Kulamani Sarangi

Comedy

3  

Kulamani Sarangi

Comedy

ପୂଜ୍ୟପୂଜା ବ୍ୟତିକ୍ରମ(ରମ୍ୟରଚନା)

ପୂଜ୍ୟପୂଜା ବ୍ୟତିକ୍ରମ(ରମ୍ୟରଚନା)

3 mins
11.8K


ବିଷ୍ଣୁ ଆଜି ସବୁ ପ୍ରାଣୀ ମାନଙ୍କର ଗୋଟିଏ ଆପାତ୍କାଳୀନ ଦରବାର ବସେଇଛନ୍ତି।ପଶୁ ପକ୍ଷୀ କୀଟ ପତଙ୍ଗ ସହିତ ମଣିଷ ମଧ୍ୟ ସେ ସଭାରେ ଉପସ୍ଥିତ। ଅଭିଯୋଗ ମଣିଷ ବିରୁଦ୍ଧରେ।ସେ କୁଆଡେ ସମସ୍ତଙ୍କୁ ଖାଇଯାଉଚି।ଝିଣ୍ଟିକା ଝିଁ ଝିଇଁ କରି ବିଷ୍ଣୁଙ୍କ ମନୋରଞ୍ଜନ ପାଇଁ ସଙ୍ଗୀତ ଟିଏ ଗାଇବାରୁ,ବିଷ୍ଣୁ କହିଲେ.. ହଉ ଥାଉ ଥାଉ,ତୋ ସ୍ବର ତ ନାରଦଙ୍କ ବୀଣା ଠାରୁ ମଧ୍ୟ ମଧୁର,କିନ୍ତୁ ସଙ୍ଗୀତ ଶୁଣିବା ସମୟ ଏଇନେ ଅଛିକି? କୁହ ପ୍ରାଣୀମାନେ, ମଣିଷ ବିରୁଦ୍ଧରେ ତୁମ ମାନଙ୍କର କଣ ଅଭିଯୋଗ ?..... ବିଷ୍ଣୁ ପଚାରିଲେ। ଝଡି ପୋକ କିଛି କହିବାକୁ ହାତ ଟେକିଲା। ବିଷ୍ଣୁ କହିଲେ...କହିଯା। ଝଡି ପୋକ କହିଲା...ମହାମହିମ ! ଏ ମଣିଷ ହିରଣ୍ୟଗର୍ଭ ପାଲଟି ଗଲାଣି,ୟାକୁ ଆଉ କିଛି ଅଣ୍ଟୁନି;ଛେଳି କୁକୁଡା ହରିଣ ବାର୍ହା କୁଟରା ଖରିଆ ଗୋଧି ଗାଈ ସାପ ବେଙ୍ଗ ମାଛ ଜିଆ କୋଚିଆ କୁକୁର ବିଲେଇ ଶାଗୁଣା ଚିଲ କାବେତି ଓ ଜାବତୀୟ ପକ୍ଷୀ ଖାଇସାରି ଶେଷରେ ଝଡିପୋକ ମାରି ମୁଢି ସହିତ ମିଶେଇ ଖାଇଲା।ଜୀବ ଜଗତରେ ସମସ୍ତେ ଡରିମରି ଆମେ ଅଛୁ। ବିଷ୍ଣୁ ମଣିଷ ଆଡ଼କୁ ଅନେଇଲେ।ମୁରୁକି ହସା ଦେଇ ମଣିଷ ମୁହଁଟା ତଳକୁ ପୋତି ଠିଆହେଲା। ବିଷ୍ଣୁ ରାଗିଗଲେ।କହିଲେ...ହଇରେ ନିର୍ଲଜ,ମତେ ପୂଜା କଲାବେଳେ ତ "ଅହିଂସା ପରମୋ ଧର୍ମ"କହି ବିରାଡ଼ି ବୈଷ୍ଣବ ଦେଖେଇ ହଉଚୁ,ପୋକ ଜୋକ କାହିଁକି ଅଣ୍ଟୁ ନାହାନ୍ତି ତତେ ? ବିଷ୍ଣୁ ଙ୍କର ଏଇ ଡାଣ୍ଟିବା ମଉକାରେ ଗରୁଡ ଦି'ଚାରିପଦ ଶୁଣେଇବାକୁ ଉଦ୍ୟତ ହେଲେ। ବିଷ୍ଣୁ କହିଲେ... ତମେ ବସ ହେ। ଗରୁଡ ଡରିଯାଇ କହିଲେ... ମୁଁ କଣ କଲି ଆଜ୍ଞା ! ବିଷ୍ଣୁ କହିଲେ...କଣ ଆଉ କରିଥାନ୍ତ ?ସାପ ଭକ୍ଷଣରେ ତମର ଏତେ ଲୋଭ ଯେ ତମ ଯୋଗୁଁ ମୁଁ ଅନେକ ଥର ହଇରାଣ ହେଲିଣି। ମୁଁ ଅନନ୍ତ ଶୟନ ରେ ଥିଲାବେଳେ ତମେ ଯେତେବେଳେ ହଠାତ୍ ଆସି ପହଞ୍ଚ,ଅନନ୍ତ ଡରିମରି, ମତେ ସମୁଦ୍ର ଭିତରକୁ ଗଡ଼େଇ ଦେଇ ପଳେଇ ଯାଆନ୍ତି। ମୁଁ ତ ଯାହା ଜଳରେ ପଡେ,ତମ ଲକ୍ଷ୍ମୀ ସାଆନ୍ତାଣୀ,ମୋ ପଦସେବା ଅବସ୍ଥାରେ ଥାଇ ବି ଗଳି ପଡନ୍ତି।ତାପରେ ମୋ ଉପରେ ପଡେ ଗାଳି।ଆମ ପରିବାର ଅଶାନ୍ତିର ଗୋଟେ ମୂଳକାରଣ ହଉଚ ତମେ।" ବିଷ୍ଣୁ ଙ୍କର ଏଇ ଆକ୍ଷେପ ରେ ଗରୁଡ ଲଜ୍ଜିତ ହୋଇ ବସି ରହିଲେ। ମଣିଷ ଉପରେ ବହୁଦିନରୁ ରାଗ ରଖିଥିବା ବାଘ କିଛି ଅଭିଯୋଗ କରିବାକୁ ହାତ ଟେକିଲା। ବିଷ୍ଣୁ ତା ଆଡକୁ ଅନାଇଁ କହିଲେ...ତୁ ଆଉ ଭଦ୍ରଲୋକି ଦେଖାନି,ତୁ ମଧ୍ୟ ମହା ହିଂସ୍ର ପ୍ରାଣୀ।ଥରେ ଶିବ ଜଙ୍ଗଲରେ ବୁଲୁଥିଲେ;ଦେହରୁ ଭସ୍ମ ଉଡି ତାଙ୍କ ତୃତୀୟ ନେତ୍ରରେ ପଡ଼ିଲା।ସେହି ଅଗ୍ନି ନେତ୍ରରୁ ଅଗ୍ନି ପ୍ରଜ୍ବଳିତ ହୋଇ ଶିବଙ୍କ ମଥାରେ ଥିବା ଚନ୍ଦ୍ରଙ୍କ ଦେହରେ ଲାଗିଲା। ଚନ୍ଦ୍ରଙ୍କ ଦେହରେ ଥିବା ଅମୃତ ବିଗଳିତ ହୋଇ ଶିବ ପିନ୍ଧିଥିବା ତୋ (ବାଘ) ଛାଲରେ ପଡିଲା।ତାପରେ ଜୀବନ ପାଇ ତୁ ଗୋଡେଇଲୁ ଶିବଙ୍କ ବାହନ ବୃଷଭକୁ ଖାଇବାକୁ।ଶିବ ସମ୍ପୂର୍ଣ୍ଣ ଉଲଗ୍ନ। ପାର୍ବତୀ ଚାହିଁ ହସୁଛନ୍ତି।ସେଇ ବାଟେ ଲକ୍ଷ୍ମୀଙ୍କ ସହିତ ମୁଁ ଯାଉଥିଲି;ଶିବଙ୍କ ଅବସ୍ଥା ସହଜରେ ଅନୁମେୟ।ହଇରେ ବାଘ,ଏଡେ ଆଇଁଷ ଡାହାଣା କାହିଁକି ହେଲୁକିରେ ? ଏକଥା ଶୁଣି ମଣିଷ ଫେ'କିନା ହସିଦେଲା। ବିଷ୍ଣୁ କହିଲେ...ହସୁଚୁ କାହିଁକି ନିର୍ଲଜ? ମୁଁ ତ ତତେ ନିରାମିଷାଶୀ ପ୍ରାଣୀ କରି ଗଢିଲି;ଘାସ୍ ଫୁସ୍ ଖାଇବାକୁ ଯୋଗ୍ୟ ଅ'ମୁନିଆ ଦାନ୍ତ ଦେଲି,ତା ସତ୍ବେ ତୁ ପଶୁ ପକ୍ଷୀରୁ ଆରମ୍ଭ କରି ପୋକ ଯୋକ ସବୁ କାହିଁକି ଖାଇ ଯାଉଚୁ? ପାଖରେ ମାଙ୍କଡ ବସିଥିଲା।ସବୁବେଳେ ମଣିଷ ସହିତ ତାର ଶତ୍ରୁତା। ବିଷ୍ଣୁଙ୍କ ରାଗ ବଢେଇବାକୁ କହିଲା... ସାର, କମ୍ ଗର୍ବ କି ତାର।ଆପଣ ତାକୁ ଶ୍ରେଷ୍ଠ ପ୍ରାଣୀ ଭାବେ ଗଢ଼ିଛନ୍ତି ବୋଲି ସବୁବେଳେ ଛାତି ଫୁଲେଇ ବୁଲୁଛି।କହୁଚି କଣ ନା ମୁଁ ଚନ୍ଦ୍ରକୁ ଯାଇଛି,ମଙ୍ଗଳକୁ ଯାଇଛି,ମୋ ହାତରେ ବୋମା ଅଛି, ପକେଇଲେ କ୍ଷଣକରେ ସୃଷ୍ଟି ନଷ୍ଟ ହେଇଯିବ।ମୁଁ ସମୟ ଓ ଦୂରତା କୁ ଜୟ କରିଛି।ଚାହିଁଲେ ପୃଥିବୀ ଉପରେ ଆଉଗୋଟେ ଚନ୍ଦ୍ର ବସେଇ ପାରିବି ଇତ୍ୟାଦି ଇତ୍ୟାଦି। ସାର,ସିଏ କଣ ଆପଣଙ୍କୁ ମାନୁଚିକି ଆଉ ?କହୁଚି, ତା ନିଜ ଭଗବାନ କୁଆଡେ ସେ ନିଜେ। ମାଙ୍କଡ଼ର ଏ ଅଭିଯୋଗ ଶୁଣି ମଣିଷ ମୁଣ୍ଡକୁ ପିତ୍ତ ଚଢ଼ିଗଲା।ହାତରେ ଧରିଥିବା ବାଡ଼ିରେ ଦଶ ପାହର କସିଦେଲା ମାଙ୍କଡ ଉପରେ।"ମରିଗଲିହେ ବାପା,ମରିଗଲି ଲୋ ବୋଉ" କହି ମାଙ୍କଡ ବିଷ୍ଣୁଙ୍କ ଚାରିପଟେ ଦୌଡୁଥାଏ,ମଣିଷ ପିଟି ଚାଲିଥାଏ। ଏହା ଦେଖି ବିଷ୍ଣୁ ମଣିଷ ଉପରେ ରାଗିଗଲେ।କହିଲେ...ମୂର୍ଖ କୁଳାଙ୍ଗାର,ଏଡେ ସାହସ ତୋର?ମୋ ପ୍ରତି ଏତେ ଅବଜ୍ଞା?ରହ ଦଉଚି ତତେ। ହୁଁ,ବୋଲି କହି ଫଣଫଣ ହୋଇ ମଣିଷ ଚାଲିଗଲା।ବିଷ୍ଣୁ କହିଲେ ...ଏହାର ଗର୍ବର ପ୍ରତିଫଳ ତାକୁ ଭୋଗିବାକୁ ପଡ଼ିବ।ମୁଁ ନିଜେ ତାକୁ ଦଣ୍ଡ ଦେବି ନାହିଁ,ତୁମ ମାନଂକ ମଧ୍ୟରୁ ଜଣକ ଦ୍ଵାରା ଏଭଳି ଦଣ୍ଡ ଦେବି ଯେ ସେ ହେଜୁଥିବ।କୁହ କିଏ ତୁମ ମଧ୍ୟରୁ ସେଥିପାଇଁ ପ୍ରସ୍ତୁତ ? ମାଡ଼ ଖାଇଥିବା ମାଙ୍କଡ "ମୁଁ ମୁଁ"କହି ଦୁଇ ହାତ ଟେକିଲା। ଆଉ ମଧ୍ୟ ଅନ୍ୟ କିଛି ଜୀବ ଜନ୍ତୁ ହାତ ଟେକିଲେ।କିନ୍ତୁ ବିଷ୍ଣୁ କହିଲେ... ନାଁ,ତମେ ସବୁ ପାରିବନି,ମଣିଷ ବଡ଼ ଚାଲାକ୍।ସବା ପଛ ଧାଡ଼ିରେ ବସିଥିବା ସଦସ୍ୟଟି ସେହି କାର୍ଯ୍ୟ କରି ପାରିବ। ସମସ୍ତେ ପଛକୁ ଅନେଇଲେ।କିନ୍ତୁ କିଛି ଦେଖି ପାରିଲେ ନାହିଁ। ବିଷ୍ଣୁ କହିଲେ :... ତୁମେମାନେ ତାକୁ ଦେଖି ପାରିବନାହିଁ,କାରଣ ସେ ଅଦୃଶ୍ୟ;ସେ ଏକ ଭୂତାଣୁ,ତା ନାଁ "କରୋନା" କରୋନାର ଏହି କାର୍ଯ୍ୟ ରେ ବାହୁଡ଼ି ତାକୁ ସାହାଯ୍ୟ କରିବ। ବିଷ୍ଣୁ ଙ୍କର ଏହି କଥା ଶୁଣି ବାଦୁଡି ଆନନ୍ଦରେ ଫଡ଼ ଫଡ଼ ହୋଇ ଚାରି ରାଉଣ୍ଡ ଉଡିଲା।କରୋନାର ଆନନ୍ଦ କହିଲେ ନସରେ। ଶେଷରେ ବିଷ୍ଣୁଙ୍କ ପାଦତଳେ ମୁଣ୍ଡିଆ ମାରି କରୋନା ଏବଂ ବାଦୁଡି ଚାଇନା ଯିବାକୁ ଏୟାର ଟିକେଟ କାଟିଲେ। ସେମାନଙ୍କ ରହଣୀ ଓ ଗସ୍ତ ଖର୍ଚ ପାଇଁ ହିସାବ ରକ୍ଷକ କୁବେର ପର୍ଯ୍ୟାପ୍ତ ଅଗ୍ରିମ ରାଶି ଦେଇଥିଲେ। .....................................................................


Rate this content
Log in

Similar oriya story from Comedy