ରାଣ, ଖା !
ରାଣ, ଖା !


"କ'ଣ ମାଉସୀ ବଇଚୁ?"
"ହଁ, ଲୋ ମା!"
"ଆଉ କେତେ ଆମ୍ବ ଗୋଟେଇଲୁଣି ?"
" କାଇଁ ? ଏଇ ଗଣ୍ଡେ ଛଅଟା ଲୋ ଝିଅ I ଦସାଦିଆ ମାଙ୍କଡ ପଲ କ'ଣ ରଖେଇଦେଉଛନ୍ତି ଗଛରେ କିଛି? ପାକଲା ତକ ତାଙ୍କର,ଏଇ ଡେଇଁଲା ବେଳେ ଗୋଟେ ଅଧେ ତଳେ ପଡିଯାଉଛି ..ମୁଁ ତାକୁ ସଂଗେ ସଂଗେ ଗୋଟେଇକି ବସ୍ତାରେ ପୂରେଇଦେଉଚିI ଆମ୍ବ ପାରିବାକୁ ନୋକ ଖୋଜି ଖୋଜି ପୁଅ ହାଲିଆ ହେଲାଣି, କେହି ରାଜି ହଉନାହାନ୍ତିI"
"ମାଉସୀ ଲୋ! ଯାଉଛିI ବୋଉ ଅନେଇଥିବ, ପଖାଳ କଂସା ରେଡି କରିକି Iବାପା ସକାଳୁ ଛନ ଛନ ଶାଗ ବାଇ ରୁ ଆଣିଥିଲାI ବଡ଼ିଚୁରା ଆଳୁ ପୋଡା, ଆଉ ଗରମ ଗରମ ଶାଗଭଜା ଦେଇ ଟାଙ୍କିଦେବି ନାକ ପର୍ଯ୍ୟନ୍ତ, ତା'ପରେ ବାଡ଼ିଦୁଆର ପାଖେ ମସିଣା ଖଣ୍ଡକ ପାରି ଶୋଇଯିବି ଯେ ବେଳବୁଡ଼ କୁ ଉଠିବିI"
"ହଉ ଯା ଲୋ ସୁମି! ପୁଅ ଅଇଲେ ନେଇକି ଯିବ ମତେ I କ'ଣ ଦୁଉଚି କି କିଛି? ନେଞ୍ଜରା ବୋଳ ବସିଯାଇଛିI ସବୁ ଝାପ୍ସା ଯେସନ I ସ୍ୱର ରୁ ବାରିଲି ତୁ ହେଇଥିବୁ I"
"ମୁଁ ପହଂଚିକି ରବି ଭାଇଙ୍କୁ କହିଦେବି, ତମକୁ ବେଇଗି ନେଇଯିବେ I ଖରା ଆସି ମୁଣ୍ଡ ଉପରେ ପାଇଲାଣି I ଭୋକ ରେ ହଂସା ଉଡ଼ିଯିବଣି ..ପାଣି ପଣ| କିଛି ରଖିନ ପାଖରେ?"
"ଦହିପାଣି ଅଧାବୋତଲ ବୋହୁ ଦେଇଥିଲାI କେତେବେଳୁ ସଇଲାଇଁ I"
"ହଉ, ମୋ ପାଖରେ ଫ୍ରୁଟି ଅଛି ଗୋଟେ I ପିଇ ଦେଇଥାI ତଂଟି ଅଠା ଅଠା ହେଇଯାଉଥିବ I"
"ତୋ'ର ଭାରି ପୁଣ୍ୟ ହବ ଲୋ ମା I ଶୋଷ ରେ ତୋଟି ଶୁଖିଯାଉଥିଲା | ତୋ ଭାଗ ଟା ତ ମତେ ଦେଇ ପକେଇଲୁ, ତୁ ଫେର କ'ଣ ଖାଇବୁ?"
"କାଇଁ ?ଘରେ ଗଲେ ଖାଇବି I ଏଇ ଫ୍ରୁଟି ଟା, ମିଶ୍ର ଘର ଫ୍ରିଜ ରେ ରଖିଦେଇଥାନ୍ତିI ସନ୍ଧ୍ୟା ବେଳକୁ ପିଇଥାନ୍ତି Iନ ହେଲା ନାଇଁ, କାଲିକି ଆଉ ଗୋଟେ ଆଣିବି I ନିତି ଆଣେ I ଅଙ୍ଗନବାଡି ରୁ ଯାହା ଅଳ୍ପ ପଇସା ମିଳୁଛି, ସେଥିରୁ ମୋ ଖର୍ଚ ଉଠେ Iମତେ କେହି କହିବାର ନାଇଁ, କି ପଚାରିବାର ନାଇଁ I"
"ହଉ, ଝିଅ ଯା I ବୋଉ ଅନେଇଥିବ I"
"ତୁ ବି ଘରକୁ ଗଲେ, ଗାଧେଇ, ଖାଇ, ସୋଇପଡିବୁ Iବୁଝିଲୁ ମାଉସୀ! ଏ ଖରା ଦେହରୁ ପାଣି କ'ଣ ରକ୍ତ ଶୋଷି ନଉଚି I"
ସୁମି ମୁଁହକୁ ଦଣ୍ଡେ ଚାହିଁ ମାଉସୀ କହିଲା -"ସେ ଭାଗ୍ୟ ମୋର କାଇଁ ଲୋ?"
"ଗଲେ ଆମ୍ବତକ, ଖଟତଳ ବାଲି ଉପରେ ଗଡେଇବିI ତା' ପରେ ଯାଇ ଯୋଉ କଥା I"
"ପାଚିଲେ ପୁଅ ବଜାରରେ ବିକିବ Iଘରକୁ ଦି ପଇସା ଆଣିବ I ପଖାଳ ସାଙ୍ଗେ କଣ କରିଥିବକେଜାଣି ଝୁନି ?ବହୁତ ଦିନରୁ ସୁକୁଆ ପାଟିରେ ବାଜିନି I ବାରି ଟା ଥିଲା Iକହିକି ଆସିଥିଲି I କରିଥିବ କି ନାଇଁ ?ଆଜିକାଲିକା ଛୁଆଙ୍କୁ ସୁକୁଆ ବାସନା ଟା ଗନ୍ଧ Iନାକ ତାଙ୍କର ଫାଟିପଡିବ ! କେଡେ ସୁଆଦ ନାଗେ ପତ୍ରପୋଡ଼ା କଲେ Iସିଏ କ'ଣ ଜାଣିବେ ନI ବୁଝିବେ?"
"ଖାଇକି, ଟିକେ ଗଡ଼ପଡ଼ ହେଇଥିବିକି ନାହିଁ... ବୋହୁ ଡାକିବ ବାଡ଼ିରେ ଗଛ କୋଡିବା ଆଉ ପାଣି ଦବାଲାଗି Iସାଥି ସାଥି ନଗଲେ, ଗର ଗର ହବ I ତା'ର ସେ ମୁଂହାମୋଡା, ଶାଣ ଦିଆ କଥା କୁ ମୋର ଭାରି ଡର I ବେଳେ ବେଳେ ଗର୍ଜନ ଛାଡେ ଯେ ବୁକୁ ଥରିଯାଏ ,ତା ସାଙ୍ଗକୁ, ଆମ ପଡିଶା ରଘୁଆ ବୋହୁ କାନପାତି ଥିବ ... କ'ଣ ହଉଚି ଜାଣିବା ଲାଗି Iସିଏ ବି ଜୁଆ ପଦିଏ ପଦିଏ ଦିଏ,ସରଗରମ ହେଲେ ପରିସ୍ଥିତି I"ତୋ ମଉସା ତ ସରକାରୀ ଚାକିରୀ କରିନଥିଲେ, ମୁଁ ଆଉ ଫେମିଲି ପେନଶନ ପାଇବି କୋଉଠୁ ?ପାଉଥିଲେ ,ମୋର କହିବାର କିଛି ଅଧିକାର ଥାନ୍ତା Iଏବେ, ତ ତାଙ୍କ ଉପରେ ନିର୍ଭର- ଖାଇବା, ପିଇବା, ପିନ୍ଧିବା ନାଗି I ଯାହା କହିବେ, ଶୁଣି ଯିବି I ଉପାୟ କ'ଣ ଅଛି କହୁନୁ?" ଆଗ ଘର ଗୋଲକ ମିଶ୍ର ସ୍ତ୍ରୀ ,ପେନଶନ ପାଏ I ମତେ ଦେଖେଇ, ଶିଖେଇ ଦିନକୁ କମସେକମ ଚାରି ଥର କୁହାଯିବ ..ନ ଶୁଭନ୍ତା ହେଲେ ଏ ପୋଡା କାନକୁ ସବୁ ଶୁଭୁଚି Iଶୁଣି ନ ଶୁଣିଲା ଭଳିଆ ହୁଏ ଲୋ ଝିଅ I"
"ମୋ ଠୁ କେତେ ସାନ ,ମରି ହଜି ଗଲେଇ ...ମୁଁ ଛପନ କୋଟି ଯୁଗ ଯାଏଁ ଆଇସ ଆଣିଛି Iନା ଯାଉଛି ,ନା ସହି ପାରୁଛି I"
"ଆଖ ପାଖରେ, କେହି ବୁଢ଼ାବୁଢ଼ୀ ଗଲେ ,ବୋହୁ ଆମର କହିବ"ଆହା! କେଡେ ଭଲମଣିଷ ଜଣେ ଥିଲେ,କେତେ ପୁଣ୍ୟ କରିଥିଲେ, ତାଂକଲାଗି ସ୍ୱର୍ଗ ରେ ଜାଗା ନିଶ୍ଚେ ରିଜର୍ଭ ଥିବ..ଆଉ ଆମର ଏଠି ,ସବୁ ଯମ ଅଇଁଠା ମାନେ, ଚିନ୍ତା ଦକ ଶୂନ୍ୟ ହେଇ ବଇଛନ୍ତି Iଚିନ୍ତା କାଇଁକି କରିବେ ?ଆମେ ପା ଅଛୁ I"
ପୁଅ , କେବେ କେମିତି ଲୁଚେଇକି କିଛି ପଇସା ଦିଏ Iଭଲ, ମନ୍ଦ ପାଟିରେ ପକେଇବା ଲାଗି Iହେଲେ ,ନାତି ଟୋକା ଖଣ୍ଡକ କ'ଣ ରଖେଇ ଦବ ?ତକିଆ ତଳୁ ନେଇପଳେଇବ Iସେଠୁ ଆଣି କାନିରେ ବାନ୍ଧିଲି, ସେକୁ ବି ରଖେଇ ଦେଲାନି I ନିଦ ହେଇଗଲେ ଧରିପଳେଇବ I କା' ଆଗରେ ଫେରାଦ ହେବି କଉନୁ? ତା ମା' ଶୁଣିଲେ ମୋ ଚଉଦ ପୁରୁଷ ଉଝାଳିବ, ଅକଥା ଗୁଡା ବକିବ I"
"ଏପଟୁ ମାଇଲେ ଗୋ ହତ୍ୟା, ସେପଟୁ ବ୍ରହ୍ମହତ୍ୟା I କୁଆଡ଼କୁ ହେବି କହ ?" "ଆଲୋ ଝିଅ !ତତେ, ନିଜର କରି, କେତେ ଗୁମର କଥା ଗପିଗଲି I ଛାତି ଭିତରଟା ଉଶ୍ୱାସ ପଡିଗଲା Iରାଣ ଖା, ମା! ଭୁଲ ରେ ବି, କାହାରି ଆଗରେ କହିବୁନି Iଯଦି ଖସିଗଲା ତୋ ପାଟିରୁ, ମୋ ଅବସ୍ଥା କ'ଣ ହବ ଭାବି ପାରୁଛୁତ?"
"ନାଇଁ ଲୋ ମାଉସୀ !ମୋର ସେ ନାନ୍ଦୁରା ଗୁଣ ନାଇଁ Iତତେ ଅସୁବିଧାରେ ପକେଇଲେ ମତେ କଣ କିଛି ମିଳିବ ?"
"ଯାଉଛି Iକାଲି ଫେର ଦେଖା Iତମ ସାହି ଗଉରା, ଖଣ୍ଡେ ବାଟରେ ଠିଆ ହେଇଚି I ଡାକୁଛି -ତା' ମଟରସାଇକଲ ରେ ଲିଫ୍ଟ ଦବ ମତେ Iମୁଣ୍ଡରେ ଓଢଣୀ ଟା ପକେଇ ଦେବି Iକିଏ ଜାଣିବ ...କିଏ ଯାଉଚି ?ହେଲେ ,ତୁ ବି ମାଉସୀ,ତମ ଘରେ...ମୋର ଗଉରା ସଂଗେ ଯିବାକଥା ବିଲକୁଲ ପକେଇବୁନି I"
"ରାଣ ଖା !"