ଜର
ଜର


ବୋଉ ଆମର ସାଧାରଣ ସ୍ତ୍ରୀ ଲୋକ ଟିଏ।
ପାହାନ୍ତା ରୁ ରାତି ଅଧ ଯାଏ ଲୋଟଣି ପାରା ଭଳିଆ ଖଟୁଥାଏ।
କେତେବେଳେ ଖାଏ, କଣ ଖାଏ, କେତେ ସମୟ ବିଶ୍ରାମ କରେ କେହି ଜାଣନ୍ତିନି। ପଚାରିଲେ କହିବ " ଦେହ ଟା ଗୋଟେ ମେସିନ ପରା! ଖାଉନି, ଶୋଉନି ତ ମେସିନ ଚାଲିଛି କେମିତି?"
" ତତେ କିଏ କହୁଚି ଏ ସବୁ କଥାରେ ମୁଣ୍ଡ ଖେଳେଇବାକୁ?
ପଢ଼ାପଢ଼ି ରେ ଧ୍ୟାନ ଦେ। ପରୀକ୍ଷା ରେ ଭଲ କଲେ
ଷ୍ଟାଇପେଣ୍ଡ ମିଳିବ। ଆଗକୁ ପଢିବାକୁ ସୁବିଧା ହବ। ମୋ ରାଣ ଟି! ସମୟ ଜମା ନଷ୍ଟ କରନା ଲୋ।"
ବୋଉ ଏକା ନିଃଶ୍ୱାସ ରେ ଏତକ ଗାଇ ଦେଇଯାଏ । ମୁଁ ଆଖି ମିଟିମିଟି କରି ତାକୁ ଚାହିଁ ରହିଥାଏ।
ଥରେ ଥରେ ଭାବେ - ସତେ ଆଉ କଣ ବୋଉ ଗୋଟେ ମେସିନ? ଯଦି ସିଏ ମେସିନ୍, ତାହେଲେ ତାର ପାର୍ଟସ୍ ଗୁଡା ନିଶ୍ଚେ ମଜବୁତିଆ ହେଇଥିବ। ନହେଲେ, ଏତେ ସ୍ପିଡ ରେ କେମିତି ଏତେ ପ୍ରକାର କାମ କରିପାରୁଛି?
ଘର ,ବାହାର ଓଳା ପୋଛା, ଗଛରେ ପାଣିଦିଆ ପାଖରୁ ଠାକୁର ପୂଜା, ରୋଷେଇବାସ, ଜେଜେମା ର ସେବା, ପାଞ୍ଚୋଟି ପିଲାଙ୍କର ଖାଇବା ପିଇବା, ଟିଫିନ୍ ,ହେନତେନ୍ - କହିବାକୁ ଗଲେ ଯାବତୀୟ କାମ ଏକୁଟିଆ କରିଚାଲେ।
ବାପା ଦରମା ଗଣ୍ଡାକ ଆଣି ତା ହାତରେ ଟେକି ଦିଅନ୍ତି। ଅଫିସ୍ ଯାଇ ଆସି ସିଏ ହାଲିଆ । ହଁ, କେବେ କେବେ ମିଟୁ କୁ ଅଙ୍କ ବତେଇ ଦିଅନ୍ତି, ସିଏ ପୁଣି ମୁଡ୍ ହେଲେ ଯାଇକି। ମିଟୁ ଆମର ଟିକେ ପାଠ ଧରିବା ରେ ଟାଇମ ଲଗାଏ, ସେଥିଲାଗି ଭଲ ଉତ୍ତମ ମଧ୍ୟମ ତା କପାଳରେ ଥାଏ। କେଁ, କେଁ ହେଇ ବୁହେ କାନ୍ଦେ। ତା କାନ୍ଦ ଶୁଣି ବୋଉ ରୋଷେଇ ଘରୁ ସବୁ ଛାଡ଼ି ଦଉଡ଼ି ଆସେ।
" ମୋ ପିଲା କୁ ମାରି ଦରମରା କରିସାରିଲାଣି ନାଇଁ? ମାରିଲେ କଣ ସିଏ ସବୁ ବୁଝି ପକେଇବ? ତାକୁ ଟିକେ ସିନା ଧର୍ଯ୍ୟ ର ସହ ପଢ଼ାନ୍ତ! ଆରେ ବାବୁ , ମୋ କତିକି ଚାଲ୍। ଏବେ ବି କିଛି କିଛି ପାଠ ମୋର ମନେ ଅଛି।"
ମିଟୁ ଲୁହ ପୋଛି , ବୋଉ ର ଆଜ୍ଞାଧୀନ ବାଳକ ବନି ଯାଏ। ବହି ବସ୍ତାନି ଧରି ରୋଷେଇଘରେ ଆସ୍ଥାନ ଜମାଏ।
ମନେ ମନେ ବୋଉକୁ ଶତ ଧନ୍ୟବାଦ୍ ଦେଉଥିବ ନିଶ୍ଚେ, ବାପାଙ୍କ କବଳ ରୁ ମୁକ୍ତି ପାଇବା ପାଇଁ।
ସେଦିନ ଘରେ ଯାହା ଭଲ ଜିନିଷ ହେଇଥାଏ, ମିଟୁ ଭାଗରେ ଟିକେ ଅଧିକ ଥାଏ। କଥା କଣ କି, ବୋଉ ଆମର ନିଜପାଇଁ କିଛି ରଖେନି।
ରାତିରେ ବାପା ଗୋଡ଼ କୁଦିବାକୁ ଡାକିଲେ ମିଟୁ ଦେହ ପରାଶ ହେଇଚି କହି ଚିତକାତ୍ ମେଲେଇ ପଡ଼ିରହେ। ବୋଉ ସବୁ କାମ ସାରିକି ଆସିଲା ପରେ ତା ପାଦ ରେ ଗରମ ସୋରିଷ ତେଲ ମାଲିଶ୍ କରେ। ଏଇ ତେଲ ମାଲିଶ୍ ଫର୍ମାଇସ୍ ଟା କିନ୍ତୁ ଜେଜେମା ର ସବୁଦିନ ର - ' ବାରମାସୀ ' କହିଲେ ଅତ୍ୟୁକ୍ତି ହବନି। ଦିନଯାକ କାମ କଲା ପରେ ବି ବୋଉ କେବେ ବିରକ୍ତି ଭାବ ପ୍ରକାଶ କରେନି। ଆଉ ଜେଜେମା- ଘଣ୍ଟାଏ ଗୋଡ ମୋଡା ଖାଇଲା ପରେ ବି " ଉଠିକି ଯା " ବୋଲି କହେନି।
ବିଚାରୀ ବୋଉ ଟା! ଆଜି ପର୍ଯ୍ୟନ୍ତ ଗୋଡ଼ମୋଡା ପାଖରୁ କେବେ ଆପେ ଉଠିକି ଆସିନି।
କି ଉପାଦାନ ରେ ଗଢା କେଜାଣି?
ବୋଧେ ଅଷ୍ଟଧାତୁ ରେ...
ଏଇ ଅଷ୍ଟଧାତୁ କଥା ଥରେ ଥରେ ସାନ ମାଉସୀ କହନ୍ତି, ଯେତେବେଳେ ବୋଉ ଉପରେ ଖୁବ୍ ରାଗି ଯାଆନ୍ତି। ତାଙ୍କ ଆଖିରେ ବୋଉ ର ଏତେ ଖଟଣି ଯାଏନି। କହିବେ - " କି ବେଳ ରେ ନାନୀ ଆମର ଏ ଘରକୁ ବାହା ହେଇକି ଆସିଥିଲା କେଜାଣି! ନା ଦଣ୍ଡେ ବସି ପାରୁଚି ନା ଗଣ୍ଡେ ଶାନ୍ତି ରେ ଖାଇ ପାରୁଚି! ହେ ଭଗବାନ୍! ଏମିତି ଖଟଣି କେଇ ଦିନ ଆଉ ଖଟିପାରିବ ସିଏ? କେତେ ଥର କହିଲିଣି, ଚାଲ୍ ଯିବା। ଗାଁ ରେ ନନା ବୋଉ ଙ୍କ ପାଖେ କିଛିଦିନ ରହି ଆସିବା। ହେଲେ, ସିଏ କଣ
ବାହାରିବ? ବାହାନା ପରେ ବାହାନା ଥାକ ମାରିଦେବ।
ମୋ ପିଲେ ହଇରାଣ ହେବେ। ୟା'ଙ୍କର ଅସୁବିଧା ହବ।ଶାଶୁ କ'ଣ ଭାବିବେ? ଇତ୍ୟାଦି , ଇତ୍ୟାଦି..."
" ଆଲୋ ସୁନି! ତୁ ଦିନେ ଅଧେ ଘର ସମ୍ଭଳନ୍ତୁ ନି! ମୁଁ ଆଉ ନାନୀ ଗାଁ କୁ ଯାଆନ୍ତୁ କିଛି ଦିନ ଲାଗି!"
ମୁଁ କହେ" ହଁ ତମେ ତାକୁ ନେଇଯାଅ, ଏଠି କା କଥା ମୁଁ ଦେଖିବି। ମୋ ସେନାବାହିନୀ ବି ରେଡି। ହେଲେ , ତମ ଭଉଣୀ ବାହାରିଲେ ସିନା ହେବ। ଖାଲି କହିବ ତୁମ ସମସ୍ତଙ୍କୁ ଛାଡ଼ିଗଲେ, ମନ ଗୁଡେଇ ହବ। ସେଠି ପହଞ୍ଚିକି ଅଶାନ୍ତି ଲାଗିବ।"
" ବୋଉ କୁ ଜର ହେଲେ, କଣ କରିବ ସବୁ?"
" ସିଏ ତ ବିଛଣା ରେ ଶୋଇ ରହିବ, ଘରକାମ କିମିତି ହବ?"
"କେବେ ଭାବିଛ ଭଲା!"
ସେଦିନ ମାଉସୀଙ୍କର ଏଇ ପ୍ରଶ୍ନ ଟି ଶୁଣି ମୁଁ ଅବାକ୍ ହେଇଗଲି।
ମୋର ହେତୁ ହେବା ଦିନ ଠାରୁ , ବୋଉକୁ ଜର କି ଅନ୍ୟ କୌଣସି ବ୍ୟାଧି ହବା କଥା କେବେ ଶୁଣିନି।
ବଡ ଆଶ୍ଚର୍ଯ୍ୟ କଥା।
ତାହେଲେ କଣ ଅଷ୍ଟଧାତୁ ରେ ଯେଉଁମାନେ ଗଢା, ସେମାନେ ଜର ବ୍ୟାଧି ରୁ ମୁକ୍ତ?
ମିଟୁ ପାଖରେ ବସି ପଣିକିଆ ଘୋଷୁଥିଲା। ସିଏ ବି ଟିକିଏ ଧିମେଇ ଗଲା ଆଉ ମତେ ବଲ ବଲ କରି ଅନେଇଲା।
ମିନିଟିଏ ପରେ କହିଲା -
" ମାଉସୀ, ବୋଉ ଭାରି ଶାନ୍ତଶିଷ୍ଟ । ସେଥିଲାଗି ତାକୁ କେହି ଟୋପେ ବି ଡରନ୍ତିନି। ହେଲେ, ସମସ୍ତେ ଭାରି ଭଲ ପାଆନ୍ତି।
ଆଖପାଖ ,ସାଇ ପଡ଼ିଶା ସମସ୍ତେ। ହଁ, ଡରିବା ଲୋକଙ୍କ ଲିଷ୍ଟ୍ ଟା ଖୁବ୍ ଛୋଟ।
ଆମ କୁନୁ, ବୋଉକୁ ସେଇଦିନ ଭାରି ଡରେ, ଯେଉଁଦିନ ଶେଯ ରେ ମୁତି ଦେଇଥାଏ। ସକାଳୁ ଉଠିକି ବୋଉ ପାଖେ କେତେ ଗୁହାରୀ କରେ କନ୍ଥା ଟା ଛାତ ଉପରେ ଶୁଖେଇବା ଲାଗି। ଡେରି ହେଲେ , ସମସ୍ତଙ୍କ ଆଗରେ ତାର ଗୁମର ପଦାରେ ପଡିଯିବ ବୋଲି।
ଆମ କାମବାଲୀ ରମା। କ୍ଷୀର ଲୁଚେଇକି ପିଇଲା ବେଳେ ବୋଉ ତାକୁ ଧରିଛି, ଥରେ କି ଦି ଥର। ବାପାଙ୍କୁ କିନ୍ତୁ ତା ଚୋରି କଥା କୁହାହେଇନି। ବାପା ଜାଣିଲେ ତା'ର ଛୁଟି କରିଦେବେ।
ତେଣୁ ସିଏ ବୋଉ କୁ ଅଳ୍ପ ଡରେ।
ପଡିଶା ଘର ସଂଗୀତା ପ୍ରିୟଦର୍ଶିନୀ ଅପା, ବୋଉ କୁ ଦେଖିଲେ କାହିଁକି ଟିକେ ଲାଜରା ଲାଜରା ଭାବ ପ୍ରକାଶ କରନ୍ତି। ବୋଉ ତାଙ୍କର କିଛି ଗୁମର ଜାଣିଛି ବୋଲି ବାପାଙ୍କ ଆଗରେ କହୁଥିଲା ସେଦିନ। ମୁଁ ପାଖକୁ ଗଲାକୁ ଦି ଜଣ ଯାକ ଚୁପ୍ ହେଇଗଲେ।
ବାପା ଘଡଘଡି ଭଳିଆ ଚିତ୍କାର ଟେ ଛାଡ଼ି କହିଲେ" କିରେ, ଭଦ୍ରାମି଼ ଜଣାନାହିଁକି? ବଡ଼ ମାନେ କଥା ହେଲାବେଳେ ଦୂର ରେ ରହୁନୁ।"
ଆଉ ବି ଜଣେ ଦି ଜଣ ଅଛନ୍ତି ଯିଏ କି ବୋଉ କୁ ଡରନ୍ତି, ଠିକ୍ ମନେ ପଡୁନି -
ହଁ, "ଜର"।
ମାଉସୀ ଆଉ ମୁଁ ଏକାସାଙ୍ଗରେ କହି ଉଠିଲୁ " କିରେ ଜର କ'ଣ ଗୋଟେ ଲୋକ?"
ମିଟୁ ଟିକେ ଥଙ୍ଗ ଥଙ୍ଗ ହେଇ କହିଲା" ଲୋକ ନୁହେଁ ହେଲେ, ବୋଉକୁ ତାର ଭାରି ଡର। ସେଇଲାଗି ତ ତା' ପାଖ କେବେ ପସେନି। ବୋଉ କୁ କେବେ ଘୋଡେ଼ଇ ହେଇକି ଶୋଇବା କି ଜର ମାପି ଔଷଧ ଖାଇବା ମୁଁ ଦେଖିନି।
ଆରମାସ ସମସ୍ତେ ଅଳ୍ପେ ବହୁତେ ଭୋଗିଲୁ। କିନ୍ତୁ ବୋଉ କୁ ଜର ଛୁଇଁ ପାରିଲାନି। ସିଏ ସେମିତି କାମ କରିଚାଲିଲା। ଖାଲି ପଣ୍ଡା ଆଣ୍ଟି ପଛରେ କହିଲେ କି ବୋଉ କଳ ପାଖରେ ପଡ଼ିକି ବେହୋସ୍ ହେଇଯାଇଥିଲା।
ବୋଉକୁ ରାଣ ନିୟମ ଦେଇକି ପଚାରିଲୁ, ହେଲେ କହିଲା "ଶିଉଳି ଗୁଡା ଏତେ ସେଇ କଳ ପାଖରେ, ଅନ୍ୟମନସ୍କ ଥିଲି, ଗୋଡ଼ ଖସିଗଲା। କି ବଡ କଥା ଟା କି?"
ସୁଜାତା ଦାଶ।
ଭୁବନେଶ୍ୱର