Sujata Dash

Others

4.7  

Sujata Dash

Others

ନୀଳ ଓଢଣୀ

ନୀଳ ଓଢଣୀ

7 mins
40


ସକାଳୁ ଉଠି, ମୁଠାଏ ଆକାଶ ଆଉ ଚିକମିକ କରୁଥିବା ସୁରୁଜ ଏତିକ ହେଲେ ପେଟ ପୂରିଯାଏ ତା’ର l ବୋଉ ଡାକରେ ବାଲ୍କୋନି ଛାଡି ଦୌଡ଼ି ଆସେ ସ୍କୁଲ ଲାଗି ରେଡି ହବାକୁ l ହେଲେ, ପୁଣି ମେଂଚାଏ ହସ ନେସି ହେଇଯାଏ ମୁହଁରେ, ସ୍କୁଲ ୟୁନିଫର୍ମକୁ ଦେଖି l ସୁନି ପସନ୍ଦର ରଙ୍ଗ ହେଲା ନୀଳ l ପୂଜାପାର୍ବଣରେ ନୂଆ ଜାମାପଟା କିଣା ହବାର ହେଲେ, ବୋଉ ବାପାଙ୍କୁ ତାଗିଦ କରି କହେ” ସୁନିର ବୁଲୁ ରଙ୍ଗର ଜାମା ଆଣିବ, ନମିଳିଲେ ଡ୍ରେସ କପଡା ଆଣିବ ମୁଁ ସିଲେଇଦେବି l”

ବାପା ବୋଉକୁ ଟିକେ ଛିଗୁଲେଇକି ପଚାରନ୍ତି "କି ରଙ୍ଗ? ବୁଲୁ ରଙ୍ଗ, ନାଇଁ ?ଏମିତି ରଙ୍ଗ ତ ମୁଁ ଆଖିଉଠିଲା ଦିନୁ ଦେଖିନିl ଆଲୋ ସୁନି, ତୁ ଜାଣିପାରୁଛୁ ତୋ ବୋଉ କି ରଙ୍ଗ ବିଷୟରେ କହୁଛି?”

“କିନ୍ତୁ, ବୁଝିଲ ସୁନି ବୋଉ...ପିଲାର ଜିଦ ବଢେଇବା ପଛରେ ତମର ପ୍ରଚ୍ଛନ୍ନ ହାତ ରହିଛି l "

“ଆରେ! ଦେଇ ନେଇ କି ତ ବକଟେ ଛୁଆ l ତା’ର ଅଳି, ଅର୍ଦ୍ଦଳି ଆମେ ବୁଝିବାନି ତ’ ଆଉ କ’ଣ ବାହାର ଲୋକ ବୁଝିବେ ?”

"ବାପା, ତମେ ବି ନା’ ...ଦେଖୁଛ ତ ପାଟିରେ ପଶୁନି ତା’ର...କାଇଁ ଅପଦସ୍ଥ କରୁଛ ? ବୋଉ! ତୁ ଏଣିକି ନୀଳ ରଙ୍ଗ କହିବୁ ଲୋ l”

“ହଁ ଲୋ ଝିଅ, ପାନରୁ ଟୋପେ ଚୁନ ଖସିଗଲେ ଧରିବେ ପା l ଖାଲି ଯାହା ଅଫିସ ଯାଉଛନ୍ତି, ପଇସା ଗଣ୍ଡେ ଆଣୁଛନ୍ତି, ତା’ଛଡା ଆଉ କିଛି ପାଇଟି ନାହିଁ l ଶାଗ ତ ସିଝିବନି, ତୁ କି କାମ ବତଉଚୁ ବତଉଥା l”

“ହେ ଭଗବାନ ! ଏ ଦିଜଣଙ୍କ କଜିଆରେ ମୋର ସ୍କୁଲ ଯିବା ହବନି ଜଣାପଡ଼ିଲାଣି l କେତେ ମାଡଗୋଳ ଲାଗୁଚ ତୁଚ୍ଛାରେ? ବୋଉ! ଭାତଗଣ୍ଡେ ବାଢିକି ଦବୁ ନା ସିମିତି ଉପାସରେ ପଳେଇବି?”

“ନାଇଁ ଲୋ ଝିଅ, ତୁ ସେମିତି ପଳେଇଲେ ମତେ କ’ଣ ଭାତ ରୁଚିବ?”

“ତା’ହେଲେ ଡେରି କରନା..ହଁ ମୋର ବୋତଲରେ ପାଣି ଭରିଦେବୁ l”

“ ଆଲୋ, ଆଲୋ କହିବାକୁ ଭୁଲିଯାଇଛି lକାଲି ସେ ନୀଳ ବୋତଲର ଠିପିଟା ଭାଙ୍ଗିଯାଇଛି l ଆଜି ଅଲଗା ବୋତଲ ନେଇଯା l ସନ୍ଧ୍ୟା ବେଳକୁ ବାପା ନୂଆ ଗୋଟେ ଆଣିଦେବେ l ଶୁଣୁଛ? ଝିଅର ପାଣି ବୋତଲ ଆସିବ l ସେଇ ବୁଲୁ ରଙ୍ଗର, ନାଇଁବା ନୀଳ ରଙ୍ଗର l”  


“ହଉ l ଅଫିସରୁ ଫେରିଲା ବେଳେ ନେଇକି ଆସିବି lଏବେ ତା’କୁ ସ୍କୁଲକୁ ବିଦା କର l ଦଶମ ଶ୍ରେଣୀ ...ପଢାରେ ଧ୍ୟାନ ରହୁ ତା’ର l” 

ସେଦିନ ବୋଉକୁ ବାଏ କହି, ରୁବି ଘରକୁ ଆସିଲା ସୁନି l ସାଙ୍ଗ ହେଇ ଯାଆନ୍ତି ସ୍କୁଲ lଏତେଗୁଡ଼େ ବାଟ, ଏକୁଟିଆଟା ଯିବାକୁ ଜମାରୁ ଭଲଲାଗେନି ତାକୁ l ରୁବି ସାଙ୍ଗରେ ଥିଲେ, କେତେ ଗପ କୁଆଡୁ କୁଆଡୁ ଆସି ଚାରିପଟେ ଘେରିଯାଆନ୍ତି l ସ୍କୁଲ ପହଁଚିଲା ଯାଏ ଭଟ୍ଟା ପଡ଼ିନଥାଏ ଆବେଗର ସୁଅରେ l ଛାଡିଥିବା ଖିଅ ଖଣ୍ଡକ ଧରି, ସ୍କୁଲଫେରନ୍ତା ବେଳ କାଟିଦିଅନ୍ତି ସେମାନେ l


ତାଙ୍କ ସାହିରେ ଖାଲି ହେଇଥିବା ଘର ଆଗରେ ତାର ଟଣା ହେଇ ଲୁଗା ସୁଖୁଥାଏ ସେଦିନ l ଘର ବେଶ କିଛିଦିନ ଧରି ବନ୍ଦ ଥିଲା lଆଖିରେ ପଡ଼ିନଥାନ୍ତା ହୁଏତ, କିନ୍ତୁ ଗାଢ଼ ନୀଳ ରଙ୍ଗର ଓଢ଼ଣୀଟି ସୁନିର ଦୃଷ୍ଟି ଆକର୍ଷଣ କରିଥିଲା l ରଙ୍ଗଟା ଏତେ ପକ୍କା ଥିଲା ଯେ, ମନ ଉପରେ ଗାଢ଼ ଅସର କରିଯାଇଥିଲା l ସେଇ ଘର ବାଟ ଦେଇ ଗଲାବେଳେ ରୁବିକୁ କହିଲା “ଦେଖିଲୁ, ଦେଖିଲୁ କେତେ ସୁନ୍ଦର ଓଢଣୀ, ବାପା ଏମିତି ଗୋଟେ ଓଢଣୀ ଆଣିଦିଅନ୍ତେନି... ମୁଁ ଗଣେଶ ପୂଜାରେ ସାଲୱାର ସଂଗେ ପିନ୍ଧନ୍ତି l” 

“ତତେ ମୁଁ ଆଉ ପାରିବିନି ଲୋ !ଯେଉଁଠି ନୀଳ ଦେଖିଲା ସେଇଠି ଅଟକିଲା, ଏବେ ଚାଲ ସ୍କୁଲ l ତୁ ଆସିଲାଯାଏଁ, ଓଢଣୀ ତତେ ବାଟ ଜଗି ବସିଥିବ l “

“ସତ କହୁଚୁ?”

“ଆଉ କ’ଣ ମିଛ କହୁଛି?” 

ତା’ ମନରେ ଆଶା ସଂଚାର ହେଲା ... ସ୍କୁଲରୁ ଫେରିବା ଯାଏ ଶୁଖୁଥାନ୍ତା କି, ପୁଣି ଥରେ ମନଭରି ଦେଖିନିଅନ୍ତା ସେ l ସତକୁ ସତ ତା’ର ଆଶା ଆଉ କାମନା ଦୁଇଜଣଯାକ ବାଜି ମାରିନେଲେ l ପୁଣି ଥରେ ମନଭରି ଦେଖିଲା ଓଢ଼ଣୀଟିକୁ l 

ପରଦିନ ସ୍କୁଲ ଗଲା ବେଳେ, ଅନିଶା କଲା- ନାଁ, ଆଜି ଅଲଗା ରଙ୍ଗର ଓଢଣୀ l

“ରୁବି!କହିଲୁ ଦେଖି ...କାଲିକି କି ରଙ୍ଗର ଓଢଣୀ ଶୁଖିବ?”

“ଧେତତେରିକି ! ତୋ’ର କିଛି କାମଧନ୍ଦା ନାହିଁ କି’ଲୋ ? ଏତିକି ଯଦି ପାଠରେ ନିଘା ରଖନ୍ତୁ, ତେବେ କ୍ଲାସରେ ଫାଷ୍ଟ ହୁଅନ୍ତୁ ବୁଝିଲୁ?”

“ ତୁ, ନ କହିଲେ ନାଇଁ ଯା -ମୁଁ ଅନୁମାନ କରୁଛି, କାଲିକି ପୁଣି ସେଇ ନୀଳ ଓଢଣୀ ଶୁଖା ହବ l ମାନେ, ଦିନେ ଛଡା ଦିନେ ମୁଁ ଦେଖିବି ମୋ ପ୍ରିୟ ଓଢ଼ଣୀକୁ l”

ତହିଁ ଆର ଦିନ ତରତର ହେଇ ଘରୁ ବାହାରିଲା ସୁନି l ବୋଉ ପଛରୁ ଡାକିକି ପାଣି ବୋତଲ ଦେଲା କହିଲା “ଏତେ ତର ତର ଆଉ ଉତ୍ସୁକ ହବାଟା ମୁଁ ଦେଖିନି କେବେ ତତେ? ସ୍କୁଲରେ ବେଶୀ ପଢା ଦିଆହେଇଛିକି ?”

“ହଁ” ମାରିକି ଚାଲିଆସିଲା ସିଏ l


ସତକୁ ସତ ଆଜି ନୀଳ ରଙ୍ଗର ଓଢଣୀ ଥିଲା l

ତାର ଉପରେ, ପବନର ତାଳେ ତାଳେ ନାଚି, ସତେଯେମିତି କହିବାକୁ ଚାହୁଁଥିଲା “ଦେଖ ! ତୁ ମତେ ଯେତିକି ଭଲ ପାଉ, ମୁଁ ବି ସେତିକି ତତେ ଝୁରେ l ତତେ ଦେଖି, ମୁଁ ଖିଲ ଖିଲ ହେଇ ହସି ଉଠେ l ପବନରେ ଦୋଳି ଖେଳି ମତୁଆଲା ହେଇଯାଏ l ତୋର କୋମଳ, ସ୍ନିଗ୍ଧ ଶୀତଳ ପରଶ ପାଇବା ଲାଗି ମୋର ସଦେବ ଆଶା l ଜାଣେ ନାହିଁ, ପୂରା ହବ କି ନାହିଁ ?”

ରୁବି ତାକୁ ଟିକିଏ ହଲେଇଦେଲା l

“କିଲୋ, କୋଉ ଦୁନିଆଁରେ ଅଛୁ ? ମୁଁ ତତେ ଟାଣି ନଆଣିଥିଲେ, ଗାଡି ମାଡିଯାଇଥାନ୍ତା l ଆଜି ମଉସାଙ୍କ ଆଗରେ କହୁଛି ରହ l

ଦି ଚଟକଣି ଖାଇଲେ, ଅକଲ ଠିକଣା ଜାଗାରେ ପହଂଚିଯିବ ଯେ l”

ଦିନେ ଛଡା ଦିନେ ନୀଳ ଓଢଣୀ ତାରରେ ଶୁଖେ, ଆଉ ସୁନି ମନରେ, ତାକୁ ନେଇ ନୂଆ ନୂଆ ଗଳ୍ପ ମାନେ ବସା ବାନ୍ଧନ୍ତି l

ସକାଳେ ମୁକ୍ତ ନୀଳ ଆକାଶ, ଆଉ ଏ ନୀଳ ଓଢଣୀ ସ୍କୁଲ ଯିବା ବାଟରେ ମୁଡ଼ ବନିଯାଏ ତା’ର l

ଥରେ, ଥରେ ଭାବେ, ରୁବି ନ ଆସନ୍ତା କି ଦିନେ ସ୍କୁଲ... ସିଏ ରାସ୍ତା ଟପି ଯାଇ ଜାବୋଡି ଧରନ୍ତା ଓଢଣୀକୁ, ଆଉ ବୋକ ଦେଇ ପଚାରନ୍ତା “ଏତେ ସୁନ୍ଦର ନୀଳ ରଙ୍ଗରେ ତତେ କିଏ ସଜେଇଲା? ମୁଁ ତ ଆଖିଫେରେଇ ପାରୁନି ଆଉ ତତେ ଯିଏ କାନ୍ଧରେ ପକଉଥିବ ସିଏ କେତେ ଖୁସି ନ ହଉଥିବ ?ତୋରି ପରି, ସିଏ ବି ସୁନ୍ଦର ପରୀଟିଏ ହେଇଥିବ l ମତେ ସୁଯୋଗ ମିଳିଲେ, ମୁଁ ବି ତାର ସାନ୍ନିଧ୍ୟ ଆଉ ତା’ ମାଧ୍ୟମରେ ତୋ’ର ସାନ୍ନିଧ୍ୟ ଟିକେ ଲାଭ କରନ୍ତି l”

 କଥାରେ ଅଛି ନା, ମଣିଷ ଆତ୍ମାର ନିଭୃତ କୋଣରୁ, ଯେଉଁ ଜିନିଷର କାମନା କରେ, ତାହା ନିଶ୍ଚିତ ଭାବରେ ହାସିଲ ହୁଏ...ସତକୁସତ, ରୁବି ତିନିଦିନ ପାଇଁ ମାମୁଁ ଘରକୁ ଯିବାର ହେଲା l

ବୋଉର ତାଗିଦା-”ସୁନି! ଦେଖିଚାହିଁ ଯିବୁ l ଆଜିକାଲି ବଜାରୀ ଟୋକାଙ୍କ ଉତ୍ପାତ ବହୁତ l ସାବଧାନରେ ଯିବା ଆସିବା କରିବୁ l”

“ହଁ ଲୋ ବୋଉ! ତୋ କଥା ଅକ୍ଷରେ ଅକ୍ଷରେ ପାଳନ କରିବି l”

ସୁନି ମନରେ ଖୁସିର ଫୁଆରା ...ଆଜି ସେ ମନଭରିକି ଦେଖିବ ତା’ର ପ୍ରିୟ ଜିନିଷଟିକୁ l ଘରୁ ବାହରିକି, ସେଇ ଘର ପାଖ ହେଲାବେଳକୁ ଜୋରରେ ପବନ ଦେଲା, ଆଉ ପବନରେ ଭାସି ଭାସି ଆସି ନୀଳ ଓଢ଼ଣୀଟି ରାସ୍ତାରେ ପଡିଲା l ସୁନି ଦଉଡିଯାଇ ମାଡିବସିଲା ତାର ପ୍ରିୟ ଓଢଣୀକୁ l”ଆହା, ତତେ କିଏ କହୁଥିଲା ଏତେ ଜୋରରେ ଦୌଡିବାକୁ? ଦେଖିଲୁ ତ, ଦିହରେ କିମିତି କାଦୁଅ ଲାଗିଗଲା ? ମୁଁ ସେକଡୁ ଦଉଡିଆସି ଧରିନଥିଲେ, ସ୍କୁଟର, ମଟରସାଇକଲ, ଗାଡି, କିଛି ବି ତୋ ଛାତି ଉପରେ ଚଢି ଯାଇଥାନ୍ତା l ଚକାରେ ଲାଗି, ତୁ ରାସ୍ତାରେ ଘୋଷାରି ହେଇଥାନ୍ତୁ, ଆଉ ଶେଷରେ -ଆବର୍ଜନା ଡବାରେ ଫିଙ୍ଗା ହେଇଥାନ୍ତୁ l ଭାବିଲାବେଳକୁ, ମୋ ଦେହ କଣ ହେଇଯାଉଛି l”

 ଓଢଣୀକୁ ଧରି, ସୁନି କେତେ ସମୟ ନିର୍ବାକ ହେଇ ଠିଆ ହେଇଚି, ତା’ର ମନେନାହିଁ l କେହି ଜଣେ ତା’ ହାତଧରି ଟାଣିଲା ଭଳିଆ ଲାଗିଲାl ସେଇଠୁ, ତା ନିସ୍ପନ୍ଦ ଶରୀରରେ ହୋସ ଆସିଲା l ଦେଖିଲା, ବୁଢୀଟିଏ ତାକୁ ପଚାରୁଛି” ମୋ ନାତୁଣୀର ଓଢଣୀ ତୋ ହାତରେ କେମିତି?”

“ ନାଇଁ ଗୋ ! ପବନରେ ଉଡ଼ିକି, ତଳେ ପଡିଯାଇଥିଲା l ମୁଁ ଗୋଟେଇକି ଧରିଛି l ସଫା କରିଦବ l ମୁଁ ସ୍କୁଲ ଗଲାବେଳେ ଓଢ଼ଣୀଟି ଶୁଖିବାର ଦେଖେ l ଆଖିଦୁରୁଷିଆ ନୀଳ ରଙ୍ଗ ୟା’ର l ଯିଏ ପିନ୍ଧୁଥିବ, ତା’କୁ ଖୁଵ ସୁନ୍ଦର ମନଉଥିବ l” 


 ତା’ ମୁହଁ କୁ ବଲବଲ କି ଚାହିଁ ମାଉସୀ ଜଣଙ୍କ କହିଲେ “ମୋ ନାତୁଣୀର ଏଇ ଓଢଣୀ ଖଣ୍ଡକ l ସିଏ ଅଂଧୁଣିଟେ ଲୋ l ପିଲାଦିନେ ଆଖିକୁ ଦୁଶୁଥିଲା lପନ୍ଦର ବର୍ଷ ଯେବେ ତାକୁ, କି ରୋଗ ଗୋଟେ ହେଲା, ଡାକ୍ତର ଚିହ୍ନି ପାରିଲାନାହିଁ l ଆମେ ସେତେବେଳକୁ, କୋରାପୁଟର ଏକ ଗାଁରେ ଥାଉ l ପୁଅ ତହସିଲରେ କାମ କରୁଥାଏ lସ ହରକୁ ଆଣି, ବଡ ଡାକ୍ତରଖାନାରେ ଦେଖେଲାବେଳକୁ ଡାକ୍ତର କହିଲେ, "ଡେରି କରିଦେଲେ ଆପଣ, ଆଖିଦୁଇଟି ପୁରା ଯାଇଛି ଆଉ ସିଏ ଦୃଷ୍ଟି ଶକ୍ତି ଫେରି ପାଇବନି lହଁ, ଯଦି ପଇସାପତ୍ର ଅଛି, ତେବେ ବିଦେଶରେ ଚିକିତ୍ସା କଲେ ସୁଫଳ ମିଳିବ l କିନ୍ତୁ, ଦୃଷ୍ଟିଶକ୍ତି ଯେ ସମ୍ପୂର୍ଣ୍ଣ ଭାବେ ଫେରି ପାଇବ, ତା’ର ଗ୍ୟାରେଣ୍ଟି କେହି ଦେବେନି l ଆମ ହାତରେ ଏତେ ଟଙ୍କା ନଥିଲା, ତେଣୁ ଭାଗ୍ୟକୁ ଆଦରି ଚୁପ ରହିଲୁ l ତା’ ମା, କେଉଁ ଦେବ ଦେବୀଙ୍କୁ ନ ପୂଜେ ଏ କଥା ମୁଁ ଜାଣିନି l କିନ୍ତୁ କାଇଁ? ଦିନକୁ ଦିନ ଆଶା, କ୍ଷୀଣରୁ କ୍ଷୀଣତର ହେଇଚାଲିଛି l ତେଣିକି ଭଗବାନଙ୍କ ଇଚ୍ଛା l ଯେମିତି ବରାଦ କରିବେ ପ୍ରଭୁ, ସେମିତି ଜୀବନ ଚାଲିବ l”


“ନୀଳ ରଙ୍ଗର ସବୁ ଜିନିଷ ତାର ଦରକାର - ଖୁଵ ଜିଦି କରେ ଦେଖିପାରୁଥିଲାଯାକେ l ଜାମା, ଜୋତା, ଛତା, ବ୍ୟାଗ, ପର୍ସ ସବୁ ନୀଳ ରଙ୍ଗର କିଣା ହଉଥିଲା l ନକିଣିଲେ, ଘର ଛାତ ଖସେଇ ପକାଉଥିଲା l ଆଖି ଗଲାପରେ, ଜାଣିପାରେନି l ଯେତେବେଳେ ଏଇ ଗାଢ଼ ନୀଳ ରଙ୍ଗର ଚିଜ ସବୁ ନମିଳେ, ଆମେ ଅଲଗା ରଙ୍ଗର ମଗେଇ ତାକୁ ମିଛରେ ନୀଳ ରଙ୍ଗ କହୁ l ସିଏ ବି ଆମ କଥା ପୂରା ବିଶ୍ୱାସ କରିଯାଏ l ନୀଳ ରଙ୍ଗ କଥା ପଡିଲେ ତା ମୁହଁ ଉଜ୍ଜ୍ୱଳ ଦିଶେ l ସିଏ ଆଖି ମିଟି ମିଟି କରି ଜିନିଷଟିକୁ ଜାବୋଡିକି ଧରେ l ଖୁସିରେ, ତା ଆଖି କୋଣରୁ ଦି ଟୋପା ଝରିଆସେ l ତାକୁ ଏ ଅବସ୍ଥାରେ ଦେଖି ତା ବାପା, ମାନେ ମୋ ପୁଅ- ଆଉ ଧୈର୍ଯ୍ୟ ଧରିପାରେନି, ବାଡ଼ି ପିଣ୍ଡାକୁ ବାହାରି ଯାଇ ଭୋ ଭୋ ହେଇ କାନ୍ଦେ "ପ୍ରଭୁ !ମୋର ଧନ, ମୋ ଦୁଃଖୀସଙ୍ଖାଳି ଭାଗ୍ୟରେ ଏତେ ଦୁଃଖ ଲେଖାଥିଲା ...ସରଳ ନିଷ୍ପାପ ଛୁଆଟା, ଆମ ପରେ କ’ଣ କରିବ?”

“ମୁଁ ଯାଇ ବୁଝାଇ ସୁଝାଇ ଘରକୁ ଆଣେ l ତା’ ମା କଥା ନ କହିଲେ ଭଲ l ସତେ ଯିମିତି ମଡାଟିଏ l ସେଇ ଘର ଭିତରେ ଝିଅ ମୁହଁକୁ ଚାହିଁ ବସିରହିଥାଏ l ଲୁଗାଶୁଖା ଚଉତା କାମ ମୋର l ଆଜି ତରତରରେ କ୍ଲିପ ଦେବାକୁ ଭୁଲି ଯାଇଛି l ସେଇଲାଗି ଓଢଣୀଟି ଉଡ଼ିଗଲା ରାସ୍ତାକୁ l ମତେ ଓଢ଼ଣୀଟି ଦେ, ଯାଏ ଘରକୁ l ତୋ’ର ସ୍କୁଲ ବେଳ ଗଡିଗଲାଣି ମା’ l ଏ ଦୁଃଖକଥା ଶୁଣିଲେ, ତୋର ମନରେ କଷ୍ଟ ହବ l ଭଗବାନ କରନ୍ତୁ, ଏମିତି କଷ୍ଟ, ଯାତନା କାହାରି ଭାଗ୍ୟରେ ନ ଥାଉ l”

“ଆଈ ତୁମ ନାତୁଣୀ ନାଁ କଣ ?”

“ନାଁ ତାର ସୁଶ୍ରୀ l ନାଁ ଯେମିତି, ରୂପ ବି ସେମିତି, ଯେମିତି ଗୋଟିଏ ଚାଉଳରେ ଗଢା l ହେଲେ କଣ ହବ? କପାଳ ତ ପୋଡା l”

ସାନ୍ତ୍ୱନା ଲାଗି ପଦୁଟିଏ ବି ସୁନି ମୁହଁରୁ ସ୍ଫୁରିଲା ନାହିଁ l ଏତେ ବଡ ଦୁଃଖର ପାହାଡ ବୋହିକି ବି ସିଏ ହସିକି କଥା କହିପାରୁଥିଲେ ...କେତେ ଶିଖିବାର ଅଛି ସତେ ଏମାନଙ୍କଠୁ ଆଉ ସିଏ ଯେ ସ୍ୱାର୍ଥପର ହେଇ ନୀଳ ରଙ୍ଗ ଉପରେ କବ୍ଜା କରିବାକୁ ବସିଛି ?ଧିକ ତା ସଉକ !

“ଡେରି ହେଲାଣି l ମୁଁ ସ୍କୁଲକୁ ଯାଉଛି l କେବେ ସୁବିଧା ହେଲେ, ବୋଉକୁ ନେଇକି ଆସିବି l “

“ ଆସିବୁ ନିଶ୍ଚେ l ଘର ଗହଳି ହେଲେ, ଭାରି ଖୁସି ହୁଏ l ଦେଖିବୁ, ଖାଲି ଯଦି ଏତିକି କହିବି, ଝିଅଟି ନୀଳ ଜାମା ପିନ୍ଧିଚି, ତତେ କିମିତି କୁଣ୍ଢେଇ କି ଧରିବ l ସତେ ଯେମିତି, ନୀଳ ରଙ୍ଗଟା ଗୋଟାପଣେ ତା’ର, ଆଉ କାହାର ସେ ରଙ୍ଗ ଉପରେ ଅଧିକାର ନାହିଁ !”  


ରୁବି ଯାଇ ଫେରିଆସିଲାଣି l ଦି’ଜଣ ସାଙ୍ଗ ହେଇ ପୂର୍ବ ଭଳି ସ୍କୁଲ ଯାଆନ୍ତି ଆଉ ଫେରନ୍ତି l ଯେଉଁଦିନ ନୀଳ ଓଢଣୀ ଶୁଖୁଥାଏ, ରୁବି ପାଟି କରି କହେ ସୁନିକୁ “କି ଲୋ?ବାଇଆ ହେଇଯାଉଥିଲୁ ନୀଳ ଓଢଣୀ ଦେଖିକି, ଦେଖ! ତୋ ନୀଳ ଓଢଣୀ ଆଜି, ବାଦଲ ସଂଗେ ଲୁଚକାଳି ଖେଳୁଛି l ପବନରେ ଝୁମି, ଝୁମି ତୋ ବାଟ ଓଗାଳୁଛି l ଆଉ, ତୁ ଯେ ଧ୍ୟାନ ହିଁ ଦଉନୁ?ଏବେ କ’ଣ ଏମିତି ହେଲା ଯେ?” 

“କଣ ଟେ ହବ ଲୋ ? କେଇଦିନ ଆଉ ସେଇ ନୀଳ ରଙ୍ଗ ପଛେ ଗୋଡ଼େଇବି? ମନ ଭରି ଗଲାଣି ଲୋ ସାଙ୍ଗ l ଏବେ ମୋର ଫେଭରାଇଟ କଲର ହେଲା “ହଳଦିଆ” l ଆଗକୁ ଗଣେଶ ପୂଜା ଆସୁଛି l ମୁଁ ହଳଦିଆ ରଙ୍ଗର ଗାଉନ ପିନ୍ଧି ବାହାରିବି, ଦେଖିବୁ ଥା l” “ସତେ ନା କଣ?”

ଆଗଦିନ ସୁନିର ବୋଉ, ବାପାଙ୍କୁ ଗଣେଶ ପୂଜା ଲାଗି ନୀଳ ରଙ୍ଗର ଡ୍ରେସ ବରାଦ କରୁଥାନ୍ତି... ସୁନି କୁଆଡେ ଥିଲା ଝପଟି କି ଆସିଲା, ଆଉ କହିଲା-” ବୁଝିଲୁ ବୋଉ! ମଣିଷ ନୀଳ ରଙ୍ଗ ପିନ୍ଧି, ପିନ୍ଧି ଚିକିଟା ହେଇଗଲାଣି l ଆକାଶ ତା’ର ଫେରେଇ ନଉ ନୀଳ ରଙ୍ଗ l ମୁଁ ଏବେଠୁଁ ହଳଦିଆ ରଙ୍ଗର ଜାମା ପିନ୍ଧିବି l ହଁ, ବାପା! ମ୍ୟାଚିଙ୍ଗ ବେଲ୍ଟ ଆଣିଥିବ lରୁବିର ଏଥରକ ଗ୍ରୀନ କଲର ଡ୍ରେସ l” 

ବାପା ଆଉ ବୋଉ ଆଶ୍ଚର୍ଯ୍ୟ ହେଇ ତା ମୁହଁକୁ ଚାହିଁ ରହିଲେ l

ବୋଉ ଚଟକରି କହିପକେଇଲା "ଆମ ସୁନିର ପିଲାଳିଆମୀ ଢେର କମିଗଲାଣି, ଆସ୍ତେ ଆସ୍ତେ ଜିଦ ବି କମିଯିବ l”

 



Rate this content
Log in