ଅଶୁଭ ଘର
ଅଶୁଭ ଘର
ସେଦିନ ଥାଏ ବୈଶାଖ ମାସର ଗୋଟେ ଅପରାହ୍ନ l ଟାଇଁଟାଇଁ ଖରା ହେଉଥାଏ l ସବୁ ନୀରବ ନିଶ୍ଚଳ l ପତ୍ରଟିଏ ବି ହଲୁ ନ ଥାଏ କୋଉଠି l ମୁଁ କଲେଜ୍ ରୁ ଫେରୁଥାଏ l କଲେଜ୍ ଟା ଘର ପାଖରୁ ପ୍ରାୟ ଦଶ କିଲୋମିଟର l ମୁଁ ଛୁଆବେଳୁ ମାମୁଁ ଘରେ ରହି ପାଠ ପଢେ l ମାମୁଁଘର ପାଖେ କଲେଜ୍ ନ ଥିବାରୁ ଆମ ଗାଁ ପାଖ କଲେଜ୍ ରେ ନାଁ ଲେଖେଇଥାଏ l ଖରା ପାଇଁ ଭାରି କଷ୍ଟ ହେଉଥାଏ l ସାଇକେଲ୍ ର ଗତିଟା ଧୀର ଥାଏ l
ହଠାତ୍ ସବୁକିଛି ପରିବର୍ତ୍ତନ ହେଇଗଲା l ଆକାଶରୁ ସୂର୍ଯ୍ୟ କୁଆଡେ ଗାୟବ୍ ହେଇଗଲେ ଜଣା ପଡିଲାନି l କଳାହାଣ୍ଡିଆ ମେଘ ଗର୍ଜନ କରି ମାଡି ଆସିଲା l କିଛି ଭାବିବା ପୂର୍ବରୁ ବରକୋଳିଆ ଟୋପା ଆକାଶରୁ ପଡିବାକୁ ଲାଗିଲା l ତାପରେ ମୂଷଳଧାରାରେ ବର୍ଷା l ବର୍ଷା ପାଇଁ ଚାରିଆଡ ଅନ୍ଧାରୁଆ ହେଇଗଲା l ଆଉ ରାସ୍ତା ଦେଖା ଗଲାନି l
କୋଉଠି ଟିକେ ଆଶ୍ରୟ ନେବି ମୁଣ୍ଡରେ କିଛି ବୁଦ୍ଧି ପଶୁ ନ ଥାଏ l ଓଦା ସରସର ହୋଇ ଯାଇଥାଏ ମୁଁ l ହଠାତ୍ ନଜରରେ ପଡିଲା ଏକ ସୁନ୍ଦର ତିନି ମହଲା ଘର l ଆଗରେ ଗୋଟେ ବଡ ଗେଟ୍ l ଥରେ ଦେଖିଲେ ଆଉଥରେ ଦେଖିବାକୁ ମନ ହେବ l ଏ ରାସ୍ତାରେ ଏତେ ସୁନ୍ଦର ଘର ଅଛି ହେଲେ କେବେ ମୋ ନଜର ପଡିନି l ଏମିତି ବି ରାସ୍ତାରେ ଗଲା ବେଳେ ମୁଁ ଇୟାଡେ ସିୟାଡେ ଆଖି ବୁଲେଇ ବୁଲେଇ ଯାଏନି l
ଆଗେ ଗେଟ୍ ଉପରେ ନଜର ପକେଇଲି "କୁକୁର ପ୍ରତି ସାବଧାନ" ବୋର୍ଡ ଟା ଅଛି କି ନାହିଁ l କୁକୁର କୁ ମୋର ଭାରି ଡର l ଦେଖିଲି କିଛି ନାହିଁ l ସାଇକେଲ୍ ଟା ରାସ୍ତା କଡରେ ରଖିଦେଇ ପୋର୍ଟିକୋ ତଳେ ଛିଡା ହୋଇଗଲି l
ଟିକେ ଡର ବି ଲାଗୁଥାଏ l ଏତେ ବଡ ଘର l କାଳେ କିଏ ମତେ କଣ କହିଦେବ l ମୁଁ କାହାକୁ ନ ପଚାରି ଆସି ଠିଆ ହୋଇଯାଇଛି l
ହେଲେ ଭିତରୁ କାହା ପାଟି ବି ଶୁଭୁ ନଥିଲା l ଧିରେଧିରେ ବର୍ଷା ଥମିଗଲା l ମୁଁ ଘରକୁ ଆସିଲି l
ବୋଉ ଘର ଭିତରୁ ଦୌଡି ଆସିଲା l ବାପାଙ୍କ ତଉଲିଆଟା ଆଣି ମୋ ମୁଣ୍ଡ ପୋଛି ପକେଇଲା l ଶୁଖିଲା ସାଲୱାର୍ ଟା ଆଣି ଦେଲା l ମୁଁ ଡ୍ରେସ୍ ବଦଳେଇବା ଭିତରେ ସେ କପ୍ ଟାଏ ହାତରେ ଧରି ଆସି କହିଲା - " ନେ, ତୋ ପାଇଁ ଅଦା ମିଶା ନାଲି ଚା' ଟିକେ କରି ଆଣିଛି l ପିଇଦେ l ଭଲ ଲାଗିବ" l
ବର୍ଷା ଆରମ୍ଭ ହେବା ପାଖରୁ ଛାଡିବା ପର୍ଯ୍ୟନ୍ତ ଅନୁଭୁତି କୁ ଭାଇ ପାଖରେ ଗପୁଗପୁ ବୋଉ କାନରେ ବାଜିଗଲା ସେ କଥା l ଦୌଡି ଆସିଲା ରୋଷେଇ ଘରୁ l
" ଆଲୋ,ତୁ ସେ ନାଲି ରଙ୍ଗର ବଡ କୋଠା ଟାରେ ଯାଇ ଠିଆ ହେଇଥିଲୁ ବର୍ଷା ବେଳେ,ଯୋଉ ଘର ପାଖରେ ଗୋଟାଏ ବଡ ବରଗଛ ଅଛି l ସେଇଟା ତ ଗୋଟାଏ ଅଶୁଭ ଘର l ହେ ମା ବୁଢୀଜାଗୁଳେଇ ! ହେ ମା ଖରାଖାଇ ଠାକୁରାଣୀ ! ମୋ ଛୁଆକୁ ତୁ ହି ଭରସା ଲୋ ମା " l
ଏତକ କହିସାରି ବି ମନ ବୁଝିଲାନି ତା'ର l ସଜନା ଦି ଡେମ୍ଫେ ଆଣି ମତେ ଝାଡି ପକେଇଲା l ଶୁଖିଲା ଲଙ୍କା କେଇଟା ଆଣି ମୋ ମୁଣ୍ଡ ଉପରେ ଦୁଇ ଚାରି ଥର ଘୁରେଇ ନେଇ ଚୁଲିକି ପକେଇ ଦେଲା l
ରାତି ହେଲା l ସମସ୍ତେ ଖାଇକି ଶୋଇଲେ l ଘଣ୍ଟେ ଦୁଇ ଘଣ୍ଟା ଯାଇଚି କି ନାହିଁ ମୋ ଦେହର ତାପମାତ୍ରାଟା ଧିରେ ଧିରେ ବଢିବାକୁ ଲାଗିଲା l ରାତି ଗୋଟାଏ ବେଳକୁ ସାରା ଦେହଟା ତାତିରେ ଖଇ ଫୁଟୁଛି l
ବୋଉ ଡରଟା ଏବେ ଆହୁରି କେତେ ଗୁଣ ବଢିଗଲା l
" ଅଶୁଭ ଘରଟାରେ ପାଦ ପକେଇ ଦେଇଛି l ସେ ପିଶାଚୁଣୀର ନଜର ନିଶ୍ଚୟ ପଡିଥିବ l ଏତେ ରାତିରେ ମୁଁ ଏବେ କ'ଣ ଯେ କରିବି " l ବ୍ୟସ୍ତ ହୋଇପଡୁଥାଏ ବୋଉ l
ମୁଁ ଜାଣିଥାଏ ଏସବୁ ହେଉଛି ଅଦିନିଆ ବର୍ଷାର କରାମତି l ବ୍ୟାଗ୍ ରୁ ମେଡିସିନ୍ ବାହାର କରି ଖାଇଦେଇ ଶୋଇବାକୁ ଚେଷ୍ଟା କଲି l
ହେଲେ ବୋଉ ମନ ବୁଝୁ ନ ଥାଏ l ଲୁହା
କଣ୍ଟା ଟାଏ ଆଉ ଝାଡୁ ରୁ ଛୋଟିଆ ଖଣ୍ଡେ ଆଣି ମୋ ମୁଣ୍ଡ ଉପରେ ବିଛଣା ତଳେ ରଖିଦେଲା l
ବୋଉ ର ଏସବୁ କାର୍ଯ୍ୟକଳାପ ଦେଖି ସେ ଅଶୁଭଘର ଟା ବିଷୟରେ ଜାଣିବା ପାଇଁ ମୋର ଭାରି ଇଚ୍ଛା ହେଲା l କୌତୁହଳରେ ପଚାରିଲି
" ବୋଉ, ସେ ଘରଟାକୁ ଅଶୁଭଘର କାହିଁକି କହୁଛୁ ? ସେଠିକି ଗଲେ କ'ଣ ଅଶୁଭ ହୁଏ" ?
ବୋଉ ଆରମ୍ଭ କଲା -
କିଏ ଜଣେ ସହରୀ ବାବୁ ବହୁତ୍ ଟଙ୍କା ଖର୍ଚ୍ଚ କରି ସେ ଘରଟା କରିଥିଲେ l ଘରେ ଶଙ୍ଖ ମଲମଲ ପଥର ଖଞ୍ଜେଇଲେ l କେଡେ ବଢିଆ କି ଘର ତିଆରି କରେଇଲେ l ପୂଜାପାଠ ଖିଆପିଆ ସବୁ ସରିଲା l ଠିକ୍ ତା ପରଦିନ ଗୋଟେ ସଡକ ଦୁର୍ଘଟଣାରେ ସେ ଆରପାରିକୁ ଚାଲିଗଲେ l ତାଙ୍କ ସ୍ତ୍ରୀ ପିଲାପିଲି ସବୁ ପୁଣି ସହରକୁ ଚାଲିଗଲେ l ଆମ ଗାଁ ଗୁଣିଆ ଶୁକ ପଧାନ କହିଲା ଏଡେ ସୁନ୍ଦର ଘର ଦେଖି ସେ ପିଶାଚୁଣୀଟା କାଳେ ସେ ବରଗଛରୁ ଯାଇ ସେଇ ଘରେ ରହିଗଲା l ସେ ହିଁ ଦୁର୍ଘଟଣା ଘଟେଇ ଦେଇଥିଲା l
ଏଡେ ସୁନ୍ଦର ଘରଟାକୁ ଦେଖି ଜଣେ ବ୍ୟାଙ୍କ୍ ଅଫିସର୍ ସେ ଘର କିଣିଲେ l ତାଙ୍କୁ ଦିନେ ଦିନେ ରାତିରେ ଘର ଭିତରେ କିଏ ଜଣେ କାନ୍ଦିଲା ଭଳି ଶୁଭେ l ପତ୍ନୀଙ୍କୁ କହିଲେ ସେ କହନ୍ତି ନା ତ ସେମିତି କିଛି ମତେ ଶୁଭୁନି l ତମେ ଶୋଇପଡ l
ତାଙ୍କର କ'ଣ ହେଲା କେଜାଣି ଦିନକୁ ଦିନ ସେ ଶୁଖି ଯାଉଥିଲେ l ଦିନେ ସକାଳୁ ଶୁକ ପଧାନ ଆସି ଗାଁ ସାରା କହି ଦେଇଗଲା ବ୍ୟାଙ୍କ୍ ବାବୁ ଆଉ ନାହାନ୍ତି l କାଲି ରାତିରେ ସେ ପିଶାଚୁଣୀଟା କୁଟା ଲଗେଇ ତାଙ୍କର ସବୁ ରକ୍ତ ଶୋଷି ଦେଇଛି l
ସେତିକିରେ କଥା ସରିଲାନି l ପାଖ ଗାଁ ର ଜଣେ ଆର୍ମି ଅଫିସର୍ ରିଟାୟାର୍ଡ ହେଇ ଗାଁ କୁ ଫେରିଲେ l ଏଇ ଘରଟାକୁ କିଣିବାକୁ ନିଷ୍ପତ୍ତି ନେଲେ l ଏଠି ସମସ୍ତେ କେତେ ବୁଝେଇଲେ l ଘରଟାକୁ କିଣନା l ତମର ସର୍ବସ୍ୱ ଚାଲିଯିବ l ହେଲେ ସେ ବୁଝିଲେନି l
କହିଲେ ଯେତେ ସବୁ ଅନ୍ଧବିଶ୍ୱାସ ତମ ଗାଁ ଲୋକଙ୍କ ମୁଣ୍ଡରେ ବସା ବାନ୍ଧିଛି l କାହା କଥା ନ ମାନି ଘରଟାକୁ କିଣିଲେ l ପିଶାଚୁଣୀଟା ତାଙ୍କୁ ବି ଛାଡିଲାନି l ମାସ ଗୋଟାଏ ପୁରିନି ସେ ବି ରୋଗରେ ପଡିଲେ l ଡାକ୍ତର କହିଲା ବ୍ଲଡ୍ କ୍ୟାନସର୍ l ଆଉ ଠିକ୍ ଦୁଇ ମାସ ଭିତରେ ସେ ବି ଚାଲିଗଲେ l
ତା'ପରେ ସେ ଘରକୁ ନେଇ ବହୁତ୍ ଚର୍ଚ୍ଚା ହେଲା l ସେ ପିଶାଚୁଣୀର ସେ ଘର ବହୁତ୍ ମନକୁ ଯାଇଛି l ସେ ସେଠି ନିଜେ ରହୁଛି l ଆଉ କାହାକୁ ବି ରଖେଇ ଦେଉନି l ସେଇ ଦିନ ଠାରୁ ସେ ଘର କିଣିବା କଥା କେହି କହିବାର ମୁଁ କାହିଁ କେବେ ଶୁଣିନି l ବୋଉ କଥାରୁ ମୁଁ ଜାଣି ସାରିଥିଲି ଏ ସବୁ କେବଳ ଅନ୍ଧବିଶ୍ୱାସ l କାଉ ରଡିବାକୁ ତାଳ ପଡିବା ଭଳି କଥା l କିନ୍ତୁ ବୋଉକୁ କହିଲେ ସେ କିଛି ଶୁଣିବନି l ତେଣୁ ଚୁପ୍ ରହିବା ଟା ହିଁ ଭଲ l
ମୁଁ କିଛି ନ କହି ନିଦ ଲାଗିବା ର ବାହାନା କରି ଶୋଇଗଲି l
ଭୋର୍ ପାଞ୍ଚଟା ରେ ଉଠିଲା ବେଳକୁ ମୋ ବୋଉ ଆମ ଗାଁ ଶୁକ ପଧାନକୁ ଡାକି ଆଣି ଦାଣ୍ଡ ପିଣ୍ଡାରେ ବସେଇଛି l ସିଏ ଆସି କ'ଣ ଟିକେ ମନ୍ତ୍ରପାଠ କରି ପକେଇଲା l ପାଞ୍ଚ ଶହ ଟଙ୍କା ପାଉଣାରୁ କାଟିକୁଟି ତିନିଶହ ଟଙ୍କା ନେଇ ଚାଲିଗଲା l
ସେତେବେଳକୁ ମୋ ଜ୍ୱରଟା ବି କମି ଯାଇଥାଏ l ବୋଉ ହାତ ମାରି ଦେଖିଲା ମୋ ଦେହରେ ଆଉ ଜ୍ୱର ନାହିଁ l ଏବେ ତା' ମନ ଶାନ୍ତି l ଯାହା ହେଉ ଗୋଟାଏ ବଡ ଦଶା କଟିଗଲା l
ବୋଉ ଭାବୁଥିଲା ଆମ ଗାଁ ଶୁକ ପଧାନଟା ସତରେ ଗୋଟେ ବଡ ଗୁଣିଆ l ମୋ ଛୁଆଟାର ଜୀବନ ବଞ୍ଚେଇ ଦେଲା l ମୁଁ ଭାବୁଥିଲିଲ ଏଇ ଦେଖ ! ପୁଣି ସେୟା ହେଲା l କାଉ ରଡିବାକୁ ତାଳ ପଡିବା l
ଦି ଜଣ ଦି ଜଣଙ୍କ ମୁହଁକୁ ଚାହିଁ ରହିଥିଲୁ ହେଲେ କେହି କାହା ମନର ଭାବ ପ୍ରକାଶ କରି ପାରୁ ନ ଥିଲୁ l