କେତୋଟି ଅନ୍ତରଙ୍ଗ ମୁହୂର୍ତ୍ତ
କେତୋଟି ଅନ୍ତରଙ୍ଗ ମୁହୂର୍ତ୍ତ


"ତୁ ବୁଝି ପାରିବୁନିରେ... ଏଇ ରେ... ପରସ୍ତ ପରସ୍ତ ସୁନେଲି ଅତୀତ ଅଛି | ଆଉ ସେଇ ମୂଳଦୁଆକୁ ନେଇ, ମୋର ବର୍ତ୍ତମାନ | " ଏତକ କହି ମୁଁ ଗାଡି ପାଖକୁ ଫେରି ଆସିଲି | କାହିଁ କେତେ ବର୍ଷ ପରେ ଗାଁକୁ ଆସିଛି... ଆସିଛି, ଏଥିପାଇଁ ଯେ ଗାଁ ହାଇସ୍କୁଲର ପଚାଶ ବର୍ଷ ପୂର୍ତ୍ତି ହେଇଚି | ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଲାଗି ମୋ ସହପାଠୀ ରୋଶନ ମତେ ଆମନ୍ତ୍ରଣ କରିଛି | ତା କଥା ଭାଙ୍ଗି ପାରିନି ମୁଁ | ରୋଶନ ସଂଗେ ବିସ୍ତୃତ କଥା ନହେଇପାରିଲେ ବି, ମୋଟାମୋଟି ଗାଁ କଥା, କିଛି ସାଙ୍ଗ ମାନଙ୍କ ବିଷୟରେ ଖବର ସଂଗ୍ରହ କରିସାରିଛି | ଯେଉଁ ସ୍କୁଲରେ ପାଠ ପଢିଥିଲେ, ତାଙ୍କର ମୂଳଦୁଆ ଯେଉଁଠି ଗଢ଼ା ହେଇଥିଲା, ସେ ସ୍କୁଲର ସ୍ୱର୍ଣ୍ଣଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ହିସାବରେ ଯୋଗଦାନ କରିବା, ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ | ତା ଠାରୁ ବଳି, ଏକ ମୂଲ୍ୟବାନ ଉପଲବ୍ଧି ମଧ୍ୟ | ଗାଁ ମୁଣ୍ଡରେ ବରଗଛଟା... ଥକି ଗଲା ପରି ଲାଗୁଚି | ଓହଳଗୁଡା ବେଶ ମୋଟା ଆଉ ମଜବୁତ ହେଇଯାଇଛନ୍ତି... କାୟା ବିସ୍ତାର କରିଚାଲିଛି ଗଛଟି | ଆଗ ଅପେକ୍ଷା ବେଶୀ ଲୋକଙ୍କୁ ଉପକୃତ କରି, ଖୁସି ଓ ଆତ୍ମତୃପ୍ତିରେ ଗଦଗଦ ହେଇଯାଉଛି ନିଶ୍ଚୟ | ମୁଁ ବି ଦିନେ... ଆଃ କି ସୁନ୍ଦର ସେ ପିଲାଦିନ ! ପାଖଦେଇ ଗଲାବେଳେ, ଡ୍ରାଇଭରକୁ ଗାଡି ସ୍ଲୋ କରିବାକୁ କହି, କାଚ ଟେକିଲି... ମନ ପୁରିଉଠିଲା |
ଅନୁଭବ ଖୁବ ନିଆରା ଆଉ ସୁଖଦ ଥିଲା | କେତେ ଶିଖିବାର ଅଛି ସତରେ ଏଇ ଛାୟା ପ୍ରଦାନକାରୀ ସ୍ନେହୀ ଆତ୍ମା ଠାରୁ | ଗାଡି ଆଗେଇଚାଲିଲା, ଗନ୍ତବ୍ୟ ସ୍ଥଳରେ ପହଂଚିବାଲାଗି | ସୂର୍ଯ୍ୟ ଦେବତା ଆଜି ଖୁବ ପ୍ରସନ୍ନ | ଚିକ ଚିକ ବାଲି ଉପରେ... ଖରାଟା ଦାଉ ଦାଉ ହେଇ ଜଳୁଛି | ବିଲ, ବାଡ଼ି, ରାସ୍ତା, ଘାଟ ବେଶ ତୋରା ଦିଶୁଚି | କେଇ ବର୍ଷ ପରେ ମଜବୁତ ସ୍ମୃତିର ପୃଷ୍ଠଭୂମିକୁ ଫେରୁଛି ମୁଁ | ମନ ଭିତରର ଆବେଗ, କୋହ ପଦାକୁ ଆସିବାକୁ ବ୍ୟସ୍ତ | ଭିଟାମାଟି ସ୍ପର୍ଶରେ ମୃତବତ ପୁଲକ ପୁଣି ଥରେ ଜୀବନ୍ୟାସ ପାଇବାକୁ ବ୍ୟଗ୍ର | ଏକ ଅପୂର୍ବ ଶୀହରଣରେ ମୁଁ ଆକ୍ରାନ୍ତ ହେଇସାରିଛି | ଅଭୁଲା ସ୍ମୃତିର ପ୍ରଥମ କିମ୍ବଦନ୍ତୀ... ଚାଟଶାଳୀ...ଏଇ ମାତ୍ର ପାର ହେଲି | ଭୁଲି ହେଇନି ଏଯାଏ... ପଣିକିଆ ଘୋଷା, ପାଶୋରିଗଲେ...ସାରଙ୍କର ଲାଲ ଟକଟକ ଆଖି ଆଉ ଲହଲହକା ବେତ | କାଦୁଅ ଲଟପଟ ଗାଁ ଦାଣ୍ଡ ଆମର | ତା ଛାତିରେ ପାଦ ଦେଇ, ପିଲାଦିନ ଆମର ପାରି ହେଇଚି | ବର୍ଷା ଦିନେ, ଛିଟିକା ମାରି, ବସ୍ତାନି ପର୍ଯ୍ୟନ୍ତ କର୍ଦ୍ଦମାକ୍ତ ହେଇଯାଏ | ଜାମାପେଣ୍ଟ ଆଉ ବସ୍ତାନିରୁ କାଦୁଅ ଛଡେଇଲାବେଳେ ବୋଉର ଯୋଉ ଗାଳି...ପାଟିରେ ଧରିହବନି | ହେଲେ ସିଏ କ'ଣ ଗାଳି ଥିଲା? ଥିଲା ସରାଗବୋଳା କଥା କେଇପଦ|ହୃଦୟଙ୍ଗମ କଲାବେଳକୁ, ବୋଉ କୋଉଠି ପାଇଲାଣି|ଗାଁ ଦାଣ୍ଡର ନବକଳେବର, ମାନେ, ପିଚୁ ହେଇସାରିଲାଣି କେବେଠୁ ନିଶ୍ଚୟ | ସଠିକ ଖବର ରଖିପାରିନି |
ବୋଉ ଆଉ ନନା ଗଲାପରେ ଆସିବାଟା ଖୁବ ବେଶିଥର ନୁହେଁ | ଆଜି ଖୁବ ଖୁସିର ଦିନ ମୋ ପାଇଁ | ପୁରୁଣା ସାଙ୍ଗସାଥିମାନଙ୍କୁ ଭେଟିବି, କେତେ ପୁରୁଣା କଥା ବଖଣା ହବ |
ଧୂଳିର ଆସ୍ତରଣ, ସ୍ମୃତିପଟରୁ ପୋଛି ହେଇଯିବ | ଏଇତ...ବାଂଫି ପାଖ ପଥର ଉପରେ, ହରିଆ କକା ବସିଛନ୍ତି | ବହୁତ ବୁଢ଼ା ହେଇଗଲେଣି, ଲଇଁ ବି ଗଲେଣି | ବାଳ ପାଚିକି ଝୋଟ, ଆଉ ଦାଢ଼ି ସବୁ ଧଳା ହେଇଯାଇଛି | ଆଖି କୋରଡ ଭିତରେ | ବଙ୍କୁଲିବାଡିଟି ଡେରା ହେଇଚି ପାଖରେ |
ଗାଡ଼ିରୁ ଓହ୍ଲେଇ ପାଖକୁ ଗଲି, ଜୁହାର ହେଲି... ମୁହଁକୁ ବଲବଲ କି ଅନେଇଲେ, ହେଲେ ଚିହ୍ନିପାରିଲେନି | ବେଶ, ସ୍ୱାଭାବିକ କଥା... .ପାଟି ଖୋଲିଲି...ସ୍ୱର ବାରିକି କହିଲେ-"ମୁରଲୀ କିରେ? ବହୁତ ଦିନ ପରେ ଆସିଲୁ ନାଇଁ! କାହିଁକି ବା ଆସିବୁ?ତୋର କିଏ ଅଛି ଏଠି? ବୋପା, ମା ତ ମରିହଜି ଗଲେଣି, ବାକି ତମେ ସମତେ ପଦାରେ..କ'ଣ ବୁଲି ଆଇଛୁ ନା ଘର ଡିହ ଖଣ୍ଡକ ବିକିବା ଲାଗି ଆଗମନ ? ନା' କକା, ସ୍କୁଲ ଫଂକ୍ସନରେ ଯୋଗଦେବାପାଇଁ ଆସିଛି | ଆଉ, ମନୁ ଏବେ କୋଉଠି ?ତା' ଖବର କଣ ?"
ରୋଶନକୁ, ତା କଥା ପଚାରିଥିଲି ଫୋନରେ... ହେଲେ ସିଏ ବାଆଁରେଇଦେଇଥିଲା..ସବୁ ଭଲ ତ! ଆଖି ଛଳ ଛଳ କରି, ମନୁ କଥା ଧୀରେ ଧୀରେ କହିଲେ କକା | ମୋ ପୁଅ, ମୋ ସାହାରା, ତୋ ସାଙ୍ଗ, ୬ମାସ ତଳେ ମୋଟରସାଇକଲ ଆକ୍ସିଡେଣ୍ଟରେ ଚାଲିଗଲା...ଘରର ଗୋଟିଏ ରୋଜଗାରିଆ ଲୋକ ଚାଲିଗଲା ପରେ, ଆମ ଅବସ୍ଥା ସବୁ ଯାହା ହେଇଥିବ, ବୁଝିପାରୁଥିବୁ | ମୋର ବାର୍ଦ୍ଧକ୍ୟ ଭତ୍ତା, ଆଉ ତାର ପେନଶନ ମିଶି ଘର କୌଣସି ପ୍ରକାରେ ଚଳିଯାଉଛି | ତା ସ୍ତ୍ରୀ, ସିଲେଇପତ୍ର କରି କିଛି ରୋଜଗାର କରେ, ଛୋଟ ପିଲାଙ୍କୁ ଟିଉସନ ମଧ୍ୟ କରେ | ଏମିତି ଦୁଃଖେକଷ୍ଟେ ଚାଲିଛି ସଂସାର | " କ୍ଷଣିକ ପାଇଁ ସ୍ତବ୍ଧ ହୋଇଗଲି | ମୋର ସବୁଠାରୁ ଅନ୍ତରଙ୍ଗ ସାଙ୍ଗ.. କ୍ଲାସରେ ସବୁଠୁ ଭଲ ଗୀତ ଗାଉଥିବା ସହପାଠୀ ମନୁ... ଆଉ ନାହିଁ ? ନଈର ସେଇ ସର୍ପିଳ ପଥରେ, ପାଉଁଶ ହୋଇ ଭାସିଯାଇଛି, ଆମ ସମସ୍ତଙ୍କୁ ପର କରିଦେଇ, ଚିରଦିନ ଲାଗି?ନଈରୁ ମାଛ ଧରିବା... ବାଉଁଶ ବଣରେ ବଇଁଶୀ ଫୁଙ୍କିବା, ଖେତରୁ କଷି କାକୁଡି ଚୋରି କରିବା, ସଞ୍ଜ ନଇଁଆସିଲା ବେଳକୁ ସାଇକଲ ଧରି ବଜାର ଆଡେ ଯିବା, ଘରେ ନକହି ଚାଟ, ଗୁପଚୁପ ଖାଇବା... ଇତ୍ୟାଦି, ଇତ୍ୟାଦି ସବୁ ପ୍ରାଞ୍ଜଳ ଭାବେ ମାନସ ପଟରେ ଉଙ୍କି ମାରିଲେଣି...ଅତୀତ ନାମ୍ନୀ ସୁପ୍ତ ଆଗ୍ନେୟଗିରି ରୁ, କିଛି ଅନ୍ତରଙ୍ଗ ମୁହୂର୍ତ, ଆଉ ସୁଖଦ ଅନୁଭୁତିର ଆରମ୍ଭ ହେଲାଣି ଉଦଗୀରଣ...ଅନ୍ୟମନସ୍କ ହେଇ କେତେବେଳେ ନଈକୂଳ ଆଡେ ମାଡିଯାଇଛି ମୁଁ !ନାମକୁମାତ୍ର ନଈ ସିଏ | ଆଜି ବଂଚିବାର ପ୍ରୟାସ ନେଇ ସଂଗ୍ରାମ ଜାରି ରଖିଛି| ବଂଚେଇ ରଖିଛି, ନିଜ ଭିତରେ" ମନୁ " କୁଆଉ କିଛି ଦୁର୍ଲ୍ଲଭ, କିଛି ନିଆରା ସନ୍ତକମାନଙ୍କୁ |
ଡ୍ରାଇଭରର ଡାକରେ ପ୍ରକୃତିସ୍ଥ ହେଲି | "ସାର, ମୁଁ କେତେ ଖୋଜିଲିଣି ଆପଣଙ୍କୁ | ଡେରି ହେଲାଣି, ସେପଟେ ଫଙ୍କସନ ଆରମ୍ଭ ହେଇଜିବଣି... ଆସନ୍ତୁ ଯିବା|"
"ହଁ ଚାଲ, ୟା ଭିତରେ ଏତେ ବେଳ ହେଇଗଲାଣି! ଆପଣ ତ ଘଡ଼ିଏ ହେଲାଣି ଏଇ ସୁକୁଲା ନଈଟାକୁ ଅନେଇ କି ଠିଆ ହେଇଛନ୍ତି... ଧାର ଅଛି ନ ସୁଅ ଅଛି?" "ତୁ ବୁଝି ପାରିବୁନିରେ... ଏଇ ନଈ ଗର୍ଭରେ... ପରସ୍ତ ପରସ୍ତ ସୁନେଲି ଅତୀତ ଅଛି ଆଉ ସେଇ ମୂଳଦୁଆକୁ ନେଇ ମୋର ବର୍ତ୍ତମାନ | "
ଡ୍ରାଇଭର କାବା ହେଇକି ଚାହିଁଲା ଆଉ କହିଲା -
"ସାର ! ଚାଲନ୍ତୁ, ଏତେ ସମୟ ଖରାରେ ରହିଲେଣି, ସ୍କୁଲରେ ଥଣ୍ଡାର ବନ୍ଦୋବସ୍ତ ହେଇଥିବ ନିଶ୍ଚୟ | "