ଶୋକ
ଶୋକ
👇
" ଅପା! ଦେଖିଲୁଣି? ମିଶ୍ର ଅଜା ଘର ରଙ୍ଗ ଦିଆ ହେଇକି କିମିତି ଧୋବ ଫରଫର ଦିଶୁଛି। ଦିନ ଦୁଇଟା ଭିତରେ ଘର ର ହୁଲିଆ ବଦଳି ଗଲାଣି। ରାତିଦିନ କାମ ଚାଲିଛି। ଭୂତ କୋଠି ସମାନ ଘର ଆଜି ଚଳ ଚଞ୍ଚଳ। କାହିଁକି ଏ ସବୁ ଆୟୋଜନ କେଜାଣି? ଆଜି ଯାଏ ମଣିଷ ମିଶ୍ର ଅଜାଙ୍କ ପିଲା କି କୌଣସି ବନ୍ଧୁ ବାନ୍ଧବ ଙ୍କୁ ଯିବା ଆସିବା କରିବା ଦେଖିନି। କିଏ କରୁଛି ଆଉ କାହିଁକି ହଉଚି ଏଇ ସବୁ ଆୟୋଜନ, ଭଗବାନଙ୍କୁ ଜଣା!"
" ସୋମୁ, ତୁ ଟା ବାଇଆ ଟା କିରେ? ତୋ ବୟସ କେତେ ହେଲା?"
" ଆଠ ବର୍ଷ।"
" ତାହାଲେ, ତୁ କେମିତି ଜାଣିବୁ କହିଲୁ? "
"ମିଶ୍ର ଅଜା, ଘର ଛାଡିବାର କମସେ କମ୍ ଦଶ କି ବାର ବର୍ଷ ହେଲାଣି। ତାଙ୍କ ସ୍ତ୍ରୀ - ସୀତା ଆଈ ଯିବା ପରେ ଅଜା ଏଠି ଦୁଇ ତିନି ବର୍ଷ ରହିଥିଲେ। ତା' ପରେ ତାଙ୍କ ଝିଅ ଟୁନି ନାନୀ ପାଖେ ଅବଶିଷ୍ଟ ଜୀବନ କଟେଇ ଥିଲେ। ତେଣୁ ତୋର ଏ ବିଷୟରେ ଧାରଣା ନ ଥିବା ଟା ସ୍ଵାଭାବିକ କଥା।"
"ଏଠି ଯେତେଦିନ ଥିଲେ ଚାକର ପୂଜାରୀ ସବୁ ଖଞ୍ଜି ଦେଇଥିଲେ ତାଙ୍କ ପୁଅ, ତାପସ ମାମୁଁ। ନ ଦିଅନ୍ତେ ବା କାହିଁକି! ଅଜସ୍ର ପଇସା ତାଙ୍କର। ସୁଦୂର ଆମେରିକାରେ ଏକ ନାମୀ କମ୍ପାନୀ ରେ ଚାକିରି। ବାହା ବି ହେଇଛନ୍ତି ସେଠିକାର ଝିଅ କୁ। ତାଙ୍କ ନାଁ " ମିଚେଲ୍"। ସିଏ ବି ଖୁବ୍ ବଡ଼ ପଦବୀ ରେ ଅଧିଷ୍ଠିତ। ଆମ ବୋଉ ପାଟିରେ ଏଇ ' ମିଚେଲ' ନାଁ ଟା ପଶେନି। ମିଶିଲି, ମିତିଲି, ମିତଲ ଏମିତି କେତେ ନାଁ କହିବାପରେ ଯାଇକି କହିପାରେ " ମିଚେଲ୍ "। ବାପା କିନ୍ତୁ ସ୍ମାର୍ଟ। ଥରକରେ ଧରିନେଲେ । ବୋଉ କୁ କ'ଣ କମ୍ ଚିଡାନ୍ତି ବାପା! କହିବେ - " ତୁ ଓଲି ଟା, ବୋକି ଟା, ଅପାଠୋଇ ଟା, ଏଇ ସାଧାରଣ ନାଁ ଟେ - ଠିକ୍ କରି କହି ପାରୁନୁ?"
ବୋଉ ସଙ୍ଗେ ସଙ୍ଗେ ଓଲଟି ପଡେ।
କହେ " କି ଭଳିଆ ନାଁ ଟେ ବାପା, ମା ତା'ର ଦେଇଛନ୍ତି ଲୋ! ଜମା ପାଟିରେ ପଶୁନି। ଆଉ କ'ଣ କିଛି ଭଲ ନାଁ ତାଙ୍କୁ ସ୍ଫୁରିଲାନି? ଏଠିକା ଝିଅ ବାହା ହେଇଥିଲେ ରାଧା, ରମା, ସ୍ମିତା, ଗୀତା , ମାମି , ରିତା - ଏମିତିକା ସହଜିଆ ନାଁ ଟେ ହେଇଥାନ୍ତା । ଆମେ ଟିକେ ହସ କୌତୁକ ହେଇ ଥାଆନ୍ତୁ। କିଛି ହେଇ ପାରିଲାନି। ଆଉ, ଏଇ ବୟସ ରେ କ'ଣ ଇଂରାଜୀ ଶିଖିବି ନା ବୋହୂ ସାଙ୍ଗେ ଗପିବି?"
"ବାହାଘର ଆମେରିକା ରେ ହେଲା, ତାପସ ମାମୁଁଙ୍କ ସାଙ୍ଗ ସାଥୀ ମାନଙ୍କ ଗହଣରେ। ଅଜା କି ଆଈ କେହିବି ଯାଇନଥିଲେ। ତାପସ ମାମୁଁ ଙ୍କର ନେହୁରା ହେବା, ସେମାନଙ୍କ ଜିଦ୍ଦି ଆଗରେ ହାର ମାନିଲା। ଅଜା ଅଡ଼ିବସିଲେ " ଆମେ ମିଶ୍ର ବ୍ରାହ୍ମଣ। କିରସ୍ତାନ୍ ଝିଅ କୁ ବହୂ ଭାବରେ ଗ୍ରହଣ କରି ପାରିବୁନି।"
"ପରବର୍ତ୍ତୀ କାଳରେ ଅବଶ୍ୟ, ଜିଦ୍ ରୁ ଓହରି ଆସିଥିଲେ -
ଯେତେବେଳେ ତାପସ ମାମୁଁ ଙ୍କର ପିଲାଟିଏ ହେଲା। ପୁଅ କୁ ଦୁଇବର୍ଷ ପୂରିଲା ଉତ୍ତାରୁ ମାମୁଁ ,ମାଇଁ ଦୁଇଜଣ ଯାକ ଏଠି ପହଞ୍ଚିଲେ। ନାତି ଟୋକା କୁ ଦେଖି ଅଜା, ଆଈ ପୁରୁଣା କଥା ସବୁ ଭୁଲିଗଲେ। କାଖେଇ, କୋଳେଇ ଚୁମା ଦେଇ, ପଚା ଲାଉ କରି , ନିଜ ପୁଅ ଠୁଁ ଅଧିକ ସ୍ନେହ ଦେଲେ। ତାକୁ ଦଣ୍ଡେ ହେଲେବି ତଳେ ଚାଲିବାକୁ ଦେଲେନି।"
" ହେଲେ ସିଏ କେତେଦିନ? ତାପସ ମାମୁଙ୍କ ପନ୍ଦର ଦିନ ଛୁଟି ଚାହୁଁ ଚାହୁଁ କଟିଗଲା।ବିଦେଶୀ ଲୋକ ବିଦେଶ ଫେରିଗଲେ। ଆଈ, ନାତି କୁ ଝୁରି ଝୁରି ବିଛଣା ଧରିଲେ। ଚିକିତ୍ସା ରେ ଉଣା ନ ଥିଲା, କିନ୍ତୁ କୌଣସି ଔଷଧ କାମ କଲାନି। ମଣିଷ ମନ ବି ଏମିତି ଏକ କୁହୁକ, ଯାହାକି ସମସ୍ତ କାର୍ଯ୍ୟକଳାପ କୁ ନିୟନ୍ତ୍ରଣ କରେ। ଆଈଙ୍କର ମନ ତ ନାତି ପାଖରେ । ତାଙ୍କୁ ଏଠିକା ପାଣି ପବନ ପିତା ନ ଲାଗିବ କେମିତି?ହେଲେ, ନା ସିଏ ଆମେରିକା ଯାଇ ପାରିଲେ ନା ମାମୁଁ ପୁଅ କୁ ଧରି ଆଉଥରେ ଆସି ପାରିଲେ। ଶରୀର ଆଉ ଆତ୍ମା ର ସଂଘର୍ଷ ଭିତରେ ଆତ୍ମା ର ବିଜୟ ଘୋଷିତ ହେଲା। ଆଈଙ୍କର ମର ଶରୀର କୁ ତାଙ୍କ ଝିଅ ଟୁନି ନାନି ନିଆଁ ଦେଲେ। ତାପସ ମାମୁଁ କୌଣସି କାରଣ ବଶତଃ ଆସି ପାରିଲେ ନାହିଁ। ସାଇ ପଡିଶା ର ଲୋକେ ଢେର୍ ଦିନ ଯାଏ ଟୁପୁରୁ ଟାପର ହେଲେ। ଧିରେ ଧିରେ ତୁନି ପଡ଼ିଲେ। କେତେ ଦିନ ଅବା ପୁରୁଣା କଥା କୁ ଧରିବସିବେ!"
" ଅଜା ଯେ ଆଈ ଙ୍କୁ ଏତେ ଭଲ ପାଆନ୍ତି ତାଙ୍କ ଯିବା ଦିନ ଜଣାପଡ଼ିଲା। ତାଙ୍କର କଇଁ କଇଁ କାନ୍ଦ ଦେଖି ସମସ୍ତଙ୍କ ଆଖିରୁ ଲୁହ ଗଡିଲା। କୋକେଇ କୁ କୁଣ୍ଢେଇ ଧରି ତୁହା କୁ ତୁହା ମୂର୍ଚ୍ଛା ଗଲେ।
"ସୀତା! ମତେ କାହିଁକି ଏକୁଟିଆ କରିଗଲୁ ଲୋ? ମୁଁ କେମିତି ଜୀବ ଧରିବି? ଜୀବନ ଯାକ ତତେ ଖାଲି ଦୁଃଖ ଦେଲି, ମୋ ଭୁଲ ର କ୍ଷମା ମାଗୁଚି , ଫେରିଆ।ଆଉ ତତେ ହନ୍ତସନ୍ତ କରିବିନି ଲୋ! ଯାହା ରାନ୍ଧି ଦବୁ ଖୁସି ରେ ଖାଇବି, ମୋଟେ ବାଛିବିନି କି କିଛି କହିବିନି। ଅଜାଙ୍କର ଏଇ ସ୍ୱିକାରୋକ୍ତି ଶୁଣିବାଟା ଆଈଙ୍କର ଜୀବଦ୍ଦଶାରେ ସମ୍ଭବ ହେଇ ପାରିଲା ନାହିଁ । ସାମାନ୍ୟ ପ୍ରଶଂସା ପାଇଁ କେତେ ଉତ୍କଣ୍ଠା ଥିଲା ମନରେ ତାଙ୍କର, ହେଲେ କାହିଁ?"
"ଯେତେ ଅନୁତାପ କଲେ ଗଲା ଲୋକ ଆଉ କି ଫେରିଆସେ?"
"କ୍ଷଣ କୁ କ୍ଷଣ ଅଜା, ଆଈଙ୍କ ନାକ ରେ ଦିଆ ହେଇଥିବା ତୁଳା କୁ କାଢି, ନିଶ୍ଵାସ ଚାଲିଛି କି ନାହିଁ ପରୀକ୍ଷା କରୁଥାନ୍ତି- ଡାକ୍ତର ବାବୁଙ୍କ ରିପୋର୍ଟ କୁ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ... ହେଲେ ଆଈଙ୍କର ମୃତ୍ୟୁ ଅକାଟ୍ୟ ସତ୍ୟ ଥିଲା। ଆଈ ଆଉ ଜମାରୁ ଆଖି ଖୋଲିଲେ ନାହିଁ। "
ସ୍ତ୍ରୀ ଜୀବନ... ସଳିତା ପରି ଜଳି ଜଳି ଶେଷ ହେଇଗଲା।
"ଆଈ ଯିବା ପରେ ସକାଳେ ଜଳଖିଆ ଗଣ୍ଡେ ଖାଇ, ବାଲକୋନୀ ରେ ଏକୁଟିଆ ବସି ରହନ୍ତି ଅଜା। ହାତରେ ସେଦିନ ର ନିଉଜ ପେପର ଥାଏ। ହେଲେ, ନଜର ଥାଏ ଧଳା ଆଉ ନୀଳ ରଙ୍ଗ ର ଅପରାଜିତା ଗଛ ଉପରେ। ଢେର୍ ଫୁଲ ଫୁଟେ, କିନ୍ତୁ ତୋଳା ହୁଏନି। ତୋଳିବା ବାରଣ।
କାହିଙ୍କି ନା - ଆଈ ଗଛ ଦିଇଟା ଲଗାଇଥିଲେ। ସବୁଦିନ ସେଇ କେବଳ ଗଛ ରୁ ଫୁଲ ତୋଳି ଠାକୁର ଘରେ ରଖୁଥିଲେ ପୂଜା ପାଇଁ। ତାଙ୍କ ପରେ ସେ ଗଛ ରେ କେବଳ ପାଣି ଦିଆଯାଏ କିନ୍ତୁ ଫୁଲ ତୋଳା ହୁଏନି। ଦିଅଁ ଙ୍କ ପାଇଁ ବଗିଚାରେ ଫୁଟୁଥିବା ଅନ୍ୟ ଫୁଲ ଯଥା ଗୋଲାପ, ମଲ୍ଲି, ଗେଣ୍ଡୁ ତୋଳା ଯାଏ। ଆଈ ଥିଲାବେଳେ ଅଜା ଢେର୍ ସମୟ ଯାକେ ପୂଜା କରନ୍ତି। କେତେ ମନ୍ତ୍ର ପଢନ୍ତି। ଆଈ ପାଖରେ ବସି ଚନ୍ଦନ ଘୋରି ଦିଅନ୍ତି, ଭୋଗ ସଜାଡି ଦିଅନ୍ତି। ହେଲେ ଏବେ ଦିଅଁ ପୂଜା କାକ ସ୍ନାନ ଯେସନ।
ଫୁଲ ଗଣ୍ଡା କ ଚଢ଼େଇ , ଭୋଗ ଲଗେଇ ଦଶ ମିନିଟ ଭିତରେ ବାହାରି ଆସନ୍ତି ଅଜା। ଭୋଗ ରହି ରହି ପିମ୍ପୁଡ଼ି ଲାଗିଯାଏ।ଅଜାଙ୍କ ର ଦେହଟା ସିନା ପଡ଼ି ରହିଥାଏ ଏଇ ଘରେ, କିନ୍ତୁ ଆତ୍ମା ତାଙ୍କର ଆଈ ଙ୍କ ସନ୍ଧାନ ରେ ଘୁରି ବୁଲୁଥାଏ।ଭାରି ହତାସିଆ ଦିଶନ୍ତି ଆଉ କହି ହୁଅନ୍ତି - ଆଉ କେତେଦିନ କେଜାଣି? ମୋ ଆୟୁଷ ଆଉ କିଏ ହେଲେ ନେଇକି ବଞ୍ଚନ୍ତା! ଠାକୁରେ! କାଇଁ ମତେ ପକେଇ ରଖିଛ ଏଠି, ମଣିଷ ଜନ୍ମ ରୁ ମୁକ୍ତି ଦିଅ, ମୁଁ ମୋ ସୀତା ପାଖକୁ ଯିବି। ଭାରି ଏକୁଟିଆ ହେଇ ଯାଇଥିବ। "
ଅର୍ଦ୍ଧାଙ୍ଗିନୀ ଚାଲିଗଲା ପରେ ବିଶାଳ ମଣିଷ ଟି କେତେ ଯେ ଅସହାୟ ହେଇଯାଏ , ଏହା ପ୍ରତିପାଦିତ ହେଲା।
ବର୍ଷ କୁ ଥରେ କି ଦିଥର ଟୁନି ନାନୀ ଆସନ୍ତି। ସପ୍ତାହେ ଖଣ୍ଡେ ରହିକି ଯାଆନ୍ତି। ରହିଲା ଭିତରେ ଅଜାଙ୍କ ର ଫୁଲ୍ ବଡି ଚେକପ୍ ପାଖରୁ, ବଗିଚା କୁ ସାଇଜ କରିବା ପର୍ଯ୍ୟନ୍ତ ସବୁ କରନ୍ତି । ଯଦିଓ ନିଜେ ସମସ୍ତ କାର୍ଯ୍ୟ ସମ୍ପାଦନ କରିପାରନ୍ତି ନାହିଁ, ଲୋକ ଲଗେଇ କରେଇ ନିଅନ୍ତି। ଅଜାଙ୍କୁ ନବା ପାଇଁ ବହୁତ କାକୁତି ମିନତି କରନ୍ତି, ଫୁସୁଲାନ୍ତି ମଧ୍ୟ, ହେଲେ ଅଜା ତାଙ୍କ ଜିଦି ରେ ଅଟଳ ରହିଥାନ୍ତି।
ଅଜାଙ୍କ ଦେହ , ବୟସ ବଢିବା ସାଙ୍ଗେ ସାଙ୍ଗେ ଖରାପ ହେବାକୁ ଲାଗିଲା। ବାଲକୋନୀ ଛାଡ଼ି ଅଜା, ନିଜ ଶୋଇଲା ଘରେ ଉଠା ବସା କଲେ। ଝରକା ପାଖ ଚେୟାର ରେ ବସି ଖବରକାଗଜ ରେ ଆଖି ବୁଲାନ୍ତି। ଆଈ ଲଗାଇଥିବା ମଲ୍ଲି ଫୁଲ ବୁଦା ରୁ ଖରାଦିନେ ମହ ମହ ବାସନା ଭାସିଆସେ ମୃଦୁ ମଳୟ ରେ। ମତୁଆଲା ଅବା ନିଶାସକ୍ତ ମଣିଷ ଟିଏ ପରି ଚେୟାର ରେ ବସି ବସି ଶୋଇ ଯାଆନ୍ତି। ସିଏ ପୁଣି ଗାଢ଼ ନିଦରେ।
ଗାଧୁଆ ବେଳ ହେଲେ ତାଙ୍କ କେଆର୍ ଟେକର ସୁକାନ୍ତି ଦିଦି ହାତ ଧରି ନେଇଯାଆନ୍ତି। ଗାଧୋଇ ଦେଇ ଲୁଗା ବଦଳେଇ ଦିଅନ୍ତି। ଡାଇନିଂ ଟେବୁଲ୍ ପାଖେ ବସି ବଳେଇ ବଳେଇ ଖୁଆନ୍ତି।
ଅଜାଙ୍କର ଭାରି ପସନ୍ଦ ମହୁରାଳୀ ମାଛ ବେସର।ସେଦିନ ବୋଉ ନେଇକି ଯାଇଥିଲା। ଗଲା ବେଳକୁ ଅଜା ଖାଇ ବସିଛନ୍ତି। ବୋଉ ଟିଫିନ୍ ଡବା ରୁ ମାଛ କାଢି ଥାଳି କଡ଼ରେ ଦେଲା।ଖୁସିରେ ଗଦଗଦ ହେଇଗଲେ। କହିଲେ, "ସୀତା ଗଲା ଦିନରୁ ଏମିତି ସୁଆଦିଆ ତିଅଣ ଖାଇନଥିଲି। ଭଗବାନ୍ ମଙ୍ଗଳ କରନ୍ତୁ, ସୁଖରେ ଦିନ କଟିଯାଉ - ମୋର ଆଶୀର୍ବାଦ ରହିଲା।"
ଏମିତି ଦିନ ଗଡି ଚାଲିଲା। ଅଜା ଧୀରେ ଧୀରେ ଜୀବନ ପ୍ରତି ବୀତସ୍ପୃହ ହେଇଗଲେ। ଲୋକ ବାକ ଥିବା ସତ୍ତ୍ବେ ନିଜକୁ ଅସହାୟ ମନେ କଲେ। ଟୁନୀ ନାନୀ ବାଧ୍ୟ କରି ତାଙ୍କ ପାଖକୁ ନେଇଗଲେ ଅଜାଙ୍କୁ। ଏଠିକାର ଘର ବନ୍ଦ ହେଇ ରହିଲା।ଘର ଛାଡ଼ି ଗଲା ଦିନ ମୁଁ , ବୋଉ, ବାପା - ଆମେ ସମସ୍ତେ ମେଲାଣି ଦବାକୁ ଯାଇଥିଲୁ।
ଅଜା ଚୁପଚାପ୍ ହେଇ ଗାଡ଼ି ଭିତରେ ବସିଥାନ୍ତି।ଆଖିରୁ ଅନବରତ ଲୁହ ଧାର ଗଡି ଚାଲିଥାଏ।ଆମେ ସବୁ ଜୁଆର ହେଲୁ। ଗାଡି ଅଦୃଶ୍ୟ ହେବା ଯାକେ, ଅଜା ଝରକା ବାଟେ ଅନେଇ ଥାଆନ୍ତି। ତାଙ୍କ ପ୍ରିୟ ଜାଗା , ଯେଉଁଠି ତାଙ୍କର ସମସ୍ତ ଜୀବନ କଟିଚି, ତାର ମୋହ କୁ ଏଡେଇବା ଏତେ ସହଜ ନଥିଲା। କେବଳ ସିଏ କାହିଁକି! ଆମେ ସମସ୍ତେ ଉଣା ଅଧିକେ ଏଇ '' ମୋହ" ର ଦାସ।ମଣିଷ ଜୀବନ ଏଇ ମୋହ ଦଉଡ଼ି ରେ ବନ୍ଧା।
ଅଜା ଗଲାପରେ, କଦବା କ୍ଵଚିତ ବାପା ଫୋନ୍ କରନ୍ତି ଟୁନୀ ନାନୀ ଙ୍କ ପାଖକୁ, ଭଲ ମନ୍ଦ ଖବର ନବା ଲାଗି।ବୋଉ କୁ ଅପଡେଟ ଦିଅନ୍ତି। ଯାହା ଆମର ଏପଟୁ ଫୋନ୍ ଯାଏ। ନାନୀ ତାଙ୍କ ତରଫରୁ କେବେ ବି ଫୋନ୍ କରନ୍ତିନି। ହେଲେ ବାପା ତାଙ୍କ ଡ୍ୟୁଟି ବଜାୟ ରଖିଥାନ୍ତି, ଏକ ଅନୁରାଗି ପଡୋଶୀ ଭଳି।
ଦିନେ ସନ୍ଧ୍ୟା ବେଳେ ଟୁନି ନାନୀ ଙ୍କର ଫୋନ୍ ଆସିଲା।ମନରେ ଶଙ୍କା ନେଇ ବାପା ଫୋନ୍ ଉଠେଇଲେ। ଯେଉଁ କଥା ଲାଗି ମନ ବିଚଳିତ ହେଉଥିଲା, ଅବଶେଷ ରେ ସେଇ କଥା ଶୁଣିବାକୁ ହେଲା।ଅଜାଙ୍କର ସ୍ଵର୍ଗବାସ ଦୁଇଦିନ ତଳେ ହେବା ର ଖବର ମିଳିଲା। ଟୁନି ନାନି କ୍ରିୟା ଧରିବାଟା ଏକ ରକମ୍ ଧାର୍ଯ୍ୟ ଥିଲା, ଯେହେତୁ ତାପସ ମାମୁଁ ଙ୍କୁ ଛୁଟି ମିଳୁ ନଥିଲା। କିନ୍ତୁ, ଭଗବାନଙ୍କ କୃପାରୁ ସମୟରେ ସିଏ ପହଞ୍ଚି ପାରିଲେ । ତୁଠ କାମ ସାରିକି ଏଠି ଏବେ ସମସ୍ତେ ପହଂଚିଛନ୍ତି।
ଏଠି ଗୋଟେ ବଡ଼ ଧରଣ ର ଭୋଜିଭାତ ହବ। ସହର ରୁ ରୋଷେଇଆ ଆସିଛନ୍ତି। କାର୍ଡ ବଣ୍ଟା ଚାଲିଛି। ମିଡ଼ିଆ କଭରେଜ ର ବ୍ୟବସ୍ଥା ବି ହେଇଚି। ପ୍ରାୟ ହଜାରେ ପାଖାପାଖି ଲୋକଙ୍କର ଖାଇବା ର ଆୟୋଜନ ଚାଲିଛି। ସାଇ ପଡ଼ିଶା ଲୋକେ କଥାବାର୍ତ୍ତା ହଉଛନ୍ତି -
" ଇଏ ତ ବାହାଘର ରୁ ବଳି । "
ସୋମୁ ପଚାରିଲା" ଖାଇବା କଥା ତ ଠିକ ଅଛି। ହେଲେ ମିଡ଼ିଆ କଭରେଜ କ' ଣ? କାଇଁ, ଆମର ଏଠି ତ କାହାର ଏଗୁଡ଼ା ହୁଏନି।"
ମୁଁ କହିଲି" ଆରେ ବୋକା! ବଡ଼ ବଡ଼ କ୍ୟାମେରା ଆସିବ। ରିପୋର୍ଟର ଆସିବେ। ସୁଟିଂ ହବ। ସବୁ ଖବର ଟିଭି ଚ୍ୟାନେଲ ରେ ପ୍ରସାରିତ ହବ ଆଉ ସମ୍ବାଦପତ୍ର ରେ ବି ଛପା ହବ।"
ସୋମୂ ପୁଣି ପଚାରିଲା" ସେଇଠୁ?"
" ଆରେ ସେଇଠୁ କ'ଣ? ତାପସ ମାମୁଁ ଆଉ ଟୁନି ନାନୀଙ୍କ ନାଁ ସବୁଆଡେ ସମସ୍ତେ ଜାଣିବେ। ସାବାସି ଦେବେ। କହିବେ - ଏମିତି ପୁଅ ଝିଅ ଭାଗ୍ୟ ରେ ଥିଲେ ମିଳେ। ଆମେରିକା ରେ ରହିକି ବି ସଂସ୍କାର ଭୁଲିନାହାନ୍ତି। ପୁଅ ଯେମିତି , ଝିଅ ସେମିତି।କେତେ ଆଦର, ସେବା , ଯତ୍ନ କଲେ ! ଆଜିକା ଦିନରେ ବିରଳ।ଭାଗ୍ୟ କରିଥିଲେ ଯାମିନି ବାବୁ।
ନହେଲେ ଏଭଳି ଆୟୋଜନ ର ନଜିର ନାହିଁ।"
ସୋମୁ ଏତେ ବଡ ବଡ କଥା ଶୁଣି ତାଯୁବ ହେଇଗଲା। ପିଲା ଲୋକ, ବୁଦ୍ଧି କେତେ ବା ତା ମୁଣ୍ଡ ରେ ! କେମିତି ଜାଣିବ, ଆଜି କା ଦିନରେ ରେ ପଇସା ବିନିମୟ ରେ ବହୁତ୍ କିଛି ହାସିଲ କରାଯାଇ ପାରେ। ଏଇ ଯେମିତି '' ସୁନାମ"। ବିକା, କିଣା ର ଦୁନିଆଁ । ଯଶ, ସମ୍ମାନ, କୀର୍ତ୍ତି - ଏସବୁ ବଜାର ରେ ବିକା ହଉଚି। ପଇସା ଫୋପାଡି କିଣି ପାରିବ। କିନ୍ତୁ ପଇସା ଥିଲେ ବି ସମସ୍ତେ କଣ କରିପାରିବେ? ଏଇପରି ରୁଗ୍ଣ ମାନସିକତା ର ଶିକାର ହେଇ ପାରିବେ?
" ବୁଝିଲୁ ସୋମୁ! ଅଜା ବଞ୍ଚିଥିବା ସମୟ ରେ ତାପସ ମାମୁଁଙ୍କୁ ଖୁବ୍ ଝୁରୁଥିଲେ। ତାଙ୍କ ଫୋନ୍ ଆସିବା ବାଟକୁ ଚାତକ ପରି ଅନେଇ ବସୁଥିଲେ। ହେଲେ ମାମୁଁ ନିଜ ସଂସାର ର ନେଇ ସବୁବେଳେ ବ୍ୟସ୍ତ ରହିଲେ। ଏଠିକି ଜମା ଆସିଲେନି। ଟୁନି ନାନୀ ନଥିଲେ , କଣ ଯେ କରିଥାଆନ୍ତେ ଅଜା! ଏବେ ଭୋ ଭୋ ହେଇ କାନ୍ଦିଲେ ଅଜା କ'ଣ ଫେରି ଆସିବେ? ମତେ ତ କାଇଁ କୁମ୍ଭୀର କାନ୍ଦଣା ଭଳିଆ ଲାଗୁଚି।"
" ସତ କଥା କହିଲୁ ଅପା। ହେଲେ ବୁଝି ହେଲାନି, ତାଙ୍କ କାନ୍ଦ, କ୍ୟାମେରା ବାଲା କାହିଁକି ରେକର୍ଡିଂ କରୁଥିଲେ।ବାପା ଚାଲିଗଲେ ତ ସମସ୍ତେ କାନ୍ଦନ୍ତି, ସିଏ ବି କାନ୍ଦିଲେ। ଏଥିରେ ଆଶ୍ଚର୍ଯ୍ୟ ର କଥା କଣ ରହିଲା ଯେ ଟିକିନିଖି ରେକର୍ଡିଂ କରାଯିବ?"
" ତୁ ଠିକ୍ କହିଲୁ ସୋମୁ। ମୁଁ ବି ଏଇ କଥା ଟା ବାପାଙ୍କୁ ପଚାରି ଥିଲି ସକାଳେ। ବାପା ଟିକେ ମୁଁହ ସୁଖେଇକି କହିଲେ"-
" କି କଳି କାଳ ହେଲା! ଜୀବନ ର ଅନ୍ତିମ ସତ୍ୟ - '' ମୃତ୍ୟୁ" ର
ମାର୍କେଟିଂ ମାନେ ବଜାରୀକରଣ! ମଣିଷ କେତେ ତଳ କୁ ଚାଲିଗଲା ସତେ! ଶୁଣୁଥିଲି, ଏଠିକାର ସମସ୍ତ କଥା - ଯେମିତିକି ସାଜସଜ୍ଜା, ଖିଆପିଆ, ଶୋକସଭା କିଭଳି ଭାବରେ ଅତି ଆଡମ୍ବର ସହ ଅନୁଷ୍ଠିତ ହେଲା, ତା'ର ଭିଡିଓ ନିଆ ହେବ। ପୁଣି ତାକୁ ଏଡିଟିଙ୍ଗ କରି ଏକ ସିନେମା ପ୍ରସ୍ତୁତ କରାଯିବ। ନାଁ ତାର ଦିଆଯିବ - " ବାପାଙ୍କ ସ୍ମୃତିରେ" , ଆଉ ବିକାଯିବ ବିଦେଶର କୌଣସି ଏକ ସଂସ୍ଥା କୁ। ୟା ଦ୍ଵାରା କାଳେ ବେଶ୍ ପଇସା ଅର୍ଜନ କରିବାର ସୁଯୋଗ ଅଛି। ବିଦେଶ ରେ କ'ଣ ଲୋକେ ଆମ ଭଳିଆ ଶୋକ ପାଳନ୍ତି? ଏତେ ସଂଖ୍ୟାରେ ବନ୍ଧୁ ବାନ୍ଧବ ଏକାଠି ହୁଅନ୍ତି? ଏକା ସାଙ୍ଗେ ତୁଠ ରେ ଗାଧାନ୍ତି? ସେମାନଙ୍କ ପାଇଁ ଏଇଟା ଗୋଟେ ନିଆରା କଥା। ସେମାନେ ପଇସା ଦେଇ ଦେଖିବେ। କରତାଳି ମାରିବେ। ତାପସ ଭଲ ପଇସା ଅର୍ଜନ କରିବ। ଜାଣେନା, ବିଦେଶୀ ଲୋକଙ୍କ କରତାଳି ର ଗୁଞ୍ଜରଣ ତା ବାପାଙ୍କ ପାଖରେ ପହଞ୍ଚିବ କି ନାହିଁ? ହେଲେ, ମତେ ଏଇ କଥାଟି କାହିଁକି ପସନ୍ଦଯୋଗ୍ୟ ଲାଗୁନି। ଯୁଗ ବଦଳୁଛି, ବଦଳୁ।
କିନ୍ତୁ, ଲୋକଙ୍କ ପାଇଁ ଆଦର, ସମ୍ମାନ ଆଉ ଶ୍ରଦ୍ଧା ହୃଦୟ ଭିତରୁ ଆସୁ। ଦେଖାଣିଆ ଭକ୍ତି କି ଶ୍ରଦ୍ଧା ରେ ମୁଁ ବିଶ୍ବାସ କରେନି କି କରୁଥିବା ଲୋକକୁ ପାସଙ୍ଗ ରେ ପକାଏନି। ଶୋକ ପାଳନ ର ସିଦ୍ଧାନ୍ତ ଏକାନ୍ତ ନିଜସ୍ଵ ଏବଂ ଏକକ ସମର୍ପଣ ଭାବ ମଧ୍ୟ। ମୁଁ କାହାପାଇଁ କେତେ ଦୁଃଖୀ ହେବି , ସେଇଟା ବାହାର ଲୋକଙ୍କର ଜାଣିବା କି ଦରକାର୍ ?"
ବାପାଙ୍କର ସ୍ୱର ରୁ ବାରି ହେଇଯାଉ ଥାଏ ରାଗ ଆଉ ଅଭିମାନ ର ଏକ ଅଦ୍ଭୁତ ମିଶ୍ରଣ।ଆଖି ବି ଛଳ ଛଳ ହେଇ ଆସିଥାଏ ସେତେ ବେଳକୁ।
କଥା ସାରି ହଠାତ୍ ବାପା ଘର ଭିତରକୁ ଉଠି ପଳେଇଥିଲେ।ବୋଧେ କୋହ ସମ୍ବରଣ କରିପାରିଲେ ନାହିଁ।
ସୋମୁ ଚଟ୍ କରି କହି ପକେଇଲା -" ବାପା ତ ଖାଣ୍ଟି ସତ କଥା କହିଲେ। ଏଇ କଥା ଶୁଣିଲା ପରେ ମୋ ମନେ ପଡ଼ିଲା - କାଲି ଖବରକାଗଜ ରେ ଗୋଟେ ଫଟ ଦେଖିଥିଲି। ସେଥିରେ ଜଣେ ଦୂର୍ବଳିଆ ଲୋକ ଚେୟାର ଉପରେ ବସିଥାନ୍ତି। ତାଙ୍କୁ ଘେରି ଥାଆନ୍ତି ପ୍ରାୟ ଆଠ ଦଶ ଜଣ ଲୋକ।ସମସ୍ତେ ବେଶ୍ ପୋଜ ଦେଇ ଥାଆନ୍ତି। ଏତେ ଲୋକଙ୍କ ଭିତରେ ବସିଥିବା ଲୋକଟି ର ମୁହଁ ଟି ପରିଷ୍କାର ଦିଶୁ ନଥାଏ।ଲାଗୁଥାଏ ଯେମିତି ଏତେ ପୋଲିସ ମିଶି ଗୋଟେ ବଡ ଆସାମୀ କୁ ଧରିଛନ୍ତି ଆଉ କିଛି ଗୁମର ର ଖୁଲାସା କରିଛନ୍ତି। କିନ୍ତୁ ଶୀର୍ଷକ ପଢିଲା ବେଳକୁ ଜଣା ପଡ଼ିଲା କଥାଟା ଠିକ୍ ଓଲଟା।ବସିଥିବା ଭଦ୍ରବ୍ୟକ୍ତି ଜଣକ ଥିଲେ ସେଦିନ କାର୍ଯ୍ୟକ୍ରମ ର ସମ୍ମାନୀୟ ଅତିଥି। ଜଣେ ସମାଜସେବୀ ହିସାବରେ ଖୁବ୍ ନାମ ଅର୍ଜନ କରିଛନ୍ତି। ତାଙ୍କର ସମ୍ବର୍ଦ୍ଧନା ପାଇଁ ସଭା ର ଆୟୋଜନ ହେଇଥିଲା, କିନ୍ତୁ ତାଙ୍କ ମୁହଁ ଠିକ୍ ରେ ଦେଖା ଗଲାନି। ଅତିଥି ଙ୍କର ପାରଦର୍ଶିତା ବିଷୟରେ ଅବଗତ କରାଇବା ପରିବର୍ତ୍ତେ ଆୟୋଜକ ମାନେ ନିଜର ଗୁଣଗାନ କଲା ଭଳିଆ ଲାଗିଲା। କି ଲଜ୍ୟାକର ପରିସ୍ଥିତି!"
" ସତରେ ସୋମୁ, ଦୁନିଆଁ ଟା କେତେ ସ୍ୱାର୍ଥି ଆଉ ଅହଙ୍କାରୀ ହେଇଯାଉଛି ଧୀରେ ଧୀରେ!"
"ନିଜ ଜନ୍ମଦାତା ଙ୍କର ଦ୍ଵାଦଶାହ ଭଳି ପୁଣ୍ୟ ତିଥି ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ପରିବର୍ତ୍ତେ ନିଜ ବଡିମା ର ଡିନ୍ଡିମ ପିଟା ହଉଚି। କି କୁତ୍ସିତ ଚିନ୍ତାଧାରା ସତରେ!"
"ଆମେ ସବୁ ସାଧାରଣ ମଣିଷ, ସେଥିଲାଗି ବୋଧେ ହୃଦୟଙ୍ଗମ କରିପାରିଲୁ , ହେଲେ ପଇସା ର ଗାଦି ଉପରେ ବସିଥିବା ଲୋକେ ଅସାଧାରଣ। ସେମାନେ ଏଇ ତୁଚ୍ଛ କଥାଟାକୁ ପରତେ ପକେଇବେ ନାହିଁ। କିନ୍ତୁ ସମୟ ଆସିବ, ଇଚ୍ଛା ନଥିଲେ ବି ତାଙ୍କୁ ବୁଝିବାକୁ ହବ।ହୁଏତ ଆମେ ପାଖରେ ନ ଥିବା, ତାଙ୍କର ମେଟା ମୋର୍ଫୋସିସ( metamorphosis) ର ଗାଥା ଶୁଣିବା ପାଇଁ।"
