ହାୟ ରେ ମନ !
ହାୟ ରେ ମନ !
କମଳିନୀ ଝରକା ପାଖରେ ବସି ବାହାରକୁ ଚାହିଁ ରହିଥାନ୍ତି lଏଇଟା ତାଙ୍କର ଏକରକମ ରୁଟିନ କହିଲେ ଚଳେlପିଲାମାନଙ୍କର ଆସିବା ବାଟକୁ ଅନିଶା କରିବା, ସେମାନଙ୍କୁ ଗେଟ ପାଖରେ ଦେଖିଲେ ଖାଇବା ଜିନିଷ ଗରମ କରି ଡାଇନିଂ ଟେବୁଲ ଉପରେ ରଖିବା, ପିଠିରେ ହାତ ବୁଲେଇ ବଳେଇ ବଳେଇ ଖୁଆଇବା -ଏସବୁ ପରମ ତୃପ୍ତି ଦିଏ ତାଙ୍କୁ lଏଇଟା ବୋଧେ ସବୁ ମା' ମାନଙ୍କର ଅତି ପସନ୍ଦ ର କାମ lପୁଅ ରୋହନ ଓ ଝିଅ ରିତା ଇଂଗ୍ରାଜୀ ମିଡିଅମ ସ୍କୁଲରେ ପଢ଼ନ୍ତି lସବୁଦିନ ସ୍କୁଲ ଡ୍ରେସ ସଫା ତଥା କଡ଼ାଇସ୍ତ୍ରୀ ଦରକାର l
ଜୋତା,ମୋଜା ଚକ ଚକ ନହେଲେ ପିଲେ ଘରୁ ବାହାରିବାକୁ ନାରାଜ lଟିଫିନ କଥା ଛାଡ !
ସାଧାରଣ ଚୁଡା,ମୁଢି ଆଉ ରୁଟି -ମାନେ ଦେଶୀ ଜଳଖିଆ ସବୁ ନାପସନ୍ଦ ଚାଉମିନ,ଆଳୁପରଟା,ପୁରୀ ଆଦି ସୁସ୍ୱାଦୁ ଖାଦ୍ୟ ସବୁଦିନ ଦରକାର lସୀମିତ ଆୟରେ ମାପିଚୁପି ଟାଣିଟୁଣି ହେଇକି ଚଳିବାକୁ ହୁଏ lସ୍ୱାମୀ ହରିଶଙ୍କର ସରକାରୀ ଚାକିରିଆ l
ସିନିଅର କ୍ଲର୍କ ରୂପେ ଅବସ୍ଥାପିତ lଏଯାଏଁ ହେଡ଼ କ୍ଲର୍କ କୁର୍ସୀ ମିଳିପାରିନି lସାଇପଡିଶା ହାଏ ହାଏ କରନ୍ତି ...କହନ୍ତି "ଏପରି ନିପୁଣ ଆଉ ପାରଙ୍ଗମ ଲୋକ ଯଦି ପ୍ରମୋସନ ନ ପାଆନ୍ତି, ତେବେ ଚୟନ ପ୍ରକ୍ରିୟା ରେ ବହୁଳ ମାତ୍ରା ରେ ତ୍ରୁଟି ରହିଯାଉଛି ନିଶ୍ଚୟ l "ଏକଥାଟି କମଳିନୀ ମର୍ମେ ମର୍ମେ ଅନୁଭବ କରିଛନ୍ତି ହେଲେ, କେବେ ବି ପ୍ରତିବାଦ କରିନାହାନ୍ତି lହରିଶଙ୍କର ଙ୍କୁ ନେଇ ସିଏ ଗର୍ବିତ କାରଣ -ଲୋଭ,ଘୁସ, ତୋଷାମଦି ଆଉ ପାଣିରେ ସର ପକେଇକି କଥା କହିବା- ଏସବୁ ରୁ ସେ ବହୁତ ଦୂରରେ lମାସ ଶେଷ ରେ ଖାଲି ଦରମା ଗଣ୍ଡାକ ଧରି ଆସନ୍ତି lଫୁଲ ମାଉସୀ ସେଦିନ ପଚାରୁଥିଲେ-"ଆଲୋ କମଳୀ ! ଭୁବନେଶ୍ୱର ଭଳିଆ ମହଙ୍ଗା ଜାଗାରେ, କିମିତି ଚଳୁଛ ଏତିକି ପଇସା ରେ? ଜୋଇଁ ଙ୍କୁ କହୁନୁ କିଛି ଉପୁରି କମେଇବେ l ଅଧିକ ଦି ପଇସା ଆସିଲେ ପିଲାଙ୍କ ପାଇଁ କିଛି ସଞ୍ଚି ପାରିବନିଜର ନହେଲେ, ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କର ଆଜିଠୁଁ ଟିକେ l""ନାଇଁ ମାଉସୀ! ଏମିତି କଥା ଜମାରୁ କହନି, ଇଏ ଶୁଣିଲେ ମନକଷ୍ଟ କରିବେ lକଲ୍ୟାଣ କର ପିଲେ କୂଳରେ ଲାଗିଯାନ୍ତୁ lବାପା ଆମର କହୁଥିଲେ -ଟଙ୍କା ରଖିବା କାହାପାଇଁ ? ପିଲେ ଯଦି ମଣିଷ ହେଲେ ଆମ ରଖିବା ପଇସା ଖୋଜିବେନି ,ଆଉ ଅମଣିଷ ହେଲେ ସବୁ ଉଡେଇ ଦେବେ, କିଛି ରଖିବେନି l ନିଚ୍ଛକ ସତକଥା ଟିଏ କହିଥିଲେ lହଁ, କଷ୍ଟେମଷ୍ଟେ ଚଳି ଯାଉଛୁ ,କାହାପାଖରେ ହାତ ପତେଇବାକୁ ପଡିନି ଏ ଯାବତ !"ଅନ୍ୟମାନଙ୍କ ଭଳିଆ ଆଖିଦୁରୁଷିଆ ଗାଡି ନାହିଁ ପାଖରେ lବିଗତ ପନ୍ଦରବର୍ଷ ର ସାଥି ସେଇ ବଜାଜ
ସ୍କୁଟରଟିଯୌତୁକ ଆକାରରେ ବାପା ଦେଇଥିଲେ l
ଶଶୁରଘରୁ କିଛି ଡିମାଣ୍ଡ ଯଦିଓ ନଥିଲା l
କୁଆଡେ ଗଲେ ଆମେ ଚାରିଜଣ ଲଦାଲଦି ହେଇ ବସୁ l
ଚଳେଇବାରେ ଅସୁବିଧା ତାଙ୍କୁ ହେଉଥିବା ନିଶ୍ଚୟ l
କିନ୍ତୁ କିଛି କେବେବି କୁହନ୍ତି ନାହିଁ ଅବା ବିରକ୍ତି ଭାବ ପ୍ରକାଶ କରନ୍ତି ନାହିଁ lକହିବେ ବା କ'ଣ? ନୂଆଗାଡି କିଣିବାର ସାମର୍ଥ୍ୟ ବା ଅନ୍ୟ କୌଣସି ଉପାୟ ଯେ ନଥାଏ!
ଆଜି ନିରାମିଷ ବାରି l
ମଙ୍ଗଳବାର,ଶନିବାର ଆଉ ଗୁରୁବାର ରେ ଘରେ ଆମିଷ ପଶେନି lବଡ଼ବହୂ ହିସାବରେ ଶାଶୁଙ୍କ ତାଗିଦା ଅକ୍ଷରେ ଅକ୍ଷରେ ପାଳନ କରନ୍ତି କମଳିନୀ lପିଲାମାନେ ବେଶୀ ଅଝଟ ହେଲେ ଅଣ୍ଡା ଅମେଲେଟ କରିଦିଅନ୍ତି, କିନ୍ତୁ ତା ପୂର୍ବରୁ ଦୋଷ ତ୍ରୁଟି ଲାଗି ଠାକୁରଙ୍କ ଠାରୁ ହାତଯୋଡ଼ି କ୍ଷମା ପ୍ରାର୍ଥନା କରିନିଅନ୍ତି lପିଲାଙ୍କ ପସନ୍ଦର ଛଣାଛଣି ପାଇଁ ଆଜିର ପ୍ରସ୍ତୁତି ପର୍ବ ସରିଯାଇଛି l
ଖାଲି ପିଲେ ଆସିଗଲେ ଚୁଲି ରେ କଡେଇ ବସିବା କଥାଟା ବାକି lସେମାନଙ୍କ ତୁଣ୍ଡ ରେ ଗଣ୍ଡେ ଆହାର ଦେଲା ପରେ ଯାଇ ଯେଉଁ କଥା l
ସନ୍ଧ୍ୟା ଦେବା,ତୁଳସୀ ଚଉରା ମୂଳେ ଦୀପଟିଏ ଜାଳି ସ୍ୱାମୀ ଆଉ ପିଲାଙ୍କର ସୁଖଶାନ୍ତି ତଥା ଦୀର୍ଘାୟୁ ହେବାର ପ୍ରାର୍ଥନା କରିବା ଇତ୍ୟାଦି ସବୁଦିନିଆ ରୁଟିନ lସନ୍ଧ୍ୟା ସାତଟା ଆରପାରି ଘରକୁ ଫେରନ୍ତି ହରିଶଙ୍କର lଖଣ୍ଡେ ଦୂରରୁ ସ୍କୁଟର ଶବ୍ଦ ବାରି ଚଟାପଟ କବାଟ ଖୋଲିଦିଅନ୍ତି କମଳିନୀ lଚା' ଜଳଖିଆ ପରଶି ଦିଅନ୍ତି l
ସେଇଥିରେ ସ୍ୱାମୀଙ୍କର ଥକାପଣ ମେଣ୍ଟିଯାଏ ଆଉ ମୁଚୁକୁନ୍ଦି ହସ ଚେନାଏ ଝରିପଡ଼େ ବହଳ ନିଶ ଉପରେ lକି ଆତ୍ମତୃପ୍ତି !
ଜୀବନରେ ଆଉ କ'ଣ ଦରକାର ?
ହାତଯୋଡ଼ି କାଳିଆ ଠାକୁରଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କରନ୍ତି କମଳିନୀ lରନ୍ଧାବଢ଼ା ଶେଷ ହେଲାବେଳକୁ ରାତି ଦଶଟା lଏକାସାଙ୍ଗରେ ଖାଇବସନ୍ତି ସମସ୍ତେ lଟିଭି ରେ ସିରିଏଲ ଚାଲୁ ହେଇଯାଏ l
କେବଳ ଦୂରଦର୍ଶନ.ପଇସାଦିଆ ଚାନେଲ ନୁହେଁ l
ହେଲେ କଣହେଲା,ଆଜିକାଲି ଦୂରଦର୍ଶନ ରେ ବେଶ ଭଲ ଭଲ ପ୍ରୋଗ୍ରାମ ପ୍ରସାରିତ ହଉଚି l
ତେଣୁ ରାତ୍ରିଭୋଜନ ସମୟ ଟି ବେଶ ନିଆରା -ପରିବାର ର ସମସ୍ତେ ଏକାଠି ବସିବା ଆଉ ଖାଇବା ଆଜିକାଦିନରେ କୌଣସି ପର୍ବ ରୁ କମ ନୁହେଁ lହଁ, ପଇସାଦିଆ ଚାନେଲ ମାନଙ୍କରେ ଅଧିକ ରସାଳ ଆଉ ରୋଚକ ଜିନିଷ ଦେଖିବାପାଇଁ ମିଳେ lନ ଦେଖିବାଟା ଖର୍ଚ୍ଚକାଟ ତଥା ପିଲାମାନଙ୍କର ପଢାପଢିରେ ବ୍ୟାଘାତ ନ ହେଵା-ଦୁଇଆଡକୁ ଲାଭଦାୟକ lଝିଅ ରିତା ସପ୍ତମ ଶ୍ରେଣୀ ର ଛାତ୍ରୀ lଖୁବ ପରିଶ୍ରମୀ ଆଉ ମେଧାବୀ l
ଆଜି ପର୍ଯ୍ୟନ୍ତ ସବୁ କ୍ଲାସ ରେ ଫାଷ୍ଟ ହେଇ ଆସିଛି lସ୍କୁଲରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କର ଖୁବ ପ୍ରିୟ ଛାତ୍ରୀ lହରିଶଙ୍କର ଙ୍କର ଇଚ୍ଛା, ବଡହେଇ ସିଏ ଆଇ.ଆଇ.ଟି ରୁ ଇଞ୍ଜିନିଅରିଂ କରୁ ଆଉ ବେଶ ସୁନାମ କମାଉ lରିତା ବି ଏକାଗ୍ରଚିତ୍ତ ରେ ବାପାଙ୍କର ଲକ୍ଷ ଓ ଆଶା ପୂରଣ କରିବା ଲାଗି ପ୍ରତିବଦ୍ଧ lରୋହନ ଉପରେ ହରିଶଙ୍କର ସବୁବେଳେ ଅସନ୍ତୁଷ୍ଟ ,କାରଣ ପାଠ ଅପେକ୍ଷା ସାଠରେ ଆଗ୍ରହ ଅଧିକ ତାର lତାକୁ କଵଲେଇଲେ କହେ "ବାପା ! ତମେ କଣ ଜାଣିଛ ? ଆଜିକାଲି ପାଠ ଅପେକ୍ଷା ସାଠରେ ଅଧିକ ପଇସା lଦେଖୁନ ଖେଳାଳି ମାନେ କେତେ, କେତେ ସମ୍ପତି ର ମାଲିକ!"କଥାଟା ଜମାରୁ ମନକୁ ପାଏନି ହରିଶଙ୍କର ଙ୍କର lତାଙ୍କର ମନେପଡିଯାଏ ଗାଁ ଦାଣ୍ଡ ରେ ଖେଳାଯାଉଥିବା ପିଲାଦିନ ର କବାଡି ଆଉ ଡୁଡୁ ଖେଳ lଗାଁ ସାଙ୍ଗ ମାନଙ୍କ ଭିତରୁ କେବଳ ଜଣେ ଏଠି ସେକ୍ରେଟେରିଏଟ ରେ ବଡ଼ବାବୁ ଅଛନ୍ତି ବାକି ଯେତକ ପାଠ ନ ପଢି ବାଳୁଙ୍ଗା ହେଇ ବୁଲୁଥିଲେ, ଅଗତ୍ୟା ଚାଷବାସ କରୁଛନ୍ତି l
ପୁଅ ଆଉ ବାଳୁତ ହେଇକି ନାହିଁ,ତେଣୁ ତା ସାଙ୍ଗରେ ଅଧିକ ଯୁକ୍ତି କରିବାଟା ପସନ୍ଦ କରନ୍ତିନି l
ଆଜିକାଲିକା ପିଲା -ମୁହଁରେ ଉତ୍ତର ଦେବା ରେ ମାହିର, କଥାକଥାକେ ଧମକ ଚମକ ଦେବା ଆଉ ନିଆରା ନୁହେଁ lନିଜର ଇଜ୍ଜତ ମହତ କୁ ବଂଚେଇ ରଖିବାକୁ ହବ କୌଣସି ପ୍ରକାରେ, ନାହଁ ତ ପୁଣି 'କୂପମଂଡୁକ' ଆଖ୍ୟା ଅତି ସହଜରେ ମିଳିଯିବ l
ତାଙ୍କ ମତରେ -ଆମମାନଙ୍କ ଭଳି ନିମ୍ନ ମଧ୍ୟବିତ୍ତ ପରିବାର ର ପାଠ ଟି ଏକମାତ୍ର ସାହା ଭରସା l
ହେଲେ ପିଲେ ବୁଝିବାକୁ ନାରାଜ l କାନ୍ଥଘଣ୍ଟା ଆଡେ ଚାହିଁଲେ କମଳିନୀ ...ସାଢେ ଚାରିଟା ବାଜିଛି ,ହେଲେ ଶୀତଦିନ ବେଳ ଧାଇଁ ଧାଇଁ ପଳେଇଯିବ ଏଇନେ lକିନ୍ତୁ,ସବୁ କାମ ତ ସରିଯାଇଛି lଏକୁଟିଆ ବସି ବସି ଭାରି ବୋର ବି ଲାଗିଲାଣି lକେତେ ଆଉ ଝରକା ବାଟେ ପିଚୁ ରାସ୍ତା ଟାକୁ ଅନେଇବେ?
ପଡିଶା ଘର ଆଡେ ଟିକେ ମୁଂହ ମାରିଆସିଲେ ହୁଅନ୍ତା ଏଇଆ ଚିନ୍ତା କରି ଦାଣ୍ଡ ଦୁଆର ପର୍ଯ୍ୟନ୍ତ ଆସିଲେ lଅଧଘଣ୍ଟା ସମୟ ଭିତରେ କାହା ଘରକୁ ଯାଇହବ!ଆଚାର୍ଯ୍ୟ ବାବୁଙ୍କର ଏଲଟିସି ରେ ଦିଲ୍ଲୀ ବୁଲିଯାଇଛନ୍ତି lସରକାର ବାବୁଙ୍କର ସ୍ତ୍ରୀ ଚିନ୍ମୟୀ ଫୁଲେଇଟିଏ lପାଟି ଲଗେଇ କଥା କହିବ,ଘରେ ବି ଫୁଲ ମେକଅପ ରେ ଥାଏ ଶାଢ଼ୀ କୁଂଚ ବି ଟିକେ ଏପଟ ସେପଟ ହୁଏନି ,କେମିତି ମେଣ୍ଟେନ କରେ କେଜାଣି ?ପରିଜା ବାବୁ ସ୍ତ୍ରୀ ଟି ଭଲମଣିଷ l
ଲୋଟଣିପାରା ଟିଏ ଭଳି ଖଟୁଥାଏ, ହେଲେ ହସ କାଣିଚାଏ ମୁହଁ ରେ ସବୁବେଳେ ଲାଗିରହିଥାଏ l
ଗପସପ କରିବାକୁ ଆଗ୍ରହ ଥିଲେ ବି ତା ପାଖେ ସମୟର ଖୁବ ଅଭାବ lଯୌଥ ପରିବାରର ବଡବୋହୁ, ବହୁତ ଦାଇତ୍ୱ ତା ଉପରେ l
ଆଉ ସେଇ କମଳା -ପତି ବାବୁଙ୍କ ସ୍ତ୍ରୀ -
ଭାରି ଚୁଗୁଲୀଖୋର lଘଣ୍ଟେ କଥା ହେଲେ ତା ସାଙ୍ଗରେ -ମୁଣ୍ଡ ବିନ୍ଧିବ lସବୁ କଥାକୁ ତା ନଜର -
କିଏ କାହାଘରକୁ ଆସିଲା,ଗଲା...
କାହା ଝିଅ କଣ ପିନ୍ଧିଲା, କାହାବୋହୂ ମୁଣ୍ଡରେ ଓଢଣା ଦେଲାନି କୋଉଠି ଠିଆ ହେଇ କାହା ସଂଗେ ଗପିଲା -ଇତ୍ୟାଦି ଇତ୍ୟାଦି
ବୟସ ବଢିବା ସଙ୍ଗେ ସଙ୍ଗେ ଯେଉଁ ପରିବର୍ତନ ସବୁ ମଣିଷସ୍ଵଭାଵ ରେ ପରିଲକ୍ଷିତ ହବା କଥା,ସେଥିରୁ କାଣିଚାଏ ହେଲେବି ତାଙ୍କ ପାଖରେ ଦେଖିବାକୁ ମିଳେନି lଅକଲ କେବେ ପାକଳ ହେବ ଭଗବାନଙ୍କୁ ହିଁ ଜଣା!ପ୍ରକୃତିସ୍ଥ ହେଲେ କମଳିନୀ-
ଭାବନା ସ୍ରୋତ ରେ ଭାସି ଭାସି କାହିଁ କେଉଁ ଦୂର ରାଇଜ କୁ ଚାଲିଗଲେଣି,କିନ୍ତୁ ସମୟ ତା ବାଟ ରେ ଆଗେଇ ଚାଲିଛି ବର୍ତମାନ ଅତୀତ ଗର୍ଭରେ ସତ୍ତା ଖୋଜିବା ରେ ବ୍ୟସ୍ତ,ପୂର୍ବ କ୍ଷଣ ଟି ପର ହେଇସାରିଲାଣି l
ପାଞ୍ଚଟା ବାଜିଲା ଘଡି ରେ l
ଦାଣ୍ଡ କବାଟରୁ ଶିକୁଳି ଫିଟେଇ କି ଆଜିର ଖବରକାଗଜ ଉପରେ ଆଖିବୁଲେଇଆଣିଲେ l
ଅଭିପ୍ରାୟ ନଥିଲା ଆମୂଳଚୂଳ ପଢିବା -ଉଦ୍ଦେଶ୍ୟ ଟାଇମପାସ lଘଣ୍ଟା ରେ ପାଞ୍ଚଟା ବାଜି କୋଡିଏ ମିନିଟ ବେଳକୁ ଛାତିରେ ଛନକା ପଶିଲା l
କୁଆଡେ ଗଲେ ପିଲେ ?ଏତେ ବେଳକୁ ଆସି ସାରିଥାନ୍ତି lସ୍କୁଲ ବସ ବାଟରେ ଆଉ ଖରାପ ହେଲାକି ?ମନ ଭିତରେ ଯାବତୀୟ ଅହେତୁକ ଭୟ ଉଙ୍କି ମାରିଲା lଆଉ କ'ଣ କୋଉଠି ?ଭୁବନେଶ୍ୱର ରେ ଟ୍ରାଫିକ ଯେମିତି ,କିଛି ଅସମ୍ଭବ ନୁହେଁ lମନେ ମନେ ଜଗନ୍ନାଥଙ୍କୁ ଡାକିଲେ ଆଉ ଢେର ମାନସିକ କରିଗଲେ lହଠାତ ମୁଣ୍ଡକୁ ଜୁଟିଲା ସ୍କୁଲ ଅଫିସ କୁ ଫୋନ କରି ପ୍ରକୃତ ରେ କ'ଣ ହେଇଚି ବୁଝିବାଲାଗି lମୋବାଇଲ ରେ କିନ୍ତୁ ନମ୍ବର ଟା ସେଭ ନାହିଁ lବିକଳ ରେ ପିଲାଙ୍କର ବହିପତ୍ର ଦରାଣ୍ଡିକି ଯା ହେଉ ଫୋନ ନମ୍ବର ଟା ପାଇଗଲେ lପାଞ୍ଚଟା ପରେ ସଂଗେ ସଂଗେ କିଏ ଫୋନ ଧରେ ?ଦୁଇ ତିନି ଥର ଚେଷ୍ଟା ପରେ ପିଅନ ଟି ଫୋନ ଧରିଲା l
'ମାଡାମ, ସ୍କୁଲ ବସ ପିଲାମାନଙ୍କୁ ନେଇ ପରେଡ ଫିଲଡ ଯାଇଛି ପ୍ରାକ୍ଟିସ ସେସନ ପାଇଁ l ପଅରଦିନ ଅଗଷ୍ଟ ପନ୍ଦର ପରା ପିଲାମାନଙ୍କର ଡାଏରୀରେ ତ ଲେଖାହେଇଥିଲା ନୋଟ, ପ୍ୟାରେଣ୍ଟସଙ୍କ ପାଇଁ - ଆପଣ ବୋଧେ ଦେଖିନାହାନ୍ତି !"
ଫୋନ ରଖି ଲଥକିନି ବସିପଡ଼ିଲେ କମଳିନୀ l
" କି ପୋଡା ମନ ମୋର !"
ପିଲେ ତ କହିଥିଲେ ତାଙ୍କୁ ସକାଳେ -କିମିତି ପାଶୋର ହେଇଗଲା ମନରୁ?
ରକ୍ଷା ହେଇଚି ୟାଙ୍କୁ ଫୋନ ଲଗେଇନି,ନହେଲେ ଅବସ୍ଥା ଅସମ୍ଭାଳ ହେଇଥାନ୍ତା l"