Pallabi Das

Comedy Drama Others

4.8  

Pallabi Das

Comedy Drama Others

ହିରୋ ସାଇକେଲ୍ ର ହିରୋଇନ୍

ହିରୋ ସାଇକେଲ୍ ର ହିରୋଇନ୍

3 mins
432


କେତେ ଜଲଦି ସମୟ ପଳେଇଲା! ସାଇକେଲ୍ ରୁ କଚଡା ଖାଇବା ପରେ ମନ ଭାରିଲାନି ଯେ ଗାଡ଼ି ଚଢ଼ି କଚଡା ଖାଇଲି।ଏବେ ଯାଏ ସେଇ ନିଶା ଉତୁରିନି। ସାଇକେଲ୍ ଟିଏ ମିଳିଗଲେ ହାତ ଗୋଡ଼ ଖୁଜୁ ବୁଜୁ ହୁଅନ୍ତି , ଗୁଣୁ ଗୁଣୁ ହୋଇ କେତେ କ'ଣ ଗୀତ ଗାଇ ପକାଏ।


ବଡ଼ ନନା ଆଉ ସାନ ଭାଇ ଦୁହେଁ ମିଶି ନନାର ଛୋଟ ସାଇକେଲ୍ ର ଦୁଇ ପଟେ ଭାର ଦେଇ ମତେ ଚଲେଇବା ଶିଖାଉ ଥିଲେ କିନ୍ତୁ ମୋ ଦେଇ ଖଡା ଶିଝିଲାନି। ମୁଁ ସେତେବେଳେ ବଡ଼ ସାଇକେଲ ଖାଲି ଗଡାଉଥିଲି, କେହି ଟିକେ ନଜର ହଟାଇଦେଲେ ସିଧା ପେଡାଲ୍ ଉପରେ ଗୋଡ଼ ରଖି କଚଡା ଖାଉଥିଲି। ମୋ ଆଣ୍ଠୁ ଗୁଡା ସେ ସବୁ କଚଡ଼ାର ମୁକ ସାକ୍ଷୀ ଥିଲେ। ତାପରେ ବଡ଼ ସାଇକେଲ୍ ରେ ଥିବା ଆଗ ରଡ୍ ଉପରେ ଭାର ଦେଇ ହପିଙ୍ଗ୍ କରି ଛୋଟାଙ୍କ ପରି ଚଲେଇଲି। କୋଉ ଶ୍ରେଣୀରେ ପଢ଼ୁଥିଲି ମନେ ନାହିଁ ! ଦାଦା ଆଉ ସାନ ପିଉସୀନାନୀଙ୍କ ବାହାଘର ସମୟରେ ଗାଁରେ ଥିଲି।


ଦିନେ ହଠାତ୍ ଦାଦାଙ୍କ ବଡ଼ ସାଇକେଲ୍ ମିଳି ଯାଇଥିଲା। ତାକୁ ଗଡ଼େଇ ଗଡ଼େଇ ଅଧା ଗାଁ ବୁଲି ଆସିବା ପରେ ଘର ପାଖ ମନ୍ଦିର ପ୍ରାଙ୍ଗଣରେ ଚଲାଉଥିଲି। ହଠାତ୍ ସେଦିନ ସିଟ୍ ରେ ବସି ଚଲାଇଲି। ଓଃ କି ଖୁସି, କହିଲେ ନ ସରେ! ଛୋଟ ସାଇକେଲ୍ ରେ ଶିଖି ନପାରିଥିବା ମୁଁ, ବଡ଼ ସାଇକେଲ୍ ଚଲେଇବା ଶିଖି ଯାଇଥିବାରୁ ଗର୍ବରେ ଫାଟି ପଡ଼ିଥିଲି। ନିଜ ଉପରେ ବିଶ୍ୱାସ ହଉ ନଥିଲା। ସମସ୍ତଙ୍କୁ ଏଇ ଶୁଭ ସମାଚାର ତୋଫାନ୍ ବେଗରେ ସେଇ ସାଇକେଲ୍ ଉଡ଼େଇ ଦେଇଥିଲି। ହେଇ ଦେଖ ମୋର ସିଟ୍ ହୋଇଗଲା ରେ ... ଷଷ୍ଠ ଶ୍ରେଣୀ ପଢ଼ିବା ବେଳେ ମତେ ଗୋଟେ ହିରୋ ସାଇକେଲ୍ ଦିଆ ଯାଇଥିଲା ମୁଁ ସେ ସାଇକେଲ୍ ଢେଙ୍କାନାଳରେ ଥିବା ଯାଏ ବୋହୁତ ଚଲେଇଛି। ବର୍ଷାରେ ଭିଜି, ନାଳ ପାଣିରେ, ପେଡାଲ୍ ଏତେ ଯୋରେ ଭିଡ଼ି ମୋଡ଼ି ହୋଇ ଚଲାଉଥିଲି ଯେ, ଘର ଆତେ ଖବର ଆସୁଥିଲା- ଝିଅ ଆଖି କାନ ବୁଜି ସାଇକେଲ୍ ଚଲାଉଛି। ତା ପରେ ମାଆଠୁ ଗାଳି ଶୁଣିବାକୁ ପଡ଼େ। ମାଆ ଗାଳି ଦାଣ୍ଡ ଧୂଳି। ପୁଣି ସେଇ ଅମାନିଆ ମୁଁ। କେଜାଣି ସେ ସାଇକେଲ୍ ର ହ୍ୟାଣ୍ଡେଲ୍ ଧରିବା ପରେ ଶରୀର ଭିତରେ କି ରୋମାଞ୍ଚ ସୃଷ୍ଟି ହୁଏ, ଏରୋପ୍ଲେନ୍ ରେ ଉଡ଼ିବା ପରି ଲାଗେ। କେବେ କୋଉ କଣ୍ଟା ବୁଦା ଭିତରକୁ ତ କେବେ କୋଉ ଡ୍ରେନ୍ ଭିତରେ, ପଡ଼ି ଖଣ୍ଡିଆ ଖାବରା ହେବା ପରେ ବି ମୁଁ ତାକୁ ଛାଡେନି। ଦିନେ ସ୍କୁଲ୍ ରୁ ଘରକୁ ଫେରିବା ରାସ୍ତାରେ ଆମେ ୪ଜଣ ସାଙ୍ଗ ସାଥି ହୋଇ ଫେରୁଥିଲୁ , ଗୋଟେ ସରଳ ରେଖା ପରି ଆମେ ୪ଜଣ ନିଜ ନିଜ ସାଇକେଲ୍ ରେ ଯାଉଥିଲୁ। ରାସ୍ତା ର ଅଧା ଜାଗା ମାଡ଼ି ବସି ଚଲାଉଥିବାରୁ ଜଣେ ବାଟୋଇ ବିରକ୍ତ ପ୍ରକାଶ କରି ଆମକୁ ପାର କରି ଚାଲିଗଲେ। ଠିକ୍ ଢେଙ୍କାନାଳ ପୋଷ୍ଟ ଅଫିସ୍ ଆଗରେ ହଠାତ୍ କ'ଣ ହେଲା କେଜାଣି ସବୁ ଦୁଲ୍ ଦାଲ୍ ହୋଇ ପଡିଲୁ। ଜଣଙ୍କ ଉପରେ ଜଣେ। ମୋ ଗୋଡ଼ ମୋ ସାଇକେଲ୍ ଭିତରେ ଆଉ ମୋ ସାଇକେଲ୍ ଉପରେ ଆଉ ଗୋଟେ ସାଙ୍ଗ, ତା ଉପରେ ତା ସାଇକେଲ୍, ଏମିତି ୪ଜଣ ପଡିଥିଲୁ। ମୁଁ ଗୋଟେ କ'ଣରେ ଥିଲି ଆଉ ଟିକେ ହୋଇଥିଲେ ସିଧା ଡ୍ରେନ୍ ଭିତରେ ପଡ଼ିଥାନ୍ତି। ପଡ଼ି ଉଠି ଝାଡି ଝୁଡ଼ି ହୋଇ ନିଜ ନିଜ ସାଇକେଲ୍ ଧରି ଘରକୁ ଫେରିଲୁ, ବୁଦ୍ଧି ଶିଖିବା ପରେ ଏଥର ଆଉ ସରଳ ରେଖାରେ ନଯାଇ ଆଗ ପଛ ହୋଇ ଚାଲିଲୁ। ଯାହା ହେଉ କାହାର ବେଶି କିଛି ହୋଇ ନଥିଲା ଟିକେ ଅଧେ ଆଞ୍ଚୁଡ଼ା, ଆଉ ଗୋଡ଼ ମୋଡ଼ା ଖାଇ ଘରକୁ ଫେରିବା ଭିତରେ ଘରେ ଖବର ପହଞ୍ଚି ସାରିଥିଲା। ମାଆ ମୋର ସ୍କୁଲ୍ ରୁ ଫେରି କୋଉ ଦୁଷ୍ଟ ଛୁଆର ରାଗ ମୋ ଉପରେ ସାରିଦେଲା। ଏଥର କିଛି ଦିନ ପାଇଁ ସାନ ଭାଇକୁ କୁହାଗଲା ମୋ ସହ ସାଙ୍ଗ ହୋଇ ସ୍କୁଲ୍ ଯିବା ଆସିବା କରିବା ପାଇଁ ଆଉ ମୋ ସାଇକେଲ୍ ର ବେଗ ଉପରେ ନଜର ରଖିବା ପାଇଁ। ଅଧିକ ବେଗରେ ସାଇକେଲ୍ ଚଲେଇଲେ ଘରେ ଜଣେଇବାକୁ କୁହାଗଲା। ସେଥିରେ ବି ମୁଁ ଭାଇକୁ ପଛରେ ଛାଡି ଆଗରେ ସାଇକେଲ୍ ଉଡ଼େଇ ଦେଉଥିଲି। ସାଇକେଲ୍ ଚଲାଉ ଚଲାଉ କେତେ ବେଳେ ଛୋଟିଆ ମେକାନିକ୍ ପାଲଟି ଗଲି ଜଣା ପଡିଲାନି। କଚଡ଼ା ଖାଇବା ପରେ ହାତ ଗୋଡ଼ ଖଣ୍ଡିଆ କଷ୍ଟ ଭୁଲି , ବଙ୍କା ହ୍ୟାଣ୍ଡେଲ୍ ସିଧା କରି ପକାଉଥିଲି , ଚେନ୍ ଖସିଗଲେ ନିଜେ ନିଜେ ସଜେଇ ଦେଉଥିଲି। ଧୀରେ ଧୀରେ ପମ୍ପ ମାରିବା ବି ଶିଖି ଯାଇଥିଲି। ଏବେ ଘରେ, ଅଜାଙ୍କ ସାଇକେଲ୍ ଅଛି। ବେଳେ ବେଳେ ତାକୁ ପମ୍ପ୍ ମାରିବାକୁ ସୁଯୋଗ ମିଳେ ଆଉ ପୁଣି ଥରେ ମୋ କାଣ୍ଡ ସବୁ ଆଖି ଆଗରେ ଭାସି ଯାଏ ଏକ ସୁନ୍ଦର ସୁଖଦ ସ୍ମୁତି ହୋଇ।



Rate this content
Log in

Similar oriya story from Comedy