STORYMIRROR

SUJATA DASH

Others

4  

SUJATA DASH

Others

ପ୍ରାପ୍ତି

ପ୍ରାପ୍ତି

23 mins
3



ବାଇନ କକା ଙ୍କ ଖଳା ବାଡ଼ିରୁ ଚାପା ଗଳାରେ କଥାବାର୍ତ୍ତା ହେବାର ଆବାଜ ପାଇ ବଇଜୁ ଭାଇ ବାଡି ଝରକା ଫାଙ୍କରେ କାନ ପାତି ଥାଆନ୍ତି। ଦିନେ କାଳେ କକା ଏମିତି ଚାପା ଗଳାରେ  କଥାହେବା ତାଙ୍କ ନଜିର ରେ ନଥିଲା। ବାଇନ କକା ଯାହା କରନ୍ତି ବେଶ୍ ଖୁଲମ୍ ଖୁଲ୍ଲା ଅନ୍ଦାଜ ରେ। କାହାରିକୁ ତାଙ୍କର ଡର କି ଭୟ ତିଳେ ହେଲେ ନ ଥାଏ।ତାହେଲେ ଆଜି କଣ ହେଲା କେଜାଣି? ପୁରୁଣା କାଳିଆ ଚାରି ଫାଳିଆ ଝରକା ଆମର। ତଳ ଦି ଫାଳ ଝରକା ବନ୍ଦ ଥାଏ ସବୁବେଳେ। ଜନ୍ତୁ ଜୁନ୍ତା କାଳେ ପଶି ଆସିବେ - ଏଇ ଭୟରେ। ତାର ଜାଲି ଲାଗିଥାଏ ଉପର ଝରକାରେ, ମଶା ଙ୍କ ଦାଉରୁ ରକ୍ଷା ପାଇବା ପାଇଁ। ଜାଲି ପାଖରେ ଉତ୍ସୁକ ବଇଜୁ ଭାଇ ଉଣ୍ଡୁ ଥାଆନ୍ତି କିଛି ଜିଅନ୍ତା ଖବର  ଆଶାରେ। ପଡିଶା ଘର ର  ଖବର ଜାଣିବାର ସୁପ୍ତ ଇଚ୍ଛା ଆମ ସମସ୍ତଙ୍କର ଭିତରେ ବଳ ବତ୍ତର ଥାଏ। ତେଣୁ ବଇଜୁ ଭାଇଙ୍କର ଶାଣଦିଆ କାନ ବି ତତ୍ପର ଥାଏ ତଥ୍ୟ କିଛି ସାଉଁଟି ପକେଇବା ଲାଗି। ହେଲେ ଆମ୍ବ ଗଛ ଟା ଦାଉ ସାଧୁଥାଏ।ବେଶ୍ ଝଙ୍କାଳିଆ ଗଛ। ବୟସ ଅନୁମାନ ପନ୍ଦର ରୁ କୋଡ଼ିଏ ଭିତରେ ହବ। ବାରମାସି ଫଳ। ଆମ୍ବ ଦିନ କେବେଠୁଁ ଗଲାଣି। ହେଲେ ପୁଣି କଷି ଧରିଛି ଏଇ ଗଛରେ। କୁଆ, କୋଇଲି, ଆଉ ବଗ ମାନଙ୍କର ଚରା ଭୂଇଁ ହେଇଥିବାରୁ ବାଡିଆଡେ ସବୁବେଳେ କୋଳାହଳ ମୟ ପରିବେଶ ସୃଷ୍ଟି ହେଇଥାଏ। ତେଣୁ ଭାଇ ଯେତେ ଚେଷ୍ଟା କଲେ ବି ପରିଷ୍କାର ଭାବେ କିଛି ଶୁଣି ପାରୁ ନଥାନ୍ତି। ହେଲେ ବଗ ମାଛକୁ ଧ୍ୟାନ କଲା ଭଳି, ତାଙ୍କର ଆଖି ଦୁଇଟି ନିବିଷ୍ଟ ଥାଏ ଘଟଣା ର ରୂପରେଖ ର ଆକଳନ କରିବା ଲାଗି। କୁଲା ଡେରା ହେଲା ରକମ କାନ ବି  ଅତି ସନ୍ତର୍ପଣ ରେ ଡେରା ହେଇଥାଏ କାନ୍ଥରେ। ବଇଜୁ ଭାଇଙ୍କର ପୋଜ ଶତ୍ରୁ ର ସାମ୍ନା କରୁଥିବା ସୈନିକ ଠାରୁ କୌଣସି ଗୁଣ ରେ କମ୍ ନ ଥାଏ। ବନ୍ଧୁକ ମୁନ କୁ ଲକ୍ଷ୍ୟ ଭେଦ ପାଇଁ ପ୍ରସ୍ତୁତ କରିଲା ପରି ତାଙ୍କର ସନ୍ଧାନୀ ନଜର କକାଙ୍କର ଖଳାବାଡି କୁ ଟାର୍ଗେଟ କରିଥାଏ।
ମୁଁ କାମ ବାହାନା କରି ସେଇ ଘର ପାଖରେ ଏପଟ ସେପଟ ହଉଥାଏ ଆଉ ବଇଜୁ ଭାଇଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥାଏ। କଥା କଣ କି , ପଛରେ ତାଙ୍କୁ  ବ୍ଲାକମେଲ କରିବା ର ଏଇ ଗୋଟିଏ ସୁବର୍ଣ୍ଣ ସୁଯୋଗ ଆଉ ମୋର ରୋଜଗାର ର ଏକ ପନ୍ଥା। ତାକୁ ମୁଁ ହାତଛଡ଼ା କରିବାକୁ ଚାହୁଁ ନଥିଲି।ଢେର୍ ଦିନ ହେଲାଣି ଭାଇ କିଛି ବକ୍ସିସ୍ ଦେଇନାହାନ୍ତି।ପଇସା ମାଗିଲେ ଅଥାର ହାଣ୍ଡି ଭଳିଆ ମୁହଁ ଟେ କରି କହୁଛନ୍ତି" ପଇସା କାଇଁ ମୋ ପାଖରେ? ବାପା ତ କେବେ ମନ ଖୋଲିକି ଖର୍ଚ୍ଚ କରିବାକୁ ପଇସା ଦେଇ ନାହାନ୍ତି। ବୋଉ କପର୍ଦକ ଶୂନ୍ୟ।ଏଇ ସୁଧୀର ଆମ ପିଛା ପଇସା ଖର୍ଚ୍ଚ କରେ ବୋଲି ମୋ ପାଖେ ଥାଏ କିଛି ଅର୍ଥ। ହେଲେ ସୁଧୀର ତ ଏଇମାସ ସହର କୁ ଚାଲି ଗଲା ପାଠ ପଢ଼ିବାକୁ। ତେଣୁ ମୋ ଅବସ୍ଥା- 'ଠନ୍ ଠନ୍ ଗୋପାଲ ' ସଙ୍ଗେ ସମାନ।" ଏତିକି ଶୁଣିଲା ପରେ ମୁଁ ଚୁପ୍ ହେଇଯାଏ।କଣ ବା କହିବି ଆଉ! ହେଲେ କୁଆ ଭାଗ୍ୟ ରେ ବେଲ ପାଚିଲା ରକମ୍ ମୋ ଭାଗ୍ୟ ରେ କିଛି ଟଙ୍କା ପଇସା ଉଦୟ ହେଲା ଭଳି ପ୍ରତୀତ ହେଉଥାଏ।
ବାପା ଦୋକାନ ଯିବା ଲାଗି ସଜବାଜ ହଉଥାନ୍ତି। ବୋଉ ବାପାଙ୍କ ଲାଗି ଜଳଖିଆ ତିଆରି କରୁଥାଏ। ବାପାଙ୍କର ମଧୁମେହ ରୋଗ। ପାଞ୍ଚ ବର୍ଷ ତଳୁ ବାହାରିଲାଣି। ବାପା ନିୟମିତ ଭାବେ ମେଡିସିନ ଖାଆନ୍ତି। ଆଜିକା ଟିଫିନ୍ ମୁଗ ଚକୁଳି ଆଉ ସନ୍ତୁଳା। ମୁଁ ବାପାଙ୍କ ଲାଗି ଆସନ ପକେଇ , ଲୁଣ କାଠୁଆ, ଲଙ୍କା, ପିଆଜ ଆଉ ପାଣି ରଖି ସାରି ଥାଏ।ବୋଉ ଚକୁଳି କରିସାରି ସନ୍ତୁଳା ବଘାରୁଥାଏ। ମୋର ଅଯଥା ରେ ଏପଟ ସେପଟ ହବା ଦେଖି ୟା ଭିତରେ ବୋଉ ଦୁଇଥର ତାଗିଦା କରି ସାରିଲାଣି।" ଆଲୋ ମିଲି! ସବୁ ସଜାଡ଼ି କି ରଖିଲୁ କି ନାହିଁ? ମୁଁ ବାଢିଲେ ନେଇଯିବୁ। ବାପା ଖାଇଲା ବେଳେ ବିଞ୍ଚିଦବୁ।ଦେଖିବୁ ସବୁ ଖାଇଲେ କି ନାହିଁ।ଖାଇବା କମିଗଲେ ମୁଣ୍ଡ ବୁଲେଇକି ପଡ଼ିଯିବେ।" " ବୋଉ ସେଇ ସେଇ କଥା କେତେ କହିବୁ କହିଲୁ? ମୁଁ କଣ ଜାଣିନି ମୋର ଟହଲିଆ ଡ୍ୟୁଟି ଲାଗିଚି। ବାପା ଖାଇ ସାରିଲେ ପାଣି ବୋତଲ ଆଉ ତାଙ୍କ ପାନବଟା ବି ହାତରେ ଦେବି।ସବୁ ମନେ ଅଛି ଲୋ।""ମିଲି, ଭାଇ କାଇଁ କିଲୋ? ଉଠିକି ଦାନ୍ତ ଘଷିଲାଣି? ଶୋଇଚି ଯଦି ଉଠାନା। ରାତି ଅଧଯାଏ ପାଠ ପଢ଼ିକି ଶୋଇଥିବ। ଆଗକୁ ଢେର୍ ପରୀକ୍ଷା ଅଛି। ମା ତାରିଣୀ କୃପା କଲେ ବଡ଼ ଚାକିରୀ ମିଳିଯିବ।"ମୁଁ କହି ଆସୁଥିଲି " ଭାଇ ପାଠ ପଢ଼ା ପଢ଼ି କିଛି କରୁନାହାନ୍ତି ଲୋ ବୋଉ। ସିଏ ପଡିଶା ଘର ର କଥା ଶୁଣିବାକୁ କାନ ପାତିଛନ୍ତି ।" ହେଲେ ତା ପୂର୍ବରୁ ବାପାଙ୍କର ଗାଳି ବର୍ଷିବା ପର୍ବ ଆରମ୍ଭ ହେଇଗଲା।" ବୁଝିଲ ବଇଜୁ ବୋଉ! ପିଲାଟା ଆଉ ନୁହେଁ। ଯେତେବେଳେ ଦେଖ ଫୋନ୍ କୁ ଜାବୁଡ଼ିକି ବସିଚି। ପାଠ ପଢ଼ା ପଢ଼ି ରୁ ଧ୍ୟାନ ଗଲାଣି। ନ ହେଲେ ତାରି ସାଙ୍ଗରେ ପଢୁଥିବା ପିଲେ ସବୁ କୂଳ ରେ ଲାଗି ଗଲେଣି। କେହି କେହି ଖୁବ୍ ଉଚ୍ଚ ପଦବୀ ରେ ଅଧିଷ୍ଠିତ ହେଲେଣି। ହଁ, ମୁଷ୍ଟିମେୟ କିଛି ଫାଜିଲ ସାଙ୍ଗ ବାପା ମାଆଙ୍କର ସାହାରା କଣ ହେବେ, ବସି ବସି କେବଳ  ଅନ୍ନ ଧ୍ଵଂସ କରୁଛନ୍ତି।""ଆମ ପିଲା ସେଇ ମାନଙ୍କର ଭିତରୁ ଜଣେ। ଏମାନଙ୍କର ନା ବାପା ମାଆଙ୍କର ଚିନ୍ତା ଅଛି ନା ଘର ପରିବାର ର ଚିନ୍ତା। କେଡ଼େ ସ୍ୱାର୍ଥପର ସତରେ ଏମାନେ। ନିଜର ଭବିଷ୍ୟତ କଥା ସୁଦ୍ଧା ଚିନ୍ତା କରୁନାହାନ୍ତି। ଚେତେଇ ଦେଲେ ବିରକ୍ତିଭାବ ପ୍ରକାଶ କରୁଛନ୍ତି। କହୁଛନ୍ତି -' ଚେଷ୍ଟା ତ ଚାଲିଛି। ଯଦି ସୁଫଳ ନ ମିଳେ, ସେଥିପାଇଁ କଣ ଆମେ ଦାୟୀ?' "
"ହଉ ହେଲା, ତମେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ଆମେ ଜନ୍ମ ଦେଇଚୁ ଯେତେବେଳେ ସବୁ ଭୂଲ୍ ଆମର।ତେଣୁ ସବୁ ପ୍ରକାର ଦାୟିତ୍ଵ ବି ଆମର।"
" ମିଲି, ବୋଉଠୁ ପାନ ବଟା ଟା ଆଣେ। ଡେରି ହେଲାଣି ମୋର। ଫଗୁଆ, ଦୋକାନ ଆଗରେ ତିରଣ ଦେଇକି ବସିଥିବ। ଚାବି ମୋ ପାଖରେ। ମୁଁ ଗଲେ, ଦୋକାନ ଖୋଲିବ। ଦିନଯାକ ନିକିମା ହେବାକୁ ପଡିବ। ତାହେଲେ ଯାଇ ଦି ପଇସା ଘରକୁ ଆସିବ।ତୁ ମା, ଟିକେ ମନଦେଇ ପଢ଼ୁଥିବୁ ଲୋ! ଭାଇ ଭଳିଆ କୁସଙ୍ଗ ରେ ପଡ଼ିବୁନି। ଚାକିରି ଖଣ୍ଡେ କଲେ, ପଇସା କଉଡ଼ି ର ଅଭାବ ମେଣ୍ଟିଯିବ। ହାତକୁ ଦୁଇହାତ ହେଲା ବେଳେ ବିଶେଷ କିଛି ଅଡ଼ୁଆ କି ଅସୁବିଧା ହବନି।ରୋଜଗାରିଆ ଝିଅ ପାଇଁ ବର ମାନଙ୍କର ଲାଇନ୍ ଲାଗିଯିବ। ଯୌତୁକ ଦେଇ ବାହା କରି ପାରିବାର କ୍ଷମତା ମୋର ନାହିଁ। କିନ୍ତୁ, ଭଲ ମନ୍ଦ ବିଚାର କରିବାର କ୍ଷମତା ତ ତୋର ଅଛି। ଯେମିତି ବିଚାର କରିବୁ। "
"ହଉ ଯାଉଚି ମା। ରାତି କି ଦେଖା। ଆସିଲେ କହିବୁ ମତେ,  ଭାଇ ପଢ଼ା ପଢ଼ି କରୁଥିଲା କି ନାହିଁ। ଯଦି ପଢ଼ୁ ନଥିବ କହିବୁ। ରବିବାର ଦିନ ତାକୁ ପରସ୍ତେ ଉଝାଳିବି। "
କହିରଖେ ବାପା ରବିବାର ଦିନ କାମକୁ ଯାଆନ୍ତି ନାହିଁ।ସେଦିନ ଦୋକାନର ବାକିଖାତା ଉଝୁଳା ହୁଏ। ଦାଗୀ ମାନଙ୍କର ହିସାବ ପୃଷ୍ଠା ରେ ନାଲି କଲମରେ ବକେୟା ଅସୁଲି ର ଦିନ ନିର୍ଦ୍ଧାରିତ ହୁଏ। ଦୂର ଦୂରାନ୍ତ ରେ ଥିବା ଲୋକ ମାନଙ୍କ ପାଖକୁ ଫୋନ୍ ଯାଏ। କତିରେ ଥିବା ଲୋକଙ୍କ ଘରେ ବାପା ତାଗିଦ୍ କରି ଆସନ୍ତି।ସେଦିନ ଜେଜେବାପାଙ୍କ ଅମଳର ସାଇକେଲ ର ଭଲ ବ୍ୟାୟାମ ହୁଏ। ଯେତେ ତେଲ ଦିଆ ଗଲେ ବି କେଁ କଟର ଶବ୍ଦ ରେ ପୂର୍ଣ୍ଣଛେଦ ପଡେନି । ସାଇକଲ ରିପାରିଂ ବାଲା କହି କହି ଥକିଲାଣି" ବାବୁ ଗୋଟେ ନୂଆ ସାଇକଲ କିଣ।" ହେଲେ ବାପା ପୂର୍ବପୁରୁଷଙ୍କର ସନ୍ତକ ଟିକୁ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ।

ଭାତ ଖାଇସାରି ବାପା ହାଲିଆ ଦେହଟାକୁ ସପ ଉପରେ ବିଛେଇଦେଲା କ୍ଷଣି ମୁଁ ଯାଇ ଗୋଡ଼ ଘଷିଦିଏ। ବାପା ଜୋର୍ ରେ ଘୁଙ୍ଗୁଡ଼ି ମାରି ଶୋଇ ଯାଆନ୍ତି ଯେ ସଂଧ୍ୟାବେଳକୁ ଉଠନ୍ତି।ବୋଉ ଯାତି ଯାତିକା ସ୍ଵାଦିଷ୍ଟ ଜଳଖିଆ ଆଉ ଚା ପରଷି ଦିଏ।ପରମ ତୃପ୍ତି ରେ ବାପା କହିପକାନ୍ତି " ଆଲୋ ମିଲି, ସବୁଦିନ ରବିବାର ହେଇ ଯାଆନ୍ତାନି ।"
ବାପାଙ୍କର ଦୋକାନ ଯିବା ପରେ ଦାଣ୍ଡ କବାଟ ଦେଇଛି କି  ନାହିଁ, ବୋଉ ର ଆରମ୍ଭ ହେଇଗଲା -  " ଆଲୋ ମିଲି! କୁଆଡେ ଗଲୁ? ଦେଖିଲୁ ବଇଜୁ ଉଠିକି ଦାନ୍ତ ଘଷିଲାଣି କି ନାହିଁ? ଚା ଟୋପେ ବି ପିଇନି ମୋ ପିଲା। ଜଳଖିଆ ହେଇକି ଥୁଆ ହେଲାଣି କେତେ ବେଳରୁ। ଟାଇମି ରେ ଖାଇଲେ ସିନା ଦେହରେ ବଳ ଆସିବ, ପାଠ ମନେ ରହିବ। ଡେରି ଡେରି କାହିଁକି କରୁଛି କେଜାଣି? ଯାଆ ବା। ଖୁମାଣି ଙ୍କ ପରି ଠିଆ ହେଇଚୁ କାଇଁ?"
" ବୋଉ! ଭାଇ ଖାଲି ତୋର ପିଲା, ଆଉ ମୁଁ ନୁହେଁ? ତାଙ୍କ ଖାଇବା ଲାଗି ଏତେ ବ୍ୟସ୍ତ ହେଉଛୁ, ମୋ ପାଇଁ ତ କେବେ ତତେ ବ୍ୟସ୍ତ ହବା ଦେଖିନି।ତାଙ୍କ ଠୁଁ ମୁଁ ଭଲ ପାଠ ପଢୁଛି। ବେଶି ନମ୍ବର ଆଣୁଚି, ହେଲେ ସେଥିଲାଗି କେବେ ତ ତୋ ତରଫରୁ  ସାବାସି ମିଳିନି।ହଁ ବାପା ଦିଅନ୍ତି ସାବାସି। କିସମ କିସମ ଜିନିଷ କିଣି ଦିଅନ୍ତି। ଶ୍ରଦ୍ଧା କରନ୍ତି। ତୁ ସଦାବେଳେ ଖାଲି ପୁଅ ପଟ।"
"ହଁ, ଏତେ ବ୍ୟସ୍ତ ହଉଚୁ ଯଦି ଶୁଣ।ଭାଇ ଆଟୁ ପାଖ ରୁମ୍ ରେ ଝରକା କୁ ଲାଗିକି ଛିଡ଼ା ହେଇଛନ୍ତି। କାନ ତାଙ୍କର କାନ୍ଥ କୁ ପୁରା ଲାଗିଚି। ମୁଁ ଯାହା ଅନୁମାନ କରୁଛି, ବାଇନ କକାଙ୍କ ଖଳାବାଡି ରେ କିଛି ଘଟଣା ଘଟିଛି କି ଘଟିବାକୁ ଯାଉଚି, ଏଇ ଭଳିଆ କଣ।ଭାଇ ସେ ଖବର ନେବାଲାଗି ଚାତକ ଭଳିଆ ଚାହିଁ ବସିଛନ୍ତି।ମୁଁ ଡାକିଲେ ଗାଳି ଶୁଣିବି। ତୁ ଯାଉନୁ, ତୋ ସୁନା ପୁଅକୁ ଡାକି ଆଣିବୁ।"
" ଆଲୋ, ଆଲୋ! ଏସବୁ ତୁଚ୍ଛା କଥାରେ କାହିଁକି ସିଏ ସମୟ ନଷ୍ଟ କରୁଛି? ଦିନ ଆସି ଅଧା ହେଲାଣି। ବେଳୁସୁଁ ଆରମ୍ଭ କରିଥିଲେ ପାଠପଢ଼ା କେତେ ଆଗେଇ ଯାଇଥାନ୍ତା। କଣ କହିବି ଭେଣ୍ଡା ପୁଅକୁ! ସମୟ ର ମୂଲ୍ୟ ଯଦି ନିଜେ ବୁଝି ନ ପାରିବ ତେବେ କିଏ ତାକୁ ବୁଝେଇବ!ଯେମିତି ଆମର ଢଗ ଅଛି' ଚେଇଁ ସୋଇଥିବ ଯିଏ, ତାକୁ ଉଠେଇବ କିଏ?' ତଥାପି ଯାଏ। ଦେଖେଁ କଥା ଶୁଣୁଛି କି ନାହିଁ। ହଁ, ଚୁଲିରେ ପଣସ ଭଜା ଦିଖଣ୍ଡ ବସେଇଚି। ଲେଉଟେଇ ଦବୁ ନ ହେଲେ ପୋଡ଼ିଯିବ। ଲୁଗା କଚା ହେଇକି ସୁଖୁଚି ତାରରେ। ତାକୁ ବି ଲେଉଟ ପାଉଟ କରିଦେବୁ।"" କେତେ କାମ ବତଉଚୁ କିଲୋ? ପାଠ ଆଉ ପଢିବି କେତେବେଳେ? ଉପର କ୍ଲାସ ବହି ଏଇ ଖରାଛୁଟିରେ ଟିକେ ଆଗେଇଦେଇଥାନ୍ତି ଭାବୁଥିଲି। ଛାଡ! ଯେତିକି ହେଇପାରିବ। ଯାହା ଯାହା ବତେଇଲୁ ସବୁ କିନ୍ତୁ କରିଦେବି। ଯା, ଭାଇଙ୍କୁ ମନେଇକି ଚା ପିଏଇବୁ। ତୋ ଗେହ୍ଲା ପୁଅ ପରା!"
ମିଲି ଲୁଗା ଲେଉଟ ପାଉଟ କରିବାକୁ ଯାଇ ଦେଖେ କୁଆ ଦିଟା ତା ବୋଉ ଲୁଗା ର ଇଜ୍ଜତ ମହତ ସାରିଦେଇଛନ୍ତି। ଏହାର ପ୍ରତିକାର କେବଳ ବୋଉ ପାଖରେ ଉପଲବ୍ଧ। ତେଣୁ ଶୁଖିଲା ଲୁଗା ତକ ତୋଳି ଆଣି ଆଲଣା ରେ ରଖି ଧାଇଁଲା ରୋଷେଇ ଘରକୁ। ପଣସ ଭଜା କୁ ଲେଉଟେଇବା ପାଇଁ।ପୋଡ଼ିଗଲେ ଅନର୍ଥ ଘଟିବ।ବୋଉ ର ସବୁଠୁଁ ପ୍ରିୟ ଏଇ ଭଜା। ବାସି ପଖାଳ ସାଙ୍ଗେ ଖାଇବାକୁ ସିଏ ଭାରି ପସନ୍ଦ କରେ।ଆଜି ବୋଧେ ସମସ୍ତଙ୍କୁ ଗରମ ବାଢ଼ି ଦବ ଆଉ ନିଜେ କାଲି ର ବଳିଥିବା ଭାତ କୁ ପଖାଳି ଖାଇବ।
ବାପାଙ୍କର ଅଳ୍ପ ସ୍ଵଳ୍ପ ରୋଜଗାର।ବୋଉ କଣ୍ଟିକି ରାନ୍ଧେ, ହେଲେ କଣ ହେବ ଭାଇ ଚୁପ୍ କରି ସାଙ୍ଗ ଘରେ ମାଂସ ଖାଇବାକୁ ବାହାରି ଯାଇଥିବେ କେବେ କେବେ। ଭାତ ବଳିଯାଏ। ବୋଉ ବିରକ୍ତ ହୁଏ। ହେଲେ ବଳକା ଅନ୍ନ ପଖାଳି ଦିଏ। ପରଦିନ ପିଠଉ ଦେଇ କିଛି ଭଜା ଭାଜିନିଏ ନ ହେଲେ ମିକ୍ଶ୍ଚର୍ ,ଆଲୁସିଝା, କଞ୍ଚା ପିଆଜ ଆଉ ସୋରିଷ ତେଲ ର ଚାଟ୍ ବନେ। ସେଥିରେ ନିଶ୍ଚିତ ଭାବେ ବାଡ଼ିର ନାଲି ଟହ ଟହ ଧାନୁଆଁ ଲଙ୍କା ମନ୍ଥା ଯାଏ। ପାଗ ହେଲେ ବାସ୍ନା ଚଉଦିଗ ମହକେ। ଛୁଟିଦିନ ଥିଲେ ମୁଁ ବୋଉ ସାଙ୍ଗରେ ଗୁଣ୍ଡେ ,ଦି ଗୁଣ୍ଡା ପଖାଳ ଖାଏ। "ତୋରାଣି ମୁନ୍ଦିକ କି ସୁଆଦ! ଜାଣ ସ୍ୱର୍ଗସୁଖ। ମୁଁ ଫିଷ୍ଟ ବହୁତ୍ ଥର ଖାଇଚି। କ୍ଷୀରି, ମିଠା, ମାଛ, ମାଂସ, ପଲଉ, କୌଣସି ଆଇଟମ ବୋଉ ବନେଇଥିବା ପାଗ ର ପାସଙ୍ଗରେ ପଡିବ ନାହିଁ କି ଏଇ ପ୍ରକାର ସନ୍ତୁଷ୍ଟି ମିଳିବ ନାହିଁ।"ଏକଥା ର ଗ୍ୟାରେଣ୍ଟି ଦଉଚି।ଥରେ ଥରେ ମୁଁ ଭାବେ, "ପୃଥିବୀ ର ସବୁ ବୋଉ ଏମିତି ଉତ୍କୃଷ୍ଟ ପାଗ ବନାନ୍ତି ନା ଆମ ବୋଉ ର ପାଗ ନିଆରା? ବୋଧେ, ବୋଉ ମାନେ କିମିଆ ଜାଣନ୍ତି। ସାଧାରଣ ଜିନିଷ କୁ ଅସାଧାରଣ ଭାବେ ପ୍ରସ୍ତୁତ କରିବାର କୌଶଳ, ଆଉ ସମସ୍ତଙ୍କୁ ଖୁସି କରିବାର କଳା ଭଗବାନ ତାଙ୍କ ପାଖରେ ଖଞ୍ଜି ଦେଇଥାଆନ୍ତି। ସେଇଲାଗି ସେମାନେ ଅପ୍ରତିମ।"ପୁଣି କେବେ କେବେ ଭାବେ ..." ବୋଉ ହେବାଟା ଗୋଟିଏ ଖୁବ୍ କାଠିକର ପାଠ।ସମସ୍ତଙ୍କୁ ଖୁସି କରି ଚାଲିଥିବ, କିନ୍ତୁ ନିଜକୁ ଉପେକ୍ଷିତ କରୁଥିବ।ଏଇଟା ଗୋଟେ କି ଜୀବନ ଯେ! ମୂଳରୁ ବାହା ନ ହେଲେ ଗଲା। ଭଲ ଚାକିରୀ କରିଗଲେ ତେଣିକି ବାପା ବୋଉ ଯେତେ ପ୍ରସ୍ତାବ ଆଣିଲେ ବି ମୋର କିଛି ଶୁଣିବାର ନାହିଁ।"
"ବୋଉ କୁ ତା ସୁଖେଇଥିବା ଲୁଗା ବିଷୟରେ ବିଶଦ ବିବରଣୀ ଦବାକୁ ହବ। ନହେଲେ ଖାଲି ଚିଡି ମିଡି ହବ। " କହି ମିଲି ଚାଲିଲା ବାଡ଼ି ପାଖର ଘର ଆଡ଼କୁ। "ଭାଇ ତ ସକାଳ ପହରୁ  କାନ ପାତିଥିଲେ, ବୋଉ ବି ସେଇଠି ଲାଖି ଗଲାନା କଣ?"  ପହଞ୍ଚିକି ମିଲି ଦେଖେ - ନା ବୋଉ ଅଛି ସେଠି ନା ଭାଇ।" ବଡ଼ ଆଚମ୍ବିତ କଥା! କୁଆଡେ ଗଲେ ମା ପୁଅ ଦୁଇଜଣ ଯାକ?" "ଉଭାନ୍ କେମିତି ହେଇଗଲେ? ""ଆରେ ବାଡ଼ି କବାଟ ଟା କିଏ ମେଲା କଲା? ପଡିଶା ଘର ର ଭୂଆ ବିଲେଇ ଟା  ଭାରି ଉତ୍ପାତ ହଉଚି। ପଶି ଆସିଲେ    ଡେକ୍ଚି, ହାଣ୍ଡି , କରେଇ ସବୁଥିରେ ମୁଁହ ମାରିବ। ବୁଲା କୁକୁର ଗୁଡା ବି ପଶିଆସିବେ। ବଡ ହିନସ୍ଥା ହେବାକୁ ପଡିବ।"
ବାଡି କବାଟ କିଳି ଦବାକୁ ଯାଇ ଦେଖେ କୁନ୍ଦୁରି ବୁଦା ପାଖରେ ମା ପୁଅ ଦି ଜଣ ଯାକ କଣ ଫୁସଫୁସ ହଉଛନ୍ତି।ଭାଇ ଟିକେ ସକ ସକ ହଉ ଥାଆନ୍ତି, ବୋଉ ତାଙ୍କୁ ବୁଝେଇ ଚାଲିଥାଏ। ମିଲି ପାଦ ଚିପି ଚିପି ଗଲା।ଯାହା ଶୁଣିଲା , ଦଣ୍ଡେ ଅବାକ୍ ହେଇକି  ରହିଗଲା।ଭାଇ କାନ୍ଦୁଣୁ ମାନ୍ଦୁଣୁ ହେଇ କହୁଥାନ୍ତି -" ବୋଉ ତା ହେଲେ ଏବେ କଣ ହେବ? ତାର ବାହାଘର ଏଇ ଗୁରୁବାର ଦିନ ଫାଇନାଲ ହେଇଯିବ।ରବିବାର ଦିନ ନିର୍ବନ୍ଧ।ପ୍ରଥମ ତିଥି ରେ ବାହାଘର ହେଇଯିବ। ମୁଁ ଲେଖିଥିବା ଚିଠି ବାଇନ କକାଙ୍କ ହାତରେ ପଡ଼ିଗଲା। ସିଏ ଆମୂଳଚୁଳ ପଢ଼ି ରିମି କୁ ଧମକେଇଲେ। ତା ମୋବାଇଲ୍ ବି କକାଙ୍କ ହାତରେ।ଫୋନ୍ ରୁ ଆମ ଚାଟ୍, ମେସେଜ ସବୁ ପଢ଼ିଦେଇଛନ୍ତି  କକା। କାଲି ତା ସାଙ୍ଗ ଫୋନ୍ ରୁ କଥା ହେଲା ରିମି ମୋ ସଙ୍ଗେ। ଭାଗ୍ୟଭଲ, ତା ସାଙ୍ଗ ସୋମା ତାଙ୍କ ଘରକୁ ଆସିଥିଲା ବହି ଦବାଲାଗି। ଘୁମୁରି ଘୁମୁରି କାନ୍ଦୁଥାଏ ଫୋନ୍ ରେ। ଭାରି ବିକଳ ଲାଗିଲା। ବାଇନ କକା ତାକୁ ବହୁତ୍ ଗାଳିଗୁଲଜ କରିଛନ୍ତି। ହାତ ବି ଉଠେଇଛନ୍ତି। ରିମି ର ଫୋନ୍ ପାଇଲା ପରେ ମୁଁ  କାଲିରାତିଯାକ ଶୋଇ ପାରିନି। କଡ ଲେଉଟାଇ, ଏପଟ ସେପଟ ହେଇ ରାତି ପାହିଗଲା। ସକାଳେ ବାଇନ କକା, ତାଙ୍କର ଦୁଇପୁଅ ଖଳା ବାଡ଼ିରେ ରିମି ବାହାଘର ର ନିଷ୍ପତି ନେଉଥିଲେ।ଘରେ କଥାହେଲେ ଖୁଡି  ଜାଣିଯିବେ। ବାସନ୍ତୀ ଖୁଡି ଝିଅ ପଟିଆ।ହେଲେ କଣ ହେବ? ତାଙ୍କ କଥା ଆଉ ଭାବନା ର ମର୍ଯ୍ୟାଦା କିଏ ଦବ ଏକ ପିତୃକୈନ୍ଦ୍ରିକ ପରିବାର ରେ? ଖୁଡି ବାଇନ କକା ଙ୍କୁ ବୁଝାଇବାକୁ ବହୁତ୍ ଥର ଚେଷ୍ଟା କରିଛନ୍ତି, ହେଲେ କିଛି ସୁଫଳ ମିଳିନି ଏ ଯାଏ।""ରିମି କୁ ମୁଁ ବହୁତ୍ ଭଲ ପାଏ ବୋଉ।ପିଲାଦିନରୁ ଏକାସାଙ୍ଗେ ଖେଳିବା, ବୁଲିବା, ସ୍କୁଲ ଯିବା ... ଏକ ପଡୋଶୀ ରୁ ସାଙ୍ଗ ଆଉ ସବୁଠୁଁ ଭଲ ସାଙ୍ଗ ହେବା ଟା ଏକ ଅବ୍ୟକ୍ତିଗତ ଜୀବନର ଧାରା ରୂପେ ପରିବର୍ତ୍ତିତ ହୋଇଥିଲା ଆମ ଦୁଇଜଣଙ୍କ କ୍ଷେତ୍ର ରେ। କେତେବେଳେ ଦୁହେଁ ଦୁହିଁ କୁ ଭଲ ପାଇ ବସିଲୁ, ଜଣା ପଡିଲା ନାହିଁ। ମୋର ଚାକିରୀ ଲାଗିଗଲେ, ବାପାଙ୍କୁ କହିଥାନ୍ତି ବାଇନ କକାଙ୍କ ଘରେ ପ୍ରସ୍ତାବ ପକାଇବା ପାଇଁ।ହେଲେ କାଇଁ! କେତେ ତ ପରୀକ୍ଷା ଦେଲିଣି, କୋଉଥିରେ କିଛି ହଉନି।କି ମୁହଁ ନେଇ ବାପାଙ୍କୁ କହିବି?ହେଲେ, ସତକହୁଚି ବୋଉ ତା ବିନା ବଞ୍ଚି ପାରିବିନି ଲୋ! କିଛି ଉପାୟ ବତା। ନହେଲେ, ଠାକୁରଙ୍କର ପାଖରେ ଗୁହାରି କର କି ମିଲି ର ବାହାଘର ଭାଙ୍ଗି ଯାଉ।"
ବୋଉ ଆଖି ଛଳ ଛଳ କରି କହିଲା" କେଡ଼େ ଅବୁଝା ପିଲାଟେ କିରେ ତୁ? କେମିତି ଠାକୁରଙ୍କୁ କହିବି କି ରିମି ବାହାଘର ଭାଙ୍ଗିଯାଉ, କହିଲୁ ଭଲା! ପଡିଶା ଘର ଝିଅ ଆଉ ମୋ ନିଜ ଝିଅ ଭିତରେ ମୁଁ କିଛି ଫରକ୍ କେବେ ଦେଖିନି। ଏତେ ବଡ଼ ପାପ! ମୋ ଦେଇ ହବନି କହି ଦଉଚି। ବାପା ଫେରନ୍ତୁ କାମରୁ। କଣ କହୁଛନ୍ତି ଦେଖିବା।ତୁ ମନ ଊଣା କରନା। ଚାଲେ, ଦାନ୍ତ ଘଷିକି ଚା, ଜଳଖିଆ ଖାଇବୁ।ଅଧର୍ଯ୍ୟ ହୋ ନା ରେ। ଭଗବାନ୍ ଙ୍କୁ ଡାକ୍।ସେଇ ତତେ ଏଇ ବିପଦରୁ ଉଦ୍ଧାର କରିବେ।"
ହଠାତ୍ ମିଲି ଉପରେ ଆଖି ପଡ଼ିଗଲା ବଇଜୁ ର।ଚିହିଁକି ଉଠି କହିଲା" ଦେଖିବୁ ଆ ବୋଉ, ମୋ ବିରୁଦ୍ଧ ରେ କେମିତି ଷଡ଼ଯନ୍ତ୍ର ଚଲେଇଚି ତୋ ଝିଅ।ଦିନ ଭରି ଖବର ସଂଗ୍ରହ କରିବ।ବାପା ଆସିଲେ ଫୋଡ଼ିବ। ମୁଁ ଗାଳି ଖାଇଲେ ତା ମନ କୁଣ୍ଢେମୋଟ।କି ରାଶି ନକ୍ଷତ୍ର ରେ ଜନ୍ମ ହେଇଥିଲା କେଜାଣି?ମୋ ପାଇଁ ସିଏ ରାହୁ ,କେତୁ ଠାରୁ କୌଣସି ଗୁଣ ରେ କମ୍ ନୁହେଁ।"
" ବୋଉ ଦେଖୁଚୁ? କେମିତିକା କଥା କହୁଛନ୍ତି ଭାଇ! ମୋର ତାଙ୍କ ପ୍ରତି ମନରେ ଶ୍ରଦ୍ଧା କି ସଦିଚ୍ଛା କାହିଁକି ରହିବ କହିଲୁ?ଏଇଠି ଏଇଠି ଏତେ କଥା ହୋଇସାରିଲାଣି ଅଥଚ ମୁଁ ବୋକି ହେଇକି ବଇଚି।ଭାଇ ମୋ ହାତରେ ବହି ପଠଉଛନ୍ତି ରିମି ଅପା କତିକି, ପୁଣି ସେଠୁ ଅର୍ଜେଣ୍ଟ ନୋଟ୍ ଆସୁଚି ଭାଇ ପାଖକୁ। ମୁଇଁ ନିଆ ଅଣା କରୁଛି ହେଲେ ମୋ ମୁଣ୍ଡକୁ ଏସବୁ କଥା କେବେ ଜୁଟିନି।ମତେ କି ଜଣା ଫେର ଭିତରେ ଫେଶନ ଅଛି ବୋଲି! ଜାଣିଥିଲେ ବାପାଙ୍କୁ କହିସାରିଥନ୍ତି ନିଶ୍ଚୟ।"



" ବଇଜୁ, ମିଲି!  ଖୋଲା ମେଲା ଜାଗାରେ ଠିଆ ହେଇକି କାହିଁକି କଜିଆକଳି ଲାଗୁଚ ରେ?କଥାରେ ଅଛି ' କାନ୍ଥର ପରା କାନ ଥାଏ !' ଘରେ ବସି କଥା ହେଲେ ହବନି? ଖରା  ତାତି ରେ କାହିଁକି ଠିଆ ହେଇଚ? ଚାଲ ଘରକୁ।ବିଚାର କଲେ ଉପାୟ ନିଶ୍ଚୟ ବାହାରିବ। "" ବଇଜୁ! ଆସିକି ନିତ୍ୟକର୍ମ ସାରେ। ଦାନା ମୁଠେ ଯାଉ ପେଟକୁ।ବାପାଙ୍କୁ ମୁଁ ବୁଝେଇକି କହିବି। ତେଣିକି ମା ମଙ୍ଗଳାଙ୍କ ଇଚ୍ଛା।"ବୋଉ କଥା ରକ୍ଷା କରି ହଉ ତ ଆଗକୁ ବୋଉର ସାହାଯ୍ୟ ଦରକାର୍ ପଡିବ - ଏକଥା ଭାବିକି ହଉ, ଭାଇ ଅଗଣା କୁ ଓଲ୍ହେଇଲେ। ପାଇପ୍ ଲାଗିଚି ଗୋଟେ କୋଣରେ। ପାଖରେ ପିଣ୍ଡିଟିଏ । ତା ପାଖକୁ ନାଳ। ପିଣ୍ଡି ପାଖରେ ଲୁଗା କଚା କଚି ହୁଏ। ବସା ଉଠା ବି କରୁ ଆମେ। ଦାନ୍ତ ଘଷିବା, ମୁହଁ ଧୋଇବା, ଏଇଠି କରାଯାଏ। ବାକି ଗାଧୁଆଘର ଆଉ ପାଇଖାନା ଟିକେ ଛାଡ଼ିକି।ଭାଇ ଙ୍କ ଚେହେରା ଦେଖି ମୋର ଇତିହାସ ର ଶିଶୁପାଳଙ୍କ କଥା ମନେ ପଡିଗଲା। ଅଜାଣତରେ ଫେଁ କରି ହସିଦେଲି। ଭାଇ ମୋ ହସ ଶୁଣି କି ବୁଲି ପଡ଼ିଲେ। ତାଙ୍କ ଆଖି ଦିଟା ରକ୍ତ ପରି ଲାଲ୍ ହେଇଥାଏ। ଘର ଭିତରେ ତ ନିଶା କରିବାର ସୁଯୋଗ ନାହିଁ, ତା ହେଲେ ଆଉ କଣ କାନ୍ଦିକି ଏ ଅବସ୍ଥା ହେଇଚି! ଡର ଯେତିକି ଲାଗିଲା, ଦୁଃଖ ତା ଠାରୁ ଅଧିକ। ମନେ ମନେ ଅନୁତପ୍ତ ହେଲି। ଯା ହେଲେ ବି ଭାଇ ତ ନିଜର।     ବୋଉ ଖାଇବା ବାଢିଲା। ଭାଇଙ୍କର ଗରମ ଭାତ ,ଡାଲି ତରକାରୀ, ଭଜା ଆଉ କୋଳି ଆଚାର। ତାର ପଖାଳ, ତା ସାଙ୍ଗରେ ପଣସ ଭଜା। ମୋର ଖାଇବା ଆଗରୁ ସରିଥାଏ। ଭାଇ ସେମିତି ଭାତ ଧରିକି ବସିଥାଆନ୍ତି। କୋଳି ଆଚାର ଭାତ ପାଖରେ ଥିଲେ ଭାତ କେମିତି ଉଡିଯାଏ କିଛି ଜଣା ପଡେନି, ହେଲେ ଆଜି ଆଚାର ରେ ହାତ ଏଯାଏଁ ବାଜି ନ ଥାଏ।ବୋଉ ରାଣ, ନିୟମ ଯେତେ ପକେଇଲେ ବି ତାଙ୍କ ପାଟିକୁ ଗୁଣ୍ଡା ଯାଉ ନ ଥାଏ।ଶେଷରେ ବୋଉ ଆସି ପିଠିରେ ମୁଣ୍ଡରେ ହାତ ମାରି କେତେ ସାକୁଲେଇକି ଖୁଆଇଲା। ଭାଇଙ୍କର ଲୁହ ଦୁଇ ଗାଲ ଦେଇ ବୋହି ଯାଉଥାଏ। ବୋଉ ଆମର ଡାହାଣ ହାତରେ ଗୁଣ୍ଡା ବଳୁଥାଏ ଆଉ ବାଆଁ ହାତରେ ଶାଢ଼ୀ କାନି ଧରି ତାଙ୍କର ଲୁହ ପୋଛି ଦେଉଥାଏ। ମା ପୁଅଙ୍କର ଖିଆ ପିଆ , ବୋଉ ର ବାସନ ମଜା ସରିଲା ବେଳକୁ ସନ୍ଧ୍ୟା ଆସନ୍ନପ୍ରାୟ। ଲୁଗା ପାଲଟି, ଭୋଗ ଧରି ବୋଉ ଠାକୁର ଘର କବାଟ ର ଜଞ୍ଜିର ଖୋଲିଲା।ଧୂପ, ଦୀପ ଆଉ ନୈବେଦ୍ୟ ଚଢା ଗଲା। ଗୁଣୁ ଗୁଣୁ ହେଇ ମନ୍ତ୍ର ପଢିଲା। ଏସବୁ ଦୈନନ୍ଦିନ କଥା।କିନ୍ତୁ ଆଜି ଆଉ କିଛି ଅଧିକା କଥା ଥିଲା।ଭାଇ, ଯିଏକି ପୂଜାପୂଜି ର ଧାର ଧାରନ୍ତିନି , ଆଜି ଚକା ଆସନ ପକେଇ, ଆଖି ମୁଦି ଠାକୁର ଦୁଆର ବନ୍ଧ ପାଖରେ ବସିଥାଆନ୍ତି।ତାଙ୍କର ଏଭଳି ପୋଜ୍ ଦେଖି ମୁଁ ବି ଭକ୍ତି ରେ ଗଦ୍ ଗଦ୍ ହେଇଗଲି।ଦୁଇ ହାତ ଯୋଡ଼ି ,ପରୀକ୍ଷା ରେ କେମିତି କୃତକାର୍ଯ୍ୟ ହେବି ଠାକୁରଙ୍କ ପାଖେ ବିନତି କଲି।ଭାଇ ଯାହା ଅଳି କରିଥିବେ ଠାକୁରଙ୍କ ପାଖରେ ସିଏ ତ ଜଣାଶୁଣା କଥା।
ସନ୍ଧ୍ୟା ଗଡିଲା ଉତ୍ତାରୁ, ବୋଉ ରୋଷେଇ ଘର ଆଡେ ମୁହେଇଁଲା। ରାତି ଆଠଟା ସୁଦ୍ଧା ରୋଷେଇ ସରିଥିଲେ, ବାପା ଆସୁ ଆସୁ ଖାଇବେ।କେବେ କେବେ ବାପା ଡେରି କରନ୍ତି, ହେଲେ ବୋଉ ତା କାମରେ ଜମା ହେଳା କରେନି। ତାର ଭାରି ଇଚ୍ଛା ଦୂରଦର୍ଶନ ରେ ସନ୍ଧ୍ୟା ବେଳେ ପ୍ରସାରିତ ହେଉଥିବା ପୌରାଣିକ ଧାରାବାହିକ ଟିକେ ଦେଖନ୍ତା, ହେଲେ ତା ପାଇଁ ମୂଳମନ୍ତ୍ର ହେଲା " କର୍ମ ହିଁ ଜୀବନ"।ସମସ୍ତଙ୍କ ଖାଇବାକଥା ବୁଝିସାରିଲା ବେଳକୁ ରାତି ଅଧ।ତେଣିକି ସିରିଆଲ୍ ଆଉ ନ ଥାଏ। ଯଦି ଅଳ୍ପ ଟିକିଏ ବି ସ୍ୱାର୍ଥପର ହୋଇପାରନ୍ତା, ସୁଖରେ ରହନ୍ତା। କିନ୍ତୁ, କାଇଁ ହୋଇପାରୁଛି? ଅଷ୍ଟଧାତୁ ରେ ଗଢା ଯେ ସିଏ! ତା ଶରୀର କୁ ଦୁଃଖ, କଷ୍ଟ ,ଗଞ୍ଜଣା, ଅପମାନ କିଛି କାଟେନି। କିନ୍ତୁ ଶରୀର ଭିତରେ ଯେଉଁ ଆତ୍ମା ନାମ୍ନୀ ଜିନିଷ ଟି ଅଛି, ସିଏ ତ ନିଶ୍ଚେ ଡହଳ ବିକଳ ହେଉଥିବ।ହେଲେ ସେ ଖବର ଆମ କାହାରି ପାଖରେ ନ ଥାଏ।
ସନ୍ଧ୍ୟା ବେଳ ପାଖରୁ ମୋ ମନ କୁ ଅହେତୁକ ଆଶଂକା ଘେରି ରହିଥାଏ। ଦଣ୍ଡେ ଛାଡ଼ି, ଘଡ଼ିଏ ଛାଡ଼ି ମୁଁ ଦାଣ୍ଡ ଦୁଆର ପାଖରେ ଅନିଶା କରିଆସୁଥାଏ।" ସତରେ କଣ ବୋଉ ବାପାଙ୍କ ଆଗରେ କହିପାରିବ ଏତେବଡ ଗୁମର ର କଥା! ବାପା ଶୁଣିକି କ'ଣ କହିବେ? ଭାଇଙ୍କୁ ଗାଳି ଗୁଲଜ, ବାଡ଼ିଆ ପିଟା କରିବେ କି  ସମାଧାନ ର ରାସ୍ତା ବାହାର କରିବେ ? " ବଡ଼ ଭାଳେଣି ରେ ପଡିଲି ଯେ!
କିଛି ସମୟ ପରେ ଦାଣ୍ଡ ପିଣ୍ଡା ରେ ସାଇକଲ ରଖିବାର ଶବ୍ଦ ହେଲା।ବାପା କବାଟ ଠକ୍ ଠକ୍ କଲେ। ବୋଉ ର ରୋଷେଇ ସରିଯାଇଥିଲେ ମଧ୍ୟ ଚୁଲିମୁଣ୍ଡେ ବସିଥାଏ।ଭାଇ ଙ୍କ କଥା ଛାଡ଼। ସିଏ ପଢ଼ାଘରେ ବହିମେଲେଇ କି ବସିଥାଆନ୍ତି। ସତ ସତିକା ପଢ଼ୁଥାଆନ୍ତି କି ବାହାନା କରି ବସି ଥାଆନ୍ତି , କେବଳ ଭଗବାନଙ୍କୁ ଜଣା।ତେଣୁ ମୁଁ ହିଁ  ହେଲି ଏକମାତ୍ର ଲୋକ ଯିଏକି କବାଟ ଫିଟା ଦାୟିତ୍ଵ ଟି ସୂଚାରୁ ରୂପେ ତୁଲାଇ ପାରିବ।ସେଇଆ ହିଁ ହେଲା। ମୁଁ କବାଟ ଖୋଲିଲି।ବାପା ମୁଣିଏ ତେଲଛଣା ଜଳଖିଆ ଆଣିଥାନ୍ତି। 
ଏଇଟା ସବୁଦିନିଆ ବ୍ୟାପାର ନୁହେଁ।ଯେଉଁଦିନ ଅଧିକ ବେପାର ହେଇଥାଏ, ସେଇଦିନ ବାପା ସରାଗ ରେ  ବଜାର ଜଳଖିଆ ଆଣନ୍ତି।ମୁଁ ତ ଖାଏ, ଭାଇ ଙ୍କର ବି ଭାରି ପସନ୍ଦ। ବାକି ବୋଉ ନା, ନା କଲେ ବି ତାର ଆଶା ଥାଏ। କହେ,  ପିଲେ ମୋର ଖାଇବେ।ମୁଁ ନ ଖାଇଲେ ଚଳିବ। ସେଇଲାଗି ବାପା ଜାଣି ଜାଣି ତାଙ୍କ ପତ୍ର ରେ କିଛି ଛାଡ଼ି ଯାଆନ୍ତି। ବୋଉ ବାଧ୍ୟ କଲେ କହନ୍ତି,ପେଟ ଟା ଫାମ୍ପୀଚି ଆଜି। ସେତିକି ଖାଇବି।କି ନିବିଡ ପ୍ରେମ ସତରେ! ଉପରେ ଯେତେ ମୁଁହ ଫଟା ଫଟି ହେଲେ ବି ତାଙ୍କର ପ୍ରୀତି ଅନନ୍ୟ।ମୁଁ ଜଳଖିଆ ମୁଣି ଟିକୁ ବାପାଙ୍କ ପାଖରୁ ଆଣି ବୋଉ ହାତରେ ଦେଲି।ବୋଉ ଆଦେଶ ଦେଲା -" ବାଢ଼ି ଦଉଚି। ଯା, ବାପାଙ୍କୁ , ଭାଇକୁ ଦବୁ। ତୁ ବି ଖାଇବୁ। ଭାଇକୁ ତାଗିଦ୍ କରିଦବୁ। କହିବୁ, ବାପା ଯଦି ଅକସ୍ମାତ୍ ସେ ଘରକୁ ଆସନ୍ତି ତେବେ ପାଠ ପଢା ଚାଲିଛି ବୋଲି ନମ୍ର ଭାବେ, ମୁଣ୍ଡ ପୋତିକି କହିବ। ବାପା ଧୂଆଧୁଇ ହେଇକି ଖାଇ ସାରନ୍ତୁ , ମୁଁ ଯାଇ କଥା ବାର୍ତ୍ତା କରିବି।ତୁ ଉପରେ ପଡ଼ିକି ଫଡ ଫଡ ହେବା ଦରକାର୍ ନାହିଁ।"ମିଲି, ବୋଉ କଥା ଅକ୍ଷରେ ଅକ୍ଷରେ ପାଳନ କଲା।ବାପା ଖାଇ ସାରି ପଚାରିଲେ" ଆଲୋ ମିଲି, ତତେ ଆଜିକା ଜଳଖିଆ କେମିତି ଲାଗିଲା?ଆଜି ଲାଗୁଆ ଦୋକାନ ଟା ବନ୍ଦ ଥିଲା। ଆଉଗୋଟେ ଦୋକାନ ରୁ ଆଣିଥିଲି ତ!"" ଭଲ ଲାଗିଲା ବାପା।ସ୍ଵାଦ ଉଣେଇଶ ବିଶ ଫରକ୍। ବୋଉ ଭଲକି ବୁଝି ପାରେ।ଭାଇ ବି ଜାଣି ପାରନ୍ତି, ହେଲେ ମୋର ଏସବୁ ଜିନିଷ କୁ ଅନ୍ଦାଜ ପାଏନି। ବୋଧହୁଏ ଠାକୁର ମତେ ଗଢ଼ିଲା ବେଳେ ସ୍ଵାଦ ଶିରା ଟା ପାଟିରେ ଯୋଡ଼ିବାକୁ ଭୁଲି ଯାଇଛନ୍ତି।"" ତୋର ଯେତେକ ଯାକ ବାକ୍ ଚାତୁରୀ କଥା ବୁଝିଲୁ! ଆଉ ଭାଇ ପାଠ ପଢୁଛି ନା କୁଆଡେ ସାଙ୍ଗ ମେଳ ରେ ବୁଲୁଛି?"ବାପା ପଚାରିଲେ।
" ଭାଇ ତାଙ୍କ ପଢ଼ା ଘରେ ସନ୍ଧ୍ୟା ପାଖରୁ ଅଛନ୍ତି।"" କି ଭାଗ୍ୟ ମୋର ଲୋ ମିଲି! ବିନା ତାଗିଦ୍ ରେ ପୁଅ ମୋର ପାଠ ପାଖେ ବସିଚି।ତୋ ବୋଉ ବୋଧେ ବକିଥିବ ନହେଲେ ବାପା ଲୋ ଧନ ଲୋ କହି କାକୁତି ମିନତି ହେଇଥିବ।ଯା ହଉ ଗୋଦରି ବେଦୀ କି ତ ଗଲା।ଏଇ ଭଳିଆ ଚେଷ୍ଟା କଲେ ସିନା ଭାଗ୍ୟ ବଦଳିବ।ବିନା ପରିଶ୍ରମ ରେ କେବେ ସୁଫଳ ମିଳିଲାଣି କାହାରିକୁ? "ମିଲି ଆଉ କଣ କହିବ? ପାଟି ଚୁପ୍ କରି ରୋଷେଇଘର ଆଡେ ଧାଇଁଲା। ବୋଉ କୁ ଯେ ରିପୋର୍ଟ କରିବାକୁ ପଡ଼ିବ କି ବାପା ଜଳଖିଆ ଖାଇ ସାରିଲେଣି। ଏବେ ନାଲି ଚା ର ପର୍ବ ହବ।
ନାଲି ଚା ସୋଷାଡ଼ି କି ପିଇ ସାରିଲେ, ଏକ ଖୋଲା  ହସ ହସନ୍ତି ବାପା। ସତରେ , ଜୀବନରେ ଏଇ ଛୋଟ ଛୋଟ ଜିନିଷ ସବୁ ହିଁ ପରମ ତୃପ୍ତି ପ୍ରଦାନ କରିଥାଏ।ଜୀବନକୁ ଖୁବ୍ ନିକଟରୁ ଦେଖିଥିବା ଆଉ ସମ୍ପୂର୍ଣ ତର୍ଜମା କରିସାରିଥିବା ଲୋକଟିଏ ପାଇଁ  ବେଶୀ କିଛି ଲୋଡା ନ ଥାଏ ଖୁସିରେ ରହିବା ଲାଗି।
ବୋଉ ମୋ ହାତ ଧରି ରୋଷେଇ ଘର ଭିତରକୁ ଟାଣି ନେଲା। ପଚାରିଲା - " ଆଲୋ ଝିଅ! ବାପାଙ୍କ ମୁଡ୍ କେମିତି ଏବେ?ମୁଁ ଯାଇ କଥାବାର୍ତ୍ତା କଲେ ଚଳିବ ତ!"" ହଁ ଯା।କିନ୍ତୁ ଭଗବାନ୍ ଙ୍କୁ ସ୍ମରଣ କରୁଥିବୁ।ବାପାଙ୍କ ମୁଡ୍ ଏଇନେ ଏଇଠି ଥିବ, ଆଖି ପିଞ୍ଚା ପଡିଲା ବେଳକୁ ଯୋଜନେ ଦୂରରେ।"ବୋଉ  " ହେ ମହପ୍ରୁ" କହି ଦାଣ୍ଡ ଘର ଆଡେ ଚାଲିଲା।ବାପା ପୁରୁଣା କେଁ  କେଁ ଡାକୁଥିବା ଆର୍ମ ଚେୟାର ଉପରେ ଅବଶ ଦେହଟାକୁ ଫିଙ୍ଗି ଦେଇଥାଆନ୍ତି। ଆଖି ଅର୍ଦ୍ଧମୁଦ୍ରିତ୍ ଥାଏ।ବୋଉ ସାମାନ୍ୟ ଗଳା ଖଙ୍କାର ମାରି ବାପାଙ୍କୁ ସୁପ୍ତ ରୁ ଜାଗ୍ରତ ଅବସ୍ଥା କୁ ଆଣିବାକୁ ଚେଷ୍ଟା କଲା। ସୁଫଳ ମିଳିଲା ମଧ୍ୟ।
" ଗଳା ଖସ୍ ଖସ୍ ହଉଚି ନା ଗଳା ଖଙ୍କାର ମାରୁଚୁ? କିଛି କହିବୁ ବଇଜୁ ବୋଉ?"
ମନରେ ଡର, ଛାତି ରେ ଆଶଂକା ଆଉ ବେଦନା ଏସବୁ ଫେଣ୍ଟା ଫେଣ୍ଟି ହେଇ ବୋଉ ର କଥା ର  ଆରମ୍ଭ ଟା ମୋଟାମୋଟି ଏଇରକମ ହେଲା-   "ମଢି ଅପା ଘର ଗାଈ ପିଲା ଦେଇଛି। ଦାମ ପିଉସାଙ୍କ କେଉଁ ଅମଳ ର ଘର ଭଙ୍ଗା ହେଇ ନୂଆ ଘର ତିଆରି ଚାଲିଛି। ତାଙ୍କ ପୁଅ ଚାକିରୀ ଛାଡ଼ି ଏଠି ବ୍ୟବସାୟ କରିବ।ସହର ପାଣି ପବନ ତା ଦିହରେ ଗଲାନି। ଭଲ ହେଲା, ଦି ଆଡକୁ ପାଇବ। ନିଜର ବେଉସା ଦେଖିବ। ବୁଢ଼ା ବାପା ମାଙ୍କର ସାହାରା ବନିବ।ପଞ୍ଚେଇ ମାଉସୀ ର ଜମି ବିକ୍ରି ହେବ। ତାର ତ ବର ନାହିଁ କି ପୁଅ ନାହିଁ , କିଏ ବୁଝା ସୁଝା କରିବ? ସେଇଲାଗି ତରବର ହଉଚି କାମ ସାରିବା ଲାଗି।କହୁଥିଲା ପଇସା ହାତକୁ ଆସିଲେ ବୃନ୍ଦାବନ ଯିବ। ଶେଷ ଜୀବନ ସେଇଠି କଟିବ ତାର। ଜଣେ ଅଧେ ଆସି ଦେଖି ମୂଲଚାଲ କରିକି ଯାଇଛନ୍ତି।ହେଲେ କିଛି ଏଯାଏ ଫାଇନାଲ ହେଇନି।"
 ବୋଉ ସିଧା ସଳଖ କଥା ଟା ନ କହି  ଇଆଡୁ ସିଆଡୁ କଥା କହି ଚାଲିଲା, ପରିସ୍ଥିତି କୁ ସହଜ କରିବା ଲାଗି। 
" ମିଲି ! ତୋ ବୋଉ ର ଆଜି କଣ ହେଇଚି କିଲୋ? କାହିଁକି ଅକାରଣ ରେ ବାଉଳି ଚାଉଳି ହଉଚି? " 
"କଣ କହିବାର ଅଛି ସଫା ସଫା କହୁନୁ? ଦୁନିଆଁ ଯାକର ଖବର ଓଗାଳୁଚୁ କଣ ପାଇଁ? ୟା ତା ର ହାନି ଲାଭ କଥା ରୁ ଆମକୁ କଣ ମିଳିବ? ଏଗୁଡ଼ାକୁ ପରନିନ୍ଦା ବା ପରଚର୍ଚା କୁହାଯାଏ। ସମୟ ମିଳୁଚି ଯଦି ଗୀତା ଭାଗବତ ପଢ଼ୁନୁ।ଶାନ୍ତି ମିଳିବ।"
ବୋଉ ର ମନରେ ସାହସ ଆସିଗଲା। ଗଳା ସାମାନ୍ୟ  ସଫା କରି ଆରମ୍ଭ କଲା -" ମୁଁ ବେଶ୍ ଭଲରେ ଅଛି। ଭଗବାନଙ୍କ ଦୟାରୁ ଖୁବ୍ ଶାନ୍ତି ରେ ଅଛି।"" କଥା କଣ କି, ଆମ ବଇଜୁ କୁ ତେଇଶି ପୁରି ଚବିଶ ଚାଲିଲା।ପରିକ୍ଷାପତ୍ର ଦଉଚି, ଖୁବ୍ ଚେଷ୍ଟା ବି କରି ଚାଲିଛି। ହେଲେ ଆଜି ଯାଏ ସୁଫଳ ମିଳିନି। ତା ମାନେ ନୁହେଁ ଯେ ତା ମୁଣ୍ଡ ରେ ବୁଦ୍ଧି ନାହିଁ କି ଆଗକୁ ସଫଳତା ତା ମଥା ଚୁମିବନି। ମୋ କହିବା କଥା, ତାକୁ ହାତକୁ ଦୁଇହାତ କରିଦେଲେ ସିଏ ଟିକେ ଦାୟିତ୍ବବାନ ହେଇଯାନ୍ତା । ନାଁ କଣ କହୁଚ?"
ବୋଉ ପାଟିରୁ କଥା ସରିଛି କି ନାହିଁ ବାପା ଚିହିଁକି ଆସିଲେ।
" କଣ ହେଲା, ବୁଢ଼ା ପୁଅ ଟାକୁ ମୁଁ ପୋଶୁଚି। ପୁଣି ତା ସ୍ତ୍ରୀ , ପିଲା ସମସ୍ତଙ୍କୁ ପୋଷିବି? ଭଲ କଥା! ଚାକିରୀ ବାକିରି କରିଥିଲେ, ଏତବେଳକୁ ସୁନାନାକି ବୋହୂ ଆସି ସାରିଥାନ୍ତା।ମୂଳରୁ ମାଇପ ନାହିଁ ନା ପୁଅ ନାଁ ଗୋପାଳିଆ !"
ଏତିକି ଶୁଣିଲା ପରେ ବୋଉର ଅକଲ୍ ଗୁଡ଼ୁମ୍ ହେଇଗଲା।କିନ୍ତୁ ସାହସ ବାନ୍ଧି କହିଲା -
" ପିଲା ତ ଆମରି। ତାକୁ ତ ଆଉ ଫୋପାଡି ଦେଇ ପାରିବାନି।ଭାଗ୍ୟ ଦୋଷ ରୁ ଏଯାଏଁ ସଫଳତା ମିଳିପାରିନାହିଁ।ସବୁ ଦିନ ତ ଆଉ ଏ ଅବସ୍ଥା ରହିବ ନାହିଁ।ଗ୍ରହ, ନକ୍ଷତ୍ର ଠିକ୍ ଜାଗାରେ ଏକତ୍ରିତ ହେଲେ, ଶୁଭ ବେଳା ଆପେ ଆସି ପହଞ୍ଚିବ।କେତେ ଚାକିରୀ ମିଳିବ ଛାଏଁ ଛାଏଁ। ଗ୍ରହ ଶାନ୍ତି ପାଇଁ ବ୍ରାହ୍ମଣ ନନା ଙ୍କୁ ଡାକିବାକୁ ହବ। ତାଙ୍କରି ପରାମର୍ଶ ରେ ଉପଚାର ର ବ୍ୟବସ୍ଥା ଜଲଦି କରିବା। ନାଁ କଣ କହୁଚ ତୁମେ?"
" ମୁଁ ଆଉ କଣ କହିବି? ସବୁ ତ ତୁ କହୁଚୁ। ପୁଅ ର ମୁଣ୍ଡ ବିଗାଡିବାରେ ତୋର ପ୍ରଚ୍ଛନ୍ନ ହାତ ରହିଛି।ସ୍ନେହ, ଆଦର ତା ଯାଗାରେ, ଆକଟ କରିବା ତା ଯାଗାରେ। ମୁଁ କଣ ବଇଜୁ କୁ ସ୍ନେହ କରୁନି ନା ତାର ଶୁଭ ମନାସି ଠାକୁରଙ୍କ ପାଖରେ ଅର୍ଘ୍ୟ ଜାଳୁନି? ହେଲେ ତୋ ଭଳିଆ ଅନ୍ଧ ସାଜି ତାର ଭୁଲ ଭଟକା ସବୁକୁ ଘଣ୍ଟ ଘୋଡଉନି । ସିଏ ନାଁ କମେଇଲେ ସେଇଟା କଣ ମୋ ପାଇଁ ଗର୍ବ ର ବିଷୟ ହବନି? ଜୀବନ ରେ କିଛି ହାସିଲ କରିବାକୁ ହେଲେ ସେଥିଲାଗି କର୍ମ କରିବାକୁ ହବ। ସିଏ ଏକ ପ୍ରକାର ସାଧନା କହିଲେ ଅତ୍ୟୁକ୍ତି ହବନି। ହେଲେ ଆମ ପୁଅ ପରିଶ୍ରମ କାତର। ହାତୀ ସୁନା କଳସ କେବେ ଢାଳିବ , ସେଇ ଆଶା ରେ ବସିଚି। ବସିଥାଉ ସେମିତି। "
" ହେଇଟି ବଇଜୁ ବାପା! ମୋ କଥା ଟିକେ ଶୁଣ। ଆମ ରିମି , ଏଇ ବାଇନ ଭାଇ ଝିଅ, ବୋହୂ ହେଲେ କିମିତି ହୁଅନ୍ତା? ପଡିଶା ଘର। ପିଲା ଦିନୁ ତାକୁ ଦେଖୁଚେ ଆମେ। ଗୋଟିଏ ଚାଉଳ ରେ ଗଢା।ରୂପ ଠାରୁ ଗୁଣ ଆହୁରି ସୁନ୍ଦର। ଘର କାମରେ ନିପୁଣ । ବାହାର କାମ ବି ତୁଲେଇପାରେ। ସ୍କୁଟି ଚଢ଼ି କଲେଜ ଗଲାବେଳେ ମୁଁ ତାକୁ ଦଣ୍ଡେ ଅନେଇଥାଏ।ଭାଗ୍ୟ ରେ ଥିଲେ ଏମିତି ଝିଅଟିଏ ମିଳେ।"" ଟିକିଏ ସରମ କର ବଇଜୁ ବୋଉ।ଏଭଳି ସର୍ବଗୁଣ ସମ୍ପନ୍ନ ଝିଅ ଭାଗ୍ୟ ରେ କେତେ ଉଚ୍ଚ ଶିକ୍ଷିତ, ମୋଟା ଅଙ୍କରେ ପଇସା କମାଉଥିବା ଚାକିରିଆ ପୁଅ ଥିବେ। ଆମ କୁଳାଙ୍ଗାର କୁ ସେମାନେ ବାସିପତ୍ର ରେ ପଚାରିବେନି। କାହିଁ ଆକାଶ କଇଁଆ କାହିଁ ଚିଲିକା ମାଛ! "
" ତୁମେ ଯାହା କହିଗଲ ବଇଜୁ ବାପା , ସବୁ ଅକ୍ଷରେ ଅକ୍ଷରେ ସତ। ହେଲେ, ଏଠି କଥା ର ଟିକେ ଭିନ୍ନ ମୋଡ଼ ଅଛି। ରିମି ଆଉ ବଇଜୁ ଦୁହେଁ ଦୁହିଁଙ୍କୁ ପସନ୍ଦ କରନ୍ତି। ରିମି ର ବୋଉ ଏମାନଙ୍କର ମିଳାମିଶା କୁ ନେଇ ଖୁବ୍ ଖୁସି। ତାର କହିବା କଥା 'ଝିଅ ଆଖି ଆଗରେ ରହିବ।ପରିବାର ବି ଜଣାଶୁଣା। ବଇଜୁ ଆଜି ନହେଲେ କାଲି ଚାକିରୀ ତ ପାଇବ। ରିମି ବି ଚାକିରୀ କରିବ। ଦି ଜଣ ରୋଜଗାର କଲେ ସୁରୁଖୁରୁରେ ସଂସାର ଚଳିବ।' ""ହେଲେ, ବାଇନ ଭାଇ ଆଉ ତାଙ୍କ ପୁଅ ମାନଙ୍କର ଏଥିରେ ସମ୍ମତି ନାହିଁ।ତେଣୁ , ତୁମେ ଯଦି କଥାବାର୍ତ୍ତା କରନ୍ତ, ତାହେଲେ କ୍ଷୀଣ ଆଶା ଟିକକ ବିଶ୍ୱାସ ରେ ପରିଣତ ହୁଅନ୍ତା।ସହର ବଜାର ଯାଗାରେ ଝିଅ ପୁଅ ନିଜ ପସନ୍ଦ ରେ ବାହା ହଉଛନ୍ତି।ବାପା ମା ରାଜି ନହେଲେ, ସାଙ୍ଗସାଥିଙ୍କୁ ନେଇ କୋର୍ଟ ରେ ନ ହେଲେ ମନ୍ଦିର ରେ ବାହାଘର କାମ ତୁଲାଉଛନ୍ତି।ବାପା ମା ଚାହିଁଲେ ବି କୌଣସି ପ୍ରକାର ବାଧା ସୃଷ୍ଟି କରି ପାରୁନାହାନ୍ତି।କାରଣ ସେମାନେ ସାବାଳକ।ପୋଲିସ ପାଖେ ନାଲିସ୍ କଲେ ଉତ୍ତର ମିଳୁଚି'ସାବାଳକ ମାନଙ୍କ ଇଚ୍ଛା ଵିରୁଦ୍ଧ ରେ ଆମେ କଣ, କୋର୍ଟ କଚେରୀ ବି ଯାଇ ପାରିବନି।' "ବୋଉ ର କଥା ଶୁଣି ବାପା ତଟସ୍ଥ ହେଇଗଲେ। ଜଣେ ଆଇନଜୀବି ପରି ବୋଉ ସଠିକ୍ ପଏଣ୍ଟ ଉପରେ ତାର ଯୁକ୍ତି ବାଢ଼ି ଚାଲିଥାଏ।କେଉଁ ଉପାୟରେ ତାକୁ ଖଣ୍ଡନ କରିବେ ଭାବିକି ବାପାଙ୍କ ଭୃକୁଞ୍ଚନ ହେଇ ମଥାଣ କତିକି ଲାଗି ସାରିଥାଏ। ବୋଉ ର ମତାମତ ଏବଂ ଯୁକ୍ତି କୌଣସି ଉପାୟରେ ଖଣ୍ଡନ କରିବାର କୌଶଳ ବାପା ସନ୍ଧାନ କରୁଥାନ୍ତି।ବାପା କୃତକାର୍ଯ୍ୟ ହେବା ପୂର୍ବରୁ ବୋଉ ର ଦ୍ଵିତୀୟ ଅଧ୍ୟାୟ ଆରମ୍ଭ ହେଇଗଲା।" ଯେଉଁ କଥା ସବୁ ଜୀବନ ର ବିଷର୍ଣ୍ଣତା ବୋଲି ଭାବୁଛ, ସେଇ ସବୁ ହେଲା  ଜୀବନକୁ ନେଇ ନିଜେ ଆଙ୍କିଥିବା ଛବି।ଭଲ କରି ଅନୁଧ୍ୟାନ କର, ସେଇଥିରୁ ନୂଆ ଦିଗ ଆବିଷ୍କାର କରିପାରିବ। ଜିନିଷ ଟିକୁ ସହଜ ଓ ସରଳ କରି ଶିଖ।ତାହେଲେ ଆମ ବଇଜୁ ର ଭଲ ଗୁଣ ସବୁ ଦୃଷ୍ଟି  ରେ ଆସିବ। କ' ଣ ସିଏ ବିଡି ସିଗାରେଟ୍ ପିଉଛି? ମଦ, ଗଞ୍ଜେଇ ପାଖ ପଶୁଛି? ଆଜି କାଲିକା ଲଫଙ୍ଗା ଟୋକା ମାନେ ଯେମିତି ସାହି ଝିଅ, କୂଳ ଭୁଆସୁଣୀ ମାନଙ୍କୁ କମେଣ୍ଟ ମାରୁଛନ୍ତି, ଆମ ପିଲା କଣ ସେସବୁ ର ଧାର୍ ଧାରୁଛି? ନୁହେଁ ନା? ତାହେଲେ,  ତା ଠାରେ ବଦଗୁଣ ଆଉ ରହିଲା କେଉଁଠି? ତୁମ ଚିନ୍ତା କରିବାର ପରିଧି କୁ ଟିକିଏ ପ୍ରସାରିତ କର। ଦେଖିପାରିବ ଏଇ ଆମ ଛୋଟ ଦୁନିଆଁ ଟି କେଡ଼େ ସୁନ୍ଦର।"ସବୁ ଶୁଣିକି ବାପା କହି ପକେଇଲେ- " ଆଲୋ ମିଲି! ମୁଁ କାମକୁ ଗଲା ଉତ୍ତାରୁ ତୋ ବୋଉ କଣ ସାହିତ୍ୟ ଚର୍ଚ୍ଚା କରୁଛି କି? ଏଡ଼େ ଏଡ଼େ ବିଶେଷଣ , କୋଉଠି ସବୁ ସାଇତି ଥିଲା କେଜାଣି? ଆଜି ମୋ ଉପରେ ପ୍ରୟୋଗ କରୁଛି।"
ବାପାଙ୍କ କଥା ଶୁଣି ମୁଁ ନ ହସି ରହି ପାରିଲିନି। ହେଲେ, ବୋଉ ର କଟ କଟ ଚାହାଣି ଦେଖି ଟିକିଏ ହସି ତୁନି ପଡିଲି।
ବୋଉ ପୁଣି ଥରେ ଆଷାଢ଼,  ଶ୍ରାବଣ ହେଇକି ବରଶି ଚାଲିଲା।" କଣ ଭୁଲି ଗଲଣି ସବୁ ପୁରୁଣା କଥା? ମନେ ପକେଇଦେବି? ଏଇ ମାତ୍ର ୨୫/୨୬ ବର୍ଷ ତଳ ର କଥା ତ। ମ୍ୟାଟ୍ରିକ ପରୀକ୍ଷା ଛୁଟିରେ ମୋର ମାମୁଁ ଘରକୁ ବୁଲିଯିବା, ମୋତେ ଦେଖିକି ତମର ହୋସ ଉଡ଼ିଯିବା କଥା।ତାପରେ ମାମୁଁ ଙ୍କ ସାଙ୍ଗରେ ତୁମ ବାପା କଥାବାର୍ତ୍ତା ହେଇ ପ୍ରସ୍ତାବ ପକେଇବା କଥା।ସେଇ ଚିତ୍ର ସବୁ ଜୀବନ ଜଞ୍ଜାଳ ଭିତରେ ପୋତି ହୋଇଯିବା ,ଏକ ସ୍ୱାଭାବିକ ବିଷୟ।ହେଲେ ମୋ ପାଇଁ ସେସବୁ ଜୀବନ୍ତ ଅନୁଭବ ଠାରୁ କମ୍ ନୁହେଁ। ""ଭଲ ପାଠ ପଢୁଥିଲେହେଁ କଲେଜ୍ ରେ ପଢ଼ିବାର ଇଛା, ଇଚ୍ଛା ରେ  ରହିଗଲା ମୋର। ତୁମ ଘରକୁ ବୋହୂ ହେଇ ଆସିଲି।ଫ୍ରକ୍ ପ୍ୟାଣ୍ଟ୍ ରୁ ସିଧା ଶାଢ଼ୀ ପିନ୍ଧିଲି। ପୁଣି ମୁଣ୍ଡରେ ହାତେ ଲମ୍ବର ଓଢ଼ଣି। ସେତେବେଳେ ତୁମ ପାଖରେ କି ଚାକିରୀ ଥିଲା? ବ୍ୟବସାୟ ଆରମ୍ଭ କରିବା ଲାଗି ପାଣ୍ଠି ବି ନଥିଲା। ହେଲେ ଆଜି କେଉଁ ଜିନିଷ ର ଅଭାବ ଅଛି ଯେ? ଭଗବାନ୍ ଙ୍କ ଦୟାରୁ ସବୁ ସୁରୁଖୁରୁ ରେ ଚାଲିଛି। ପ୍ରାଚୂର୍ଯ୍ୟ ନାହିଁ ହେଲେ ଆରାମ ରେ ବଞ୍ଚିବା ଲାଗି ଯଥେଷ୍ଟ ଅଛି।  ଵଇଜୁ ପରା ତୁମରି ପୁଅ। ସିଏ କଣ ତାର ସଂସାର ର ମଙ୍ଗ ନିୟନ୍ତ୍ରଣ କରିପାରିବନି? ତାର ଦାୟିତ୍ଵ ସୂଚାରୁ ରୂପେ ତୁଲାଇ ପାରିବନି? ତୁମ ଠାରୁ ତ ବେଶୀ ପାଠ ପଢ଼ିଚି । ତା ଉପରେ ଭରସା କରିବା ଟା ନିଜ ଉପରେ ଭରସା କରିବା ସଙ୍ଗେ ସମାନ। ମୋ ଛୋଟ କୁହା ଟି ରଖ। କାଲି ବାଇନ ଭାଇଙ୍କ ସଙ୍ଗେ ପ୍ରାରମ୍ଭିକ କଥାବାର୍ତ୍ତା ହୁଅ। ଦେଖ, ତାଙ୍କର କଣ ମତାମତ ! ପିଲାଙ୍କର ରୁଚି କଥା ବି କୌଶଳ କରି ଉଠେଇବ।ହଁ ତୁମର ସେଇ ନଅହାତି ଧୋତି , କାନ୍ଧରେ ଗାମୁଛା ଆଉ ଦେହରେ ଫତେଇ ରୂପ ଧାରଣ କରିବନି ଦୟାକରି। ସଫା ପ୍ୟାଣ୍ଟ୍ ସାର୍ଟ ଅବା ଧୋତି ପଞ୍ଜାବୀ ପିନ୍ଧି ଅବଶ୍ୟ ଯିବ। ଭେକ ଥିଲେ ସିନା ଭିକ ମିଳେ।"
ବୋଉ ର ସାରଗର୍ଭକ ଭାଷଣ ଶୁଣି ବାପା ଢେର୍ ସମୟ ଯାକେ ଚୁପ୍ ହେଇ ବସିଲେ। ନାଁ ସେ ଆଗ୍ରହ ଦେଖେଇଲେ, ନା ଦୁଃଖ ପ୍ରକାଶ କଲେ।ତାଙ୍କର ଏଇ କିଂକର୍ତ୍ତବ୍ୟବିମୁଢ଼ ସ୍ୱରୂପ ଦେଖି ବୋଉ ସାକୁଲେଇକି କହିଲା-" ଆଜିର ଯୁବପିଢି ପରି ତମେ ଝଡ଼ ର ସାମ୍ନା କରିବ କଣ ନା ନିଜେ ଝଡି ଯାଉଚ? ଏତେ ବର୍ଷ ଘର ସଂସାର କରି ସାରିଲା ପରେ ବି ଟିକେ ସାହସ କି ଦମ୍ଭ ଧରିପାରୁନ ? ହଁ, ତମେ ଯେଉଁ ବଇଜୁ କୁ ଆବେ, ଯାବେ କହୁଚ ସିଏ ଦିନେ ବାବୁ ବଇଜୁ ନାମରେ ପରିଚିତ ହେବ।ଏଇଟା ମୋର ଅଖଣ୍ଡ ବିଶ୍ୱାସ। ହେଇ ପଡ଼ିଲା କାନିରେ ଗଣ୍ଠି। ଯେଉଁଦିନ ପୁଅ ମୋର ରୋଜଗାରକ୍ଷମ ହେବ, ଚାରି ଲୋକଙ୍କ ଭିତରେ ଗଣା ହବ, ସେଇଦିନ ଏ ଗଣ୍ଠି ଫିଟିବ। ଆଉ ବେଶିଦୂର ନୁହେଁ ସେଇ ସ୍ୱର୍ଣୀମ ସକାଳ। ଯାହାର ଲାଲିମା ରେ ଉଦ୍ଭାସିତ ହେବ ଆମରି ଘର, ଅଗଣା ଆଉ ଚଉଦିଗ।"
" ଆଲୋ ମିଲି! ସକାଳୁ ଟିକେ ମନେ ପକେଇଦବୁ,ହେଲା।"
ଆଖି ମିଟି ମିଟି କରି ପଚାରିଲା ମିଲି , " ସକାଳୁ ସକାଳୁ କି ଦରକାରୀ କାମ ଅଛିକି ବାପା? "" ଦରକାରୀ? ହଁ,  ନିଶ୍ଚୟ। କିନ୍ତୁ ଅତି ଗୋପନୀୟ କଥା ମଧ୍ୟ। ତୁ ପିଲାଲୋକ ।ଏଇନେ ସେସବୁ କଥା ବୁଝି ପାରିବୁନି। ତୁ ଖାଲି ସକାଳେ ଚା ଦେଲାବେଳେ ମନେ ପକେଇ ଦବୁ। ବାସ୍, ସେତିକି ତୋର କାମ।"" ତମେ  ବାଇନ କକାଙ୍କ ଘରକୁ ପ୍ରସ୍ତାବ ନେଇକି ଯାଉନ ତ?  ରୀମି ଅପା ମୋ ଭାଉଜ ହେଲେ ଖୁବ୍ ଭଲ ହୁଅନ୍ତା। କହନ୍ତି, ନଣନ୍ଦ ଆଉ ଭାଉଜ ସବୁବେଳେ ଖିଟିରି ପିଟିରି ଲାଗନ୍ତି। ହେଲେ ରାଣ ଖାଇ କହୁଚି, ଆମର କେବେବି ଝଗଡ଼ା ହବନି। ଦିନକ ପାଇଁ ବି ନୁହେଁ। ହେଲେ ବାଇନ କକା କଣ ମାନିବେ?"
" ତତେ ଏତେସବୁ କଥା କିଏ କହିଲା ଲୋ ମିଲି? ତୁ ତ ଓଳିଆ ରୁ ପଡିକି ଗଜା।"
" ମୋରି ହାତରେ ଚିଠି ପତ୍ର ଦିଆନିଆ ସବୁ ଚାଲିଛି ପରା। ଆଉ ମୁଁ ଜାଣିବିନି କେମିତି?"" ଆଚ୍ଛା! ମୁଇଁ ଏକମାତ୍ର ବୋକା ଏ ଘରେ, ଆଉ ସଭିଏଁ ଚାଲାଖ, ନାଇଁ ଲୋ ଝିଅ?""କାଲି ସକାଳ ହଉ। ଯାଇ କଥାବାର୍ତ୍ତା କରିବା।ବାଇନ ଭଲରେ ଭଲରେ କଥା ମାନିଯାଏ ଯଦି ତାହେଲେ ଉତ୍ତମ। ନହେଲେ ମୋଠୁଁ ଯେତିକି ସାହାଯ୍ୟ ନେଇଛି ଘର ତିଆରି କଲାବେଳେ, ତାର ଏକ ଏକ ପଇସା ସୁଧ ସମେତ୍ ଅସୁଲ କରିବି।ପାଞ୍ଚ ବର୍ଷ ହେଲାଣି ଟଙ୍କା ନେଲାଣି, ସୁଝିବାର ନାଁ , ଗନ୍ଧ ଧରୁନି। ଆରେ କଣ ବୋଲି ପାଇଛି କି? ମୁଁ ମାଗିନି ବୋଲି ସିଏ ସୁଝିବନି? ପୁଅ ମାନେ ଚାକିରୀ ବାକିରି କେବେଠୁଁ କଲେଣି। ନିଜେ ଆସି ଯାଚିକି ଦବା କଥା। କିନ୍ତୁ ନାହିଁ। ମୋର ଝାଳବୁହା ଧନ। ଛାଡିବିନି ତାକୁ। ସାଥେ ସାଥେ ଫେରେଇବାକୁ କହିବି।"
" ବୁଝିଲୁ ଝିଅ, ଘୋର କଳିକାଳ। ଯିଏ ଶାନ୍ତ ସରଳ, ସିଏ ସବୁବେଳେ ଠକାମୀ ର ଶିକାର ହବ କିନ୍ତୁ ଯିଏ ଦୁର୍ଦ୍ଦାନ୍ତ ସିଏ ସହଜ ରେ ସବୁ କାମ ହାସିଲ କରିନବ।"
ବାପା ଯେ ବଇଜୁ ଭାଇକୁ କେତେ ଭଲପାଆନ୍ତି ଏତେ ଦିନ ପରେ ଜଣାପଡ଼ିଲା।ଉପରେ ଗାଳିମନ୍ଦ ଦେଲେବି ଭିତରେ ଶ୍ରଦ୍ଧା ଭରପୁର। ବାପାଙ୍କ ଚରିତ୍ର ନଡ଼ିଆ ପରି। ଉପରଟା ଭାରି ଟାଣ, ଭିତର ଟା କିନ୍ତୁ ମୁଲାୟମ।
ପ୍ରଥମ ପ୍ରହର ରାତି ବଢିଲା।ମତେ ନିଦ ଜମାରୁ ଲାଗୁ ନ ଥାଏ।ବଉଳ ଫୁଲ ର ମହ ମହ ବାସ୍ନା ଝରକା ଦେଇ ଭାସିଆସୁଥାଏ।ଆକାଶ ରେ ଚେନାଏ ଜନ୍ହ । ଭସା ବାଦଲ ସବୁ ତା ସଙ୍ଗେ ଯେସନ ଲୁଚକାଳି ଖେଳୁ ଥାନ୍ତି।କାଇଁ କିଛି ତ ହଜିନି ତାର। ତାହେଲେ କଣ ସିଏ ଖୋଜୁଛି? ଚିନ୍ତା ତ ବାପା କରୁଛନ୍ତି ବଇଜୁ ଭାଇ ଲାଗି। ବୋଉ ବି ନୀରବରେ ଲୁହ ଦି ଟୋପା ଗଡାଉଚି।ହେଲେ କି ଚିନ୍ତା ଘାରିଛି ତାକୁ? ବିଛଣା ରେ ପଡୁ ପଡୁ ଶୋଇ ଯିବା ମିଲି ର ଆଜି ଏ ଦୁର୍ଦ୍ଦଶା କାହିଁକି? ପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ ଲାଗି ଉଦୁଉଦିଆ ଖରାବେଳେ ଲମ୍ବା ଧାଡ଼ି ରେ ଠିଆ ହେଇଥିବା ଭକ୍ତ ର ମନ ସିଂହଦ୍ଵାର ପାଖେଇଆସିଲା ବେଳେ ଯେମିତି ଭାବ ରେ ଗଦ୍ ଗଦ ହେଇଯାଏ ଆଉ ଅହେତୁକ ଆଶଂକା ନେଇ ଉଦ୍ବେଳିତ ହୁଏ ଠିକ୍ ସେଇପରି ଏକ ଅନୁଭୁତି ମିଲି କୁ ଆଚ୍ଛନ୍ନ କରିସାରିଥାଏ ।
"ସବୁ ପ୍ରାପ୍ତି ପୂର୍ବରୁ କଣ ହୃଦୟ ଏହିପରି ଆନ୍ଦୋଳିତ ହୁଏ?"ନିଜକୁ ନିଜେ ପ୍ରଶ୍ନ କରିଚାଲିଥାଏ ମିଲି।
ଆକାଶରେ ଜନ୍ହ ବଉଳ ଗଛ ପାରି ହେଇ ରାସ୍ତା ମଝିକି ମାଡ଼ିଗଲାଣି।ସମୟ ଅନ୍ଦାଜ ରାତି ଅଧ।ପାଣି ବୋତଲ ଟା ଆଣିବାକୁ ପାଦ ଚିପି ଚିପି ସନ୍ତର୍ପଣ ରେ ଟେବୁଲ୍ ପାଖକୁ ଯାଉ ଯାଉ ଖଟ ବାଡ଼ରେ ହାତ ବାଜିଗଲା ମିଲିର।" କିଲୋ ମିଲି ! ଭୂତ ଭଳିଆ ରାତି ଅନ୍ଧାର ରେ ବୁଲୁଛୁ କାହିଙ୍କି? ନା ନିଜେ ଶୋଉଚୁ ନା ମତେ ଶୋଇବାକୁ ଦଉଚୁ? ରାତି ଅଧରେ ତୋର କି ଜିନିଷ ଲୋଡା?"" ମିଛ କହନା ବୋଉ।ତତେ ନିଦ ହେଇନି। ଭାଇଙ୍କ ଚିନ୍ତା ଘାରୁଛି ନା?"ଏକଥା ପଦକ ଶୁଣି ବୋଉ ଚଟ୍ କରି ଉଠି ବସିଲା ଆଉ କହିଲା -" ପାଣି ଗିଲାସେ ଦେଲୁ। ତଣ୍ଟି  କାଇଁ ଶୁଖି ଯାଉଛି । ମୁଁ ଶୋଇଲା ପାଖରୁ କଡ ଲେଉଟାଉଚି ଯାହା, ନିଦ ଯାଇ ଗାତରେ ପାଇଲାଣି । ପ୍ରଭୁ ! ଦିନ ଯାକ ଖଟଣି ପରେ ନିଦ ନ ହେଲେ କି କଷ୍ଟ। କଣ ହେଲା କେଜାଣି? ତୁ ବି ଶୋଇନୁ କି?ଆଲୋ ତୋର କି ଚିନ୍ତା? ଅଭିଆଡି ଝିଅଟା। ନା ଘର ସଂସାର ଅଛି ନା ଛୁଆ ପିଲା ଅଛନ୍ତି।"" ବୋଉ ତୋର ଯୋଉ ଚିନ୍ତା, ମୋର ବି ସେଇ ଚିନ୍ତା। ବାଇନ କକା 'ହଁ ' କହିବେ ଟି? ରିମି ଅପା ଆମ ଘରକୁ ବୋହୂ ହେଇ ଆସିବଟି?"" ମୁଁ ସବୁ ଠାକୁରଙ୍କ ଉପରେ ଛାଡ଼ି ଦେଇଛି ଲୋ ମିଲି। ଚାଲେ ଆଖି ମୁଦି କି ପଡ଼ି ରହିବା। କେତେବେଳେ ଯଦି ନିଦ ର କୃପାଦୃଷ୍ଟି ପଡ଼ିବ ଆମ ଉପରେ। ଭୋର ହେବାକୁ ଆଉ ବୋଧେ ଡେରି ନାହିଁ। ଅନୁମାନ ବାପା ବି ବିଛଣା ରେ ପଡି ଛଟପଟ ହଉଥିବେ।ମୁଣ୍ଡରେ ସାମାନ୍ୟ ଚିନ୍ତା ପଶିଲେ ବି ସିଏ ଅନିଦ୍ରା ହୁଅନ୍ତି। ସରଳିଆ ଲୋକ ସିନା, ହେଲେ ଭାରି ଅଭିମାନୀ। "
" ବୋଉ, ଆମ ତିନି ଜଣ ଙ୍କୁ ତ ନିଦ ମାତ୍ ଦେଇ ସାରିଛି। ଭାଇଙ୍କ ଅବସ୍ଥା କଣ ହେଇଥିବ କେଜାଣି? ଶୋଇ ପାରିଥିବେ ନା ଆମ ଭଳିଆ ରାତି ଉଜାଗର ରହିଥିବେ?"" ତାକୁ କଣ ଆଉ ନିଦ ଆସିଥିବ? ବିଛଣା ରେ ପଡି ରିମି କଥା ଭାବି ଡହଳ ବିକଳ ହଉଥିବ। ପ୍ରେମ ଯେ ଏକ ଯାଦୁକରୀ ଆତ୍ମପ୍ରକାଶ, ତୁ ପିଲା ଲୋକ, କାହୁଁ ବୁଝିବୁ ? ମୁଁ ମା। ସବୁ ଅନୁଭବ କରିପାରୁଛି। ପିଲାମାନଙ୍କୁ ନେଇ ମୋ ପାଖରେ ଦୂର୍ବୋଧ୍ୟ ବୋଲି କିଛି ନାହିଁ।ଜାଣିପାରିବିନି କେମିତି? ନ ମାସ ଯେ ଗର୍ଭ ରେ ଧରିଛି।"
ବୋଉ ର ତକିଆ ପୁରାପୁରି ଓଦା ହୋଇସାରିଥାଏ। ଶୋଇଲା ପାଖରୁ କାନ୍ଦୁଚି ନିଶ୍ଚୟ।ବାପାଙ୍କ କତିକି ଯିବାକୁ ସାହସ କୁଳେଇଲାନି।ରାତ୍ରି ଶେଷ ପ୍ରହର କେମିତି କରିଗଲେ ଗଲା।ସକାଳୁ ଯାଇ ତାଙ୍କୁ ଉଠେଇବା କଥା ଧାର୍ଯ୍ୟ। ଚୁକ୍ତି ହେଇଛି ରାତିରେ।
ଆଖି ଫାଡିକି ଶୂନ୍ୟ ଛାତ କୁ ଚାହିଁ ରହିଥାଏ ମିଲି। ମଝିରେ ମଝିରେ ଅନିଶା କରୁଥାଏ ଫର୍ଚା ହେଲାଣି କି ନାହିଁ । ମନେ ମନେ ଭାବୁଥାଏ" ଆଶା ର ଏକ ପ୍ରବଳ ବତାସ ଆସନ୍ତା କି ଆଶଂକା ର କୁହୁଡି ମାନଙ୍କୁ ଧସେଇ ନିଅନ୍ତା।" ମହମବତି ଟି ଜଳି ଜଳି ଶେଷ ହେବା ଉପରେ।ଟିକିଏ ପରେ ଚଟାଣ ରେ ମିଶିଯିବ।ହେଲେ ଶେଷ ପର୍ଯ୍ୟନ୍ତ ତାର ଆବେଗ କାଏମ ରଖିଚି।""ସାବାସୀ ର ସମ୍ପୂର୍ଣ ହକଦାର। "ଏକ ଅପୂର୍ବ ଶିହରଣ ତାର ତାଳୁ ରୁ ତଳିପା ପର୍ଯ୍ୟନ୍ତ, ସମଗ୍ର ସତ୍ତା କୁ ଦୋହଲାଇ ଦେଲା ।ଅର୍ଥପୂର୍ଣ୍ଣ ଦୃଷ୍ଟି ରେ ବୋଉ କୁ ଦେଖୁ ଦେଖୁ କହିପକେଇଲା " ତୋର ଅଖଣ୍ଡ ବିଶ୍ୱାସ ଏମିତି ଏକ ସ୍ପନ୍ଦନ ଆଉ ଚେତନା ଶକ୍ତି ସୃଷ୍ଟି କରି ପାରିଛି, ଯାହାକି ଅଟଳ ମେରୁକୁ ନିମିଷକରେ ହଲାଇ ଦେଇପାରେ ବୋଉ! ଯଦି ବାପା କାଲି ସଫଳ ହେବେ , କେବଳ ତୋରି ପାଇଁ। ଉନ୍ମୁକ୍ତ ଆକାଶ ରେ ଏକ ନୂଆ ପର୍ଯ୍ୟାୟ ର ଅୟମାରମ୍ଭ ହବ ଏବଂ ଖୁବ୍ ନିକଟରେ ହବ।"ପୂର୍ବ ଦିଗରେ ସିନ୍ଦୂରା ଫାଟି ଆସୁଥାଏ। ମିଲି ବିଛଣା ଛାଡ଼ି ବାପା ଶୋଇଥିବା ଘରକୁ ଆସିଲା। ବାପା ସେତେବେଳକୁ ଉଠି ସାରିଥାନ୍ତି।" ତୁ ଏଡ଼େ ଜଲଦି କେମିତି ଉଠି ଯାଇଛୁ ମା?"" ହଁ ବାପା। ମୁଣ୍ଡରେ ଚିନ୍ତା ଥିଲେ ନିଦ ଆପେ ଆପେ ଭାଙ୍ଗିଯାଏ।"" ତୋର କି ଚିନ୍ତା ଭଲା!"" ତୁମକୁ ବାଇନ କକା ଘରକୁ ଯିବା ଲାଗି ମନେ ପକେଇବାର ଥିଲା ଯେ।"" ଆରେ ବାଃ! ମୋ ପିଲା ର ଦାୟିତ୍ୱବୋଧ ଆସିଲାଣି।"" ବାପା! ଅଲ ଦି ବେଷ୍ଟ , ମାନେ ତୁମେ କୃତକାର୍ଯ୍ୟ ହୁଅ।"" ନିଶ୍ଚୟ ହେବି। କାଇଁ , ତୋର ମୋ ଉପରେ ବିଶ୍ୱାସ ନଥିଲା କି?"" ଥିଲା ନିଶ୍ଚୟ।କିନ୍ତୁ ଜଣା ନ ଥିଲା ପ୍ରାପ୍ତି ଠାରୁ ପ୍ରାପ୍ତି ର ଆଶା ଓ ଆକାଂକ୍ଷା ଅଧିକ ସୁନ୍ଦର,  ଅଧିକ ମନୋରମ।"" ଖାଣ୍ଟି ସତ କଥା କହିଲୁ ଝିଅ।"


















 






Regards,Sujata Dash


Rate this content
Log in