STORYMIRROR

Sujata Dash

Others

3  

Sujata Dash

Others

ଡି. ଏମ୍. ୟୁ

ଡି. ଏମ୍. ୟୁ

5 mins
144



ସକାଳ ଆଠଟା ପଇଞ୍ଚାଳିଶି। 

ହିଲ ଜୋତା କୁ ଘୋଷାରି ଘୋଷାରି ସୋମା ଏକରକମ ଧାଇଁବାରେ ଲାଗିଚି।ଏଇ ସ୍ପିଡ୍ ରେ ଚାଲିଲେ, ଷ୍ଟେସନ ରେ ପହଞ୍ଚିବା ପାଇଁ କମ୍ ସେ କମ୍ ପାଞ୍ଚ ମିନିଟ୍ ଆହୁରି ଲାଗିବ। ନ'ଟା ବେଳେ DMU. ତଥାପି ହାତରେ ଦଶ ମିନିଟ ରହିବ। କୌଣସି ପ୍ରକାରେ ଟ୍ରେନ ରେ ଚଢ଼ିଗଲେ, ପ୍ରଥମ ଦଫା ଟେନ୍ସନ୍ ଯିବ। ତା'ପରେ ଅଫିସ କଥା ଦେଖାଯିବ। ସକାଳ ର ଏଇ ସମୟ ଟା ସୋମା ର ପ୍ରଶ୍ନ ଆଉ ଉତ୍ତର ରେ ଭରା। ହେଲେ, ଏଠି ପ୍ରଶ୍ନକର୍ତ୍ତା ବି ଆଉ ଉତ୍ତର ଦେବା ଲୋକ ବି ସିଏ ନିଜେ। 

ଟ୍ରେନ୍ ଠିକ୍ ଟାଇମ୍ ରେ ପହଞ୍ଚିଲେ ଭାଗ୍ୟ ଉଜ୍ବଳ, ନ ହେଲେ ଗଞ୍ଜଣା।

ଯାଉ ଯାଉ ଫାଟକ ପାଖରେ ଗାର୍ଡ ଖଣ୍ଡିକାଶ ମାରି ପଚାରିବସିବ" ଦିଦି, କ'ଣ ଆଜି ଗାଡ଼ି ଫେଲ୍ ହେଲକି?"

ସିଡି ରେ ଗଲାବେଳେ କେହି ଅଫିସ୍ ଲୋକ ଦିଶିଲେ, ସେମାନଙ୍କର ଜିଜ୍ଞାସୁ ଦୃଷ୍ଟି , କଥା ନ କହି ବେଶ୍ କିଛି କହିଯିବ।

ତରବରରେ ଉପସ୍ଥାନ ଖାତାରେ ଦସ୍ତଖତ ମାରୁ ମାରୁ, ବଡ଼ବାବୁ ଡକେଇ ପଠେଇବେ। ମୋଟା ଫ୍ରେମ୍ ଚଷମା ଭିତରୁ, ତାଙ୍କର ତାତ୍ସଲ୍ୟ ଭରା ଚାହାଣୀ, ସ୍କୁଲ ଇନ୍ସପେକ୍ଟର ଠୁ ବଳି।

ମୁହଁକୁ ବିକୃତ କରି ପାନ ଛେପ ଢୋକୁ, ଢ଼ୋକୁ କହିବସିବେ - " ତମେ ପରା ପ୍ରୋବେସନ ରେ ଅଛ। କାମ ସାଙ୍ଗରେ ସମୟ ଜ୍ଞାନ ବି ଜରୁରୀ। ମୁଁ ସିନା ରିପୋର୍ଟ କରିବିନି, ହେଲେ ମ୍ୟାନେଜର ସାର୍ ଯଦି କେବେ ରାଉଣ୍ଡ ରେ ଆସନ୍ତି, ତାହାଲେ ଅବସ୍ଥା ଅସମ୍ଭାଳ ହେଇଯିବ କହିରଖୁଚି। ଯିବା ଆସିବା ରେ ଯଦି ବେଶୀ ଅସୁବିଧା ହଉଛି, ମତେ କହୁନ! ଏଇ ପାଖାପାଖି ଘରଖଣ୍ଡେ ଦେଖି ଦିଅନ୍ତି। ଯେତେ ହେଲେ ଝିଅ ଦେପିଲା, ପୁଣି ବାପ ଛେଉଣ୍ଡ, ତୁମ ସୁଖଦୁଃଖ କଥା ନ ବୁଝିଲେ ଭଗବାନ ଙ୍କ ପାଖେ ଦ୍ରୋହି଼ ହେଇଯିବି। କଣ ବୁଝୁଛ ନା ନାଇଁ?"

ମୁଣ୍ଡ ଟି ଟୁଙ୍ଗାରି ସବୁ ବୁଝିଲା ଭଳିଆ ଅଭିନୟ କରେ ସୋମା।

ବଡ଼ବାବୁ ଗଦଗଦ ହେଇଯାଆନ୍ତି। ଇତି ମଧ୍ୟରେ ପାନ ଛେପ ତାଙ୍କ ପାଟିର ଦୁଇପଟ ଦେଇ ବୋହି ଚାଲିଥାଏ - ସେ ଏକ ଅପୂର୍ବ ଦୃଶ୍ୟ। ତାଙ୍କୁ ହସିବା ଦେଖି କିଛି ଦେଖଣାହାରୀ ଜମା ହେଇଯାଆନ୍ତି। ତନ୍ମଧ୍ୟରୁ କାହାର ଇଙ୍ଗିତ ଭରା ଚାହାଣୀ ତ କାହାର କୁଟିଳ ହସ ର ଶରବ୍ୟ ହୁଏ ସିଏ।

ବଡବାବୁଙ୍କ ପାଖରୁ ମେଲାଣି ନେଲା ଉତ୍ତାରୁ ସେକ୍ସନ ଅଫିସର୍ ଙ୍କ ପାଖେ ପହଣ୍ଡି ନିଧାର୍ଯ୍ୟ।

ସାର୍ କିନ୍ତୁ ବେଶ୍ ଭଦ୍ର ଆଉ ମାର୍ଜିତ। ଡେରି ପାଇଁ ତେଢ଼ା ଆଖିରେ ଟିକେ ଅନାନ୍ତି, ତାଙ୍କ ପାଟିରୁ କିଛି ବି ଅକଥା ସ୍ଫୁରେନି।କିନ୍ତୁ ପ୍ରାୟଶ୍ଚିତ ବାବଦ ରେ ଗୋଟେ ଦୁଈଟା ଅଧିକ ଫାଇଲ୍ ଚଷିବାକୁ ଦିଅନ୍ତି। ବକେୟା ଅସୁଲ କରିବାରେ ବେଶ୍ ନିପୁଣ।

କାମ ଠିକ୍ ଠାକ୍ କରିଦେଲେ ସାର୍ ଖୁବ୍ ପ୍ରସନ୍ନ ହେଇଯାଆନ୍ତି।

ମତେ ତାଙ୍କ ବ୍ୟବହାର ବେଶ୍ ଭଲଲାଗେ। 

ହେଲେ, ରୀତି ଦିଦି କହୁଥିଲେ ସାର୍ କାଳେ ଭାରି ବଦ୍ ରାଗୀ ଆଉ ଚିଡିଚିଡା ସ୍ଵଭାବ ର। ଦିନେ ତାଙ୍କ ପିଅନ ଉପରେ ଖୁବ୍ ଜୋରରେ ରାଗିଗଲେ ଆଉ ଟେବୁଲ୍ ଉପରେ ଥିବା କାଚ ପେପରୱେଟ ଟା ଉଠେଇକି ତା ଆଡକୁ ଫିଙ୍ଗିଲେ। ହରିଆ କକାଙ୍କର ଭାଗ୍ୟ ତେଜ ଥିଲା ଜାଣ, କାଚ ବାଟୁଳି ଟା ଲକ୍ଷ୍ୟ ଭେଦ କରିପାରିଲା ନାହିଁ, ସିଏ ରକ୍ଷା ପାଇଗଲେ। ଉଲ୍କା ବେଗରେ ଯାଇଥିବା ପେପରୱେଟ୍ ଟି କାନ୍ଥରେ ବାଜିବା ଦ୍ଵାରା କିଛି ଚୂନ, ସିମେଣ୍ଟ ଆଉ ପଲସ୍ତରା ଖସିଗଲା। ଅତୀତ ର 

ମୂକସାକ୍ଷୀ ସ୍ୱରୂପ ଆଜିବି ଭଙ୍ଗା କାନ୍ଥ ବିଦ୍ୟମାନ। ଘଟଣା କୁ ଦୁଇବର୍ଷ ପୁରିବାକୁ ଆସିଲାଣି, ହେଲେ ଖଣ୍ଡିଆ କାନ୍ଥ ର ମରାମତି ଏଯାକେ ହେଇନି।

ରୀତି ଦିଦିଙ୍କ କହିବା କଥା - ସାର୍ ଜାଣିଶୁଣି କରଉ ନାହାନ୍ତି।

ଏଇ ଭଳିଆ ଗୋଟେ ଉଦାହରଣ ରହିଲେ, ସମସ୍ତେ କାଳେ 

ଶୃଙ୍ଖଳା ର ପରିସର ଭିତରେ ରହିବେ।

 ସେଇଦିନ ପାଖରୁ ହରିଆ କକା ଅଲଗା ଡିପାର୍ଟମେଣ୍ଟ ରେ କାମ କରନ୍ତି, ସାର୍ ଙ୍କ ଆଗକୁ ଭୁଲରେ ବି ଆସନ୍ତି ନାହିଁ। ତାଙ୍କ କାମରେ ବି ଅନେକ ସୁଧାର ଆସିଛି ଆଉ ଆଗ ଭଳିଆ ଲମ୍ବା ଲମ୍ବା ଫୋନ୍ କଲ୍ ରେ ବ୍ୟସ୍ତ ନ ରହି, ଫାଇଲ୍ ସବୁ ଠିକ୍ ରେ ନିଆ ଅଣା କରନ୍ତି।

ରମେଶ୍ ସାର୍ -ମାନେ ଆମ ସେକ୍ସନ ଅଫିସର୍, ଲୋକ ହିସାବରେ ଭଲ ଆଉ ମାର୍ଜିତ। ହେଲେ , ଅଫିସ୍ କାମ କୁ ଛାଡ଼ିଦେଲେ ଆଉ କିଛି ଜିନିଷ ପାଇଁ ନା ତାଙ୍କର ଆଗ୍ରହ ଅଛି ନା ସମୟ ଦିଅନ୍ତି। ତାଙ୍କ ପାଇଁ ପରିବାର, ସାଙ୍ଗସାଥୀ, ସାଇ ପଡ଼ିଶା ସବୁ ଏଇ କାମ। ଗୋଟେ ଫାଇଲ୍ କାମ କରି ବୋର୍ ହେଇଗଲେ , ଅନ୍ୟ ଏକ ଫାଇଲ୍ ମଗେଇ ପଠାନ୍ତି। କାମ ହିଁ ତାଙ୍କ ଜୀବନ ର ଉତ୍ସାହ, ପୁଲକ, ଭଲପାଇବା ଏବଂ ସୁଖ ଦୁଃଖ ର ସାଥୀ।ବିବାହ ବନ୍ଧନ ରେ ବାନ୍ଧି ହେଇଥିଲେ ଶ୍ରୀମାନ ପ୍ରାୟ ଦୁଇବର୍ଷ ତଳେ। ହେଲେ ବୈବାହିକ ଜୀବନ ଅସଫଳ ରହିଥିଲା। ସ୍ତ୍ରୀ ତ ରକ୍ତମାଂସ ର ଶରୀର ଟିଏ, କେ

ତେଦିନ ଆଉ ଉପେକ୍ଷା ବରଦାସ୍ତ୍ କରିପାରିଥାନ୍ତା? ଡାଇଭର୍ସ ପ୍ରଶେସ ପ୍ରାୟ ଶେଷ ପର୍ଯ୍ୟାୟ ରେ। ଶୁଣାଯାଏ , ଲିଟି ମାଡ଼ମଙ୍କର ପୁନର୍ବିବାହ ଖୁବ୍ ଶିଘ୍ର ହେବାକୁ ଯାଉଛି। ସାର୍ ଙ୍କର ଆଉଥରେ ବନ୍ଧନ ରେ ବାନ୍ଧିହେବା ଟା ଅସମ୍ଭବ ଏଇଥିପାଇଁ - କାମ କୁ ଛାଡ଼ିଦେଲେ ତାଙ୍କର ଆଉ କୌଣସି କଥା ପ୍ରତି ନା ଆଗ୍ରହ, ଉତ୍କଣ୍ଠା , ସ୍ପ୍ରୁହା ନା ଅଭିପ୍ସା। ଏକ ଭିନ୍ନସ୍ଵାଦ ର ମଣିଷ ଜଣେ।


ଲିଟି ମାଡ଼ମ ଗଲାପରେ ସାର୍ ଅଫିସ୍ ରେ ଲମ୍ବା ଟାଇମ୍ 

ବିତାନ୍ତି । ଅଫିସ ଟାଇମ୍ ସରିଗଲା ପରେ ବି ଢେର ସମୟ ପର୍ଯ୍ୟନ୍ତ ଫାଇଲ୍ କାମ କରନ୍ତି।ବାହାରେ ପହରା ଦେଉଥିବା ଦର୍ୱାନ ବସି ବସି ଅତିଷ୍ଠ ହେଇଯାଏ। ଷ୍ଟକ୍ ଥିବା ପାନ, ଖଇନି ସବୁ ସରିଯାଏ। ମଶା ବାଡୋଉ , ବାଡୋଉ ଦିଅଁ ଦେବତା ଙ୍କୁ ସ୍ମରଣ କରେ - " ହେ ପ୍ରଭୁ! ସାରଙ୍କର ବଦଳି ହେଲେ ନୂଆଲୁଗା ଆଉ ନଡିଆ ଭୋଗ କରିବି। ମୋ ଗୁହାରି ଶୁଣିବା ହୁଅ।"


ମ୍ୟାନେଜର ସାର୍ କଦବା କ୍ଵଚିତ ଅଫିସ୍ ଆସନ୍ତି। ତାଙ୍କ ଅଧୀନ ରେ ଚାରି ପାଞ୍ଚ ଟି ସବଡିଭିଜନ୍। ତାଙ୍କ ବୟସ ବେଶୀ ନୁହେଁ - ପ୍ରାୟ ଚାଳିଶ ରୁ ପଇଁଚାଳିଶ ଭିତରେ ହବ। ଦାମୀ ସୁଟ ଆଉ ପଲିସ୍ କରା ଜୋତା ତାଙ୍କ ସୁନ୍ଦର ଚେହେରା କୁ ବେଶ୍ ମନାଏ।ତାଙ୍କ ଜୋତା ମଚ୍ ମଚ୍ ଶବ୍ଦ ଶୁଣିଲେ ସମସ୍ତଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୁଏ।ହେଲେ ସୋମା ମନରେ ତିଳେ ହେଲେ ଭୟ ଭାବ ଜାଗ୍ରତ ହୁଏନି। ବରଂ, ସାରଙ୍କର କର୍ତବ୍ୟନିଷ୍ଠା ଆଉ ନିରପେକ୍ଷ ବିଚାରଧାରା ର ଜଣେ ବଡ଼ ପ୍ରଶଂସକ ସିଏ। ବଡ ବଡ ପ୍ରୋଜେକ୍ଟ କାମ ସବୁ ଅନାୟାସ ରେ ସମ୍ପାଦନ କରନ୍ତି। କେବେ ବିରକ୍ତି ଭାବ ପ୍ରକାଶ କରନ୍ତି ନାହିଁ।


ରୁଟିନ୍ ଚେକିଂ ରେ ସୋମା ଥରେ ଧରା ପଡ଼ିଥିଲା - ଏଇ ଡି.ଏମ୍ .ୟୁ ଲାଗି। ଘଟଣା ଟିକୁ ବେଶୀ ଦିନ ହେଇନି। ପ୍ରାୟ ପନ୍ଦର ଦିନ ତଳର କଥା। ଅଫିସ୍ ଟାଇମ୍ ରୁ ଅଧଘଣ୍ଟା ଲେଟ ରେ ପହଞ୍ଚିଥିଲା। ସାର୍ ଙ୍କୁ ଗେଟ୍ ପାଖରେ ଦେଖି ଦେହ ତାର 

ବରଡା ପତ୍ର ଭଳି ଥରିଲାଣି ସେତେବେଳକୁ।ହାତଯୋଡି ନମସ୍କାର ଟିଏ ପକେଇଲା। ସାର୍ ହସି ହସି ଡେରି ହେବାର କାରଣ ପଚାରିଲେ।ଥର ଥର ଗଳାରେ ଛେପଢ଼ୋକି କହିଲା ," ଲେଟ, ଷ୍ଟେସନ, ଡି ମ୍ ୟୁ"। ତାର ଥଙ୍ଗେଇ ଥଙ୍ଗେଇ କହିବା ଭିତରେ ସାର୍ ଅନୁମାନ କରିସାରିଥିଲେ ଟ୍ରେନ୍ ଲେଟ୍ ହବା କଥା। ସାମାନ୍ୟ ତାଗିଦା ବି ମିଳିଲା । ମିଳିବା କଥା ମଧ୍ୟ।

ତାର ଅନୁତପ୍ତ ଭରା ଚେହେରା ଦେଖି ବୋଧେ ସାର୍ ଙ୍କର 

ଅନୁକମ୍ପା ଜାଗ୍ରତ ହେଲା - କେବଳ ଏତିକି କହିଲେ" ଟ୍ରାଏ ଟୁ ବି ଇନ୍ ଟାଇମ୍, ୟୁ ଆର୍ ସୋ ୟଙ୍ଗ, ୟୁ କାନ୍ ଡୁ ୱଣ୍ଡର୍ସ।"

" ୟେସ୍ ସାର୍" କହି ସୋମା ଅଫିସ ଭିତରକୁ ପଶିଲା। 

ସନ୍ଧ୍ୟା ରେ ଘରେ ପହଁଚିଲା ପରେ ବୋଉ କୁ ସମସ୍ତ କଥା କହିଲା। 

" ବୁଝିଲୁ ବୋଉ, DMU ଟା ଆଜି ବଡ ଦଗା ଦେଲା। ମୋର କେତେ ଜେରା ହେଲା। ଭାରି ଲାଜ ଲାଗିଲା। ଆଗରୁ କେତେ ଥର ଡେରି ହେଇଚି, ହେଲେ କେବେ ମ୍ୟାନେଜର ସାର୍ ଙ୍କର ହାବୁଡ ରେ ପଡ଼ିନଥିଲି । ସବୁଦିନ ଯିବା ଆସିବା କରିକି ବୋର୍ ହେଇ ଗଲିଣି। ବଡ଼ ବାବୁ କହୁଥିଲେ ଅଫିସ୍ ପାଖରେ ଘର ବୁଝିଦେବେ। କ'ଣ କହୁଚୁ?"

" କି କଥା କହୁଚୁ କିଲୋ? ସନା ପରା ଏଠି ପାଠ ପଢୁଛି। ଅଧା ବର୍ଷ ରେ ପୁଣି ଗୋଟେ ନୂଆ ସ୍କୁଲ ରେ ନାଁ ଲେଖେଇବ? ମୁଁ ଏ ବୟସ ରେ ଭିଟାମାଟି ଛାଡ଼ି ଭଡ଼ାଘରେ ଦିନ କାଟିବି? ଏଠି ସାଇ ପଡିଶା ଲୋକମାନେ ହାନି ଲାଭ କଥା ବୁଝନ୍ତି। ଗୋଟେ ପରିବାର ଭଳିଆ ଚଳୁଚୁ ଆମେ। ସେଠି ମୁଁ କାହାକୁ ଚିହ୍ନିଚି କହିଲୁ? ତୁ ଅଫିସ ଆଉ ସନା ସ୍କୁଲ ଗଲା ପରେ କଣ କରିବି? 

ଘର ପାଇଟି ସରିଲା ପରେ ପାଟିରେ କୋଲପ ଦେଇ ବସିବି ତ? ହଉ, ତୁ ଏବେ ଘର ର ରୋଜଗାରିଆ ମଣିଷ, ଯେମିତି କହିବୁ ସେମିତି ହବ।"

ଏତକ କଥା କହି ସାରିଲା ବେଳକୁ ତା ଆଖିରେ ଆଖିଏ ଲୁହ।

ସୁନି ର ବି କୋହ ଆଉ ଲୁହ ନିଭୃତ କୋଠରୀ ରୁ ବାହାରି ନିଜ ନିଜ ପଥରେ ଅଗ୍ରସର ହେଲେଣି।ବୋଉ କୁ କୁଣ୍ଢେଇ ଧରି କହିଲା" ଆଲୋ , ମିଛରେ କହୁଥିଲି। ତୁ ସତ ବୋଲି ଭାବିଲୁ କି? କାନ ମୋଡ଼ି ହଉଚି, ଆଉ ଦିନେ ହେଲେ ଥଟ୍ଟା ପରିହାସ ହେବିନି କି ମିଛ କଥା କହିବିନି। ଅଫିସ୍ ରେ ସବୁଦିନ ତ ଡେରିରେ ପହଞ୍ଚୁ ନି , କେବେ କେବେ ଲେଟ୍ ହଉଚି। 

ଯେଉଁଦିନ ହବ, ସେଦିନ ଦେଖାଯିବ। ହେଇ ହେଇ କ'ଣ ହବ?

ବଡ଼ବାବୁ ଆଖି ଦେଖେଇବେ, ସେକ୍ସନ ଅଫିସର୍ ସାର୍ ଦିଇଟା ଅଧିକା ଫାଇଲ୍ ଦେବେ ଚଷିବା ପାଇଁ। ତାତ୍ସଲ୍ୟ ଭରା ଚାହାଣୀ କୁ ଦେଖି ଅଣଦେଖା କରିଦେବି। ଆଉ ଯଦି ମ୍ୟାନେଜର ସାର୍ ଙ୍କର ହାବୁଡ଼ ରେ ପଡ଼ିଲି ତା ହେଲେ କ୍ଷମା ମାଗିନେବି। କହିବି " ଦିସ୍ ୱିଲ୍ ନଟ୍ ବି ରିପିଟେଡ ସାର୍। ଆଇ ଆମ୍ ଭେରି ସରି।"



Rate this content
Log in