SOUBHAGYABATI GIRI

Romance

4.6  

SOUBHAGYABATI GIRI

Romance

ପୁଣି ଦେଖାହେବ

ପୁଣି ଦେଖାହେବ

4 mins
21


ପାଞ୍ଚଦିନ ଘରେ କଟେଇବା ପରେ କାର୍ଯ୍ୟକ୍ଷେତ୍ର କୁ ଫେରୁଥାଏ ମୁଁ l ବେସରକାରୀ ଚାକିରିଆ l ବେଶୀ ଛୁଟି ମିଳେ ନାହିଁ l ଦୁଇ ଦିନରୁ ଅଧିକ ରହିଲେ ଉଚ୍ଚ ଅଧିକାରୀ ମାସିକ ବେତନରୁ କିଛି କାଟି ଦିଅନ୍ତି l ତଥାପି ମୁଁ ବେଳେବେଳେ ଟିକେ ଘରେ ରହିଯାଏ l କେମିତି ବା ରହିବିନି l ଘରେ ମୋର ମା' ବୁଢୀଟି l ସିଏ ହିଁ ତ ମୋର ସବୁକିଛି l

         ବକଟେ ନାକୁ ହେଇଥାଏ ମୁଁ l ଘରେ ଖେଳୁଥାଏ l ବାପା ଅଗଣାରେ ବସି ଖବରକାଗଜ ପଢୁଥାଆନ୍ତି l ହଠାତ୍ ଚଉକିରୁ ତଳକୁ ପଡିଗଲେ l ଆଉ ଉଠିଲେନି l ସବୁଦିନ ପାଇଁ ଚୁପ୍ ହେଇଗଲେ ବାପା l ବାପା ଶବ୍ଦ କଣ ଜାଣିବା ଆଗରୁ ମୁଁ ତାଙ୍କୁ ହରେଇଦେଲି l ମା ଏକଦମ୍ ଭାଙ୍ଗିପଡିଲା l ସଂପର୍କଟା ବୋଝ ହୋଇଗଲା ତା ପାଇଁ l ଅନେକ ରାତି ମୁଁ ଶୋଇଗଲା ପରେ ଲୁଚିଲୁଚି ସକେଇ ସକେଇ କାନ୍ଦେ ସେ l ତଥାପି କେବଳ ମୋ ମୁହଁକୁ ଚାହିଁ ମନକୁ ସନ୍ତୁଳିତ କରିଥିଲା ସେ l ମୁଁ କାଳେ ତା କଲିଜାର ଗୋଟେ ଅଂଶ l ମା ମୋ ପାଇଁ ପରଘରେ ବାସନ ମାଜିଛି l ଦୁ:ଖଧନ୍ଦା କରିଛି l ତା ଆଶୀର୍ବାଦ ରୁ ମୁଁ ଚାକିରି ଖଣ୍ଡେ କରିଛି l ତେଣୁ ଯେତେ କଷ୍ଟ ପଡିଲେ ବି ମା' କୁ ମୁଁ ସମୟ ଦିଏ l 

      କଟକରେ ବସ୍ କୁ ଚଢିଲି ମୁଁ l କଣ୍ଡକ୍ଟର ଭାଇଙ୍କୁ କହି ନିଜ ପାଇଁ ଝରକା ପାଖ ସିଟ୍ ଟିଏ ବାଛିନେଲି l ବସ୍ ଚାଲିଲା l ପରବର୍ତ୍ତୀ ପେଟ୍ରୋଲ୍ ପମ୍ପ୍ ରେ ଅଟକିଲା ବସ୍ l ମୁଁ ସାଙ୍ଗେସାଙ୍ଗେ ଓହ୍ଲାଇ ପଡିଲି ତଳକୁ l ଦେଖିଲି ପେଟ୍ରୋଲ୍ ପମ୍ପ୍ ପାଖରେ ଗୋଟେ ନାଲି ରଙ୍ଗର ଦାମୀ କାର୍ l କାର୍ ର୍ ଓହ୍ଲାଇଲେ ଜଣେ ସୁନ୍ଦରୀ ତରୁଣୀ l ବୟସ ପାଖାପାଖି ୨୫ ହେବ l ଦେହରେ ଦାମୀ ବସ୍ତ୍ର ଓ ଆଭୁଷଣ l ସିନ୍ଥିର ସିନ୍ଦୁର ଆଉ ହାତର ନାଲି ଶଂଖାରୁ ସୁହାଗିନୀ ହେବାର ହରଷ ଝଲକୁଥାଏ l ଆଖିରେ କଜଳ,ଓଠରେ ହାଲ୍କା ଲିପ୍ ଷ୍ଟିକ୍,ପାଦରେ ରୁଣୁଝୁଣୁ ପାଉଁଜି l ତାର ଶୃଙ୍ଗାର ସମକ୍ଷରେ ମଦମତ୍ତ ମହକିତ କରୁଥିବା ଋତୁରାଜ ବସନ୍ତ ସତେଯେମିତି ଝାଉଁଳି ପଡୁଥିଲା l ଟିକେ ପାଖକୁ ଯାଇ ଯାହା ଦେଖିଲି ନିଜ ଆଖିକୁ ବିଶ୍ୱାସ କରି ପାରିଲିନି l ଆରେ ଏ ତ ମୋ ବାଲ୍ୟବନ୍ଧୁ ଅମ୍ବିକା l 

ଆଖିଆଗରେ ନାଚିଗଲା ସ୍କୁଲ୍ ଆଉ କଲେଜ୍ ଜୀବନ l ଭାରି ଶାନ୍ତଶିଷ୍ଟ ଥିଲା ଅମ୍ବିକା l ପୂରା ସ୍କୁଲ୍ ରେ ସେ ଥିଲା ମୋର ସବୁଠୁ ଭଲ ସାଙ୍ଗ l ଆମେ କ୍ଲାସ୍ ରେ ଏକାଠି ବସୁ l ସେ ତା ଫ୍ରକ୍ ରେ ମୋ ପାଇଁ ମୁଢି ଲୁଚେଇକି ଆଣେ l କେବେ ବାଡି ବରକୋଳି କେବେ କଇଁଆ ଖଟା ତ ଆଉ କେବେ କମଳା ଲେମ୍ବୁ l ସେତେ ବେଳେ ମୁଁ ପ୍ରାୟ ପ୍ରତିଦିନ ଉପାସ୍ ରେ ଘରୁ ଆସୁଥିଲି l ସେ ତା ନିଜ ପାଇଁ ଆଣିଥିବା ଜଳଖିଆର କିଛି ଅଂଶ ମୋତେ ଖାଇବାକୁ ଦିଏ l ମୋ ଭୋକିଲା ପେଟକୁ ତା ଜଳଖିଆ ଅମୃତଠୁ କିଛି କମ୍ ଲାଗେନି l ତାକୁ ଯିଏ ଖର୍ଚ୍ଚ କରିବାକୁ ପଇସା ଦିଏ ସେ କେବେ ଖର୍ଚ୍ଚ କରେନି l ମୋ ପାଇଁ ବହିଖାତା କିଣିଦିଏ l ତା ପେନ୍ ସିଲ୍ ରୁ ଖଣ୍ଡେ ଭାଙ୍ଗି ମତେ ଲେଖିବାକୁ ଦିଏ l ପ୍ରତିଟି ମୁହୁର୍ତ୍ତରେ ସାହାଯ୍ୟର ହାତ ବଢେଇ ଦେଉଥାଏ ସେ ମତେ l ଏମିତି ଏମିତି ୨ ସରିଲା l ମୋ ମା କୁ ଫୁସୁଲାଫୁସୁଲି କରି ମତେ ଇଞ୍ଜିନିୟରିଂ ପାଇଁ ପଠେଇଦେଲା l ସେ ଟିଉସନ୍ କରି ଘରେ ଲୁଚେଇ ମତେ ପଇସା ପଠାଏ l ମୋ ଟିଫିନ୍ ଠୁ ଆରମ୍ଭ କରି ଡିନର୍ ସବୁ ତା ପଇସାରେ l  ସେତେବେଳକୁ ମୁଁ ଜାଣି ସାରିଥାଏ ଅମ୍ବିକା ହୃଦୟର କେଉଁ ଏକ ଅଜଣା କୋଠରୀ ଫାଙ୍କା ପଡିଛି ମୋ ପାଇଁ l ମୋ ହୃଦୟ ବି ବିଚଳିତ ହୁଏ ତା ପାଇଁ l ହେଲେ ମନରେ ଭୟ ସଞ୍ଚାର ହୁଏ l ବାମନ ହେଇ କେମିତି ହାତ ବଢେଇବି ଚନ୍ଦ୍ରମା କୁ l ଯଦି ଅମ୍ବିକା କିଛି ଏପଟସେପଟ କରି କହିଦିଏ l ଇଞ୍ଜିନିୟରିଂ ଶେଷ ବର୍ଷ l ହଠାତ୍ ଦିନେ ପଇସା ସହିତ ପାଇଲି ଅମ୍ବିକା ର ହାତଲେଖା ଚିଠି ଖଣ୍ଡେ l ଲେଖିଥିଲା ତା ମନର କଥା l ମୁଁ ତ ଚାତକ ଭଳି ଚାହିଁ ରହିଥିଲି ଏମିତି ଦିନକୁ l ଚିତ୍ତର ଚଞ୍ଚଳତାକୁ ଆଉ ସମ୍ଭାଳି ପାରିଲିନି l ଭାରି ଇଚ୍ଛା ହେଲା ଅମ୍ବିକାକୁ ଥରେ ଦେଖି ଆସିବା ପାଇଁ l ବସ୍ ଧରି ଚାଲିଲି ଗାଁ କୁ l ଅମ୍ବିକାକୁ କଥା ଦେଲି ଚାକିରି କରି ସାରିବା ପରେ ଆମ ହୃଦୟ ର ଏ ବନ୍ଧନକୁ ବିବାହ ବନ୍ଧନର ରୂପ ଦେବି l ହାତରେ ଶଂଖା ମଥାରେ ସିନ୍ଦୁର ପିନ୍ଧେଇ ବାଣ ରୋଷଣୀ ସଜେଇ ତାକୁ ମୋ ଘରକୁ ନେଇ ଆସିବି l ଅମ୍ବିକା ବିବାହର ଦିନ ଗଣୁଥାଏ ଆଉ ମୁଁ ଚାକିରୀର l କେତେ ଦିଅଁ ପୂଜୁଥାଏ ସେ ମୋ ଚାକିରି ପାଇଁ l ଭଗବାନ୍ ତା ଡାକ ଶୁଣିଲେ l ଶେଷରେ ବହୁତ୍ ବଡ କମ୍ପାନୀ ରେ ମୋର ଚାକିରି ହେଇଗଲା l ଅମ୍ବିକା ର ପାଦ ଆଉ ତଳେ ଲାଗୁ ନଥାଏ l ମା ମୋର ଭାରି ଖୁସି ହେଲା lଚାକିରି ହେଉହେଉ ଝିଅଙ୍କ ଲମ୍ବା ଲାଇନ୍ ଲାଗିଗଲା l ଏସବୁ ଦେଖି ଅହଂକାର ରୂପୀ ବିଷଲତା ଉତ୍ପନ ହେଲା ମୋ ଭିତରେ l ମୋ ଭିତରର ଅହଂକାର ତାର ସୃଷ୍ଟିରଚନା କରି ହେଇଗଲା ତାର ସୃଷ୍ଟିକର୍ତ୍ତା l ଆଉ ତାର କଳାଛାଇରେ ଆଚ୍ଛାଦନ କରିଦେଲା ମୋ ଦେହର ପ୍ରତିଟି ଲୋମକୂପ କୁ l ଟଙ୍କାର ଲୋଭ ମତେ କାବୁ କରିନେଲା l ଅମ୍ବିକା ସହିତ ବେଇମାନୀ କରିବା ଆରମ୍ଭ କରି ଦେଇଥିଲି ମୁଁ l ଦିନେ ସାହସ ଜୁଟେଇ କହିଦେଲି - ଦେଖ୍ ଅମ୍ବିକା ତୁ ମୋ ପାଇଁ ଯୋଗ୍ୟ ନୁହଁ l ମୁଁ ତତେ ବାହା ହେଇ ପାରିବିନି l ବିଚାରୀ ଆଖିରେ ଲୁହର ବନ୍ୟା ଦେଖିଛି ମୁଁ l ତା ପରଠୁ କେବେ ମୁହଁ ଫେରେଇ ଚାହିଁନି ସେ ମତେ l ସେବେଠୁ ଆଉ କେବେ ଦେଖି ନଥିଲି ମୁଁ ତାକୁ l ଅନେକ ଦିନ ପରେ ଜାଣିବାକୁ ପାଇଲି ସେ କେଉଁ ଯୁବ ଉଦ୍ୟୋଗପତିଙ୍କୁ ବାହା ହେଇଛି l

ବୋଧହୁଏ ତା ଅଭିଶାପ ପଡିଯାଇଥିଲା ମୋ ଉପରେ l ହଠାତ୍ ରୋଗାକ୍ରାନ୍ତ ହେଲି ମୁଁ l ବାଧ୍ୟ ହୋଇ ଚାକିରି ଛାଡିବାକୁ ପଡିଲା l ବହୁଦିନ ପରେ ସୁସ୍ଥ ହେଲି l ଏବେ ଗୋଟେ ଛୋଟିଆ କମ୍ପାନୀ ରେ ଚାକିରି l 

ଆଜି ହଠାତ୍ ତାକୁ ଦେଖି ମୋର ଅନ୍ତରାତ୍ମା ମତେ ଜୋର୍ ରେ ଡାକ ପକାଇ କହୁଥିଲା - ଯା,ଜଲ୍ଦି ଯା l ତା ଗୋଡ ଧରି କ୍ଷମା ମାଗି ନେ l ମୁଁ ମନକୁ ଦମ୍ଭ କଲି l ଭାବିଲି ତା ଗୋଡ ଧରି କ୍ଷମା ମାଗିନେବି l ଏମିତି ଭାବନା ଭିତରେ ବୁଡି ଯାଇଥାଏ ମୁଁ l କଣ୍ଡକ୍ଟର ଡାକ ଛାଡିଲା - ସବୁ ଯାତ୍ରୀ ବସ୍ କୁ ଆସନ୍ତୁ l ଏବେ ବସ୍ ଛାଡିବ l ହଠାତ୍ ମୁହଁ ବୁଲେଇ ଦେଖିଲା ବେଳକୁ ସେଠି କେହି ନ ଥିଲେ l

 ତରତର ହୋଇ ବସ୍ କୁ ଚଢିଗଲି l ହେଲେ ବସ୍ ସାରା ସେଇ ଗୋଟିଏ କଥା ଭାବୁଥିଲି l କେବେ ପୁଣି ଦେଖାହେବ ଅମ୍ବିକା ସହିତ l


Rate this content
Log in

Similar oriya story from Romance