SOUBHAGYABATI GIRI

Inspirational

4.8  

SOUBHAGYABATI GIRI

Inspirational

ଉଦଣ୍ଡୀ ଝିଅ

ଉଦଣ୍ଡୀ ଝିଅ

4 mins
81


 ଆମ ଘର ପାଖ ପ୍ରଭା ମାଉସୀଙ୍କର ଚାରି ଝିଅ l ଦିପି,ତପି,ସିପି ଆଉ ଲିପି l ସବା ଶେଷରେ ଗୋଟେ ପୁଅ, ଦିପୁ l ସବୁ ଝିଅଙ୍କର ବାହାଘର ସରିଲାଣି l ହେଲେ ସେ ବାହାଘର ମୂଲ୍ୟହୀନ l ସବୁ ଯାକ ଆସି ଏଇଠି ବାପଘରେ l ବଡଝିଅ ଦିପି ବାହାଘର ଦି' ମାସ ପରଠାରୁ ଆସି ବାପଘରେ l ଏବେ ପୁଣି ଡିଭୋର୍ସ କେସ୍ ଟା ବି କରି ଦେଇଛି l ଲୋକେ ପଚାରିଲେ ମାଉସୀ କୁହନ୍ତି ତା ଶାଶୁଘର ଲୋକ କେହି ଗୋଟା ଭଲ ନୁହଁ l ସେ ସେଠି କେମିତି ଚଳିବ l ସେଇଥି ପାଇଁ ପଳେଇ ଆସିଚି l ଆଉ ଯିବନି ସେ ସେଠିକି l ମଝିଆଁ ଝିଅ ତପି ସରକାରୀ ଚାକିରିଆ l ସେ ବି ବାହାଘରର ଚାରି ମାସ ପରେ ଆସି ଘରେ ହାଜର l ପୁଣି ମାଉସୀଙ୍କ ସଫେଇ- ଆମ ତପି ଟା ଚାକିରି କରିଛି ବୋଲି କେହି ଦେଖିସହି ପାରୁନାହାଁନ୍ତି l ସିଆଡୁ ଅଫିସ୍ ରୁ ଆସି କେତେ ଖଟିବ ସେ ଘରେ l ଶିକ୍ଷିତ ଚାକିରିଆ ଝିଅ ମୋର l ତାଙ୍କ ଘରେ ଯାଇ ରନ୍ଧାବଢା କରିବ l ଆଉ ସେ ବୁଢୀ ବସି ବସି ଖାଇବ l କ'ଣ ଆଉ କହିବି l ଆପଣା ସୁନା ତ ଭେଣ୍ଡି ଆଉ l ସେ ଜୋଇଁଟା ଜମା ଭଲ ନୁହଁ l ସେ ଆମ ତପିର ଚରିତ୍ରକୁ ସନ୍ଦେହ କରୁଚି l କେଡେ ସୁନାନାକୀ ଝିଅ ମୋର l ସେ ତାକୁ ବଦନାମ କଲା l ମୁଁ ତ ବିଧବା ମଣିଷ l ମୋର କିଏ ଅଛି ତାଙ୍କ ସହ ଲଢିବ l ସେଇଥି ପାଇଁ ଯାଇ ତାକୁ ନେଇ ଆସିଲି l ପୁଣି ସିପି ବାହାଘର ପରେ ସେଇ ସମାନ ଅବସ୍ଥା l ଅଳତା ପାଦରୁ ନ ଛାଡୁଣୁ ସେ ଆଉ ତା ବର ଦି' ଜଣ ଆସି ଏଇଠି l ପଚାରିଲେ ମାଉସୀ କହିଲେ ସିପି ନଣନ୍ଦଟା ଭଲ ନୁହଁ l ଏଇ ଆଠଦିନ ପରା ମୋ ଝିଅକୁ ସେ ବସେଇଉଠେଇ ଦେଇନି ଶାନ୍ତିରେ l ବାକି ରହିଲା ଲିପି l ସେ ବି ସେୟା l ଶାଶୁଘର ବିରୋଧୀ l ହେଲେ ସେ ତା ସ୍ୱାମୀ ସହିତ ଦିଲ୍ଲୀରେ ରୁହେ l 

   


    ମାତୃଦିବସ ଦିନ ତାଙ୍କ ଫେସବୁକ୍ ରେ ସବୁ ଦେଖିଲି ଶାଶୁ ସହିତ ଫଟୋ ସାଙ୍ଗରେ ବିଭିନ୍ନ ମାତୃପ୍ରେମର ଗାଥା ଲେଖା ହେଇଛି l ଭାବିଲି ଆଜି ସବୁ ଶାଶୁଘରକୁ ପଳେଇଛନ୍ତି l ମାଉସୀଙ୍କି ଭାରି ଏକା ଲାଗୁଥିବ l ଯାଏ ,ତାଙ୍କ ଘରଆଡେ ବୁଲି ଆସେ l ଗଲା ବେଳକୁ ସବୁଯାକ ଏଇଠି l ଗୋଟେ ରୁମ୍ ରେ ମାତୃଦିବସ ପାଳନ ହେଉଥିଲା l କ'ଣ କେମିତି ପାଳୁଚନ୍ତି ଦେଖିବା ପାଇଁ ମୁଁ ଟିକେ ସେ ରୁମ୍ ଭିତରକୁ ଚାଲିଗଲି l ହଁ....ବଢିଆ ସଜେଇ ଥିଲେ l ବେଲୁନ୍ ଲାଗିଥିଲା l କେକ୍ କଟାହେବା ପାଇଁ ଥୁଆ ହେଇଥିଲା l ମତେ ଭାରି ଖରାପ ଲାଗିଲା l ଭାବିଲି ସିଏ ସବୁ ବାହାହେଲା ଝିଅ ହେଇବି ଶାଶୁଶ୍ୱଶୁର ଛାଡି ମାତୃଦିବସ ପାଳି କେକ୍ କାଟୁଛନ୍ତି l ହେଲେ ମୁଁ ଗୋଟେ କୋଉ ଗୁଣରେ ବି ନୁହଁ l

 


    ମୁଁ ପଚାରିଲି - " ନାନୀ ମାନେ ତମେ ସବୁ ଏଇଠି ? ମୁଁ ତମ ଫଟୋ ସବୁ ଫେସବୁକ୍ ରେ ଦେଖିଲି ତ l ଭାବିଲି ତମେ ସବୁ ବୋଧେ ଆଜି ସେଲଫି ଉଠେଇବାକୁ ଶାଶୁଘର ଯାଇଥିବ l "

 

 

   ସିପି ନାନୀ ସାଙ୍ଗେ ସାଙ୍ଗେ କହିଲା - ଦେଖମ ଏ କେଡେ ଉଦଣ୍ଡୀ ଝିଅ l ଏମିତି କ'ଣ କଥାବାର୍ତ୍ତା କରୁଛୁ ?" ସେ ମୁହଁ ମୋଡି ଦେଇ ଚାଲିଗଲା l ତପି ନାନୀ କିଛି କହିଲାନି l ଚୁପ୍ ହେଇ ମତେ ଖାଲି ରାଗିକି ଅନେଇଲା l

ଦିପି ନାନୀ ଟା ମନ ଭିତରେ ରାଗ ରଖିଥିଲେ ବି ଉପରକୁ କିଛି କହି ପାରେନି l ସେ କହିଲା - " ନା ଲୋ ,ଆମେ କେହି ଯାଇନୁ l ସେସବୁ ପୁରୁଣା ଫଟୋ ଥିଲା l ଅପଲୋଡ୍ କରି ଦେଇଛୁ l ବାହାରକୁ କ'ଣ କହିହୁଏ କି ଆମେ ଶାଶୁଶ୍ୱଶୁରଙ୍କୁ ଅଣଦେଖା କରୁଛୁ ବୋଲି l ତୁ ତ ଅଭିଆଡି ଝିଅ l ବାହା ହେଇ ସାରିଲେ ଜାଣିବୁ ନିଜ ବାପଘର ଆଉ ଶାଶୁଘର କୁ ବାଲାନ୍ସ କରି କେମିତି ସୋସିଆଲ୍ ମିଡିଆ ରେ ଫଟୋ ଛଡାହୁଏ l

 


   ସେତେବେଳକୁ ମୋ ରାଗ ପୁରା ପଞ୍ଚମରେ l ନିଜ ମା' ପାଇଁ କେକ୍ କାଟୁଛ l ଆଉ ଶାଶୁମାନଙ୍କ ପାଇଁ....ଫେସବୁକ୍ ରେ ଫଟୋ ଛାଡି କଟାଘା'ରେ ଚୂନ ମାରୁଛ l 

    


   ସେତିକି ବେଳେ ମାଉସୀ ଆସି ପହଞ୍ଚିଗଲେ l କହିଲେ " ଝିଅ, ତୁ ଆଜି ଆମ ଘରେ ! ବଡ ଭାଗ୍ୟ ଆମର l ଏତେ ଦିନ ପରେ ତତେ ଟିକେ ସମୟ ମିଳିଲା ଆଜି l ହଁ ,ତୁ ତ ବଡଲୋକ ଝିଅ l ଆମ ଘରକୁ କାହିଁ ଆସିବୁ l "

  


   ମୋ ଆଗରେ ବି ଆରମ୍ଭ କଲେ ତାଙ୍କ ଝିଅ ମାନଙ୍କ ଶାଶୁଘର ବିରୋଧରେ ଗପିବା l ମୋର ତାଙ୍କ କଥାଗୁଡା ଜମା ହଜମ ହଉ ନଥାଏ l ଆଉ ସମ୍ଭାଳି ପାରିଲିନି l ମୁହଁ ଖୋଲିଲି l 

     

   କହିଲି - " ମତେ କ୍ଷମା କର ମାଉସୀ l ତାଙ୍କ ଶାଶୁଘରେ କିଛି ଅସୁବିଧା ନାହିଁ l ଅସୁବିଧା ଟା ତମ ପାଖରେ ଅଛି l ଗୋଟିଏ ଝିଅର ଶାଶୁଘର ଲୋକ ଖରାପ ହେଇ ପାରନ୍ତି l ଦି'ଟା ଝିଅର ଖରାପ ହେଇ ପାରନ୍ତି l କ'ଣ ଚାରି ଜଣଙ୍କ ଶାଶୁଘର ଲୋକ ଖରାପ l ସତକଥା ହେଲା ଝିଅ ଶାଶୁଘର ଭାଙ୍ଗିବା ପାଇଁ ଝିଅ ମା' ମାନେ ନବେ ପ୍ରତିଶତ ଦାୟୀ l ଅଧିକାଂଶ ଲୋକ ଏମିତି ଝିଅ ଜୋଇଁ କୁ ଶିଖେଇ ରଖି ତାଙ୍କ ଟଙ୍କା ଖାଆନ୍ତି l ପଚାରିଲେ କୁହନ୍ତି ଝିଅ ଶାଶୁଘର ଲୋକସବୁ ଖରାପ l ତମରି ଭଳି କିଛି ଲୋକଙ୍କ ପାଇଁ ଲୋକ ପୁଅ ବାହାଘର କରିବାକୁ ବି ଡରିଲେଣିl

     

    ସାଙ୍ଗେସାଙ୍ଗେ ମାଉସୀ କହିଲେ - " ମୁଁ ଭାବୁଥିଲି ତୁ ଗୋଟାଏ ଭଲ ଝିଅ ହେଇଥିବୁ l ହେଲେ ତୁ ତ ଏକ ନମ୍ବର ଉଦଣ୍ଡୀ ଝିଅ l "

    

    ଆରେ ,ବଡ ଏ ଅଜବ୍ ଦୁନିଆଁ l ଭୁଲ୍ କୁ ପ୍ରଶୟ ଦେଲେ ଅବା ଭୁଲ୍ କୁ ଦେଖି ଆଖି ବୁଜିଦେଲେ ହୁଣ୍ଡି,ଆଉ ସତ କହିଦେଲେ ଉଦଣ୍ଡୀ l ନା ,ମତେ ଯିଏ ଉଦଣ୍ଡୀ କହିଲେ କହୁ ପଛେ କିନ୍ତୁ ମୁହଁ ନ ଖୋଲିଲେ ସମାଜରେ ସୁଧାର ଆସିବନି l ଏୟା ଭାବି ପୁଣି କହିଲି - ମାଉସୀ,ତମର ବି ତ ଗୋଟେ ପୁଅ ଅଛି l ତମେ ବୁଝି ପାରୁନ କେମିତି ? ଦିପୁ ନନା ବାହାଘର ଟା ଖାଲି ସରିଯାଉ l ତମେ କେତେ ଭଲ ହବ ମୁଁ ଦେଖିବିନି କି l ସେ ଭାଉଜ ବି ସେମିତି ତମମାନଙ୍କୁ ଦୋଷ ଦେଇ ଯାଇ ତା ବାପଘରେ ରହିବ l ସେଇଦିନ ତମେ ଜାଣିପାରିବ ଜନ୍ମକଲା ପୁଅ ଯେତେବେଳେ ଶ୍ୱଶୁରଘର ବୁଦ୍ଧିରେ ପଡି ବାପାମା' ଙ୍କ ଠାରୁ ମୁହଁ ଫେରେଇ ନିଏ ସେତେବେଳେ ବାପାମା' ଙ୍କୁ କେତେ କଷ୍ଟ ହୁଏ l କଥାରେ ଅଛି ପରା ଉଧାରକୁ ବଦଳ l ତମେ ଯେମିତି କର୍ମ କରିବ ସେମିତି ଫଳ ଭୋଗିବ l ବୁଝିଲ ମାଉସୀ , ମୁଁ ଯାହା କୁହେ ସିଧା ସିଧା କୁହେ l ତମେ ଖରାପ ଭାବ କି ଭଲ ଭାବ l ସେଥିରେ ମୋର କିଛି ଯାଏ ଆସେ ନାହିଁ l 

    

    ସବୁ କେକ୍ କାଟିବା ପାଇଁ ରେଡି ହଉଥିଲେ l ମୁଁ ତରତର ହେଇ ସେଠୁ ପଳେଇ ଆସିଲି l


Rate this content
Log in

Similar oriya story from Inspirational