SOUBHAGYABATI GIRI

Tragedy Inspirational


4.8  

SOUBHAGYABATI GIRI

Tragedy Inspirational


ଚୋରୀ

ଚୋରୀ

6 mins 30 6 mins 30

    

 କି କରୋନା ଆସିଛି କେଜାଣି । ଖାଲି ରୋଗ ନୁହେଁ ତା ସାଙ୍ଗରେ ଯୋଡି ହେଇ ଆସିଛି ଆହୁରି ଅନେକ ଅସୁବିଧା । ଲୋକଙ୍କ ଚାକିରୀ ଯାଇଛି,ବେକାରୀ ସମସ୍ୟା ବଢିଛି,କରୋନା ଯୋଦ୍ଧାମାନେ ଦିନରାତି ବ୍ୟସ୍ତ,ବ୍ୟବସାୟୀ ମାନଙ୍କ ରୋଜଗାର ବନ୍ଦ ହେଇଛି,ପିଲାମାନଙ୍କ ପାଠପଢା ବନ୍ଦ । ଏମିତି ଅନେକ ଅସୁବିଧା । 


   ତା'ପରେ ଏବେ ଆଉ ଗୋଟେ ବଡ ସମସ୍ୟା ହେଲା ଚୋରି । କି ସହର କି ଗାଁ ସବୁଠି ଏବେ ଏଇ ସମସ୍ୟା । ରାତି ସାରା ପେଚା ଭଳି ଅନେଇ ରହିବାକୁ ପଡୁଛି । ଟିକିଏ ଅସାବଧାନ ହେଲେ ସକାଳକୁ ହରିଲୁଟ୍ । ଆମ ଅଞ୍ଚଳରେ କାହିଁ କେଜାଣି ଏ ସମସ୍ଯା ଟା ଟିକେ ବେଶୀ ବଢି ଯାଇଛି । ଆଗ ଅପେକ୍ଷା ବହୁତ୍ ସତର୍କତା ର ସହ ରହିବାକୁ ପଡୁଛି । ତଥାପି ରାତି ପାହିଲା ବେଳକୁ ଗୋଟେ ଚୋରି କେସ୍ । 


  ପାଖ ଘର ମାଉସୀ ସବୁଦିନେ ସୂଚେଇ ଦିଅନ୍ତି " ଭଲକରି କବାଟ ଝରକା ବନ୍ଦ କରୁଥିବ । କେଜାଣି ଆଜି କାହା ଭାଗ୍ୟ ଖରାପ । "

      

    ସେ ଯାହା ହେଉ ଆମେ ସଚେତନ ହେଇ ରହୁଥାଉ । ହେଲେ ଦିନେ ସକାଳୁ ଉଠି ମୁଁ ମର୍ଣ୍ଣିଙ୍ଗ୍ ୱାକ୍ ରେ ଯାଇଥାଏ । ସବୁଦିନ ସକାଳୁ ଉଠି ମର୍ଣିଙ୍ଗ୍ ୱାକ୍ ଯିବା ମୋର ଗୋଟେ ଅଭ୍ୟାସ । ଏମିତି ବି ଲକ୍ ଡାଉନ୍ । ଘରେ ଖାଇପିଇ ବସି ରହିଲେ ବି ସ୍ୱାସ୍ଥ୍ୟ ଖରାପ ହେବାର ବହୁତ୍ ଆଶଙ୍କା । ମୁଁ ଭୋର୍ ରୁ ଉଠି ପାଖାପାଖି ୩ କିଲୋମିଟର ଯାଏ । ସେଇଠୁ ପୁଣି ଫେରେ । ବାଟରେ ଗଲା ବେଳେ ପଡେ ଗୋଟେ ଛୋଟ ବସ୍ତି । ଆଗରୁ ସବୁଦିନ ମୁଁ ସେଇଠି କିଛି ସମୟ ଅଟକି ସେ ପିଲାଙ୍କ ସହିତ ଟିକେ ଗପ ମାରେ । ସେଇ ବସ୍ତି ର ଛୋଟିଆ ଛୋଟିଆ ଛୁଆଙ୍କ ସାଙ୍ଗେ ମୋର ଭାରି ସାଙ୍ଗ । ମୁଁ ଗଲେ କାହା ହାତରେ ବିସ୍କୁଟ୍ ପ୍ୟାକେଟ୍ ଟେ କି କାହା ହାତରେ ଚକୋଲେଟ୍ ଟେ ଧରେଇ ଦିଏ । ସେମାନଙ୍କ ଖୁସି ର ପରିମାଣ ଏତେ ଥାଏ ଯେ ମତେ ଲାଗେ ଯେମିତି ମୁଁ କ'ଣ ଗୋଟେ ବଡ କାମ କରି ପକେଇଛି ।


   ହେଲେ ଏ କରୋନା ପାଇଁ ମୁଁ ଏବେ ଆଉ ବାଟରେ କୋଉଠି ବି ଅଟକୁନି । ସିଧାସିଧା ନିଜ ବାଟରେ ଯାଏ ଆଉ ଫେରେ । ସେ ଛୁଆଙ୍କ ପାଖକୁ ବି ଯାଏନି । ଖାଲି ଦୂରରୁ ଦେଖେ ସେମାନଙ୍କୁ । କାଲି ଗଲା ବେଳକୁ ସେ ବସ୍ତିରେ ପୋଲିସ୍ । ମତେ ଆଶ୍ଚର୍ଯ୍ୟ ଲାଗିଲା । ପୋଲିସ୍ ର ଏଠି କି କାମ । ଟିକେ ନିରେଖି ଦେଖିଲି । ସାତ ଆଠ ବର୍ଷର ପିଲାଟାଏ ଠିଆ ହେଇଛି । ପୋଲିସ୍ ତାକୁ କ'ଣ ଏଣୁତେଣୁ ପଚାରିବାରେ ବ୍ୟସ୍ତ । ମୁଁ ସିନା ଏତେ ବଡ ହେଲିଣି । ହେଲେ ପୋଲିସ୍ କୁ ମୋର ଏବେ ବି ଭାରି ଡର । ମୁଁ ଆଉ ସେଠି ଠିଆ ନ ହେଇ ମୋ ବାଟରେ ଚାଲିଲି । ହେଲେ ଘଟଣାଟା କ'ଣ ଜାଣିବାକୁ ପ୍ରବଳ ଇଚ୍ଛା ଥାଏ । 


     ତା'ପର ଦିନ ସେଇ ଜାଗାରେ ପାଦର ଗତିକୁ ଟିକେ ଧୀର କରି ଚାଲୁଥାଏ ମୁଁ । ଉଦ୍ଦେଶ୍ଯ ଥାଏ ସେଇ ଘଟଣାଟି ବିଷୟରେ ଜାଣିବା । ହଠାତ୍ ଦେଖିଲି ସେଇ ପିଲାଟା ବାହାରେ ବୁଲୁଛି । ମୁଁ ତାକୁ ହାତ ଠାରି ପାଖକୁ ଡାକିଲି ।


     ସେ ଆସିଲାରୁ ମୁଁ ପଚାରିଲି -

   " କାଲି କ'ଣ ହେଇଥିଲା କି ଏଠି ? କ'ଣ ପୋଲିସ୍ ଆସିଥିଲା ?

  

   

    ସେ କହିଲା ଦିଦି,ମୋ ନାଁ ରେ ଜଣେ ବଡଲୋକିଆ ବାବୁ ମିଛରେ ଚୋରି କେସ୍ ଦେଇ ଦେଇଥିଲେ ।

  

    " ତୁ ତ ଏଡିକି ବକଟେ ପିଲା । ତୁ ପୁଣି କାହାର କ'ଣ ଚୋରି କଲୁ ଯେ ତୋ ନାଁ ରେ ଚୋରି କେସ୍ ? "

     

   " ମୁଁ କିଛି ଚୋରି କରିନି ଦିଦି । ସେଥିପାଇଁ ତ କହିିଲି ଏଇଟା ମିଛ ଚୋରି କେସ୍ । "

  

    ପିଲାଟାର ନିରୀହ ମୁହଁ କହି ଦେଉଥିଲା ଯେ ସେ ନିର୍ଦ୍ଦୋଷ । ତଥାପି ମୁଁ କହିଲି

  " ତୁ ଯଦି ଚୋରି କରିନୁ ସେ ତୋ ନାଁ କାହିଁ କହିଲେ । ଆଉ ଏତେ ପିଲା ଅଛନ୍ତି । ଆଉ କାହା ନାଁ ତ କହିଲେନି । " 


    ମୁଁ ଟିକେ ମୁରବୀପଣିଆ ଦେଖେଇବା ଆରମ୍ଭ କରିଦେଲି । ମୁଁ ଆଉ କିଛି କହିବା ଆଗରୁ ସେ ମୋ ହାତ ଧରି ତାଙ୍କ ଘର ଆଡକୁ ଟାଣିନେଲା । 

  

    " ଆରେ ରହ ମୋ ହାତ ଧରି କୁଆଡେ ଟାଣି ଟାଣି ନଉଚୁ । ସରକାର ଙ୍କ କଥା ତୁ କିଛି ମାନୁନୁ ବୋଧେ । ସାମାଜିକ ଦୂରତା ରଖ ଟିକେ । ମାନେ ମୋ ଠାରୁ ଦୂରେଇ କି ରହ । ତୁ ଛୋଟ ପିଲାଟା । ଯଦି ମତେ କରୋନା ହେଇଥିବ ତାହାଲେ ତତେ ହେବ । "

    

     ମୁଁ ସିନା ବକରବକର ହେଉଥିଲି । ସେ ମୋ କଥା ସବୁ ଏ କାନରେ ପୁରେଇ ସେ କାନରେ ବାହାର କରି ଦେଉଥିଲା । ତାଙ୍କ ଘର ଭିତରେ ପହଞ୍ଚିଲା ପରେ ମୋ ହାତ ଛାଡିଦେଇ ଚୁପ୍ ହେଇ ଠିଆହେଲା । 

    

    ବିଛଣାରେ ଶୋଇଥା'ନ୍ତି ଜଣେ ରୋଗାକ୍ରାନ୍ତ ମହିଳା । ତାଙ୍କର ଶୁନ୍ୟ ମଥା ଓ ହାତ କହି ଦେଉଥିଲା ଯେ ସେ ତାଙ୍କ ସ୍ୱାମୀଙ୍କୁ ହରେଇ ସାରିଛନ୍ତି । ତାଙ୍କ ପାଖରେ ଏପଟସେପଟ ହେଉଥାଏ ଗୋଟେ ଦେଢ କି ଦି ବର୍ଷର ଛୁଆ । ହାଡ ଦି' ଖଣ୍ଡ ଛାଡିଲେ ତା' ଦେହରେ ଆଉ କିଛି ନ ଥାଏ । 


     ମୁଁ କିଛି ପଚାରିବା ଆଗରୁ ସେ କହିଲା 

   " ଦିଦି ଇଏ ମୋ ମା' । ଏବେ ରୋଗରେ ପଡିଛି । ଆଉ ଇଏ ମୋ ଛୋଟ ଭାଇ । ମୋ ବାପାଙ୍କୁ ମୁଁ କେବେ ଦେଖିନି । ମୁଁ ଜନ୍ମ ହେବା ଆଗରୁ ସେ କାମ କରିବାକୁ ସହରକୁ ଯାଇଛନ୍ତି । ସେ ଜଲଦି ଆସିବେ ବୋଲି ମା' କହେ । ହେଲେ ସେ ଆସନ୍ତିନି । ଏଇ ରୋଗ ଆସିଲା ପରେ ଯିଏ ଯେତେ ବାହାରେ ଥିଲେ ସମସ୍ତେ ଘରକୁ ଆସିଲେ । ହେଲେ ମୋ ବାପା ଆସିଲେନି । "


     ତା'ର ଏଇ କଥା ପଦକ ଶୁଣି ମୁଁ ଆହୁରି ମର୍ମାହତ ହେଲି । ମୋ ଆଖିରେ ଲୁହ ଜକେଇ ଆସିଲା । ତାକୁ ଏବେ କିଏ ବୁଝେଇବ ଯେ ତା ବାପା କେବେ ବି ଆସିବେନି । ତା' ବାପା ସହରକୁ କାମ କରି ଯାଇଥିଲେ ସିନା ଫେରିଥା'ନ୍ତେ । ହେଲେ ସେ ତ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ସେ ଅଫେରା ରାଇଜରୁ ଆଉ କ'ଣ କେହି ଫେରି ଆସିପାରେ ?

   


    ମୁଁ କହିଲି ହଉ ତୁ ଏବେ କହ ସେ ମିଛ ଚୋରୀ.........ଏତିକି କହିଛି ସେ ତା ପାଟିରେ ଆଙ୍ଗୁଠିଟା ରଖିଦେଇ ମତେ ଚୁପ୍ ହେବା ପାଇଁ ଇସାରା ଦେଲା । ମୁଁ ବି ଚୁପ୍ ହେଇଗଲି । ବାହାରକୁ ପଳେଇ ଆସିଲୁ ଆମେ । ସେ ଆରମ୍ଭ କଲା । 

  

    ଦିଦି, ଏଇ କେତେ ଦିନ ହେଲାଣି ଯେବେଠୁ ତମେ ଯୋଉ ରୋଗ କଥା କହୁଥିଲ ସେଇଟା ହେଲାଣି ସେବେଠାରୁ ଆମ ଘରେ ଦି' ଓଳି ଚୁଲୀ ଜଳିବା ବନ୍ଦ ହେଇ ଯାଇଛି । ମା' କୋଉଠି କାମକୁ ଯାଇ ପାରୁନି । ଆମର ସ୍କୁଲ୍ ବନ୍ଦ । ତେଣୁ ମତେ ବି ଘରେ ଖାଇବାକୁ ପଡୁଛି । ମା' କୁ ଆଉ କେହି କାମ ପାଇଁ ଡାକୁ ନାହାଁନ୍ତି । ମା' ଯୋଉଠୁ ଯାହା ଯୋଗାଡ କରେ ଆମକୁ ହିଁ ଖୁଆଏ । ନିଜେ ମିଛରେ ପଛେ ଖାଇବ ବୋଲି କହି ପାଣି ପିଇଦେଇ ରହିଯାଏ । ପେଟର ଭୋକକୁ କେତେ ପେଟରେ ମାରିବ । ସେ ବି ବିଛଣାରେ ପଡିଗଲା ଏଇ ଆଠଦିନ ହେବ । 


    ଆର ସାଇରେ ଜଣେ ବହୁତ୍ ବଡଲୋକ ଅଛନ୍ତି । ତାଙ୍କର ବହୁତ୍ ବଡ ଘର । ବେଶୀ ପଇସା । ସେ ସବୁଦିନ ସକାଳେ ଦୁଇ ତିନି ପଟ ରୁଟି କାଉକୁ ଖାଇବାକୁ ଦିଅନ୍ତି । ମୁଁ ସେଇଟା ଉଠେଇ ଆଣେ । ତାକୁ ପାଣିରେ ଚକୁଟି ମୋ ସାନଭାଇକୁ ଖୁଆଏ । ମା' କୁ ବି ଦିଏ । ଆଉ ମୁଁ ବି ଟିକେ ଖାଏ ।


    କାଲି ମୁଁ ରୁଟି ଉଠେଇକି ଆଣିଲା ବେଳେ ସେ ଦେଖିଦେଲେ । ମତେ ଦୁଇ ତିନି ଚାପୁଡା ଲଗେଇଲେ । କହିଲେ ମୋର ଏବେ ଶନିଦଶା ଚାଲିଛି । ରୋଜଗାର ପତ୍ର ସବୁ କମିଗଲାଣି । ଶନିଦଶା କଟେଇବା ପାଇଁ ମୁଁ କଳାକୁକୁର ଆଉ କାଉଙ୍କୁ ଖାଇବାକୁ ଦେଉଛି । ତୁ ସେଇଟା ଉଠେଇକି ନେଇ ଯାଉଛୁ ଚୋରି କରି । 


   ମାଡ ଖାଇ ମୁଁ ଚୁପ୍ ଚାପ୍ ସେଇଠୁ ପଳେଇ ଆସିଲି । ଠାକୁରଙ୍କ ଦୟାରୁ ଆସିଲା ବେଳେ ବାଟରୁ ପାଞ୍ଚ ଟଙ୍କିଆ କଏନ୍ ଟେ ପାଇଲି । ସେଥିରେ ଗୋଟେ ବିସ୍କୁଟ୍ ପ୍ୟାକେଟ୍ କିଣି ସାନ ଭାଇକି ଖୁଏଇଲି । 


    "ଆଉ ତୁ କ'ଣ ଖାଇଲୁ" ? -ମୁଁ ପଚାରିଲି । 


   " ନା ଦିଦି ମୁଁ ଖାଇ ନଥିଲି । ମା' ପଚାରିଲାରୁ ମୁଁ କହିଲି ମୁଁ ପରେ ଖାଇବି,ଯେମିତି ମା' କୁହେ । ଠିକ୍ ସେତିକି ବେଳେ ପୋଲିସ୍ ବାବୁ ଆସି ପହଞ୍ଚିଲେ । ସେ ବଡଲୋକିଆ ବାବୁ ଜଣଙ୍କ ପରା ଥାନାରେ ମୋ ନାଁ ରେ ଅଭିଯୋଗ କରିଥିଲେ । ସେଇଥି ପାଇଁ ପୋଲିସ୍ ବାବୁ ଆସିଥିଲେ । ମୁଁ ସବୁ ସତ କହିଲି । ସେ କହିଲେ ହଉ ଆଉ କେବେ ସେମିତି କରିବୁନି । କାହାର ଜିନିଷ ନ କହି ନେଇ ଆସିବା ହେଲା ଚୋରି । ଏମିତି ବୁଝେଇକି ସେ ଚାଲିଗଲେ । "

     

    ମୁଁ କହିଲି ହଉ ମୁଁ ଯାଉଛି । ମନେମନେ ଭାବିଲି ସେ କରୋନା ଫରୋନା ଯାହା ହେଉ । ମୁଁ ତ ବହୁତ୍ ହୁସିୟାରି ରେ ରହୁଛି । ପିଲାଟା ପାଇଁ ଶୁଖିଲା ଜିନିଷ କ'ଣ ଟିକେଟିକେ ଖାଇବାକୁ ଆଣିଦେବି ଏଥର । 

    

    ହଠାତ୍ ରାସ୍ତା ଉପରେ ଗୋଟାଏ ଗାଡି ରହିଲା ଭଳି ଜଣା ପଡିଲା । ଧଳା ରଙ୍ଗର ଗୋଟେ କାର୍ । ଗାଡିରୁ ଓହ୍ଲେଇଲେ ସେଇ ପୋଲିସ୍ ବାବୁ ଜଣଙ୍କ ଯାହାକୁ ମୁଁ କାଲି ଦେଖିଥିଲି । ହେଲେ ସେ ପୋଲିସ୍ ଡ୍ରେସ୍ ପିନ୍ଧି ନ ଥିଲେ । ମୁଁ ଟିକେ ଡରିଗଲି । ଭାବିଲି ପୁଣି କ'ଣ ହେଲା ? ସେ ଲୋକ କ'ଣ ପୁଣି କମ୍ପ୍ଲେନ୍ ଦେଲେ ନା କ'ଣ ? ପିଲାଟା ଭୟରେ ମୋ ଆଡକୁ ଜାକି ହେଇ ଆସିଲା । ମୁଁ ସିନା ପୋଲିସ୍ କୁ ଡରେ । ଏବେ ପିଲାଟାଏ ମୋ ପାଖରେ ଆଶ୍ରା ନେଇ ସାରିଲାଣି ଯେତେବେଳେ ମୁଁ କେମିତି ଏଠୁ ପଳେଇବି । 


   ସାହସ କରି କହିଲି - " ସାର୍, ୟାର କିଛି ଭୁଲ୍ ନାହିଁ । ଅଭାବରେ ପଡି ପିଲାଟା ରୁଟି ଖଣ୍ଡେ ଉଠେଇ ଆଣିଛି । ଏଇଟା କ'ଣ ଗୋଟେ ଏତେ ବଡ ଅପରାଧ ? ଯାହା ହେଇଛି ହେଇଛି । ପ୍ଲିଜ୍, ଆପଣ ତାକୁ କ୍ଷମା କରି ଦିଅନ୍ତୁ । "

  

    ସେ ହସିଲେ । କହିଲେ ମୁଁ ଅଲଗା କାମରେ ଆସିଛି । ତାଙ୍କ ଗାଡି ରୁ ବାହାର କଲେ ବଡ ବଡ ପ୍ୟାକେଟ୍ ସବୁ । ଚୁଡା,ଗୁଡ,ଅଟା,ଡାଲି,ଚାଉଳ,ଚିନି ଏମିତି କେତେ କଅଣ । ସବୁ ନେଇ ସେଇ ପିଲାଟା ଘରେ ରଖି ଦେଲେ ।


   ଏସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି । ମୋର ପୋଲିସ୍ ମାନଙ୍କ ପ୍ରତି ଥିବା ଡର କୁଆଡେ ଉଭେଇ ଗଲା । ଉପରକୁ ଦେଖା ଯାଉଥିବା କଠୋର ଶରୀର ଭିତରେ ଯେ ଦୟା କ୍ଷମା ରେ ଭରା ଏତେ କୋମଳ ହୃଦୟ ଟେ ଥାଏ ସେଇଟା ମୁଁ ଅନୁଭବ କରୁଥିଲି । ମୋର ଅନ୍ତରାତ୍ମା ତାଙ୍କୁ ବାରମ୍ବାର ପ୍ରଣାମ କରି ଚାଲିଥିଲା । 



Rate this content
Log in

More oriya story from SOUBHAGYABATI GIRI

Similar oriya story from Tragedy