ରୋଡ଼ ଛାପ ହିରୋ
ରୋଡ଼ ଛାପ ହିରୋ


ହଠାତ୍ ସହରକୁ ଜଣେ ଥୋଡ଼ି ଦାଢି ରଖା ବାବାଙ୍କର ଆଗମନ ହେଲା । ସେ କୁଆଡେ କିଛି ଦିନ ତଳେ ଥରେ ରାଗି ରୁଗି ଘରୁ ଚାଲି ଯାଇଥିଲେ । ଅନେକ ପାଠ ପଢ଼ିଥିଲେ ହେଁ ଚାକିରୀ ବାକିରି କିଛି ହେଲା ନାହିଁ । ତେଣୁ ବାପା ଦିନେ ବିରକ୍ତ ହୋଇ କ’ଣ କହିଦେଲେ ବୋଲି ଟୋକା ମନ ବୁଝିଲା ନାହିଁ । ଘର ଛାଡି ଦିନେ ରାତିରେ ଲୁଚି ବିଦେଶ ଚାଲି ଗଲା । ସେଠୁ କମ୍ପ୍ୟୁଟରରେ କିଛି ଜ୍ଞାନ ହାସଲ କରି ଫେରିଛି । କହୁଛି କ’ ଣ ନା – ଗୋଟେ କମ୍ପ୍ୟୁଟର୍ ଇନଷ୍ଟିଚୁଟ ଖୋଲିବ । ଯୋଗକୁ ତା ‘ପଢ଼ା ସାଙ୍ଗ ଆଲାମ୍ ତା’ ର ଦେଖା ହୋଇଗଲା । କହିଲା – “ବନ୍ଧୁରେ! ତୋତେ ମୁଁ ମନେ ମନେ ଖୋଜୁଥିଲି । ଯାହାହେଉ ଭେଟ ହୋଇଗଲା । ଚାଲ! ଆମେ ଗୋଟେ ପ୍ରଜେକ୍ଟରେ ମିଳିମିଶି କାମ କରିବା । ତୋର ତ ପଇସା ଅଛି, ମୋର ବୁଦ୍ଧି । ବିଦେଶରୁ କେତେ ସବୁ ନୂଆ ନୂଆ ଆଇଡିଆ ଧରି ମୁଁ ଫେରିଛି”।
ସାଙ୍ଗ କୌତୂହଳ ପ୍ରକାଶ କଲାଠୁଁ ଦୁହେଁ ମିଶି ଗୋଟିଏ କମ୍ପ୍ୟୁଟର ଇନଷ୍ଟିଚୁଟ ଖୋଲିଲେ । ଲକ୍ଷ୍ୟ ପିଲାଙ୍କ ପାଖରୁ କୋର୍ସ ଫି ବାବଦକୁ କୋଡ଼ିଏ ହଜାର ଲେଖାଏଁ ଆଦେଇ ହେବ । ସେମାନଙ୍କୁ ଟ୍ରେନିଂ ଦେଇ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବ । ଭଲ ଦୁଇ ପଇସା ରୋଜଗାର ହେବ । ବାହାରେ କମ୍ପାନୀବାଲାଙ୍କ ସହ ସେ ମଧ୍ୟ ଯୋଗାଯୋଗ କରି ଆସିଛନ୍ତି । ପିଲାଙ୍କ ପଢ଼ା ସରିବା କ୍ଷଣି ସାର୍ଟିଫିକେଟ ସହ ନିଯୁକ୍ତି ମିଳିଯିବ । ତେଣୁ ପିଲାମାନେ ନିଶ୍ଚିତ ବଡ଼ ଆଗ୍ରହୀ ହେବେ । ଯାହା ଉପାର୍ଜନ ହେବ ପାର୍ଟନରସିପରେ ଉଭୟ ପଚାଶ ପଚାଶ ପ୍ରତିଶତ ଭାଗାଂଶ ନେବେ।
ପ୍ରସ୍ତାବଟା ବନ୍ଧୁ ମଞ୍ଜୁର ପ୍ରଦାନ କଲାରୁ ତୁରନ୍ତ ଅଗ୍ରୀମ ଦେଇ ସହରରେ ଘର ଖଣ୍ଡେ ଆଗ ଭଡ଼ା ନେଲେ । କିଛିଟା ପ୍ରଚାର ଓ ପ୍ରସାର ମଧ୍ୟ କଲେ । କାନ୍ଥ ବାଡ଼ରେ ପୋଷ୍ଟର ଓ ରଙ୍ଗ ତୂଳୀରେ ଲେଖା ଲେଖେଇଲେ । ପ୍ରଥମ ବର୍ଷ ହେଲେ ମଧ୍ୟ ଭଲ ସଂଖ୍ୟାର ପିଲା କିଛି ମିଳିଗଲେ । ଚାହୁଁ ଚାହୁଁ ପିଲା ସଂଖ୍ୟା ଯାଇ ସହେ ଟପିଲା । ବ୍ୟାପାର ଭଲ ହେଲା । ଇନଷ୍ଟିଚୁଟର ସୁଖ୍ୟାତି ମଧ୍ୟ ବଢିବାକୁ ଲାଗିଲା । ଦାଢିଆ ବାବାଙ୍କ ନାଁ ଅନୁସାରେ ଇନଷ୍ଟିଚୁଟର ନାଁ ରଖାଗଲା “Mohanty Institute Of Computer Classes” .
ସଂଗ୍ରାମୀ ଜୀବନରେ ତ ସବୁବେଳେ ସଂଗ୍ରାମ ହିଁ ଥାଏ । ଉଭୟ ବହିର୍ଦ୍ଵନ୍ଦ୍ ଓ ଅନ୍ତର୍ଦ୍ୱନ୍ଦ୍ୱର ମୁକାବିଲା କରି ମଣିଷ ଆଗକୁ ବଢ଼ିଥାଏ । ବିନା ଘାତ ପ୍ରତିଘାତରେ କେହି କ’ଣ କେବେ ବଡ଼ ହୋଇଛି ନା ସଫଳତା କେବ କାହାର ପାଦ ଚୁମିଛି?।
ଏମିତି ସଂଘାତ ଓ ସଂଘର୍ଷ ମଧ୍ୟ ସୃଷ୍ଟି ହୋଇଥିଲା ଦିନେ ସେମାନଙ୍କ ଭାଗ୍ୟାକାଶେ ଠିକ୍ ଯେଉଁ ଦିନ ଗୋଟେ ରୋଡ଼ ଛାପ ହିରୋ ଦସ୍ତକ ଦେଇଥିଲା ଥରେ ରାତିରେ ସେମାନେ ରହୁଥିବା ପାଖ କୋଠରୀର ସାମ୍ନା କବାଟରେ।
ଘର କବାଟ ଖୋଲି ଦେଲା କ୍ଷଣି କାଳିଆ ବିଲିବିଲା ଚେହେରାର ମଣିଷଟେ ହାତରେ ଛୁରୀଟିଏ ଧରି ଆସି ଉଭା ହେଲା । କହିଲା – “ସେ ଏ ଅଞ୍ଚଳର ଦାଦା ନାଁ ତା’ର ବଣ୍ଟି” । ତାକୁ ନ ପଚାରି କେହି ଏଠି ନୂଆ ବ୍ୟବସାୟ ପ୍ରତିଷ୍ଠାନ ଖୋଲି ପାରନ୍ତି ନାହିଁ । ତେବେ ବ୍ୟାପାର ତ ଭଲ ହେଉଥିବ ତାକୁ ତେଣୁ ଦରକାର ଲକ୍ଷେ ଟଙ୍କା । ଲକ୍ଷେ ଟଙ୍କା ଶୁଣି ଚମକି ପଡ଼ିଲେ ସମସ୍ତେ । ସେଇ ଘର ଖଣ୍ଡିକରେ ରହୁଥିଲେ ତିନିଟା ଲୋକ ମେସ କରି, ଯାହା ଇନଷ୍ଟିଚୁଟର ଗୋଟେ ଛୋଟିଆ ହିସା । ସେମାନେ ହେଲେ ମହାନ୍ତି ବାବୁ, ଆଲାମ୍ ବାବୁ ଓ ଇନଷ୍ଟିଚ୍ୟୁଟର instructor ନେପାଳୀ ବାବୁ । ଉଭୟ ଉଭୟଙ୍କ ଭିତରେ ଆତ୍ମିକତା ଭାବ ଟିକେ ଅଧିକ । ଜଣେ ଅନ୍ୟ ଜଣଙ୍କ ପାଇଁ ବେଶ୍ ସମ୍ବେଦନଶୀଳ ଓ ପରସ୍ପର ପାରସ୍ପାରିକ ଦୁଃଖ ସୁଖରେ ସମଭାଗୀ । ଆଲାମ୍ ବାବୁ ସହଜେ ଟିକିଏ ସରଳ ଓ ଅମାୟିକ ଲୋକ । ହେଲେ ମହାନ୍ତି ବାବୁ ହେଉଛନ୍ତି crisis manager(ବିପର୍ଯ୍ୟୟ ନିର୍ବାପକ) ସେ ସବୁ କଥାରେ ସମାଧାନର ରାସ୍ତା ତିଆରି କରନ୍ତି । ତେଣୁ ସେ ଆଗଭର ହୋଇ ବଣ୍ଟି ବାବୁ ଓରଫ ରୋଡ଼ ଛାପ ହିରୋକୁ ଅନେକ ବୁଝାସୁଝା କଲେ।
କହିଲେ – “ଦେଖନ୍ତୁ ଆଜ୍ଞା! ଆମେ ଏତେ ପ୍ରତିଷ୍ଠିତ ବ୍ୟବସାୟୀ ନୋହୁଁ । ନୂଆ କରି ଏ ବ୍ୟବସାୟରେ ଆମେ ପାଦ ଥାପିଛୁ । ଖୁବ୍ କଷ୍ଟରେ ସ୍ଵଳ୍ପ capital (ମୂଳଧନ) ଖଟେଇ instrument (ଯନ୍ତ୍ରପାତି) ସବୁ କିଣିଛି । ସେଥିରୁ ଅଧା ବାକି କାଳି ମଧ୍ୟ ରହିଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଏ ବ୍ୟବସାୟ ଆମ ଛିଡା କରିଛୁ । ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ଆମକୁ ଆହୁରି ସମୟ ଲାଗିବ । ତା ଛଡା ଏତେ ମୋଟା ରକମର ଚାନ୍ଦା ଆମେ ତୁମକୁ କ’ଣ ପାଇଁ ଦେବୁ? ଆମର ବହୁତ ଲିମିଟେଡ ବଜେଟ । ରୋଜଗାରଠାରୁ ଖର୍ଚ୍ଚ ଅଧିକା । କିନ୍ତୁ କମିଟମେଣ୍ଟ ପୂରା କରିବାର ସଙ୍କଳ୍ପ । ପିଲାମାନଙ୍କର ଭବିଷ୍ୟତ ଚିନ୍ତା ଓ କର୍ମ ସଂସ୍ଥାନ ଯୋଗାଇ ଦେବା ଆମମାନଙ୍କର priority (ଅଗ୍ରାଧିକାର) । ଏତେବେଳେ ତୁମେ demand (ଦାବୀ) କଲେ ଆମେ କେଉଁଠି ଆଣିବୁ? ଭାଇ! ତୁମେ ଗୋଟେ କାମ କର, ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନ ପାଖକୁ ଯାଅ, ଆମକୁ ଏଥିରୁ ତ୍ରାହି କର”।
ସେ ବା କାହିଁକି ଶୁଣନ୍ତା? ଆହୁରି ଡରାଇବାକୁ ଚେଷ୍ଟା କରୁଥାଏ । ଧମକ ଚମକ ମଧ୍ୟ ଦେଲାଣି । ଲୋକଟା ନିଜ ଜିଦ୍ ରେ ନିଜେ ଅଟଳ ଥାଏ । ଏହା ଭିତରେ କଥାଟା ହିଚହାଚ ଆଡକୁ ଗଲାଣି । ବାକ୍ ବିତଣ୍ଡା ମଧ୍ୟ ବଢ଼ିଲାଣି।
ନେପାଳୀ ବାବୁ ତ ଟିକିଏ ରାଇଟିଆ ଲୋକ ପୁଣି କରାଟିରେ ବ୍ଲାକ୍ ବେଲ୍ଟ ଧାରୀ । ତେଣୁ କାହାକୁ ଡରିବାର ଲୋକ ନୁହଁନ୍ତି । ମହାନ୍ତି ବାବୁ ପରି ମାପି ଚୁପି କଥା କହିବା ସେ ଜାଣନ୍ତି ନାହିଁ । ଯାହା କହିବେ ସିଧା କହିବେ । ସେ ଏଥିରେ ଚିଡି ଯାଇ କହିଲେ – “ତୁ ଏଠୁ ଏଇଲାଗେ ଯିବୁ ନା ତୋତେ ପୁଲିସ ଡାକି ଧରାଇ ଦେବୁ”? ତଥାପି ଲୋକଟା ନଖରାମୀ କାଢିବାରୁ ତାକୁ ପେଲି ପେଲି ନେଇ ବାହାରକୁ ବାହାର କରି ଦେଇ କବା
ଟ ଦେଇ ଦେଲେ । କଥାଟା କିଛି ଦିନ ପାଇଁ ଥମି ଗଲା । ହେଲେ ମନରେ ଶଙ୍କା ଥାଏ – କାଳେ ଲୋକଟା ପୁଣି ଆସିବ ବା ନେପାଳୀ ବାବୁଙ୍କର କିଛି କ୍ଷତି କରିବ କି? ସେମାନେ ତ ଚାରି ଦୌଡ଼ି କଟା ମଣିଷ । ନିଜ ଜୀବନ ପ୍ରତି ବି ଭାରସା ନାହିଁ । ନିଶା ପାଣିଟା ମୁଣ୍ଡକୁ ଉଠି ଗଲେ କଥା ସରିଲା । ନହେଲା କାଣ୍ଡ କରି ବସିବେ । ଏମିତି କିଛି ମନକୁ ପାପ ଛୁଁ ଥିଲା।
ଏହା ଭିତରେ ଅନେକ ଦିନ ବିତିଗଲାଣି । ଲୋକଟା ବୋଧେ ମନେ ମନେ ସୁଯୋଗ ଉଣ୍ଡୁ ଥିଲା । ଦିନେ ବିଭିନ୍ନ କମ୍ପାନୀ ସହ negotiation (ଯୋଗାଯୋଗ) ପାଇଁ ମହାନ୍ତି ବାବୁ ଦିଲ୍ଲୀ ଯାଇଥାନ୍ତି । ମେସରେ ଆଲାମ୍ ବାବୁ ଏକୁଟିଆ । ନେପାଳୀ ବାବୁ କେଉଁ ଗୋଟେ କାମରେ ବାହାରକୁ ଯାଇଥାନ୍ତି । ଫେରିବା ଅହେତୁକ ବିଳମ୍ବ ହେଲାଣି ଦେଖି ମନଟା ଅସ୍ଥିର ଲାଗୁଥାଏ । ଘରୁ ବାହାର, ବାହାରୁ ଘର ହେଉଥାନ୍ତି – ଆଲାମ୍ ବାବୁ । ଠିକ୍ ଏହି ସମୟରେ ହଠାତ୍ ପୁଲିସ ସାଇରନ ବାଜି ଉଠିଲା । ଗଣ୍ଡେ ଛଅଟା ପୁଲିସ ଧସଧାସ ଗାଡିରୁ ଓହ୍ଲାଇ ପଡି ତସିନେଲେ ଆଲାମ୍ ବାବୁ ରହୁଥିବା ରୁମ୍ ଆଡକୁ।
-“ତୁମେ ଆଲାମ୍ ବାବୁ ନା” ପ୍ରଶ୍ନର ଉତ୍ତର ତଲବ କରି ଓ ମହାନ୍ତି ବାବୁ କୁଆଡେ ଗଲେ ପଚାରି ଦେଇ ସିଧା ନେଇ ଗାଡିରେ ବସେଇଲେ । ରାତି ସାରା ଥାନାରେ ଅଟକ ରଖି ଚାଲିଲା ଜେରା । ଏତେବେଳକୁ ଘର ମଧ୍ୟ ଖାନ୍ ତଲାସି ସରିଥାଏ । ନେପାଳୀ ବାବୁଙ୍କୁ କିଏ ପଥରରେ ଛେଚି ମାରି ପକେଇଥିବା କଥା- ପୁଲିସ କହିଲେ । ଖୋଳତାଡ଼ ଚାଲିଲା । ଆଲାମ୍ ବାବୁ ତ ଅତି ସରଳିଆ ଲୋକ । ସବୁ କଥା ସତ ସତ କହିପକାଇଲେ । ତେଣୁ ସେହି କାଳିଆ ବିଲାବିଲା ଲୋକଟାର ହାତ ଥାଇପାରେ ବୋଲି ପୋଲିସ ସନ୍ଦେହ ବ୍ୟକ୍ତ କଲା । ସକାଳୁ ଆଲାମ୍ ବାବୁଙ୍କୁ ପୋଲିସ ଛାଡ଼ି ଦେଲା । ଖାନ୍ ତଲାସ ଚାଲିଲା।
ହେଲେ ପ୍ରତ୍ୟହ ପୋଲିସ ଗାଡି ରାତିରେ ଆସେ । ପୁଛତାଛ କରିବା ଆଳରେ ଆଲାମ୍ ବାବୁଙ୍କ ସହ କଥୋପକଥନ କରନ୍ତି । କେବେ ସିଗାରେଟ୍ ଯାଚନ୍ତି ବା ବଜାରରୁ ବାଦାମ ଓ ପକୁଡ଼ି ଆଣି ଖାଆନ୍ତି, ଆଲାମ୍ ବାବୁଙ୍କୁ ବି ବାଧ୍ୟ କରି ଖୁଆନ୍ତି । ସେ ନଖାଇଲେ ନିଜେ ଖାଆନ୍ତି, ବାହାରେ ବି ବେଳେ ବେଳେ କେଯାଏଁ ଅପେକ୍ଷା କରନ୍ତି । ପୁଣି ଅଧିକାଂଶ ବେଳେ ପଚରା ଉଚୁରା ଆଳରେ ନେଇ ଥାନାରେ ବସାନ୍ତି।
ହେଲେ ମୁଖ୍ୟ ପ୍ରସଙ୍ଗ ଛାଡ଼ି ଖୁସି ଗପ କରନ୍ତି । ଆଲାମ୍ ବାବୁ ଏ ସବୁ କଥାଗୁଡାକର ତାତ୍ପର୍ଯ୍ୟଗୁଡ଼ା କିଛି ବୁଝି ପାରନ୍ତି ନାହିଁ । ଖାଲି ବୋକାଙ୍କ ପରି ପ୍ରଶ୍ନିଳ ଠାଣିରେ ରହିଯା’ନ୍ତି । ମନେ ମନେ ଭାବୁଥାନ୍ତି ଏ ମର୍ଡର କେସରେ ତାଙ୍କୁ ପୋଲିସ ଫସାଇବା ପାଇଁ ଜାଲ ବିଛାଉ ନାହିଁ ତ?
ଏଇମିତି ବେଶ୍ କିଛି ଦିନ ଶଙ୍କା ଆଶଙ୍କାରେ କଟିଗଲା । ମହାନ୍ତି ବାବୁ ଖବର ପାଇଲା ପରେ ସିଧା ଦିଲ୍ଲୀରୁ ଆସି ଇନଷ୍ଟିଚ୍ୟୁଟରେ ପହଞ୍ଚିଲେ । ସବୁ କଥା ଶୁଣି ବଡ଼ ମନକଷ୍ଟ କଲେ । ବଡ଼ ବ୍ୟସ୍ତ ବି ଲାଗୁଥାଏ । ବେଶୀ ପୋଲିସର ଏ ଅସ୍ୱାଭାବିକ ଆଚରଣ ପାଇଁ ରାଗ ଲାଗୁଥାଏ । ଆଲାମ୍ ବାବୁଙ୍କୁ ସାନ୍ତ୍ଵନା ଦେଲେ – “ମୁଁ ଆସିଗଲିଣି ସବୁ ସମାଧାନ ହୋଇଯିବ, ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ” । ସହରରୁ ଗୋଟିଏ ନାମଜାଦା ଓକିଲ ଯିଏକି ପୂର୍ବରୁ ପରିଚିତ ତାଙ୍କୁ ଧରି ଥାନାକୁ ଗଲେ।ଥାନା ବଡ଼ ବାବୁଙ୍କୁ ଦେଖା କଲେ । ଆଲାମ୍ ବାବୁଙ୍କୁ ପୋଲିସ ହଇରାଣ ହରକତ କରୁଥିବା କଥା କହିଲେ – ଏହାର କାରଣ ତଲବ କଲେ । ପୁଣି ନେପାଳୀ ବାବୁଙ୍କ ମର୍ଡର କେସର ପ୍ରକୃତ ଆସାମୀକୁ ଗିରଫ କରିବାରେ ପୋଲିସ ଜାଣି ଜାଣି ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ଅଭିଯୋଗ କଲେ । ପୋଲିସ ବାବୁ ସବୁ ଶୁଣିଥାନ୍ତି, ଡାଉଁ ବାଉଁ କରି କଥାଟାକୁ ଆଡ଼େଇ ଯାଉଥାନ୍ତି।
ଠିକ୍ ଏତିକି ବେଳକୁ ପୋଲିସର ପୂର୍ବ ନିର୍ଦ୍ଧାରିତ ମାଷ୍ଟର ପ୍ଲାନ୍ ମୁତାବିକ ଓ ମୋବାଇଲ ଟ୍ରାକିଂ ଜରିଆରେ ରୋଡ଼ ଛାପ ହିରୋ ଓରଫ ମଣ୍ଟୁକୁ ଗିରଫ କରି ପୋଲିସ ଟିମ୍ ର ଏକ ବଡ଼ ହିସା ଆସି ଥାନାରେ ପହଞ୍ଚିଗଲେ । ତାକୁ ଲକ୍ ଅପ୍ କରି ସାରିଲା ପରେ ପୋଲିସ ହୋସ୍ ମାଇଲା।
ଏଥର ଥାନା ବଡ଼ ବାବୁ ତିନି କପ୍ ଚା ମଗାଇଲେ । ନିଜ ପାଇଁ, ମହାନ୍ତି ବାବୁ ଓ ଓକିଲ ବାବୁଙ୍କ ପାଇଁ । ଏବେ ସେ ଆରାମରେ କଥା ହେଲେ । କହିଲେ – “ଦେଖନ୍ତୁ ଆଜ୍ଞା! ଆମେ ଜାଣିଛୁ ଏ କେସରେ ଅସଲ ଆସାମୀ କିଏ । ତଥାପି ଆମେ ଆଲାମ୍ ବାବୁଙ୍କ ପଚରା ଉଚରା ବାହାନାରେ ବାରମ୍ବାର ରାତିରେ ପୋଲିସ ଷ୍ଟେସନରେ ଅଟକ ରଖି କଥା ହେଉଥିଲୁ । ନୋହିଲେ ତାଙ୍କ ବସା ଆଗେ ଜଗି ରହୁଥିଲୁ । କାରଣ ଏଇଟା ଆଜ୍ଞା! ବଡ଼ କ୍ରିମିନାଲଟା।ସେ ସୁଯୋଗ ପାଇଥିଲେ ଆଲାମ୍ ବାବୁଙ୍କୁ ମଧ୍ୟ ମାରି ଦେଇଥାନ୍ତା । ତା ପ୍ଲାନ୍ ବିଷୟରେ ଆମେ ସୂଚନା ପାଇ ଯାଇଥିଲୁ । ଗୁଇନ୍ଦା ରିପୋର୍ଟ ମଧ୍ୟ ରଖୁଥିଲା । ଆମେ ଚାହିଁଥିଲେ କିଛି ଦିନ ପାଇଁ ଏ ଜାଗା ଛାଡି ଚାଲିଯିବାକୁ ଆଲାମ୍ ବାବୁଙ୍କୁ କହି ପାରିଥାନ୍ତୁ । ମାତ୍ର କାଳେ ସତ କଥାଟା କହି ଦେଇଥିଲେ ସେ ଡରି ଯାଇଥାନ୍ତେ, ସେଥିପାଇଁ ଭିନ୍ନ ପନ୍ଥା ଅବଲମ୍ବନ କଲୁ । ତା ଛଡ଼ା ଆମେ ଜାଣି ଥିଲୁ ମଣ୍ଟୁ ତାଙ୍କୁ ମାରିବା ପାଇଁ ଚେଷ୍ଟା କରିବ ଓ ସେ ପର୍ଯ୍ୟନ୍ତ ଏ ଜାଗା ଛାଡ଼ି ସହଜରେ ଯିବ ନାହିଁ । ଏଇଠି କୋଉଠି ଲୁଚି ରହିଥିବ ଓ ତାକୁ ଅନୁସରଣ କରି ପୋଲିସ କଷ୍ଟୋଡିକୁ ଆଣିବା ସହଜ ହେବ । ଯାହା ବି ହେଉ ଏଭଳି ଗୋଟେ ବଡ଼ କ୍ରିମିନାଲକୁ ଧରିବାରେ ଆପଣମାନେ ସମସ୍ତେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିବାରୁ ଆଲାମ୍ ବାବୁ ସମେତ ଆପଣମାନଙ୍କୁ ସମସ୍ତଙ୍କୁ ବଧାଇ”।
ଘଟଣାଟିର ସବିଶେଷ ବିବରଣୀ ନେଇ ଉଭୟ ମହାନ୍ତି ବାବୁ ଓ ଓକିଲ ବନ୍ଧୁ ପୋଲିସକୁ ଧନ୍ୟବାଦ ଦେଇ ଫେରି ଆସୁଥିଲେ । ଏପଟେ ଆଲାମ୍ ବାବୁ “ପୋଲିସର ଜାଳା ଆଉ ସହି ପାରିବେ ନାହିଁ “ବୋଲି କହି ସହର ଛାଡ଼ି ପଳାଇ ଯିବାକୁ ଜିନିଷ ପତ୍ର ସବୁ ପ୍ୟାକ୍ କରୁଥିଲେ।