲ୍ ହବ ! ନିତି ସଖାଳୁ କାହାଣୀ ଖୋଜିବାକୁ ଚେଷ୍ଟା କରିଛି, ବେଳେ ବେଳେ ମୋବାଇଲ୍ ର ନୋଟ୍ ରେ କିଛି ଗପ ଲେଖିପକାଇଛି ତାକୁ ପୁଣି ଲିଭେଇ ଦେଇଛି ସେଥିରେ ମନ ଭରିନି ଯେ ଆହୁରି ଖାତା ପେନ୍ ଧରି ବସିଛି, ସେଥିରେ ବି କିଛି ଉଜ୍ଜଳ କରିନି ଶେଷରେ ସବୁ ବନ୍ଦ୍ କରି, ଭାରି ମନରେ ଅଫିସ୍ କାମ ରେ ମନ ଦେଇଛି । ଏତିକି ବୁଝିପାରିଛି, ଯୋଉ ଯାଏ କିଛି ଭଲ ଲେଖିନି ସେଇ ଯାଏ ମୋର ସବୁ କାମ ଅଧା । କିଛି ମାସ ପୂର୍ବରୁ ଲେଖିବା ମାେ ପାଇଁ ବୋହୁତ ସହଜ କାମ ଥିଲା ମାତ୍ର ଏବେ ବୋହୁତ କଠିନ ହୋଇପଡିଛି, ହବନି ବା କେମିତି ! ଚିତ୍ରଶିଳ୍ପୀ ମନର ଭାବନାକୁ କାନଭାସ୍ ରେ ତୋଲିଧରିବା ପରି ମତେ ବି ମୋ ମନର ଭାବନାକୁ କଳା ସାହିରେ ଲେଖିବାକୁ ପଡ଼େ, ସେଥିରେ ଯଦି ମନ ସହଯୋଗ କରିବା ବନ୍ଦ୍ କରିଦେବ ତେବେ କ'ଣ ବା ଲେଖିବି ! ମଝିରେ ମଝିରେ ମାେ କାହାଣୀ ପଢୁଥିବା ପାଠକ ମାନଙ୍କ ସମୀକ୍ଷା ପଢିବାକୁ ସୁଯୋଗ ମିଳେ, ବୋହୁତ ଖୁସି ଲାଗେ ପୁଣି ଥରେ କିଛି ଭଲ ଲେଖିବାକୁ ମନ ହୁଏ । ସେ ଯାହା ହେଉ ପଛେ ମତେ ପୁଣି ଥରେ କିଛି ଭଲ ଲେଖିବାର ଅଛି ଭାଵନା ନେଇ ନିତି ଆକାଶ କୁ କିଛି ସମୟ ଚାହିଁ ରହେ , ଅସ୍ତ ହେଉଥିବା ସୂର୍ଯ୍ୟ ଙ୍କୁ ଦେଖେ, ଭିନ୍ନ ଭିନ୍ନ ଭଙ୍ଗୀରେ ବାଦଲ ମାନଙ୍କୁ ଦେଖେ, ଗଛ ମାନଙ୍କୁ ପବନରେ ଦୋଳି ଖେଳୁଥିବାର ଦେଖେ , ଚଢ଼େଇ ମାନଙ୍କ କିଚିରି ମିଚିରି ଶୁଣେ ସମସ୍ତଙ୍କ ଠାରୁ କିଛି ପ୍ରେରଣା ଗ୍ରହଣ କରିବାକୁ ଚେଷ୍ଟା କରେ । ତାଥାବି କାହାଣୀ ଲେଖିବାର ଖୋରାକ୍ ଯଥେଷ୍ଟ ହୁଏ ନାହିଁ ।
ବେଳେ ବେଳେ ସାନ ମାଉସୀ ଫୋନ୍ କରେ, ମୋ ଭଲ ମନ୍ଦ ବୁଝିବାକୁ । ଗତ କାଲି ରାତିରେ ମଧ୍ୟ ତାର ଫୋନ୍ ଆସିଥିଲା ତା ସାଥିରେ କଥା ହବା ପରଠାରୁ ମାେ ମନ ପରିଷ୍କାର ଲାଗୁଥିଲା ନିଜକୁ ଭାଗ୍ୟବାନ ମାନୁଥିଲି, ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ଥିବାରୁ ।
ତାଙ୍କ ଗାଁ ର ଖବର ଶୁଣାଇଥିଲା, ହାତୀ ପଲଙ୍କ ଉପଦ୍ରବ ଅସହାୟ ହୋଇପଡିଛି । ଗୋଟେ ରାତିରେ ଗୋଟେ ବଡ଼ ବସ୍ତିର ସମସ୍ତ ଘର ଭାଙ୍ଗି ଧାନ ଚାଉଳ ଟାଣି ନେଇଥାନ୍ତି ହାତୀ ପଲ । ବସ୍ତିର ସବୁ ଲୋକ ଅଧା ରାତିରେ ଉଠି ଆସିଥାନ୍ତି ସାହାଯ୍ୟ ନିମନ୍ତେ ମାଉସୀ ଘରକୁ ସାଙ୍ଗରେ ଛୋଟ ଛୋଟ ଛୁଆ ଗୁଡ଼ିଏ ଥାନ୍ତି। ରାତି ଅଧରେ ଛୁଆ ଗୁଡ଼ିକ ଠିକ୍ ରେ ଖାଇଥିବେ କି ନାହିଁ ଭାବି ସେମାନଙ୍କୁ ଚକୁଳି ଖାଇବାକୁ ଦେଇଥିଲା । ସେ ବସ୍ତିର ଅଧାରୁ ଅଧିକା ଲୋକ ମଦୁଆ ଥିଲେ, ମୁଣ୍ଡ ଗୁଞ୍ଜିବା ପାଇଁ ଗାଆଁ ସ୍କୁଲ୍ ଘରେ ସମସ୍ତେ ରହିଥିଲେ । ମନକୁ ପ୍ରଶ୍ନ ଆସିଥିଲା -"ମାଉସୀ, ସେମାନଙ୍କୁ ତ ଇନ୍ଦିରା ଆବାସ ମିଳିଥିବ ?
ଫୋନ୍ ର ଅପର ପାର୍ଶ୍ଵ ରୁ ଉତ୍ତର ଆସିଥିଲା
- ଖଟିଖିଆ ମୂଲିଆ ସେମାନେ, ଦିନରେ କାମକୁ ବାହାରି ଯାଆନ୍ତି ସନ୍ଧ୍ୟା ୪ ଟା ବାଜିଲେ ହାତୀ ଭୟରେ ଘର ଭିତରେ ଲୁଚନ୍ତି ।
କଂଣ୍ଟ୍ରାକ୍ଟର୍ ଇନ୍ଦିରା ଆବାସ ର ପଇସା ମାରିକି ଖାଇଲେ ବି ଜାଣି ପାରନ୍ତିନି ।
- ପୁଣି ପଚାରିଲି - ତମ ଗାଆଁ ସରପଞ୍ଚ କଣ କରୁଚନ୍ତି ତାଙ୍କୁ ଏମାନେ ଜଣାଇ ନାହାଁନ୍ତି କି ?
- ନା, ସେମାନଙ୍କୁ କହିବା ସତ୍ତ୍ଵେ ମଧ୍ୟ ସେମାନେ ସରପଞ୍ଚକୁ କିଛି ଜଣେଇ ଲେନି ।
କିନ୍ତୁ ମାଉସୀ ପଞ୍ଚାୟତ ଅଫିସ୍ କୁ ଫୋନ୍ କରି ଜଣେଇ ଦେଇଥିଲା ।
ହାତୀପଲ ତ ନିର୍ଜୀବ ତାଙ୍କ ଉପରେ ଦାଉ ସାଧୁଚନ୍ତି ମଣିଷମାନେ। କୌଣସି ବି ପଶୁପକ୍ଷୀଙ୍କ ଜାଣିଶୁଣି କାମ କରିବା ଶକ୍ତି ନାହିଁ ସେମାନଙ୍କୁ ଘଉଡ଼ାଇବା ଆଉ ଜଙ୍ଗଲ ଭିତର ରାସ୍ତା ଦେଖେଇବା କାମ ମଧ୍ୟ ମଣିଷ କୁ କରିବାକୁ ହୁଏ ।
ମନରେ ବୋହୁତ କ୍ରୋଧ ଆସୁଥିଲା, ପ୍ରଥମେ ସେଇ ବସ୍ତିର ମଦୁଆ ମାନଙ୍କ ପାଇଁ ଯୋଉ ମାନେ ନିଜ ପାଇଁ ସ୍ୱର ଉତ୍ତୋଳନ କରୁନଥିଲେ , ଆଉ ତାପରେ ସରପଞ୍ଚ ପାଇଁ ଯାହା ଉପରେ ଲୋକ ଭରସି ପାରୁନଥିଲେ । ସରକାର କେତେ କ'ଣ ନିତି ପଦକ୍ଷେପ ନେଉଛନ୍ତି । ଯୋଉମାନଙ୍କୁ ପ୍ରକୃତରେ ସେସବୁ ସୁବିଧା ସୁଯୋଗ ର ଆବଶ୍ୟକତା ଅଛି ସେସବୁ ଲୋକ ସୁବିଧା ସୁଯୋଗ ଠାରୁ ବୋହୁତ ଦୂରରେ ।
ଆଜି ଯାଏଁ ସବୁ ଜାଗାରେ ଦେଖି ଆସିଛି ଯୋଉ ଯାଏ ନିଜେ ନିଜ ପାଇଁ ଠିଆ ହୋଇନି କି ନିଜକୁ ନିଜେ ସାହାଯ୍ୟ କରିକି ସେଇ ଯାଏ କୌଣସି ବି କାମ ହୋଇନାହିଁ ।
ଠିକ୍ ସେହିପରି ସମସ୍ତଙ୍କୁ ନିଜ ପାଇଁ ଏବଂ ନିଜ ଆତ୍ମୀୟଙ୍କ ପାଇଁ ପ୍ରଥମେ ଠିଆ ହୋଇ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ ନହେଲେ ଦୁଃଖ ଦୁର୍ଦ୍ଦଶା ଯେ ସାର ହେବ।