Sujata Dash

Others

3  

Sujata Dash

Others

କେତେ ବଦଳିଯାଏ ସତରେ ...

କେତେ ବଦଳିଯାଏ ସତରେ ...

12 mins
57



ଚାକିରୀ ସରିଗଲାପରେ ବହୁତ କିଛି ବଦଳିଯାଏ ...ଲୋକେ କହନ୍ତି ।

ଯେମିତି ଜୀବନ... ଜୀବନ ବଂଚିବାର ଶୈଳୀ ।

ଅନ୍ୟମାନଙ୍କର ବ୍ୟବହାର,ହାବଭାବ ରେ ପରିବର୍ତନ,ଏମିତିକି ଘରଲୋକଙ୍କ ର ମଧ୍ୟ …ଶୁଣାଯାଇଛି , ଅଫିସ ରେ ଯେଉଁ ମାନଙ୍କର ଚାକିରୀ ବେଶିଦିନ ନଥାଏ ସେମାନଙ୍କୁ କିଛିଟା ଅଲୋଡ଼ା ପରାମର୍ଶ ମିଳେ ।  ଇଚ୍ଛା ନଥିଲେ ବି ଶୁଣିବାକୁ ହୁଏ ।

ତା’ଙ୍କୁ ମଧ୍ୟ ଉଣାଅଧିକେ ଏଭଳି ବାଣୀ ଶୁଣିବାକୁ ହେଉଥିଲା,ଯେମିତିକି -ନେକ୍ସଟ ଜବ କେବେଠୁ ?ସଂଗେ ସଂଗେ ଜବ ନେବେ ନା କିଛିଦିନ ବୁଲାବୁଲି କରିବେ ?ପିଲାଦିନର ହବି ସବୁ ଏବେ ସାହାଯ୍ୟ ରେ ଆସିବ -ଇତ୍ୟାଦି ଇତ୍ୟାଦି ।


ସବିତା ଙ୍କର ଚାକିରୀ ଆଉ ମାତ୍ର ପନ୍ଦର ଦିନ ଥାଏ । ସରକାରୀ ଅଫିସ ରେ ହେଡ଼ କ୍ଲର୍କ ପଦବୀ ରେ ଅଧିଷ୍ଠିତ ଥାନ୍ତି । କାମ ରେ ନିପୁଣା । ସମୟ ପୂର୍ବରୁ କାର୍ଯ୍ୟ ସମାହିତ କରିବାର ରେକର୍ଡ ତାଙ୍କର ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି । ବର୍ତମାନ ସୁଦ୍ଧା ତାଙ୍କର ନମ୍ବର ୱାନ ପୋଜିସନ କାଏମ ରହିଛି । ତାଙ୍କୁ ବଡ଼ବାବୁ ଡାକରା ଟା କେମିତି ଖାପଛଡ଼ା ଲାଗେ । ସେକ୍ସନ ଅଫିସର ଙ୍କୁ ତାଙ୍କର ବିନୀତ ଅନୁରୋଧକ୍ରମେ, ବଡ଼ବାବୁ ଡାକ ଶୁଣିବାରୁ ତ୍ରାହି ମିଳିଛି । ସମସ୍ତେ ତାଙ୍କୁ‘ମାଡାମ’ଡାକନ୍ତି । ତାଙ୍କର ‘ବଡ଼ବାବୁ’ ଡାକ ପ୍ରତି ବିତୃଷ୍ନା, ଆଜିର ନୁହେଁ । ଅଙ୍ଗେ ନିଭେଇଥିବା କିଛି ଘଟଣା ଏହା ସହିତ ଜଡିତ ।

ବାପାଙ୍କସଂଗେ ସରକାରୀ ଦପ୍ତର ର ଚକ୍କର କାଟିଥିଲେ, ମଧୁ ମଉସା ଙ୍କର ପେନଶନ ରିଭିଜନ ହେଲାବେଳେ ।

ମଉସା ପକ୍ଷାଘାତ ରେ ପୀଡିତ ଥିଲେ, ତେଣୁ ବାପା, ତାଙ୍କର କାମ ପାଇଁ ଆଗଭର ହେଇ ଆସିଥିଲେ । ସେଇ ଦୁଇ ଚାରି ଦିନ ଅଫିସ ଚକ୍କର କାଟିବା ର ଅଭିଜ୍ଞତା, ଯଥେଷ୍ଟ ଥିଲା ମନରେ ଘୃଣାଭାବ ଉଦ୍ରେକ କରିବା ପାଇଁ ।  ସେତେବେଳର ବଡ଼ବାବୁଙ୍କ ଛବି ନାଚିଯାଏ ଆଖିସାମ୍ନାରେ ଏବେବି ତାଙ୍କର ।  ମୁଣ୍ଡରେ ଝୋଟ ଭଳିଆ ପାଚିଲା ଚୁଟି ବେତାଏ,ମୋଟା କାଚ ର ଚଷମା ।  ସିଏ ପୁଣି ନାକ ଅଗରେ ଝୁଲୁଥିବ ।  ପାଟିରେ ପାଟିଏ ପାନ ।  କଥା କହିବା ଆରମ୍ଭ କଲେ, ଆଗରେ ଠିଆ ହେବା ମଣିଷଟିର ହାଲ ବେହାଲ ହେଇଯାଏ ।  

ପାନ ଛେପ ରେ ସିଏ ପୋତି ହୋଇ ଯାଏ । ପାଖରେ ଥିବା ପିକଦାନୀ,ପାନପିଙ୍କ ଆଉ ପାନ ଖଦା ରେ ପୂରିଯାଇ ଭୟଙ୍କର ଦୁର୍ଗନ୍ଧ ଛାଡେ । ବଡ଼ବାବୁଙ୍କ ଦସ୍ତଖତ ନ ହେଲେ, ଫାଇଲ ଆଗକୁ ବଢ଼ିପାରେନି । ଅଗତ୍ୟା, ଲୋକେ ଧୈର୍ଯ୍ୟ ଧରି, ତୁନି ହେଇ ଠିଆ ହେଇଥାନ୍ତି ।  


ଏସବୁ ଦୃଶ୍ୟ ଏବଂ ଅହଂକାର ରେ ଭରପୁର ପଦବୀ,ତାଙ୍କ ହୃଦୟରେ ବିକାର ଭାବ କୁ ଅଧିକ କରିବା ପାଇଁ ଯଥେଷ୍ଟ ଥିଲା । ସରକାରୀ କଳ ରେ ଅନ୍ତର୍ଭୁକ୍ତ ହେବାଲାଗି ତିଳେମାତ୍ର ଆଗ୍ରହ ନଥିବା ସତ୍ୱେ, ତାଙ୍କୁ ଏଇ ଚାକିରୀ କରିବାକୁ ହେଇଥିଲା ।  ଅଲଗା ଚାକିରୀ ପାଇଁ ଯାଚିକା ଦେଇଥିଲେହେଁ, ତାଙ୍କର ସିଲେକସନ ହେଇନଥିଲା ।  

ଭାଗ୍ୟକୁ ଆଦରି, ଏଇ ଚାକିରୀ ରେ ଜଏନ କରିଥିଲେ ପଞ୍ଚତିରିଶ ବର୍ଷ ତଳେ । କ୍ଲର୍କ ରୁ ପ୍ରମୋସନ ପାଇ ହେଡ଼ କ୍ଲର୍କ ଯାଏ ଆସିପାରିଥିଲେ,ଆଗକୁ ହୁଏତ ଯାଇପାରିଥାନ୍ତେ-ସେକ୍ସନ ଅଫିସର ହେଇପାରିଥାନ୍ତେ , କିନ୍ତୁ ପାରିବାରିକ ସମସ୍ୟା ଯୋଗୁଁ ତାଙ୍କୁ ଏଇ ସାମାନ୍ୟ ତ୍ୟାଗ କରିବାକୁ ପଡିଥିଲା,କାରଣ, ପ୍ରମୋସନ ସହିତ ବଦଳି ର ସମ୍ଭାବନା ମଧ୍ୟ ଥିଲା ।  


ଖୁସି ,ଖୁସି ଗ୍ରହଣ କରିନେଇଥିଲେ ପଦବୀ ଆଉ ପରିସ୍ଥିତି କୁ ।  

ପର୍ଯ୍ୟାୟ କ୍ରମେ, ପଦୋନ୍ନତି ହେଇଥିଲା । ନ ହୁଅନ୍ତା ବା କାହିଁକି? ସେ ଜଣେ ଦକ୍ଷ ଓ କର୍ମଠ କର୍ମୀ ହିସାବରେ ଖ୍ୟାତିଲାଭ କରିଥିଲେ ।  ତାଙ୍କର ଆଚରଣ, ତଥା ବ୍ୟବହାର ଦ୍ୱାରା ସେ ଲୋକଙ୍କ ମନ ଜିଣି ପାରୁଥିଲେ ।  ଆଉ ସବୁଠାରୁ ବଡ଼କଥା ହେଲା, ଅନ୍ୟ ବଡ଼ବାବୁଙ୍କ ପରି ସିଏ ପଇସାଖୋର ନ ଥିଲେ ।  ଦରିଦ୍ର ତଥା ଦୁଃଖୀ ଲୋକଙ୍କର କାମ ଖୁବ ଜଲ୍ଦି ନିପଟେଇଦେଉଥିଲେ । ଜୀବନରେ ,ବହୁତ ଘାତ ପ୍ରତିଘାତ ଦେଇ ଗତି କରିଥିବାରୁ, ଅନ୍ୟମାନଙ୍କର ଦୁଃଖ ଓ ଯନ୍ତ୍ରଣା ମର୍ମେ ମର୍ମେ ଅନୁଭବ କରିପାରୁଥିଲେ । ସାହାଯ୍ୟ କରିବାକୁ ଆଗଭର ହେଇଆସୁଥିଲେ ।   


ଘର ସଂସାର କରିବାରେ ତାଙ୍କର ଯେ ଆଗ୍ରହ ନଥିଲା, ସେକଥା ନୁହେଁ । ଘରର ପରିସ୍ଥିତି କୁ ନେଇ ସଂସାରୀ ହେବାର ଚିନ୍ତାଧାରା ଓ ମୋହ ର ବଳୟ ରୁ ନିଜକୁ ଦୂରରେ ରଖିଥିଲେ ।  

ଓହରିଆସିଥିଲେ ସ୍ବପ୍ନ ର ଦୁନିଆଁ ରୁ, ଆଉ ସାନ ଭଉଣୀ ଓ ଭାଇ ଙ୍କର ସଂସାର ରେ ସମ୍ପୂର୍ଣ ଭାବେ ହଜିଯାଇଥିଲେ । ନିଜ ପାଇଁ ତାଙ୍କର ତିଳେ ହେଲେ ବି ଅନୁଶୋଚନା ନଥିଲା । ବର୍ଷ ପରେ ବର୍ଷ ଖୁସି ଆଉ ଉଲ୍ଲାସ ରେ କଟିଯାଉଥିଲା, ଜୀବନ ଓ ଜୀବିକା ।  


ତାଙ୍କ ଚାକିରୀ ର ଶେଷ ବର୍ଷ, ଏଲ. ଟି. ସି ନେଇ ବୁଲିଆସିବାକୁ ମନସ୍ଥ କଲେ । ଆଗରୁ ଯାଇପାରିଥାନ୍ତେ, ହେଲେ ବୋଉ ଘରୁ ଗୋଡ କାଢ଼ିବାକୁ ପ୍ରସ୍ତୁତ ନଥିଲା । ବାପା ଗଲାପରେ ତା ମନରେ କୌଣସି ପ୍ରକାର ଆଗ୍ରହ ବା ସରାଗ ନଥିଲା । ଏକୁଟିଆ ଟା କୁଆଡେ ବା ଯାଇଥାନ୍ତେ? ତେଣୁ ଇଚ୍ଛା ପ୍ରକାଶ କରିନଥିଲେ । କିଛି ପରିମାଣରେ ସିଏ ବି ଦାୟୀ ଥିଲେ ବାହାରକୁ ନ ଯିବା ପାଇଁ, ଅଫିସ କାମରୁ ଫୁରସତ ବାହାର କରିପାରିନଥିଲେ, କି ବୋଉ କୁ ଜୋର କରି ରାଜି କରେଇପାରିନଥିଲେ ।  


କେହି ଯେମିତି କିମିଆ କରିଦେଲାଭଳି -ଏକ ଅଦ୍ଭୁତ ବନ୍ଧନ ରେ ବାନ୍ଧି ହେଇଯାଇଥିଲେ ଅଫିସ କାମ- ସେଇ ଫାଇଲ ଚାଷ ରେ ।  

ସିଏ ଯାହା ହଉ ଶେଷ ମୌକା ହାତରୁ ଛାଡିବାର ନଥିଲା - 

ତା’ଙ୍କ ଡ଼ିପେନଡ଼ାଣ୍ଟ ହିସାବରେ ବୋଉ ସାଙ୍ଗରେ ଯିବା ସ୍ଥିର ହେଲା । ଭୁବନେଶ୍ୱର ରୁ ଦିଲ୍ଲୀ ଉଡ଼ାଜାହାଜ ରେ ଆଉ ସେଠୁ ଟାକ୍ସି ରେ ହରିଦ୍ୱାର ଆଉ ଋଷିକେଶ ବାପାଙ୍କର ବହୁତ ଇଚ୍ଛା ଥିଲା ବୋଉକୁ ନେଇ ଚାରିଧାମ ଯିବା ଲାଗି,ସିଏ ତ ଅବେଳ ରେ ଚାଲିଗଲେ । ହେଲେ ,ପରିବାର ର ପ୍ରଥମ ସନ୍ତାନ ହିସାବ ରେ ତାଙ୍କର କର୍ତବ୍ୟ ଥିଲା, ବୋଉକୁ ଚାରିଧାମ ନ ହେଲେବି ଦୁଇ ଚାରିଟା ତୀର୍ଥ ସ୍ଥାନ ବୁଲେଇ ଆଣିବା । ଖୁବ ଉତ୍ସାହ ର ସହ ମା,ଝିଅ ଦୁଇ ଜଣ ଯିବାଲାଗି ସଜବାଜ ହେଲେ ।  ମା’ଙ୍କୁ ବୁଲେଇନେଇଯିବାର ଅଭିପ୍ରାୟ ପୂର୍ଣ ହେବାର ଖୁସିରେ ଅଧୀର ସେ ଆଜି । ସିଟ ବେଲ୍ଟ ବାନ୍ଧିଦେଲାବେଳେ, ମା’ଙ୍କର ଆଶ୍ଚର୍ଯ୍ୟ ଚକିତ ନୟନ ଯୁଗଳ ଆଜିବି ଶିହରଣ ଆଣିଦିଏ ମନରେ  । ଟାକ୍ସି ରେ ଗଲାବେଳେ ଦୁଇ ପାର୍ଶ୍ୱ ର ଦୃଶ୍ୟ ଦେଖି ଅଭିଭୂତ ହେଇ ଯାଇଥିଲେ ସୁମତି ଦେବୀ । ଆନନ୍ଦାଶୃ କୁ ରୋକି ପାରିନଥିଲେ ।  ସ୍ୱାମୀଙ୍କ ସହ ତୀର୍ଥଯାତ୍ରା କରିବା ବୋଧହୁଏ ତାଙ୍କ କପାଳ ରେ ନଥିଲା ,ହେଲେ ଝିଅ ଆଜି ସେ ଆଶା ପୂର୍ଣକରିଛି ।  


ଫେରିଲା ବେଳେ ଥରୁଟିଏ ପଚାରିଲେ "ମା, ଆଉ ନିଜ ବିଷୟ ରେ କଣ ଭାବିଛୁ?ଏକୁଟିଆ ଅଛେ ବୋଲି ପଚାରୁଛି । ଘରେ ସବୁବେଳେ ହାଉ ହାଉ ରେ ପଚାରିପାରେନି । ତାପରେ, ସକାଳେ ତୁ ଅଫିସ ଯିବାଲାଗି ବ୍ୟସ୍ତ ଥାଉ, ଆସିଲେ ହାଲିଆ ହେଇ ଯାଇଥାଉ ବିଶ୍ରାମ କରୁ । ଏଇଟା ଠିକ ସମୟ ।  ତୋ ମନକଥା ମତେ କହ । ଏବେକା ଦରମା ବଦଳରେ ପେନଶନ ମିଳିବ । ଅଧା ଦରମା ଜାଣ ।  ଆଉ ତ କେହି ସେମିତି ଭଲ ଚାକିରୀ କରୁନାହାନ୍ତି । ସମସ୍ତେ ତୋ ଉପରେ ନିର୍ଭର । ” 

“ନିଜର ଦେହ ପା ଭଲମନ୍ଦ ଲାଗି କିଛି ରଖିଛୁ କି ନାହିଁ ?"

“ହଁ, ପ୍ରବିଡେଣ୍ଟ ଫଣ୍ଡ ଆଉ ଗ୍ରାଚୁଇଟି ପଇସା ମିଳିବ । ଆଉ ହେଲ୍ଥ ଇନ୍ସୁରାନ୍ସ ବି ଅଛି । ” 

“ତୋ’ର, ମୋର ଦେହଖରାପ ହେଲେ ଦଶଲକ୍ଷ ପର୍ଯ୍ୟନ୍ତ କମ୍ପାନୀ ଦବ । ”

“ଆଉ ମୋର ବିଶେଷ ଖର୍ଚ୍ଚ କଣ ? ବାହାରକୁ ନ ବାହାରିଲେ ଦାମୀ ଲୁଗାପଟା ର ଆବଶ୍ୟକତା ରହିବନି । ” 

“ତୁ କାଇଁ ଶୁଖିଲାଟାରେ ଏତେ ବ୍ୟସ୍ତ ହଉଛୁ? ମୋ କଥା ମୁଁ ବୁଝିବିନି! ଆଉ ତୋ କଥା ବି ବୁଝିବି । ଦରମା ପଇସା ଅଧା ହେଇଯିବ ଜାଣେ,ହେଲେ ସେଥିଲାଗି ଚିନ୍ତା ନାହିଁ ,କିନ୍ତୁ ,ଏତେ ସମୟ ଯେ ଅଫିସ ରେ କଟାଉଥିଲି, ନିଜକୁ ବ୍ୟସ୍ତ ରଖିପାରୁଥିଲି, ତାର ଅଭାବ ସବୁବେଳେ ସତେଇବ । ଜାଣେନା, ମୁଁ ଯେତିକି ତାଙ୍କୁ ମିସ କରିବି ସେମାନେ ବି ମିସ କରିବେ ନା ନାହିଁ?”


“ଭଗବାନଙ୍କ ଦୟାରୁ ଷ୍ଟାଫ ଗୁଡିକ ଭାରି ଭଲ । ନିଜର କହିଲେ ଚଳେ । ସେଥିଲାଗି, ଡେରି ପର୍ଯ୍ୟନ୍ତ କାମ କଲେ ବି ହାଲିଆ ଲାଗେନି । ଆଉ ବେଳ ପଡିଲେ ଛୁଟି ଦିନରେ ବି ମୁଁ ଚାଲିଯାଏ,ତୋର ଆକଟ ସତ୍ୱେ । କାମ ପେଣ୍ଡିଙ୍ଗ ହେଲେ ଭଲ ଲାଗେନି । ମତେ ତୁ ତ ଜାଣିଚୁ,ମୁଁ ଆଉ ତୋ ଆଗରେ ନିଜ ବିଷୟ ରେ କଣ ବା ବଖାଣିବି ? ମୋ ଆଗରୁ ଯିଏ ଥିଲେ, ଟେବୁଲ ଯାକ ଫାଇଲ ଗଦେଇକି ରଖୁଥିଲେ । ମୁଁ ଆସିଲାଠୁଁ ସାର ନିଶ୍ଚିନ୍ତ । ” 

ସେଦିନ କହୁ,କହୁ କହିପକେଇଲେ "ସବିତା, ତମ ପରେ ଏ ଡିପାର୍ଟମେଣ୍ଟ କିଏ ସମ୍ଭାଳିବ? ମତେ ଭାରି ଚିନ୍ତା ହଉଚି ।  

ତମେ ମଝିରେ ମଝିରେ ଆସି ଗାଇଡ଼ କରିଯିବ । ” 

“ହୁଣ୍ଡି ଟା କିଲୋ ତୁ ? ଏ ଦୁନିଆଁ ରେ, ଖାଇବା ଦାନ୍ତ ଆଉ ଦେଖେଇବା ଦାନ୍ତ ଦୁଇଟା ଯାକ ଅଲଗା । “

“ଦେଖିବୁ ତୁ, ଏ କାନିରେ ଗଣ୍ଠି ରହିଲା । ଚାକିରୀ ସଇଲା ବାସୀ କିଏ ତତେ ପଚାରିବ?କଥା କହିବାକୁ କ’ଣ ପଇସା ପଡୁଛି କି’ଲୋ ?ତୋ’ର ମନରେ ଯଦି ଏତେ ଶରଧା ଅଛି ଅଫିସ ର ସାଙ୍ଗସାଥୀଙ୍କ ପାଇଁ, ଭଗବାନ କରନ୍ତୁ, ମୁଁ କହିବା କଥା ସବୁ ମିଛ ହଉ । ”


ଆଜି ଅଫିସ ରେ ଶେଷ ଦିନ ସବିତାଙ୍କର ।  କେତେ ଭାବି ଘରୁ ଆସିଥିଲେ, ଆଜି ଦିନଟା କେବଳ ଅଫିସ ଷ୍ଟାଫ ଙ୍କ ସହ ଗପି କଟେଇଦେବେ । ହେଲେ ଆସି ଦେଖନ୍ତି ,ଫାଇଲ ର ପାହାଡ଼ ତାଙ୍କ ଟେବୁଲ ଉପରେ ।  

ଆଜି ପର୍ଯ୍ୟନ୍ତ ଉଁ କି ଚୁଁ ପାଟିରୁ ବାହାରିନି କେବେ ତାଙ୍କର କାମକୁ ନେଇ, ଆଉ ଆଜି ଶେଷ ଦିନରେ ତା’ର ବ୍ୟତିକ୍ରମ ହେଇଥାନ୍ତା କେମିତି ?

ଚାପା କୋହ ଛଡ଼ା ଆଉ କିଛି ଜାହିର କରିବା ଶିଖିନାହାନ୍ତି କେବେ ସିଏ ।  ଭାନିଟି,ଟିଫିନବକ୍ସ ଆଉ ପାଣି ବୋତଲ ଯଥାସ୍ଥାନରେ ରଖି କାମ ଆରମ୍ଭ କରିବାକୁ ପ୍ରସ୍ତୁତ ହେଲେ । ସନା ଚା’ ଦେଲାବେଳେ କହିଗଲା "ଦିଦି ଆଜି ଶେଷ ଦିନ, ଯାହା ଦେବେ ...ଆପଣଙ୍କ ଖୁସି । “

କିଛି ସମୟ ପରେ, ପାଖରେ ଗଳାଖଙ୍କାର ଶୁଭିଲା ।  ଚାହିଁ ଦେଖିଲେ, ପିଅନ ରମେଶ । "ଦିଦି ,କଣ କହୁଥିଲିକି- କ’ଣ ଆଉ କହିବି? ଆପଣ ତ ଦୟାର ମୂର୍ତି । ଯାହା କରିବେ । ” 

“ହଉ ବୁଝିବି । ମୁଁ ଅଛି ଛଅ'ଟା ପର୍ଯ୍ୟନ୍ତ । ବ୍ୟସ୍ତ ହୁଅନା । ଯଦି ବା ଭୁଲିଯାଏ, ଆର ସପ୍ତାହ ରେ ,ମୋର ପେନଶନ ପେପର ନବା ଲାଗି ଆସିବି ନିଶ୍ଚୟ । ସେତେବେଳେ ପାଇଯିବ ତୁମ ପ୍ରାପ୍ୟ । ” 

“ସେକଥା ଛାଡ଼ନ୍ତୁ ଦିଦି, ମୋ ପୁତୁରା କଥା ଟିକେ ବଡ ସାର ଙ୍କୁ କହିଯିବେ । ଆରମାସ ଇଣ୍ଟରଭିଉ ହବ । ପିଲାଟା ଏମ. ଏ ପାସ କରିଛି ଆଜ୍ଞା । ଏ ଯାଏଁ କୋଉଠି ଚାକିରୀ ବାକିରି ପାଇନି । ଦୟା କଲେ,କୂଳ ରେ ଲାଗିଯାଆନ୍ତା । ” 

“ହଉ, ବଡ ସାର ଙ୍କୁ କହିଯିବି  । ” 


ଫାଇଲ କାମ ସରିଲାବେଳକୁ, ଦିନ ସାଢେ ଚାରିଟା ବାଜିଲାଣି । ଆଜି ବିଲକୁଲ ସିଟ ରୁ ଉଠିନାହାନ୍ତି ସିଏ  । ସେଇଠି, ଦଶମିନିଟ ରେ ଲଂଚ ଶେଷ କରି ପୁଣି କାମକରିଚାଲିଛନ୍ତି । ରମେଶ ଆସି ଟେବୁଲ ସଫା କରିଦେଇଗଲାଣି । ଷ୍ଟାଫ ମାନେ ତାଙ୍କ ଫେୟାରୱେଲ ପାଇଁ ବନ୍ଦୋବସ୍ତ କରିବାରେ ଲାଗିପଡିଥାନ୍ତି । ବଡ ସାରଙ୍କ ରୁମ ରେ ମିଟିଂ ହବା ପ୍ରାୟ ସ୍ଥିର ।  ସେଠି ଚୌକି ଟେବୁଲ ଅଛି  । ଦଶ ପନ୍ଦର ଜଣ ବସିବାଲାଗି ସୁବିଧା ବି ଅଛି । ଫୁଲତୋଡ଼ା ମାନପତ୍ର ,ସାଲ,ତା ଛଡା ଆଉ ତିନି ଚାରୋଟି ସୁନ୍ଦର କାଗଜ ରେ ଗୁଡା ଯାଇଥିବା ପାକେଟ ଥୁଆ ହେଇଚି ଟେବୁଲ ଉପରେ । ମିଟିଂ ଯଥାସମୟ ରେ ଆରମ୍ଭ ହେଲା । କିଛି ଲୋକ ବକ୍ତବ୍ୟ ରଖିଲେ । କିଛି ସହକର୍ମୀ, ମୌନ ରହି ,ସେମାନଙ୍କର ମନକଥା ପ୍ରକାଶ କଲେ । ସମସ୍ତଙ୍କ ବକ୍ତବ୍ୟ ରେ ଥିଲା ତାଙ୍କଲାଗି ଅଜସ୍ର ପ୍ରଶଂସା ଓ ଶୁଭକାମନା । ଆଉ ଶେଷ ରେ ତାଙ୍କର ବକ୍ତବ୍ୟ -

ବେଶି କିଛି କହିପାରିନଥିଲେ ତାଙ୍କର ଦୀର୍ଘଦିନର ଅନୁଭୂତି ଆଉ ଅନୁଭବ ସମ୍ବନ୍ଧରେ । ଆଖି ବାଷ୍ଫାକୁଳ ହେବା ସଂଗେ ସଂଗେ କୋହ ସବୁ ଜମାଟ ବାନ୍ଧି ସ୍ୱର ପେଟିକା କୁ ଆବଦ୍ଧ କରିସାରିଥିଲେ । ସମସ୍ତଙ୍କୁ ଧନ୍ୟବାଦ ଜଣାଇ, ନିଜର ବକ୍ତବ୍ୟ ଶେଷ କରିଥିଲେ ସବିତା । ହାଇ ଟି ସହିତ ପରିସମାପ୍ତ ହେଲା, ତାଙ୍କର ସୁଦୀର୍ଘ କାର୍ଯ୍ୟକାଳ । ବାଟେଇ ଦେବାକୁ ଆସିଲେ ସବୁ ଷ୍ଟାଫ, ଆଉ ବଡ ସାର ତାଙ୍କ ଗାଡି ରେ ଘର ପର୍ଯ୍ୟନ୍ତ ଆସିଲେ ଛାଡ଼ିବାଲାଗି । ବୋଉକୁ ଦେଖି କହିଲେ,” ମାଉସୀ, ଆଜି ପର୍ଯ୍ୟନ୍ତ ଆମେ ତାଙ୍କୁ ଭଲରେ ଚଲେଇକି ଆସିଲୁ, ଏବେ ଆପଣ,ଝିଅର ଦାଇତ୍ୱ ନିଅନ୍ତୁ । ” 

“ସାର! ଭିତରକୁ ଆସନ୍ତୁ । ଚା’ ପିଇକି ଯିବେ । ”-ସବିତା ଭଦ୍ରତା ଖାତିର ରେ ଡାକିଲେ ।  


“ଡେରିହେଲାଣି ,ଆଉ କେବେ ଆସିବି । ଆଜି ମୋ ଝିଅ କଲେଜ ର ଆନୁଆଲ ଫଙ୍କଶନ । ସିଏ ଡ୍ରାମା ରେ ମିଶିଛି । ମତେ ଯିବାକୁ ପଡିବ । ତୁମେ ବି ତ ଦିନେ ଦି ଦିନ ଭିତରେ ଆସିବ, ଅଫିସ ପେନଶନ ଗ୍ରାଚୁଇଟି ଇତ୍ୟାଦି କଥା ବୁଝିବା ଲାଗି । ତେଣୁ ଦେଖା ନିଶ୍ଚୟ ହବ । ” 

“ଆଜ୍ଞା ସାର ରହୁଛି । ଗୁଡ଼ ନାଇଟ । ” 

“ଗୁଡ଼ ନାଇଟ । ”

ପଛରେ ଛାଡି ଆସିଥିବା ଅଫିସ ରେ ପୁଣି ପାଦ ରଖିଲେ ଦି ଦିନ ଭିତରେ । ଭାବିଥିଲେ ତାଙ୍କୁ ଦେଖି, ଖୁବ ଖୁସି ହେଇଯିବେ ଅଫିସ ଲୋକେ,ଆଉ କହିବେ-” ମାଡାମ! ଆପଣଙ୍କୁ ଆମ ବହୁତ ମିସ କରୁଚୁ । ”ନାଁ- କାହିଁ ଜଣେ କେହିବି କହିଲେନାହିଁ ।  

କିନ୍ତୁ ସିଏ ଯେ ପୁରୁଣା ଲୋକମାନଙ୍କୁ ଖୁବ ସମ୍ମାନ ଦିଅନ୍ତି ଖାତିରଦାରୀ କରନ୍ତି -ସେମାନଙ୍କର କାମ ଜଲ୍ଦି କରିଦିଅନ୍ତି ନହେଲେ କରାଇ ଦିଅନ୍ତି । କାହିଁ , କେହି ଜଣେ ତ ଆଗଭର ହେଇ ଆସିଲେନାହିଁ? ସମସ୍ତେ କ’ଣ କାମର ଚାପ ଭିତରେ ଦବିଯାଇଛନ୍ତି ଏଇ ଦି ଦିନ ଭିତରେ? ବହୁତ କିଛି ବଦଳି ଗଲା ପରି ତାଙ୍କୁ ଲାଗିଲା-

ବୁଝିପାରିଲେନି ଏଇଟା ସତ୍ୟ କି ତାଙ୍କର ଭ୍ରାନ୍ତି !! ଅଫିସ ରେ ପଶୁ ପଶୁ, ଯେମିତି ସହକର୍ମୀ ମାନେ ହସି ହସି ତାଙ୍କୁ ସ୍ୱାଗତ କରନ୍ତି,ସେଥିରେ ଭଟ୍ଟା ପଡିଯାଇଥିବାର ହୃଦବୋଧ ହେଲା । ସିଟ ରେ ନ ବସୁଣୁ, ଯେମିତି ପାଣି ଚା ଆପେ ଆପେ ଆସିଯାଉଥିଲା,ସେକ୍ସନ ର ସିନିଅର ହିସାବରେ ଯେଉଁ ଖାତିର ଥିଲା ସବୁଯେମିତି ଓଲଟା ପାଲଟା ହେଇଯାଇଥିଲା, ଏଇ ଦୁଇଟା ଦିନରେ ।  


କିଏ ହାତ ଯୋଡି ତ କିଏ ପାଟିରେ "ନମସ୍କାର "ସମ୍ଭାଷଣ କଲେ ।  

“ଆଉ ସବୁ ଭଲ ତ ମାଡାମ?” ଉଣା ଅଧିକେ ସମସ୍ତେ ପଚାରିବସିଲେ ..ଏଇ ଦୁଇଦିନ ରେ କ’ଣ ଆଉ ଖରାପ ହବାର ଥିଲା ଯେ -ମନେ ମନେ ହସିଲେ ସବିତା । ତାଙ୍କର ଫାଇଲ ର ସୁତୁଲି ବି ଖୋଲା ହେଇନଥାଏ ସେଯାଏଁ -

ପ୍ରାୟ ସପ୍ତାହେ ଭିତରେ ସବୁ ଡ଼ିଉଜ ମିଳିଯିବାର ଆଶ୍ୱାସନା ନେଇ ଫେରିଲେ ।

ସପ୍ତାହ ପର ର ଅଫିସ ରେ ଅନୁଭୂତି, ଆଉ ଟିକେ ଅଲଗା ଥିଲା ।

କିଏ ମୁଂହ ଉଠେଇ ତ, କିଏ ମୁଂହ ପୋତି ସମ୍ଭାଷଣ ଜଣେଇଲେ  ।

ଏଇ ସାତ ଦିନ ଭିତରେ ତାଙ୍କୁ ସାତ ପର ହେଲା ପରି ଲାଗିଲା । ସୁଦୀର୍ଘ ଚାକିରିକାଳ ର ଆତ୍ମିୟତା ଏତେ କମ ଦିନ ରେ କ’ଣ ଶେଷ ହେଇ ଯାଇପାରେ?ନିଜକୁ କରିଥିବା ପ୍ରଶ୍ନ ର ଉତ୍ତର ତାଙ୍କୁ ମିଳିନଥିଲା, ବରଂ ପ୍ରତିଧ୍ୱନି ବାର ବାର ସେଇ ପ୍ରଶ୍ନ କୁ ତାଙ୍କ ପାଖକୁ ଫେରାଇ ଆଣିଥିଲା, ଆନ୍ଦୋଳିତ କରିଥିଲା ତାଙ୍କ ମନକୁ । ସମଗ୍ର ସେକ୍ସନ ର ପ୍ରତିଶୃତି ସତ୍ୱେ ତାଙ୍କର କାମ ଟା ନିର୍ଧାରିତ ସମୟ ରେ ହେଇପାରିନଥିଲା ।


ସାର କହିଲେ "ସରି ସବିତା ,ଆର ସପ୍ତାହ ରେ ନିଶ୍ଚୟ,ମୁଁ ଟିକେ ଛୁଟିରେ ପଳେଇ ଯାଇଥିଲି,ତେଣୁ ଫାଇଲ ମୁଭ କରିନି । ” ଖାଲି ହାତରେ ଫେରି ଆସିଲା ବେଳେ, ତାଙ୍କର ହୃଦ୍ବୋଧ ହେଲା -ସିଏ ଗୋଟିଏ ଅଲୋଡ଼ା ବସ୍ତୁ ।

ତା’ଙ୍କ ପାଖରେ ଆଉ କାହାର କାମ ରହିବନି, ତେଣୁ ପୂର୍ବ ର ଆଦର,ସମ୍ମାନ ଏମିତିକି ସହୃଦୟତା ରୁ ସିଏ ବଂଚିତ ହେବେ, ଏଇଟା କ’ଣ ତେବେ ସଂସାର ର ନିୟମ? ନା’ ତାଂକଲାଗି ଲାଗୁ ହେଇଚି ? ଏତେ ଜଲ୍ଦି ତା’ର ଉତ୍ତର ତାଙ୍କୁ କିଏ ବା ଦବ?

 

ଘରେ ନ ପହଂଚୁଣୁ, ବୋଉ ର ଦାଣ୍ଡଦୁଆରୁ ପାଟି ଶୁଭିଲା "କେଇଥର ତତେ ଦଉଡ଼େଇବେ କିଲୋ ?ଏତେଦିନ ସେଠି କାମ କଲୁ, ସମସ୍ତଙ୍କ କଥା ବୁଝିଲୁ ,ଏବେ ତୋ କଥା କେହି ଠିକ ରେ ବୁଝୁ ନାହାନ୍ତି ?କିମିତିକା ଲୋକଗୁଡ଼ା ?"

“ନାଇଁ ଲୋ ବୋଉ, ସାର ଛୁଟି ରେ ଯାଇଥିଲେ ତ, ସେଇଲାଗି ଡେରିହେଲା । ”

“ମଲା ,ମଲା ସାର ଛୁଟି ରେ ଗଲେ କ’ଣ ଅଫିସ ସାଙ୍ଗରେ ନେଇକି ଯାଇଥିଲେ?ମତେ ତୁ ବୁଝଉଚୁ ନାଇଁ ?

କେତେ ଲୋକଙ୍କର କାମ ତୁ କଲୁ, ଆଉ ତୋ ବେଳକୁ ହଟହଟା ହଉଛୁ । ବଦମାସୀ କରୁଛନ୍ତି ସବୁ । ଏଇଥରକ ନ ହେଲେ, ମତେ ସାଙ୍ଗରେ ନେଇଯିବୁ । ପାଟି କରିକି ଉଚ୍ଛନ କରିବି । ଭଦ୍ର ଖୋଳପା ପିନ୍ଧି, ଚିକ୍କଣ କଥା କହିବା ଲାଗି ସିଟ ରେ ସବୁ ବସିଛନ୍ତି ନାଇଁ ?

ରଙ୍ଗ ଛଡ଼ଉଚି ସମସ୍ତଙ୍କର । ” 

“କାଇଁ ଦାଣ୍ଡପିଣ୍ଡାରେ ଚିତ୍କାର ଛାଡୁଛୁ କହିଲୁ ?ଘର ଭିତରକୁ ଆ କଥାହବା । ”


ତର ତର କରି ବୋଉ ହାତକୁ ଘୋଷାରି ଘରକୁ ପଶିଆସିଲେ -”ଟିକେ ଧୈର୍ଯ୍ୟ ରଖ, ସବୁ ଠିକ ହେଇଯିବ । ”

ସପ୍ତାହେ ପରେ ପୁଣି ଥରେ ଅଫିସ ରେ ପାଦ ରଖିଲେ । ସିଡ଼ି ରେ ଉଠିଲା ବେଳେ ତାଙ୍କୁ କିଏ ପଛରୁ ଟାଣି ଧରିବା ପରି ଲାଗିଲା, ବୁଝି ପାରିଲେ, ନିଜର ଅନିଚ୍ଛା ସତ୍ୱେ ତାଙ୍କୁ ଆସିବାକୁ ହେଇଚି ସେଥିପାଇଁ ଏପରି ପ୍ରତୀତ ହେଉଛି ।

ଏତେ ବର୍ଷ ର ନିବିଡ଼ତା ତୁଚ୍ଛ ହେଇଯାଇଥିଲା ସହକର୍ମୀ ମାନଙ୍କର ଆଗ ଦୁଇଥର ର ବ୍ୟବହାରରେ ।

କେମିତି କାମ ଟା ସାରିକି ଜଲ୍ଦି ଫେରି ଆସିବେ ତାଙ୍କୁ ବୁଦ୍ଧିବାଟ ଦିଶୁନଥାଏ । ଏଇ ଅଭିପ୍ରାୟ ନେଇ ,ଏକ ମୁଁହା ହେଇ ସାର ଙ୍କ ଚାମ୍ବର କୁ ଚାଲିଲେ । ସାର ସେତେବେଳକୁ ଫୋନ ରେ ଥାନ୍ତି । ତାଙ୍କୁ ବସିବାକୁ ଇସାରା କଲେ । ଫୋନ ରେ ଚାଲିଥାଏ ଅଛିଣ୍ଡା ଗପ -"ଆଉ, କେବେ ଯାଉଛନ୍ତି ବ୍ୟାଙ୍କକ?ଭଲ ଲାଗିବ । ମୁଁ ଆରବର୍ଷ ଯାଇଥିଲି ଫାମିଲି କୁ ନେଇ । ଝିଅ ତ କହୁଛି, ବାପା ଆଉଥରେ ଯିବା । ” -ଏମିତି ୟାଡୁ ସାଡୁ ଗପ ଦଶ ପନ୍ଦର ମିନିଟ ଯାଏ ଚାଲିଲା । ବସି ବସି ବୋର ହେଇସାରିଥିଲେ ସବିତା ।

ହଁ ସାରଙ୍କ କଲିଂଵେଲ ଶୁଣି, ପିଅନ ଚା କପେ ଦେଇଯାଇଥିଲା ।

ହେଲେ, ସେଇ ସାଦର ବିହୀନ ଚା’ ସିଏ ସ୍ପର୍ଶ କରିନଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟ ଲାଗିଲା ତାଙ୍କୁ, ଯେଉଁ ସାର ଚାମ୍ବର ରେ ପାଦ ଦେଉ, ଦେଉ ଫାଇଲ ରେ ଫଟାଫଟ ସଇ ମାରି ସମୟ ର ଉପଯୋଗିତା ଉପରେ ସୁଦୀର୍ଘ ବକ୍ତବ୍ୟ ରଖୁଥିଲେ, ସିଏ ଆଜି ତାଙ୍କର ଅଧଘଣ୍ଟା ପାଖାପାଖି ସମୟ ବର୍ବାଦ କରିଗଲେ,ହୁଏତ ଆଜିକା ଦିନରେ ତାଙ୍କ ସମୟ ର ମୂଲ୍ୟ ନାହିଁ ଅନ୍ୟମାନଙ୍କର ଦୃଷ୍ଟିରେ !!! 

“ଆରେ ସବିତା! ଚା ପିଇଲନି ଯେ?” 

“ନାଁ ସାର, ଘରୁ ପିଇକି ଆସିଛି । ”

“ସିଏ କଣ କି, ପୁରୁଣା ବନ୍ଧୁ ଜଣେ ଫୋନ କରିଥିଲେ,ବାହାରକୁ କେବେ ଯାଇନାହାନ୍ତି । ମୁଁ ଗାଇଡ଼ କରିଦେଉଥିଲି ।

ତମେ ବି ତ ଫ୍ରି ଅଛ, ବୁଲା ବୁଲି କର, ଦୁନିଆଁ ଦେଖ ଭଲ ଲାଗିବ ।

” 

“ହଁ ,ତୁମର ସବୁ ସେଟଲ ହେଇଯାଇଛି, ଖାଲି ଟାକ୍ସ ଟା ରେମିଟ ହେଇଗଲେ ପଇସା ବ୍ୟାଙ୍କଖାତା ରେ ଚଢ଼ିଯିବ । ”

“ତୁମେ କିନ୍ତୁ ଆଜି ସବୁ ପେପର ର କପି ନେଇଯାଅ । ”

 “କାଲି କି ପଅରଦିନ ମେସେଜ ଚେକ କରିବ, ଆଉ ବ୍ୟାଙ୍କ ଖାତା ଅପଡେଟ କରେଇନେବ । “ 

 “ଆଜ୍ଞା ସାର , ଧନ୍ୟବାଦ ଆସୁଛି- ନମସ୍କାର । “

ତଳେ ପହଂଚିବାକୁ ଦୁଇ ମିନିଟ ମାତ୍ର ସମୟ ଲାଗିଲା । ଝଡ ବେଗରେ ଏକଦା ନିଜର ଥିବା ସେକ୍ସନ ଦେଇ ପଶି ଆସିଲାବେଳେ କେହି ବୋଧେ ପଚାରି ଥିଲା ,”ଆରେ ମାଡାମ ! କେତେବେଳେ ଆସିଥିଲେ? ବସୁନାହାନ୍ତି,ଏବେ ତ କିଛି କାମ ନଥିବ ଆପଣଙ୍କର । ନାଁ, କୋଉଠି ଜଏନ କଲେଣି ?"

ଏ ପ୍ରଶ୍ନ ର ଉତ୍ତର ଦେବା ଦରକାର ବୋଲି ମନେ କଲେନି,ଟୋପେ ଫିକା ହସ ରେ ପ୍ରଶ୍ନ ପର୍ଯ୍ୟାୟ ଟି ଶେଷ ହେଲା ।

ଯେଉଁ ଅଫିସ, ତାଙ୍କ ସିଟ, ଆଉ ଫାଇଲ ସବୁ ଏକାନ୍ତ ନିଜର ଥିଲେ, ଆଖିପିଛୁଳାକେ ପର ହେଇଗଲେ,ଅବା ଏପରି ଏକ ଅନୁଭବ ତାଙ୍କୁ ଘେରିବସିଲା । ତା’ଙ୍କୁ କିଛି ବର୍ଷ ପୂର୍ବକୁ ଟାଣିନେଲା - 

ଏଇ ସାର, ସିଏ ଛୁଟି ରେ ଥିଲାବେଳେ କେତେ ଥର ଘରୁ ଡକେଇଆଣିଛନ୍ତି ।  


"ସବିତା, ମୁଁ ଜାଣିଚି ତୁମ ଦେହ ଭଲ ନାହିଁ ,ହେଲେ ସେକ୍ରେଟେରୀ ଙ୍କ ଖାସ ଲୋକର କାମଟା, ନ ହେଲେ ଅସୁବିଧା ହବ । ଗାଡି ପଠାଉଛି । ତୁମ ର ଏକ୍ସପର୍ଟ ହାତ ପାଇଁ ଏଟା ଗୋଟେ ଛାର କାମ । ଦି ଘଣ୍ଟା ଭିତରେ ସରିଯିବ । ଗାଡି ଛାଡି ଦେଇ ଆସିବ । ଚିନ୍ତା କରନି ସେବିଷୟରେ । ପ୍ଲିଜ ଆସିଯାଅ । ”

ଆଉ ଆଜି ,ତାଙ୍କୁ ଆଗରେ ବସେଇ ଫୋନେ ରେ ତୁଚ୍ଛା ଗପ ଗୁଡା ଗାଳିଲାବେଳେ, ସାମାନ୍ୟତମ ସଂକୋଚ ଭାବ ପରିଲକ୍ଷିତ ହେଲାନାହିଁ ତାଙ୍କପାଖରେ ।


ସତରେ କ’ଣ ଏଇ ପନ୍ଦରଦିନ ଭିତରେ ଦୂରତା ଟା ଏତେ ବ୍ୟାପକ ହେଇଗଲା ?ନାଁ,ତାଙ୍କର ବୁଝାମଣା ରେ ତ୍ରୁଟି ରହିଗଲା ?

ଯାହାଙ୍କୁ ନିଜର ଆପଣାର ଭାବି, ସବୁ ସୁଖ,ଦୁଃଖ ବାଣ୍ଟୁଥିଲେ -ଆଜି ସମସ୍ତେ ପର,ଧାରେ ଲୁହ ଆଉ ପୁଞ୍ଜେ କୋହ -ବାସ ଏତିକି ଭିତରେ ହୃଦୟ ର ଯନ୍ତ୍ରଣା କୁ ପାରୁପର୍ଯ୍ୟନ୍ତ ଆବଦ୍ଧ କରିନେଲେ ।  

ମନେପଡ଼ିଗଲା -ବୋଉ ସାନଭଉଣୀ ବିଦା ବେଳେ ତୁନି ତୁନି ତା କାନରେ କହିଥିଲା -"ଆଜିଠୁଁ ସେଇଟା ତୋ ନିଜ ଘର, ଏ ଘର ତୋ ଲାଗି ପର । "


ଆଜି ବୁଝି ପାରିଲେ -ତା’ଙ୍କର ବାହା ବିଦା ହେଇନି ସିନା, ହେଲେ ଚାକିରିଆ ଜୀବନରୁ ଅବ୍ୟାହତି ନେଇସାରିଛନ୍ତି ସିଏ -ନିଜର ଆତ୍ମସମ୍ମାନ ଆଉ ଆତ୍ମବଡ଼ିମା କୁ ଜଗିରଖି ଚାଲିବା ଉଚିତ ।

ରାତିରେ ସାର ଫୋନ କରି ପଚାରିଥିଲେ "କାଗଜପତ୍ର ସବୁ ନେଲ ତ ?ପୁଣି କେବେ ଆସିବ ଅଫିସ ଆଡେ?"

କହିବାକୁ ତ ଚାହିଁଥିଲେ "କେବେ ବି ନୁହେଁ ,ହେଲେ ସ୍ଫୁରିଲାନି, ଖାଲି ଏତିକି କହିପାରିଲେ କେବେ ଦରକାର ପଡିଲେ.. "

“କିଏ ଫୋନ କରିଥିଲା କିଲୋ ଏତେ ରାତିରେ ?”-ସେଘରୁ ବୋଉ ର ପାଟି ଶୁଭିଲା ।  


“ଜମା ଆଠଟା ବାଜିଛି ,ଆଉ ତୋର ଏତେ ରାତି ହେଲାଣି ?ସାର ଫୋନ କରିଥିଲେ, ପଚାରୁଥିଲେ କେବେ ପୁଣି ଯିବି ଅଫିସ ଆଡେ ?”

“କାହିଁକି ଯିବୁ ମଁ ?କ’ଣ ତୀର୍ଥସ୍ଥାନ, ନା’ ବୁଲିବା ଜାଗା? ଯାହା ତ କଲେ ଛାଡ଼ । ପନ୍ଦରଦିନ କାଳ, ଦଉଡ଼େଇଲେ । ଆଉ, ଫେର ଡାକୁଛନ୍ତି ?ନିର୍ଲଜ ଲୋକଗୁଡ଼ା । ”

“ତତେ ମୋ ରାଣ!ବୁଝିଲୁ । ଜମା ତୁ ସେଠିକି ଯିବୁନି । ଏତେ ଲୋକଙ୍କର ଏତେ ଉପକାର କଲୁ, ତୋ’ ଠୁ ସମସ୍ତେ ଫାୟଦା ନେଲେ । ସେମାନେ ବୁଲିଲେ, ଆଉ ତୁ ଖଟି ମଲୁ । ଆଖିପିଛୁଳାକେ ସବୁ ଭୁଲିଗଲେ?ଧିକ! ତାଙ୍କ ଜୀବନ ସବୁ । ” 

“ବୋଉ! ତୁନି ପଡ଼ିଯା ।  ସାଇ ପଡ଼ିଶା କାନଡ଼େରିବେ । କ’ଣ ଶୁଣିବେ କ’ଣ ଗାଇବେ । ”


“ -ବାପା ଙ୍କ କଥା ଭାରି ମନେପଡୁଛି । ” 

“ସବୁବେଳେ କହନ୍ତି -ମା’ ରେ! ନିଜ ର କର୍ମ କରିଯିବୁ,ପ୍ରତିଦାନ ର ଆଶା ରଖିବୁନି । କର୍ମ ର ଫଳ ମିଳିଲା ତ, ଭଗବାନ ଙ୍କର ଆଶୀର୍ବାଦ ଭାବି ଗ୍ରହଣ କରିବୁ । ନ ମିଳିଲେ, ଖୁବ୍ଧ ହବୁନି । ମଣିଷ, ନିଜର ବୁଦ୍ଧି, ବିବେକ, ଯୋଗ୍ୟତା, ଶିକ୍ଷା, ତଥା ଆହରଣ କରିଥିବା ମୂଲ୍ୟବୋଧ ଦ୍ୱାରା ପରିଚାଳିତ ହୁଏ । ତେଣୁ ପ୍ରତିଦାନ ର ଆଶା ନ ରଖିବା ଟା ହିଁ ଶ୍ରେୟସ୍କର । ମତେ ବଦଳିବାକୁ ପଡିବ ବୋଉ ...ସମୟ ଆଉ ପରିସ୍ଥିତି ସହ ତାଳ ଦେଇ ଚାଲିବାକୁ ପଡିବ । ପ୍ରତିଦାନ ର ଆଶା ରଖି ଚାଲିଲେ, ରାସ୍ତା ରେ କେତେ ଥର ଯେ ଝୁଂଟିବି ତାର ହିସାବ ନାହିଁ । ” ”

“ଆଜି ବୁଝୁଚି ,ବାପାଙ୍କର କହିଥିବା କଥାଟି ଛୋଟ, ମାତ୍ର ତାତ୍ପର୍ଯ୍ୟପୂର୍ଣ । ”

ସବିତାଙ୍କ କଥା ସରିଲା ବେଳକୁ, ବୋଉ ତାଙ୍କର କାନିରେ ଝିଅର ଆଖି ପୋଛିଦେଉଥିଲେ ।  





Rate this content
Log in