ଲକର
ଲକର


ଝିଅର ଲଗ୍ନସ୍ଥିର ଗତକାଲି ଥିଲା । ଘର, ବର ସବୁ ମନମୁତାବକ ମିଳିଛି । ଖୁସିରେ ଅଧୀର ଆଜି ମୀରା ...ଏତେ ଦିନକେ କଳାଠାକୁର ତାଙ୍କ କଥା ଶୁଣିଲେ ।
ଝିଅ ରୂପା -ଶିକ୍ଷିତା,ବାଙ୍ଗାଲୋରରେ ଏକ ମଲ୍ଟିନାସନାଲ କମ୍ପାନୀରେ ଜବ କରେ।
ବହୁମୁଖୀ ପ୍ରତିଭା ର ସମନ୍ୱୟ ଦୁହିତା ତାଙ୍କର...ତର୍କ ପ୍ରତିଯୋଗିତା,ସୀତାରବାଦନ,ଓଡିଶୀ ନୃତ୍ୟ ଆଦିରେ ନିପୁଣା। ଦୁଇ, ଦୁଇ ଥର କଲେଜ କୁଇନ ହେବାର ସୌଭାଗ୍ୟ ମିଳିଛି ।ଅଲରାଉଣ୍ଡର କହିଲେ ଅତ୍ୟୁକ୍ତି ହେବ ନାହିଁ । ଘରେ ରୂପା ର ସିଲଡ଼ ଆଉ ମେଡାଲ ଦେଖି ଶଶୁର ଘର ଲୋକେ ଅଭିଭୂତ ହେଇଯାଇଥିଲେ ସେଦିନ। ରୂପା ର ଭାବି ଶାଶୁ ଖୁସିରେ ଗଦ ଗଦ ହେଇ ମୀରାଙ୍କୁ କୁଣ୍ଢେଇ ପକେଇଥିଲେ ଆଉ ସାବାସି ଦେଇଥିଲେ । ରୂପାର ଦରମା ଚଳିବା ଉପଯୋଗୀ, କିନ୍ତୁ ମଣ୍ଟୁ -ମାନେ ତାର ଭାବି ସ୍ୱାମୀଙ୍କ ଦରମା ମୋଟାଅଙ୍କର ।ଇଞ୍ଜିନିଅରିଂ ପରେ ଏମ୍ବିଏ ଡିଗ୍ରୀ ହାସିଲ କରିଛନ୍ତି । ସବୁଠୁ ଆଶ୍ୱାସନା ଦାୟକ କଥା ହେଲା, ଦୁହିଁଙ୍କର ଚାକିରୀ ଗୋଟିଏ ସହରରେ । ଗୋଟିଏ ବୋଲି ଝିଅ ରୂପା ।ତାଙ୍କର ସୀମିତ ସମ୍ବଳରେ ଯଥା ସମ୍ଭବ ଚେଷ୍ଟା କରିଛନ୍ତି ଝିଅକୁ ସବୁପ୍ରକାର ସୁବିଧା ଓ ସୁଯୋଗ ଦେବାଲାଗି ।
ମଧ୍ୟବିତ୍ତ ପରିବାର ତାଙ୍କର…ଚଳିବାରେ ଖୁବ ଟଣାଟଣି ନ ହେଲେ ବି ଅବସ୍ଥା ଅତି ସ୍ୱଚ୍ଛଳ ନୁହେଁ । ବାହାଘରରେ ଅପର୍ଯ୍ୟାପ୍ତ ଖର୍ଚ୍ଚ କରିବା ଲାଗି ପୁଞ୍ଜି ନାହିଁ । ତେଣୁ ଆୟକୁ ଦେଖି ବ୍ୟୟ କରିବାକୁ ହେବ ମୀରାଙ୍କୁ । ଛୋଟକାଟିଆ ବଜେଟ ଟିଏ ପ୍ରସ୍ତୁତ କରିବାରେ ଲାଗିପଡିଥାନ୍ତି ମୀରା । ଭଗବାନଙ୍କ ଦୟାରୁ ସୁନା କିଣିବାକୁ ପଡ଼ିବନି ।ଯାହା ତାଙ୍କର ଲକରରେ ପଡିଛି ସେଇଥିରେ କାମ ଚଳେଇଦେବେ । ଆଜିକା ଦିନରେ ସୁନା କିଣିବାକୁ ପଡ଼ିଥିଲେ,କାଙ୍ଗାଳ ହେଇଯାଇଥାନ୍ତେ । ସୁନା ଦାମ ଛ ‘ଟା ମାସ ଭିତରେ ଆକାଶଛୁଆଁ ହେଇଗଲା । ଯାହାହେଉ, ତାଙ୍କର ଯାହାବି ଅଳ୍ପ ସ୍ୱଳ୍ପ ଗହଣା ଅଛି , ତାକୁ ପଲିସ କରି ଅଥବା ତରଳେଇକି ହାଲ୍କା ସେଟ ଟେ, ଆଉ ବାହୁଟି ବନେଇଦେବେ। ବନ୍ଦାଣରେ ମୁଦି କିଛିଟା ଆଉ ଗୋଟେ ଯୋଡ଼େ କାନଫୁଲ ମିଳିବାର ଆଶା ଅଛି । ଆଶା କଥା କହିଲେ ଠିକ ହେବ ନାହିଁ, ବିଶ୍ୱାସ ଆଉ ଆସ୍ଥା ଅଛି -ଯାହାସବୁ ଦେଇଛନ୍ତି ଆଗରୁ କିଛିଟା ତ ନିଶ୍ଚେ ପାଇବେ ।
ଏ ସଂସାର ଚାଲିଛି -"ଉଧାର କୁ ବଦଳ" ନୀତିରେ- ତେଣୁ ଆଶ୍ୱାସନା ଧରିବସିଚନ୍ତି ମନରେ -
ପାଖଘର ହରିଶ ବାବୁ ବ୍ୟାଙ୍କ ରେ ଚାକିରୀ କରନ୍ତି ।
ମନାକରିବା ସତ୍ବେ ଆରବର୍ଷ ଜବରଦସ୍ତି ଗୋଟେ ଲକର କରେଇଦେଇଥିଲେ ।
କହିଥିଲେ,” ଭାଉଜ ଆପଣଙ୍କର ସିନା ଦରକାର ନାହିଁ ,ଝିଅର ଯଦି ଦରକାର ହୁଏ ...ସେତେବେଳକୁ କିନ୍ତୁ ମୁଁ ବଦଳି ହେଇ ଅନ୍ୟ ଜାଗାରେ ଥିବି ।”
ସତକଥା । ସହର ବଜାର ଜାଗାରେ ଆଜିକାଲି ଲକର ଟେ ଖୋଜିଲେ କଣ ମିଳୁଛି ?
ଖାଲି ପଡିଛି ସେଇଟା । ଯାହାବି ଅଳ୍ପ ସ୍ୱଳ୍ପ ସୁନା ଗହଣା ଆଉ ରୂପା ବାସନ ଥିଲା, ସେ ସବୁ ଆଲମାରୀ ଲକରରେ ଅଛି ମୀରାଙ୍କର ।
ସେଦିନ ରବିବାର । ସକାଳୁ ରୋଷେଇବାସ ସାରି ଗହଣା କାମ ଟା ଆଗେଇଦେବା ଲାଗି ପ୍ରସ୍ତୁତ ହେଇଗଲେ । ଆଖପାଖରେ ଗୁଡିଏ ବାହାଘର ତିଥି ଥିବାରୁ ସୁନା ଦୋକାନ ମାନଙ୍କରେ ଭିଡ଼ ଲାଗିରହିଥାଏ । ପୁରୁଣା ନୂଆ କରିବା ଲାଗି ଅପେକ୍ଷାକୃତ କମ ଭିଡ଼ ଥିବା ଦୋକାନ କୁ ଗଲେ । ଗେଟ ରେ ଥିବା ଦରଵାନ ଏକ୍ସଚେଞ୍ଜ କାଉଣ୍ଟରକୁ ଯିବା ଲାଗି ଗାଇଡ଼ କରିଦେଲା ।
ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ହେଲା । ପ୍ରାୟ ଘଣ୍ଟାଏ ପରେ ପାଳି ପଡିଲା । ଭାନିଟି ବ୍ୟାଗରୁ ସୁନାତକ କାଢି ଟ୍ରେ ରେ ରଖିଲା ବେଳେ ଏକ୍ସଚେଞ୍ଜ କାଉଣ୍ଟରରେ ବସିଥିବା ସେଲସମ୍ୟାନ ତାଚ୍ଛଲ୍ୟ ଭରା ସ୍ୱର ରେ କହିଥିବା କଥା ଆଜିବି ମନେ ଅଛି ମୀରାଙ୍କର ।
“କ’ଣ ସମୁଦାୟ ଏତିକି? "
“ଆଜ୍ଞା “କହି ଓଜନ ମେସିନ ଉପରେ ନଜର ଦେଲେ। କଥାରେ କହନ୍ତି -”ଅଳ୍ପ ଧନ ବିକଳ ମନ ।”
ତାଙ୍କର ପରିସ୍ଥିତି କୁ ଖୁବ ଖାପ ଖାଉଥିଲା । କିଛି ପଇସା ପକେଇ ନୂଆ ପୁରୁଣା କାମ ଟା ଆଗେଇନେଲେ ।
ତାଙ୍କର ନିଜସ୍ୱ ବୋଲି ରହିଲା କେବଳ ପତଳା ଚେନଟି ଆଉ ଚୁଡ଼ି ଦି ପଟ ।
ମନକୁ ଆଶ୍ୱାସନା ଦେଲେ -
କ’ଣ ବା ହବ ରଖିକି? ଚୋର ଡରରେ ପିନ୍ଧି ତ ହବନି,ସେଇ ଲକର ଭିତରେ ଜାକିଜୁକି ହେଇ ରହିଥିବେ ଗହଣା ମାନେ । ବାହା ବ୍ରତ, ପର୍ବ ପର୍ବାଣିରେ ବାହାର କରି ଦିନ ଗୋଟେ ବ୍ୟବହାର କରିବା କଥା । ପରଦିନ ଲକରର ଅମୁଁହା ଦେଉଳରେ ପାଟକନା ପିନ୍ଧି ବିଜେହେବେ ଗହଣାଗାଣ୍ଠି ସବୁ ।
ମନେ ମନେ ହସିଲେ ....ଆଉ କହିପକେଇଲେ”ସବୁ ସେଇ ମନ ର ଭ୍ରମ -କାହିଁକି ତୁଚ୍ଛାରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁଳା ପୁଳା ସୁନା କିଣନ୍ତି ଆଉ ତାକୁ ଲକର ଭିତରେ ବାନ୍ଧି ପକାନ୍ତି ।କାମରେ ଆସୁନଥିବା ଜିନିଷ ପ୍ରତି ଏତେ ମୋହ ଆଉ ଆସକ୍ତି କାହିଁକି ?”
ପଡ଼ିଶା ଘର ର ପ୍ରମିଳା ବୋଉ କହେ "ଜାଣିଛ, ମୋର ଚାଳିଶ ଭାରି ସୁନା ଅଛି ।ବାହାହେଲା ବେଳେ ,ବାପା ଦେଇଥିଲେ ମାତ୍ର ସାତଭରି।
ବାକିତକ ଇଏ କରିଦେଇଛନ୍ତି ।ପ୍ରତିବର୍ଷ ଦୁର୍ଗା ପୂଜା ଆଉ ଜନ୍ମଦିନରେ ଚୁଡ଼ି ହଉ କାନଫୁଲ ହଉ ନିଶ୍ଚୟ କିଣିଦେବେ ।
ଆରବର୍ଷ, ଚାରି ଭରି ର ହାର ଆଣିଦେଇଥିଲେ ...ପଚିଶତମ ମେରେଜ ଆନିଭରସରି ଉପଲକ୍ଷେ ।”
“କାହିଁ କେବେ ତ ଦେଖୁନି ଆପଣଙ୍କୁ ପିନ୍ଧିବାର?” ମୀରା ଙ୍କ ପ୍ରଶ୍ନ ଥିଲା -
"ବୁଝିଲ ଭଉଣୀ, ଆଜିକାଲି ଯେଉଁଭଳିଆ ଚୋରି ଡକାୟତି ହଉଚି, ଏତେ ଦାମୀ ଜିନିଷ ଟେ କଣ ଘରେ ରଖିହବ ପିନ୍ଧିବା ତ ଛାଡ ?"
"ତାହାଲେ ?"
"ଦୋକାନ ରୁ କିଣା ହେଇ ସିଧା ବ୍ୟାଙ୍କ ଲକରରେ ଥୁଆ ହେଲା। ଆରମାସ ଝିଆରୀ ବାହାଘର ରେ ପିନ୍ଧିବି ।ବାହାଘରବାସି ପୁଣି ଲକର ରେ ଥୁଆହବ ।”
"ଲାଭ କଣ ?ନିଜ ପସନ୍ଦ ର ଜିନିଷ ସବୁ ଲକର କୁ ଭେଟି ଚଢା ହେବ ଯଦି, କିଣିବା ଟା ମୂର୍ଖାମୀ ନିଶ୍ଚୟ ।”
"ଆମର ପଇସା ଅଛି, କିଣି ପାରୁଚୁ ବୋଲି କିଣୁଛୁ ।ବେଳେ ଅଧେ ପିନ୍ଧା ହବ ।ଚକଚକିଆ ସୁନାହାର ଟେ ବେକରେ ପକେଇଥିଲେ ନିଜର ମର୍ଯ୍ୟାଦା ଦ୍ବିଗୁଣିତ ହେବ ।
ବୁଝିଗଲେ ମିଠା ମିଛର କସ୍ତୁରୀ ବାସ୍ନା ଛଡା ଆଉ କିଛି ନୁହେଁ ।
ଯୁକ୍ତି କରିବାଟା ମୂର୍ଖାମୀ ହବ, ତେଣୁ ଚୁପ ରହିବାକୁ ମନସ୍ଥ କଲେ । ତାଙ୍କର ସ୍ୱାମୀ ଆଦିକନ୍ଦ ବାବୁ, ଦରମା ପଇସା ଗଣ୍ଡାକ ଛଡା ଉପୁରି କେବେ ଦେଖିନାହାନ୍ତି ।ଅଳ୍ପରେ ସଦା ସନ୍ତୁଷ୍ଟ ।
ସିଏ ମଧ୍ୟ ।
ଲୋଭ କାହିଁକି ବା କରିବେ?ଅଯଥା ….
ଜୀବନ ବଳୟ ବାହାରକୁ ଡେଇଁ ଜାଣିଥିଲେ ବି ଡେଇଁ ପାରେନି ସଜାଗ ଆତ୍ମା ।ନିଜ ସଙ୍ଗରେ ଯୁଝିବାକୁ ହୁଏ ….
ସେମିତି ରହିଥାନ୍ତୁ ସବୁଦିନ...
ଆଦିକନ୍ଦବାବୁଙ୍କର ନିର୍ଲୋଭ ଚରିତ୍ର,ମଣିଷପଣିଆ ଆଉସଂଭ୍ରମର ପରିଧି ଭିତରେ ମୀରା ଆଉ ରୂପା। ମା ଆଉ ଝିଅ ଦୁଇଜଣ ଖୁବ ଗର୍ବିତ...ତାଙ୍କର ଲୋଭର ସର୍ବଗ୍ରାସୀ ଭୋକ କୁ ଦମନ କରିବାର କ୍ଷମତା ନେଇ । ଋଷି ବିଶ୍ଵାମିତ୍ର ଙ୍କ ପରି ଅଟଳ ରହିଥାନ୍ତି ଘୁସ,ଉତ୍କୋଚ ସର୍ବୋପରି ଉପୁରିର ବିସ୍ତୀର୍ଣ୍ଣ ଜଳରାଶି ମଧ୍ୟରେ ଥାଇ ।
ଜଗନ୍ନାଥ ମନଜାଣି ସର୍ବଗୁଣସମ୍ପର୍ଣ୍ଣା ଝିଅଟିଏ ଦେଇଛନ୍ତି । ଆଉ, ବାହାଘର ତା’ର ଖୁବ ଭଲ ଜାଗାରେ ଠିକ ହେଇଚି । ବେଶି କିଛି ଦରକାର ନାହିଁ ।ଯାହା ଅଛି ଖୁବ ଅଛି ।
ଏକ ଶକ୍ତ ବରଗଛ ଆଉ ତା’ର ନିର୍ଭରଯୋଗ୍ୟ ପ୍ରତିଶୃତି - ଗଭୀର ବିଶ୍ୱାସର ଆଧାର, ଆଉ ଏକ ନିଶ୍ଚିତ ଆକାଶ ଯିଏ ପରିବାର ର ସବୁ ଆପଦ ବିପଦକୁ ସମ୍ପାଦିପାରେ ।
ରୂପା ଆଗତୁରା କହିରଖିଚି "ବୋଉ ମୁଁ ବାଙ୍ଗାଲୋର ଆସିଲା ବେଳେ, କିଛି ସୁନା ଆଣିବିନାହିଁ । ତୋ ଲକରରେ ରଖିଦବୁ ପ୍ଲିଜ ।”
ଶୁଣି ଆଦିକନ୍ଦ ଟିକେ ମୁରୁକି ହସା ଦେଇ କହିଲେ “ହଉ, ସିଏ ଯାହା ଠିକ ଭାବିବ କରିବ ।”
ଆମର ବାପା ମା ହିସାବରେ ଯାହା କରିବା କଥା ଆମେ କରିବା ।”
ଖାଲି ଯାହା ଗଢାମଜୁରୀ ଗଣିବା ସାର ହେଲା- ପୁରୁଣା ନୂଆ ବେଳେ ... ଆଉ ନହେଲେ କିଛିନାହିଁ ।
ତାଙ୍କ ଆଲମାରୀ ଲକରରୁ ବ୍ୟାଙ୍କ ଲକର କୁ ଯିବ ଜିନିଷ ।
ଏମିତି ଚାଲିବ ଏ ସଂସାର ...ଚାଲିଥିବ ମଧ୍ୟ ...ନୂଆ ଗହଣା ଗଢା ହଉଥିବ ଆଉ ଲକର ବଦଳୁଥିବ।