Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Sujata Dash

Tragedy

3  

Sujata Dash

Tragedy

ମର୍ନିଙ୍ଗ ୱାକ

ମର୍ନିଙ୍ଗ ୱାକ

6 mins
37


ପ୍ରାୟ ଦେଖା ହୁଏ ପାର୍କରେ । ଦେଖା ମାନେ -ଦୁହେଁ ଦୁହିଁଙ୍କର ପରିଧି ଭିତରକୁ କେବେ ପ୍ରବେଶ କରିନୁ, ଆଜିଯାଏ ... ଦୁଇଟି ସମାନ୍ତରାଳ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ । ସିଏ କାରରେ ଆସନ୍ତି ... ଡ୍ରାଇଭର ବାହାରେ ଅପେକ୍ଷା କରିଥାଏ । ପାର୍କରେ ଦୁଇ ରାଉଣ୍ଡ ମାରି ଫେରିଯାନ୍ତି ।

ହଁ, ଗଲାବେଳେ ପାଖଆଖରେ କେହି ମାଗିବା ଲୋକ ମିଳିଲେ, ଡ୍ରାଇଭରକୁ ଇଙ୍ଗିତ କରନ୍ତି, ଭିତରୁ କିଛି ପୁଡିଆ ଆଣି ଦେଇଯାଏ ସିଏ । ଅନୁମାନ ...ଖାଦ୍ୟପଦାର୍ଥ ଥାଏ ସେଇ ପୁଡ଼ିଆମାନଙ୍କରେ । ଖୁବ କମ ସ୍ତ୍ରୀଲୋକ ରେଗୁଲାରଲି ପାର୍କକୁ ଚାଲିବାକୁ ଆସନ୍ତି । ଅନ୍ୟମାନେ କାହିଁକି ଆସନ୍ତି ନାହିଁ -କହିଲେ ଗୋଟେ ଅଧ୍ୟାୟ ହେବ । ତେବେ ମୋଟାମୋଟି ଭାବରେ -ଘର ଜାବୋଡି ଧରି ବସିବାର ସଉକ, କିମ୍ବା କାମର ଚାପରେ ଘରୁ ବାହାରିବାର ଇଚ୍ଛା ଥାଇ ମଧ୍ୟ ନ ବାହାରିପାରିବା....କାରଣ ନିଶ୍ଚେ ଏଇ ଦୁଇଟା ଭିତରୁ ଗୋଟେ । ଆଉ ଯେଉଁ କେତେଜଣ ବି ଆସନ୍ତି, ବା ଆସିପାରନ୍ତି, ତନ୍ମଧ୍ୟରୁ କମ ଜଣଙ୍କ ପାଖରେ ଦୟା ଓ ମାନବିକତାର ଦୃଷ୍ଟାନ୍ତ ମିଳିଥାଏ । ତେଣୁ, ମାଡାମଙ୍କ ପ୍ରତି ମନରେ ଶ୍ରଦ୍ଧା ତଥା ସମ୍ମାନ ଭରପୁର ଥାଏ । ନିଜର କର୍ମବହୁଳ ଜୀବନରୁ ସମୟ ବାହାର କରି, ଦୁଃଖୀ ରଙ୍କିଙ୍କ କଥା ଚିନ୍ତା କରିବା -କିଛି ଛୋଟିଆ କଥା ନୁହେଁ । ଦୂରରୁ ମାଡାମଙ୍କୁ ଦେଖି, ମୋଟାମୋଟି ଅନ୍ଦାଜ଼ ଲଗେଇ ହୁଏ- ସିଏ ଜଣେ ସମ୍ଭ୍ରାନ୍ତ ଘରର ମହିଳା ଓ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ । ଚାକିରୀ ହୁଏତ କରୁଥିବେ, କିନ୍ତୁ ଜାଣିବାର ଉପାୟ ନାହିଁ । ବାର୍ତ୍ତାଳାପର ସୁଯୋଗ ମିଳିନି-ପରିଚୟ ବି ହେଇନି ଏଯାଏ । ଖୁବ କ୍ଵଚିତ ଲୋକଙ୍କ ସଂଗେ କଥା ହୁଅନ୍ତି । ଯେଉଁ କ୍ଵଚିତ ଲୋକଙ୍କସାଙ୍ଗରେ ମାଡାମ ସମ୍ୟକ କଥୋପକଥନ କରନ୍ତି,ମୋର ନାମ ସେଥିରେ ସାମିଲ ହେଇପାରିନି ଆଜିଯାଏଁ । ସବୁଦିନ ଭାବେ, କିଛି ବାଟ ସାଙ୍ଗରେ ଚାଲି, ତା ପରେ ଆରମ୍ଭ କରିବି ...ଆଜି, କାଲି ହେଇ, ହେଇ ବର୍ଷେ ହେଇଗଲା - ମୂଳଦୁଆ ପଡ଼ିପାରିନି ଏବେ ପର୍ଯ୍ୟନ୍ତ । ଯେମିତି ବି ହଉ.. ଆସନ୍ତା କାଲି, ମାଡାମଙ୍କୁ ସମ୍ଭାଷଣ ଜଣାଇ ଆରମ୍ଭ କରିବି । କାଲି ଗଣେଶ ପୂଜା ବି ଅଛି । ଭଲ ଦିନ, ଠିକ ରହିବ -ନିଶ୍ଚୟ କଲି ।

ସେ ଥିଲା, ମୋର ଏକ ପ୍ରକାର ମାନସିକ ପ୍ରସ୍ତୁତି -ଷ୍ଟେଜ ରିହରସଲ କହିଲେ ଅତ୍ୟୁକ୍ତି ହେବ ନାହିଁ । କଥାବାର୍ତ୍ତା କେମିତି କରିବି, ତା’ର ଚିଠା ତିଆରି କରିଥିଲି - ପ୍ରଥମେ ଫର୍ମାଲ ନମସ୍କାର କିମ୍ବା ହେଲୋରୁ ଆରମ୍ଭ କରି, ତା ପରେ ଧୀରେ, ଧୀରେ ବନ୍ଧୁତାର ହାତ ବଢାଇବା,ଏଇଆ ପ୍ଲାନିଂ ଥିଲା । 

କିନ୍ତୁ, ମାଡାମ ତ ଏକମୁହାଁ ହେଇ ଆସନ୍ତି, ରାଉଣ୍ଡ ସରିଲା ପରେ ଚାଲିଯାନ୍ତି । ମନରେ ଅହେତୁକ ଭୟ ବି ଥାଏ- ଖରାପ ଭାବିବେ ଯଦି...ସେଥିଲାଗି ତ ଏତେ ଡେରି ହେଲାଣି । ନାଁ, ଆଉ ବେଶୀ ଡେରି କଲେ ଚଳିବନି । ମୁଁ, ରେଡି ହେଇ ସମୟ ପୂର୍ବରୁ ପହଞ୍ଚି ଯାଇଥାଏ ଏବଂ ଥାଏ ପ୍ରସ୍ତୁତି ପଥେ । ଚାଲିବା ଟ୍ରାକର ପାଖ ସିମେଣ୍ଟ ବେଞ୍ଚରେ, ନିଜର ଆସ୍ଥାନ ଜମେଇଦେଇଥାଏ । ଘଣ୍ଟାକୁ ବାରମ୍ବାର ଦେଖୁଥାଏ। ଅପେକ୍ଷା, ନିର୍ଯ୍ୟାତନାର ଆଉ ଏକ ସ୍ୱରୂପ । ନା ଅନ୍ୟ କିଛି କାମ କରେଇଦିଏ, ନା ମନଲାଗେ । ଏକୁଟିଆ ବସି, ବସି ଏଣୁତେଣୁ ଗୁଡ଼େ ଭାବି ଚାଲିଥାଏ -ଅଫିସ କଥା,ପରିବାପତ୍ରର ଚଢା ଦାମ,ଘରଣୀଙ୍କର ଯାବତୀୟ ଫର୍ମାଇସ, ପୁଅର ଆଡ଼ମିସନ, ଝିଅର ସ୍କୁଟି କିଣା ଇତ୍ୟାଦି, ଇତ୍ୟାଦି -ମନର ଗତି କେତେ କ୍ଷୀପ୍ର ସତେ! ମୁହୂର୍ତ୍ତକ ମଧ୍ୟରେ ବିଶ୍ୱ ବ୍ରହ୍ମାଣ୍ଡ ବୁଲେଇ ଆଣିବ .... ଘଣ୍ଟା କହିଲା, ସମୟ ପାରିହେଇଗଲାଣି । ବିଶ୍ୱାସ ହେଲାନି । ପାର୍କ ବାହାରକୁ ଆସି, ଲାଇନରେ ଛିଡା ହେଇଥିବା ଗାଡି ଗୁଡିକ ନିରୀକ୍ଷଣ କଲି ।

ନା, ଏଥିରେ ତ ମାଡାମଙ୍କ ଗାଡି ନାହିଁ । କାନରେ ଦେଇ ଦେଖିଲି ଘଣ୍ଟା ଚାଲୁଚି କି ନାହିଁ -ଠିକ ତ ଚାଲୁଚି । ତଥାପି, ପାନ ଦୋକାନରେ ପଚାରିଲି -ଭାଇନା କେତେଟା ବାଜିଛିକି? ଟିକେ ସନ୍ଦେହୀ ଦୃଷ୍ଟିରେ ମୋ ଆଡେ, ଆଉ ହାତ ପିନ୍ଧା ଘଣ୍ଟା ଆଡେ ଚାହିଁ କହିଲା - ବାବୁ ଆଠଟା ବାଜି ପନ୍ଦର ମିନିଟ । ଏତେ ବେଳ ହେଲାଣି ? ଏତେ ବେଳକୁ ତ ମାଡାମ ଚାଲିସାରି ଫେରୁଥାନ୍ତି । ମୋ ଦେଖିଲା ଭିତରେ ତାଙ୍କ ରୁଟିନରେ କେବେ ବି ଖିଲାପ ହେଇନାହିଁ !

ଆଜି କିଛି ଅସୁବିଧା ହେଇଯାଇଛି ବୋଧହୁଏ !ଗଣେଶ ପୂଜାଟା-ଡ୍ରାଇଭର ଆସିନଥିବ ନିଶ୍ଚେ -ନ ହେଲେ, ଘରେ ବୋଧହୁଏ ପୂଜା ଥିବ, ଭୋଗରାଗ ସଜାଡିବାରେ ସମୟ ଚାଲିଯାଇଥିବ । ହଁ-ଏଇଆ ବି ହେଇପାରେ, ଛୁଟିଦିନ ଦେଖି କୋଉଠିକି ହୁଏତ ବୁଲିବାକୁ ଯାଇଥିବେ । କୌତୂହଳ ଉଦ୍ରେକ ହେବା ସ୍ୱାଭାବିକ । କିଛି ତ ଗୋଟେ ହେଇଚି- ନହେଲେ, ପ୍ରାୟ ବର୍ଷେ ହେଲାଣି ଦେଖୁଚି- ଖରା, ବର୍ଷା, ଶୀତ, କାକର କେବେ ବି ବ୍ରେକ ନେଇନାହାନ୍ତି । ଯେମିତି ହଉ, ଦୁଇ ରାଉଣ୍ଡ ମାରିକି ଯିବେ । ନିଜକୁ ନିଜେ ପ୍ରଶ୍ନ ପଚାରି ବସିଲି- ଜଣେ ଅପରିଚିତଙ୍କ ଲାଗି, କାହିଁକି ଏତେ ବ୍ୟସ୍ତତା ଆଉ ଉଦବେଗ?

ସେଦିନ, ଆଉ ବେଶୀ ଚାଲି ହେଲାନି,କେମିତି ଗୋଟେ ଅଡୁଆ ସୁତାର ଖିଅ ନ ଫିଟିଲା ଭଳି ମନେ ହେଲା । କାହାକୁ ପଚାରିବାର ଯୁ ବି ନଥିଲା । ପଚାରିଥିଲେ, କେତେ ସନ୍ଧାନୀ ତଥା ସନ୍ଦିଗ୍ଧ ନଜରର ବଳୟ ଭିତରକୁ ତୁଚ୍ଛାଟାରେ ଟାଣିହେଇ ଆସିଥାନ୍ତି।

ଲୋକଙ୍କର ମାନସିକତା, ସେମିତି ରହିଛି -ଟିଭି, ପେପରରେ ଯେଉଁ କଥା କୁହାଯାଏ ବା ଲେଖାଯାଏ -"ଢେର ପରିବର୍ତ୍ତନ ହେଇଚି"-ସୁଦୁ ମିଛ । ପରିବର୍ତ୍ତନ ତ ଦରକାର । କିନ୍ତୁ କିଏ ଆଣିବ ? ମୋ ପରି, ଆପଣଙ୍କ ପରି ସାଧାରଣ ଲୋକ, ନା ସରକାର ? 

ନିଜର ମୋଟରସାଇକଲଲ ଷ୍ଟାର୍ଟ ମାରିବା ବେଳେ, ବିନୋଦ ବାବୁ ଦେଖାହେଲେ । ସିଏ ଦିନେ ଅଧେ ପାର୍କ ଆଡେ ଆସନ୍ତି । ମନ ଯେଉଁ ଦିନ ହୁଏ -ମନୁଆ ଲୋକଟିଏ । ଅଧା ରାଉଣ୍ଡ ମାରି,ଗଛ ଛାଇରେ ବସିପଡ଼ନ୍ତି । ତାଙ୍କରି ଭଳିଆ ଗୁଲିଖଟି କରିବା ଲୋକ କିଛି ଏକାଠି କରି, ଦୁଇ ତିନି ରାଉଣ୍ଡ ଚା’ର ମଜା ନିଅନ୍ତି । ରାଜନୀତି ଠୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ, ଆଲୋଚନା ଚାଲେ -

“ଆଜି ଏତେ ଜଲ୍ଦି ସରିଗଲା ଚଲା ? ଠକିଛନ୍ତି ନିଶ୍ଚୟ”-ବିନୋଦ ବାବୁ ପଚାରିଲେ । 

“ନାଁରେ ଭାଇ, ମୁଣ୍ଡଟା ଭାରି ଭାରି ଲାଗୁଚି । ସେଇଲାଗି, ଜଲ୍ଦି ପଳଉଛି।”

“ହଉ ଯା ଭାଇ।” 

ପତ୍ନୀ ପଚାରିଲେ- “ଏମିତି ଶୁଖିଲାଟା କାହିଁକି ଦିଶୁଚ?”

“ମୁଣ୍ଡ ବିନ୍ଧୁଚି, ଚା’ ଟିକେ ଦବ ?”

“ଆଣୁଚି।” 

“କାଲି ତାହାଲେ, ଯିବନି ଚାଲିବାକୁ ?ନ ଯାଅ-ଦି ଚାରିଦିନ ପରେ ଯିବ ।”

“ନାଇଁ, କାଲି ଯେମିତି ହେଲେ ଯିବି ନା! ...ଥରେ ଅଭ୍ୟାସ ଭାଙ୍ଗିଲେ ଆଉ ତେଣିକି ଇଚ୍ଛା ହବନି ...ଚାଲୁଚି, ବୋଲି ସୁଗାର କଂଟ୍ରୋଲରେ ଅଛି ।”

“ହଉ ତମ ମର୍ଜି । “

ଚା’ ପିଉ, ପିଉ ଭାବି ଚାଲିଥିଲେ- କାରଣ କ’ଣ ହେଇଥାଇପାରେ ? ଜଣେ, ଅଜଣା ଅଶୁଣା ସ୍ତ୍ରୀଲୋକ ବିଷୟରେ ସିଏ ଏତେ ଭାବୁଛନ୍ତି କାହିଁକି ? ଅଧ୍ୟାୟରେ ପୂର୍ଣ୍ଣଛେଦ ପକେଇ ନିତ୍ୟକର୍ମ ସାରିବାକୁ ଗଲେ । 

ତା’ ପର ଦିନ ନିର୍ଧାରିତ ସମୟରେ ପହଁଚିଲେ ପାର୍କରେ । 

ବାଇକଟିକୁ ଷ୍ଟାଣ୍ଡରେ ରଖି, ଭିତରକୁ ଯିବାଲାଗି ଫାଟକ ଅତିକ୍ରମ କଲାବେଳେ ଦେଖିଲେ- କିଛି, କିଛି ଜାଗାରେ ଲୋକମାନେ ଏକାଠି ହେଇ ଫୁସୁରଫାସର ହଉଛନ୍ତି । ଆହାଃ, ଚୁ, ଚୁ ବି ଶୁଣିବାକୁ ମିଳିଲା ।

ବୁଝିପାରିଲେନି କ’ଣଟେ ଏମିତି ହେଇଯାଇଛି ଯେ, ଏତେ ଲୋକ ମେଳି କରିଛନ୍ତି । ବିନୋଦ ବାବୁଙ୍କୁ ବି ଦେଖିବାକୁ ମିଳିଲା । ଭରସିକି ପଚାରିଲେ "କଣ ଆଜ୍ଞା ! ରାଜନୀତି ବିଷୟରେ ଆଲୋଚନା ହଉଚି, ନା କିଛି ସନସନି ଖବର ଅଛି ?" “ନାଇଁ, ମ ! ଦୁଃଖର କଥା।”

“ସକାଳୁ, ସକାଳୁ ମରଣ କଥା ଶୁଣିବାକୁ ମିଳିଲା -ଏଠିକି ଜଣେ ମାଡାମ ଚାଲିବାକୁ ଆସନ୍ତି ରେଗୁଲାରଲି-ତାଙ୍କ ନାଁ ସୁପ୍ରଭା ।”

“ସେ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ମଧ୍ୟ ।”

“ପିଲାମାନେ ବିଦେଶରେ।”

“ତା’ଙ୍କ ସ୍ୱାମୀ ଜଣେ ପକ୍ଷାଘାତ ରୋଗୀ, ଏବଂ ଶଯ୍ୟାଶାୟୀ ।”

“ମାଡାମ- ଘର, ବାହାର, ବନ୍ଧୁ, ବାନ୍ଧବ ସମସ୍ତଙ୍କ ହାନିଲାଭ କଥା ବୁଝନ୍ତି । ଖୁବ ଧାର୍ମିକ ଓ ଦୟାଳୁ । ମାଛିଟିକୁ ମ ବୋଲି କହନ୍ତିନି-ତାଙ୍କର ପୁଣି ଏମିତି ଦଶା ଭୋଗିବାର ଥିଲା !”

“କ’ଣ ଟିକେ ଖୋଲିକି କହିବେ ବିନୋଦ ବାବୁ, କ’ଣ ହେଲା ମାଡାମଙ୍କର?

“କ’ଣ ଆଉ ହବ ? ରୋଗ ନାହିଁ, ବୈରାଗ ନାହିଁ, ରାତିରେ ଖାଇପିଇ ଯାହା ଶୋଇଛନ୍ତି -ଆଉ କଡ ଲେଉଟେଇନାହାନ୍ତି ।

ସକାଳୁ ରୋଷେଇକଲାବାଲି ପଚାରିଲା -କ’ଣ ରୋଷେଇ ହବ ? କିଛି ଉତ୍ତର ପାଇଲାନି ।ତେଣୁ, ତଳୁ ଡ୍ରାଇଭରକୁ ଡାକିକି ଆଣିଲା । ଦୁହେଁ ମିଶି ଡାକିଲେ- ଜବାବ ନ ମିଳିଲାରୁ, ପଡ଼ିଶା ଘର ଆଶିଷ ବାବୁଙ୍କୁ ଧରିକି ଆସିଲେ।” 

“ଆଶିଷବାବୁ ଆସି, ତୁରନ୍ତ ଆମ୍ବୁଲାନସ ଆଉ ପୋଲିସ କର୍ମଚାରୀଙ୍କୁ ଖବର ଦେଲେ।”

“ପିଲାମାନେ ଖବର ପାଇସାରିଲେଣି ।ଅନ୍ୟ ବନ୍ଧୁବାନ୍ଧବମାନେ ବି ପହଞ୍ଚିଗଲେଣି ।”

“କାନ୍ଦ ବୋବାଳି ପଡିଛି।ହେଲେ, ସିଏ କ’ଣ ଶୁଣି ପାରୁଛନ୍ତି ?” 

“ଭଲ ଦିନଟା ନେଲେ -ଗଣେଶ ଚତୁର୍ଥୀ।” 

“ପୁଣ୍ୟାତ୍ମା ନିଶ୍ଚୟ -କାହାକୁ ହଇରାଣ ନ କରି ଚାଲିଗଲେ।” 

“ମୋ ସାନଭାଇର ସିଏ ବସ ଥିଲେ,ସେଥିଲାଗି ମୋ ପାଖରେ ଏତେ ଖବର । “

“ଭାରି ପରୋପକାରୀ ଲୋକ ଆଉ ଅମାୟିକ ବ୍ୟକ୍ତିତ୍ୱ ତାଙ୍କର । ଭଗବାନ ଭଲ ଲୋକମାନଙ୍କୁ ସୁଖ ମରଣ ଦିଅନ୍ତି ।”

“ଭାବୁଛି ଭାଇ ସାଙ୍ଗରେ ଯାଇ ଶେଷ ଦର୍ଶନ କରିଆସିବି ।” 

“କିଛି ନ ଭାବିବେ ଯଦି ବିନୋଦ ବାବୁ, ମୁଁ ଟିକେ ଆପଣ ମାନଙ୍କ ସାଙ୍ଗରେ ଯାଇଁ ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଆସିଥାନ୍ତି !

 “ଆରେ ଏଥିରେ ପଚାରିବାର କ’ଣ ଅଛି ?ମାଡାମ ଆପଣଙ୍କ ମର୍ନିଙ୍ଗ ୱାକର ବନ୍ଧୁ ।”

“ସିଏ ବି ସବୁଦିନ ଆସନ୍ତି, ଆଉ ଆପଣ ବି !”

“ମୋ ମତରେ ଆପଣ ଯିବା ଉଚିତ ।”

ନିଜକୁ ରୋକିବାକୁ ହେଲା, ନ ହେଲେ ପାଟିରୁ ବାହାରି ଆସୁଥିଲା- "ମାଡାମଙ୍କ ସହ ବନ୍ଧୁତ୍ୱ ନଥିଲା, ଯଦିଓ ବହୁତ ଦିନରୁ ମନରେ ଇଚ୍ଛା ଥିଲା।”

ଫୁଲ ଦୋକାନ ଆଗରେ ଅଟକିଲା ବେଳେ ବିନୋଦ ବାବୁ ପଚାରିଲେ "ହାର ନେବେ ନା ତୋଡ଼ା ?"

“ତାଙ୍କର ବିଶାଳ ବ୍ୟକ୍ତିତ୍ୱ ପାଇଁ ସଜଗୋଲାପର ତୋଡ଼ାଟିଏ ନେବି, ତାଙ୍କ ପାଦ ପାଖରେ ରଖି ଆତ୍ମାର ଶାନ୍ତି ଓ ସଦ୍ଗତି ପାଇଁ ପ୍ରାର୍ଥନା କରିବି । ମୋ ପାଇଁ ପ୍ରେରଣାର ଏକ ଉତ୍ସ ଥିଲେ ସିଏ ।”

  

ପରଦିନ, ଶ୍ରୀମତୀ ଚା’ କପଟା ହାତକୁ ବଢ଼େଇ ପଚାରିଲେ-” କ’ଣ ଦେହ ଭଲ ଲାଗୁନି କି? ଆଜି ଆଠଟା ପର୍ଯ୍ୟନ୍ତ ଶୋଇଚ ଯେ?” 

ଧଡ଼ପଡ଼ ହେଇ ଉଠିବସିଲି । -”ସତରେ କ’ଣ ଆଠଟା ବାଜିଲାଣି?” 

“କାନ୍ଥ ଘଣ୍ଟାକୁ ଦେଖ ।ମୁଁ ମିଛ କହୁଛି କି ସତ କହୁଛି ବୁଝିପାରିବ।”

“ଆଜି ଯିବନି ବୋଧହୁଏ ଚାଲିବାକୁ?” 

“ନାଁ । ମୁଣ୍ଡଟା ଭାରି ଭାରି ଲାଗୁଚି -ଯାଉ ଦୁଇଦିନ।”

“ହଉ, ଆଜିକ ବିଶ୍ରାମ ନିଅ । କାଲିଠୁଁ ଯିବ । ସୁଗାର ନ ହେଲେ ବେକଂଟ୍ରୋଲ ହେଇଯିବ।” 

 ବୁଝି ହେଲାନି, ଶ୍ରୀମତୀ ଥଟ୍ଟା ବା ଇଙ୍ଗିତ କରୁଛନ୍ତି- ନା, ମୋ ସ୍ୱାସ୍ଥ୍ୟକୁ ନେଇ ସିରିଅସ ଅଛନ୍ତି !



Rate this content
Log in