ଲପଙ୍ଗା
ଲପଙ୍ଗା
ଲପଙ୍ଗା
ଇଂରାଜୀ ବନାନ ପଢିକି ମନେ ହେଲା ଷ୍ଟେସନ ର ନାମ 'ଲଫଙ୍ଗା 'l
ଆଶ୍ଚର୍ଯ୍ୟ ଯେତିକି ଲାଗିଲା ହସ ତା ଠାରୁ ଅଧିକ l
କିଏ ଭଲା ଏମିତି ନାଁ ଟିଏ ବାଛିଲା!
ସିଏ ପୁଣି ଷ୍ଟେସନ ର...
ଜଣେ ସହଯାତ୍ରୀଙ୍କ ପାଖରୁ ବୁଝିଲି ନାଁ ଟି 'ଲପଙ୍ଗା '
ଲଫଙ୍ଗା ନୁହେଁ।
ଏତେ ବିଭ୍ରମ ହୁଏତ ହେଇ ନଥାନ୍ତା ଯଦି ମୁଁ ଓଡ଼ିଆ ରେ ଲେଖାଯାଇଥିବା ଫଳକ ଟି ଉପରେ ଟିକିଏ ଆଖି ପକେଇଦେଇଥାନ୍ତି ଠିକ୍ ସମୟରେ।
କିନ୍ତୁ ଆମ କୋଚ ସାମ୍ନାରେ ଥିବା ଫଳକ ଟି ଇଂରାଜୀ ରେ ଥିଲା। ଓଡ଼ିଆ ରେ ଲେଖା ଯାଇଥିବା ଫଳକ କୁ ଆମ କୋଚ୍ ଅତିକ୍ରମ କରି ସାରିଥିଲା।
ଆମ ଟ୍ରେନ ଟି ସୁପରଫାଷ୍ଟ ହେଲେହେଁ ଅଟକି ଯାଇଥାଏ ଏଇ ଷ୍ଟେସନ ରେ,କାରଣ ବିଳମ୍ବରେ ଚାଲୁଥାଏ।
ତେଣୁ ନ ରହିବା ଷ୍ଟେସନ ରେ ମଧ୍ୟ ବିରାମ ନେଉଥାଏ। ରେଳ ବିଭାଗ ର ନିୟମ ଉଣା ଅଧିକେ ସମସ୍ତଙ୍କୁ ମାଲୁମ୍। ଥରେ ଯେଉଁ ଟ୍ରେନ୍ ପଛେଇଲା , ସିଏ ଗଲା ରସାତଳ କୁ।ଆଉ ତାର ନିସ୍ତାର ନାହିଁ।
ସେମିତି, ଥରେ ଗାଡ଼ି ରେ ଚଢ଼ି ସାରିଲା ପରେ ତେଣିକି ନିଜ ହାତରେ କଣ କିଛି ଥାଏ? କାନମୁଣ୍ଡା ଆଉଁଷି କି ଧୀର ହେଇ ବସି ରହିବା କଥା। ହଁ, ଏଇ ଷ୍ଟେସନ୍ ଟା ବଡ଼ ହେଇଥିଲେ, ଓଲ୍ହେଇପଡ଼ି ପାଟି ଟକଟକିଆ ଜିନିଷ କିଛି କିଣା ହେଇଥାନ୍ତା। କିଛି ନ ହେଲେ ଟାଇମ୍ ପାସ୍ ଲାଗି ମାଗାଜିନ୍ ଖଣ୍ଡେ ଅଧେ ତ ନିଶ୍ଚୟ ଅଣା ହେଇଥାନ୍ତା।
ଧେତ୍ କିଛି ହେଇ ପାରିଲାନି।
ରିମା, ମୋର ସହଯାତ୍ରୀ ,ଆମର ପଡୋଶୀ ମଧ୍ୟ। ସିଏ ଆମ କଲୋନୀ କୁ ଆସିବାର ପାଖା ପାଖି ଦୁଇବର୍ଷ ହେବ। ତାଙ୍କର କଥା କହିବାର ଶୈଳୀ ଖୁବ୍ ନିଆରା। ଦଣ୍ଡ କ ଭିତରେ ପରକୁ ଆପଣେଇ ନବା ର ଶକ୍ତି ତାଙ୍କ ଭିତରେ ଭରି ରହିଛି।ଥରେ ଦୁଇଥର ଦେଖାସାକ୍ଷାତ ରେ ନିଜର କରିନେଇଥିଲେ ଆମ ପରିବାର କୁ। ପ୍ରଥମେ ଘରକୁ ଯିବା ଆସିବା , ତାପରେ ଜିନିଷପତ୍ର ଦିଆନିଆ ଏବଂ ଶେଷରେ ଭାବର ଆଦାନ ପ୍ରଦାନ ମାଧ୍ୟମ ରେ ଏକ ବଳିଷ୍ଠ ସଂପର୍କ ଗଢିଉଠିଥିଲା।
ସାଙ୍ଗହୋଇ ପରିବା ଦୋକାନ ଠାରୁ ବିଉଟି ପାର୍ଲର୍ ପର୍ଯ୍ୟନ୍ତ ଯିବା ରେ ଆମ ଯୋଡି କୁ କେହି ମାତ୍ ଦେଇପାରନ୍ତିନି।ଧୀରେ ଧୀରେ ପାର୍କ ଆଉ ମଲ୍ ବି ବାଦ୍ ପଡ଼ିନଥିଲେ।ହେଲେ ଆମ ବୁଲିବାଟା ନିଜ ସହର ଭିତରେ, ଏକ ନିବୁଜ ଇଲାକା ଭିତରେ ସୀମିତ ଥିଲା।
ଏଇ ଯେମିତି ହୋଟେଲ ରେ ଖାଇବା, ପୋଷକପତ୍ର କିଣିବା ଇତ୍ୟାଦି ଇତ୍ୟାଦି। ସବୁଜାଗା କୁ ଆମର ସାଙ୍ଗ ହେଇ ଯିବା ଟା ନିଧାର୍ଯ୍ୟ। ସ୍ବାମୀ ଙ୍କ ସଙ୍ଗେ ଗଲେ ସେ ମଜା ଆସେନି, କାହିଁକି ନା ଛୋଟ ଛୋଟ ଖୁସି ର ପସରା ମେଲେଇ ହୁଏନି। ବାନ୍ଧବୀ ଙ୍କ ସାଙ୍ଗରେ ଗଲେ ମନ ହେଲା ତ ବାଟରେ ଅଟୋ କୁ ଅଟକାଇ ଗୁପଚୁପ୍ ଖାଇବା ହେବ, ନହେଲେ ମାର୍କେଟ ବିଲ୍ଡିଂ ର ସନିଆ ଭାଇ ଦୋକାନ ରୁ ଚାଟ ଖିଆଯିଵ। କିଛି ନ ହେଲେ ବାଦାମ ପୁଡିଆ ଟେ କିଣା ହେବ। ଆଉ ଘରକୁ ଫେରିବା ବେଳକୁ ଖାଲି ଚୋପା ତକ ଜରିରେ ଥିବ। ଗପୁ ଗପୁ ଦି ଜଣ ମିଶି ମଞ୍ଜି ତକ ଉଦରସ୍ଥ କରି ସାରି ଥିବୁ। ସତରେ ବାନ୍ଧବୀଙ୍କ ସାଙ୍ଗରେ ବୁଲିବାର ମଜା ନିଆରା। ମନ ଭିତରେ ଉବୁକା ମାରୁଥିବା ପ୍ରତ୍ୟେକ ଭାବନା ର ଖିଅ କୁ ସ୍ଵତନ୍ତ୍ର ମାନ ଦେବା , ମନ ର ପ୍ରତ୍ୟେକ ଅବସ୍ଥା ର ଆକଳନ କରିବା ଏକ ବାନ୍ଧବ ଅବା ବାନ୍ଧବୀ ହିଁ କରିପାରନ୍ତି।
ମୋ ପାଇଁ ରିମା ଆଉ ତାଙ୍କ ଲାଗି ମୁଁ ଥିଲୁ ପରିପୂରକ। କେହି କେହି ଈର୍ଷା ର ବଶବର୍ତ୍ତୀ ହୋଇ କହୁଥିଲେ " ଯୋଡି ନମ୍ବର ୱାନ।"
ପିଲାଙ୍କର ପରୀକ୍ଷା ସରିଥାଏ। ରିମା ପ୍ରସ୍ତାବ ଟିଏ ଦେଲେ" ଅପା, ଆମେ ଦୁଇଜଣ ମିଶି ଓଡ଼ିଶା ବାହାରକୁ ବୁଲି ଗଲେ କେମିତି ହୁଅନ୍ତା?"
" ହଠାତ୍ ଏମିତି ଆଇଡିଆ କେମିତି ଜୁଟିଲା ତମକୁ? "
"ପିଲାମାନଙ୍କୁ ସାଙ୍ଗରେ ନବା କି ନାହିଁ ? ଯଦି ନ ନବା ତେବେ ଛାଡିବା କୋଉଠି ?"
ମୁଁ ଏକ ନିଃଶ୍ୱାସ ରେ ପଚାରି ବସିଲି।
"ବାପା ମାନେ ତ ଅଫିସ ପଳେଇବେ। ଛୁଆମାନେ ଖିଆ ପିଆ ଲାଗି ଭାରି ହଇରାଣ ହେବେ। ନୁହଁ ରିମା?"
ମୋର ଭୃକୁଞ୍ଚନ ହବା ଦେଖି ରିମା ଫିକ୍ କିନା ହସିଦେଲେ।
"କାହିଁକି ମ ଅପା ?ମାଉସୀ ମାନେ ଅଛନ୍ତି କୋଉଥିପାଇଁ?ବେଳେ ଅଧେ ଝିଆରୀ , ପୁତୁରାଙ୍କର ଯତ୍ନ ନିଅନ୍ତୁ ,ପୁଣି ସେମାନେ କେବେ ବୁଲିଗଲେ ଆମେ ସାହାଯ୍ୟ ହଵାନି?"
"ଠିକ କଥା କହିଲ ରିମା, ହେଲେ ମୋର କାହିଁକି ସାହସ କୁଳଉନାହିଁ। କେବେ ଛୁଆଙ୍କୁ କାହାରି ହେପାଜତ ରେ ଛାଡିକି ଯାଇନି ତ!"
"ସାଙ୍ଗ ହେଇକି ଯିବା। କିଛି ଅସୁବିଧା ହବନି ଅପା । ମୁଁ ତ କେତେ ଜାଗା ବୁଲିଛି, ହେଲେ ତୁମେ ତ କୂପ ମଣ୍ଡୁକ ହେଇ ରହିଛ। ଲୋକ ଯାଇ ମଙ୍ଗଳ ଗ୍ରହ ରେ ପହଞ୍ଚିଲେଣି, ତୁମେ ଜୀବନକୁ ସାରୁ ପତ୍ର ରେ ବାନ୍ଧିକି ରଖିଥାଅ।"
"ଚାଲ, ବୋଧଗୟା ଯିବା। ମୋ ଭାଇ ସେଠି ଚାକିରୀ କରେ। ଖୁବ ସୁନ୍ଦର ଜାଗା। ପିଲା ମାନେ ସାନ ଥିଲା ବେଳେ ଯାହା ଆସିଥିଲି। ପାଶୋର ହେଇଗଲାଣି। ଚାଲ, ଦି ଜଣ ସାଙ୍ଗ ହେଇକି ବୁଲିବା ଆଉ ଖୁବ ମଜା କରିବା।"
ସପ୍ତାହକ ଭିତରେ ସବୁ ଫାଇନାଲ ହେଇଗଲା - ଯେମିତିକି , ଯିବା ଆସିବା ଟିକଟ, ପିଲାଙ୍କର ରହିବା ଆଉ ସ୍ୱାମୀ ମାନଙ୍କର ଖାଇବା ପିଇବାର ବନ୍ଦୋବସ୍ତ।
ଘରୁ ଏକୁଟିଆ କେବେ ଗୋଡ କାଢି ନଥିଲି। ଅବଶ୍ୟ ରିମା ଥିଲେ ମୋ ସାଙ୍ଗରେ। ହେଲେ କାହିଁକି କେଜାଣି କିଛି ଜିନିଷ ଛାଡି ଆସିଲା ଭଳିଆ ଲାଗୁଥାଏ। ତେଣୁ ଟ୍ରେନ୍ ରେ ସହଜେ ନିଦ ଆସୁନଥାଏ। ଯଦିଓ, ଖାଇସାରିକି ଖରାବେଳେ ଗଡ଼ପଡ଼ ହଵା ଟା ଏକରକମ ଅଭ୍ୟାସ ରେ ପଡିଯାଇଥାଏ।
ରିମାଙ୍କର ଆଖି ଲାଗିଯାଇଥାଏ 'ଲାପଙ୍ଗା' ଷ୍ଟେସନ ଆସିବା ପୂର୍ବରୁ ।
ଅଜ୍ଞାତ ନିର୍ଜୀବ ଷ୍ଟେସନ ଟିଏ। ଅନୁମେୟ ,ଖୁବ କମ୍ ଗାଡି ଅଟକୁଥିବ।
ଝରକା କାଚ ବାଟେ ବାହାରକୁ ଅନେଇଲି । ଆଶା ଥାଏ ନିଶ୍ଚେ କିଛି ନୂଆ ଜିନିଷ ଦେଖିବାକୁ ମିଳିବ। ସିଏ ଚକଚକିଆ ପଛେ ନ ହଉ, କିନ୍ତୁ ତାର ଏକ ଭିନ୍ନ ପ୍ରକାରର ଆକର୍ଷଣ ଥିବ।
କଥାରେ ଅଛି " ଏ ମନ ଭାବୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା।"
ଦେଖି ମନ ଖୁସି ହେଇଗଲା, ଆଉ ବେଶ୍ ଆତ୍ମତୃପ୍ତି ମିଳିଲା।
ଚାରିଆଡେ କିଆରୀ କିଆରୀ କାଶତଣ୍ଡୀ ଫୁଲ। ପବନ ର ତାଳେ ତାଳେ ମୁଣ୍ଡ ହଲଉ ଥାନ୍ତି, ନିପୁଣା ନର୍ତ୍ତକୀ ପରି। ଗୋଧୂଳି ଲଗ୍ନ ରେ ଖୋଜିଲି ଆକାଶରେ ଜନ୍ହ। କିନ୍ତୁ କାଇଁ ! ଦିଗବଳୟ ର ଶେଷ ଯାଏ କେବଳ ସବୁଜ ପ୍ରାନ୍ତର। ଲାଗିଲା ସତେ ଯେମିତି ଧଳା ଆଉ ସବୁଜ ରଙ୍ଗ ଆଗରେ ଆକାଶ ର ନୀଳ ରଙ୍ଗ ସାମାନ୍ୟ ଫିକା ଦିଶୁଚି ।
ସନ୍ଧ୍ୟା ନଇଁ ଆସୁଥାଏ। ଧଳା ରଙ୍ଗ ଫୁଲ ଉପରେ ବିଚ୍ଛୁରିତ
ଅସ୍ତଗାମି ସୂର୍ଯ୍ୟଙ୍କ ଲାଲିମା ଏକ ମନଛୁଆଁ ଦୃଶ୍ୟ ସୃଷ୍ଟି କରିଥାଏ।
ମୋ ପାଇଁ ଏକକ ଓ ବିରଳ ଅନୁଭୂତି ନିଶ୍ଚୟ। ସହର ଭିତରେ
କାଶତଣ୍ଡୀ ଫୁଲ ଖୋଜିବା , ମରୁଭୂମିରେ ବାଘ ଖୋଜିବା ସଙ୍ଗେ ସମାନ।
ଅନେକ ଇଛା ର ସମାହାର ଏ ଜୀବନ ।
ଇଚ୍ଛା ବା କାମନା ର ଅନ୍ତ ନ ଥାଏ ଜୀବନ ଥିଲା ଯାଏ ।
ମୁଁ ବା କେମିତି ଏକ ବ୍ୟତିକ୍ରମ ହେବି ?
ଆଉ କିଛି ନୂଆ ଜିନିଷ ଦେଖିବା ଆଶାରେ ମୋର ଜିଜ୍ଞାସୁଦୃଷ୍ଟି
ତନ୍ନ ତନ୍ନ କରି ପରଖିଗଲା ଷ୍ଟେସନ୍ ର ଏମୁଣ୍ଡ ରୁ ସେମୁଣ୍ଡ ଯାକେ। ନାଁ, ଆଉ କିଛି ନାହିଁ ଦେଖିବାର।
ଜୀବନର ଅଧିକାଂଶ ସମୟ ଶୋଇବା ଘରୁ ରୋଷେଇ ଘର ଭିତରେ ଏପଟ ସେପଟ ହେଇ କାଟୁଥିବା ମଣିଷ ଟିଏ ପାଇଁ ବାହାର ର ପାଣି, ପବନ ସହଜରେ ବୁଣିଦିଏ ଲକ୍ଷେ ସ୍ମିତହାସ୍ୟ। ହେଲେ, ବେଶ୍ ମଜାର କଥା-ପୂରା ଷ୍ଟେସନ ରେ ସମୁଦାୟ ଯାତ୍ରୀ ଥିଲେ ଦୁଇଜଣ ଆଉ ବୁଲା କୁକୁର ମାନଙ୍କର ସଂଖ୍ୟା ଥିଲା ଚାରି - ତାର ଠିକ୍ ଦୁଇଗୁଣ ।
ମୋର ତୀବ୍ର ଅନ୍ଵେଷା ରେ ଏକ ଶକ୍ତ ପୂର୍ଣ୍ଣଛେଦ ପଡିଲା ।
ଯାତ୍ରୀ ଦୁଇ ଜଣଙ୍କ ଭିତରୁ ଜଣେ ବ୍ୟାଗ ଟିଏ ମୁଣ୍ଡତଳେ ଦେଇ ଶୋଇଥାଏ ବେଞ୍ଚ ଉପରେ। ଏଇଟା ଏକ ଗତାନୁ ଗତିକ କଥା। ସବୁ ଷ୍ଟେସନ୍ ରେ ଏମିତି ଉଦାହରଣ ଦେଖିବାକୁ ମିଳେ।
ଫାଙ୍କା ଜାଗା ଦେଖି ହୁଏତ ବସି ଯାଇଥିବ। ତାପରେ ଆଖି ବନ୍ଦ ହେଇ ଯିବା ଟା ଆଉ ଢୁଳେଇବା ଟା ସ୍ଵାଭାବିକ କଥା। ଧିରେ ଧିରେ ସାମାନ୍ୟ ନିଦ ବି ଲାଗି ଯାଇଥିବ।ତାପରେ କଷିକି ନିଦ ଲାଗିଯାଇଛି।ନହେଲେ, ଭୂଇଁ ଦୁଲୁକାଇ କେତେ ଟ୍ରେନ୍ ସେପଟେ ଯିବଣି ଆଉ ଆସିବଣି, ହେଲେ ବି ତାର ନିଦ ଭାଙ୍ଗୁନି। ସିଏ ମଡ଼ା ପରି ପଡ଼ି ରହିଛି।
ଟିକିଏ ହଲ୍ ନାହିଁ କି ଚଲ୍ ନାହିଁ।ସତରେ ସୁଖୀ ଲୋକଟିଏ।ବୁଦ୍ଧଦେବଙ୍କର ବାଣୀ ମନେ ପଡ଼ିଗଲା - " ଶୋଇବା ଠାରୁ ବଳିକି ସଂସାର ରେ ଆଉ କିଛି ସୁଖ ନାହିଁ।" ଲୋକଟି ମହାପୁରୁଷଙ୍କର ବାଣୀ ର ମର୍ଯ୍ୟାଦା ରଖିବା ସଂଗେ ସଂଗେ ଅକ୍ଷରେ ଅକ୍ଷରେ ପାଳନ ମଧ୍ୟ କରୁଛି।
ଆର ଜଣକ ନିଜ ମୋବାଇଲ୍ ରେ ନିବିଷ୍ଟ ଥାଏ। କୌଣସି ପାସେଞ୍ଜର ଟ୍ରେନ୍ ର ଅପେକ୍ଷା ରେ ଥାଏ ବୋଧେ। କାରଣ, ଏକ୍ସପ୍ରେସ ଟ୍ରେନ୍ ଏଠାରେ କେବେହେଲେ ବି ଅଟକୁ ନଥିବ।
ପାଖରେ ଝୁଲାମୁଣି ଟିଏ, ଆଉ ଥାଏ ଅଧା ବୋତଲ ପାଣି।
ଢେର ସମୟ ଅପେକ୍ଷାରତ ରହି ହତାଶ ଦୃଷ୍ଟି ରେ ରେଳ ଲାଇନ୍ କୁ ଚାହିଁବା ଠାରୁ ସମୟ ର ସଦୁପଯୋଗ କରିବାଲାଗି
ମୋବାଇଲ୍ ରେ ନିମଗ୍ନ ହେବା ଅତି ଉତ୍ତମ କଥା। ଆଜିକାଲି ତ କେତେ ରକମ ର ଅନଲାଇନ୍ ଗେମ୍ ବି ଆସୁଛି।
ଠିକ୍ ଭାବେ ଖେଳିଲେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ର ସୁଯୋଗ ଅଛି।
ହୁଏତ ଅଜ୍ଞାତ ମଣିଷ ଜଣକ ସେଇପରି କିଛି ଖେଳ ଖେଳୁଥାନ୍ତି , ଅବା ପାଣିପାଗ ର ବିବରଣୀ କିମ୍ବା ଟ୍ରେନ୍
ଟାଇମଟେବୁଲ ଉପରେ ଆଖି ପକାଉଥାନ୍ତି।
ନିଜର ଗନ୍ତବ୍ୟ ସ୍ଥଳ ରେ କେତେବେେଳେ ପହଞ୍ଚିବେ - ଏଇ ଚିନ୍ତା ରେ ଭୃକୁଞ୍ଚନ ହେଇ ଯାଉଥାଏ ମଧ୍ୟେ ମଧ୍ୟେ।
ଠିକ୍ ଏଇ ଚିନ୍ତା ଆମ ସମସ୍ତଙ୍କୁ ଉଣା ଅଧିକେ ଘାରୁ ଥାଏ। ବିରକ୍ତିଭାବ ବି ସତାଉ ଥାଏ।
ଲାଇନ କ୍ଳିଅର ନଥିବାରୁ ବେଶ କିଛି ସମୟ ଅଟକିଲା ଟ୍ରେନ ଟି ।
ଷ୍ଟେସନମାଷ୍ଟର ସବୁଜ ପତାକା ଖଣ୍ଡିଏ ଧରିକି ଡିଉଟି ବଜାଉଥାନ୍ତି ।
ବୟସ ଅନ୍ଦାଜ ତିରିଶ ରୁ ପଞ୍ଚତିରିଶ ଭିତରେ ।
ପଛଆଡେ ବ୍ୟାକପାକ ପଡିଥାଏ। ବୋଧେ ତରତର ରେ ଥାନ୍ତି।
ଡିଉଟି ଶେଷ କରି କୁଆଡେ ଯିବାର ଥାଏ ନିଶ୍ଚେ ।
ଟୋକାଟାକଳିଆ ଲୋକ। ମନ ଉଚ୍ଛନ୍ନ ହେବା ସ୍ୱାଭାବିକ।
ହେଲେ କଣ ହବ! ଆମ ଟ୍ରେନ ଟା ପରା ଦାଉ ସାଧୁଥାଏ।
ସିଗନାଲ ସେତେ ପର୍ଯ୍ୟନ୍ତ ମିଳି ନଥାଏ।
ସିଏ ହାତରେ ଥିବା ସବୁଜ ପତାକା କୁ ଥରେ ଅନିଶା କରୁଥାନ୍ତି ତ ଦୂରରେ ଥିବା ସିଗନାଲ ପଏଣ୍ଟ କୁ ଥରେ ଚାଁହୁ ଥାନ୍ତି।
ଅନତି ଦୂରରେ ବୁଲା କୁକୁର ଦୁଇଟି ଖରା ପୋଉଁ ଥାନ୍ତି।
ଶୀତ ବେଶୀ ପଡ଼ିନଥାଏ।ହେଲେ ସେମାନଙ୍କ ର ଆଉ ଯେ କିଛି କାମ ନଥାଏ।
ସକାଳୁ ଗୋଟେ ଅଧେ ଟ୍ରେନ ଅଟକି ଥିବ କି ନାଇଁ,ଖାଦ୍ୟ ର ବ୍ୟବସ୍ଥା କେମିତି ହବ ?
ପେଟରେ ଭୋକ, ଆଖିରେ ନିଦ, ବିଚରା ମାନଙ୍କର ଦୁଃଖ କିଏ ବୁଝିବ?
ଜଣେ ହେଲେବି ହୃଦୟଙ୍ଗମ କଲେନାହିଁ, ମୁଁ ବି ନୁହେଁ।
ବିସ୍କୁଟ ଥିଲେ ଦେଇଥାନ୍ତି, ହେଲେ ବେଳା ଏମିତି ଯେ ଚା ସାଙ୍ଗରେ ଉଦରସ୍ଥ ହେଇ ସାରିଥାଏ ପୁରା ପ୍ୟାକେଟ ଟି। ତର ତର ରେ ପ୍ୟାକିଂ କରିଥିଲି ଆଉ ସ୍ନାକ୍ସ ପୁଟୁଳି ଟି ଆଣିବାକୁ ଭୁଲିଯାଇଥିଲି ।
ବାକି ଦୁଇଟି କୁକୁର ଅପେକ୍ଷାକୃତ କମ ବୟସର- ମାଲୂମ ହଉଥାଏ।
ସେମାନେ ଏପଟ ସେପଟ ହଉଥାନ୍ତି ।
କେହିଜଣେ ବୋଧେ କିଛି ଖାଦ୍ୟ ପଦାର୍ଥ ପ୍ଲାଟଫର୍ମ ଉପରେ ପକେଇଲେ।
ତାକୁ ନେଇ ବେଶ ଯୁକ୍ତିତର୍କ ଆଉ କଜିଆକଳି ହେଲା ଦିଜଣଙ୍କ ଭିତରେ।
ଅବଶେଷ ରେ ସାଙ୍ଗ ହେଇ ଖାଇଲେ।ସେ ଯାହା ହଉ ତାଙ୍କର ବନ୍ଧୁତ୍ୱ ବଜାୟ ରହିଲା।
ତାକୁ ଦେଖି ମନରେ ଏକ ବିଚାର ଆସିଲା -
ମଣିଷମାନେ ଏତେ ଆକ୍ରୋଶ ନିଜ ଭିତରେ କେମିତି ସାଇତି ରଖି ପାରନ୍ତି କେଜାଣି ?
ବୋଧହୁଏ ବୁଝିପାରନ୍ତିନି ଏହାଦ୍ୱାରା କେବଳ ନିଜର ହିଁ କ୍ଷତି ହୁଏ।
କେହିଜଣେ ଆଗତୁରା କ୍ଷମା ମାଗିନେଲେ ସମାଧାନ ର ରାସ୍ତା ଖୋଲିଯାନ୍ତା। ହେଲେ କାହିଁ ହୋଇପାରୁଛି?
ଟ୍ରେନ ଟି ଅଟକି ନଥିଲେ ହୁଏତ ମୁଁ ଅର୍ଦ୍ଧ ଦାର୍ଶନିକ ପାଲଟି ଯାଇନଥାନ୍ତି!
ନିଜ ଭିତରକୁ ଝାଙ୍କି ଦେଖିବାର ସୁଯୋଗ ବି ହାତଛଡା ହେଇଯାଇଥାନ୍ତା।
' ଲପଙ୍ଗା' ସହର ର କୋଳାହଳ ରୁ ଦୂରରେ ଛୋଟିଆ ଯାଗା ଟିଏ।
ଦେଖି ମନେ ହେଲା,ଗତାନୁଗତିକ ଜୀଵନ ରୁ ବହୁତ ଅଲଗା,
ସରଳ ଜୀଵନ ଏଠିକାର ଲୋକମାନଙ୍କର।
ସତରେ ବେଶ ଭଲ ଲାଗିଲା।
ମୋର ବାନ୍ଧବୀ ଆଉ ସହଯାତ୍ରୀ ରିମାଙ୍କର ନିଦ୍ରାଭଙ୍ଗ ହେଇସାରିଥାଏ ସେତେବେଳକୁ।
ଢେର ସମୟ ଧରି ମୋର ଜିଜ୍ଞାସୁ ଦୃଷ୍ଟି ଆଉ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ, ଅବଶ୍ୟ ମୋ ଅଜ୍ଞାତ ରେ।
ଆଉ କହିଲେ, "ବୁଝିଲ ଅପା! ତମେ ତ ପ୍ରଥମେ ନାକ ଟେକିଲ ଷ୍ଟେସନ ଟିକୁ ଦେଖି।
କିନ୍ତୁ ଯାହା ଜଣାପଡୁଛି ତମେ ପ୍ରେମରେ ପଡିଯାଇଛ ଗୋ!"
ବୁଝିପାରିଲିନି କଣ ଉତ୍ତର ଦେଵି,ତେଣୁ ଟିକେ ହସି ଦେଇ ଚୁପ ରହିଲି ।
ତେଣିକି ସିଏ ଯାହା ବୁଝିଥିବେ। ନହେଲେ, ପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ର ସୁଯୋଗ ନିଶ୍ଚେ ଆସିବ,ସେତେବେଳେ ଦେଖାଯିବ। କାହିଁକି ନା ଆହୁରି ଛ ଘଣ୍ଟା ର ଯାତ୍ରା ବାକି ଥାଏ ।
କାଳେ ଭୁଲିଯିବି, ଷ୍ଟେସନ ର ନାଁ ଟି ଟିପି ରଖିଲି। କାରଣ ଆଜିକାଲି ରେଳ ଷ୍ଟେସନ ଆଉ ବିମାନବନ୍ଦର ମାନଙ୍କର
ପୁନଃ ନାମକରଣ ହେଵା ଟା ଏକ ସାଧାରଣ କଥା।ରିମା ଚୁପି ଚୁପି ହସୁଥାନ୍ତି ମୋର କାର୍ଯ୍ୟ କଳାପ ଦେଖି।
ମୁଁ କହିଲି "ବୁଝିଲ ରିମା, ଆଗକୁ ଆହୁରି ବହୁତ କଥା ଦେଖିବାକୁ, ଜାଣିବାକୁ ଅଛି । ଟିପି ରଖିଥିଲେ ସିନା ଘର ଲୋକ, ବନ୍ଧୁ ବାନ୍ଧବ ସମସ୍ତଙ୍କୁ ବିଷଦ ବିବରଣୀ ଦେଇପାରିବା। "
ସମ୍ମତି ସୂଚକ ମୁଣ୍ଡ ଟୁଙ୍ଗାରିଲେ ସିଏ ।
"ଲାପଙ୍ଗା" ନାଁ ଟା ଯେ ମୋର ସ୍ମୃତି ର କାନଭାସ ରେ ସବୁଦିନ ପାଇଁ ଛପି ଗଲା,କହିଲେ ଅତ୍ୟୁକ୍ତି ହେବ ନାହିଁ।
କାହିଁକି ନା... ସିଏ ତାର ସ୍ୱତନ୍ତ୍ରତା ବଜାୟ ରଖିଛି, କାହାକୁ ତ ଅନ୍ଧ ଭାବରେ ଅନୁକରଣ କରିନାହିଁ।
ଛୋଟିଆ କଥା ଟିଏ ନୁହେଁ ।
କୁହୁଡି ର ମୋଟା ଆସ୍ତରଣ ରେ ଜାଗା ଟି ସମ୍ପୂର୍ଣ୍ଣ ହଜିଯିବା ଆଗରୁ ସିଗ୍ନାଲ ମିଳିଯାଇଥିଲା। ଆମ ଟ୍ରେନ୍ ଟି ଛୁକ୍ ଛୁକ ଶବ୍ଦ କରି ନିଜର ଗନ୍ତବ୍ୟ ପଥରେ ଅଗ୍ରସର ହେବାକୁ ଲାଗିଲା।ଆବାସିକ ଅଞ୍ଚଳ ର ବତୀ ମାନଙ୍କର ନିଷ୍ପ୍ରଭ ଆଲୁଅ ରେ ଝାପସା ଦିଶୁଥିବା ସୁଦୀର୍ଘ କାଶତଣ୍ଡି କିଆରୀ ଆଡେ ଶେଷ ଦୃଷ୍ଟି ପକେଇଲି।
ଏକ ଭିନ୍ନ ପ୍ରକାର ବିବଶତା ମୋତେ ଆକ୍ରାନ୍ତ କରି ସାରିଥିଲା।ବୁଝି ପାରୁନଥିଲି , ସତରେ ମୁଁ କଣ ଏଇ ଅଜ୍ଞାତ ରେଳ ଷ୍ଟେସନ୍ ଆଉ ତତ୍ ସଂଲଗ୍ନ ଅପନ୍ତରା ଭୂଇଁ ର ପ୍ରେମ ରେ ପଡ଼ିଯାଇଛି ଅବା ଛାଡ଼ି ଆସିଥିବା ନିଜର ଘର ସଂସାର ର ମୋହ ରେ ସମ୍ପୂର୍ଣ୍ଣ ଭାବେ ନିବିଷ୍ଟ ହୋଇଛି?
ପ୍ରକୃତ ସତ ଟା ଯେ କଣ, କିଏ ତାର ପର୍ଦ୍ଦାଫାଶ କରିବ?
'ରିମା 'ନା ' ସମୟ'?
=ସୁଜାତା ଦାଶ=
